ବାଘ ଘରେ ମିରିଗ ନାଟ
ବାଘ ଘରେ ମିରିଗ ନାଟ


ଭୁସାଦାଦି କହେ ସତୁରି ଅଶୀ ବରଷ ତଳେ ହରଡଗୁଡା ଗାଁ ନିଘଞ୍ଚ ଅରଣ୍ୟ ଭିତରେ ଥିଲା । ଦଶ ପନ୍ଦର ଆଦିବାସୀ ପରିବାରକୁ ନେଇ ଥିଲା ଏଇ ଅନାମଧ୍ୟେୟ ଗାଁ । ଭୁସାଦାଦି ସେଇ କାଳର ଲୋକ । ସେ ଜୁଙ୍ଗ ଆଦିବାସୀ ଗୋଷ୍ଠୀର । ଦେଶ ସ୍ବାଧୀନ ହେଲା ବିକାଶ ନାଁରେ ଜଙ୍ଗଲ କଟା ହେଲା । ହଜାର ହଜାର ବିସ୍ଥାପନ ହେଲା । ଲୋକ ସବୁ ଜଙ୍ଗଲ ମୁହାଁ ହେଲେ । ଜଙ୍ଗଲ ଧୀରେ ଧୀରେ ପଛକୁ ପଛ ଘୁଞ୍ଚିଚାଲିଲା । ଏବେ ଆମ ଗାଁରୁ ଗୋଟେ କିଲୋମିଟର ଦୂରରେ ଜଙ୍ଗଲ । ହେଲେ ଜଙ୍ଗଲର ସେ ଘନତ୍ବ ନାହିଁ । ପାହାଡଗୁଡା ବି ମୁଣ୍ଡିଆ ହେଇଗଲେଣି । ଗାଁରେ ଏବେ ଶହେ ଉପରେ ପରିବାର ରହିଲେଣି । ଜୁଙ୍ଗ ଆଦିବାସୀ କମ୍ ଅନ୍ୟ ଜାତିର ଲୋକ ବେଶୀ । ଦିନେ ସେ ଜନଜାତି ଲୋପ ପାଇଯିବେ ଏଥିରେ ସନ୍ଦେହ ନାହିଁ । କିଛି ବର୍ଣ୍ଣଶଙ୍କର ଅବଶେଷ ରହି ଯାଇପାରନ୍ତି ଅଧୁନୀକତାର ସ୍ପର୍ଶରେ । ହେଲେ ଆମର ଭୁସାଦାଦି ପୂରା ଷୋଳଅଣା ଜୁଙ୍ଗ।
ଧୂସରବର୍ଣ୍ଣର ବଳିଷ୍ଠ ଚେହେରା । ଆଖିଗୁଡା ଟିକେ ବଡ ବଡ ଆଉ ଗଭୀର । ରାତିରେ ତା'ର ଆଖି ଚମକିଲା ଭଳି ଲାଗେ । କାନ ବି ବଡ ହେଲେ ପଛପଟକୁ ଟିକେ ଚାପି ହେଇ ରହେ । ମୁଣ୍ଡବାଳ କଳା ଆଉ କୁଞ୍ଚୁକୁଞ୍ଚିଆ । ଏବେ ବି ଧଳା ପଡିନି ଅଳ୍ପ କିଛିକୁ ଛାଡାଦେଲେ । ସେମାନେ ଡେଙ୍ଗା ଡେଙ୍ଗା ଲୋକ । ତାଙ୍କ ଜାତିରେ ବାଙ୍ଗରା ଲୋକ ପାଇବା କଷ୍ଟ । ଭୁସାଦାଦିର ସ୍ତ୍ରୀ ବି ଡେଙ୍ଗା । ରଙ୍ଗ ଧୂସର । ଲମ୍ବା କଳା ଘଞ୍ଚକେଶ । ତୀକ୍ଷ୍ନ ନାକ । ପତଳା ଶରୀର । ଧୁସାଦାଦିକୁ ଚାରିକୋଡି ପାଞ୍ଚ ହେଲାଣି । ହେଲେ ପୂରା ସଳଖ ଅଛି । ସେମାନଙ୍କ ଗାଁଠୁ ଟିକେ ଦୂର ହୁଡା ଉପରେ ତାଙ୍କ ସାହି । ସେମାନେ ଗାଁର ରକ୍ଷକ କାରଣ ଜଙ୍ଗଲ ଆଡକୁ ସେମାନଙ୍କ ସାହି । ବେଳେବେଳେ ସଂନ୍ଧ୍ଯା ସମୟରେ ଗାଁ ମଝି ବୁଢାବରଗଛ ଚଉତରା ଉପରେ ଆସି ବସେ । ପିଲାସବୁ ଘେରି ଯାଆନ୍ତି ଦାଦି ଗପ କହ ନହେଲେ ଆଜି ତତେ ଛାଡିବୁନି । ବୁଢା ଗପପେଡି ଧୀରେ ଧୀରେ ଖୋଲେ ।
ସତୁରୀ ବର୍ଷ ତଳେ ସେମାନଙ୍କ ଜୀବନ ଥିଲା ନିଆରା । ମାଣ୍ଡିଆ, ଧାନ, ହରଡ, ଆଖୁ କିସମ କିସମ ଚାଷ କରୁଥୁଲେ । ତା ସହିତ ଶୀକାର ବି କରୁଥିଲେ । ବାଘ , ଭାଲୁ , ହରିଣ , ସମ୍ବର , ହାତୀ ସବୁ ଆସି ବେଳେ ବେଳେ ଘର ପାଖରେ ବୁଲୁଥିଲେ । ଘରୁ ବାହାରିଲା ମାତ୍ରେ ସେମାନେ ହାତରେ ଦଉଡିରେ ବନ୍ଧା ବିଷବୋଳା ଛୋଟଛୁରୀ ବଳା ଭଳିଆ ପିନ୍ଧୁଥିଲେ । ଯଦି କେହି ହିଂସ୍ରଜନ୍ତୁ ଆକ୍ରମଣ କରେ ସେଇ ଛୁରୀରେ ମାରି ଦେଉଥିଲେ । ଛୋଟବେଳୁ ସେମାନେ ବଶୀକରଣ ଶିଖୁଥିଲେ । ଆଖିରେ ଅନେକ ସମୟରେ ପଶୁମାନଙ୍କୁ ବଶ କରୁଥିଲେ । ସେମାନଙ୍କ ଆଖି ଆଉ କାନ ଏତେ ତୀକ୍ଷ୍ଣ ଥିଲା ଯେ ପଚାଶ ମିଟର ଦୂରରେ ଯେତେ ସୂକ୍ଷ୍ମ ଶବ୍ଦ ହେଉ ସେମାନେ ବାରି ପାରୁଥିଲେ । ଆଉ ଶିକାରୀ ଆଖି ଯେତେ ଦୂରରେ ହେଉ ପତ୍ରରେ ଟିକେ ହଲଚଲ ହେଲେ ବି ଜାଣି ପାରନ୍ତି । ବୁଢାର ଆଖିକାନ ଏବେବି ଭାରି ତେଜ୍ । ସେବେ ବାଘ ଆଉ ମଣିଷ ଗୋଟିଏ ଝରଣାରୁ ପାଣି ପିଉଥିଲେ । ସେତେବେଳେ ପଶୁମାନଙ୍କର ଜଙ୍ଗଲରେ ଖାଦ୍ଯର ଅଭାବ ନଥିଲା । ତେଣୁ ମଣିଷ ମାନଙ୍କର ବିଶେଷ କ୍ଷତି କରୁ ନଥିଲେ ।
କେମିତି ଜଙ୍ଗଲରୁ ଦୁଇଟା ବାଘଛୁଆ ପାଇ ପାଳିଥିଲା ଟିକେ ବଡ ହେବା ପରେ ଜଙ୍ଗଲରେ ଛାଡିଲା ସେ କାହାଣୀ ଶୁଣାଏ । କେମିତି ସାପ ଗୁଡାକୁ ବେକରେ ଗୁଡେଇ ଗାଁରେ ବୁଲୁଥିଲା । କେମିତି ସମ୍ବର ଖାଇବ ବୋଲି ଧରି ଆଣିଥିଲା ଆଉ ଅଣ୍ଡିରା ସମ୍ବର ଆସି ତା ଦୂଆରେ ବସି ଲୁହ ଝରେଇଲା । ସେ ଦୁଇ ଜଣଙ୍କୁ ନେଇ ଜଙ୍ଗଲରେ ଛାଡି ଆସିଲା ସେଇ ଗପ କହେ । ଓଃ !! ଅସରନ୍ତି ଗପର ପେଡି । ଛୋଟ ହାତୀଛୁଆର ପିଠିରେ ବସି ପଡିଥିଲା । ମା ହାତୀ କେମିତି ତାକୁ ଗୋଡେଇଲା ପିଲାମାନେ ଶୁଣି ହସି ହସି ବେଦମ୍ ହୁଅନ୍ତି ।
ଦିନେ ଗାଁ ସାରା ହୁରି ପଡିଗଲା । ସେଇ ଭୁସାଦାଦି ଆସି କହିଲା କାଲିରାତି ଗାଁକୁ ବାଘ ଆସିଥିଲା । ମାଟିରେ ତା ପାହୁଲ ଚିହ୍ନ ପଡିଚି । ହେଲେ କେହି ତା କଥା ବିଶ୍ବାସ କରିବାକୁ ନାରାଜ । ପଚାଶ ବର୍ଷ ଭିତରେ ଏମିତି ଘଟଣା ଘଟିନି । ହଁ ହାତୀପଲ ଆସନ୍ତି ମଝିରେ ମଝିରେ ଫସଲ ଖାଇବାକୁ । ହେଲେ ବାଘ ?? ନା ନା ଭୁସାଦାଦ ଠିକ୍ ସେ ଜାଣି ପାରିନି । ସତ କୁ ସତ ପର ଦିନ ରାତି ମଧୁ ନାହାକର ଗୋଟେ ଛେଳି ଗାୟେବ ହେଲା । ତଥାପି ଲୋକ ଭାବିଲେ ଛେଳି କୁଆଡେ ପଳେଇଚି ବୋଧେ ଚରି ଚରି । ତା ପର ଦିନ ରାତି ଶୁକ ସାହୁର ଗାଈ ବଡ ରଡି କଲା । ତା ପରିବାର ଉଠି ଦେଖିଲେ କଅଁଳା ବାଛୁରୀକୁ ଆସି କେହି ଟାଣୁ ଥିଲା ବୋଧେ । ଲୋକଙ୍କ ପାଟିତୁଣ୍ଡ ଶୁଣି ଦୌଡି ପଳେଇଲା । ବାଛୁରୀ ଗୋଡରେ ଖଣ୍ଡିଆ ବି ହେଇଥିଲା । ଲୋକେ ଭୁସାଦାଦିର କଥାକୁ ବିଶ୍ବାସ କଲେ ଏଥର । କ'ଣ କରାଯିବ ବୋଲି ତାକୁ ଡକା ହେଇ ପଚରାଗଲା । ସେ କହିଲା କିଛି ନାଇ ଆମ ହୁଡା ଉପରେ ମଞ୍ଚା କରି ରାତିରେ ବସିବି । ବାଘ ଆସିଲେ ତାକୁ ମାରିବି । ଲୋକେ କହିଲେ ଆଜିକାଲି ବାଘ ମାରିଲେ କେସ୍ ହେବ । ବନ୍ଧା ହେଇ ଯିବୁ ଜେଲ୍ । ସେ କହିଲା ହଉ ତା ହେଲେ ମାରିବିନି ବାନ୍ଧିକି ରଖିଦେବି । ଲୋକେ ବାଲୁବାଲୁ କରି ଅବିଶ୍ବାସରେ ତାକୁ ଅନେଇ ରହିଲେ ।
ଲୋକେ ମିଶି ହୁଡି ଉପରେ ଉଚ୍ଚା ମଞ୍ଚାଟେ ବାନ୍ଧିଲେ । ରାତିରେ ଭୁସାଦାଦି ସେଇ ମଞ୍ଚାରେ ବସି ବାଘକୁ ଜଗିଲା । ଲୋକେ ତାକୁ ଭରସା କରି ରାତିରେ ଯାଇ ଘରେ ଶୋଇଲେ । ସକାଳୁ ଉଠି ଦେଖିଲା ବେଳକୁ ଭୁସାଦାଦି ନାଇ କି ବାଘଫାଗ କିଛି ନାହିଁ । ବୁଢାଟାକୁ ବାଘ ଟେକି ନେଇ ଗଲା କି ?? ହେଲେ ସେମିତି ସମ୍ଭବ ନୁହଁ । ସେଟା ବଡ ମଣିଷଟେ । କେବଳ ଘୋସାରି କି ନେଇ ପାରିବ । ହେଲେ ଘୋସରା ଦାଗ ନାହିଁ । ହଁ ମାଟି ଉପରେ ଅଳ୍ପ ରକ୍ତ ପଡିଥିଲା । ନା ନା ପ୍ରକାର ଆଲୋଚନା ହେଲା । ଲୋକେ କିଛି ବାଟ ଖୋଜି ଖୋଜି ଗଲେ ହେଲେ ବେଶୀ ଆଗକୁ ଯିବାକୁ ସାହାସ କଲେନି । ନିଜେ ମରିବା ସାର ହେବ । ବୁଢାଟା ଏମିତି ମରିଯିବ କଥାଟା ବି କାହାର ହଜମ ହେଉ ନଥାଏ । ସବୁ ମନ ମାରି ବସି ଥଆନ୍ତି । କେହି କେହି କହିଲେ ଚାଲ ଜଙ୍ଗଲ ବିଭାଗରେ ଜଣେଇବା । ସେମାନେ ଯାହା କିଛି କରିବେ । ଗାଁଟା ସାରା ସେଇ ବରଗଛ ମୂଳେ ଜମା ହେଇଥିଲେ । ହେଲେ ଭୁସାଦାଦି ବୁଢୀ ଆଖିରେ ଟୋପେ ଲୁହ ନଥାଏ । ସେ କହୁଥାଏ ଦେଖିବ ବୁଢା ଫେରିବ ।
ସୂର୍ଯ୍ୟ ଆସି ମୁଣ୍ଡ ଉପରେ ଚଢିଲା । କିଛି ଟୋକା ମଟରସାଇକେଲ ଧରି ବାହାରିଲେ ଜଙ୍ଗଲ ବିଭାଗ ଅଫିସ । ରାତି ହେଇଗଲେ ପୁଣି ଅସୁବିଧା । ଟୋକାମାନେ ଯିବାର କିଛି ସମୟ ହେଇଚି କି ନାଇଁ "ତମକୁ ମିଛ ମୋତେ ସତ" ଧୁସାବୁଢା ଦୂରରୁ ଦେଖାଗଲା ହୁଡି ଆଡୁ ଆସୁଥାଏ । ବାଘର ବେକକୁ ଦଉଡିରେ ବାନ୍ଧି କୁକୁର ଭଳି ଚଲେଇ ଚଲେଇ ଆଣୁଥାଏ । ସେ ବାଘ ଟିକେ ଟିକେ ଛୋଟଉ ଥାଏ । ଯେମିତି ତା ଗୋଡରେ ଆଘାତ ଲାଗିଚି । ସବୁ ତ ଅବାକ ହେଇ ସେଇ ଆଡେ ଚାହିଁ ରହି ଥାଆନ୍ତି । ସମସ୍ତଙ୍କ ପାଟିମେଲା । ହେଲେ କାହାର ବଚନ ବାହାରୁ ନଥାଏ । ଆଖି ସାମ୍ନାରେ ବାଘରୂପୀ କୁକୁର ଦେଖି ମୁଣ୍ଡ ସମସ୍ତଙ୍କ ଗୋଳମାଳ ହେଇ ଯାଇଥିଲା । ଭୁସାଦାଦି ଆସି ନିଶରେ ହାତ ମାରି କହିଲା "ବାଘ ଘରେ ମିରିଗ ନାଟ କରୁଥିଲା"। ଦେଇଛି ପାନେ........ ।