STORYMIRROR

Rabinarayan Senapati

Tragedy Classics Inspirational

4  

Rabinarayan Senapati

Tragedy Classics Inspirational

କାହ୍ନୁ

କାହ୍ନୁ

11 mins
10

କାହ୍ନୁ 

ମଧୁବନ ପାଖ ନଦୀକୂଳିଆ ଗାଁ ଜଳନ୍ଦାରେ ଭର୍ତ୍ତିଆର ଘର। ନଈକୂଳରେ ଦାରିଦ୍ର୍ୟ ନଥିବା ଏକ ସାଧାରଣ ଧାରଣା। କିନ୍ତୁ ସେ ଧନରେ ତ ଗରିବ ଥିଲା ଜନରେ ମଧ୍ୟ। ଭର୍ତ୍ତିଆର ବାପା ମାଆ ସେପାରିକୁ ଚାଲିଗଲେ। ଭାଇ ଭଉଣୀ କିଏ କେଉଁ ଦିଗକୁ ଗଲେ ପେଟ ପାଟଣାରେ। ଭିଟାମାଟିକୁ ଛାଡ଼ି, ଜଳନ୍ଦାକୁ ଛାଡ଼ି, ବାହ୍ମୁଣୀ ନଈକୁ ଛାଡ଼ି ଭର୍ତ୍ତିଆ କିନ୍ତୁ ଯାଇ ପାରିଲା ନାହିଁ। ସେମିତି ଜାଗା ଜମି ନଥାଉ ପଛେ, ଘଞ୍ଚ ବୃକ୍ଷ ଲତାରେ ଚିରସବୁଜ, ଆମ୍ବ ଓ ପଣସ ତୋଟାରେ ଭରା ଜଳନ୍ଦାକୁ ତ୍ୟାଗ କରିବା ତା ପକ୍ଷେ ସମ୍ଭବ ହେଲାନି। ମୂଲ ପାଣି କରି ଚଳିବାରେ ସେମିତି କିଛି ଅସୁବିଧା ହୁଏନାହିଁ ସାଧାରଣ ଦିନରେ। ଅବଶ୍ୟ ସୁବିଧା କହିଲେ ଯାହା ବୁଝାଯାଏ ତାହା ଖୁବ୍ ସଙ୍କୁଚିତ। ରୋଗ ଦୁଃଖ କଥା ଅଲଗା।

ଭର୍ତ୍ତିଆ ପାଇଁ ସେମିତି ଦୁଃଖିନୀ ଝିଅଟିଏ ମଧ୍ୟ ମିଳିଗଲା ଚାରି କୋଶ ଦୂର ବାଘୁଆ ଗ୍ରାମରୁ ଉଭୟ ପକ୍ଷର ଲେଖା ଯୋଖା ମୁରବିଙ୍କ ସହମତିରେ। ଗହଣା ଗାଣ୍ଠି ଯାନିଯୌତୁକ ନଥିଲା ସତ କିନ୍ତୁ ଆଶା ଭର୍ତ୍ତିଆ ପରି ପଞ୍ଚମ ପାସ୍ ନୁହେଁ। ସେ ମେଟ୍ରିକ୍ ପଡ଼ିଛି। ହୁଏତ ଯେତେ ନାହିଁ ସେତେ ପଡିଥାନ୍ତା ଯଦି ଅର୍ଥ ବାଧକ ପରିବାରକୁ ଶିକ୍ଷାର ଦିଗ ଦେଖାଇବା ଓ ସାହାଯ୍ୟ ଦେବାର ସାମାଜିକ ସୁବିଧା ଥାଆନ୍ତା। ଛାଡ ସେକଥା, ସେ ତ ଭର୍ତ୍ତିଆ ପାଇଁ ଓ ଭର୍ତ୍ତିଆ ତା ପାଇଁ ଗଢା। ଭର୍ତ୍ତିଆ ଆଉ ପାଞ୍ଚ ମିଣିପଙ୍କ ପରି ତା କନିଆ ଉପରେ ହାକିମାତି ଦେଖାଏ ନାହିଁ। ସେ ଜାଣେ ଆଶା ବୁଦ୍ଧିଆ, ତା’ର ସବୁ କଥାରେ ଏକ ସୁମତ ରହିଛି। ଭର୍ତ୍ତିଆ ମନେ କରେ ଆଶାର ପାଠ ତା’ର ପ୍ରକୃତ ଗହଣା।

ନାଆଁଟି ତାହାର ଆଶା। ଯେତେବେଳେ ଜନନୀ ସୁରକ୍ଷା ଯୋଜନା ଆରମ୍ଭ ହେଲା ଦୁଇହଜାର ଛଅ ଅବା ସାତରେ ଗାଁ ଗାଁରେ ରହିଲେ ଆଶା ଦିଦି। କିଏ ଜାଣିଥିଲା ଆଗକୁ ଯାଇ ଏ ଆଶା ଦିଦି ମାନେ ପ୍ରତି ଗାଁର ଜଣ ଜଣେ ଉପାଦେୟ ମହିଳା ହେବେ? ଜଳନ୍ଦାର ବଡ଼ ଘର ଲୋକେ ଏକଥା ଭାବି ପାରିଥିଲେ ହୁଏତ ଆଶା ଭାଗରେ ପଡିନଥାନ୍ତା ଆଶା ଦିଦି ପଦ। ସେ ବେଳର ପରିସ୍ଥିତି ଅନୁସାରେ ସେ ହୋଇଥିଲା ଗ୍ରାମର ସର୍ବସମ୍ମତ ଚୟନ। ନଥାଉ ପଛେ ସେମିତି କିଛି ଆର୍ଥିକ ଲାଭ ଆଶା କିନ୍ତୁ ବେଶ୍ ଖୁସି ଥାଏ ତା କାମରେ। ବହୁତ କାମରେ ସେ ଲାଗୁଛି, କେତେ ଲୋକଙ୍କ ସହ ମିଶୁଛି, ଅନେକ ପ୍ରଶିକ୍ଷଣ ପାଇ କେତେ ତାର ଜ୍ଞାନ ବଢୁଛି, ଏ କ’ଣ କମ କଥା! ସେ ପାଇଁ ଭର୍ତ୍ତିଆ ମଧ୍ୟ ବେଶ୍ ଖୁସି। ଆଶାକୁ ସରକାରୀ ସାଇକେଲଟିଏ ମିଳିଥିଲା। ତା ରୋଜଗାର ଖର୍ଚ୍ଚ କରିବାକୁ ଦିଏ ନାହିଁ ଭର୍ତ୍ତିଆ। ଏହା ମଧ୍ୟରେ ଆଶା ପାଇଁ ସ୍କୁଟିଟିଏ ଆସିଲାଣି। 

ମଧୁବନ ସହର ହେଲା, କାରଖାନା ପରେ କାରଖାନା ଗଢି ଉଠିଲା। ଆଶା ଓ ଭର୍ତ୍ତିଆ ଦୁଇ ପ୍ରାଣୀଙ୍କ ଦୁଃଖ ଗଲା। ସ୍ଥାନୀୟ ଇସ୍ପାତ କାରଖାନାରେ ଭର୍ତ୍ତିଆକୁ କାମ ମିଳିଗଲା। 

ସେମାନଙ୍କର ମନରେ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଆନନ୍ଦ। କିନ୍ତୁ କି ବା ସେ ଆନନ୍ଦ, ଯଦି ସାରା ଗାଆଁର ସବୁ ନବଜାତକ ଖାତାରେ ଆଶାର ସ୍ବାକ୍ଷର ଥାଇ ତା ନିଜ କୋଳରେ ଛୁଆଟିଏ ନଥାଏ? ଆଶା ଏ ଦୁଃଖକୁ ନିଜ ମଧ୍ୟରେ ଚାପି ରଖେ। ଗାଁର ସମସ୍ତ ଗର୍ଭବତୀ, ଶିଶୁ ଓ ନାନାଦି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ହସ ହସ ସବୁ କାମ କରିଯାଏ ସେ। କେତେ ବର୍ଷ ହେଲାଣି ସ୍ଥାନୀୟ ଡାକ୍ତର, ଜିଲ୍ଲା ଡାକ୍ତର ଓ ଏପରିକି କଟକ ବଡ଼ ଡ଼ାକ୍ତରଖାନାର ସ୍ତ୍ରୀରୋଗ ବିଭାଗର ପ୍ରଫେସର ଡ଼ାକ୍ତର ତାର ପରିଚିତ ହେଲେଣି। ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଆଶା ପୁରସ୍କାର ସେ ପାଇଛି। ହୁଏତ ଆସନ୍ତା କାଲି ଜାତୀୟ ପୁରସ୍କାର ପାଇଁ ଦାବିଦାର ସେ। ବାହାରୁ କେହି ବଡ଼ ଅଫିସର ଆସିଲେ ଆଶାକୁ ଠେଲି ଦିଆଯାଏ ଆଗକୁ ଉତ୍ତର ଦେବା ପାଇଁ। ସମସ୍ତଙ୍କ ଭରସାକୁ ସେ କେବେ ତଳେ ପକାଇ ନାହିଁ। ମୋଟାମୋଟି ସେ ଜଣେ ମାନକ ଆଶା।

ସାଧ୍ୟ ମୁତାବକ ସବୁ ସ୍ତରର ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି ସେମାନେ। କେଉଁଠି କିଛି ନିର୍ଦ୍ଧିଷ୍ଟ ଅସୁବିଧା ବାହାରେ ନାହିଁ। ତଥାପି ତାଙ୍କ କୋଳ ସେମିତି ଶୂନ୍ୟ ରହିଯାଏ। କେହି କେହି ଆଶ୍ଵସନା ଦିଅନ୍ତି, କିଛି ତ ଅସୁବିଧା ନାହିଁ, ଆଗକୁ ନିଶ୍ଚିତ ସନ୍ତାନ ରହିବ। ଆଶାରେ ଥାଆନ୍ତି ସେମାନେ। ଯିଏ ଯାହା ବତାନ୍ତି କରନ୍ତି, ବ୍ରତ ଉପବାସ, ପୂଜା ପାଠ କରନ୍ତି। ଆୟୁର୍ବେଦିକ, ହୋମିଓପାଥି, ୟୁନାନୀ, ଦେଶୀ ଜଡ଼ିବୁଟି, ଆଦିବାସୀଙ୍କ ଚିକିତ୍ସା ସବୁ କିଛି କରନ୍ତି। 

ବେଳେ ବେଳେ ଅଚାନକ ଜୀବନର ଗତିପଥ ବଦଳିଯାଏ। 

ଘଟଣାଟି ଅବିବାହିତ ମାତୃତ୍ଵ। ଝିଅଟି ସାବାଳିକା। ତା’ର ବିଶ୍ବାସ ତା ପ୍ରେମିକ ତାକୁ ଠକି ନାହିଁ। ସେ କେଉଁଆଡେ ନିଖୋଜ ହୋଇଯାଇଛି ଓ ଫେରିବ। ସେ ପୋଲିସରେ ମାମଲା ଦେବାକୁ ନାରାଜ। ସେ ତା ଛୁଆକୁ ଜନ୍ମ କରାଇବ ଓ ପାଳିବ। ଆଶାର ଦୂର ସମ୍ପର୍କୀୟା ସେ ଝିଅଟି। ଯାହାଙ୍କ ପରିଚୟ ଗୋପନ ରଖାଯାଉ। ଏ ବିଚିତ୍ର ପରିସ୍ଥିତି। ଝିଅଟି ନିଜ ଗ୍ରାମରେ ସାମାଜିକ ପରିସ୍ଥିତି ଓ ଲୋକଲଜ୍ଜାରୁ ରହି ପାରିଲା ନାହିଁ। ସେ ସରକାରୀ ସଂସ୍ଥାରେ ରହିବା ପାଇଁ ଆଦୌ ରାଜି ହେଲା ନାହିଁ। ସମସ୍ତଙ୍କ ଜାଣତରେ ସେ ଆସି ଆଶା ଦିଦିର ଶରଣରେ ରହିଲା। ଆଶା ଦିଦିର ଖାତିରିରେ ଓ ତା ପ୍ରତି ଥିବା ଶ୍ରଦ୍ଧାରୁ କେହି ଆଉ ତାକୁ କିଛି କହିଲେ ନାହିଁ। ସମସ୍ତେ ଧରିନେଲେ ଯେ ଆଶା ଏକ ମହତ କାମ କରୁଛି।

ସମସ୍ତ ଚିକିତ୍ସା ଓ ପୋଷଣ ଯୋଗାଇ ଦେଲା ଆଶା। ସୁରୁଖୁରୁରେ ଆଗେଇ ଗଲା ଘଟଣା। ଆସନ୍ନପ୍ରସବା ଅବସ୍ଥାରେ ଜଣା ପଡିଲା ତା ପ୍ରେମିକ ନିଖୋଜ ନୁହେଁ ମୃତ। ଝିଅଟି ବିଷାଦଗ୍ରସ୍ଥ ହୋଇଗଲା ଓ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ପ୍ରସବ ପରର ମାନସିକ ବିକାରର ଶୀକାର ହେଲା। ସେ ନବଜାତକୁ ସ୍ତନ୍ୟପାନ କରାଇବା ତ ଦୂରର କଥା ଛୁଆଟାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କଲା। ବାପଘର ଲୋକେ ତାକୁ ନେଇଗଲେ। ଛୁଆଟି ରହିଗଲା ଆଶା ପାଖରେ।

ନାଆଁ ତାହାର କାହ୍ନୁ। 

ଆଶା ଦିଦି ଜାଣେ ନିୟମ ଅନୁସାରେ ସେ ଛୁଆକୁ ସେ ରଖିପାରିବ ନାହିଁ। ତା ଜନ୍ମ ପ୍ରମାଣପତ୍ରରେ ଝିଅ ଓ ତା’ର ସ୍ୱର୍ଗୀୟ ପ୍ରେମିକର ନାମ ବାପା ମାଆ ହିସାବରେ ଅଛି। ତାଙ୍କ ମୁରବିଙ୍କ ଅନୁରୋଧରେ ସେ ରଖିଛି। ଏଣୁ ସେ କିଛି ଅପରାଧ କରିନାହିଁ। କିନ୍ତୁ ଏକଥା ସହଜେ ପହଞ୍ଚି ଯାଏ ସା ପାଖରେ। ସା ଅର୍ଥ ସ୍ପେସିଆଲାଇଜଡ୍ ଆଡପସନ ଏଜେନ୍ସୀ। ସେମାନେ ବ୍ଲକ ସ୍ତରରେ ବେସାହାରା ଶିଶୁ ମାନଙ୍କୁ ଲାଳନ ପାଳନ କରନ୍ତି ଓ ପୋଷ୍ୟ ସନ୍ତାନ ବ୍ୟବସ୍ଥା କରିଥାନ୍ତି ଯୋଗ୍ୟ ସନ୍ତନହୀନ ଦମ୍ପତ୍ତିଙ୍କୁ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କ ତତ୍ତ୍ବାବଧାନରେ ଏହା କାର୍ଯ୍ୟ କରେ। ପିଲାଟିଏ ପାଇଲେ ସାଧାରଣତଃ ସେମାନେ ଦାୟିତ୍ଵ ବୋଝ ବିଚାର କରନ୍ତି ନାହିଁ ବରଂ ଉଲ୍ଲସିତ ହୁଅନ୍ତି। ସା କାମ କରେ ସାରା(ଷ୍ଟେଟ୍ ଆଡପସନ ରିସୋର୍ସ ଏଜେନ୍ସୀ) ଅଧୀନରେ, ସାରା କାମ କରେ କାରା(ସେଣ୍ଟ୍ରାଲ ଆଡପସନ ରିସୋର୍ସ ଅଥରିଟି) ଅଧୀନରେ। 

କାହ୍ନୁ ଏହା ମଧ୍ୟରେ ତିନି ବର୍ଷର ହେଲାଣି। ତାର ଲାଳନ ପାଳନର ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଲା। ଆଶା ତାକୁ ସ୍ତନ୍ୟପାନ କରାଏ। ଏଁ, ଏ କେମିତି କଥା? ସେ ଶୁଣିଥିଲା ଏକଦା ଅତ୍ୟଧିକ ବାତ୍ସଲ୍ୟର ପ୍ରଭାବରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଜଣେ ସେବିକା ତାଙ୍କ ପାଳିତ ପୁତ୍ରକୁ ସ୍ତନ୍ୟପାନ କରାଇଥିଲେ ସଫଳ ଭାବରେ।। ଏ କଥା ଆଶା ଓ କାହ୍ନୁ ପକ୍ଷରେ ମଧ୍ୟ ସମ୍ଭବ ହେଲା। ଏପର୍ଯ୍ୟନ୍ତ ସେ କ୍ଷୀର ଛାଡିନଥାଏ। ଅତି ଅଲିଅଳିରେ ବଢ଼ିଥାଏ କାହ୍ନୁ, ହୃଷ୍ଟପୁଷ୍ଟ ଡଉଲ ଡାଉଲ। ଭାରି ବୁଦ୍ଧିଆ।

ହଠାତ୍ ଦିନେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା କମିଟିର ଅଧିକାରୀ ମାନେ ପହଞ୍ଚିଗଲେ ଜଳନ୍ଦାରେ। ସେମାନେ ପରିସ୍ଥିତି ବୁଝୁଥିଲେ ମଧ୍ୟ ଓ ଆଶା ଦିଦି ପ୍ରତି ସଦୟ ଥିଲେ ମଧ୍ୟ ନିୟମ କାନୁନ ଅନୁସାରେ କାମ କରିବାକୁ ବାଧ୍ୟ। ଆଶା ଓ ଭର୍ତ୍ତିଆ ବିରୋଧ କଲେ, କନ୍ଦାକଟା କଲେ, ସାରା ଗାଁ ଲୋକେ ତାଙ୍କ ତରଫରୁ ଗୁହାରୀ କଲେ। ତଥାପି ସେମାନେ କାହ୍ନୁକୁ ଛଡ଼ାଇ ନେଲେ। ନେବା କଥା ଯଦି ଆହୁରି ଆଗରୁ ହେଲେ ନେଇଥାନ୍ତେ। ତିନିବର୍ଷର ଅଙ୍ଗନ ବାଡ଼ି ଯାଉଥିବା ଶିଶୁ, ସେ ଜାଣିଥିବା ଆପଣାର ମାଆ ବାପାଙ୍କ ଠାରୁ ପୃଥକ ହୋଇଯିବା ଓ ତାହା ପୁଣି ଅଚାନକ ଆସିବାର ପ୍ରଭାବ ତା ଉପରେ କେମିତି ପଡ଼ିବ ତାହା ମାପି ହେବା ଭଳି ଯନ୍ତ୍ର ଉଦ୍ଭାବିତ ହୋଇନାହିଁ। ତାହାକୁ ପ୍ରାଞ୍ଜଳ ଭାବେ ବୁଝିବା ଭଳି ମାନସିକ ବିଶେଷଜ୍ଞ କ’ଣ ସମ୍ଭବ?

ହୁଏତ ସେ ଆଶା ଦିଦି ନ ହୋଇଥିଲେ ଭଲ ହୋଇଥାନ୍ତା। ଭର୍ତ୍ତିଆ ସହ ଛୁଆଟିକୁ ନେଇ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ କି ବାଙ୍ଗାଲୋର ପଳାଇଥାନ୍ତା। ସେଇଠି ଦୁହେଁ ମୂଲ ଲାଗି ଚଳିଥାନ୍ତେ। ଯେତେ ଚେଷ୍ଟା କଲେ ମଧ୍ୟ ଛାତିକୁ ପଥର କରିବା ସମ୍ଭବ ନୁହେଁ। ଗୋଟିଏ ବାପା ନଥିବା, କୁମାରୀ ମାଆ ମାନସିକ ବିକାରର ଶୀକାର ହୋଇଥିବା ଶିଶୁକୁ ନବଜୀବନ ଦେଇଥିବା ବାପା ମାଆଙ୍କ ବିଦିର୍ଣ୍ଣ ହୃଦୟକୁ କ’ଣ ଅବା ବର୍ଣ୍ଣନା କରିହେବ। ମରି ହଜି ଯିବା କଥା ଅଲଗା। ମଣିଷ ତାର ସମସ୍ତ ରାଗ ଅଭିମାନକୁ ଈଶ୍ବରଙ୍କ ଉପରେ ଅଜାଡି ଦେଇ କେତେ ମାସ କନ୍ଦାକଟା କରି ତୁନ ପଡ଼ିବ। କିନ୍ତୁ ଆଖି ସାମ୍ନାରେ ଆଇନର ଦ୍ବାହିରେ ଆପଣା ଇଲାକାରେ ଛୁଆଟା ପୃଥକ ହୋଇଯିବ। ସେ ଖାଇବ ତ, ତାର ଯେଉଁ ବିଶେଷ ଅଳି, ଅର୍ଦ୍ଦଳି ରହିଛି ତାହାକୁ କେହି ବୁଝି ପାରିବେ ତ? ତା ଭିତରର ଆତଙ୍କ, ଅସହାୟତା, ଅବୁଝା ସମ୍ବେଦନର କିଛି ଉତ୍ତର ଅଛି? ସାଧାରଣ ଭାବେ ଶାନ୍ତ ଓ କର୍ମ ନିପୁଣ ଆଶା ଦିଦି ମଧ୍ୟରେ ଦେବକୀ ପଣିଆ ନଥିଲା କିନ୍ତୁ ସେ ଯଶୋଦା। କାହ୍ନୁକୁ ସେ ଦେଇଦେବ! ଭର୍ତ୍ତିଆ କେବଳ କାକୁସ୍ଥ ହୋଇ ବସିପଡ଼ିଲା। ଯେତେ ନେହୁରା ହେଲେ ମଧ୍ୟ ଗ୍ରାମବାସୀଙ୍କ କଥା ରହିଲା ନାହିଁ। 

ଯାହା ଅସମ୍ଭବ ଜଣା ପଡୁଥିଲା ଶେଷରେ ତାହା ହେଲା। ମା କୋଳରୁ ଏକ ଶିଶୁର ଆଇନତଃ ଅପହରଣ ଘଟିଲା। ଖିଆ ନାହିଁ ପିଆ ନାହିଁ, ସେମାନେ ଦୌଡିଲେ ବଡ଼ ବଡ଼ ଅଫିସର ଓ ଜିଲ୍ଲାପାଳଙ୍କ ପାଖକୁ। ସା ଦୁଆରକୁ ସବୁ ସମୟରେ ଦୌଡିଲେ। ସାରା ଓ କାରାକୁ ଦରଖାସ୍ତ କଲେ। 

ଗୋରା କାହ୍ନୁ ଏବେ କଳା ପଡ଼ିଲାଣି, ସେ ଭଲରେ ଖାଉନି କି କାହା ପାଖକୁ ଯାଉନି। ଦିନସାରା କାନ୍ଦୁଛି। ଯେମିତି ମଝିରେ ଏକ କାଚର କାନ୍ଥ। ଆଶା ଓ ଭର୍ତ୍ତିଆ ଦେଖି ପାରୁଛନ୍ତି କିନ୍ତୁ ପହଞ୍ଚି ପାରୁନାହାନ୍ତି।‌

ପିଲାଟିର ଏତାଦୃଶ ଅବସ୍ଥା ସହି ନପାରି ସେମାନେ ଓକିଲ ଅରୁଣଙ୍କ ସହ ପରାମର୍ଶ କଲେ। ମାମଲା ରୁଜୁ ହେଲା ଯେ ଏମିତି ପରିସ୍ଥିତି ଲାଗି ରହିଲେ ଶିଶୁ ଜୀବନ ସଙ୍କଟରେ ପଡ଼ିବ।

ଆଉ କିଛି ବିଜ୍ଞଲୋକେ ପରାମର୍ଶ ଦେଲେ, ଏତେ ମଣିଷ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି ତୁମେ ଦୁହେଁ ଦରଖାସ୍ତ କର, କାହ୍ନୁକୁ ନେଇ ଆସ।

କଥାଟା ମନକୁ ପାଇଲା।

ଆଶାର କିରଣ ଦିଶିଲା।

କେତେ ଦିନ ପରେ ଦୁହେଁ ମୁଠେ ଭଲରେ ଖାଇଲେ। ଏକ ବଖୁରିଆ ଇନ୍ଦିରା ଆବାସର ପ୍ରତି କାନ୍ଥରେ କାହ୍ନୁର ଗାରାଗାରି ସବୁ କାହ୍ନୁ ପ୍ରାୟ ପ୍ରତୀୟ ହେଲେ। ଅଗଣାରେ ଶୁଭିଗଲା କାହ୍ନୁର ଅଝଟ, ଆମ୍ବ ଓ ପଣସ ଭରା ତାଙ୍କ ଛୋଟ ବାଡ଼ିରେ ଦେଖା ହେଲା ହଳଦୀ ବସନ୍ତଟିଏ, ମନେହେଲା ଏ ଶୁଭାଶୁଭର ପ୍ରତିନିଧି। ସେ ବାହାରକୁ ଆଉଥରେ ବାହାରିଲା। ତାଙ୍କ ଦୁଆରୁ ତଳକୁ ତଳକୁ ଖସିଛି ଧାରେ ଗଡାଣିଆ ରାସ୍ତା। ଏ ରାସ୍ତାକୁ ଥିଲା ତା’ର ଡର, କାଳେ କାହ୍ନୁ ନଈକୁ ଚାଲିଯିବ। କାରଣ ନଥାଇ ସେ ନଦୀ ଆଡେ ଚାଲିଲା। ତା ପଛେ ପଛେ ଭର୍ତ୍ତିଆ। ସେମାନେ ଭାବିଦେଲେ କାଲି ଦରଖାସ୍ତ କରିବେ ହୁଏତ ପରଦିନ କାହ୍ନୁ ଫେରିବ। ଏଇ ନଈ ଆର କଡ଼ରେ ସା। ଏ ନଦୀ ଯେମିତି ଯମୁନା। ଶୁଖି ଯାଇଥିବା ନଦୀରେ ଓହ୍ଲାଇ ଆସିଲା ବନ୍ୟା। ଆଖିରୁ ଅମାନିଆ ଲୁହ ଗଡ଼ି ଆସିଲା। ଆଶା ଛାତିରେ ଯନ୍ତ୍ରଣା। ଛାତିରୁ ନିଗିଡ଼ି ଆସିଲା ବାତ୍ସଲ୍ୟ। ଭର୍ତ୍ତିଆ ତା’ର ଆଖି ପୋଛିଦେଲା। ଆଉ କାନ୍ଦେନି, ଦୁଇ ଦିନର କଥା। ଆଦିବାସୀ ପଡ଼ାରୁ ଭାସି ଆସିଲା ବଇଁଶୀର ସ୍ବର। ଆଶା ମନେ କଲା ଏଇଠି ତା କାହ୍ନୁ କେଉଁଠି ଖେଳୁଛି, ଏଇ ପା ତା ଅଣ୍ଟାର ଘଣ୍ଟିକା ମାଳିଟି ରୁଣୁ ଝୁଣୁ ବାଜି ଉଠୁଛି। ଘର ଆଡୁ ଶୁଭିଲା ହମ୍ବାରଡି। ସେମାନଙ୍କ ଆଉ ଦାୟିତ୍ଵ ମନେ ପଡିଗଲା। 

ରାତିରେ ନିଦ ହେଲା। ସ୍ବପ୍ନ ବି ଦେଖିଲେ ଦୁହେଁ। 

ସକାଳୁ ସକାଳୁ ସା’ରୁ ଫୋନ୍ ଆସିଲା। ବେଶ୍ ଆଦରରେ ତାଙ୍କ ମୂଖିଆ ଡକାଇଲେ ଆଶା ଓ ଭର୍ତ୍ତିଆଙ୍କୁ। ଗତକାଲିର ଭାବପ୍ରବଣ ପରିସ୍ଥିତିକୁ ଏ ଡାକରା ମଧୁର ଲାଗିଲା। ଯଥାଶୀଘ୍ର ପହଞ୍ଚିଗଲା ତାଙ୍କ ସ୍କୁଟି।

ଖବର କିନ୍ତୁ ଭଲ ନଥିଲା। କାହ୍ନୁ ଅସୁସ୍ଥ। ଜ୍ବର ହେଉଛି, ବାନ୍ତି ମଧ୍ୟ। ଡାକ୍ତର ଦେଖିଛନ୍ତି ହେଲେ ସେ ନା ଖାଉଛି ପଥି ନା ଔଷଧ। ଆଶାର ସବୁ ଭାବନା ପଛକୁ ଚାଲିଗଲା। ସେ କାହ୍ନୁକୁ କୋଳେଇ ନେଲା। ଆପଣା ଠାରୁ ଖୋଇଲା, ପଥି ଓ ଔଷଧ ଖୁଆଇ ଦେଲା। ଖୁବ୍ ଶୀଘ୍ର ସେ ଆରାମ ଅନୁଭବ କଲା, ଖେଳିଲା। ସେ ତାକୁ ବୁଝାଇ ଦେଲା କି ଅତି ଶୀଘ୍ର ଯେଉଁ ସରକାର ତାକୁ ତାଠାରୁ ଛଡ଼ାଇ ନେଇଛି ସେହି ସରକାର ପୁଣି ତାକୁ ତା କୋଳରେ ଦେଇଦେବେ।

ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ପ୍ରଣାଳୀ ସମ୍ପର୍କରେ ବୁଝିଲେ। ସା ମୁଖିଆ ସବୁବେଳେ ହସ ହସ, ସେଦିନ ଆହୁରି ଅଧିକ ମମତା ଦେଖାଇ ସମସ୍ତ ବ୍ୟବସ୍ଥା ବୁଝାଇ ଦେଲେ। ଦରଖାସ୍ତ ଦେବେ, ନିଜର ପିଲାପିଲି ନଥିବାର ପ୍ରମାଣପତ୍ର ସହ, ସନ୍ତାନ ଅକ୍ଷମତାର ପ୍ରମାଣପତ୍ର, ରୋଜଗାର ଓ ସମ୍ପତ୍ତି ପ୍ରମାଣପତ୍ର ଇତ୍ୟାଦି ଦେଇ ପଞ୍ଜୀକୃତ ହେବେ ଓ ନିଜର ପାଳି ଆସିଲେ ପିଲାଟିକୁ ନେଇଯିବେ।

କଥା ସବୁ ଭର୍ତ୍ତିଆ ଓ ଆଶାଙ୍କୁ ବେଶ୍ ସହଜ ଲାଗିଲା। ଡାକ୍ତରୀ ପ୍ରମାଣପତ୍ର ତାଙ୍କୁ କି ଅଭାବ ହେବ? ରାଜସ୍ବ ନୀରିକ୍ଷକ ତାଙ୍କଠୁ ଗାଈ କ୍ଷୀର ନିଅନ୍ତି ସମ୍ପୂର୍ଣ୍ଣ ବିଶୁଦ୍ଧ। ଆୟ ପ୍ରମାଣପତ୍ର କି ଅବା କଥା। ମନେ ହେଲା ଏଇ ଗଲି ଏଇ ଆଇଲି। କାହ୍ନୁକୁ ଆଉ ଟିକେ ଗେହ୍ଲା କରି ଆହୁରି ବୁଝାଇ ଦେଇ ସେମାନେ ଫେରିଲେ। ଏଣିକି ସେ ଔଷଧ ଓ ପଥି ଖାଇବ। ସେମାନଙ୍କୁ ମନେହେଲା, ସତ କଥା ତ, ସରକାରୀ କାଇଦା କଟକଣା ମଧ୍ୟରେ ଲେଖାପଢ଼ା କରି ନେଇଗଲେ ଆଉ ଆଗକୁ ଝାମେଲା ନଥିବ। ଆଶାର ମନେହେଲା ସା ବାଲା ତାଙ୍କ କର୍ତ୍ତବ୍ୟ କରୁଛନ୍ତି ସେ ଯାହା ଅଯଥା ଦୋଷାରୋପ କରୁଛି। ସେ ଲଜ୍ଜିତ ଅନୁଭବ କଲା। ସା ମୁଖିଆଙ୍କୁ ଧନ୍ୟବାଦ ଦେଇ ଫେରିଲେ ଦୁହେଁ। ଫେରିବା ରାସ୍ତାରେ ଦୁଇ ପ୍ରାଣୀଙ୍କ ମନେ ହେଲା ସେମାନେ ସ୍କୁଟି ନୁହେଁ ମନ ପବନ ଘୋଡାରେ ବସିଛନ୍ତି।

ରାଜସ୍ବ ନୀରିକ୍ଷକ ତାଙ୍କ ଦାୟିତ୍ବ ହାତକୁ ନେଇ ଆଶା ଓ ଭର୍ତ୍ତିଆର ଆୟ, ଗାଈରୁ ଆୟ, ଆମ୍ବ ପଣସର ବିକ୍ରିବଟା ଓ ଏପରିକି ନଦୀରୁ ମାଛ ଧରିବା, ନଥିଲେ ମଧ୍ୟ କୁକୁଡ଼ା ଛେଳି ଯୋଗ କରି ଉଭୟଙ୍କ ନାମରେ
ମାନନୀୟ ତହସିଲଦାରଙ୍କ ଦ୍ବାରା ଆୟ ପ୍ରମାଣପତ୍ର କରାଇଦେଲେ। ଉଭୟଙ୍କର ମିଶି ସମୁଦାୟ ବର୍ଷକୁ ସାଢେ ତିନି ଲକ୍ଷ ଆୟ ଦେଖାଗଲା। 

ଏବେ ଡାକ୍ତରୀ ପ୍ରମାଣପତ୍ରର ପାଳି। ଅଦ୍ୟାବଧି ନିଃସନ୍ତାନ ପ୍ରମାଣପତ୍ର ମଧ୍ୟ ସ୍ଥାନୀୟ ଭାବେ ମରିଗଲା। କିନ୍ତୁ ଆଗକୁ ସନ୍ତାନସମ୍ଭବା ନୁହନ୍ତି ଏ ପ୍ରମାଣପତ୍ର କଟକ ବଡ଼ ଡ଼ାକ୍ତରଖାନାରୁ କିମ୍ବା ଜିଲ୍ଲା ଚିକିତ୍ସାଳୟରୁ ମିଳିବ। ସେମାନେ ଭାବିଥିଲେ ଏହା ସହଜରେ ସ୍ଥାନୀୟ ଡାକ୍ତରଙ୍କଠୁ ମିଳିଯିବ। ସେମାନେ ଜିଲ୍ଲା ଡାକ୍ତରଖାନାରେ ଦରଖାସ୍ତ କଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଆଚାର୍ଯ୍ୟ ମହାଶୟ କହିଲେ ଏମିତି କ’ଣ ମିଳିବ? ସମସ୍ତ ପରୀକ୍ଷା ନିରୀକ୍ଷା କରା ହେଲାପରେ ଯାଇ ଲେଖିହେବ।

କିନ୍ତୁ ଆମ ପାଖରେ ପୂର୍ବରୁ ସବୁ କାଗଜ ଅଛି ଯେ?

ଡାକ୍ତର ବାବୁ ସେସବୁ ତନ୍ନ ତନ୍ନ କରି ଦେଖିଲେ। 

ଏଥିରେ କିଛି ଅସୁବିଧା ବାହାରି ନାହିଁ ଏଣୁ ପ୍ରମାଣପତ୍ର ମିଳିବ କେମିତି?
କିନ୍ତୁ ଗୋଟିଏ ଅବଧି ତ ଥିବ? ଯାହା ପରେ ଆଉ ସନ୍ତାନ ହେବେ ନାହିଁ ବୋଲି ଧରି ନିଆଯିବ।
କିନ୍ତୁ ସେତେବେଳକୁ ତୁମେ ବୟସ ଦୃଷ୍ଟିରୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅଯୋଗ୍ୟ ହୋଇଯିବ।
ତାହେଲେ?

ନିଜ ମୁଣ୍ଡରୁ ବୋଝ ହଟାଇବା ପାଇଁ ଅବା ଅଜ୍ଞାନତା ହେତୁ ଡାକ୍ତରବାବୁ ତାଙ୍କୁ କଟକ ବଡ ଡାକ୍ତରଖାନା ଠିକଣା ଦେଇଦେଲେ।

ଗତବର୍ଷ ଏହି ଆଚାର୍ଯ୍ୟ ମହାଶୟଙ୍କ ହସ୍ତରୁ ସେ ଗ୍ରହଣ କରିଥିଲା ପୁରସ୍କାର। ସେ ଅନୁଭବ କଲା, ଏଠାରେ ଶକ୍ତି ଅପଚୟ ନକରି ବଡ଼ ଡ଼ାକ୍ତରଖାନାକୁ ଗଲେ ବରଂ ଭଲ।

ବଡ଼ ଡ଼ାକ୍ତରଖାନାରେ ବିଭାଗୀୟ ପ୍ରଫେସର ତାଙ୍କ ଦୁଃଖ ସହୃଦୟତାର ସହ ଶୁଣିଲେ। ତାଙ୍କର ପୁରୁଣା ଚିଠା ସବୁ ଦେଖିଲେ। ତହିଁରୁ କିଛି ତଥ୍ୟ ମିଳିଲା ନାହିଁ ପ୍ରମାଣପତ୍ର ଦେବା ପାଇଁ। ସେ ପରାମର୍ଶ ଦେଲେ ଯେ ସାନି ପରୀକ୍ଷା କରିବାକୁ ପଡ଼ିବ।
ଆଜ୍ଞା ପୁଣି ଯଦି ସବୁ କିଛି ଠିକ୍ ଆସିବ?
କିଛି ତ ଅସୁବିଧା ଥିବ, ଉଚ୍ଚତର ପରୀକ୍ଷା କଲେ, ଲାପାରୋସ୍କୋପି କଲେ ହୁଏତ ଜଣାପଡ଼ିବ।
ପୁଣି ଗୋଟିଏ ପରେ ଗୋଟିଏ ସବୁ କିଛି ତନ୍ନ ତନ୍ନ କରି ପରୀକ୍ଷା କରାଗଲା। ଅର୍ଥ ନାଶ, ପ୍ରାଣ ପୀଡ଼ା। ଆଗରୁ ଯାହାସବୁ ଖର୍ଚ୍ଚ ଦୃଷ୍ଟିରୁ ଏଡେଇ ଦିଆଯାଇଥିଲା ତାହା ମଧ୍ୟ ହେଲା। ଲାପାରୋସ୍କୋପି କରାଗଲା, ଉଭୟଙ୍କ ଗୁଣସୂତ୍ର ସମ୍ପର୍କୀୟ ପରୀକ୍ଷା କରାଗଲା। ଶେଷରେ ଜଣା ପଡିଲା କି ସବୁକିଛି ଠିକ୍ ଥିଲେ ମଧ୍ୟ ତାଙ୍କ ଫାଲୋପିଆନ ନଳୀ ମଧ୍ୟରେ ଥିବା ସୂକ୍ଷ୍ମ ସିଲିଆ ଯେତିକି ଯାହାର କାମ ହେଲା ଫୁଟିଥିବା ଡିମ୍ବକୁ ଜରାୟୁ ଆଡ଼କୁ ଗତି କରାଇବା ତାହା କାମ କରୁନାହିଁ। ଏଣୁ ଯୁଗ୍ମଜ ସୃଷ୍ଟି ହେଉନାହିଁ। ପ୍ରଫେସର ବୁଝାଇ ଦେଲେ କି ଏହା ମଧ୍ୟ ତୁମକୁ ନିଃସନ୍ତାନ ପ୍ରମାଣପତ୍ର ଦେବା ପାଇଁ ଯଥେଷ୍ଟ ନୁହେଁ କାରଣ ଏହାର ଚିକିତ୍ସା ଅଛି। ଶୁକ୍ରାଣୁ ଓ ଡିମ୍ଵାଣୁକୁ ସଂଗ୍ରହ କରି ଯୁଗ୍ମଜ ଗଠନ ପରୀକ୍ଷାଗାରରେ କରାଇ ପୁନଶ୍ଚ ଏହାକୁ ଗର୍ଭାଶୟରେ ରଖିବା ସମ୍ଭବ।

ହଠାତ୍ ଉଚ୍ଚ ସ୍ବରରେ ଆଶା ନିଜ ଅଜଣାତରେ କହି ଉଠିଲା।
ନା ମୋର ସନ୍ତାନ ଦରକାର ନାହିଁ ମୋର କାହ୍ନୁ ଦରକାର। କାହ୍ନୁକୁ ପାଇବା ପାଇଁ ମୁଁ ବାଞ୍ଝ ହେବା ଶତଗୁଣେ ଭଲ। ଯଦି ଆଉ କିଛି ନ ହେଉଛି ମୋର ପିଲା ବନ୍ଦ ଅସ୍ତ୍ରୋପଚାର କରି ବନ୍ଧ୍ୟା ପ୍ରମାଣପତ୍ର ଦେଇ ଦିଅନ୍ତୁ।
 
ବଡ଼ ପ୍ରଫେସର ବିରକ୍ତ ହେଲେ ନାହିଁ। ଅନୁଭବି ଚିକିତ୍ସକ ସେ ତାଙ୍କର ମନେ ହେଲା ଯେମିତି ସ୍ବୟଂ ଯଶୋଦା ତାଙ୍କ ସାମ୍ନାରେ ଉଭା ହୋଇଛନ୍ତି। ସେ ନିର୍ବାକ ରହିଗଲେ। ନିଜର ବୁଦ୍ଧି ବିଦ୍ୟା ଓ ଅଭିଜ୍ଞତାକୁ ମିଶାଇ ସେ ପ୍ରମାଣପତ୍ର ଦେଇଦେଲେ ତେଣିକି ଯାହା ହେବ ଦେଖାଯିବ।

ପ୍ରମାଣପତ୍ର ପାଇବା ପରେ ଉଭୟ ପ୍ରଫେସରଙ୍କୁ କ୍ଷମା ମାଗି ସାଷ୍ଟାଙ୍ଗ ପ୍ରଣିପାତ କରି ବାହାରି ଆସିଲେ।

ଆଉ କିଛି ଅସୁବିଧା ନାହିଁ।

ପରବର୍ତ୍ତୀ ଲେଖାପଢ଼ା କରିବା ପାଇଁ ସେମାନେ ସା ଅନୁଷ୍ଠାନକୁ ଗଲେ। ତାଙ୍କ ଦରଖାସ୍ତ ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଗଲା। 

ସେମାନେ ଆୟ ଦୃଷ୍ଟିରୁ ଅଯୋଗ୍ୟ ସାବ୍ୟସ୍ତ ହେଲେ। ଏବେ ବୁଝୁଥିଲେ କଣ ପାଇଁ ରାଜସ୍ବ ନିରୀକ୍ଷକ ତାଙ୍କ ଆୟ ଅଧିକ ଦେଖେଇବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଜାଣି ନଥିଲେ ଏ ଦେଶର ଗରୀବ ଜନତା ପହ୍ଲେ ପିଲା ଜନ୍ମ କରିବାରେ କଟକଣା ନାହିଁ କିନ୍ତୁ ଗରିବ ଦମ୍ପତି ସ୍ନେହ ଶ୍ରଦ୍ଧା ଓ ଯତ୍ନର ମୂଲ୍ୟ ଦେଇ କେବଳ ଗୋଟିଏ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ। ଆଶାର ମନରେ କ୍ରୋଧ ଭାବ ଆସିଲା। ସରକାର ଯଦି ମଣିଷଟିଏ ହୋଇଥାନ୍ତା ହୁଏତ ଶକ୍ତ ଚଟକଣି ଟିଏ ଦେଇଥାନ୍ତା ତା ଗାଲରେ। ଆପଣା କପାଳ ଫୁଟା।

ଗାଁରେ ସଭା ହେଲା। ସମସ୍ତେ ଚାନ୍ଦା ଭେଦା ଦେଲେ। ଭର୍ତ୍ତିଆ ନାମରେ ମହାଜନେ ଦୁଇ ଏକର ଜମି ଲେଖିଦେଲେ ମୌଖିକ ଭାବେ ଚୁକ୍ତି କରି ଯେ ଏହାର ମୂଲ୍ୟ ପରେ ସୁଧ ସହ ସୁଝିବେ। କିଏ ଛେଳି ଦେଲା କିଏ ଗାଈ। ସମୁହ ସହଯୋଗରେ କୃତ୍ରିମ ଭାବେ ଗୋଟିଏ ପରିବାରର ଆୟଗତ ଯୋଗ୍ୟତା ହୋଇଗଲା।

ଏହା ମଧ୍ୟରେ ଦୁଇମାସ ଚାଲିଗଲା।

ସା କତୃପକ୍ଷ ଅବଶ୍ୟ ସଦୟ ଥିଲେ କିନ୍ତୁ ମନମୁଖୀ କାମ କରି ପାରିବେ ନାହିଁ। ଆଶା ଓ ଭର୍ତ୍ତିଆ ପୂର୍ବରୁ ଆହୁରି କେତେ ଦମ୍ପତିଙ୍କ ପାଳି ରହିଛି । କିଛି ନା କିଛି ଆଳ ଦେଖାଇ ଓ ପୃଷ୍ଠଭୂମି ବର୍ଣ୍ଣନା କରି ଅନ୍ୟ ସବୁ ଯୋଗ୍ୟ ଦମ୍ପତିଙ୍କୁ ସେମାନେ କାହ୍ନୁକୁ ନଦେବାକୁ ଚେଷ୍ଟା କରି ଅଦ୍ୟାବଧି ସଫଳ ହୋଇଛନ୍ତି। ତଥାପି କିନ୍ତୁ ଆଶାକୁ ବୁଝାଇଛନ୍ତି ସବୁକିଛି ତାଙ୍କ ହାତରେ ନାହିଁ। କାହ୍ନୁ ଛୋଟପିଲା ହେଲେ କଣ ହେବ କଥା ବୁଝିଲାଣି। ସେ ଜାଣିଲାଣି ସେ ତା ମାଆ ବାପା ପାଖକୁ ଫେରିବା ସୁନିଶ୍ଚିତ। ସେ ଆଉ ଅଝଟ କରୁନି ଖିଆପିଆ କରୁଛି। ପୁଣି ଡଉଲ ଡାଉଲ ଦିଶିଲାଣି। ଯାହାଙ୍କର ପାଳି ସେ ତାକୁ ହିଁ ପ୍ରଥମ ପସନ୍ଦ କରୁଛନ୍ତି। ସା ଲୋକେ ପରୋକ୍ଷରେ ସେମାନଙ୍କୁ ବାରଣ କଲାପରେ ସେମାନେ ପଛେଇ ଯାଆନ୍ତି।

ଏଥର ଜଣେ ବିଦେଶୀ ଦମ୍ପତିଙ୍କ ପାଳି, ସ୍ପେନ ଦେଶର। ସେମାନେ ବୋଧହୁଏ ଠିକରେ ବୁଝି ପାରିଲେ ନାହିଁ ବା ସେମାନଙ୍କୁ ପିଲା ଯୋଗାଇବା ବଳବାନ ବ୍ୟବସ୍ଥାର ପ୍ରଭାବରେ ସା କତୃପକ୍ଷ ଅଟକାଇ ପାରିଲେ ନାହିଁ କାହ୍ନୁକୁ। କେଜାଣି କାହିଁକି ସେମାନେ ଆଶା ଓ ଭର୍ତ୍ତିଆଙ୍କୁ ତତ୍କ୍ଷଣ ଖବର ଦେଲେ ନାହିଁ। ହୁଏତ ଏ ଦୁଃଖ ସେ ସହିପାରିବେ ନାହିଁ ଭାବି। କାହ୍ନୁ ଗୋଟିଏ ବସ୍ତା ନୁହେଁ ଯେ ସହଜରେ ନେଇଯିବେ ତାକୁ। ସେ ନଯିବାର ଯିଦ୍ ଧରିଲା। କେତେ ରଙ୍ଗ ଢ଼ଙ୍ଗ ଖେଳନା ଓ ଅନେକ ଜିନିଷ ଦେଇ ତାକୁ ଭୁଲାଇ ହେଲା ନାହିଁ। ଲବି କହିଲେ ସେ ତ ବିଦେଶୀ ହୋଇଥିବାରୁ ହଠାତ୍ ତାକୁ ନେଇ ପାରିବେ ନାହିଁ ଏଣୁ ତାଙ୍କ ନାମରେ ଚୁକ୍ତି ହୋଇଯାଉ। ପାସପୋର୍ଟ ଓ ଭିସା ‌ହେଲା ମଧ୍ୟରେ ଯଦି କାହ୍ନୁର ମନ ବହଲାଇ ନହେଲା ତାହେଲେ ଦେଖାଯିବ। 

ଶୁଣାଯାଏ ଉପରୁ ଚାପ ଆସିଲା। ଶୁଣାଯାଏ ବିଦେଶୀ ବହୁତ କ୍ଷମତାଶାଳୀ। ଶୁଣାଯାଏ ଆହୁରି ଅନେକ କଥା ଯାହା ଉଲ୍ଲେଖ କରି ହେବ ନାହିଁ। 

ବିଦେଶକୁ ନହେଲେ ମଧ୍ୟ କାହ୍ନୁ ସ୍ଥାନାନ୍ତରିତ ହେଲା। 

ଆଶା ଓ ଭର୍ତ୍ତିଆ ପାଗଳ ପ୍ରାୟ ହୋଇଗଲେ।

ଛୋଟିଆ ଦୀପଟିଏ ମଧ୍ୟ ଅନ୍ଧକାର ଦୂର କରେ। ସେମିତି ଦୀପଟିଏ ହୋଇ ପହଞ୍ଚିଲେ ଓକିଲ ଅରୁଣ। ସେ ନିଜେ ହାତରୁ ଅର୍ଥ ବ୍ୟୟ କରି ଏ ବିଷୟରେ ବିଶେଷଜ୍ଞ ଓକିଲଙ୍କ ଦ୍ଵାରା ଉକ୍ତ ଲେଣଦେଣ ଓ ଶିଶୁର ବିଦେଶ ଗସ୍ତ ଉପରେ ପ୍ରଥମେ ରୋକ ଲଗାଇଦେଲେ। ଏହା ମଧ୍ୟରେ ଆଶା ଓ ଭର୍ତ୍ତିଆ ଯୋଗ୍ୟ ଦମ୍ପତି ହୋଇ ସାରିଥିବାରୁ ତଥା କାହ୍ନୁର ଏକା ଜିଦ୍ ହେତୁ ଅରୁଣଙ୍କ କାମ ସହଜ ହେଲା। 

ବିଦେଶୀ ଦମ୍ପତି ବୁଝିଗଲେଣି ଏ କାହ୍ନୁକୁ ନେବା କାହ୍ନୁ ପ୍ରତି ଓ ତାଙ୍କ ନିଜ ପ୍ରତି ଶୁଭଙ୍କର ହେବ ନାହିଁ।

ଏହା ମଧ୍ୟରେ ଅଦାଲତ ମଧ୍ୟ ନିର୍ଦ୍ଦେଶ ଦେଲେ କି ମାନସିକ ବିଶେଷଜ୍ଞ ଡାକ୍ତର ବିମଳ କାହ୍ନୁକୁ ଓ ସମୁଦାୟ ପରିସ୍ଥିତିକୁ ବିଶ୍ଳେଷଣ କରି ତାଙ୍କ ବିଶେଷ ମତ ରଖନ୍ତୁ ଯାହା ସିଦ୍ଧାନ୍ତ ଭାବେ ଗ୍ରହଣ କରାଯିବ। କାହ୍ନୁ, ଆଶା, ଭର୍ତ୍ତିଆ ଓ ଘଟଣାରେ ଜଡ଼ିତ ସମସ୍ତ ମଣିଷଙ୍କ ସହ ଆଲୋଚନା କଲାପରେ ଡ଼ାକ୍ତର ବିମଳ ସିଧାସଳଖ ଲେଖିଦେଲେ ଯେ କାହ୍ନୁ ନାମକ ଶିଶୁ ଆଶା ଓ ଭର୍ତ୍ତିଆ ପିତା ମାତାଙ୍କୁ ଛାଡ଼ି ଅନ୍ୟ କେଉଁଠି ବି ରହିଲେ ଏହା ତା ପ୍ରତି ଗଭୀର ମାନସିକ ଆଘାତ ସୃଷ୍ଟି କରିବ। ଏବଂ ତାହାର ପ୍ରକୃତ ମାତା ଯେହେତୁ ମାନସିକ ବିକୃତିରେ ପୀଡ଼ିତା ହୋଇ ସାରିଛି କାହ୍ନୁ ମଧ୍ୟରେ ମାନସିକ ବିକାର ଜାତ ହେବାର ସମ୍ଭାବନା ବହୁତ ଅଧିକ।

କହିବା ବାହୁଲ୍ୟ ତାହା ହିଁ ହେଲା। ଏବେ ଆଇନତଃ କାହ୍ନୁ ହେଉଛି ସେହି ମାତାର ଯେ ଅର୍ଦ୍ଧଚେତନରେ ସ୍ବୀକାରୋକ୍ତି କରିଥିଲା ମୋର ସନ୍ତାନସମ୍ଭବା ହେବାର ଆବଶ୍ୟକତା ନାହିଁ ମୋର କାହ୍ନୁ ଦରକାର।








Rate this content
Log in

Similar oriya story from Tragedy