Lipi Sahoo

Fantasy

4.5  

Lipi Sahoo

Fantasy

ରହସ୍ଯମୟ ରାଜୁ

ରହସ୍ଯମୟ ରାଜୁ

6 mins
407


ମେଳା' ଖୁବ୍ ରୋମାଞ୍ଚକର ଶବ୍ଦ ଟିଏ ..... ନୁହେଁ ?? ମନରେ ପୁଲକ ଭରିଦିଏ । ବୃଦ୍ଧ ହେଉ କି ବାଳକ "ଚାଲ ମେଳା ଯିବା" ଶୁଣିବା ମାତ୍ରେ ଆନନ୍ଦର ଏକ ରେଖା ଖେଳିଯାଏ ମୁହଁରେ । ଗହଳିଚହଳି , ମୀନାବଜାର , ନା ନା ବର୍ଣ୍ଣ ଖାଇବା ଜିନିଷ ସହ ଏକ ଆଲୋକର ସମ୍ଭାର ଦେଖିବାକୁ ମିଳେ । 

          ଅନ୍ବେଷ ବି ସେତିକି ଉତ୍ସାହ ନେଇ ପ୍ରସ୍ତୁତ ହେଉଥିଲେ ମେଳା ବୁଲିଯିବା ପାଇଁ ପତ୍ନୀ ସ୍ବରୂପାଙ୍କ ସହ । ଷାଠିଏ ପାର ହେଲା ପରେ ପ୍ରାୟ ସମସ୍ତଙ୍କୁ ଲାଗେ ଯେମିତି ସେମାନେ ନୀର୍ଜନ ଉପତ୍ୟକାର ବାସିନ୍ଦା । ଘରେ ବୁଢାବୁଢୀଙ୍କୁ ଛାଡିଦେଲେ ଆଉ କେହି ନଥାନ୍ତି । କୁଆ , କୋଇଲି , କୁକୁର ବିଲେଇ ସ୍ବାଗତଯୋଗ୍ୟ ଅତିଥି ବୋଲି ମନେ ହୁଅନ୍ତି ଏଇ ବୟସରେ । ମେଳା ଆଡେ ବୁଲି ଆସିଲେ ମନେ ହୁଏ ଏବେବି ଜନବସତି ବାକି ଅଛି । ସଂପୂର୍ଣ୍ଣ ନୀର୍ଜନ ହେଇ ନାହିଁ ସହର...... ଏହା କେବଳ ଆମ ଭଳି ବୁଢାବୁଢୀଙ୍କ ଧାରଣା । ଅନ୍ୟମାନେ କହିବେ ଲୋକସଂଖ୍ୟା ଏତେ ଯେ ପୃଥିବୀ ଫାଟିବାକୁ ବସିଲାଣି ।

                ସୁରୁ ଜଲଦି ଆସ.....ଡେରି ହେଲାଣି ପା ...। ଗୋଟେ ଅଜବ ମଣିଷ । କେମିତି କେଜାଣି ଏକାନ୍ତତା ତା'ଙ୍କର ଭାରି ପସନ୍ଦ । ତା'ଙ୍କ ଦୁନିଆ କହିଲେ ଠାକୁରଘର ଆଉ ମନ୍ଦିର । ତାଙ୍କ ଦିନରାତି କଟିଯାଏ ଏଇ ଥିରେ ଆଉ ବନ୍ଧୁବାନ୍ଧବ କହିଲେ ଘର ଚାରିପାଖ ସବୁ ପଶୁପକ୍ଷୀ । ସେମାନଙ୍କ ସହ ବସି ଦୁଃଖସୁଖ ବି ହୁଅନ୍ତି ଘର କୁଣିଆ ଭଳିଆ । ଆଗ କାଳରେ କଥା ନଥିଲା , ଯାହା ଘରେ ଯେତେ କୁଣିଆ ସେ ଘର ସେତେ ସଂଭ୍ରାନ୍ତ । ସେ ଦୃଷ୍ଟିରୁ ଦେଖିଲେ ଆମ ଘର ବି ବେଶ୍ ସଂଭ୍ରାନ୍ତ । ଗୁଣ୍ଡୂଚି ତକାତେ ଆମ କୁଣିଆ । ସବୁ ଦିନେ ଆସି ମୁହଁମାରି ଯାଆନ୍ତି । ସୁରୁ ମେଳା ଯିବା ପାଇଁ ରାଜି ହେଇଚନ୍ତି ଏଇ ସର୍ତ୍ତରେ ଯେ ଠାକୁର ପିତ୍ତଳବାସନ କିଛି କିଣିବେ ଆଉ ପ୍ଲାଷ୍ଟିକ ଡଲା ଚଢେଇ ମାନଙ୍କୁ ଖାଇବା ଦେବା ପାଇଁ । ଘର ପାଖରେ ପ୍ରତିବର୍ଷ ପଡେ ଏଇ ମେଳା । 

                  ମେଳାରେ ପହଞ୍ଚି ଦେଖିଲା ବେଲକୁ ବେଶ୍ ଗହଳି ଥିଲା । ସତରେ କ'ଣ ଏତେ ଲୋକ ଅଛନ୍ତି ଏଇ ସହରରେ ତେବେ ସେ କାହିଁକି ଏତେ ନିଃସଙ୍ଗ ?? ଏକ ନିର୍ଦ୍ଦିଷ୍ଟ ବୟସସୀମା ପରେ ସମସ୍ତେ କ'ଣ ଏମିତି ମୋ ଭଳି ଅବବୋଧ କରନ୍ତି ?? ହେଲେ ତାଙ୍କୁ ବହୁତ ଖୁସି ଲାଗୁଥିଲା ଏତେ ଲୋକ ଏକାସାଙ୍ଗରେ ଦେଖି । ଅନ୍ବେଷ ଙ୍କ ହାତକୁ ଧରି ସୁରୁ କହିଲେ ଏପଟେ ଆସ । ସେଇଠି ପିତ୍ତଳ ଦୋକାନ ଅଛି । ଦୁହେଁ ମୁହାଁଇଲେ ସେଇ ପଟେ । ସୁରୁ ଯାଇ ବାସନ ଦେଖାଦେଖି ଆରମ୍ଭ କଲେ । ଅନ୍ବେଷ ଛିଡାହେଇ ଚାରିଆଡେ ଆଖି ବୁଲେଇ ଆଣିଲେ । ଦେଖିଲେ ସେଇ ଦୋକାନ ଆଗରେ ନା ନା ରକମର ପ୍ଲାଷ୍ଟିକ ଆଉ କାଗଜର ସୁନ୍ଦର ସୁନ୍ଦର ଫୁଲତୋଡା ବିକ୍ରୀ ହେଉଚି । ସେଗୁଡିକୁ ପାଖରୁ ଦେଖିବାକୁ ତାଙ୍କର ଭାରି ଇଚ୍ଛା ହେଲା । ସେ ସ୍ବରୂପାଙ୍କୁ କହେଲେ ମୁଁ ସେଇ ଫୁଲ ଦୋକାନରେ ଦେଖୁଚି । ତମେ କିଣାକିଣି ସାରିକି ଆସ । ସେ ହଁ ରେ ମୁଣ୍ଡ ହଲାଇଲେ ।

                   ଅନ୍ବେଷ ସେଠିକି ଯାଇ ଦେଖିଲେ ଗୋଟେ ଦଶ ବାର ବର୍ଷର ପିଲା ବସି ବିକ୍ରୀ କରୁଚି । କିଛି ତ ଅସାମାନ୍ଯତା ଥିଲା ସେଇ ପିଲା ଭିତରେ । ପିଲାର ଆଖି ଦୁଇଟି ଥିଲା ସ୍ଥିର , ନିଶ୍ଚଳ ଆଉ ଭାବଶୂନ । ସତରେ ଯେମିତି ନିର୍ବିକଳ୍ପ ରୁ ବ୍ୟୁଥିତ ଯୋଗୀ । ନା ଦୁଃଖ ନା ସୁଖ ଥିଲା ତା ମୁଖରେ । ସତରେ ଯେମିତି ସ୍ଥିତପ୍ରଜ୍ଞ । ଯେଉଁ ବୟସରେ ଚପଳତା ଫୁଟି ଉଠିବା କଥା , କଥାରେ ଚାହାଁଣିରେ ସେ ଏତେ ନିର୍ବିକାର କେମିତି ?? କେହି ଯଦି ଆସି ଫୁଲର ଦାମ୍ ପଚାରୁ ଥିଲା ସେ ଏପରି ଉତ୍ତର ଦେଉଥିଲା , ଯେମିତି ବିକ୍ରୀ କରିବାର ଉତ୍ସାହ ନଥିଲା କି ନଦେବାର ଆକାଂକ୍ଷା ବି ନଥିଲା । କି ଆଶ୍ଚର୍ଯ୍ଯ ଭାବମୂର୍ତ୍ତି !! ଅନ୍ବେଷ ଙ୍କ ମନ ଆନ୍ଦୋଳିତ ହେବାକୁ ଲାଗିଲା । ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ଫୁଲ ପ୍ରତି ଆକର୍ଷଣ କମି ଯାଇ ପିଲା ବିଷୟରେ ଜାଣିବାର ଆଗ୍ରହ ବଢି ଯାଇଥିଲା ।

           ପଚାରି ବସିଲେ ବାବା ତୁମ ନାମ କ'ଣ ?? ସେ କିଛି ସମୟ ଅନେଇ ରହିଲା ଅନ୍ବେଷ ଙ୍କୁ ତାପରେ ନିସ୍ପୃହ ଭାବରେ କହିଲା ରାଜେଶ୍ । ମନେ ହେଲା ସେ ଓଡ଼ିଆ ନୁହଁ । ଅନ୍ବେଷ ପଚାରିଲେ ତୁମ ଘର କୋଉଠି ?? ସେ କହିଲା ଛପରା ....ବିହାର । ଓଡିଆ ବେଶ୍ ବୁଝିପାରୁଥିଲା ବୋଧେ । ଅନ୍ବେଷ ପାଖରେ ପଡିଥିବା ଏକ ପୁରୁଣା ପ୍ଲାଷ୍ଟିକ ଷ୍ଟୁଲ ଉପରେ ବସି ପଡିଲେ । ପାଗଳାମୀ ମନେ ହେଲେ ବି ସେ ସେଇ ପିଲାଟିକୁ ଗଭୀର ଭାବରେ ବିଶ୍ଳେଷଣ କରିବାକୁ ଚାହୁଁଥିଲେ ।


             ପାଠ ପଢିଚ ?? ତିନ୍ କ୍ଲାସ୍ ତକ୍ । ସେ ଉତ୍ତର ସବୁ ଓଡିଆ ହିନ୍ଦୀ ମିଶା ଭାଷାରେ ଦେଉଥିଲା । କାହା ସାଙ୍ଗରେ ଆସିଛ ?? ଦାଦି ସହ । ଓଡିଆ କେମିତି ଜାଣିଲ ?? ତିନ୍ ବର୍ଷ ସେ ଏଇ ସହର୍ ରେ ରହୁଚୁ । ଆଉ ବାପା ମା ??? ସେ ଚୁପ୍ ହେଇଗଲା ପୂରା ।

              ଠିକ୍ ଏଇ ସମୟରେ ଦୋକାନ କଡରେ ଥିବା ଜରିଟଣା ଅସ୍ଥାୟୀ ପଲା ଭିତରୁ ଜଣେ ବୁଢୀ ବାହାରି ଆସି ସେ ପିଲାକୁ କହିଲେ , ରାଜୁ ଖାଇବା ବାଢି ଦେଇଚି । ଯା ଖାଇବୁ !! ମୁଁ ଦୋକାନ ଦେଖୁଚି । ସେ ଧୀରେ ଉଠିଗଲା । ବୁଢୀ ଆସି ବସିଲା । 

               ଅନ୍ବେଷ ଅପେକ୍ଷା ନକରି ପଚାରିଲେ , ରାଜେଶ୍ ର ଦାଦି ?? ସେ ବୁଢୀ ଟିକେ ଆଶ୍ଚର୍ଯ୍ଯମିଶା ସ୍ବରରେ କହିଲା ହଁ । ଏଠି କୋଉଠି ରହୁଚ ?? ବୁଢୀ କହିଲା କାରଗିଲ ବସ୍ତିରେ । ରାଜେଶ୍ ର ମାଁ ବାପା ନାହାଁନ୍ତି କି ?? ବୁଢୀର ମୁହଁ ଉଦାସ ହେଇଗଲା । ଯେମିତି କଳା ବାଦଲ ଖଣ୍ଡେ ଢାଙ୍କି ହେଇଗଲା ଚେହେରାରେ । ସେଇଟା ଯେମିତି ଏକ ଅନାଲୋଚିତ ଇତିହାସ । ସେ ମୁଣ୍ଡରେ ହାତ ରଖି କହିଲା ସରମ୍ ର କଥା କହାକୁ କ'ଣ କହିବି ବାବୁ ?? ତା ବାପା ଅଗ ଗୋଟେ ଅଲଗା ଔରତ୍ ସହ ଭାଗି ଗଲା । ତା'ର ମାଁ ରାଗି କି ଆଉ ଗୋଟେ ମର୍ଦ ସାଙ୍ଗେ ଭାଗିଗଲା । ବିଚରା ପିଲାଟା ସବୁ ହରେଇଲା । ତା'ର ଦାଦା ଜିନ୍ଦା ଥିଲା ଠିକଠାକ ଚଳି ଯାଉଥିଲୁ । ସେ କାମଧନ୍ଦା କରୁଥିଲା । ସେ ତିନିବର୍ଷ ତଳେ ଘରେ ବସିଥିଲା ହଠାତ୍ ତଳେ ପଡିଗଲା ଆଉ ଖତମ୍ ହେଇଗଲା । ସେବେଠୁ ରାଜେଶ୍ କୁ ନେଇ ଓଡିଶା ଚାଲି ଆସିଲି । ଗାଁରୁ କେତେଜଣ ଆସୁଥିଲେ , ସେମାନଙ୍କ ସହ । ଏଠି ଆସି ଏଇ ଫୁଲ ବେପାର କଲୁ ଦୁହେଁ । ଫୁଲ ତିଆରି ମୋତେ ଜଣାଥିଲା । ସେତିକିରେ କ'ଣ ଆମ ଦୁଖଃ ସରିଲା । ଆସିବାର କିଛିମହିନା ପରେ ରାଜେଶ୍ ଦିନେ ଗାୟେବ ହେଇଗଲା । ସବୁ ଆଡେ ମୁଁ ପାଗଲ୍ ଭଳି ଖୋଜିଲି । ମୋତେ ବୁଦ୍ଧିବାଟ କିଛି ଦିଶିଲାନି । ମୁଁ ବି ଧନ୍ଦା ଛାଡି ଭିକ ମାଗି ବୁଲିଲି । ତାକି ଚାରିଆଡେ ବୁଲିବୁଲି ତାକୁ ଖୋଜି ପାରିବି । ହେଲେ କିଛି ପତ୍ତା ମିଳିଲାନି । ଛମାସ ବିତିଗଲା । ଦିନେ ଖଣ୍ଡଗିରି ଛକରେ ଭିକ ମାଗୁଥିଲି ସେ ଗୋଟେ ଦୁକାନ ଆଗରେ ଠିଆ ହେଇଥିଲା ଦେଖିଲି । ପାଖରେ ଜଣେ ସାଧୁବାବା ବି ଠିଆ ହେଇଥିଲେ । ମୁଁ ଧାଇଁ ଯାଇ ରାଜେଶ୍ କୁ କୁଣ୍ଡେଇ ପକେଇଲି । ସେ ତ ପ୍ରଥମେ ମୋତେ ଚିହ୍ନ ପାରିଲାନି । କିଛି ସମୟ ପରେ କହିଲା ଦାଦି ତୁମ୍ ?? ତା'ର ହାବଭାବ ଏମିତି ଲାଗୁଥିଲା ସେ ଯେମିତି ମୋ ସାଙ୍ଗେ ଆସିବାକୁ ଚାହୁଁନି । ମୁଁ ହାତଧରି ତାକୁ ଟାଣିଲି ଚାଲ୍ ମୋ ସାଙ୍ଗରେ । ସେ ସେଇ ସାଧୁବାବା ଆଡେ ଅନେଇଲା । ହେଲେ ସେ ସାଧୁବାବା ସେଉଠୁ ଅଚାନକ ଗାୟେବ ହେଇଯାଇଥିଲେ । ସେ ବାଧ୍ଯ ହେଇ ମୋ ସାଙ୍ଗରେ ଆସିଲା ।

                 ରାଜୁ ପୂରା ବଦଳି ଯାଇଥିଲା । ସବୁବେଳେ ଚୁପଚାପ୍ ବସେ । ଆକାଶକୁ ଅନେଇ ନିଜେ ନିଜେ କଥା ହୁଏ । ସତେଯେମିତି କାହା ସାଙ୍ଗେ ଗପୁଚି । ପ୍ରଥମେ ପ୍ରଥମେ ମୋତେ ବହୁତ ଡର ଲାଗିଲା । ତାକୁ ନେଇ ଝଡାଫୁଙ୍କା କରେଇଲି ହେଲେ କିଛି ଲାଭ ହେଲାନି । ଦିନେ ରାତି ଅଧରେ ଦେଖିଲି ସେ ସାଧୁବାବା ତା ବିଛଣା ପାଖରେ ଠିଆ ହେଇଚନ୍ତି । ତାଙ୍କ ଦେହରୁ ଜ୍ୟୋତି ବାହାରୁଚି । ସେ ରାଜୁକୁ କ'ଣ ସବୁ କହୁଥିଲେ । ମୁଁ ଉଠି ପଡିଲିଣି ଜାଣି ସେ ପୁଣି ଗାୟେବ ହେଇଗଲେ । ରାଜୁକୁ ଯେତେ ପଚାରିଲେ ସେ ବାବା କିଏ ??ତୋତେ କ'ଣ କହୁଚନ୍ତି ?? ତୁ ଛଅମାସ କୋଉଠି ଥିଲୁ ?? କ'ଣ କରୁଥିଲୁ ?? ସେ କିଛି କୁହେନି !! ତୁ ଏମିତି କଲେ ମୋତେ ଛାଡି ପଳେଇଲେ ମୁଁ ମରିଯିବି । ତୁ ତ ଏକା ମୋ ସାହାରା । ସେ କହେ ତୋତେ ଛାଡି ମୁଁ କୁଆଡେ ଯିବିନି । ତୋ କସମ୍ ଖାଇ କହୁଚି । ତୁ ଡରନା କି ମୋତେ କିଛି ପଚରନା । ସେଇ ଦିନରୁ ମୁଁ ଆଉ ତାକୁ କିଛି ପଚାରନା । ଏଇ ହେଲା ତା କାହାଣୀ ।

               ସୁରୁ ଆସି ମୋ ପାଖରେ ପହଞ୍ଚି କହିଲେ ଚାଲ ମୋ କିଣା ସରିଲା । ମୁଁ ସେଇ ବୁଢୀ ମାଉସୀ ଠାରୁ ଧଳା ଆଉ ବାଇଗଣି ଛୋଟଛୋଟ ଫୁଲର ଗୋଚ୍ଛା କଣିଲି । ମାଉସୀ କହିଲା ଶହେଟଙ୍କା ହେଲେ ମୁଁ ଦେଢଶଟଙ୍କା ଦେଲି । ସେ ଖୁସି ହେଲା । ମେଳା ବୁଲାବୁଲି କରି ଆମେ ଫେରିଲୁ । ହେଲେ ମୋ ମନ ରାଜୁପାଖରେ ଅଟକି ଥିଲା । ସେ ବୁଢୀ , ଯାହା କହିଲା ସେଇଟା କ'ଣ ସତ ?? ନା ମନଗଢା କାହାଣୀ । ହେଲେ ସେ ପିଲାଟି ଭିତରେ ସତରେ କିଛି ସ୍ଵତନ୍ତ୍ରତା ଅଛି । ନହେଲେ ମୁଁ ଏତେ ଆକୃଷ୍ଟ ହେଲି କେମିତି ?? ମୋ ମୁଣ୍ଡ ଗୋଳମାଳ ହେଇଗଲା । ରାଜୁ ସହ ଆଉଥରେ ଦେଖା କରିବାକୁ ମୋ ମନ ଉଦବିଗ୍ନ ହେଇ ଉଠିଲା...... ।

               ଦିନେ ଛାଡି ପର ଦିନ ମୁଁ ଏକୁଟିଅ ଓପରବେଳିଆ ଧାଇଁଲି ମେଳାକୁ । ହେଲେ ଦୁଃଖର ବିଷୟ ମେଳା ଭାଙ୍ଗି ସାରିଥିଲା । ଦୋକାନୀ ସବୁ ଯାଇ ସାରିଥିଲେ । ମନେହେଲା ବୋଧହୁଏ ଏକ ଅନଉନ୍ମୋଚିତ ରହସ୍ୟକୁ ଭେଦ କରିବାକୁ ଚାହୁଁଥିଲି ସେଇଥି ପାଇଁ ତା'ର ଭେଟ ମିଳିଲାନି । ରାଜୁ ସବୁଦିନ ମୋ ପାଇଁ ଏକ ରହସ୍ଯମୟ ଚରିତ୍ର ହେଇ ରହିଗଲା । ତାକୁ ଭୁଲିବା ବି ମୁସ୍କିଲ ଥିଲା ଆଉ କାହାଣୀକୁ ହଜମ କରିବା ବି । ମାତ୍ର ଗୋଟିଏ ଭେଟର ଆଶା ସାରା ଜୀବନ ପାଇଁ ରହିଗଲା । ଜଣା ନାହିଁ ପୃଥିବୀ ମୋ ପାଇଁ ଛୋଟ ହେଇଯିବ ଆଉ ମୁଁ ତା'ର ସାକ୍ଷାତ ପାଇଯିବି ବା ପୃଥିବୀ ବିରାଟ ରୂପ ନେବ ଅନେକ ଜନ୍ମ ବି କମ୍ ପଡି ଯାଇପାରେ ।


Rate this content
Log in

Similar oriya story from Fantasy