ମାଧବି ଦାସ ଏକ କିମ୍ବଦନ୍ତୀ...
ମାଧବି ଦାସ ଏକ କିମ୍ବଦନ୍ତୀ...
ରୂପାଲି ସକାଳୁ ରୋଷେଇ ଘରେ ପଶିଛି ଯେ ପଶିଛି । ଘଣ୍ଟାକୁ ଅନେଇଲା ଗୋଟାଏ ବାଜିଲାଣି । କିଟିପାର୍ଟି ଆଜି ତା ଘରେ ହେବ । ତାରି ପ୍ରିପାରେସନରେ ବେଳ ଆସି ଏତିକି ହେଲାଣି । ଶାଢ଼ୀ କାନିରେ କପାଳ ପୋଛିଲା । ଠିକ୍ ଏଇ ସମୟରେ କଲିଂବେଲ ବାଜିଉଠିଲା । ସେ ଜାଣେ ଏଇ ସମୟ ପୂଜାର ଆସିବାର । ନିଶ୍ଚୟ କିଛି ନୂଆ ରୋଚକ ସନସନି ଖବର ଥିବ । ତେଣୁ କଲୋନୀରେ ତା ନାଁ ରଖାଯାଇଛି 'ବିବିସି' । ସେ ଯାହା ହେଉ, ଆସିଛି ଭଲ ହେଲା ଏବେ ତା ହାତରେ କଟଲେଟର ବଲ୍ ଗୁଡା କରେଇ ନେବି । କବାଟ ଖୋଲୁ ଖୋଲୁ ଧୁସ୍ କରି ପଶିଆସିଲା ପୂଜା ।
ହାତ ହଲେଇ କହିଲା ଏବେ ଆଉ ଏଇ କଲୋନୀରେ ରହିହେବନି । ଭଦ୍ରଲୋକ ଏଠି ଚଳିବା ମୁସ୍କିଲ ହେଇଯିବ ।
ଆରେ ଆରେ ! କ'ଣ ହେଲା, ଏମିତି କ'ଣ ହେଇଗଲା କି ??? ହଉ ହଉ ତୁ ଆଗ ବସ ଆଉ ମୋତେ ଗୋଟେ ସାହାଯ୍ୟ କର । ଏଇ କଟଲେଟର ବଲ୍ ଗୁଡା ବନଉ ବନଉ କହ କ'ଣ ଘଟଣା ???
ଆଣୁନୁ ଇଏ ଗୋଟେ କଥା । କହି ଡାଇନିଂ ଚେୟାର ଉପରେ ବସିପଡ଼ିଲା । ରୂପାଲି ଆଣି ଥାଳିଟା ପୂଜା ସାମ୍ନାରେ ରଖିଦେଲା । ସେ ରୋଷେଇ ଘରେ ରସମଲେଇ ପାଇଁ କ୍ଷୀର ଆଉଟୁ ଥାଏ । କହିଲା, ଏବେ କହ ମୁଁ ଶୁଣୁଛି ।
ଆଉ କ'ଣ ବାକି ଅଛି ଯେ କହିବି । ତୋ ପଡ଼ିଶାରେ ଲୋକ ଆସି ରହିଲେଣି ତୁ ତ ଜାଣି ବି ନଥିବୁ । ମହାପାତ୍ର ବାବୁର ମୁଣ୍ଡ ଖରାପ ହେଇଗଲାଣି । ନିଜେ ତ ଏଠି ରହୁନି । ତା ବୋଲି ଲୋକ ଦେଖି ଘର ଦେବା କଥା ନା ନୁହେଁ ? ସେ କୋଉ ମାଧବି ଦାସକୁ ଘର ଦେଇଛି ଯେ କଲୋନୀ ଉଠୁଛି ପଡୁଛି । ଏଇ ମାତ୍ର ୮/୧୦ ଦିନ ହେବ ଘର ଖାଲି ହେଇଥିଲା । ଏମିତି ପଇସା ପାଗଳ ! ଆଉ ୪/୫ ଦିନ ଖାଲି ପଡିଥିଲେ କ'ଣ ସେ ମହାପାତ୍ର ବାବୁ ଖାଇବାକୁ ପାଇନଥାନ୍ତା ଯେ ଏମିତି ତରତର ହେଇ ଯାହାକୁ ପାରି ତାହାକୁ ଘର ଭଡ଼ାରେ ଦେଇଦେଲା । ସେ ଘଇତାଛାଡିଟେ । ତା ଚରିତ୍ର ଉପରେ କେତେ କ'ଣ ଟିପ୍ପଣୀ ଦେଉଛନ୍ତି କଲୋନୀବାଲା । ଶୁଣୁଚି ସେ କାଳେ ବହୁତ ସୁନ୍ଦରୀ । ସୁନ୍ଦରୀ ଯେତିକି ତାଙ୍କ ପଛରେ କାହାଣୀ ସେତିକି । ଏବେ ଆମ ଘଇତାମାନଙ୍କ ଉପରେ କଡା ନଜର ରଖିବାକୁ ହେବ । ସେ କାଳେ ମାୟାବିନୀଟେ !! ଯେତିକି ରାଗିଥିଲା ପୂଜା ହାତ ବି ସେତିକି ଜୋରରେ ଚାଲିଥିଲା । ଯାହାହେଉ ଗୋଳା ଗୁଡା ଶିଘ୍ର ବନିଗଲା । ନେ ! ତୋର ବନିଗଲା । ମୁଁ ଏବେ ଆସୁଛି ଚାରିଟାରେ ତ ଦେଖାହେବ । ସେତେବେଳେ ବାକି କଥା ତୁ ଶୁଣିବୁନି କି ଅନ୍ୟମାନଙ୍କ ଠାରୁ ।
ରୂପାଲି ଅନ୍ୟମନସ୍କ ହେଇ ଥାଳିଟି ନେଇ ଫ୍ରିଜରେ ରଖିଲା । ରସମଲେଇ ବନି ସାରିଥାଏ । ଗ୍ୟାସ୍ ବନ୍ଦକରି ଶୋଇବା ଘରକୁ ଗଲା । କିଏ ଏଇ ମାଧବି ?? ଆସୁ ଆସୁ ତା ନାଁରେ ଏତେ ଚର୍ଚ୍ଚା । ସେ ଶୋଇବା ଘର ଝରକାର ପରଦା ଆଡେଇ ସେ ଘର ଆଡେ ଅନେଇଲା, କାହିଁ ତ କେହି ଦିଶୁନାହାନ୍ତି । ହେଲେ ଝରକା ଗୁଡା ଖୋଲା ଅଛି । ଖୁବ୍ ସୁନ୍ଦର ପରଦା ସବୁ ଟଙ୍ଗା ହେଇଛି । ହଠାତ୍ ତା ନଜର ଛାତ ଉପରେ ପଡ଼ିଲା । କେହି ଜଣେ ସ୍ତ୍ରୀ ଲୋକ ଲୁଗା ତୋଳୁଥିବାର ଦେଖିଲା । ଏ ତ ଜଣେ ମଧ୍ୟବୟସ୍କା । ଟିକେ ମୋଟୀ ଆଉ ଚୁଟି କିଛି କିଛି ପାଚି ଯାଇଥାଏ । ଇଏ ତ ନିଶ୍ଚୟ ମାଧବି ହେଇ ନ ଥିବ । ସେ ଖୁବ୍ ଥକି ଯାଇଥିଲା । ଆଉ ଅଧିକ ତର୍ଜମା କରିବାର ଧୈର୍ଯ୍ୟ ବି ତା ପାଖରେ ନଥିଲା । ପରଦା ଟାଣି ଖଟ ଉପରେ ଆସି ଗଡି ପଡିଲା ।
ଠିକ୍ ଚାରିଟା ବେଳେ କଲୋନୀର ସବୁ ଲେଡିଜ୍ ଆସି ପହଞ୍ଚିଗଲେ । ରୂପାଲି ସମସ୍ତଙ୍କୁ ଟ୍ରେରେ ଜୁସ୍ ଆଣି ସର୍ଭ କଲା ।
ଜୁସ୍ ଗ୍ଲାସ୍ ଉଠଉ ଉଠଉ ଗୀତା କହିଲା ଏବେ ତୁମେ ମାଧବି ଦାସର ପଡୋଶୀ ବନିଗଲ । ଆଗକୁ ଆଉ ଆମକୁ ପଚାରିବ ନା ନାହିଁ ???? ସମସ୍ତଙ୍କ ମୁହଁରେ ଏକ ଚପା ହସ ଦେଖିଲା ରୂପାଲି । ସେ ଏକ ପ୍ରଶ୍ନବାଚୀ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁଲା ।
ପୂଜା ସାଙ୍ଗେ ସାଙ୍ଗେ ଟପକି ପଡ଼ି କହିଲା ତାକୁ ସେମିତି କୁହନି, ସେ ମାଧବି ବିଷୟରେ କିଛି ବି ଜାଣିନି । ମୁଁ ହିଁ ଆସି ଖରାବେଳେ ତାକୁ ଏ ଖବର ଦେଇଥିଲି ।
ମାମି ଥଟ୍ଟା କରି କହିଲା ଏବେଠୁ ଆଶୁତୋଷ ବାବୁଙ୍କ ଉପରେ ଭଲକି ନଜର ରଖିବ । ନହେଲେ ସେ ମାୟାବିନୀ କେତେବେଳେ ପ୍ରେମ ଜାଲରେ ଫସେଇ ଦେବ କିଛି ବି ଜାଣି ପାରିବନି, ବୁଝିଲ ! ସମସ୍ତେ ଏକା ସାଙ୍ଗରେ ଫେଁ ଫେଁ ହେଇ ହସି ଉଠିଲେ । ହେଲେ ରୂପାଲିକୁ ଏ ଥଟ୍ଟା ଆଦୌ ପସନ୍ଦ ହେଲାନି । ପୂଜା କଥାଟାକୁ ଆଡଜଷ୍ଟ କରିବା ପାଇଁ କହିଲା, ‘ଚାଲୁନୁ ଭିତରକୁ ଯାହା ଯାହା ଆଇଟମ୍ ସବୁ ବନେଇଚୁ ଆଣିବାରେ ତୋତେ ସାହାଯ୍ୟ କରିବି’, କହି ତାକୁ ଭିତରକୁ ନେଇ ଚାଲିଗଲା । ଚୁପ୍ ଚୁପ୍ କହିଲା ଏ ମାମି ବି ନା କଥାରେ ବାଡବତା ରଖେନି ।
ପୂରା ପାର୍ଟିରେ କେବଳ ମାଧବିର ଚର୍ଚ୍ଚା ଚାଲିଲା । ମୋଟାମୋଟି ଆଲୋଚନାର ସାରାଂଶ ହେଲା ତା'ର ଚରିତ୍ର ଆଦୌ ଭଲ ନୁହେଁ । ସେଇଥି ପାଇଁ ତା ସ୍ୱାମୀ ତାକୁ ଛାଡ଼ିଦେଇଚି । ସୁନ୍ଦରୀ ବୋଲି ଇନ୍ଦ୍ର ଚନ୍ଦ୍ର ମାନେନି । ବବିତା ପଛରେ ଜୋଡିଲା, ସେ ପୁଣି ନାଚବାଲୀ । କେତେ କଳା ତାକୁ ଜଣା ଲୋ ମାଆ !
ମାନେ ! ଆଖି ବଡ ବଡ କରି ରୂପାଲି ପଚାରିଲା ।
ମାମା କହିଲା, କ'ଣ ବୁଝିପାରୁନ ଯେ ?
ପିଲାମାନଙ୍କୁ କାଳେ ନାଚ ବି ଶିଖାଏ । ଘର ଆଗରେ ବୋର୍ଡ଼ ଲଗେଇଚି ପରା । କଲୋନୀକୁ ଏକ ଯାତ୍ରାମଞ୍ଚ କରି ଛାଡିବ ।
ସବୁ ତା ଚର୍ଚ୍ଚାରେ ଏତେ ମଗ୍ନ ଥିଲେ ଯେ ରୂପାଲି ଆଜି ପାଇଁ ସ୍ପେସାଲି କିଣିଥିବା ଷ୍ଟୋନସେଟ୍ କି ଶାଢ଼ୀ କାହାର ନଜରରେ ବି ପଡିଲାନି । କି ତା'ର ଖାଇବା ଉପରେ କେହି କିଛି ଟିପ୍ପଣୀ ବି ଦେଲେନି । ଦୀର୍ଘ ଦୁଇ ଘଣ୍ଟା କେବଳ ତାରି ଆଲୋଚନାରେ କଟିଗଲା । ମୋଟାମୋଟି ବିଷୟବସ୍ତୁ ହେଲା ଯେ ମାଧବି ଏକ ବାଜେ ସ୍ତ୍ରୀଲୋକ । ରୂପାଲିର ମନ ଊଣା ହେଇଗଲା । ଏତେ ସବୁ ପ୍ରସ୍ତୁତି ଅଣଦେଖା ରହିଗଲା । ସବୁ ଯେଝା ଯେଝା ଘରକୁ ଫେରିଯିବା ପରେ ସବୁ ସଜଡ଼ା ସଜଡ଼ି କରି ରଖିଲା ବେଳକୁ ରାତି ହେଇ ଯାଇଥାଏ । ଆଶୁ ଅଫିସରୁ ଫେରିବା ପରେ ଡିନର୍ ଖିଆ ସରିଲା ବେଳକୁ ରୂପାଲି ଖୁବ୍ ଥକି ଯାଇଥାଏ । ହେଲେ ସେ ଚାହୁଁ ଥିଲା ଆଶୁକୁ ନୂଆ ପଡ଼ୋଶୀ ବିଷୟରେ ଯାହା ସବୁ ଶୁଣିଥିଲା କହିବ ବୋଲି । ହେଲେ ତା ଆଖିପତା ତା'ର ସାଥ ଦେଲାନି । ଖଟରେ ପଡୁ ପଡୁ ନିଦ ଲାଗିଗଲା ।
ପର ଦିନ ରବିବାର ଥିଲା । ଆଶୁର ଅଭ୍ୟାସ ସକାଳୁ ଚାଲିବାର । ତେଣୁ ସେ ସକାଳୁ ବାହାରି ଗଲା । ରୂପାଲି ସେମିତି ଶୋଇଥାଏ । ଆଶୁ ଯେତେବେଳେ ଗେଟ ଖୋଲି ବାହାରିଲା । ଏକ ସୁନ୍ଦର ଧୂପ ଝୁଣା ଆଉ କର୍ପୂରର ମିଶାମିଶି ବାସ୍ନା ତା ନାକରେ ବାଜିଲା । ଓଃ ! କି ସୁନ୍ଦର ବାସ୍ନା ସେ ବିମୋହିତ ହେଇଗଲା । ପଡିଶା ଘରୁ ଭାସିଆସିଲା ଶଂଙ୍ଖ ଆଉ ଘଣ୍ଟିର ଶବ୍ଦ । ଏତେ ସକାଳୁ କିଏ ପୂଜା କରୁଛି ??? ତାଙ୍କ ଗେଟ୍ ପାଖରେ ପହଞ୍ଚି ଦେଖିଲା ଦୁଆର ମୁହଁରେ ଖୁବ୍ ସୁନ୍ଦର ଝୋଟି ପଡ଼ିଛି । ଖୁବ୍ ନିଖୁଣ ଭାବରେ ଅଙ୍କା ହେଇଥିଲା । ଆଶୁକୁ ସେ ବାସ୍ନା, ସେ ଧ୍ୱନି, ଆଉ ସେ କମନୀୟ ଝୋଟି ଧୀରେଧୀରେ ସମ୍ମୋହିତ କରୁଥାଆନ୍ତି । ଠିକ୍ ଏଇ ସମୟରେ ସୁଲଳିତ ସ୍ୱରରେ ଭାସିଆସିଲା ମହାମୃତ୍ୟୁଞ୍ଜୟ ମନ୍ତ୍ର । ତା ପାଦ ଆଉ ଆଗକୁ ବଢୁ ନଥାଏ । ହେଲେ ସେ ପ୍ରକୃତିସ୍ଥ ହେଇ ଭାବିଲା ଲୋକ ଦେଖିଲେ କ'ଣ ଭାବିବେ ?? ଏମିତି କାହା ଗେଟ୍ ଆଗରେ ଠିଆ ହେବା ଅଭଦ୍ରାମି । ଜୋର୍ କରି ନିଜ ପାଦକୁ ଆଗକୁ ବଢ଼େଇଲା । ଭାବିଲା ଫେରିଲା ବେଳେ ବରଂ ନୂଆ ପଡ଼ୋଶୀଙ୍କ ସହ ପରିଚୟ ଆଦାନ ପ୍ରଦାନ କରିନେବା ଭଲ ରହିବ । ହୁଏତ ତାଙ୍କ ମିଷ୍ଟର ସକାଳୁ ଉଠି ନଥିବେ । ଆଜି ପୁଣି ରବିବାର ।
ଅନିଚ୍ଛା ସତ୍ତ୍ବେ ଆଗକୁ ବଢିଲା । ଫେରିବା ବେଳକୁ ଘଡି ଦେଖିଲା ଆଠଟା ବାଜି ସାରିଚି । ସେ ଗେଟ୍ ପାଖରେ ଠିଆ ହେଇ ଭାବିଲା ଭିତରକୁ ଯିବି ନା ରୂପାଲି ସହ ମିଶି ପରେ ଆସିବ । ହେଲେ ତା ହାତ ଆପେ ଆପେ ଉଠିଗଲା ଗେଟ୍ ଖୋଲିବାକୁ । ସେ ଧୀରେ ଧୀରେ ବାରଣ୍ଡା ଆଡ଼କୁ ଆଗେଇଲା । ସେଇ ମହମହ ବାସ୍ନା ଏବେ ବି ଖେଳି ବୁଲୁଥାଏ । ଏକ ଲୟରେ ସେଇ ଝୋଟି ଆଡେ ଅନେଇଲା । କି ! ସୁନ୍ଦର ଭାବରେ ଅଙ୍କା ହେଇଛି । ଦେଖିଲେ ମନ ପୂରି ଉଠୁଛି । କଲିଂବେଲକୁ ହାତ ବଢଉ ବଢଉ ଖୁବ୍ ସୁନ୍ଦର ନୁପୂରର ଶବ୍ଦ ଭାସିଆସିଲା । ଶିବତାଣ୍ଡବର ରେକର୍ଡିଂ ତାଳେ ତାଳେ ନୁପୂରର ରାଗିଣୀ । ସବୁକିଛି ରହସ୍ୟମୟ ଲାଗୁଥିଲା ଆଶୁକୁ । ନିଜର ଅହେତୁକ ଜିଜ୍ଞାସାକୁ ଆଉ ଅବଦମିତ କରିପାରିଲା ନାହିଁ । କଲିଂବେଲ ବଜେଇ ଦେଲା । କିଛି କ୍ଷଣ ପରେ ଜଣେ ମଧ୍ୟବୟସ୍କା ଆସି କବାଟ ଖୋଲିଲେ । ଆଶୁ ପରିଚୟ ଦେଲେ ମୁଁ ଆପଣଙ୍କ ପଡୋଶୀ । ମହିଳା ଜଣକ ଅତି ଭଦ୍ର ଭାବରେ ପାଛୋଟି ନେଲେ ଭିତରକୁ । ବସନ୍ତୁ ! ମୁଁ ଡାକି ଦେଉଛି କହି ସେ ଭିତରକୁ ଗଲେ । ହଠାତ୍ ନୁପୂର ଶବ୍ଦ ବନ୍ଦ ହେଇଗଲା । ହେଲେ ଆଶୁ ଚାହୁଁ ଥିଲା ଆହୁରି ଶୁଣିବାକୁ । ତା'ର ଆଖି ପଡ଼ିଲା ସାମ୍ନାରେ ମାର୍ବଲରେ ତିଆରି ମନ୍ଦିର ଉପରେ । ବିରାଟ ନଟରାଜ ମୂର୍ତ୍ତି । ପାଖରେ ମାତା ପାର୍ବତୀ । ସେହିଠାରୁ ଭାସି ଆସୁଥାଏ ସେଇ ନୈସର୍ଗିକ ବାସ୍ନା । ଆଶୁକୁ ତ ପୂରା ଘରଟା ଏକ ମନ୍ଦିର ପରି ଲାଗିଲା । ଏତେ ସକାରାତ୍ମକ ଉର୍ଜା କେବଳ ଏକ ମନ୍ଦିରରେ ହିଁ ମିଳିଥାଏ । ସତେକି ନଟରାଜ ସ୍ୱଦେହରେ ଏଠି ବିଦ୍ୟମାନ । ଏତେ ଜୀବନ୍ତ ଲାଗୁଥାଏ ସେ ମୂର୍ତ୍ତି । ତା'ର ହାତ ଆପେ ଆପେ ଉଠିଗଲା, ପ୍ରଣାମ କଲା ।
ଆଜ୍ଞା ନମସ୍କାର ! ଏକ ସୁଲଳିତ କଣ୍ଠ ଶୁଣି ଆଶୁ ସେଇ ଆଡ଼କୁ ଅନେଇଲା । ଇଏ କ'ଣ ମାନବି ???? ନା ନା ଏମିତି ଐଶ୍ୱରୀୟ ସୁନ୍ଦରତା ପୃଥିବୀରେ କ'ଣ ସମ୍ଭବ ???? ସେ ଅନେକ ସୁନ୍ଦରୀ ଦେଖିଛି ହେଲେ ଇଏ ତ ଅଲଗା ପ୍ରକାରର । ଟଣା ଟଣା ବଡ଼ ଆଖି, ସୁନ୍ଦର ନାଶିକା ପ୍ରତି ଟି ଅଙ୍ଗପ୍ରତ୍ୟଙ୍ଗରେ ଭରି ରହିଛି ସୁନ୍ଦରତା । ପୂରା ମାପଚୁପରେ କୋଉ କାରିଗର ଗଢିଛି ଯେମିତି । ଇଏ ଦେବୀ ଭିନ୍ନ ଆଉ କେହି ନ ହେଇ ପାରନ୍ତି । ଆଶୁର ଅନ୍ୟମନସ୍କତା ଦେଖି ସେ ଟିକେ ହସି ପକେଇଲା । ଆଶୁକୁ ଏମିତି ଲାଗିଲା ଯେମିତି ସାରା ବିଶ୍ୱ ଏଇ ହସ ଟିକେରେ ପରିତୃପ୍ତ ହେଇଗଲା । ଚମକି ପଡ଼ି ହାତଯୋଡି ପ୍ରତି ନମସ୍କାର ଜଣେଇଲା । ମାଧବି ଆସି ତା ସାମ୍ନାରେ ବସିଲା ।
ନାଇଁ ମାନେ ! ମୁଁ ଆଶୁତୋଷ ମହାନ୍ତି ଆପଣଙ୍କ ପଡୋଶୀ । ତିନି ନଂ - ଘର ଆମର । ଆଜି ରବିବାର ତ ସେଇଥି ପାଇଁ ମୁଁ ଭାବିଲି ଟିକେ ଚିହ୍ନା ପରିଚୟ ହେଇ ଆସିବା । ଆପଣଙ୍କ ମିଷ୍ଟର ବୋଧହୁଏ ଉଠିନାହାନ୍ତି, ମୁଁ ନ ହେଲେ ସଂନ୍ଧ୍ୟାରେ ମୋ ମିସେସଙ୍କୁ ଧରି ଆସିବି । ବୋଧହୁଏ ମୁଁ ଆପଣମାନଙ୍କୁ ଡିଷ୍ଟର୍ବ କଲି । ସରି !
ଗଙ୍ଗା ମାଉସୀ ଟିକେ ଚା କରି ଆଣ ତ ! ଆରେ ନା ନା ସେମିତି କାହିଁକି ଭାବୁଛନ୍ତି । ମୁଁ ସିଙ୍ଗଲ୍, ଡିଭୋର୍ସି ।
ଓଃ ଆଇ ଆମ୍ ସରି ! ମୁଁ ଜାଣି ନଥିଲି । ଆଶୁକୁ ଲାଗିଲା ଏଠି ଆଉ ବସିବା ଠିକ୍ ହେବନି । ସେ ଉଠି କହିଲା ମୁଁ ମିସେସଙ୍କୁ କହିବି ସେ ପରେ କେବେ ଆସି ଆପଣଙ୍କ ସହ ଦେଖାକରି ଯିବେ ।
ନାଇଁ ନାଇଁ ବସନ୍ତୁ । ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି । ଖାଲି ଖାଲି ଚାଲିଯିବେ । ଭଲ ଲାଗିବନି । ଟିକେ ଚା ପିଇ ଦେଇଯିବେ । ମାଉସୀ ସାଙ୍ଗେ ସାଙ୍ଗେ ବନେଇ ଆଣିବେ ।
କାହିଁକି କେଜାଣି ଆଶୁ ସେ ଅନୁରୋଧକୁ ଆଡେଇ ପାରିଲାନି । କୁଣ୍ଠିତ ହେଇ ବସିଲା । କଥା ଆଗକୁ ବଢେଇବା ପାଇଁ କହିଲା, ଆପଣ ଘରକୁ ଠିକ୍ ଗୋଟିଏ ମନ୍ଦିର ପରି ସଜେଇଛନ୍ତି ।
ଧନ୍ୟବାଦ ! ଆପଣଙ୍କ ଘରେ କିଏ କିଏ ଅଛନ୍ତି ???
ମୁଁ ଆଉ ମୋ ମିସେସ୍ । ଏଇ ବର୍ଷେ ହେବ ମ୍ୟାରେଜ୍ ହେଇଛି ।
ଓଃ ! ଆଚ୍ଛା । ଏଠି ମୁଁ ଆଉ ଗଙ୍ଗା ମାଉସୀ ରହୁ । ବହୁତ କୁନି କୁନି ପିଲାମାନେ ଅଛନ୍ତି ଯେଉଁମାନେ ଅନେକ ଦିନରୁ ନାଚ ଶିଖନ୍ତି ମୋଠାରୁ । ସେମାନଙ୍କୁ ବି ମୁଁ ମୋ ପରିବାର ବୋଲି ଭାବେ । ଆପଣଙ୍କର ସରି କହିବା, କିଛି ଆବଶ୍ୟକତା ନଥିଲା । ମୋର ବିବାହ ଆଉ ଡିଭୋର୍ସ ହେବାର ପାଖାପାଖି ବର୍ଷେ ହେଇଗଲାଣି । ହେଲେ ମୋଟାମୋଟି ମୋ ଜୀବନକୁ ନେଇ ମୁଁ ବହୁତ ଖୁସି ।
ଆଶୁ ମନେମନେ ଭାବିଲା କିଏ ସେହି ହତଭାଗା ଏମିତି ଦେବୀ ପରି ସ୍ତ୍ରୀକୁ ଏତେ କମ୍ ଦିନ ଭିତରେ ଡିଭୋର୍ସ ଦେଇଦେଲା ????
ମାଧବି ଅଳ୍ପ ହସି କହିଲା ଆପଣ ଯେମିତି ଭାବୁଛନ୍ତି ସେମିତି କିଛି କଥା ନାହିଁ ।
ଆଶୁ ହଠାତ୍ ଚମକି ପଡ଼ିଲା ମୁଁ କ'ଣ ଭାବୁଛି ସେ କେମିତି ଜାଣିଲା ?? ନାଇଁ ... ମାନେ ....ଏତେ ଅଳ୍ପ ଦିନ ଭିତରେ ଡିଭୋର୍ସ ହେଇଗଲା କାହିଁକି ?? କିଛି ମାଇଣ୍ଡ କରିବେନି, ହଠାତ୍ ମନକୁ ଆସିଲା ଏଇ ପ୍ରଶ୍ନ ।
ଗଙ୍ଗା ମାଉସୀ ଚା ନେଇ ଆସିଲେ । ମାଧବି ଚା କପ୍ ଟି ବଢେଇ ଦେଇ କହିବା ଆରମ୍ଭ କଲା । ମୋ ବାପା ଆଉ ଶଶୁର ଦୁହେଁ ବାଲ୍ୟବନ୍ଧୁ । ସେ ଯେତେବେଳେ ମୋତେ ଦେଖିଲେ ବୋହୂ କରିବାକୁ ଏକ ପ୍ରକାର ଜିଦ୍ କଲେ । ଅଂଶୁମାନ କର ମୋ ସ୍ୱାମୀ । ବିଦେଶରେ ଏକ ବଡ଼ କଂପାନୀରେ ସିଇଓ । ମୋ ବାପା ମାଆ ବି ବହୁତ ଖୁସି ଥିଲେ ଏଇ ପ୍ରସ୍ତାବରେ । ୟାଠାରୁ ଭଲ ପ୍ରସ୍ତାବ ଆଉ କ'ଣ ମିଳିପାରେ ?? ଅଳ୍ପ ଦିନ ଭିତରେ ଆମ ବାହାଘର ବି ହେଇଗଲା ।
ବାହାଘର ପରେ ଅଂଶୁ ମୋତେ ଏକାନ୍ତରେ ଡାକି ନେଇ ସବୁକଥା କହିଲେ । ସେ ସେଠି ଜଣଙ୍କୁ ବହୁତ ଭଲ ପାଉଛନ୍ତି । ଆଉ ତାକୁ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ଏଥିରେ ବାପା ଜମା ରାଜି ହେଉନାହାନ୍ତି । ଖାସ୍ ସେଇଥିପାଇଁ ମୁଁ ତାଙ୍କୁ ଏ ବିଷୟରେ ଆଦୌ କିଛି ଜଣେଇ ନାହିଁ । ହେଲେ ହଠାତ୍ ସେ ତାଙ୍କ ଦେହ ଖରାପର ବାହାନା କରି ମୋତେ ଡକେଇ ଜବରଦସ୍ତ ଏ ବାହାଘର କରେଇ ଦେଲେ । ଏବେ ମୁଁ ଦୋଛକିରେ ଠିଆ ହେଇଚି । ନାଁ ଏପଟକୁ ଯାଇ ପାରୁଚି ନାଁ ସେପଟକୁ । ତାକୁ ପ୍ରତ୍ୟାଖାନ କରିବା ମୋ ପକ୍ଷରେ ଅସମ୍ଭବ ଆଉ ତୁମକୁ ଗ୍ରହଣ କରିବା ବି ସମ୍ଭବ ନୁହେଁ । ଏବେ ମୁଁ କ'ଣ କରିବି ଜାଣି ପାରୁନି । ତୁମକୁ ଗ୍ରହଣ କଲେ ଆମ ତିନିଜଣଙ୍କ ଜୀବନ ନଷ୍ଟ ହେଇଯିବ । ଆଉ ତୁମକୁ ଛାଡ଼ିଲେ ତୁମର ଜୀବନ ନଷ୍ଟ ହେଇଯିବ । ସେ ସେଠି ଏଇ ବାହାଘର ବିଷୟରେ କିଛି ବି ଜାଣିନି । ଯଦି ଜାଣେ ସେ କ'ଣ ଯେ କରି ବସିବ ମୁଁ ଭାବିପାରୁନି ......।
ଅନେକ ସମୟର ନିରବତା ଭଙ୍ଗ କରି ରୂପାଲି କହିଲା ବରଂ ଆପଣ ମୋତେ ଛାଡ଼ି ଦେବାଟା ଠିକ୍ ରହିବ । କମ୍ ସେ କମ୍ ଦୁଇ ଜଣ ତ ଖୁସିରେ ରହିପାରିବେ । ଏମିତିରେ ଆମେ ସମସ୍ତେ କଷ୍ଟ ପାଇବା । ମଉସାଙ୍କୁ ମୁଁ ବୁଝେଇ ଦେବି । ଆପଣ କିଛି ଅରଜେଣ୍ଟ କାମର ବାହାନା କରି ଏଠାରୁ ଶିଘ୍ର ଚାଲି ଯାଆନ୍ତୁ । ମୁଁ ଏଠି ସବୁ ସମ୍ଭାଳି ନେବି । ଅଳ୍ପ ଦିନ ପରେ ସେଠୁ ଆପଣ ଗୋଟେ ଲେଟର ଦେବେ । ଆପଣଙ୍କ ଭଲପାଇବା ବିଷୟକୁ ନେଇ ମୋ ପାଖକୁ । ତାପରେ ମୁଁ ଏଠି ସବୁ ଠିକ୍ କରିଦେବି ।
ଅଂଶୁ ଖୁବ୍ ଭାବପ୍ରବଣ ହୋଇ ପଡ଼ିଥିଲେ । ସେ ମୋର ଅତି ନିକଟକୁ ଚାଲିଆସି, ମୋ ହାତ ଦୁଇଟିକୁ ଜାବୁଡ଼ି ଧରି କାନ୍ଦି ପକେଇଥିଲେ । କହିଲେ ମୁଁ ନିଜକୁ କେବେବି କ୍ଷମା କରିପାରିବି ନାହିଁ । ଏ ଅବଶୋଶ ମୋର ଜୀବନ ସାରା ରହିବ । ତୁମ ଭଳି ସ୍ତ୍ରୀ ପାଇବା ଅତ୍ୟନ୍ତ ଗୌରବର କଥା ହେଲେ ମୁଁ ଏମିତି ଏକ ହତଭାଗା ତୁମକୁ ପାଇକି ବି ପାଇ ପାରୁନି । ପାରିବ ଯଦି ମୋତେ କ୍ଷମା କରିଦେବ । ଆଉ ମୋତେ ଯଦି ତୁମର ଏକ ଭଲ ବନ୍ଧୁଟିଏ ଭାବରେ ଗ୍ରହଣ କରିବ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେକରିବି । ତୁମେ ମୋତେ ଘୃଣା କରିବନି ତ ???? ପ୍ଲିଜ୍ କିଛି କୁହନା, ଏମିତି ଚୁପ୍ ରୁହନା .....।
ଆରେ ନା ନା ଆପଣ ସେମିତି କାହିଁକି ଭାବୁଛନ୍ତି । ଏଥିରେ ଆପଣଙ୍କ କିଛି ବି ତ ଭୂଲ ନାହିଁ । ଏଇଟା ଗୋଟେ ନିୟତିର ଖେଳ । ଆପଣ ଯେବେ ବି ଚାହିଁବେ ମୋ ସାଙ୍ଗେ କଥା ହେଇ ପାରିବେ । ଅନେକ ସମୟ ଯାଏ ମୋ ହାତକୁ ଧରି ବସି ରହିଲେ ।
ତା ପରେ ସେ ଫେରି ଗଲେ । ମୋ କହିବା ଅନୁସାରେ ଚିଠି ବି ଦେଲେ । ଘରେ ସମସ୍ତେ ଏ କଥା ଜାଣିଲେ । ଶଶୁର ଖୁବ୍ ରାଗିଯାଇ ତାଙ୍କୁ ତେଜ୍ୟପୁତ୍ର କରିଦେବେ ବୋଲି କହିଲେ । ଆଉ କହିଲେ, ସେ କ'ଣ ତୋତେ ଡିଭର୍ସ ଦେବ, ତୁ ତାକୁ ଡିଭୋର୍ସ ଦେ । ସେ କୁଳାଙ୍ଗାରର ମୁହଁ ମୁଁ କେବେବି ଚାହିଁବିନି । ଆଜିଠୁ ତୁ ମୋର ଝିଅ । ତୋର ଆଉ ଥରେ ବିବାହ କରେଇବି । ତାଠାରୁ ଆହୁରି ଶହେ ଗୁଣ ଭଲ ପାତ୍ର ସହ । ସମୟକ୍ରମେ ଆମର ଡିଭୋର୍ସ ହେଇଗଲା । ଧୀରେଧୀରେ ଶଶୁରଙ୍କ ରାଗ ବି ଶାନ୍ତ ହେଇଗଲା । ସେ ମୋର ଅନ୍ୟତ୍ର ବିବାହ କରେଇବାକୁ ଜିଦ୍ ଧରିଲେ । ହେଲେ ମୁଁ ରାଜି ହେଲିନି । ମୁଁ ଯଦି ଆପଣଙ୍କ ଝିଅ ହେଇ ଏଇଠି ସବୁ ଦିନ ରହେ ତା ହେଲେ ଆପଣ କ'ଣ ଖୁସି ହେବେନି ????
ସେ ଖିଲି ସବୁବେଳେ କହୁଥାନ୍ତି ତୋର ଏଇ ଖାଲି ସିନ୍ଥା ମୋତେ ବହୁତ କଷ୍ଟ ଦେଉଛି ଆଉ ଅପରାଧବୋଧ କରଉଛି । ତୋର ବାହାଘର କରେଇଦେଲେ କମ୍ ସେ କମ୍ ମୁଁ ଶାନ୍ତିରେ ମରି ତ ପାରିବି । ହେଲେ କାହିଁକି କେଜାଣି ଦ୍ୱିତୀୟ ବିବାହ ପାଇଁ ମୋର ଆଦୌ ଇଚ୍ଛା ହେଲାନି। ସାହି ପଡିଶା ଟାହିଟାପରା କରିବା ଆରମ୍ଭ କରିଦେଲେ । ଏଇଟା ତ ମଣିଷ ସମାଜର ସ୍ୱଭାବ । ଦିନେ ଶଶୁରଙ୍କୁ କହିଲି ମୁଁ ପିଲାମାନଙ୍କୁ ନାଚ ଶିଖଉଥିଲି । ଆପଣ ଯଦି ଅନୁମତି ଦେବେ ସେମାନଙ୍କୁ ପୁଣି ନାଚ ଶିଖେଇବି । ମୋର ସମୟ ବି ଅତିବାହିତ ହେଇ ଯିବ । ଘରେ ଖାଲି ବସି ବସି ବୋର୍ ଲାଗୁଚି । ସେ ଅନୁମତି ଦେଇଦେଲେ । ହେଲେ ଟାହିଟାପରାର ମାତ୍ରା ଦିନକୁ ଦିନ ବଢି ଚାଲିଲା । ବୋହୂକୁ ନାଚବାଲୀ କରି ନଚେଇଲେଣି ....। ପଇସା ରୋଜଗାରର ଭଲ ପନ୍ଥା । ବୁଢ଼ାବୁଢ଼ୀଙ୍କ ମୁଣ୍ଡ ଖରାପ ହେଇଗଲାଣି ବୋଧହୁଏ । ଏମିତି ବହୁତ କଥା । ଶାଶୁ ଶଶୁର ବି ଅତିଷ୍ଠ ହେଇ ପଡିଲେ । ମୁଁ ଲେଖାଲେଖି କରେ । ତାହା ବି ଏମିତି ପରିବେଶରେ ଏକଦମ୍ ବନ୍ଦ ହେଇଗଲା । ମନେ ମନେ ଠିକ୍ କଲି ଏଠୁ ଦୂରକୁ ଯିବାକୁ ହିଁ ପଡ଼ିବ । ନହେଲେ ଶାଶୁଶଶୁର ସବୁବେଳେ ମାନସିକ ଅବସାଦ ଭିତରେ ରହିବେ । ଆଉ ମୁଁ ବି । ଅନ୍ୟକୁ ସମାଲୋଚନା କରିବା ଏଇଟା ତ ଲୋକମାନଙ୍କ ଅଭ୍ୟାସ । ସେମାନଙ୍କ ମୁହଁ ବନ୍ଦ କରି ହେବ ନାହିଁ । ଆଉ ସବୁଠୁ ବଡ଼ କଥା ହେଲା ମୁଁ ଏଠି ରହିଲେ ଅଂଶୁ କେବେ ବି ନିଜ ଘରକୁ ଆସି ପାରିବେନି । କାରଣ ମୁଁ ଏଠି ରହିଲେ ଶଶୁର କେବେବି ତାଙ୍କୁ କ୍ଷମା କରିବେନି । ସେ କ୍ଷତ ସବୁବେଳେ ତାଜା ହେଇ ରହିବ । ଶାଶୁ ଯେତେ ହେଲେ ବି ସେ ଜଣେ ମାଆ । ସେ ସିନା ମୋ ଆଗରେ କିଛି କୁହନ୍ତିନି । ହେଲେ ମନେମନେ ସେ ତାଙ୍କର ଏକମାତ୍ର ପୁଅକୁ ଝୁରିହୁଅନ୍ତି । ପ୍ରାୟ ବର୍ଷେ ପାଖାପାଖି ହେବ ସେ ତାଙ୍କୁ ଦେଖିନାହାନ୍ତି । ବାଧ୍ୟ ହେଇ ଶଶୁରଙ୍କୁ କହିଲି ଏଇ ଯୋଉ ପିଲାମାନେ ନାଚ ଶିଖୁଛନ୍ତି ସେମାନଙ୍କୁ ଏଠିକି ଆସିବାକୁ ଦୂର ହେଉଛି । ମୁଁ ସିୟାଡେ ଘର ନେଇ ରହିଲେ ସେମାନଙ୍କୁ ସୁବିଧା ହେବ । ଶଶୁର ମୋ ମନକଥା ବେଶ୍ ବୁଝିପାରିଲେ । ଜାଣିଲେ ଏଇଟା ଗୋଟେ ବାହାନା ମାତ୍ର । ହେଲେ ସତ କଥା ହେଲା ବିଚାରିର କିଛି ଦୋଷ ନାହିଁ । ହେଲେ ଲୋକଙ୍କ ଏତେ ଟାହିଟାପରା ଶୁଣିବାକୁ ପଡୁଛି । ତାକୁ ଏ ନର୍କରୁ ଉଦ୍ଧାର ମିଳିବା ଦରକାର । ତେଣୁ ସେ ଅନୁମତି ଦେଇଦେଲେ । ହେଲେ କାଳେ ମୁଁ ଏକୁଟିଆ ଅନୁଭବ କରିବି ସେଇଥି ପାଇଁ ଏଇ ଗଙ୍ଗା ମାଉସୀକୁ ମୋ ସାଙ୍ଗରେ ପଠେଇଲେ । ଇଏ ଶଶୁରଙ୍କ ଜଣେ ଦୂରସଂପର୍କୀୟ ବିଧବା ଭଉଣୀ । ଯିଏ କି ଗାଁରେ ଏକୁଟିଆ ରହୁଥିଲେ । ଏଇ ହେଉଛି ମୋ କାହାଣୀ ।
ଆଶୁ ଚା ପିଇ ସାରିଥାଏ । ହେଲେ ତା ମନ ଖୁବ୍ ଭାରାକ୍ରାନ୍ତ ହେଇ ଯାଇଥାଏ । ଏକ ଦୀର୍ଘନିଃଶ୍ଵାସ ଛାଡି କହିଲା ଆଚ୍ଛା ! ମୁଁ ଏବେ ଆସୁଛି । ଉଠି ଠିଆ ହେଲା । ନମସ୍କାର କରି ବାହାରି ଆସିଲା । ସତରେ ଜୀବନ ନାଟକ କେଡେ ବିଚିତ୍ର । ଯେତେ ଚରିତ୍ର ସେତେ କାହାଣୀ । ହେଲେ ଆଶୁକୁ କାହିଁକି କେଜାଣି ବାର ବାର ଲାଗୁଥିଲା ଇଏ ଜଣେ ସାଧାରଣ ନାରୀ ନୁହଁ । ରୂପରଙ୍ଗ ତ ଏକ ଦେବୀ ପରି । ନିଶ୍ଚୟ ଏକ ବିଶେଷ ଉଦ୍ଦେଶ୍ୟ ନେଇ ୟାର ଜନ୍ମ । ଯେମିତି ସ୍ୱୟଂ ଜଗଜ୍ଜନନୀ ଧରାବତରଣ କରିଛନ୍ତି । ଏମିତି ଅନେକ କଥା ଭାବୁ ଭାବୁ ଘରେ ପହଞ୍ଚିଲା ।
ରୂପାଲି ଆଶୁକୁ ଖାଲି ହାତରେ ଦେଖି ପଚାରିଲା । ତମେ କ'ଣ କିଛି ଆଣିନ ??? ତମର ଡେରି ହେବାର ଦେଖି, ଭାବିଲି ତମେ ମାର୍କେଟ ଆଡେ ଯାଇଚ ବୋଲି । ହେଲେ ଏତେ ସମୟ ହେଲା କୋଉଠି ଥିଲ ???
ମୁଁ ଆମର ଯେଉଁ ନୂଆ ପଡିଶା ଆସିଛନ୍ତି ତାଙ୍କରି ଘରକୁ ଯାଇଥିଲି । ସେ ଜଣେ ସିଙ୍ଗିଲ୍ ଲେଡି ।
ରୂପାଲି ପାଦ ତଳୁ ଯେମିତି ମାଟି ଖସି ଗଲା । ତୁମେ ଏତେ ସମୟ ଧରି ତାଙ୍କ ଘରେ କ'ଣ କରୁଥିଲ ?? ଯେତେବେଳେ ଜାଣିଲ ସେ ଏକୁଟିଆ ରହୁଚି । ତମର ଚାଲି ଆସିବାର ଥିଲା । ଏଠି ସମସ୍ତେ ତା ବିଷୟରେ ଅନେକ କଥା କହୁଛନ୍ତି । ମୁଁ ରାତିରେ ସେ ସବୁ ତମକୁ କହିବାକୁ ଚାହୁଁଥିଲି । ହେଲେ ଏତେ ଟାୟାର୍ଡ ହେଇଯାଇଥିଲି ଯେ ଶୋଇପଡିଲି । ତମକୁ ଯଦି କେହି ଦେଖିଥିବେ ତା ଘରକୁ ଯିବାର ତେବେ କେତେ କଥା କହିବେ ସମସ୍ତେ । ଯୋଉ କଥାକୁ ଡରୁଥିଲି ତମେ ସେୟା କଲ ।
ସେ ସବୁ ବାଜେ କଥା । ଲୋକଙ୍କ କାମ ଏମିତି ଅପପ୍ରଚାର କରିବା । ତମେ ନିଜେ ଯାଇ ତା ସହ ମିଶି ଆସ । ତେବେ ଜାଣିବ ସେଥିରେ କେତେ ସତ କେତେ ମିଛ ଅଛି । ଏଠି କେହି ତାକୁ ଜାଣିନାହାନ୍ତି, ହେଲେ ଅପପ୍ରଚାର ଆଗେ ଆସି ପହଞ୍ଚି ଯାଇ ସାରିଲାଣି । ସତରେ ତୁଣ୍ଡ ବାଇଦ ସହସ୍ର ଯୋଜନ । ନା ନା କପୋଳକଳ୍ପିତ ଅଂଶ ଯୋଡ଼ି ତା କାହାଣୀକୁ ଏକ କିମ୍ବଦନ୍ତୀ ବନେଇ ସାରିଲେଣି । ଏ ସମାଜ ଭଲ ଭାବରେ ଜାଣେ ଯଦି ଜଣେ ସ୍ତ୍ରୀ ଲୋକ ଏକୁଟିଆ ରହୁଚି ତାହେଲେ ତା ଚରିତ୍ରକୁ ଆଗ ସଂହାର କରିଦିଅ । ସେ ଦୂର୍ବଳ ହେଇଯିବ । ଆଉ ତା'ର ଫାଇଦା ସହଜ ଭାବରେ ଉଠେଇ ହେବ । ସତରେ କେତେ ବିଚିତ୍ର ଆଉ କୁତ୍ସିତ ଏ ସମାଜ ।
ଉଁ ! ସେମିତି କିଛି ନଥିଲେ ଲୋକ କ'ଣ ଏମିତି ଖାଲିଟାରେ କୁହନ୍ତେ ?? ଶୁଣିଛି ସେ କାଳେ ବହୁତ ସୁନ୍ଦରୀ। ସୁନ୍ଦରୀମାନଙ୍କ ପଛରେ ତ ଏ ସାରା ଦୁନିଆ ପାଗଳ । ଖବରଦାର ତମେ ଆଉ ତା ଘରକୁ କେବେ ଯିବନି । ଅଜାଣତରେ ଥରେ ଚାଲିଗଲ ଚାଲିଗଲ, ବୁଝିଲ !!!
ଆଶୁ ସେ ବିଷୟରେ ଅଧିକ ଚର୍ଚ୍ଚା କରାବାକୁ ଚାହୁଁ ନଥିଲା । ତେଣୁ ସେ ଓକେ, କହି ଉଠିଗଲା । ଭଲ ଭାବେ ଜାଣେ ସ୍ତ୍ରୀ ଲୋକ ମାତ୍ରେ ହିଁ ସନ୍ଦେହୀ । ଯଦି ମାଧବିକୁ ନେଇ ବେଶୀ ଓକିଲାତି କରିବି, ରୂପାଲି ବି ମୋତେ ସନ୍ଦେହ କରିବା ଆରମ୍ଭ କରିଦେବ ।
ୟା ଭିତରେ କିଛି ମାସ କଟିଗଲା । ବେଳେ ବେଳେ ରୂପାଲି ଆସି ମାଧବି ବିଷୟରେ କିଛି କିଛି ଉଡା ଖବର ଶୁଣି ଆସି ଆଶୁକୁ କୁହେ । ସେ ସବୁ ଶୁଣି ଆଶୁ ନଶୁଣିଲା ଭଳି ରହିଯାଏ । ତାକୁ ସବୁବେଳେ ଲାଗେ ଏମିତି କିଛି ନା କିଛି ଘଟିବ ସମସ୍ତଙ୍କ ମୁହଁ ଏକେବାର ଚୁପ୍ ହେଇଯିବ । ମାଧବିକୁ ଭେଟି ସାରିବା ପରେ ଆଶୁର ଦୃଢ଼ ବିଶ୍ୱାସ ହେଇଯାଇଥିଲା କି ସେ ଏକ ସାଧାରଣ ନାରୀ ନୁହଁ ।
ହଠାତ୍ ଦିନେ ସକାଳୁ ଇଂରାଜୀ ପେପର ଫ୍ରଣ୍ଟ ପେଜ୍ରେ ମାଧବିର ଫୋଟ ଦେଖି ଆଶୁ ଚମକି ପଡ଼ିଲା । ଏକ ନିଃଶ୍ୱାସରେ ଆମୂଳଚୂଳ ପଢିଗଲା । ଜୋରରେ ଚିତ୍କାର କରି ଉଠିଲା, ଆଇ ନ୍ୟୁ ଇଟ୍ !!!! ସେ ଏତେ ଜୋରରେ କହିଲା ଯେ ରୂପାଲି ରୋଷେଇ ଘରୁ ବାହାରି ଆସି ଆଶ୍ଚର୍ଯ୍ୟ ହେଇ ପଚାରିଲା କ'ଣ ହେଲା ??? ଏଇ ଦେଖ ମାଧବିର ଫୋଟ ବାହାରିଚି ଆଜି ପେପରରେ । ସତରେ ସେ ଆଜି କିମ୍ବଦନ୍ତୀ ପାଲଟି ଯାଇଛି । ଆଉ ଯେତକ କଳ୍ପନାଜଳ୍ପନା ଏ ସମାଜ ତା କାହାଣୀରେ ଯୋଡି ଥିଲା ନା ସେ ସବୁ ହଟିଯାଇଚି । ଉଇ ସୁଡ୍ ପ୍ରାଓଡ୍ ଆଫ ହର୍ । ଆଜି ଜଣା ପଡ଼ିଲା ମାଧବିର ପେନନେମ୍ ମଧୁବୀଣା । ଓଃ ମାଇ ଗଡ୍ !!
କାଇଁ ସେ ଏମିତି କ'ଣ କଲା କି ??? ରୂପାଲି ଆଶ୍ଚର୍ଯ୍ୟ ହେଇ ପଚାରିଲା ।
ଏଠି ଆସି ମୋ ପାଖରେ ବସ । ମୁଁ କହୁଚି ସେ କ'ଣ କଲା । ସେ ଜାଣିବା ପାଇଁ ତରତର ହେଇ ଆସି ବସିପଡିଲା । ଏଇ ମାଧବି ଦାସ ଜଣେ ବିଶିଷ୍ଟ ପ୍ରାବନ୍ଧିକା ଆଉ ପ୍ରତିଷ୍ଠିତ କଲମନିଷ୍ଟ ବି । ଦେଶ ଆଉ ବିଶ୍ୱର ବିଭିନ୍ନ ସମସ୍ୟା ଓ ତା'ର ସରଳ ସମାଧାନକୁ ନେଇ ଅନେକ ସୁନ୍ଦର ସୁନ୍ଦର ଆର୍ଟିକଲ ସେ ପେପରରେ ଲେଖେ । ମୁଁ ବି ତା'ର ବହୁତ ଗୁଡେ ଆର୍ଟିକାଲ ପଢିଛି । ଖୁବ୍ ଉଚ୍ଚକୋଟୀର ତା'ର ଲେଖା ସବୁ । ହେଲେ ସେ ସବୁଥିରେ ତା'ର ଛଦ୍ମନାମ 'ମଧୁବୀଣା' ଲେଖେ । ସବୁଠୁ ବଡ଼ କଥା ହେଲା ଆମର ପ୍ରଧାନମନ୍ତ୍ରୀ ତାକୁ ତାଙ୍କର ବିଶେଷ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି । ଏହା ଭାରତ ଇତିହାସରେ ବିରଳ । ଖାଲି ସେତିକି ନୁହଁ ଜାତିସଂଘରୁ ବି ପରାମର୍ଶଦାତା ହେବାର ଆମନ୍ତ୍ରଣ ପାଇଛି । ଏତେ ଅଳ୍ପ ବୟସରୁ ଏପରି ସୁଯୋଗ ପାଇବା କ'ଣ କମ୍ କଥା । ରୂପାଲି ଅବିଶ୍ୱାସ ଭରା ଆଖିରେ ଆଶୁକୁ ଚାହିଁ ରହିଥାଏ ।
ବୁଝିଲ ରୂପାଲି କାହିଁକି କେଜାଣି ଏଇଟା ପଢି ସାରିବା ପରେ ଭାରତ ଦିନେ ବିଶ୍ଵଗୁରୁ ହେବ, ସେ ବିଶ୍ୱାସ ଏବେ ମୋର ଦୃଢ଼ ହେଇଯାଉଛି । ସତରେ ଆଗାମୀ ଦିନରେ ମାଧବି ଇତିହାସର ପୃଷ୍ଠାରେ ଏକ କିମ୍ବଦନ୍ତୀ ହେଇ ଯୁଗ ଯୁଗ ପାଇଁ ରହି ଯିବ ।
ଏ ସବୁ ଶୁଣି ସାରିବା ପରେ ରୂପାଲି ଧୀରେ କହିଲା ମୁଁ ବୋଧହୁଏ ମାଧବିକୁ ପଡୋଶୀ ହିସାବରେ ଭେଟିବାରେ ବହୁତ ଡେରି କରିଦେଇଛି । ଅନେକ ସମୟରେ ସମାଜ ଦ୍ୱାରା ବନ୍ଧା ଅନ୍ଧପୁଟୁଳି ଯୋଗୁଁ ବିବେଚନାରେ ବହୁତ ବଡ଼ ତ୍ରୁଟି ହେଇଯାଏ । ଖୁବ୍ ଅନ୍ୟମନସ୍କ ଭାବରେ କହିଲା, ହେଇଟି ଶୁଣୁଚ ଆଜି ସନ୍ଧ୍ୟାରେ ଆମେ ଦୁହେଁ ତାକୁ ଦେଖା କରିବାକୁ ଯିବା । ପୁଣି ଆଉ କେବେ ଭେଟ ହେବ କି ନ ହେବ .........????