Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lopamudra Mishra

Inspirational


3  

Lopamudra Mishra

Inspirational


ହୋମୋସାପିଏନ୍ସ

ହୋମୋସାପିଏନ୍ସ

9 mins 333 9 mins 333


  କଲେଜରେ ମୁଁ ବିଜ୍ଞାନର ଛାତ୍ରୀ ଥିଲି l ପ୍ରାଣୀ ବିଜ୍ଞାନ ସମ୍ମାନ ନେଇ ଗ୍ରାଜୁଏସନ୍ କରୁଥିଲି l ଏତିକି ତ ମୋତେ ଜଣାଥିଲା ମଣିଷର ଜୁଲୋଜିକାଲ୍ ନାମ 'ହୋମୋସାପିଏନ୍ସ୍' l ଏହି ନାମ ବ୍ୟତୀତ ମଣିଷ ମାନଙ୍କୁ ଯେ ସେମାନଙ୍କ ଧର୍ମର ଆଧାରରେ ଭିନ୍ନ ଭିନ୍ନ ମଣିଷ କୁହାଯାଏ ତାହା ମୋତେ ଅଣବୈଜ୍ଞାନିକ ମନେ ହେଉଥିଲା ଏବଂ ମୁଁ ସେସବୁକୁ ପ୍ରତ୍ୟାଖାନ କରୁଥିଲି l 


     ମୋ ଜୁଲୋଜି ପାଠ କହୁଥିଲା ସମସ୍ତ ହୋମୋସାପିଏନ୍ସ୍ ଏକାପରି ହୋଇଥାନ୍ତି ଅର୍ଥାତ୍ ସେମାନଙ୍କର ଶାରୀରିକ ଗଠନ,ମାନସିକ ଦକ୍ଷତା, ଜୀବନ ଚକ୍ର, ଖାଦ୍ୟାଭାଷ, ବାସସ୍ଥଳୀ ଆଦି ପ୍ରାୟ ଏକାଭଳି l Carolus Linnaeus ୧୭୫୮ ମସିହାରେ ପ୍ରଥମକରି ମଣିଷର ବୈଜ୍ଞାନିକ ନାମକରଣ homo sapiens କରିଥିଲେ l homo ର ଅର୍ଥ human beings (ମଣିଷ ), sapiens ଅର୍ଥ discerning (ସୁକ୍ଷ୍ମଦର୍ଶୀ ), wise (ବୁଦ୍ଧିଆ ), sensible (ସମ୍ବେଦନଶୀଳ ) l 


  ସମଗ୍ର ପ୍ରାଣୀଜଗତରେ କେବଳ homo sapiens ହିଁ ଏକ ବୁଦ୍ଧିଆ,ସମ୍ବେଦନଶୀଳ ଓ ସୂକ୍ଷ୍ମଗ୍ରାହୀ ପ୍ରାଣୀ ହିସାବରେ ଗଣା ହୁଏ l ତେଣୁ କଲେଜ୍ ସମୟରୁ ମୁଁ ନିଜେ ଏକ homo sapiens ହିସାବରେ ଖୁବ୍ ଖୁସି ଅନୁଭବ କରୁଥିଲି ଓ ସମଗ୍ର ଜୀବଜଗତକୁ ଭଲ ପାଇବା ସହିତ ମୋର ସ୍ୱଜାତିକୁ ଅର୍ଥାତ୍ ମାନବସମାଜକୁ ଏକ ଓ ଅଭିନ୍ନ ମନେକରି ସଭିଙ୍କୁ ସମଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଇଥିଲି l 


    ମଣିଷର ଉତ୍ପତ୍ତି, ଉତ୍ପତ୍ତି ସ୍ଥଳୀ,କ୍ରମ ବିକାଶ ଓ ବିବର୍ତ୍ତନ ଏସବୁ ପଢିଲା ବେଳେ ବିଜ୍ଞାନ ବହିରେ ମୁଁ କୋଉଠି ବି ଦେଖିବାକୁ ପାଇନଥିଲି ମଣିଷମାନେ ଧର୍ମର ଆଧାରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାନ୍ତି, କାରଣ ମଣିଷର ସୃଷ୍ଟି ସମୟରେ ପ୍ରାୟ 300, 000 ରୁ200, 000 ବର୍ଷ ପୂର୍ବେ କୌଣସି ଧର୍ମ ହିଁ ନଥିଲା l କିନ୍ତୁ ବହିରୁ ବାହାରି ଆସିଲା ପରେ ମୁଁ ଦେଖୁଥିଲି ବିକଶିତ ଆଧୁନିକ ହୋମୋ ସାପିଏନ୍ସ୍ ମାନେ ନିଜକୁ ଭିନ୍ନ ଭିନ୍ନ ଧର୍ମରେ ଭାଗ ଭାଗ କରି ନିଜ ନିଜ ଧର୍ମ ନାଁରେ, ଈଶ୍ୱର ନାଁରେ ଲଢେଇ କରିବା ଆରମ୍ଭ କରିଦେଇଛନ୍ତି l 


   ମୁଁ ଭଦ୍ରକ ସ୍ୱୟଂଶାସିତ କଲେଜରେ ପଢ଼ୁଥିଲି l ଆମ ପ୍ରାଣୀବିଜ୍ଞାନ ବିଭାଗରେ ଅନେକ ମୁସଲିମ୍ ଛାତ୍ର ଛାତ୍ରୀ ଥିଲେ l ସେମାନେ ଯେ ହିନ୍ଦୁ ଛାତ୍ର ଛାତ୍ରୀଙ୍କ ଠାରୁ କୌଣସିଥିରେ ବି ଅଲଗା ଥିଲେ , ଭିନ୍ନ ଥିଲେ, ସେମିତି ଆମେ କେବେ ମଧ୍ୟ ଅନୁଭବ କରିନାହୁଁ l ଏକଥା କେବଳ ମୁଁ ନୁହେଁ, ଆମ କଲେଜର ଆମ ସମୟର ପ୍ରାୟ ସବୁ ପିଲା ନିଶ୍ଚୟ ଏହା ସ୍ୱୀକାର କରିବେ l (ଏବେର, 2011 ମସିହା ପରର କଥା ଯଦିଓ ମୁଁ କହିପାରିବିନି )


  ଆମ ବ୍ୟାଚର ମୋର ସବୁଠାରୁ ନିକଟତର ସାଙ୍ଗ ଥିଲା ତାହେରା l ସେ ଥିଲା ମୋର ଷ୍ଟଡି ପାର୍ଟନର୍ l ତାହେରା ଖୁବ୍ ପରିଶ୍ରମୀ ଓ ଇଣ୍ଟେଲିଜେଣ୍ଟ୍ l ମୁଁ ବହୁତ ଅଳସୁଆ, ପରୀକ୍ଷା ସମୟ ଆସଲେ ହିଁ ମୋର ନିଦ ଭାଙ୍ଗେ l ତାହେରା ମୋର ନିଦ ଭଙ୍ଗାଏ l ମୋତେ ଜୋରକରି ଲାଇବ୍ରେରୀ ନେଇଯାଏ l ମୁଁ ପାଠ ବହି ନଆଣି ଗପ ବହି ଆଣି ପଢ଼ିଲେ ସେ ମୋ ଉପରେ ରାଗେ l ପାଠପଢ଼ାରେ ସେ ମୋତେ ବହୁତ ସାହାଯ୍ୟ କରିଛି l ଥରେ ମୁଁ ତାକୁ ତା' ନାଁର ମାନେ ପଚାରିଥିଲି l ସେ କହିଥିଲା ସେଇଟା ଗୋଟେ ଆର୍ବିଆନ୍ ନାଁ ଯାହାର ଅର୍ଥ ପବିତ୍ରତା l ତା' ନାଁ ପୂର୍ବରୁ କାହଁକି ସେ ସୟଦା ଲେଖେ ପଚାରିଲାରୁ ସେ କହିଲା ତାଙ୍କ ସାଙ୍ଗିଆ ସୟଦର ସ୍ତ୍ରୀଲିଙ୍ଗ ସୟଦା, ସେଥିପାଇଁ ସେ ସୟଦା ଲେଖେ ଓ ସେ ଆହୁରି ମଧ୍ୟ କହିଲା, "ତୁମେମାନେ ଯେମିତି ହିନ୍ଦୁଙ୍କ ଭିତରେ ଉଚ୍ଚ ଜାତି ଆମେ ବି ସେମିତି ଆମ ରିଲିଜିୟନରେ ଉଚ୍ଚ ଜାତି l ଆମେ ଆମ ଧର୍ମରେ ପୂଜାପାଠ କରୁ" l ସେଦିନ ମୋତେ ତାର ସେ ଉଚ୍ଚ, ନୀଚ୍ଚ କଥା ଭଲଲାଗିନଥିଲା l ମୁଁ ତାକୁ କହିଥିଲି, "ଆମେ ଉଚ୍ଚ ଜାତି ନୁହେଁ" l ସେ ପୁଣି ମୋତେ କହିଥିଲା, "ତୁମେ ପରା ବ୍ରାହ୍ମଣ ! ଉଚ୍ଚ କେମିତି ନୁହେଁ ? " l ମୁଁ କହିଥିଲି, "ନାଁ ଆମେ ବ୍ରାହ୍ମଣ ନୁହଁ, ଆମେ homo sapiens " l ତାହେରା ହସିଥିଲା ଆଉ କହିଥିଲା, "ହଁ ଆମେ ବି homo sapiens" l ସେବେଠାରୁ ଆମେ ପରଷ୍ପରକୁ ଥଟ୍ଟାରେ 'ହୋମୋ ସାପିଏନ୍ସ୍' ଡାକୁଥିଲୁ l 


    ମୋର କଲେଜ ଜୀବନର ଗୁରୁତ୍ୱପୂର୍ଣ୍ଣ ପାଞ୍ଚୋଟି ବର୍ଷ ଭଦ୍ରକରେ କଟିଛି l ମୁଁ କେବଳ ଶୁଣିଥିଲି ଭଦ୍ରକରେ ହିନ୍ଦୁ-ମୁସଲିମ୍ ଦଙ୍ଗା ହୁଏ, ଗଣ୍ଡଗୋଳ ହୁଏ l ଭଦ୍ରକ କଲେଜ୍ ଗଲାପରେ ମୁଁ କେବେବି ସେମିତି କିଛି ଦେଖିନି l ସମସ୍ତେ ସେଠି ହୋମୋ ସାପିଏନ୍ସ୍, ଏକା ଭଳି l 


   ପ୍ଲସ୍ ଥ୍ରୀ ଥାର୍ଡ୍ ଇୟର୍, ମୋର ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଅଳ୍ପଦିନ ଥିଲା l ଆଗରୁ କିଛି ପଢିନଥିଲି l ପରୀକ୍ଷା ପାଖେଇ ଆସିବାରୁ ରାତି ଅନିଦ୍ରା ରହି ପଢ଼ୁଥିଲି l ଦିନେ ରାତିରେ ମୋତେ ଭୀଷଣ ଜର ଆସିଲା l ମୁଣ୍ଡ ବୁଲେଇଲା l ବାନ୍ତି ବାନ୍ତି ଲାଗିଲା l ମୋ ରୁମମେଟ୍ସ୍ ସମସ୍ତେ ଶୋଇପଡ଼ିଥିଲେ l ମୁଁ ବାଥରୁମ୍ ଯାଇଥିଲି l ବାନ୍ତି ହେଲା l ବେସିନ୍ ପାଖରେ ଠିଆ ହେଇ କାନ୍ଦୁଥିଲି l ଆମ ପାଖ ରୁମର ଜଣେ ପି.ଜି. ଦିଦି ବାଥରୁମ୍ ଆସିଥିଲେ, ସେ ମୋତେ କାନ୍ଦୁଥିବାର ଦେଖିଲେ l ତାଙ୍କ ନାଁ ସାଦିୟା, ସାଙ୍ଗିଆ ଥିଲା ଅନୱର୍ l ତାଙ୍କୁ ଆମେ ପୁନମ୍ ଅପା ଡାକୁଥିଲୁ l ସେ ମୋ ପାଖକୁ ଆସିଲେ l ମୋ ପାଖରେ ଠିଆ ହୋଇ ମୋ ପିଠି ଆଉଁସି ଦେଲେ l ମୋତେ ଧରି ଧରି ତାଙ୍କ ରୁମକୁ ନେଇଗଲେ l ମୋ ଟେମ୍ପରଚର ମାପିଲେ l ତାଙ୍କ ବାପା ମେଡିକାଲରେ ଚାକିରୀ କରନ୍ତି l ସେ ତାଙ୍କ ରୁମରେ ନିଜ ପାଖରେ କିଛି ମେଡ଼ିସିନ୍ ରଖିଥିଲେ l ସେହି ଡେରି ରାତିରେ ବି ସେ ତାଙ୍କ ବାପାଙ୍କୁ ଫୋନକରି ମୋ ସ୍ୱାସ୍ଥ୍ୟ ଅବସ୍ଥା କଥା କହିଲେ ଓ ତାଙ୍କ ପରାମର୍ଶ କ୍ରମେ ମୋତେ ଚୁଡ଼ା ଖୁଆଇ, ଔଷଧ ଦେଲେ l ମେଡ଼ିସିନ୍ ନେଲାପରେ ମୁଁ କେତେବେଳେ ସେହି ଅପାଙ୍କ ବେଡ୍ ରେ ଶୋଇଯାଇଥିଲି ମୋର ମନେନାହିଁ, କିନ୍ତୁ ସେ ଯେ ସେଦିନ ଢେର୍ ରାତି ଯାଏଁ ମୋ ପାଖରେ ଜଗି ବସି ନିଜର କେହି ଜଣେ ଆତ୍ମୀୟ ପରି ମୋର ସେବା କରିଥିଲେ,ସେ କଥା ମୁଁ ମୋର ଏହି ଜୀବନ ଥିବା ଯାଏଁ ଭୂଲିବିନି l ମୁଁ କଦାପି ଭୂଲିବିନି ପୁନମ୍ ଅପା ପ୍ରକୃତରେ ଜଣେ ସଚ୍ଚା ହୋମୋ ସାପିଏନ୍ସ୍ ବୋଲି l ସଚ୍ଚା homo sapiens ଏଇଥିପାଇଁ କହିଲି କାରଣ ସେ ପ୍ରକୃତରେ human being ଏବଂ wise, discerning, sensible l ମୁଁ ତାଙ୍କୁ ଗୋଟେ କବିତା ଲେଖିକରି ଦେଇଥିଲି l ମୋର ବିଶ୍ୱାସ ସେ ସେହି କବିତାଟା ଆଜିଯାଏଁ ନିଜ ପାଖରେ ରଖିଥିବେ l  


       ମୁଁ ଆମ ଘରୁ ଭଦ୍ରକ ଗଲାବେଳେ ଧାମନଗର ଦେଇ ଯିବା ଆସିବା କରେ l ଦୋବଲରୁ ଭଦ୍ରକ ପ୍ରାୟ ତ ଜୁଗୁନ୍ ବସ୍ ରେ ଯାଏ l ରାସ୍ତାରେ ଗୁଡ଼ାଏ ଷ୍ଟପେଜ୍ ଥାଏ l କେତେ କେତେ ହିନ୍ଦୁ, ମୁସଲିମ୍ ଲୋକ ଚଢ଼ୁଥାନ୍ତି, ଓଲ୍ହାଉଥାନ୍ତି l ବସ୍ ରେ ସେମାନେ ପରଷ୍ପରଙ୍କ ସହ ମିଠା ମିଠା କଥା ହେଉଥିବାର ମୁଁ ଶୁଣେ l ସେମାନଙ୍କ ପୋଷାକ ପିନ୍ଧା ଓ କଥା ଭାଷାରେ ଯଦିଓ ସାମାନ୍ୟ ଭିନ୍ନତା ବାରିହେଇପଡ଼େ, କିନ୍ତୁ ସମସ୍ତେ ମୋତେ ସେହି ହୋମୋସାପିଏନ୍ସ୍ ପରି ଏକାଭଳି ହିଁ ଦିଶନ୍ତି l କେବେ ବି ଧର୍ମକୁ ନେଇ କୌଣସି ତିକ୍ତ ଅନୁଭୂତି ଥିବା ମୋର ମନେ ପଡୁନାହିଁ l ବରଂ ସେହି ସମୟର ସବୁ ସ୍ମୃତି, ଅନୁଭୂତି ଖୁବ୍ ମଧୁର ଓ ନିଆରା l 


    ସେହି ବସ୍ ରେ ଆଉଗୋଟିଏ ଦିନର ଘଟଣା l ଖରା ଦିନ l ଥିଓରୀ ପରୀକ୍ଷା ସରିଯାଇଥିଲା l ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଘରୁ ହଷ୍ଟେଲ୍ ଯାଉଥାଏ l ଖରା ହେଉଥିବାରୁ ବସରେ ଉଠିବା ଆଗରୁ ମୁଁ ମୋ ସଲ୍ୱାର୍ ସୁଟ୍ ର ଓଢଣୀଟାକୁ ମୁଣ୍ଡରେ ଘୋଡେଇଥାଏ ଓ ଝର୍କା ପାଖ ସିଟରେ ବସିଥାଏ l ମୋ ପାଖ ସିଟ୍ ଫାଙ୍କା ଥିଲା l କଣ୍ଡକ୍ଟର୍ ଅଙ୍କଲ୍ କହିଥିଲେ, "ଝିଅ ବ୍ୟାଗ୍ ପକେଇଦିଅ କେହି ଝିଅପିଲା ଆସିଲେ ବସେଇବ l ପୁଅଙ୍କୁ ବସେଇବନି, ଏଇଟା ଲେଡିଜ୍ ସିଟ୍ "l ତାଙ୍କ କଥା ଅନୁସାରେ ମୁଁ ମୋ ବ୍ୟାଗ୍ ରଖିଦେଇ ଆରମରେ ଝର୍କା ପାଖ ସିଟରେ ବସି ବସ୍ ବାହାରକୁ ଦେଖୁଥିଲି l ଧିରେ ଧିରେ ବସର ସବୁ ସିଟ୍ ଫୁଲ୍ ହେଇଗଲା l ସେ ଯାଏଁ ଝିଅପିଲା କେହି ଉଠୁନଥିଲେ,ତେଣୁ ମୋ ପାଖ ସିଟ୍ ସେମିତି ଖାଲି ରହିଥିଲା l ଧାମନଗରରେ ବସ୍ ରହିଲା l ଅନେକ ସମୟ ଯାଏଁ ସେଠି ବସ୍ ରହେ l ବହୁତ ଲୋକ ଚଢିଲେ l ମୁଁ ଦେଖିଲି ଲମ୍ବା କୁର୍ତ୍ତା ଓ ମୁଣ୍ଡରେ ଟୋପି ପିନ୍ଧିଥିବା ଜଣେ ଦାଢୀଵାଲା ବୃଦ୍ଧଲୋକ ବାଡ଼ିଟିଏ ଧରି ଆସ୍ତେ ଆସ୍ତେ ବସ୍ ଭିତରକୁ ପଶୁଛନ୍ତି l ମୁଁ ତାଙ୍କୁ ମୋ ସିଟ୍ ପାଖକୁ ଆସିବାପାଇଁ ହାତରେ ଠାରି ଡାକିଲି l ହାତରେ ଠାରି ଏଇଥିପାଇଁ ଡାକିଲି କାରଣ ବସ୍ ଭିତରେ ଏତେ ଘୋ ଘୋ ଶବ୍ଦ ହେଉଥିଲା ମୋ କଥା ତାଙ୍କୁ ଶୁଭିନଥାନ୍ତା l ସେ ଆସିଲେ l ମୁଁ ବ୍ୟାଗ୍ ଉଠେଇଦେଲି l ସେ ବସିଗଲେ ଓ ମୋତେ କହିଲେ, "ଶୁକ୍ରିୟା " l ମୋ ମୁଣ୍ଡର ଓଢଣୀରୁ ସେ ମୋତେ ମୁସଲିମ୍ ବୋଲି ଭାବୁଥିଲେ l ମୋ ସହ ହିନ୍ଦୀରେ କଥା ହେଲେ l ମୁଁ ଭାବିଲି ସେ ଭଲ ଓଡ଼ିଆ ବୁଝୁନଥିବେ, ସେଥିପାଇଁ ମୁଁ ବି ତାଙ୍କୁ ହିନ୍ଦୀରେ ଉତ୍ତର ଦେଉଥିଲି l ସେ କହିଲେ, ସେ ଧାମନଗରରେ ଗୋଟେ ରିଲିଜିୟସ୍ କନଫରେନ୍ସ୍ ପାଇଁ ଆସିଥିଲେ l ବିଦେଶରୁ ବି ଲୋକ ଆସିଥିଲେ l ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଆଲୋଚନାମାନ ହେଲା l ଏମିତି ଅନେକ କଥା ସେ କହିଲେ l ମୋ ଘର କେଉଁଠି, ମୁଁ କଣ୍ କରେ ପଚାରି ସାରିଲା ପରେ ସେ ମୋତେ ମୋ ନାଁ ପଚାରିଲେ l ମୁଁ ଯେତେବେଳେ ମୋ ନାଁ କହିଲି ତାଙ୍କ ମୁହଁର ଭାବ ବଦଳିଗଲା l ସେ ତାପରେ ମୋତେ କହିଲେ, "ତୁମକୁ ମୁଁ ଆମ ରିଲିଜିୟନ୍ ବିଷୟରେ କହୁଥିଲା ବେଳେ ତୁମେ କେମିତି ସବୁ ଜାଣିଲା ପରି ଉତ୍ତର ଦେଉଥିଲ ? ମୁଁ ଭାବିଲି ତୁମେ ମୁସଲିମ୍" l ମୁଁ ତାଙ୍କୁ କହିଲି, " ମୋର କିଛି ଜଣ ମୁସଲିମ୍ ସାଙ୍ଗ ଅଛନ୍ତି, ତାଙ୍କଠାରୁ ବେଳେ ବେଳେ ମୁଁ ଶୁଣେ "l ମୁଁ ମୁସଲିମ୍ ନୁହେଁ ଜାଣିସାରିଲା ପରେ ସେ ଲାଗିପଡ଼ିଲେ ତାଙ୍କ ଧର୍ମର ମହାତ୍ମ୍ୟ ମୋ ଆଗରେ ବଖାଣିବାରେ l କହିଲେ, "ତୁମେ ହିନ୍ଦୁ ମାନେ କୁହ ଈଶ୍ୱର ନିରାକାର କିନ୍ତୁ ପୂଜା କର ପଶୁଙ୍କ ଭଳି ମୁହଁ ଥିବା ଅଜବ ଅଜବ ମୂର୍ତ୍ତିକୁ l ଆମେମାନେ କିନ୍ତୁ ଆକାର ବିହୀନତାକୁ ଗୁରୁତ୍ୱ ଦେଉ l ହିନ୍ଦୁମାନେ ପ୍ରାର୍ଥନା କଲା ବେଳେ ଆମ ଭଳି ପବିତ୍ରତା ଉପରେ ଏତେ ଗୁରୁତ୍ୱ ଦିଅନ୍ତିନି l ଆମେ କିନ୍ତୁ ଆମର ଦୁଇହାତ ବାହୁ ପର୍ଯ୍ୟନ୍ତ ଓ ଗୋଡ଼ ସବୁ ଧୋଇ ପରିଷ୍କାର ହୋଇ ଆଲ୍ହାଙ୍କୁ ଡାକୁ l ଆମର ଅନେକ ନୀତିନିୟମ ଅଛି l ଏମିତି ସେ ଅନେକ କଥା କହୁଥିଲା ବେଳେ ମୁଁ ଚୁପଚାପ୍ ଶୁଣୁଥିଲି l କିଛି କହୁନଥିଲି l ଆମ ପାଖ ସିଟରେ ବି କିଛି ଲୋକଙ୍କୁ ଶୁଭୁଥିବ ତାଙ୍କ କଥା, ସେମାନେ କିନ୍ତୁ ସେ ଆଡ଼କୁ ଧ୍ୟାନ ଦେଉନଥିଲେ l ସେ ମହାଶୟ ତାଙ୍କ କଥା ଶେଷ କଲାପରେ ମୋତେ ପଚାରିଲେ, "ଏବେ କୁହ କେଉଁ ଧର୍ମଟି ତୁମ ବିଚାରରେ ଠିକ୍" ? ମୁଁ ତାଙ୍କୁ କହିଲି, " ମୁଁ କୌଣସି ଧର୍ମ ଫର୍ମରେ ବିଶ୍ୱାସ କରେନି l ମୋତେ ସବୁ ମଣିଷ ଏକାଭଳି ଦିଶନ୍ତି, ଏକାଭଳି ଲାଗନ୍ତି " l ସେ କିନ୍ତୁ ମୋ କଥାକୁ ଖାତିର୍ ନକରି ତାଙ୍କ ଧର୍ମର ଶ୍ରେଷ୍ଠତ୍ବକୁ ମୋ ଆଗରେ ପ୍ରମାଣ କରିବାକୁ ପୁଣି ଭାଷଣ ଆରମ୍ଭ କରିଦେଲେ l ମୁଁ ନଶୁଣି ଶୋଇପଡ଼ିବାର ଅଭିନୟ କଲି l ସେଇଠି ଆମ ସାଇଡ୍ ସିଟ୍ ରେ ପିଲାଟିଏ ବସିଥିଲା l କଲେଜ୍ ପିଲା l ସେ ବୃଦ୍ଧଙ୍କ କଥାରେ ବୋଧେ ବିରକ୍ତ ଅନୁଭବ କରୁଥିଲା l ପିଲାଟା ଚିଡ଼ିଯାଇ କହିଲା, "ଚାଚା, ଏତେ କଥା କହୁଛ ତୁମ ଧର୍ମ ଶ୍ରେଷ୍ଠ, ମୋତେ କହିଲ ତୁମକୁ ଯଦି ତୁମ ଆଲ୍ହା କହିଛନ୍ତି ଜୀବଙ୍କୁ ହାଣି କୁର୍ବାନୀ ଦେବା ପାଇଁ, ତେବେ ସେ କେମିତି ଶ୍ରେଷ୍ଠ ହେଲେ ? ରକ୍ଷଣଶୀଳତା ନାଁରେ ଯଦି ଝିଅଙ୍କୁ ପର୍ଦାରେ ଘୋଡେଇ ତାଙ୍କ ସ୍ୱାଧୀନତା ଛଡ଼େଇ ନେବା ପାଇଁ ତୁମ ଧର୍ମ କହୁଛି, ତେବେ ସେ ଧର୍ମ କେମିତି ଶ୍ରେଷ୍ଠ ହେଇପାରିଛି ବୋଲି କହୁଛ ? ସିୟା, ସୁନ୍ନିଙ୍କ ଭିତରେ ଭୀଷଣ ଲଢେଇ ଲାଗି ଯଦି ଅତୀତରେ ଗୁଡ଼ାଏ ନିରୀହ ଲୋକଙ୍କ ଜୀବନ ଯାଇଛି, ତେବେ ସେ ଧର୍ମ କେମିତି ମହାନ୍ ବୋଲି କହିପାରୁଛ ? ତୁମ ମହାପରୁଷ ମହମ୍ମଦ ଗୋଟେ ଛୋଟ ନାବାଳିକା ଝିଅକୁ ବିବାହ କରି କଣ୍ ମହାନ କାମ କରିଛନ୍ତି ବୋଲି ତୁମେ ଭାବୁଛ? ଆଉ ତୁମେ କୁହ କିଏ ଠିକ୍ ଆବୁ ବକର୍ ନା ଅଲ୍ଲୀ ? ବୁଝିଲ ଚାଚା ସବୁ ଖାଲି ବେପାର ମ l ଆଉ କିଛି ନୁହେଁ l ଏସବୁ ଧର୍ମବାଣୀ ଏ ବସ୍ ଫସ୍ ରେ ଆଉ ଶୁଣାଅନି" l


  ସେଦିନ ସେ ବସରେ ସେ ପିଲା ଚାଚାଙ୍କୁ ଆହୁରି ଅନେକ କଥା ମୁସଲିମ୍ ଧର୍ମ ବାବଦରେ କହିଥିଲା ଯାହା ମୋର ସବୁ ମନେ ନାହିଁ l ଚାଚା କିଛି ସମୟ ଚୁପ୍ ହେଇଗଲେ l ତାପରେ ରାଗିକରି କହିଲେ, "ତୁମ ହିନ୍ଦୁ ଧର୍ମ ଭଳି ତ ଆମର କୋଟିଏ ଦେବତା ଆଉ ହଜାରେ ଜାତି ନାହିଁ ନା ? " ପିଲାଟି ଏଥର ହସିଲା ଆଉ କହିଲା, "ଚାଚା, ସବୁ ଧର୍ମ ବକବାସ୍, କେବଳ ମାନବ ଧର୍ମ ହିଁ ଶ୍ରେଷ୍ଠ l ସେହି ମାନବ ଧର୍ମର ଖାତିରରେ ସେ ଦିଦି ତୁମକୁ ସିଟ୍ ଦେଲେ କିନ୍ତୁ ତୁମେ ତାଙ୍କୁ ତୁମ ଧର୍ମର ବାଣୀ ଶୁଣେଇଲ ! ସେ ଯଦି ମୁସ୍ଲିମଙ୍କୁ ନ୍ୟୁନ ଭାବି ହିନ୍ଦୁ ଧର୍ମକୁ ଶ୍ରେଷ୍ଠ ଭାବିଥାନ୍ତେ,ତୁମକୁ ସିଟରେ ବସେଇ ନଥାନ୍ତେ l ତୁମେ ଠିଆ ହେଇ ଯାଇଥାନ୍ତ, କାରଣ କଣ୍ଡକ୍ଟର କହିଥିଲା ସିଟ୍ ଖାଲି ପକେଇବ ପଛେ ମହିଳା ସିଟରେ ପୁରୁଷଙ୍କୁ ବସେଇବନି l ବୁଝିଲ ଚାଚା ଏବେ କୋଉ ଧର୍ମ ଶ୍ରେଷ୍ଠ ?"


   ବସ୍ ଭଦ୍ରକ ପାଖା ପାଖି ହେଇଗଲା l ବୃଦ୍ଧଙ୍କ ଷ୍ଟପେଜ୍ ଆସିଯାଇଥିଲା l ସେ ଓଲ୍ହେଇବା ଯାଏଁ କିନ୍ତୁ ସେ ପିଲା ସହ ଯୁକ୍ତି କରିଚାଲିଥିଲେ l ଶେଷରେ ମୁହଁ ଫଣ ଫଣ କରି ବୃଦ୍ଧ ଓଲ୍ହେଇଗଲେ l ମୁଁ ବସ୍ ଷ୍ଟାଣ୍ଡରେ ଓଲ୍ହାଇଲି l ସେ ପିଲା ବି ସେଇଠି ଓଲ୍ହାଇଲା l ମୁଁ ଚାଲି ଚାଲି ଓଭର୍ ବ୍ରିଜ୍ ତଳକୁ ଯାଉଥିଲି ପିଲାଟା ମୋ ପଛେ ପଛେ ଆସିଲା, ମୋ ପାଖା ପାଖି ହେଇଛି କହିଲା, "ପାଗଳ ବୁଢ଼ା ପାଇଛି ପାନେ" l ମୁଁ କିଛି କହିଲିନି, କେବଳ ହସିଲି l ସେ ମୋ ସଙ୍ଗରେ ଆସୁ ଆସୁ କହିଲା ସେ ଗୋଟେ ବୟେଜ୍ ମେସ୍ ରେ ରହେ ଆଉ ଆମ ତଳ ବ୍ୟାଚର ଫିଜିକ୍ସ୍ ଅନର୍ସର ସ୍ଟୁଡେଣ୍ଟ୍ l ମୁଁ ମୋ ରାସ୍ତା ଧରି ତାଠାରୁ ବିଦାୟ ନେବା ଆଗରୁ ସେ ତା' ନାଁ ମୋତେ କହିଲା, 'ଜୁନୈଦ୍' l ମୁଁ ଆଶ୍ଚର୍ଯ୍ୟ ହେଲି l ଆଉଥରେ ପଚାରିଲି, " "କଣ୍ ତୁମ ନାଁ" l ସେ ପୁନର୍ବାର ହସି ହସି କହିଲା, "ଜୁନୈଦ୍, ମାନେ ଯୋଦ୍ଧା " l 


  ମୁଁ ସେଦିନ ରାସ୍ତାରେ ଆସିଲା ବେଳେ ଭାବୁଥିଲି, "ଜୁନୈଦ୍, ହଁ ଜଣେ ହୋମୋ ସାପିଏନ୍ସ୍ ଆଉ ସେ ଚାଚା ବି ଜଣେ homo sapiens l ସେ ବସ୍ ରେ ଥିବା ସବୁ ଲୋକ କେବଳ ଆଉ କେବଳ ଜଣେ ଜଣେ homo sapiens l


   ସେହି ଘଟଣାକୁ ଦଶବର୍ଷ ହେଇଗଲାଣି l ଆଜି ମୁଁ ଭାବୁଛି ସେଦିନ ବସରେ ସେ ଚାଚା ମୋତେ ଯାହା କହିଥିଲେ, ଆଜି କଣ୍ ସେହି କଥା ଆଉ କାହାକୁ କହିପାରିବାର ସାହସ୍ ରଖିପାରୁଥିବେ ? ଯଦି ବି କହିବେ, ଦୁଇବର୍ଷ ତଳେ ଯେମିତି ଗୋଟାଏ ଦଙ୍ଗା ହେଇଥିଲା ସେମିତି ଆଉଗୋଟିଏ ଦଙ୍ଗା ନହେଇ କଣ୍ ସେ କଥାର ସମାଧାନ ହେଇଯିବ ? ସେହି ବସରେ ବସିଥିବା ଅନ୍ୟ ହିନ୍ଦୁମାନେ ସେଦିନ ଯେମିତି ସହନଶୀଳତାର ସହ ବୃଦ୍ଧଙ୍କ କଥା ଶୁଣି ନଶୁଣିବା ଭଳି ବସିରହିଥିଲେ, ଆଜି ବି କଣ୍ ସେମିତି ରହିପାରିବେ ? ବୋଧ ହୁଏ ସମ୍ଭବ ନୁହେଁ l ଲୋକମାନେ ପରା ଜାଗ୍ରତ ହେଇଉଠିଲେଣି ! କିନ୍ତୁ କଣ୍ ପାଇଁ ଏ ଜାଗୃତି ? ହିଂସାର ଏହି ଜାଗୃତି ମାନବିକତାକୁ ଶେଷ କରିଦେବ ନାହିଁ ତ ? ମୋତେ ତ ଲାଗୁଛି ମୁଷ୍ଟିମେୟ ସ୍ୱାର୍ଥନ୍ୱେଷୀ ଲୋକ ଧର୍ମ ନାଁରେ ଯେଉଁ ନିଆଁ ଲଗାଉଛନ୍ତି ତାହା ଦିନେ କରାଳ ରୂପ ନେଇ ସବୁ ହୋମୋସାପିଏନ୍ସ୍ ଙ୍କୁ ପୃଥିବୀରୁ ଲୁପ୍ତ କରିଦେବ l 


  ମାନବଜାତିର ସୃଷ୍ଟିର ଅନେକ ବର୍ଷ ପରେ ଧର୍ମର ଜନ୍ମ l ଈଶ୍ୱର ମଣିଷଙ୍କୁ ଗଢିନାହାଁନ୍ତି, ମଣିଷମାନେ ନିଜ ନିଜ ଈଶ୍ୱର ତିଆରି କରିଛନ୍ତି l ଧର୍ମ ମଣିଷଙ୍କୁ ଭାଗ ଭାଗ କରିଦେଇଛି l ଧର୍ମ ନାଁରେ ମଣିଷ ମଣିଷକୁ ହତ୍ୟା କରୁଛି l ମାନବିକତାର ହତ୍ୟା ହେଉଛି l ଦଙ୍ଗାବେଳେ ଆଜିଯାଏଁ କୌଣସି ଈଶ୍ୱର ଆସି କାହାରି ପକ୍ଷ ନେଇ କୌଣସି ଧର୍ମର ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚେଇ ନାହାଁନ୍ତି l ଏବେ ତ ସେହି ସମୟ ଆସିଯିବା ଉଚିତ୍, ଯେଉଁସମୟରେ ସମଗ୍ର ମାନବଜାତି ସବୁ ଧର୍ମକୁ ପରିତ୍ୟାଗ କରି ଜଣେ ପ୍ରକୃତ ମଣିଷ ଭଳି ବୁଦ୍ଧିମାନ, ସୂକ୍ଷ୍ମଗ୍ରାହୀ ଓ ସମ୍ବେଦନଶୀଳ ହେଇଯିବ ଓ ପରସ୍ପରକୁ ପ୍ରେମ ବାଣ୍ଟିବା ଏକମାତ୍ର ଧର୍ମ ବୋଲି ମାନିନେବ l ମୋ ମତରେ ଆଜିର ହୋମୋସାପିଏନ୍ସ୍ ଏତିକି କହିବା ଠିକ୍ ହେବ-- "ମାନବଜାତି ଏକଜୁଟ ହେଇ ରହିବା ପାଇଁ ଧର୍ମ ନୁହେଁ କେବଳ ପ୍ରେମ ହିଁ କାମ୍ୟ " l



Rate this content
Log in

More oriya story from Lopamudra Mishra

Similar oriya story from Inspirational