ନୀଳତୃଷ୍ଣା
ନୀଳତୃଷ୍ଣା


ସୁଧା ଠିକ୍ ସକାଳ ସାଢେ ନଅଟାରେ ଟେବୁଲ୍ ଉପରେ ଅମରଙ୍କ ପର୍ସ,ରୁମାଲ ଆଉ ଲଞ୍ଚବକ୍ସ ଆଣି ରଖିଦିଅନ୍ତି । ଦୀର୍ଘ ତିରିଶ ବର୍ଷ ଭିତରେ ଏଥିରେ କେବେ ବି ବ୍ୟତିକ୍ରମ ହେଇ ନାହିଁ । ଅମର ଡାକ ପକାନ୍ତି ସୁଧା "ମୁଁ ଆସୁଛି" । ଯେତେ କାମ ଥାଉପଛେ ସେ ସବୁ କାମ ଛାଡି ଆସି ଠିଆ ହୁଅନ୍ତି କେବଳ ଏତିକି ଉତ୍ତର ଦେବା ପାଇଁ 'ହଉ' । ଅମର ଛୋଟିଆ ହସ ଟିଏ ଦେଇ ବାହାରି ଯାଆନ୍ତି ଅଫିସ୍ । ଏଇଟା ଗୋଟେ ଘିସାପିଟା ଧାରାବାହିକର ସିନ୍ ଭଳି ସବୁଦିନେ ଚାଲେ ଛୁଟିଦିନମାନଙ୍କୁ ଛାଡିଦେଲେ । ଆଜି କାହିଁକି କେଜାଣି ଅମରଙ୍କ ଆଖି ପଡିଗଲା ସୁଧାଙ୍କ ମୁଣ୍ଡରେ ଫୁରଫୁର ହେଇ ଉଡୁଥିବା ଦୁଇ ଚାରିଟା ଧଳାଚୁଟି ଆଉ କପାଳରେ ପଡିଥିବା ହାଲକା ବୟସରେଖା ଉପରେ ।
ଡ୍ରାଇଭରକୁ ଚାଲ କହି ଅମର ଛନ୍ଦି ହେଇ ଯାଇଥିଲେ ଭାବନାର ଅନାବନା ବୁଢିଆଣୀ ଜାଲରେ । ହଠାତ୍ ତାଙ୍କୁ ଲାଗିଲା ସମୟ ଯେମିତି କ୍ଷୀପ୍ର ବେଗରେ ଦୌଡୁଚି । ଏଇତ କାଲି ପରି ଲାଗୁଚି ସେ ବିଟେକ୍ ସାରି ଏଇ ପ୍ରାଇଭେଟ କମ୍ପାନୀରେ ମ୍ୟାନେଜର ହିସାବରେ ଯୋଗଦେଲେ । ବାପା ସଙ୍ଗେ ସଙ୍ଗେ ଝିଅ ଖୋଜିବା ଆରମ୍ଭ କରିଦେଲେ । କାରଣ ସେ ଘରର ଏକ ମାତ୍ର ସନ୍ତାନ ଥିଲେ । ଆଉ ବାପା ଚାହୁଁଥିଲେ ଘରକୁ ବୋହୂଟିଏ ଆଣି ପରିବାରକୁ ବଢେଇବା ପାଇଁ । ଚାକିରୀର ତିନିମାସ ଭିତରେ ଦିନେ ବାପା ଆସି କହିଲେ ମୁଁ ବୋହୂ ଠିକ୍ କରି ଆସିଛି । ତୁ ଏଇ ରବିବାର ଝିଅକୁ ଯାଇ ଦେଖି ଆସିବୁ । ଅମର ସ୍ତବ୍ଧ ହେଇ ଠିଆ ହେଇଗଲେ କିଛି ମୁହୂର୍ତ୍ତ । ଭିତରେ ତାଙ୍କ ମନ ବିଦ୍ରୋହ କରି ଉଠିଲା । କ'ଣ ଚାଲିଛି ଏ ସବୁ ?? ସେ ଝିଅ ଦେଖି ନାହାଁନ୍ତି , ବାପା ଥରେ ବି ପଚାରିଲେନି ବାହାଘରକୁ ନେଇ ମୋର ମତାମତ କ'ଣ ?? ଅଥଚ ଝିଅ ଠିକ୍ କରି ସାରିଲେଣି । ୟେ କି କଥା !! ହେଲେ ସାହାସ କରି ସେ ବାପାଙ୍କୁ କିଛି କହି ପାରିଲେନି । ମାଁ କିନ୍ତୁ ତାଙ୍କ ମନ କଥା ଠିକ୍ ପଢି ପାରିଥିଲେ । ସେ ବାପାଙ୍କୁ ଭିତରକୁ ଡାକି ନେଇ ଯାଇଥିଲେ ।
କଲେଜରେ ନିଶାର ପ୍ରେମରେ ପଡି ଯାଇଥିଲେ ଅମର ପ୍ରଥମ ଦେଖାରେ । ନାଶାର ଚେହେରା...ଚାଲି..ହସ..କଥା.. ସବୁ କିଛି ଅଭିଭୂତ କରି ପକେଇ ଥିଲା ତାଙ୍କୁ । ଦୀର୍ଘ ଚାରିବର୍ଷ ଭିତରେ ଯଦିଓ ସେ ନିଜ ପ୍ରେମର ଅଭିବ୍ୟକ୍ତି କରିବାର ସାହାସ ଜୁଟାଇ ପାରି ନଥିଲେ ନିଶା ଆଗରେ ହେଲେ ତା ଭାବନାରୁ ନିଜକୁ ମୁକ୍ତ ବି କରି ପାରୁ ନଥିଲେ । ନା ଥିଲା ତା'ର ଠିକଣା ନା ଥିଲା ତା'ର କିଛି ଖବର ଅମର ପାଖରେ ତଥାପି ତା ପ୍ରେମରେ ବିଭୋର ଥିଲେ ଅମର ।
ଅମରକୁ ମାଁ ବହୁତ ବୁଝାସୁଝା କରି ରାଜି କରେଇଲେ ଝିଅ ଦେଖିଯିବା ପାଇଁ । ତୋ'ର ଯଦି ପସନ୍ଦ ନ ହେବ ତେବେ ଆମେ କ'ଣ ଜବରଦସ୍ତ ବାହା କରେଇ ଦେବୁ କି ?? ତୁ ଯା ଝିଅ ଦେଖି ଆସ । ବାପା କଥା ଦେଇଛନ୍ତି ଯେତେବେଳ ତୁ ନ ଗଲେ ବାପାଙ୍କୁ ଅପମାନ ହେବ ନି ?? ଅମର ବାଧ୍ଯ ହେଇ ରାଜି ହେଲେ ।
ସୁଧା ଯେତେବେଳ ଅମରଙ୍କ ସାମ୍ନାକୁ ଆସିଲେ । ସେ ସ୍ତବ୍ଧ ହେଇ ରହିଗଲେ କିଛି ସମୟ । କ'ଣ ଥିଲା ସେ ଆଖିରେ କେଜାଣି ଏକ ଦେବକନ୍ୟା ମନେ ହେଲେ ଅମରଙ୍କୁ । ସେମିତି ଅପୂର୍ବ ସୁନ୍ଦରୀ ନଥିଲେ ସୁଧା । ହେଲେ ତାଙ୍କ ଆଖି ଓ ମୁହଁର ସରଳତା ବିମୋହିତ କରିଥିଲା ଅମରଙ୍କୁ । କିଛି ସମୟ ସୁଧାଙ୍କ ସହ କଥାବାର୍ତ୍ତା କରିବା ପରେ ସେ ଧୀରେଧୀର ତାଙ୍କୁ ପସନ୍ଦ କରିବା ଆରମ୍ଭ କରି ଦେଇଥିଲେ । ସେ ଏବେ ଜାଣି ପାରିଲେ ବାପା କାହିଁକି କହିଥିଲେ ମୁଁ ଝିଅ ଠିକ୍ କରି ଆସିଚି ବୋଲି । ନିଶାର ନିଶା ପୂରାପୂରି ଓହ୍ଲାଇ ଯାଇଥିଲା ଅମର ମୁଣ୍ଡରୁ । ଆଉ ହଁ ମାରିବାକୁ ବାଧ୍ଯ ହେଇଥିଲେ ।
ଏଇ ତିରିଶ ବର୍ଷ ଭିତରେ ଅମର ବହୁତ କିଛି ପାଇଛନ୍ତି ଆଉ ବହୁତ କିଛି ହରେଇଛନ୍ତି । ସୁଖ ବି ଆସିଛି ଦୁଃଖର ଝଡ଼ ବି ଆସିଛି । ସୁଧା ସେ ସବୁକୁ ଏତେ ସୁନ୍ଦର ଭାବରେ ପରିଚାଳିତ କରିଛନ୍ତି ଯେ ଅମର ତା'ଙ୍କର ଯେତେ ପ୍ରଶଂସା କଲେ ବି କମ୍ ପଡିବ । ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧିବା କଳା ତାଙ୍କୁ ବେଶ୍ ଭଲ ଭାବରେ ଜାଣାଥିଲା । ହଁ କେବେ କେବେ ଦୁହିଁଙ୍କ ଭିତରେ ମତାନ୍ତର ହେଇଛି ହେଲେ ସୁଧା କବେ ବି ମନାନ୍ତର ହେବାର ସୁଯୋଗ ଦେଇ ନାହାଁନ୍ତି । ପାରିବାରିକ ଜୀବନ ନାଟକରେ ଅମର ଏକ ପରାସ୍ତ ସୈନିକ କହିବା ଅତ୍ୟୁକ୍ତି ହେବ ନାହିଁ । ଅମରଙ୍କ ବାପା ଆଉ ମାଁ ଯେତେ ଦିନ ଯାଏଁ ବଞ୍ଚିଥିଲେ ସେ ଦୁହେଁ ଥିଲେ ସୁଧାଙ୍କ ଦୁଇ ସଶକ୍ତ ସେନାପତି । ତେଣୁ ତାଙ୍କ ପରାଜୟ ସ୍ବଭାବିକ ଥିଲା । ସେଥି ପାଇଁ ତାଙ୍କ ମନରେ ତିଳେମାତ୍ର ଦୁଃଖ ନାହିଁ । ମନେ ମନେ କହିଲେ ଏତିକି କୁହାଯାଇ ପାରେ ସୁଧାଙ୍କ ସହ ଆଉ ଏକ ଜନ୍ମ କଟେଇ ପାରିଲେ ନିଜକୁ ଭାଗ୍ୟବାନ ମନେ କରିବି । ଅଳ୍ପ ହସିଲେ ସେ । ହଠାତ୍ ଗାଡି ବ୍ରେକ ଦେଲା । ଭାବନା ରାଜ୍ଯରୁ ଫେରି ଦେଖିଲେ ଅଫିସ୍ ରେ ପହଞ୍ଚି ସାରିଲେଣି ।
ଅଫସ୍ ରେ ପହଞ୍ଚି ନିଜ କାମରେ ଲାଗିଗଲେ ।ତାଙ୍କ ଆଖି ପଡିଲା ଟେବୁଲରେ ଥିବା କ୍ୟାଲେଣ୍ଡର ଉପରେ । ଆଜି ଫେବୃଆରୀ ୪ ତାରିଖ କାଲି ତା'ହେଲେ ଆମର ବିବାହ ବାର୍ଷିକୀ !! ସୁଧାଙ୍କ ମନେ ଅଛି ନା ନାହିଁ କେଜାଣି ?? ହେଲେ ମୁଁ ଆଜି ଗୋଟେ ସରପ୍ରାଇଜ୍ ଦେବି ତାଙ୍କୁ ସେ କେବେ ବି ଭାବି ନଥିବେ ।
ଅଫିସ ପରେ ସେ ଗୋଟେ ଶାଢୀ ଦୋକାନ ପାଖରେ ଗାଡି ଅଟକା କରେଇଲେ । କେତେଟା ଶାଢୀ ଦେଖିବା ପରେ ଗୋଟେ ନୀଳ ଶାଢୀ ଉପରେ ତାଙ୍କର ନଜର ପଡିଲା । ଆରେ !! ଏ ଶାଢୀଟା ତ ଖୁବ୍ ସୁନ୍ଦର ହେଇଚି । ସୁଧାଙ୍କୁ ଖୁବ୍ ମାନିବ ରଙ୍ଗଟା । ଦାମ୍ ପଚାରିବାକୁ ଗଲା ବେଳେ ସେ ଶାଢୀଟିକୁ ଆଉ ଜଣେ ଲେଡିଜ୍ ଆସି ଧରିଲେ ଆର ପଟରୁ । ଅମର ଶାଢୀରୁ ଅଖି ଉଠେଇ ଦେଖିଲେ । ଓଃ ଗଡ୍ !! ଏ ତ ନିଶା । ଅନେକ ଦିନ ପରେ ତାକୁ ଏମିତି ଅଚାନକ ଦେଖି ତାଙ୍କ ଛାତି ଭିତରେ କ'ଣ ଗୋଟେ ହେଇଗଲା ଜଣା ନାହିଁ । ଶବ୍ଦ ହିଁ ନାହିଁ ପ୍ରକାଶ କରିବା ପାଇଁ । ତଥାପି ସେ ନିଜକୁ ସମ୍ଭାଳି କହିଲେ ଦେଖନ୍ତୁ ମ୍ୟାଡାମ !! ଏଇଟା ମୁଁ ପସନ୍ଦ କରିଛି ମୋ ମିସେସ୍ ଙ୍କ ପାଇଁ । ନିଶା ଚାହିଁଲା ଅମରଙ୍କ ଆଡକୁ । ସେ ଦୋ ଦୋ ଚିହ୍ନା ହେଲା ଭଳି ଲାଗିଲା । ପର ମୁହୂର୍ତ୍ତରେ କହିଲା ଅମର ନା ?? କେତେଦିନ ପରେ ଦେଖା । କେମିତି ଅଛ ?? ଅମର ଅଳ୍ପ ହସି କେବଳ ମୁଣ୍ଡ ହଲେଇଲେ । ଯେମିତି କି ଶବ୍ଦ ସ୍ଫୁରଣ ହେବା ବନ୍ଦ ହେଇଯାଇଛି । ନିଶା ହସି କି ଚପଳଭରା ସ୍ବରରେ କହିଲା ଆମ ଦୁହିଁଙ୍କ ଚଏସ୍ କେତେ ସମାନ । କେଇ ମୁହୂର୍ତ୍ତ ପାଇଁ ଅମରଙ୍କ ଆଖିରେ ନାଚି ଉଠିଲା କଲେଜ ସମୟର ନିଶାର ଚେହେରା ଆଉ ତା ହସ । ସେ ଧୀରେ ଧୀରେ ଦୁର୍ବଳ ହେଇ ପଡୁଥିଲେ । ନିଶା ଧୀରେଧୀର ଅମରଙ୍କ ହାତରୁ ଶାଢୀଟା ଟାଣି ନେଇ ଦୋକାନୀକୁ ଦାମ୍ ପଚାରି ବସିଲା । ଅମର ପ୍ଲିଜ୍ !! ତମେ ଆଉ ଗୋଟେ ଶାଢୀ ଦେଖି ନିଅ । ମୋତେ ଏଇଟା ଭାରି ପସନ୍ଦ ଆସୁଚି । ବହୁତ ସୁନ୍ଦର ସୁନ୍ଦର ଭେରାଇଟି ପାଇ ଯିବ ଏଠି । କିଛି ଖରାପ ଭାବିବନି ପ୍ଲିଜ୍ । ନିଶାର ପ୍ରତିଟି କଥା ନିଶବ୍ଦ କରି ଦେଉଥିଲା ଅମରଙ୍କୁ । ସେ କେବଳ ଅବାକ୍ ହେଇ ଚାହିଁ ରହିଥିଲେ ତାକୁ । ବାର ବାର ସେ ନିଜ ଭିତରକୁ ଟୋଟଳୁ ଥିଲେ ଏବେ ବି କ'ଣ ମୋ ମନରେ ତା ପାଇଁ କିଛି ଜାଗା ବାକି ରହି ଯାଇଛି କି ?? କାହିଁକି ମୁଁ ଜୋର କରି କହି ପାରୁନି ଏଇଟା ମୁଁ ସୁଧା ପାଇଁ ପସନ୍ଦ କରିଛି । ତମେ ଅଲଗା କିଛି ବାଛି ନିଅ !! ଇଚ୍ଛା ହେଲା ଧାଇଁ ଯାଇ ଶାଢୀଟା ତା ହାତରୁ ଛଡେଇ ଆଣି କହିବି ଏଇଟା ମୁଁ ଆଗ ପସନ୍ଦ କରିଥିଲି ତେଣୁ ଏଇଟା ମୁଁ ନେବି । ହେଲେ ଏଇଟା ଅଭଦ୍ରତା ହେବ ୟେତେ ଲୋକଙ୍କ ସାମ୍ନାରେ । ଅମରର ପାଦ ଅଟକି ଗଲା । ହେଲେ ନିଜ ଭିତରର ଦୁର୍ବଳତାକୁ ସେ ବରଦାସ୍ତ କରି ପାରୁ ନଥିଲା । ତା ପୁରୁଷତ୍ବ ତାକୁ ଧିକ୍କାର କରୁଥିଲା । ତା ଭିତରୁ କେହି ଜଣେ ବାରବାର ବିଦ୍ରୋହ କରୁଥିଲା । ନିଶା ତା ଆଖି ସାମ୍ନାରେ ସେ ଶାଢୀଟା ଧରି ଚାଲିଗଲା । ସେ ସେମିତି ଚୁପଚାପ ଠିଆ ହେଇ ରହିଗଲା । ଦୋକାନ କାଚ ସେପାଖରେ ପରିଷ୍କାର ଭାବରେ ଦେଖ ଯାଉଥିଲା ଆକାଶରେ ଉଠି ଆସୁଥିବା କାଳବୈଶାଖୀର କଳାହାଣ୍ଡିଆ ମେଘ ।