Srimani Priyadarsini

Romance Fantasy Others

4.7  

Srimani Priyadarsini

Romance Fantasy Others

ଚେନାଏ ସ୍ମୃତି

ଚେନାଏ ସ୍ମୃତି

7 mins
396


  ସ୍ମିତା ତୁମେ ଜାଣ ଜେଜେ ତାଙ୍କ ପୁରୁଣା ସ୍ମୃତି ଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରନ୍ତି । ସେସବୁକୁ ଶୁଣିବା ପରେ ଇଚ୍ଛା ହୁଏ ମୁଁ ବି ତାଙ୍କ ସମୟରେ ଜନ୍ମ ନେଇଥାନ୍ତି କି ତାଙ୍କ ଭଳି ସୁନ୍ଦର ସ୍ମୃତି ଗୁଡ଼ିକୁ ସାଉଁଟି ଥାଆନ୍ତି । ମିଛି ମିଛିକା ଅଭିମାନ ଭରା କଣ୍ଠରେ ସ୍ମିତା କହିଲା ' ଅଭି ତେବେ ଆମ ପିଲାଦିନ ଓ ଆମ ପ୍ରେମ କଣ ଗୋଟେ ସ୍ମୃତି ନୁହେଁ କି ? ସ୍ମିତ ହସି ଅଭି କୁହେ -' ବାୟାଣୀ ସେଇ ଦିନଗୁଡିକ ଖୁବ୍ ଭଲ ଥିଲା ସତରେ ! ମୁଁ ବି ହଜିଯାଏ ସେଇ ଦିନଗୁଡିକ ଭିତରେ, ଲାଗେ ମୁଁ ଜିଉଁଛି ସେଇ ଦିନଗୁଡିକୁ ! ଆରେ ଆରେ ତୁମେ ମନେପକାଇ ଦେଲ ଦୁନିଆର ସବୁଠୁ ସୁନ୍ଦର ପ୍ରେମ ଶବ୍ଦଟି କହି, ମୁଁ ଆଜି ଜେଜେଙ୍କୁ ତାଙ୍କ ପ୍ରେମ କାହାଣୀ ପଚାରିକି ହିଁ ରହିବି । ମୁଁ ଜାଣେ ଆମ ଦୁଇ ଜଣଙ୍କ ପ୍ରେମ କାହାଣୀ ଠାରୁ ତାଙ୍କ ପ୍ରେମ କାହାଣୀ ଖୁବ୍ ଆକର୍ଷଣୀୟ ଥିବ ନୁହେଁ ?' ଅଭିର କାନ ଧରି ସ୍ମିତା କହିଲା -' ତୁମକୁ ଲାଜ ସରମ କିଛି ନାହିଁ ବୋଧହୁଏ ? ଜେଜେଙ୍କୁ ଏସବୁ ପଚାରିବ ! ଟିକେ ଦେଖି ଚାହିଁ ପଚାରିବ, ଜେଜେମା ଏସବୁ ଶୁଣି ଦେଲେ ଏମିତି ଠିକ୍ ମୋ ଭଳି କାନ ଧରି ବହେ ଛେଚିବେ ବୁଝିଲ । ଆଉ ହଁ ସେଇ ପ୍ରେମ କାହାଣୀ ମୋତେ ମଧ୍ୟ ଶୁଣେଇବ !' ସ୍ମିତା ର ଲମ୍ବା ବେଣୀ ଟାଣି ଦେଇ ଅଭି କହିଲା -' ଆଚ୍ଛା ଝିଅର ଶୁଣିବାକୁ ପ୍ରବଳ ଇଚ୍ଛା, ହେଲେ ମୋ ଆଗରେ କୃତ୍ରିମ ରାଗ ।' ଏତିକିବେଳେ ଘଡଘଡି ଶବ୍ଦରେ ଚମକି ପଡନ୍ତି ଦୁହେଁ । ମନ୍ଦିର ବେଢ଼ାରେ ଚମ୍ପାଗଛ ନିକଟରେ ଅନେକ ସମୟରୁ ବସିଥିବା ସ୍ମିତାକୁ ଶୀଘ୍ର ଘରକୁ ଚାଲିଯିବା ପାଇଁ ଅଭି କୁହେ । ସ୍ମିତା ଚାଲିଯିବା ପରେ ବର୍ଷା ରେ ଭିଜି ଭିଜି ଅଭି ତାର ଘରକୁ ଫେରିଆସେ ।

   

    'ବୋହୂ ଦେଖ ତୁମ ଗଣ୍ଠିଧନ ଆସିଗଲେ । ଏକା ଆସିନାହାନ୍ତି ସାଥିରେ ଥଣ୍ଡା ଜ୍ବର କୁ ମଧ୍ୟ ନେଇ ଆସିଛନ୍ତି । ମୁଁ ଏବେ ଖବର ଦେଖୁଥିଲି ତିନିଦିନ ଧରି ଲଗାଣ ବର୍ଷା ହେବ । ଯାଅ ପୁଅକୁ ଫୋନ କରି ଜଣାଇ ଦିଅ ଫେରିଲା ବେଳେ ମେଡିସିନ ନେଇଆସିବାକୁ, କିଏ ଜାଣେ ଏ ଟୋକା ରାତିସାରା କାଶି କାଶି ସାରା ଦୁନିଆକୁ ଶୁଆଇ ଦେବନି ।' ଠାକୁର ଘର ଭିତରୁ ମୁଣ୍ଡରେ ହାତ ଦେଇ ଅଭି ର ଜେଜେମା ତାର ଜେଜେଙ୍କୁ କହୁଥିଲେ -' ଓଃ କାଇଁ ତୁମେ ସେ ଛୁଆଟା ପଛରେ ପଡ଼ିଛ କହିଲ ? ଏତେ ଦିନକେ ବିଦେଶରୁ ଆସିଛି ଗାଁ ଟିକେ ବୁଲି ଆସିଲା । ମୋ ନାତିର କିଛି ବି ହେବନି ବୁଝିଲ ।'

   

   ଜେଜେ ଓ ଜେଜେମାଙ୍କ ତାକୁ ନେଇ ଅଳ୍ପ ମିଠା ଝଗଡ଼ାକୁ ଉପଭୋଗ କରୁଥିବା ଅଭି ହସି ହସି ଆସି ଜେଜେଙ୍କ ପାଦ ତଳେ ବସିଯାଏ । ଖବରକାଗଜ ଥୋଇ ଦେଇ ନିଜ କାନ୍ଧରେ ପକାଇଥିବା ଗାମୁଛାରେ ଅଭିର ଓଦା ହୋଇଯାଇଥିବା ମୁଣ୍ଡ ପୋଛୁ ପୋଛୁ ଚାରିଆଡକୁ ଚାହିଁ ଦେଇ ଅଭି କାନ ପାଖରେ ଚୁପ୍ କରି କହିଲେ -' ତୁ ଆଜି ନାତୁଣୀ ବୋହୂ ନିକଟକୁ ଯାଇଥିଲୁ ନା ?' ଛେପ ଢ଼ୋକି ଅଭି କହିଲା -' ଜେଜେ ତୁମେ କେମିତି ଜାଣିଲ ?' ସ୍ମିତ ହସି ଜେଜେ କହିଲେ -' ବଜାରକୁ ଯାଇଥିଲି, ଫେରିବା ସମୟରେ ତୁମ ଦୁହିଁଙ୍କୁ ଦେଖିଲି । ଖୁବ୍ ସୁନ୍ଦର ଯୋଡ଼ି, ଚିନ୍ତା କରନା ଆଉ ବର୍ଷ କେଇଟା ପରେ ସେଇ ଝିଅ ସହ ତୋର ବିବାହ ହେବ ।' ଖୁସିରେ ଜେଜେଙ୍କ ଗାଲ ଚିପିଦେଇ ଅଭି କୁହେ '- ମୋ ଗେହ୍ଲା ଜେଜେଟା ! ଜେଜେ ଆଜି ମୋର ଗୋଟେ କଥା ରଖିବ, ତୁମ ପ୍ରେମ କାହାଣୀ ମୋତେ କହିବ । ମୋର ଶୁଣିବାକୁ ବହୁତ ଇଚ୍ଛା ।' ହସି ହସି ଜେଜେ କହିଲେ -' ଦୁଷ୍ଟ ତୋତେ କହିବିନି ତ ଆଉ କାହାକୁ କହିବି ? ତୁ ପରା ମୋ ଆଖିର ତାରା ।'

   

   ମୋର ବାପା କୋରାପୁଟ ଜିଲ୍ଲାର ଏକ ଛୋଟ ଗ୍ରାମରେ ଶିକ୍ଷକ ଥିଲେ । ମୁଁ ସୁରେଶ ମୋ ଭଉଣୀ ସୁରମା ଏବଂ ବାପା ମାଆଙ୍କ ସହ ବାପାଙ୍କୁ ମିଳିଥିବା ସରକାରୀ କ୍ୱାର୍ଟର ରେ ରହୁଥିଲୁ । ଆମ କ୍ୱାର୍ଟର କୁ ଲାଗି ଅନ୍ୟ ଏକ କ୍ୱାର୍ଟର ଥିଲା ସନାତନ ବାବୁଙ୍କର, ଯିଏକି ପରେ ପରେ ମୋର ପିତାଙ୍କ ବନ୍ଧୁ ପାଲଟି ଗଲେ । କାଳକ୍ରମେ ତାଙ୍କ ପରିବାର ହେଇଗଲେ ଆମର ଅତି ଆପଣାର । ସନାତନ ବାବୁଙ୍କର ଏକମାତ୍ର ଝିଅ ଥିଲା ରିତୁ, ଯିଏକି ମୋ ଭଉଣୀ ସୁରମା ବୟସର ଥିଲା । ତାର ଲମ୍ବା କେଶ, କଣ୍ଢେଇ ପରି ଆଖି ଓ ମୁକ୍ତା ପରି ଦାନ୍ତ ଦେଖାଇ ହସ ଦେଖି ଯେକେହି ବି ଆକର୍ଷିତ ହୋଇଯାଇ ପାରିବ । ଲାଗୁଥିଲା ସେ ସତେକି ଏକ ଜୀବନ୍ତ କଣ୍ଢେଇ ଟିଏ ! ଆମ ଦୁଇ କ୍ୱାର୍ଟର କୁ ଛାଡ଼ି ଅନ୍ୟ କୌଣସି ଘର ନଥିଲା କି ମୋର ବନ୍ଧୁ ମାନଙ୍କ ଘର ମଧ୍ୟ ଏତେ ନିକଟରେ ନଥିଲା । ତେଣୁ ମୁଁ ବାଧ୍ୟ ହୋଇ ସୁରମା ଓ ରିତୁ ସହ ଖେଳୁଥିଲି । ଯେବେ ଭଉଣୀ ମୋତେ ସେ ଦୁଇ ଜଣଙ୍କ ସହ ଖେଳିବା ଦେଖି ମଜାରେ କୁହେ -' ଝିଅ ମାନଙ୍କ ସହ କାଇଁ ଖେଳୁଛୁ ଯେ ଭାଇ, ଯା ଯା ତୁ ଏକେଲା ଖେଳିବୁ । ଆମେ ଦୁହେଁ ଝିଅ ପିଲା ସାଙ୍ଗ ହୋଇ ଖେଳିବୁ ।' ତାର ଏକଥା ଶୁଣି ମୁଁ ଦୌଡି ଯାଇ ମାଆଙ୍କ କାନିରେ ମୁଁହ ଲୁଚାଇ କାନ୍ଦେ । ଠିକ୍ ସେତିକି ବେଳେ ମୋତେ ଅନୁଭବ ହୁଏ ରିତୁ ତାର ନରମ ହାତ ପାପୁଲିରେ ମୋ ହାତ ଟାଣି ଡାକୁଛି -' ଆସ ଖେଳିବ, କାନ୍ଦନି ସୁରମା ଆଉ କିଛି କହିବନି ।' ତାର ଏଇ ପଦୁଏ କଥାରେ କି ଯାଦୁ ଥାଏ କେଜାଣି ମୋର କାନ୍ଦୁରା ମୁହଁରେ ହସଟିଏ ଚାଲିଆସେ । ତୋ ଭଳି ମୋ ଭଉଣୀକୁ ବର୍ଷା ପାଣିରେ ଭିଜିଲେ ଖୁବ୍ ଜ୍ବର ହୁଏ । କିନ୍ତୁ ମୁଁ ତାର ଓଲଟା, ଆଉ ରିତୁ ମଧ୍ୟ ଠିକ୍ ମୋ ଭଳି । ଆମେ ଦୁହେଁ ବର୍ଷାରେ ଭିଜି ବାକୁ ଭଲ ପାଉ । ବର୍ଷାଦିନେ କୋରାପୁଟର ପାହାଡିଆ ଅଞ୍ଚଳ ଖୁବ୍ ମନୋମୁଗ୍ଧକର ଦେଖାଯାଏ । ହଁ ଆମ କ୍ୱାର୍ଟର ଠାରୁ ଅଳ୍ପ ବାଟ ହେବ ବୋଧହୁଏ । ସେଇ ଜାଗାରେ ଅନେକ ମୟୂର ଥିଲେ । ଆକାଶରେ କଳାମେଘ ଦେଖି ମୟୂର ନାଚୁଥିଲେ ଏବଂ ବର୍ଷା ବିନ୍ଦୁ ରେ ଆମେ ଭିଜୁଥିଲୁ । ସେତେବେଳେ ରିତୁ ତାର ସୁମଧୁର କଣ୍ଠରେ ଗୀତ ଗାଏ । ବହୁତ ସୁନ୍ଦର ତାର କଣ୍ଠ ସ୍ବର । କ୍ୱାର୍ଟର କୁ ଫେରିଆସି ସୁରମା ସହ ମିଶି ଡ଼ଙ୍ଗା ଭସାଉ । ମୟୂର ମାନଙ୍କ ବିଷୟରେ କହିଲା ବେଳେ, ସୁରମା ଆମ ସହ ଯାଇପାରେନି ବୋଲି ବହୁତ ମନ ଦୁଃଖ କରେ । ଧୀରେ ଧୀରେ ଆମ ଦୁଇ ଜଣଙ୍କ ବୟସ ବଢ଼ୁଥିଲା ତା ସହ ଆମ ଦୁଇ ଜଣଙ୍କ ଦେଖା ସାକ୍ଷାତ କମୁଥିଲା । ପୂର୍ବ ପରି ସେ ମୋ ସହ ବର୍ଷାରେ ଭିଜୁ ନଥିଲା । ଏ ଭିତରେ ସେ ମୋ ହୃଦୟରେ ତା ପାଇଁ ଜାଗା ତିଆରି କରି ସାରିଥିଲା । ମୁଁ ତାର ପ୍ରେମରେ ପଡ଼ିସାରିଥିଲି । ତାର କଣେଇ କଣେଇ ଚାହିଁବା, ଲାଜ ମିଶା ହସ ମୋତେ ଜଣେଇ ଦେଉଥିଲା ସେ ବି ମୋତେ ଭଲ ପାଏ । ଦୁହେଁ ଦୁହିଁକୁ ମନ କଥା ଜଣେଇବାକୁ ଭୟ କରୁଥିଲୁ, କାରଣ ଏଇଆ ଥିଲା ଯେ ଆମ ପ୍ରେମକୁ ନେଇ ଆମ ପିତାଙ୍କ ବନ୍ଧୁତାରେ ଫାଟ ନଆସୁ, ଦୁଇ ପରିବାର ମଧ୍ୟରେ ପାଚେରୀ ଠିଆ ନହେଉ ।

   

   ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ସୁରମା ଓ ରିତୁର ଏକା ଦିନରେ ବିବାହ କରିଦେବା ପାଇଁ ବାପା ଓ ରିତୁ ର ବାପା ସ୍ଥିର କଲେ । ଏସବୁ ଶୁଣିବା ପରେ ମୋତେ ଲାଗିଲା କି ମୋର ହୃଦୟ କିଏ ଖଣ୍ଡ ଖଣ୍ଡ କରି ପକାଉଛି । ଆଉ ମୋ ମନ ସେତେବେଳ ଖୁସି ହେଲା ଯେତେବେଳେ ରିତୁ କହିଲା କି ସେ ଯୁକ୍ତ ଦୁଇ ପଢ଼ିବା ପାଇଁ ଚାହେଁ । ମୋର ପିତା ଜଣେ ଶିକ୍ଷକ ଥିବାରୁ ତାର ଇଚ୍ଛା କୁ ସମ୍ମାନ ଜଣାଇ ତାର ବାହାଘର ଭାଙ୍ଗିଦେଲେ । ତାର ଆଗକୁ ପଢିବାକୁ ଇଚ୍ଛା ଥିଲା କି ନାହିଁ ମୁଁ ଜାଣେନି, କିନ୍ତୁ ଏତିକି ଜାଣିଲି ଯେ ମୋ ପାଇଁ ସେ ଏପରି ନିଷ୍ପତ୍ତି ନେଇଛି । ପୃଥିବୀରେ ପ୍ରଳୟ ହେଇଯାଉ ପଛେ ମୁଁ ମୋର ମନ କଥା ତାକୁ କହିଦେବା ପାଇଁ ସ୍ଥିର କଲି । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ସୁରମା ର ବିବାହ ପରେ ମୋର ବାପାଙ୍କ ଖୋର୍ଦ୍ଧା ବଦଳି ହୋଇଗଲା । ତାଙ୍କ ପରିବାର କୁ ଛାଡ଼ି ଯିବା ପାଇଁ ଇଚ୍ଛା ନଥିଲେ ମଧ୍ୟ ଆମେ ଯିବାକୁ ବାଧ୍ୟ ହେଲୁ । କାରଣ ବାପାଙ୍କ ଚାକିରୀ ଚାଲିଯିବା ର ଭୟ ଥିଲା । ସମସ୍ତେ କାନ୍ଦୁଥିଲେ, ରିତୁ ମଧ୍ୟ ।

    

   ଯେବେ ବର୍ଷା ହୁଏ ମୋର ଖୁବ୍ ମନେପଡେ ତାର କଥା । ତାର ଖିଲି ଖିଲି ହସ, ଲାଜ ମିଶା ଚାହାଣି ଏବଂ କଥା କହୁଥିବା ବେଳେ ଶବ୍ଦର ଯାଦୁ ଗୁଡ଼ିକ, ଯାହାକି ମୋର ପ୍ରତିଦିନ ସୁନ୍ଦର କରି ଗଢି ତୋଳେ । ବର୍ଷାର ପରଶର ସେଇ ଚେନାଏ ସ୍ମୃତି ଗୁଡ଼ିକ ବେଶି ତାଜା ହେଇଯାଉଥିଲା । ରାଗ ମଧ୍ୟ ଲାଗେ ମୋ ଉପରେ ଆଉ ତା ଉପରେ ମଧ୍ୟ, ମନ କଥା କହିଦେବା ପାଇଁ ଏତେ ଭୟ । ଏହାପରେ ମୋର ଚାକିରୀ ହୋଇଗଲା । ଚାକିରୀ ଜୀବନରେ ବ୍ୟସ୍ତ ରହିଗଲି । ବିବାହ ବୟସରେ ଉପନୀତ ହେବା ସମୟରେ ବିଭିନ୍ନ ଆଡୁ ପ୍ରସ୍ତାବ ଆସିବାରେ ଲାଗିଥିଲା । ତାପରେ ମୋର ବିବାହ ମଧ୍ୟ ହୋଇଗଲା ।

   

   ଅଭି ସବୁ ଶୁଣି ସାରିବା ପରେ କୁହେ -' ଓଃ ଜେଜେ ଅଧୁରା ପ୍ରେମ କାହାଣୀ ନା ? ହେଲେ ଜେଜେ ସେଇ ଝିଅଟି କିଏ ?' ରୋଷେଇ ଘର ଭିତରେ ଥାଇ ଅନେକ ସମୟରୁ ଜେଜେ ନାତିଙ୍କ କଥା ଶୁଣୁଥିବା ଅଭିର ଜେଜେମା ଋତୁପର୍ଣ୍ଣା ଦେବୀ ଓଠ ଚାପି ଚାପି ହସୁଥିଲେ । ଅଭି ତାର ଜେଜେମାଙ୍କ ହସ ଦେଖି ଜେଜେଙ୍କ କାନ ପାଖରେ କହିଲା -' ଏ କଣ ଜେଜେମା ଏମିତି ହସୁଛନ୍ତି ? ଏ ବୋଧେ ସବୁ ଶୁଣି ଦେଲେ ଜାଣ ।' ଜେଜେ ହସି ହସି କୁହନ୍ତି -' ଏ ପ୍ରେମ କାହାଣୀ ଅଧୁରା ନୁହେଁ । ସେଇ ଝିଅ ତ ତୋର ଜେଜେମା !' ଜେଜେଙ୍କ କଥା ଶୁଣି ଅଭି ହାଁ କରି ତାଙ୍କ ମୁହଁକୁ ଚାହିଁ ଥାଏ ।

   

   ମୋ ପାଇଁ ଆସିଥିବା ସବୁ ବିବାହ ପ୍ରସ୍ତାବକୁ ଜାଣି ଜାଣି ମନା କରିଦେଉଥିଲି । ସେଦିନ ସୁରମା ଆସିଥିଲା । କେଉଁ ଏକ ଝିଅର ଫଟୋ ଟିଏ ଧରି ମୋ ପଛରେ ପଡ଼ିଥାଏ -' ଭାଇ ଥରେ ଦେଖ ତ, ଏ ଝିଅ କେମିତି ଲାଗୁଛି ? ତୁ ଏ ଝିଅକୁ ବାହା ହେବୁନା ?' ମୁଁ ସୁରମା ଉପରେ ରାଗିଯାଇ କହିଲି -' ତୁ ବନ୍ଦ କଲୁ ଏସବୁ , ମୁଁ ବିବାହ କରିବା ପାଇଁ ଏବେ ପ୍ରସ୍ତୁତ ନୁହେଁ ବୁଝିଲୁ ।' ମୋର ପାଖକୁ ଚାଲି ଆସି ସୁରମା ତାର ଆଖି ନଚେଇ କୁହେ -' ମୁଁ ଯଦି କହିବି ସେ ସନାତନ ବାବୁଙ୍କ ଝିଅ, ମୋର ପ୍ରିୟ ସାଙ୍ଗ ରିତୁ ବୋଲି । ତା ପରେ ତୁ ବିବାହ ପାଇଁ ପ୍ରସ୍ତୁତ ହେଇଯିବୁ ତ ?' ଖୁସି ହେଇ ମୁଁ କୁହେ ' -କଣ କହିଲୁ ସନାତନ ବାବୁଙ୍କ ଝିଅ ରିତୁ, ମୁଁ ଆଉ ସ୍ବପ୍ନ ଦେଖୁନି ତ ?' -' ହଁ ଭାଇ ଏ ସ୍ବପ୍ନ ନୁହେଁ ସତ । ତୁ ନ କହିଲେ ମଧ୍ୟ ରିତୁ ମୋତେ କହିଥିଲା ସେ ତୋତେ ବହୁତ ଭଲ ପାଏ ବୋଲି । ମୁଁ ତାକୁ କହିଥିଲି ସମୟ ଆସୁ ମୁଁ ତାକୁ ଚମକାଇ ଟିକେ ମଜା ନେବି । ଏତକ କହି ରିତୁ ଫଟୋଟିକୁ ମୋ ହାତକୁ ବଢାଇ ଦେଇ ଚାଲିଗଲା ସୁରମା । ମୁଁ ଦେଖୁଥିଲି ମୋର ପ୍ରେମକୁ ବହୁତ ସମୟ ଯାଏଁ । ଆଉ ଆଜି ସେଇ ଝିଅ ସାଥିରେ ଦାମ୍ପତ୍ୟ ଜୀବନର ପଞ୍ଚାବନ ବର୍ଷ ଅତିକ୍ରମ କରିଛି ।

   

   'ଆରେ ବାଃ ଜେଜେ ତୁମ ଦୁଇ ଜଣଙ୍କର ଏତେ ସୁନ୍ଦର ପ୍ରେମ କାହାଣୀ ଶୁଣି ମୋର ମନ ପୁରା ଖୁସି ହୋଇଗଲା ।' ବାହାରେ ବର୍ଷା ଲାଗି ରହିଥିଲା, ଅଭି ଫୋନରେ ସ୍ମିତା କୁ ଶୁଣାଉ ଥିଲା ତା ଜେଜେ ଓ ଜେଜେମାଙ୍କ ପ୍ରେମ କାହାଣୀ ର ସୁନ୍ଦର ସ୍ମୃତି ।

   



Rate this content
Log in

Similar oriya story from Romance