Lipi Sahoo

Abstract

4.0  

Lipi Sahoo

Abstract

ସମାନ୍ତର ବ୍ରହ୍ମାଣ୍ଡ

ସମାନ୍ତର ବ୍ରହ୍ମାଣ୍ଡ

4 mins
137


ମୋ ସାମ୍ନାରେ ଏକ ବିଧ୍ୱସ୍ତ ପୃଥିବୀ । ଚାରିଆଡେ କଂକ୍ରିଟର ଛୋଟଛୋଟ ପାହାଡ ଆଉ ପାଉଁଶର ଗଦା । ନା ସେଠି ଅନ୍ଧାର ଅଛି ନା ଆଲୋକ ଏକ ଧୂସର ଗୋଧୂଳି ବିରାଜିତ । କାଁ ଭାଁ ଜଣେ ଦୁଇଜଣ ଦୃଷ୍ଟିଗୋଚର ହେଉଛନ୍ତି । ସମସ୍ତେ ଅପରିଚ୍ଛନ୍ନ ଛିନ୍ନବସ୍ତ୍ର ପରିହିତ । ମୁଣ୍ଡବାଳ ମଇଳା ଆଉ ଅଲରାବଲରା । ଦେହସାରା ଧୂଳି ଆଉ ପାଉଁଶର ଗାଢ ଆସ୍ତରଣ । ସମସ୍ତେ ଅନେକ ଦିନରୁ କ୍ଷୁଧିତ ଆଉ ତୃଷାର୍ତ୍ତ ହେଲେ ଜଣା ନାହିଁ କେବେଠୁ । କେହି କାହା ସହ କଥାବାର୍ତ୍ତା ହେଉ ନଥାନ୍ତି । ସମସ୍ତେ କିଛି ଖୋଜିବାରେ ବ୍ୟସ୍ତ ତେବେ କ'ଣ ଖୋଜୁଛନ୍ତି ଜଣାନାହିଁ । ମୁଁ ବି ବିସ୍ମୃତ ଏଠି କାହିଁକି ଅଛି ଆଉ କେବେଠୁ ଅଛି ?? ମୋର କେହି ନିଜର ବୋଲି ଥିଲେ କି ନାହିଁ ମନେ ପଡୁନି। ମୁଁ ଚାଲୁଚି ସତ ହେଲେ ଦୃଶ୍ୟପଟ୍ଟରେ କୌଣସି ପରିବର୍ତ୍ତନ ହେଉ ନାହିଁ । ମନେ ହେଉଛି ସମୟ ଯେମିତି ସ୍ତବ୍ଧ ହେଇ ଯାଇଛି ନିଜର ଗତିଶୀଳତା ହରାଇ । ଏଠି ରାତି ହେଉ ନାହିଁ କି ଦିନ । ଆମେ କେହି ଶୋଉ ନାହୁଁ କେବଳ ଚାଲୁଛୁ ଆଉ ଚାଲୁଛୁ ସେଇ ଗୋଟିଏ ଜାଗାରେ । ଦୂର ଦୂର ପର୍ଯ୍ୟନ୍ତ ଠୋପାଏ ପାଣିର ଚିହ୍ନବର୍ଣ୍ଣ ବି ନାହିଁ । 

                  ହଠାତ୍ ମୋ ମନରେ ପ୍ରଶ୍ନ ଉଠିଲା । ୟେ ପୃଥିବୀ ବିଧ୍ୱସ୍ତ ହେଲା କିପରି ??? ଭୂମିକମ୍ପ ହେଇଥିଲା ନା ଉଲକାପାତ ନା ପରମାଣୁ ବୋମା ପଡିଥିଲା ନା ଏଲିଅନ୍ ଆକ୍ରମଣ ?? କିଛି ବି ତ ମନେ ପଡୁନି । ମୋର ଦୃଢ ବିଶ୍ବାସ ଏଠି ଯେଉଁ କେତେଜଣ ବୁଲୁଛନ୍ତି କାହାକୁ ବି ଜଣା ନଥିବ । ପାଗଳ ପରାୟେ ସମସ୍ତେ ବୁଲୁଛନ୍ତି ଆଉ ଖୋଜୁଛନ୍ତି । ଆଭାସ ପାଉଛୁ ଆମେ ବହୁତ କିଛି ହରେଇ ବସିଛୁ କିନ୍ତୁ କ'ଣ ଜଣାନାହିଁ । ବହୁତ ଇଚ୍ଛା ହେଲା ଜଣଙ୍କୁ ଯାଇ ପଚାରିବାକୁ । ଗଲି ମଧ୍ଯ । ଆଶ୍ଚର୍ଯ୍ଯ ମୁଁ ମୋ ନିଜ ଭାଷା ବି ବିସ୍ମୃତ ହେଇ ଯାଇଛି । ଗୋଟାଏ ବି ଶବ୍ଦ ମନେ ପଡୁନାହିଁ । ଯାହା ମୁଁ ଅନୁଭବ କରୁଛି ଭାଷାରେ ରୂପାନ୍ତରିତ କରି ପାରୁନି । ପଚାରିବି କେମିତି ?? ସେ ଲୋକର କୋରଟ ଭିତରେ ପଶିଯିଇଥିବା ଆଖିର ନିରାଶା ମୋତେ ବ୍ୟଥିତ କଲା ମୋ ଛାତି ଭିତରଟା ମନ୍ଥି ହେଇଗଲା । ଝରି ଆସିଲା ମୋ ନିର୍ଜୀବଆଖିରୁ ଟୋପାଏ ଲୁହ । ସେ ଲୋକ ଥରଥର ହାତକୁ ବଢେଇଲା ଆଉ ନିଜ ଆଙ୍ଗୁଳିରେ ସେଇ ଟୋପାଏ ଲୁହକୁ ନେଇ ନିଜ ଜିଭରେ ଲଗାଇଲା । ତା'ପରେ ସେଇଠାରେ ଟଳି ପଡିଲା । ଓଃ !! କି ଭୟଙ୍କର ଦୃଶ୍ଯ । ମୁଁ ଚିତ୍କାର କରି ଧାଇଁଲି ଖୁବ୍ ଜୋର୍ ରେ । ହେଲେ ଦୃଶ୍ୟପଟ୍ଟ ବଦଳୁ ନଥାଏ । 

                ମୋତେ ଜଣାନାହିଁ ମୁଁ ବର୍ଷେ କି ମାସେ କି କିଛି ଘଣ୍ଟା ଦୌଡିଛି । ଏବେ ମୋ ସାମ୍ନାକୁ ଆସିଲା ଗୋଟେ ଛୋଟ ବାଳକ । ମୋ ଦୌଡା ବନ୍ଦ ହେଇଗଲା । ମୁଁ ସେ ବାଳକକୁ କୁଣ୍ଢେଇ ପକେଇ ମୋ ଛାତିରେ ଚାପି ଧରିଲି । ତା'ର ଦୁଃଖ ଯନ୍ତ୍ରଣାକୁ ମୁଁ ମୋ ଛାତି ଭିତରେ ଅନୁଭବ କରି ପାରିଲି । ବାଳକ ମୋ ଆଖିକୁ ଆଙ୍ଗୁଳି ଦେଖାଇଲା । ତା'ପରେ ନିଜ ଜିଭ । ସେ ବି ମୋ ଅଶ୍ରୁ ପାନ କରିବାକୁ ଚାହୁଁଥିଲା । ଖୁବ୍ ତୃଷାର୍ତ୍ତ ଥିଲା ସେ । ନିଜକୁ ବେଶ୍ ଅସହାୟ ମନେକଲି । ଚିତ୍କାର କରି ଭୋ ଭୋ କାନ୍ଦିବାକୁ ଲାଗିଲି । ଏଇ ଆଶାରେ କି କେଇ ଟୋପା ଲୁହ ଝରିପଡୁ ମୋ ଆଖିରୁ । ମୋ ଆଖିରେ ଯେ ଆଉ ଲୁହ ବାକିଅଛି ସେ ବିଶ୍ବାସ ମୁଁ ହରେଇ ବସିଥିଲି କିନ୍ତୁ ଆଖିରୁ ଝରି ଆସିଲା ଧାର ଧାର ଲୁହ । ସେ ବାଳକ ନିର୍ଦ୍ବନ୍ଦରେ ନିଜ ଜିଭକୁ ଲଗାଇ ଦେଲା ମୋ ଆଖିରେ । ତା'ର ଶୁଖିଲା ଜିଭ ଧୀରେ ଧୀରେ ଓଦା ହେବାକୁ ଲାଗିଲା । ମୁଁ ମୋର ସମସ୍ତ ଚେଷ୍ଟା ଲଗେଇ ଆହୁରି ଲୁହ ଝରେଇବାକୁ ଲାଗିଲି । କାରଣ ମୁଁ ତାକୁ ହରେଇବାକୁ ଚାହୁଁ ନଥିଲି । ଆଉ ଗୋଟିଏ ମୃତ୍ୟୁ ଦେଖିବାକୁ ପ୍ରସ୍ତୁତ ନଥିଲି । ହେଲେ ମୁଁ ଥକି ଗଲି । ଲୁହ ଝରିବା ବନ୍ଦ ହେଇଗଲା । ବାଳକଟି ଧୀରେଧୀରେ ଆଖି ବନ୍ଦ କରି ମୋ ପାଦ ପାଖରେ ଟଳି ପଡିଲା ।


          ଏବେ ମୋ ଆଖିରେ ଲୁହ ବଦଳରେ କ୍ରୋଧର ଅଗ୍ନିବର୍ଷା ହେବା ଆରମ୍ଭ ହେଲା । ୟେ ବିଷାଦଗ୍ରସ୍ତ ପୃଥିବୀରୁ ମୁକ୍ତିର ପ୍ରବଳ ଅଭିଳାଷା ଜାଗି ଉଠିଲା । ବାରମ୍ବାର ଗୋଟିଏ ନାରା ଉଠିଲା ମୋ ଭିତରେ "ମୁକ୍ତି ଦରକାର" କେବଳ ମୁକ୍ତି । ଯେହେତୁ ମୋତେ ମୋ ଭାଷା ଜଣା ନଥିଲା ମୁଁ ଉପରକୁ ଚାହିଁ ମୋ ଅନ୍ତରିକ ଇଚ୍ଛାକୁ ଏକ ବିକଟାଳ ଚିତ୍କାର ଦ୍ବାରା ପ୍ରକାଶ କଲି । ତା'ପରେ ସବୁ ଅନ୍ଧାକାର କ'ଣ ହେଲା ମୋତେ କିଛି ଜଣା ନାହିଁ।


               ମୋ ନିଦ ଭାଙ୍ଗିଗଲା । ଖଟରେ ରେଜେଇ ଘୋଡେଇ ହେଇ ଶୋଇଥିଲି । ଝର୍କା ସେପାଖେ ତୁଷାରପାତ ହେଉଥାଏ । ହେଲେ ମୋ ମଥାରେ ବିନ୍ଦୁବିନ୍ଦୁ ଝାଳ ଲାଗିଥାଏ । ଜଣେ ସ୍ତ୍ରୀଲୋକ ମୋ ରୁମ୍ ଭାତରକୁ ପଶି ଆସି ସ୍ପେନିସ୍ ରେ କହିଲେ ପିଟର ଉଠିପଡ ସକାଳ ହେଲାଣି । ସେ ମହିଳା ମୋ ମାଁ ଥିଲେ ରୁବେଲା । ସେ ଆସି ମୋ ମଥାରେ ଚୁମ୍ବନ ଦେଲେ । ଆଶ୍ଚର୍ଯ୍ଯ ହେଇ କହିଲେ ତୋ ମୁହଁରେ ୟେ ଧୂଳି ଆଉ ପାଉଁଶ କେମିତି ଲାଗିଲା ?? ଯା ମୁହଁ ଭଲ କି ଧୋଇ ଦେ । 


          ମୁଁ ଉଠିଯାଇ ମୋ ମୁହଁକୁ ଭଲ ଭାବରେ ଦେଖିଲି । ସେ ଲୋକର ମୁହଁ ମୋର ବେଶ୍ ଭଲ ଭାବରେ ମନେଥିଲା । 'ହଁ' ସାଦୃଶ୍ଯ ତ ଆଛି । ମୋ ଦେହମୁହଁରେ ଧୂଳି ପାଉଁଶ ବି ଲାଗିଛି । ଏହା ମାତ୍ର ଏକ ସ୍ବପ୍ନ ନଥିଲା ଏଥିରୁ ସ୍ପଷ୍ଟ ବାରି ହେଉଛି । ତେବେ ମୁଁ ସତରେ କିଏ ??? ଏଠି ମୁଁ ସମସ୍ତଙ୍କୁ ଚିହ୍ନି ପାରୁଥିଲି ସ୍ପେନିସ୍ ବେଶ୍ ଭଲ ଭାବରେ କହି ପାରୁଥିଲି । ହେଲେ ତଥାପି ମୋତେ ଲାଗୁଥିଲା ମୁଁ ପୂର୍ଣ୍ଣତଃ ୟେ ପୃଥିବୀର ନୁହଁ । ମୋର ବାକି କିଛି ଅଂଶ ଭିନ୍ନ ଏକ ପୃଥିବୀର । କାରଣ ସେ ସ୍ବପ୍ନ ମୋର ବେଶ୍ ପ୍ରାଞ୍ଜଳ ଭାବରେ ମନେ ଅଛି । କୋଉଠି ନା କୋଇଠି ସେ ବ୍ୟକ୍ତିର ଅସ୍ତିତ୍ବ,ତା'ର ସେଇ ଅସହାୟତା ଆଉ ଯନ୍ତ୍ରଣା ଭିତରେ ରହିଛି । ମୋ ସହ ପ୍ରକୃତରେ କ'ଣ ଘଟିଲା ମୋତେ ଜଣା ନାହିଁ । ୟେ ବ୍ରହ୍ମାଣ୍ଡ ବୈଚିତ୍ର୍ୟମୟ । ମୋ ଭିତରେ ପିଟର ଥିଲା କି ପିଟର ଭିତରେ ମୁଁ , ଆଜି ବି ପ୍ରଶ୍ନବାଚୀ ?ମୋତେ ଲାଗୁଥିଲା ମୁଁ ଏକ ପଥିକ ସମାନ୍ତର ବ୍ରହ୍ମାଣ୍ଡର । ବହୁତ ଜାଣିବାର ବାକି ଅଛି ସେ ବିଷୟରେ ।


Rate this content
Log in

Similar oriya story from Abstract