Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Lopamudra Mishra

Tragedy


3.3  

Lopamudra Mishra

Tragedy


ସିନୁଅପା

ସିନୁଅପା

13 mins 555 13 mins 555

             

 ଗାଢ୍ ନାଲି,ବାଇଗଣୀ ଓ ନୀଳରଙ୍ଗର ଶାଢ଼ି ତା'ର ବହୁତ ପସନ୍ଦ । ଫିକାରଙ୍ଗକୁ ସେ ଏତେଟା ଭଲ ପାଏନି । ଦୁଇ ଭ୍ରୂଲତା ମଝିରେ ମଧ୍ୟମ ଆକାରର ଖଇରୀରଙ୍ଗ ଆଈଟେକ୍ସ୍ କମ୍ପାନୀର ବିନ୍ଦି ଲଗାଏ । ସେ ତା'ର ଅଣ୍ଟା ତଳ ଯାଏଁ ଲମ୍ବିଥିବା କଳା ମଚ୍ ମଚ୍ ବାଳକୁ ସାମ୍ପୁକରି କେବେ କେବେ କ୍ଲିପ୍ ଲଗେଇ ତ କେବେ ପୁଣି ବେଣୀ କରି ସଜେଇଥାଏ । ଆଗପଟରୁ କେରାଏ କେଶ ସେ ନିଜେ ନିଜେ କଇଁଚିରେ କାଟି କପାଳ ଉପରେ ଝୁଲେଇରଖେ । ତା ହାତକୁ ଚୁଡ଼ି ଭାରି ମାନେ, ସେ ଏକଥା ଜାଣେ । ସେଥିପାଇଁ ସେ ସବୁବେଳେ ଶାଢ଼ି ସହ ମ୍ୟାଚିଂ କରି ଚୁଡ଼ି ପିନ୍ଧେ । ଓଠରେ ହାଲ୍କା ଲିପ୍ସ୍ଟିକ୍ ଲଗାଏ । ତା ଆଖିତଳ ଟିଅର୍ ଲାଇନ୍ ରେ କଜ୍ଵଳର ଦୁଇଟି ସରୁ ଗାର ତା ବଡ଼ ବଡ଼ ଆଖିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ । ଏମିତିରେ ତ ତା' ଭ୍ରୂଲତା ବହୁତ ସୁନ୍ଦର, ତଥାପି ସେ ସେଥିରେ ଆଇବ୍ରୋ ପେନ୍ସିଲ୍ ବ୍ୟବହାର କରି ରଙ୍ଗକୁ ଆହୁରି ଗାଢ଼ କଳା କରିଦିଏ । ତା'କୁ ଏମିତି ବେଶ ଭୂଷାରେ ଦେଖିଲେ ମୁଁ ଘଡ଼ିଏ ଯାଏଁ ତାକୁ ଅନେଇ ରହେ ।  'ତୁ ଏତେ ସୁନ୍ଦର କେମିତି ହେଲୁ?', ପଚାରିଲେ ମୁକ୍ତା ପରି ଦାନ୍ତକୁ ଦେଖେଇ ସେ ଖିଲ୍ ଖିଲ୍ ହେଇ ହସିଦିଏ ଆଉ ବଡ଼ ଗର୍ବର ସହ କହେ, "ଜାଣିଛୁ ନା , ମୁଁ କେବେ ସେ ପାର୍ଲୋର୍ ଫାର୍ଲର୍ ଯାଏନି । ହେୟାର୍ କଟ୍,ଫେସିଆଲ୍ ସବୁ ଘରେ ନିଜେ ନିଜେ କରେ । ତୋ ପିଉସା ପରା କହନ୍ତି ମୁଁ ନାଚୁରାଲ୍ ବିଉଟି " । ଏତିକି କହି ସେ ପୁଣି ହସେ । ଲାଜରେ ହସେ । ତା ମୁହଁକୁ ସେ ହସ ଖୁବ୍ ମାନେ ।  


   ସେ ଯେତେବେଳେ ଘରକୁ ଆସେ ଆମଘରର ସୌନ୍ଦର୍ଯ୍ୟ ପୂର୍ବାପେକ୍ଷା ଆହୁରି ବଢିଯାଏ । ତା'ର ଚଞ୍ଚଳତାରେ ଆମ ଘର ଆନନ୍ଦରେ ଝଲସିଉଠେ, ନାଚିଉଠେ, ଉଜ୍ଜ୍ୱଳ ଦିଶେ । ସେ ଆମ ବାପା,ଦାଦାଙ୍କ ଏକମାତ୍ର ଗେହ୍ଲା ଭଉଣୀ । ଜେଜେ, ଜେଜେମାଆଙ୍କ କୋଳ ପୋଛା ପୋଛି ଝିଅ । ଆଉ ଆମ ସମସ୍ତଙ୍କ ପ୍ରିୟ ସିନୁଅପା । ସେ ଆମ ପିଉସୀ । ଆମେ ତାକୁ କେତେବେଳେ 'ଅପା' ତ ପୁଣି କେତେବେଳେ 'ସିନୁଅପା' ଡାକୁ । ସେ ଆମ ସମସ୍ତଙ୍କୁ ଖୁବ୍ ସ୍ନେହଁ କରେ । ବାପା କହନ୍ତି ତାଙ୍କ ପିଲାଦିନେ ସିନୁଅପା କୁଆଡେ ଆମ ପରିବାରର ପ୍ରାଣକେନ୍ଦ୍ର ଥିଲା । ସେ ଯାହା କହୁଥିଲା ଘରେ ତାହା ହେଉଥିଲା । ବୋଉ ଆଉ ଖୁଡି ବୋଧେ ବାପାଙ୍କର ସେହି କଥାଟାକୁ ଏତେଟା ପସନ୍ଦ କରନ୍ତିନି । "ହଁ ତାଙ୍କୁ ତୁମେମାନେ ବେଶି ଗେହ୍ଲା କରି ଫୁଲେଇ କରିଦେଇଛ",କହି ବୋଉ ମୁହଁ ବୁଲେଇ ତାତ୍ସଲ୍ୟର ହସଟେ ହସିଦିଏ ।


   ମୁଁ ପଞ୍ଚମରେ ପଢ଼ୁଥିବା ବେଳେ ସିନୁଅପାର ବାହାଘର ହେଲା । ସେତେବେଳକୁ ଲିଟୁକୁ ଚାରିବର୍ଷ ହେଇଥିଲା ଆଉ ମୋ ଦାଦାଙ୍କ ପୁଅ ମଣ୍ଟି ଜନ୍ମ ହେଇନଥିଲା । ମୋର ମନେଅଛି ସିନୁଅପା ବାହାହେଇଗଲା ବେଳେ ଲିଟୁ କେମିତି ଅଳି କରୁଥିଲା ତା' ସାଙ୍ଗରେ ଯିବାପାଇଁ । ଲିଟୁ ଅଳ୍ପ ଅଳ୍ପ ପାଟିଲଗେଇ କଥା କହୁଥିଲା । ସିନୁଅପାକୁ 'ତିନୁପା' ଡାକୁଥିଲା । ସିନୁଅପା ଗୁଲୁଗୁଲିଆ କୁନି ଲିଟୁକୁ ସବୁବେଳେ କାଖେଇ ବୁଲୁଥିଲା । ବହୁତ ଭଲପାଉଥିଲା ତାକୁ । କହୁଥିଲା, "ମୁଁ ଶାଶୂଘରକୁ ପଳେଇଲେ ଲିଟୁ କଥା କିଏ ବୁଝିବ? ସେ ମୋର ବହୁତ ମନେ ପଡିବ" । ସିନୁଅପାକୁ କିନ୍ତୁ ଯିବାକୁ ପଡିଲା ଲିଟୁକୁ ଛାଡ଼ି, ଆମ ସମସ୍ତଙ୍କୁ ଛାଡ଼ି ।


      ସିନୁଅପାକୁ ପିଉସା ବହୁତ ଭଲପାଉଥିଲେ । ସିନୁଅପା ଆମଘରକୁ ଆସିବାର ଦୁଇଦିନ ହୋଇନଥିବ, ପିଉସା କିଛି ନା କିଛି ବାହାନା କରି ଅପାକୁ ଡକେଇ ନିଅନ୍ତି । ଗଲାବେଳେ ସିନୁଅପା ଲୁହ ଛଳ ଛଳ ଆଖିରେ ଘରୁ ବାହାରେ । ଜେଜେମାଆ ବି ଲୁଗାକାନିରେ ନିଜ ଆଖିକୁ ପୋଛି ପୋଛି ସିନୁଅପାର ଗାଡିକୁ ଗଡା଼ ପାରିହେଇ ସଡ଼କ ଉପରେ ଲୁଚିଯିବା ଯାଏଁ ଦେଖୁଥାଏ ।  

  

    ଆଗେ ଆଗେ ମାସରେ ଥରେ ଲେଖାଏଁ ସିନୁଅପା ଆମ ଘରକୁ ଚାଲିଆସୁଥିଲା । ଧିରେ ଧିରେ ତା'ର ଆସିବା କମିଗଲା । କେବଳ କାଳୀପୂଜା ଆଉ ରଜଛୁଟିରେ ହିଁ ଆସିଲା । ମଝିରେ କେବେ କେମିତି ଜେଜେମାଆର ନିର୍ଦ୍ଦେଶରେ ବାପା କି ଦାଦା ତାକୁ ଆଣିବାକୁ ଗଲେ ସେ ଆସିକି ବୁଲିକି ଚାଲିଯାଉଥିଲା ।  


   ସିନୁଅପାର ଶାଶୂଘର ବହୁତ ଧନୀ ଥିଲେ । ପିଉସା ଭଲ ସରକାରୀ ଚାକିରୀ କରୁଥିଲେ । ଅପା ଆମ ଗାଁକୁ ଆସିଲେ ତା'ର ସୁନ୍ଦର ସୁନ୍ଦର ଶାଢ଼ି ଓ ଗହଣା ଦେଖି ଗାଁର ସ୍ତ୍ରୀଲୋକମାନଙ୍କ ଆଖି ଟେରା ହେଇଯାଏ । ଖାଲି କ'ଣ ଗାଁ ସ୍ତ୍ରୀଲୋକ, ଆମ ବୋଉ ଆଉ ଖୁଡି ବି ଲୋଭିଲା ଲୋଭିଲା ଆଖିରେ ସିନୁଅପାର ଗହଣା ଗାଣ୍ଠିକୁ ଅନେଇ ରହନ୍ତି । ସିନୁଅପାର ସବୁ ଥାଇ ବି ଗୋଟିଏ ଜିନିଷରେ ଅଭାବ ଥିଲା । ବିବାହର ଅନେକ ବର୍ଷ ପରେ ବି ତା'ର କୋଳ ଶୂନ୍ୟ ଥିଲା । ତିନି - ଚାରିବର୍ଷ ସେ ସେମିତି ଏକା ଏକା ରଜରେ ବୁଲିବାକୁ ଆସିବା ଦେଖି ଗାଁରେ ଅନେକ ସ୍ତ୍ରୀଲୋକ ତା'କୁ ପଚାରିବାକୁ ଆରମ୍ଭ କଲେ , "ସିନୁ, କେବେ ଦୁଇରୁ ତିନି ହେଉଛ?, "କିଲୋ ସିନୁ, ଖୁସି ଖବର କେବେ ଦେଉଛୁ? ", "ଆଲୋ ସିନୁ ତୋ ବାହାଘର ପା ତିନି ବର୍ଷ ହେଇଗଲାଣି, ଡେରି କାହିଁକି କରୁଛୁ ? " । ଏତେ ସବୁ ପ୍ରଶ୍ନର ଉତ୍ତର ଦେଇନପାରି ସିନୁଅପା ଘରକୁ ଆସି ଲୁଚି ଲୁଚି କାନ୍ଦେ । କାଳୀପୂଜାରେ ତା'ର ସାଙ୍ଗମାନେ ଛୁଆପିଲା ଧରି ଆସନ୍ତି ଆଉ ସେମାନେ ନିଜ ନିଜ ପିଲାଙ୍କ ଜଞ୍ଜାଳ,ଦୁଷ୍ଟାମୀରେ କେମିତି ହନ୍ତସନ୍ତ ହେଉଛନ୍ତି ସେ କଥା ସିନୁଅପା ଆଗରେ ବଖାଣି ସିନୁଅପାକୁ ସେମାନଙ୍କ ଜଣାତରେ ବା ଅଜାଣତରେ ଖୁବ୍ ଆଘାତ ଦିଅନ୍ତି । ସେଥିପାଇଁ ବୋଧେ ସିନୁଅପା ତା ଶାଶୂ ବେମାରୀର ବାହାନା କରି କାଳୀପୂଜା, ରଜରେ ଗାଁକୁ ଆସିବା ବନ୍ଦ କରିଦେଲା ।  


   କିଛି ବର୍ଷପରେ ଆମେ ଶୁଣିବାକୁ ପାଇଲୁ ପିଲାଛୁଆ ହେଉନଥିବାରୁ ସିନୁଅପାର ଶାଶୂ ତାକୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଛନ୍ତି ଓ ବେଳେ ବେଳେ, "ବାଞ୍ଝ, ମୋ ଘରୁ ବାହାରିଯାଆ ", କହି ମାରିବାକୁ ବି ହାତ ଉଠାଉଛନ୍ତି । ଶୁଣିକି ବାପା, ଦାଦା ଯାଇଥିଲେ । ସିନୁଅପା ତାଙ୍କ ସାଙ୍ଗରେ ଆମ ଘରକୁ ଆସିଥିଲା । କିନ୍ତୁ ଫେରିଯିବା ପାଇଁ ବିକଳ ହେଲା । ଯୋଉ କେତେଦିନ ରହିଲା ଜେଜେମାଆ ପାଖରେ ବସି ଖାଲି କାନ୍ଦିଲା । ଲିଟୁକୁ, ମଣ୍ଟିକୁ କୁଣ୍ଢେଇଧରି ବହୁତ ଗେହ୍ଲାକଲା । ବୋଉ ଆଉ ଖୁଡିଙ୍କୁ ବି ଟିକେ ଟିକେ ଅଡୁଆ ଅଡୁଆ ଲାଗିଲା । ସେମାନେ ଅପାକୁ ପରାମର୍ଶ ଦେଲେ ଅନାଥ ଛୁଆଟେ ପୋଷ୍ୟ କରିନେବା ପାଇଁ ।  


 ଅପା ରହିବାର ଠିକ୍ ସାତଦିନ ହେଇଛି ପିଉସା ଆସିଲେ ଆଉ ଅପାକୁ ବାହାରିବା ପାଇଁ କହିଲେ । ସେଥର ଅପା ଆଉ ତା' ଶାଶୂଘରକୁ ଫେରିଲାନି । ପିଉସାଙ୍କ ସାଙ୍ଗରେ ଭୁବନେଶ୍ୱର ଚାଲିଗଲା । ପିଉସାଙ୍କୁ ସରକାରୀ କ୍ୱାର୍ଟର୍ସ୍ ମିଳିଥିଲା । ସେ ସେଠି ରହୁନଥିଲେ । ପ୍ରତିଦିନ କଟକରୁ ଭୁବନେଶ୍ୱର ଯିବା ଆସିବା କରୁଥିଲେ । ସେ କିନ୍ତୁ ଆଉ ଅପାକୁ ବାଞ୍ଝ ଡାକ ଶୁଣିବାକୁ ଦେବେନାହିଁ ବୋଲି ନିଷ୍ପତ୍ତି କରି ସେଥର ଆମ ଘରୁ ଅପାକୁ ସିଧା ତାଙ୍କ ଭୁବନେଶ୍ୱରର କ୍ୱାର୍ଟର୍ସ୍ କୁ ନେଇଗଲେ । ସେବେଠୁଁ ସିନୁଅପା ଭୁବନେଶ୍ୱରରେ ରହେ । ଛୁଟିଦେଖି ପିଉସା ତାକୁ ତା ଶାଶୂଘରକୁ ବୁଲାଇ ଆଣନ୍ତି । କିନ୍ତୁ ଦୀର୍ଘଦିନ ସେଠି ରହିବାକୁ ଛାଡ଼ିଦିଅନ୍ତିନି । ଆମ ଘରକୁ ବି ସେମିତି କେବଳ ସେହି ଦିନକ ପାଇଁ ବୁଲିବାକୁ ଆସେ ।  


  ଆମେ ସବୁବେଳେ ଶୁଣୁଥିଲୁ ସିନୁଅପାର ଚିକିତ୍ସା ଚାଲିଛି । ଡାକ୍ତର କହୁଛନ୍ତି ଚିକିତ୍ସାରେ ରହିଲେ ପିଲାହେବ । ମୋ ଜେଜେ, ଜେଜେମାଆ ଚାହିଁବସନ୍ତି କେବେ ଅଜା, ଆଈ ଡାକ ଶୁଣିବେ । ଚାହୁଁ ଚାହୁଁ ଗୁଡ଼ାଏ ବର୍ଷ ବିତିଗଲା କିନ୍ତୁ ସିନୁଅପାର କୋଳ ପୂର୍ଣ୍ଣ ହେଇପାରିଲାନି । ମୁଁ ମାଟ୍ରିକ୍ ପରୀକ୍ଷା ଦେବା ବର୍ଷ ଲିଜାଅପାର ବାହାଘର ହେଲା । ଲିଜାଅପା ମୋ ସାନଜେଜେଙ୍କ ଝିଅ । ସେମାନେ ଯାଇଥିଲେ ସିନୁଅପାକୁ ଆଣିବା ପାଇଁ । ସିନୁଅପା ଆସିପାରିଲାନି । ଶୁଣିଥିଲି ସେ କାଳେ ପ୍ରେଗ୍ନାଣ୍ଟ୍ ଥିଲା । ମୋ ଜେଜେମାଆ ବହୁତ ଫୁର୍ତ୍ତି ରହୁଥିଲା ଖବରଟି ଶୁଣି । ସିନୁଅପାକୁ ସବୁବେଳେ ଫୋନ୍ କରି ବିଭିନ୍ନ ଉପଦେଶ ଦେଉଥିଲା । ଦିନେ ମୁଁ ଟ୍ୟୁସନ୍ ରୁ ଫେରି ଦେଖିଲି ଜେଜେମାଆ ଲ୍ୟାଣ୍ଡଫୋନ୍ ର ରିସିଭରଟା ଧରି ଭୋ ଭୋ ହେଇ କାନ୍ଦୁଛି । ସେତେବେଳେ ଏତିକି ବୁଝିଥିଲି, ଯୋଉ ନାତି କିମ୍ବା ନାତୁଣୀଟି ଆସି ଜେଜେମାଆକୁ ଆଈ ଡାକିଥାନ୍ତା ସେ ଆଉ କେବେ ବି ଆସିବନି ।  


   ସେହି ଘଟଣା ପରେ ସିନୁଅପା ଢେର ଦିନଯାଏଁ ଆଉ ଆମଘରକୁ ଆସିଲାନାହିଁ । ମୁଁ ଦଶମ ପରେ ଭୁବନେଶ୍ୱର ଗଲି ପ୍ଲସ୍ ଟୁ ପଢିବାକୁ । ଛୁଟିଦିନ ମାନଙ୍କରେ ପିଉସା ହଷ୍ଟେଲ୍ ଆସି ମୋତେ ତାଙ୍କ କ୍ୱାର୍ଟର୍ସକୁ ନେଇଯାଆନ୍ତି । ଅପାକୁ ତ ମୁଁ ପିଲାବେଳୁ 'ତୁ' ହିଁ ସମ୍ବୋଧନ କରେ ଯେମିତି ସେ ମୋର ଜଣେ ବଡ଼ ଭଉଣୀ ଅବା ମାଆ । ପିଉସୀ ଆଉ କ'ଣ କି ? ମୁଁ ତା' ଭିତରେ କେବେ କେବେ ବଡ଼ଭଉଣୀ ଆଉ କେବେ ମାଆଟିଏକୁ ହିଁ ଦେଖେ । ମୁଁ କଲେଜରେ ପଢିବା ଦିନଠୁଁ ସେ ମୋର ଭଲ ବନ୍ଧୁଟେ ବି ହେଇଯାଇଥିଲା । ମୁଁ ତାଙ୍କ ଘରକୁ ଗଲେ ସେ ମୋ ପାଇଁ ବଢିଆ ବଢିଆ ଖାଇବା ରାନ୍ଧି ପରସି ଦେଉଥିଲା । ମୋ ସହ ବହୁତ ଗପୁଥିଲା । ତା କଲେଜ୍ ଟାଇମର ଲଭ୍ ଷ୍ଟୋରୀ ବି ମୋତେ ଶୁଣାଉଥିଲା । ତା ପଛରେ କେମିତି ପୁଅମାନେ ଲାଇନ୍ ଲଗେଇଥିଲେ ସେ କଥା କହିଲାବେଳେ ସେ ମୋତେ ଛୋଟ କିଶୋରୀ ଝିଅଟେ ଭଳି ଦିଶୁଥିଲା ।  


    ସିନୁଅପା ବାହାଘରକୁ ବାରବର୍ଷ ହେଇଗଲା । ସମସ୍ତେ କୁହାକୁହି ହେଉଥିଲେ, 'ସିନୁଟା ବାଂଝ' । ଆହୁରି କେତେଜଣ ବି ତା ନାଁରେ ଖୁବ୍ ଅଶ୍ଳୀଳ କଥା କହୁଥିଲେ ଯେମିତିକି, ସେ ବିବାହ ଆଗରୁ ଅନେକ ଖରାପ କାମ କରି ପିଲା ନଷ୍ଟ କରିଥିବାରୁ ବନ୍ଧ୍ୟା ହେଇଗଲା । କେହି କେହି ତ କହୁଥିଲେ ବିବାହ ଆଗରୁ ସିନୁଅପା ଗର୍ଭନିରୋଧକ ବଟିକା କିଣିବାର ସେମାନେ ଦେଖିଛନ୍ତି । ଆମେ କିନ୍ତୁ ଜାଣିଥିଲୁ ସତଟା କ'ଣ । ଆମ ଅପାର ଅପୂର୍ଵ ସୌନ୍ଦର୍ଯ୍ୟପ୍ରତି ସେମାନଙ୍କର ଇର୍ଷା ଯେ ସେମାନଙ୍କୁ ଏମିତି ସବୁ କହିବାକୁ ବାଧ୍ୟକରେ ଆମେ ଠିକ୍ ବୁଝିଥିଲୁ ।  


 ସିନୁଅପା ଯେ ଆଉ କେବେ ମାଆ ହେଇପାରିବ ଏ ଆଶା ଆମ ଘରେ ସମସ୍ତେ ଛାଡ଼ିଦେଇଥିବା ବେଳେ ଜେଜେମାଆର ପ୍ରଗାଢ଼ ବିଶ୍ୱାସ ଥିଲା ତା ତାରିଣୀ ଠାକୁରାଣୀଙ୍କ ଉପରେ, ବାଟ ମଙ୍ଗଳା ଆଉ ଜାଗୁଳାଇଙ୍କ ଉପରେ । ସେ ଅପାକୁ ସବୁବେଳେ କହୁଥିଲା, "ବାରବର୍ଷ କ'ଣ ବହୁତ ବେଶି ହେଇଗଲା ? କୋଡିଏ -ଏକୋଇଶରେ ବାହାହେଇଥିଲୁ ତୁ , କେତେ ଏମିତି ବୟସ ହେଇଯାଇଛି କି ତୋର ? ତୋ ବୟସର ଝିଅ ପା ଆହୁରି ବାହାହେଇ ନଥିବେ । ଆମ ବେଳେ ତ ଝିଅମାନେ ବାହାହେଇ ଶାଶୂଘରକୁ ଆସିବାର ଚଉଦ ପନ୍ଦର ବର୍ଷଯାଏଁ ଛୁଆଜନ୍ମ କରୁଥିଲେ । କାହାର ଆଠ ତ କାହାର ଦଶ/ବାର । ମୋ ନିଜ ମାଉସୀର ପରା ଛୁଆ ହେଉନଥିଲା । ଅଠରବର୍ଷ ପରେ ବୁଢ଼ୀକାଳରେ ତା'ର ପୁଅଟେ ହେଇଥିଲା । ଜାଣିଛୁ ମୋ ମାଉସୀପୁଅ ଭାଇ ତୋ ବଡ଼ଭାଇ ସାଙ୍ଗରେ, ମାନେ ମାମୁଁ, ଭଣଜା ଏକା ବୟସର । ତୁ ଜମା ବ୍ୟସ୍ତ ହୋନା । ଦେଖିବୁ ମାଆ ତାରିଣୀ ତୋ କୋଳ ନିଶ୍ଚେ ପୂର୍ଣ୍ଣ କରିବେ । "


    ମୁଁ ପୋଷ୍ଟ୍ ଗ୍ରାଜୁଏସନ୍ ସରିଲାବେଳକୁ ସୌରଭଙ୍କ ଘରଲୋକ ପ୍ରସ୍ତାବ ନେଇ ଆମଘରକୁ ଆସିଲେ । ଆମେ ଦୁହେଁ ତ ପରସ୍ପରକୁ ପସନ୍ଦ କରି ସାରିଥିଲୁ, ଘରଲୋକମାନେ ବି ଆପତ୍ତି କଲେ ନାହିଁ । ସମସ୍ତଙ୍କ ସହମତିରେ ଆମ ବାହାଘର ହେଇଗଲା । ସିନୁଅପା ଆସିଥିଲା । ମୋ ବାହାଘରରେ ସେ ମୋ ଠାରୁ ବି ଅଧିକ ସୁନ୍ଦରୀ ଦିଶୁଥିଲା । ବାହାଘରଦିନ ମୁଁ ଏତିକି କଥା ତା କାନରେ କହିଦେଲି ଯେ ସେ ଲାଜେଇ ଯାଇ ହସିଦେଲା ଆଉ 'ପାଗିଳୀଟା' କହି ମୋ ମୁଣ୍ଡକୁ ଆଉଁସି ପକେଇଲା ।  


  ଆମ ବାହାଘରର ତିନିବର୍ଷ ପରେ ମୁଁ ଯେତେବେଳେ ମୋ ଭିତରେ ଛୋଟଗୋଟେ ଜୀବନର ସତ୍ତାକୁ ଅନୁଭବ କଲି ଖୁସିରେ ମୋ ଆଖି ଚିକମିକ୍ ହେଇଉଠିଥିଲା । କିନ୍ତୁ କାହିଁକି କେଜାଣି ପରେ ପରେ ସିନୁଅପାର ଶୂନ୍ୟକୋଳ ହିଁ ଖାଲି ମୋ ମନକୁ ଆସିଲା । ସେ ଗାଁକୁ ଆସିଲେ ଛୁଆଟେ ପାଇଁ କେମିତି ବିକଳ ହେଇ କାନ୍ଦେ ସେହିକଥା ମୋ ଆଖି ଆଗରେ ନାଚିଗଲା । ଯଦିଓ ଆମେ ଗୋଟିଏ ସହରରେ ରହୁଥିଲୁ କିନ୍ତୁ ମୁଁ ମୋ ପ୍ରେଗ୍ନାନ୍ସି କଥା ତାକୁ ଜଣେଇବାକୁ ସାହସ କରିପାରୁନଥିଲି । ସେ କିନ୍ତୁ କେମିତି କେଜାଣି ଖବରଟା ଶୁଣି ମୋ ପାଖକୁ ଧାଇଁଆସିଲା । ମୋ ମନପସନ୍ଦର ଗୁଡ଼ାଏ ଖାଇବା ଜିନିଷ ପ୍ରସ୍ତୁତକରି ଆଣିଥିଲା । ମୋ ପାଟିରେ ମିଠାଟେ ଦେଉ ଦେଉ କହିଲା, "ମୋ ନାତିଟୋକା ଆସିଯାଉ, ତା'ରି ସହ ହସି ଖେଳି ସବୁ ସମୟ ବିତେଇଦେବି । "


"ଅପା, ତୁ କେମିତି ଜାଣିଲୁ ନାତି କି ନାତୁଣୀ? ",ମୁଁ ପଚାରିଲି ।  

"ବାହା ହେଇନି ବୋଲି କ'ଣ ବରଯାତ୍ରୀ ଯାଇନି ", ସେ ସେତିକି କହିଦେଇ ଖୁବ୍ ଗମ୍ଭୀର ହେଇଯିବାପରି ମୁଁ ଲକ୍ଷ କଲି । ସିନୁଅପାର କଥାକୁ ସତ୍ୟ ପ୍ରମାଣିତ କରି ସାର୍ଥକ୍ ଆମ ଜୀବନରେ ଆସିଲା । ତା'ର ଏକୋଇଶାରେ ସିନୁଅପା ଆଉ ପିଉସା ବି ଆସିଥିଲେ । ସିନୁଅପା ସାର୍ଥକକୁ ଧରିଥିଲା । ଛୁଆଙ୍କୁ କୋମଳତାର ସହ ଧରିବା, କାନ୍ଦୁଥିଲେ ଚୁପ୍ କରେଇବା, ତାଙ୍କୁ ହସେଇବା, ଖେଳେଇବା କଳାରେ ମୋ ଅପା ଥିଲା ନିପୁଣା । ସେ ଆସିଲା ବେଳଠୁଁ କୁନି ସାର୍ଥକକୁ ନିଜ ପାଖରୁ ଛାଡ଼ୁନଥିଲା । ମୋ ବୋଉ ଆଉ ମୋ ଶାଶୂ ଚୁପଚାପ୍ କ'ଣ କଥାବାର୍ତ୍ତା ହେଉଥିଲେ । ମୁଁ ଅନୁମାନ କରିନେଲି ସେମାନେ ସିନୁଅପା ବିଷୟରେ ହିଁ କଥା ହେଉଛନ୍ତି । ମୋତେ ବଡ଼ ବିରକ୍ତ ଲାଗିଲା ।


   ମୁଁ କିଛିଦିନ ପାଇଁ ସାର୍ଥକକୁ ନେଇ ଆମଘରକୁ ଆସିଲି । ଅନେକ ଦିନପରେ ସିନୁଅପା ବି କିଛିଦିନ ପାଇଁ ଗାଁକୁ ଚାଲିଆସିଲା । ମୁଁ ଜାଣିପାରୁଥିଲି କେବଳ ସାର୍ଥକର ମୋହରେ ସେ ପିଉସାଙ୍କୁ ଏକା ଛାଡ଼ି ଗାଁକୁ ଆସିଛି । ପିଉସା ବି ସେଥର ତାକୁ ଫେରିଯିବାପାଇଁ ଫୋନ୍ କରି ଏତେଟା ଡାକୁନଥିଲେ । ଜେଜେମାଆ ଅଣନାତିକୁ ଦେଖି ବହୁତ ବେଶି ଖୁସି ହେଉଥିଲା କିନ୍ତୁ ସିନୁଅପାକୁ ଏକୁଟିଆ ପାଇଲେ କହୁଥିଲା, " କୋଉଠି ଛୁଆଟେ ନହେଲେ ଦେଖୁନ, ଗୋଟେ ପାଳିଲେ ପରକୁ ପର ବାଦରେ ହୁଏ । ହଁଲୋ ହୁଏ, ବହୁତ ଲୋକଙ୍କର ଏମିତି ହେଇଛି । " ଅପା କିଛି ନକହି ଚୁପଚାପ ବସିରହୁଥିଲା । ସେତିକିବେଳେ କାହିଁକି କେଜାଣି ମୋତେ ଦୋଷୀ ଦୋଷୀ ଲାଗୁଥିଲା । ମୁଁ ସିନୁଅପା କିମ୍ବା ଜେଜେମାଆ ଆଗରେ ମୋ ତିନିମାସର ସାର୍ଥକକୁ ଗେହ୍ଲାକରିବାକୁ ବି କୁଣ୍ଠାବୋଧ କରୁଥିଲି । ବୋଉ କିନ୍ତୁ ତା ନାତିକୁ ଖୁବ୍ ଗେହ୍ଲ କରୁଥିଲା । ସିନୁଅପା ସାର୍ଥକ୍ ର ଯତ୍ନନେଲାବେଳେ ବୋଉ ମନକୁ ସେସବୁ ପାଉନଥିଲା । ସେ ସିନୁଅପାକୁ ବତେଇ ଦେଉଥିଲା -ଏଇଟା ଏମିତି କର, ସେଇଟା ସେମିତି କରନ୍ତି, ଅମୁକ କଲେ ସମୁକ ହେବ ଇତ୍ୟାଦି ଇତ୍ୟାଦି ।  ମୁଁ ଦେଖୁଥିଲି ବୋଉ ଭିତରେ ଭିତରେ ଚିଡଚିଡ୍ ହେଉଛି । ମୁଁ ବୋଉ ଉପରେ ରାଗୁଥିଲି ତା'ର ଏମିତି ସ୍ଵଭାଵ ପାଇଁ ।  


 ମୁଁ ଜବ୍ ପାଇଁ ଆପ୍ଲାଇ କରିଥିଲି । ସିଲେକ୍ଟ୍ ହେଇ ଚାକିରୀରେ ଜଏନ୍ କରିସାରିଥିଲି । ପୋଷ୍ଟାଲ୍ ଚାକିରୀ, ତା ସହ ସାର୍ଥକର ଦାୟିତ୍ୱ, ଘରକାମ ଏସବୁ ଭିତରେ ମୁଁ ବହୁତ ବ୍ୟସ୍ତ ରହୁଥିଲି । ସିନୁଅପା ପାଖକୁ ଏତେଟା ଯାଇପାରୁନଥିଲି ।  ସେ ବି ଧିରେ ଧିରେ ଆସିବା କମେଇ ଦେଇଥିଲା । ଏମିତି ଏମିତିରେ ଗୁଡ଼ାଏ ଦିନ ବିତିଯାଇଥିଲା ଓ ସାର୍ଥକ୍ ନୂଆ ନୂଆ ସ୍କୁଲ୍ ଯିବା ଆରମ୍ଭ କରିଦେଇଥିଲା । ଗୋଟେ ରବିବାର ସିନୁଅପାର ଘରକୁ ଯିବାପାଇଁ ମନସ୍ତକରି ତା'କୁ ଫୋନ୍ ଲଗେଇଲି । ସେ ତା ଶାଶୂଘରକୁ ଯାଇଛି ବୋଲି କହିଲା । ତା ଶାଶୂ ଚାଲିଯାଇଥିଲେ । ପନ୍ଦରଦିନ ପରେ ସେ ଫେରିବା କଥା ଜଣେଇଲା । ନାତି କି ନାତୁଣୀଟେର ମୁହଁ ଦେଖିବାକୁ ଅପେକ୍ଷା କରି କରି ବିଚାରୀ ସିନୁଅପାର ଶାଶୂ ଆଖି ବୁଜିଦେଲେ । ସିନୁଅପାର ଶ୍ବଶୁର ଆଗରୁ ଚାଲିଯାଇଥିଲେ । ଶାଶୂ ବି ଚାଲିଗଲେ । ଅପାର କଥାରୁ କିନ୍ତୁ ସେ ଅବିଚଳିତ ଲାଗୁଥିଲା । ସେଥର ସେ ତା ଶାଶୂଙ୍କ କାମସାରି ଫେରିଆସିବା ପରେ ଶାଶୂଘର ଗାଁକୁ ଆଉ ଆଦୌ ଗଲାନାହିଁ । ଶାଶୂଘର ଗାଁର ବିରାଟ ଘର ଆଉ ଧନ ସମ୍ପତ୍ତି ସବୁ ତା ଶାଶୂଙ୍କ ପୁତୁରା, ମାନେ ପିଉସାଙ୍କ ମାମୁଁଙ୍କ ପୁଅ ବୁଝାବୁଝି କରୁଛନ୍ତି ବୋଲି ସେ କହୁଥିଲା ।  


  ଦିନେ ସିନୁଅପା ଆମଘରକୁ ଆସିଥିଲା । ସେ ଡ୍ରଇଂରୁମ୍ ରେ ବସି ସାର୍ଥକଠୁ ଇଂରାଜୀ ରାଇମ୍ ଶୁଣୁଥିଲା ବେଳେ ସୌରଭ ଯାଇ ସେମାନଙ୍କ ପାଖରେ ବସିଲେ ଓ ସିନୁଅପାକୁ କହିଲେ ତାଙ୍କ ଅଫିସ୍ ର ଲେଙ୍କାବାବୁ ଗୋଟେ ଲୋକକୁ ଜାଣନ୍ତି ଯିଏ ନିଃସନ୍ତାନ ଦମ୍ପତିଙ୍କୁ ପିଲା ଆଡପ୍ସନ୍ ରେ ସାହାଯ୍ୟକରନ୍ତି । ତାଙ୍କ ସହ କଣ୍ଟାକ୍ଟ୍ କରିବାକୁ ସେ ଅପାକୁ କହୁଥିଲେ ସାର୍ଥକ୍ ବଡ଼ପାଟି କରି କହିଲା, "ତିନୁ ଆଈ, ତିନୁ ଆଈ ମୁଁ ଆଉ ଗୋତେ ଲାଇମ୍ କଇବି । ପାପା ତୁମେ ପାତି କଲନି ଏଥି " । ମୁଁ ଦୂରରୁ ଥାଇ ଶୁଣୁଥିଲି,ଦେଖୁଥିଲି । ସାର୍ଥକର 'ଆଈ' ଡାକରେ ସିନୁଅପାର ମୁହଁର ଭାବ କେମିତି ପରିବର୍ତ୍ତିତ ହେଇଗଲା ପରି ମୁଁ ଅନୁଭବ କଲି । ସୌରଭଙ୍କୁ ବୋଧେ ସେମିତି କିଛି ଅନୁଭବ ହେଲା, ସେ ସେଠୁ ଉଠି ଚାଲିଆସିଲେ । ସୌରଭଙ୍କ ସମେତ ଆମ ବନ୍ଧୁ ବାନ୍ଧବ ଓ ପରିବାର, ପରିଜନ ସମସ୍ତଙ୍କର ଚିନ୍ତାର ବିଷୟ ଏୟା ଥିଲା ଯେ - ସିନୁଅପା ଓ ପିଉସାଙ୍କର ଏତେ ସବୁ ଧନ ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ ?


  ପିଲାଛୁଆ ନଥାଇ ବି ଅପା ଓ ପିଉସାଙ୍କ ଦାମ୍ପତ୍ୟ ଜୀବନ ଖୁବ୍ ସୁନ୍ଦର, ସ୍ୱଚ୍ଛନ୍ଦ୍ୟ ଥିଲା । ଉଭୟଙ୍କ ମଧ୍ୟରେ ଅତୁଟ ଭଲପାଇବା ଥିଲା । ଅପା କେବେ କହିବା ଆମେ ଶୁଣିନୁ ଯେ ପିଉସା ଛୁଆଟେ ପାଇଁ ତାକୁ କିଛି ଗାଳିମନ୍ଦ କରିଛନ୍ତି ବା ଚାପ ପକେଇଛନ୍ତି । ବରଂ ସନ୍ତାନ ନରହିବାର ଭଲଦିଗ ଗୁଡ଼ାଏ ପିଉସା ଅପାକୁ ବୁଝାଇ କହନ୍ତି ବୋଲି ଅପା ଅନେକଦିନ ତଳେ ମୋତେ କହିଥିବାର ମୋର ଏବେବି ମନେ ଅଛି ।   


  ସିନୁଅପାର ଛୁଆକୁ କୋଳରେ ଧରିପାରିବ ବୋଲି ଏକମାତ୍ର ଆଶାବାଦୀ ମଣିଷଟି ବି ଦୁନିଆଁରୁ ବିଦାୟ ନେଇଗଲା । ଜେଜେମାଆ ପରେ ଆଉ କେହିନଥିଲେ ଅପାକୁ ଛୁଆହେବାର ଉପାୟ ବତେଇବା ପାଇଁ । ଅପାର ପିଲାଜନ୍ମ କରିବା ବୟସ ବି ଗଡି ଯାଉଥିଲା । ତା'ର ସୌନ୍ଦର୍ଯ୍ୟ ସିନା ଫିକା ପଡୁନଥିଲା, କିନ୍ତୁ ସେ ସତରେ ପ୍ରୌଢ଼ତ୍ବର ପ୍ରଥମ ପାହାଚରେ ପାଦ ଦେଇସାରିଥିଲା ।  


 ଦିନ ପରେ ଦିନ ଗଡି ଚାଲିଥିଲା । ସାର୍ଥକର ଆଉ ପାଟି ଲାଗୁନଥିଲା । ସେ ସିନୁଅପାକୁ 'ସିନୁଆଈ' ଡାକୁଥିଲା । ପିଉସାଙ୍କ ରିଟାଏର୍ଡମେଣ୍ଟ୍ ସମୟ ବି ପାଖେଇ ଆସୁଥିଲା । ଦିନେ ମୁଁ ଅଫିସ୍ ରେ ଯାଇ ପହଞ୍ଚିଛି କି ନାହିଁ ବୋଉ ଫୋନ୍ କଲା ।  


--ମିଟି, ଶୁଣିଛୁ ନାଁ ? 


--କୋଉକଥା ବୋଉ ? 


--ତୋ ପିଉସାଙ୍କ କଥା ।


--ପିଉସାଙ୍କର କ'ଣ ହେଲା ବୋଉ ? 


--ତୁ ଟିକେ ସୌରଭଙ୍କୁ କହତ ଯିବେ । ତୋ ବାପା ଆଉ ଦାଦା ବାହାରିଗଲେଣି ।


--କ'ଣ ହେଇଛି ତୁ କହୁନୁ ବୋଉ ? 


"ମୁଁ ବେଶି କିଛି ଜାଣିନିଲୋ । ତୁ ସୌରଭଙ୍କୁ ଫୋନ୍ କରି କହ ଟିକେ ଯାଆନ୍ତୁ । ",ବୋଉ ବ୍ୟସ୍ତ ହେଇ କହୁଥିଲା । ତା ସ୍ୱର କାନ୍ଦୁରା କାନ୍ଦୁରା ଶୁଭୁଥିଲା । ମୁଁ ବି ବ୍ୟସ୍ତହେଇ ସେଦିନ ଅଫିସରେ ଦରଖାସ୍ତ ଥୋଇଦେଇ ଘରକୁ ଚାଲିଆସିଲି । ମୁଁ କହିବା ଆଗରୁ ସୌରଭ ଖବର ପାଇଯାଇଥିଲେ । ମୋତେ ସେ ସାଙ୍ଗରେ ନେବାକୁ ରାଜିହେଉନଥିଲେ । ମୁଁ ଜିଦିକରି ଗଲି । ଆମେ ଗଲାବେଳକୁ ପିଉସାଙ୍କ ଲାସ୍ କୁ ପୋଷ୍ଟମର୍ଟମ୍ ପାଇଁ ନେବାକୁ ଆମ୍ବୁଲାନ୍ସ୍ ରେ ରଖାସରିଥିଲା । ସିନୁଅପା ସେମିତି ବେଡ୍ ଉପରେ ମଶାରୀ ଭିତରେ ବସିଥିଲା । ଆଖିରୁ ତା'ର ଟୋପାଏ ବି ଲୁହ ଖସୁନଥିଲା ।  


 ତାଙ୍କ କାମବାଲୀଠାରୁ ଶୁଣିଲୁ, ସକାଳୁ ଆସି କଲିଂବେଲ୍ ଚିପି ଚିପି କବାଟ ବାଡେଇ ବାଡେଇ ଯେତେବେଳେ କେହି ଶୁଣିଲେନାହିଁ ସେତେବେଳେ ସେ ଅପା ନମ୍ବର୍ ରେ ଫୋନ୍ କଲା । ବହୁତଥର ରିଙ୍ଗ୍ ଗଲାପରେ ବି ଅପା ଉଠେଇଲା ନାହିଁ । ଏକଦମ୍ ସକାଳୁ ଉଠୁଥିବା ଅପା କାହିଁକି ଦିନ ନଅଟା ଯାଏଁ ଶୋଇଛି ବୋଲି ତାଙ୍କ ମେଡ୍ ର ସନ୍ଦେହ ହେଲା । ପଡିଶାଲୋକଙ୍କୁ ଡାକି କବାଟ ତାଡି ଭିତରକୁ ପଶିଲାରୁ ଏମିତି ଦୃଶ୍ୟ ସେମାନେ ଦେଖିଲେ- ପିଉସାଙ୍କ ଦେହ ପୁରା ଲାଠି ହେଇଯାଇଛି, ପାଟିରୁ ଗଡିଆସି ଶୁଖିଯାଇଥିବା ଲାଳ ଉପରେ ଗୋଟେ ଦୁଇଟା ନାଲି ମଲାପିମ୍ପୁଡି ଲାଖିଥିବା ପରି ଦିଶୁଛି ଆଉ ମଶାରୀ ଭିତରେ ସେହି ମୃତଦେହଟାକୁ ଜାବୁଡିଧରି ସିନୁଅପା ଶୋଇଛି ।  


   ପିଉସାଙ୍କର ମୃତ୍ୟୁ ପୟଜନିଙ୍ଗ୍ କାରଣରୁ ହେଇଥିଲା । ରୋଷେଇ ଘରେ ବିଷମିଶା ଗୁଡ଼ଖିରିର କଡେଇକୁ ଚାଟି କାଳି ବିଲେଇଟା ବି ମରିପଡିଥିଲା । ପିଉସା ନଡ଼ିଆ ଆଉ ଗୁଡର ଖିରିକୁ ବହୁତ ଭଲ ପାଆନ୍ତି । ଅପା ପ୍ରାୟ ସମୟରେ ପିଉସାଙ୍କ ପାଇଁ ବନାଏ । ନିଜେ ଖାଏନି, ସେ ଖିରି କଳା ଦେଖାଯାଏ ବୋଲି । ସେ ପ୍ରାୟ କଳା ଜିନିଷ ଖାଇନି । କଳାମାଛକୁ ବି ତା'ର ଭାରି ଘୃଣା ।  


   ପିଉସା ଜଣେ ଦକ୍ଷ ସରକାରୀ କର୍ମଚାରୀ ଥିଲେ । ତାଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଥିଲା । ପୁଲିସ୍ ତଦନ୍ତରୁ ଜଣାଗଲା ପିଉସାଙ୍କ ମୃତ୍ୟୁ ପୂର୍ବଦିନ ସକାଳୁ ତାଙ୍କ ଘରପାଖ କେମିଷ୍ଟ୍ ଦୋକାନରୁ ସିନୁଅପା ଗୋଟେ ମୂଷାମରା ଔଷଧ କିଣିଥିଲା । ସି.ସି ଟିଭି ଫୁଟେଜ୍ ରୁ ପ୍ରମାଣ ମିଳିଗଲା । ମୋ ପ୍ରିୟ ସିନୁଅପା ଦୋଷି ସାବ୍ୟସ୍ତ ହେଇ ଜେଲ୍ ଗଲା । ସେଠୁ ମେଣ୍ଟାଲ୍ ହସ୍ପିଟାଲ୍ । ଏବେ ସେଇଠି ଅଛି । ଆମେ କେବେ ଦେଖା କରିବାକୁ ଗଲେ ଆମକୁ ଚିହ୍ନେନି । ଯେତେ କଥା କହିଲେ ବି ପଦେ କିଛି କହେନି । ଧଳା ସଫା ଶାଢିଟେ ପିନ୍ଧିଥାଏ । କପାଳ ଉପରେ ଆଉ କଳା ମୁଚମୁଚ୍ କେଶ କେରାଏ ଝୁଲୁନଥାଏ, ଦୁଇ ଭ୍ରୂଲତା ମଝିରେ ଇଞ୍ଚକର ଶୂନ୍ୟତା ତାକୁ ବଡ଼ ନିଷ୍ଠୁର କରିଦେଲା ପରି ଲାଗେ । ତା' ହାତ, ଓଠ, ନାକ, କାନ ସବୁ ଖାଲି ଖାଲି, ଫାଙ୍କାଳିଆ ଦିଶେ । ମୁଁ ନିଜକୁ ନିଜେ ପ୍ରଶ୍ନ କରେ , "ଗାଢ଼ ରଙ୍ଗକୁ ଏତେ ଭଲ ପାଉଥିବା ଲୋକଟା ତା ନିଜ ଜୀବନରୁ ସବୁତକ ରଙ୍ଗକୁ ନିଜେ ଧୋଇ ସଫା କରି ଶୂନ୍ୟ କରିଦେଲା କାହିଁକି ? " । ଉତ୍ତର ପାଏନି । ଯିଏ କହିପାରନ୍ତା ସେ ତ ନୀରବ, ସଠିକ୍ ଉତ୍ତର ଦେବ କିଏ ? 


   ରବିବାର ଅପରାହ୍ନ, ବର୍ଷା ଢାଳୁଥିଲା । ମୁଁ ଆମ ଘରେ ଥିଲି । ତିନିଦିନ ଲାଗଲାଗ ଛୁଟିଥିଲା । ଗାଁରେ ବି କାଳୀପୂଜା । ପୁଅକୁ ନେଇ ବୁଲିବାକୁ ଚାଲିଆସିଥିଲି । ହଠାତ୍ କରେଣ୍ଟ୍ ପଳେଇଲା । ଅଦିନିଆଁ ଘଡଘଡି ବର୍ଷାସାଙ୍ଗକୁ ଘରସାରା ଅନ୍ଧାର । ଗାଁରେ ସମସ୍ତେ ଇନଭର୍ଟର୍ ଲଗେଇସାରିଲେଣି କେବଳ ଆମ ଘରକୁ ଛାଡ଼ି । ବୋଉ ମୋତେ କହିଲା, "ତୋ ମୋବାଇଲ୍ ଟର୍ଚ୍ଚଟା ମାରି ଗଲୁ ଜେଜେମାଆର କାଠ ଆଲମାରୀ ଭିତରୁ ଇମରଜେନ୍ସି ଲାଇଟ୍ ଟା ଥିବା କାଢି ଆଣିବୁ । ମୁଁ ଗଲି । ବହୁତ ଖୋଜିଲି । ଲାଇଟ୍ ପାଇଲିନି । ବୋଧେ ସେଠି ନଥିଲା । ଲାଇଟ୍ ସିନା ପାଇଲିନି, ଆଉ ଗୋଟେ ଜିନିଷ ମୋ ହାତରେ ପଡିଲା । ସେଇଟାକୁ ଖୋଲି ପଢୁଥିଲି, ବୋଉ ଚାଲିଆସିଲା । କରେଣ୍ଟ୍ ବି ଆସିଯାଇଥିଲା ।


--ବୋଉ ସିନୁଅପାର ରିପୋର୍ଟ୍ କ'ଣ ଏଠି ? 


--ହଁ ସେ ଆଣିକି ଆସିଥିଲେ ।


--କେବେ ? 


--ଡେଟ୍ ଦେଖୁନୁ, ବହୁତ ଦିନ ତଳେ ।  


--ସେ ବନ୍ଧ୍ୟା ନଥିଲା, ବରଂ ପିଉସା... ମୋତେ ତ ଏକଥା କେହି କହିନ ? ସେ ଏ ରିପୋର୍ଟ୍ ଏଠିକି କାହିଁକି ଆଣିଥିଲା ? କ'ଣ ଚାହୁଁଥିଲା ସେ ? 


--ତୋ ପିଉସାଙ୍କ ଠାରୁ ଡିଭୋର୍ସ୍ । ତୋ ବାପା, ଦାଦା ଶୁଣିକି ବହୁତ ରାଗିଲେ । ସିନୁ ଏଠି ତାଙ୍କ ରିପୋର୍ଟ୍ ଫୋପାଡ଼ି ଦେଇ ଚାଲିଯାଇଥିଲେ, ତୋ ଜେଜେମାଆ ଏଇ ଆଲମିରାରେ ଲୁଚେଇ ରଖିଥିଲେ ।


--ଆଉ ଲିଜାଅପା ବାହାଘର ବେଳକୁ ତା'ର ଯେଉଁ ପ୍ରେଗ୍ନାନ୍ସି ଥିଲା ? 


--ମୁଁ ସେକଥା କହିପାରିବିନି ଠିକରେ । ସେ କଥା ସତ ଥିଲା କି ମିଛ ସିନୁ ହିଁ ଜାଣିଥିବେ । ହଁ ଯଦି ଆଈ.ଭି.ଏଫ୍ ମାଧ୍ୟମରେ ଆଉ କାହାର ଶୂକ୍ରାଣୁ ଦ୍ୱାରା କରେଇଥିବେ ହେଇଥିବ । ମୋତେ ଲାଗୁଚି ଯଦି ହେଇଥିବ ତୋ ପିଉସା ବୋଧେ ପଛରେ ଜୋରକରି ନଷ୍ଟ କରେଇଦେଇଥିବେ ଆଉ କାହାର ରକ୍ତକୁ ନିଜ ସ୍ତ୍ରୀର ଗର୍ଭରେ ବଢିବାର ଦେଖି ଅସହିଷ୍ଣୁ ହେଇକି ।  


--ଏମିତି କ'ଣ କରିପାରିଥିବେ ପିଉସା ? 


--ହଁ ଲୋ ଏମିତି ବହୁତ ଲୋକ ଅଛନ୍ତି । ପ୍ରଥମେ ରାଜି ହେଇଯାଆନ୍ତି ପରେ ପର ଛୁଆ କହି ମୁହଁ ବୁଲେଇ ନିଅନ୍ତି । ହଉ ଛାଡ୍ ସେ କଥା । ତୁ ଗଲୁ ସାର୍ଥକକୁ ଖୁଏଇବୁ । ସେ ଟୋକା ନିଜେ ନିଜେ ଖାଉନି କି ମୋ ହାତରୁ ବି ଖାଉନି । ତୁ ଯାଆ ତା'କୁ ଖୋଇବୁ, ମୁଁ ଯାଉଛି ଟିକେ ଲିଟୁକୁ ଫୋନ୍ କରିବି ।  


    ସାର୍ଥକ୍ 'ମାମା','ମାମା' ଡାକି ମୋତେ ଜୋରରେ ହଲେଇ ନଦେବା ଯାଏଁ ମୁଁ ସେ ରିପୋର୍ଟ୍ ଟା ଧରି ସିନୁଅପାର କଥା ଭାବୁଥିଲି , ଗୋଟେ ମାଆର କଥା ଭାବୁଥିଲି । ସେ ମାଆଟାର ଜରାୟୁ ଭିତରେ ଥିବା ସୁନ୍ଦର ସୃଷ୍ଟିର ସମ୍ଭାବନାକୁ ମାରି ନିଃଶେଷ କରିଦେଇଥିବା ଲୋକମାନଙ୍କ ପ୍ରତି ଘୃଣାରେ ମୋ ହୃଦୟ ଭାରି ହେଇଯାଉଥିବା ବେଳେ ଏଇ ଏବେ ଏବେ ଛୋଟରୁ ବଡ଼ ହେଉଥିବା ମୋ ଗେହ୍ଲା ପୁଅଟା ମୋତେ କୁଣ୍ଢେଇଧରି ସେହି ହୃଦୟରେ ଜାକି ହେଇ ମୋତେ ଟିକେ ଭାରିପଣରୁ ହାଲ୍କାକରିଦେଲା  ।


        

    


Rate this content
Log in

More oriya story from Lopamudra Mishra

Similar oriya story from Tragedy