Lipi Sahoo

Others

4.0  

Lipi Sahoo

Others

ତିନିକାହାଣୀ କୁହୁଡିରାତିର...

ତିନିକାହାଣୀ କୁହୁଡିରାତିର...

2 mins
24


୧-ରୋନାଲି ଘଣ୍ଟାକୁ ଅନେଇଲା ଆଠଟା ବାଜିଲାଣି । ଅଭି ଏପର୍ଯ୍ୟନ୍ତ ଆସିଲାନି ?? ଆଜି ନାଇଟକ୍ଲବ୍ ରେ ଜିରୋନାଇଟ୍ ସେଲିବ୍ରେସନ୍ ଅଛି । ମୁହଁରେ ଗାଢ଼ମେକଅପ୍ , ଛୋଟ ପାର୍ଟିଡ୍ରେସ୍ ସହ ଦେହସାରା ଅତରର ମହମହ ବାସ୍ନା । ଏକ ପ୍ରକାର ବିଭୋର ସେ । ଓଃ !! ସେଠି ସାରାରାତି ଡିଜେ , ନାଚ ଆଉ ମଦ ଏଇଟା ତ ଲାଇଫ୍....। ହଠାତ୍ ତା ମୋବାଇଲରେ ନୋଟିଫିକେସନ ଆସିଲା । ରୋନାଲି ଚେକ୍ କଲା ଅଭିର ବାଇକ୍ ପଛରେ ଫିନା ବସି ବେତାଳ ଭଳି ଝୁଲିଚି ତା ପିଠିରେ ଆଉ ହାତରେ ଧରିଛି ବିଅର୍ ବୋତଲ । ତଳ କ୍ୟପସନ୍ ପଢିବାକୁ ତା'ର ଆଉ ଧର୍ଯ୍ୟ ନଥିଲା । ରୋନାଲି ମୋବାଇଲକୁ ସୋଫା ଉପରେ ଫୋପାଡି ଦେଇ ବେଡରୁମ୍ ରେ ପଶିଗଲା ଆଉ କବାଟକୁ ଧଡାସ୍ କରି ଭିତରୁ ବନ୍ଦ କରିଦେଲା । ଝର୍କା ସେପାଖେ କୁହୁଡିର ଆସ୍ତରଣ..... ।।


୨-ଗଜିଆ ବାହାରିଲା ବୋତଲ ଧରି ବଜାର , ଶହେ ତେଲ ଆଣିବାକୁ । ମୁଟୁ ଦୌଡିଆସି କହିଲା ବାପା ମୁଁ ଯିବି । ଗଜିଆ ତାକୁ ଟେକି ନେଲା କାନ୍ଧ ଉପରକୁ ହଉ ଚାଲ ବୁଲି ଆସିବୁ । ମୁଟୁ ବଜାର ଦେଖି କହିଲା ବାପା ଆଜି କ'ଣ ଆକାଶଟା ଖସି ପଡିଚି କି ??? ଗଜିଆ ପଚାରିଲା ମାନେ ??? ଏଇ ଦେଖୁନ ଚାରିଆଡେ ତାରାଭଳି ଛୋଟ ଲାଇଟ୍ ଗୁଡା କେମିତି ଟିମଟିମ ଜଳୁଛନ୍ତି । ଓଃ !! ଆଚ୍ଛା , ଆଜି ପରା ନୂଆବର୍ଷ ସେଇଥି ପାଇଁ । ବାପା ନୂଆବର୍ଷ ମାନେ କ'ଣ ?? ଯେମିତି ଏକ ପରେ ଦୁଇ ଆସେ ସେମିତି ଗୋଟେ ବର୍ଷ ସରିଲେ ଆଉ ଗୋଟେ ବର୍ଷ ଆସେ । ସେ କ'ଣ ବୁଝିଲା କେଜାଣି କହିଲା ଓହୋଃ !! ଆଜି ବର୍ଷର ଜନ୍ମଦିନ । ତେବେ ଚାଲନା ବାପା ଆଜି ତିନିଟା ରସଗୋଲା ନେବା । ଗଜିଆ ଦେଖିଲା ପକେଟରେ ଠିକ୍ ପନ୍ଦର ଟଙ୍କା ପଡିଚି । ରସଗୋଲା ତିନିଟା ଆସିଯିବ । ହେଲେ ପନ୍ଦର ଟଙ୍କାର ତେଲ ନେଲେ ଦୁଇଦିନ ଚାଲି ଯିବ । ରେବ ଭଜା ଭାଜିବ ବୋଲି ଅନେଇଥିବ । ହେଃ !! ଛାଡ କଲି କଥା କାଲି କି ଦେଖିବା ପିଲାଟା ମନ କରିଚି ଯେତେବେଳେ ନୂଆବର୍ଷ ରେ...... ନେଇଯିବା । ପତଳା କୁହୁଡି ଭିତରେ ଗଜିଆ ଆଗେଇଲା... ।


୩-ପାଟ୍ରୋଲିଂ ଗାଡି ସ୍ପଟ୍ ରେ ପହଞ୍ଚି ବ୍ରେକ୍ ମାରିଲା । ରାସ୍ତା ମଝିରେ ବାଇକ୍ ଦୁଇଟା ପଡିଚି । ରାସ୍ତା କଡରେ ତିନିଜଣ ଖଣ୍ଡିଆ ଖାବରା ହେଇ ପଡିଛନ୍ତି । ରାସ୍ତାସାରା ରକ୍ତ ଛିଟା । ୪୵୫ ଜଣ ଲୋକ ପାଖରେ ଠିଆ ହେଇ ଥାଆନ୍ତି । ଦିଗମ୍ବର ବାବୁ ଗାଡିରୁ ଓହ୍ଲାଇ ଆସି ବରବର ହେଇ କହିଲେ ଶଳେ !! ଟାଙ୍କିଏ ଲେଖା ପିଇଥିବେ ନିଶ୍ଚୟ । ବାବୁମାନେ ନୂଆବର୍ଷରେ ପିଇ ଆଉ ଫୁଙ୍କି ନାରଖାର କରି ଦେଇଥିବେ । ରାତି ସାଢେବାରଟା ହେଲାଣି । ହେଲମେଟ ବି ନାହିଁ । ଆମକୁ ଶାନ୍ତିରେ ଟିକେ ନିଶ୍ବାସ ମାରିବାକୁ ଦେବେନି ପା ...। ସେଠି ଠିଆ ହେଇଥିବା ଜଣେ ମଧ୍ୟବୟସ୍କ ଲୋକ ଟିକେ ଘୁଞ୍ଚିଯାଇ ପକେଟ୍ ରୁ ରୁମାଲ କାଢି ନିଜ ନାକରେ ରଖିଲେ...... ମଦଗନ୍ଧ ଦିଗମ୍ବରଙ୍କ ପାଟିରୁ ବି ଆସୁଥିଲା । ଆମ୍ବୁଲାନ୍ସର ନାଲି ଲାଇଟ ଆଉ ସାଇରନ୍ ଧୀରେଧୀର ପାଖେଇ ଆସୁଥିଲା କୁହୁଡିର ଆସ୍ତରଣ ଚିରି .....।


Rate this content
Log in