Srimani Priyadarsini

Children Stories Inspirational

3  

Srimani Priyadarsini

Children Stories Inspirational

ପୁଅ ପାଇଁ ସାଇକେଲ

ପୁଅ ପାଇଁ ସାଇକେଲ

4 mins
208


 ବିଦ୍ୟାଳୟରୁ ଫେରି ବ୍ୟାଗ୍‌କୁ ମାଆ ସରିତା ନିକଟକୁ ଫିଙ୍ଗି ଦେଇ କଇଁ କଇଁ ହୋଇ କାନ୍ଦି ଉଠିଲା ବାବୁନ । ଚୁଲିରେ ଭାତ ବସେଇ ବାଇଗଣଟିଏ ପୋଡ଼ିବାକୁ ପକେଇ ଦେଇ ଲୁଗା କାନିରେ ଦେହରୁ ଝାଳ ପୋଛି ପୋଛି ଆସି ବାବୁନକୁ କୋଳେଇ ଧରିଲା ସରିତା । ' କଣ ହେଇଛିରେ ବାପା ? ସ୍କୁଲ୍ରେ କିଏ କଣ କହିଲା କି ? ମାଆ ସ୍ନେହ ଟିକେ ପାଇ ବାବୁନ ଜୋରରେ କାନ୍ଦି କାନ୍ଦି କୁହେ -' ବୋଉଲୋ, ମୋ ବାପା କୁଆଡେ଼ ଯାଇଛନ୍ତି ? କେବେ ଫେରିବେ ? ଆଉ ମୋ ବାପା ଘରେ ଥିଲେ ଆମର ଅଭାବ ନଥାନ୍ତା ନା ବୋଉ ? ବାପା ଯେଉଁଠି ବି ଥାଆନ୍ତୁ ତୁ କହ ଶିଘ୍ର ଫେରି ଆସିବେ ଆମ ନିକଟକୁ, ଆଉ ସାଥିରେ ସାଇକେଲଟିଏ ମଧ୍ୟ ଆଣିଥିବେ ।'

  

  ବାବୁନ ଦୁଇ ବର୍ଷର ହେଇଥିଲା ବେଳେ ତାର ବାପା ଚାଲି ଯାଇଥିଲେ ଅଫେରା ରାଇଜକୁ । ସରିତା କିନ୍ତୁ ଏକଥା ବାବୁନକୁ ଜଣାଇ ନଥାଏ । ପର ଘରେ ବାସନ ମାଜି ଓ ବାଡ଼ିରେ ଲଗାଇଥିବା ପନିପରିବା ବିକ୍ରି କରି ଯାହା ରୋଜଗାର କରୁଥିଲା ତାହା ଟଙ୍କା ବାକ୍ସରେ ରଖୁଥିଲା । ବାବୁନ ଏବେ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର । ହାଇସ୍କୁଲ ଅନେକ ଦୂରରେ ଥିବାରୁ ପାଦରେ ଚାଲି ଚାଲି ଯିବା ପାଇଁ ବେଶି କଷ୍ଟ ଭୋଗୁଛି । ପ୍ରତିଦିନ ବାବୁନର ସାଙ୍ଗ ସାଥି ମାନେ ତାକୁ ଏକୁଟିଆ ମୁଣ୍ଡ ତଳକୁ କରି ରାସ୍ତାରେ ଚାଲି କରି ବିଦ୍ୟାଳୟକୁ ଯାଉଥିବାର ଦେଖିଲେ ତାର ମଜା ଉଡ଼ାଉ ଥିଲେ । ସାଥୀ ସହପାଠୀ ମାନଙ୍କର ତାକୁ ନେଇ ମଜା ଉଡେଇବା କେତେବା ସହିବ ? ତେଣୁ ଦିନେ ଦିନେ ତାର ସାଥିମାନଙ୍କ ଠାରୁ ଶୀଘ୍ର ନହେଲେ ବିଳମ୍ବରେ ପହଞ୍ଚିବା ପାଇଁ ବିଲ ବାଟ ଦେଇ ଆସିବାକୁ ଉଚିତ୍ ମନେ କରେ ।

  

  ଦିନକର କଥା, ପଡିଶା ଘର ରାଜୁ ନୂଆ ସାଇକେଲ ଆଣିଥାଏ । ଖେଳ ପଡ଼ିଆରେ ସମସ୍ତେ ଖେଳ ଦେଖିବା ଅପେକ୍ଷା ରାଜୁର ସାଇକେଲକୁ ଅଧିକ ଦେଖୁଥାନ୍ତି । ବାବୁନ ରାଜୁକୁ ବୁଝେଇ ମାତ୍ର ଅଳ୍ପ ସମୟ ଚଲେଇ ତାର ସାଇକେଲ ଫେରାଇ ଦେବା ପାଇଁ କୁହେ । ରାଜୁ ରାଜି ହୋଇ ତାକୁ ସାଇକେଲ ଦିଏ, ବାବୁନ କିନ୍ତୁ ଭଲ କରି ସାଇକେଲ ଶିଖି ନଥାଏ । ତେଣୁ ଅଳ୍ପ ଦୂରରେ ପଡ଼ିଯାଏ । ବାବୁନ ନିକଟକୁ ଯାଇ ରାଜୁ ଗାଳି ଗୁଲଜ ଆରମ୍ଭ କରିଦିଏ । ରାଜୁର ପାଟି ଶୁଣି କିଛି ପିଲା ଜମା ହୋଇଯାଆନ୍ତି । ରାଜୁ ପାଟି କରି କହୁଥାଏ -' ହଇରେ ତୁ ଏବେ ମୋ ନୂଆ ସାଇକେଲ ତଳେ ପକେଇ ଭାଙ୍ଗି ଦେଲୁ । ମୁଁ କାଲି କେମିତି ସ୍କୁଲ ଯିବି, ଆଉ ଘରେ କଣ କହିବି ?' ଅନ୍ୟ ଜଣେ ପିଲା କହି ଉଠିଲା -' ତାକୁ ସାଇକେଲ ଦେବା ପାଇଁ ତୋତେ କହିଲା କିଏ ରାଜୁ ?' ବାବୁନକୁ ଠେଲା ପେଲା କରି ରାଜୁ ତାର ସାଇକେଲ ସଜାଡ଼ିବା ପାଇଁ ପଇସା ମାଗିବା ଆରମ୍ଭ କରେ । ବାବୁନ ହାତ ଯୋଡ଼ି କାନ୍ଦି କାନ୍ଦି କହୁଥାଏ -' ଭାଇମାନେ ଦେଖ ମୋ ପାଖରେ ଏବେ ଟଙ୍କାଟିଏ ମଧ୍ୟ ନାହିଁ । ମୁଁ ଏଇ ସଙ୍ଗେ ସଙ୍ଗେ ଘରୁ ଆଣି ଦଉଛି ।' ବାବୁନ ହାତ ଭିଡ଼ି ଜଣେ କହିଲା -' କିଏ ଜାଣେ ତୁ ମିଛ କହୁଛୁ ନା ସତ ? ଏଇ କ୍ଷଣି ଟଙ୍କା ଦେବୁ ନା ଦେଖିବୁ..?' ଯୋଗକୁ ସରିତା ସେଇ ବାଟ ଦେଇ ଫେରୁ ଥାଏ । ଏତେ ପିଲାଙ୍କ ପାଟି ତୁଣ୍ଡ ଶୁଣି ଧାଇଁ ଗଲା ସେହି ଜାଗାକୁ । ବାବୁନର ଅବସ୍ଥା ଦେଖି ତାର ପ୍ରାଣ କାନ୍ଦି ଉଠିଲା । ସବୁ କଥା ଶୁଣି କାନିରେ ଗଣ୍ଠି ପକାଇ ରଖିଥିବା ଶହେ ଟଙ୍କା ରାଜୁ ହାତକୁ ବଢାଇ ଦେଇ ବାବୁନକୁ ଧରି ଚାଲି ଆସିଲା । ' ଅନ୍ୟ ସାଇକେଲ ଚଲେଇବା ପାଇଁ ତୋର ସାହସ ହେଲା କିପରି ?' ରାଗ ମିଶା ସ୍ଵରରେ ସରିତା କହିଲା । ' ତେବେ ତୁ ମୋର ବାପାଙ୍କୁ ଖବର ଦେ, ମୋ ପାଇଁ ସାଇକେଲଟିଏ ଆଣି ଦେବାକୁ ।' କ୍ଷତ ସ୍ଥାନରେ ମଲମ ଲଗାଉ ଲଗାଉ ବାବୁନ କହିଲା । ଲୁହ ଛଳ ଛଳ ଆଖିରେ ବାବୁନ ପାଖରେ ବସି ସରିତା କହୁଥିଲା -' ବାପରେ ତୋ ବାପା ଏ ଦୁନିଆରେ ନାହାନ୍ତି । ସେ କେବେ ଫେରିବେ ନାହିଁ ।' ଏଇ କଥା ପଦୁଏ ଶୁଣି ବାବୁନ କାନ୍ଦି ଉଠି କୁହେ -' ତାହାଲେ ତୁ ଆଜି ଯାଏଁ ମୋତେ ମିଛ କହି ଆସିଛୁ ନା ବୋଉ ! ଥାଉ ବୋଉ ମୋର ସେ ସାଇକେଲ ଆଉ ଦରକାର ନାହିଁ । ଆମେ ଦୁଇ ଜଣ ଦୁଇ ଓଳି ଖାଇବାକୁ ପାଉଛୁ ସେତିକି ଯଥେଷ୍ଟ ।' ବାବୁନ ଏତକ କହି ଦେଇ ହସି ହସି ଶୋଇ ପଡ଼ିଲା ।

  

  ବାବୁନ ଶୋଇବା ପରେ ତାର ଶାନ୍ତ ମୁଁହକୁ ଚାହିଁ ସରିତା ଭାବିଲା -' ମୋର ପୁଅ ଏବେ ବଡ଼ ହେଲାଣି । ମୁଁ କେମିତିକା ମାଆଟିଏ କେଜାଣି ? ସାଇକେଲଟିଏ କିଣି ଦେଇ ପାରୁନି ମୋ ପୁଅକୁ ।' ଆଖିରୁ ଲୁହ ପୋଛି ଠିଆ ହେଲା ସରିତା । ଟଙ୍କା ବାକ୍ସ ଖୋଲି ସବୁ ତକ ଟଙ୍କା ଗଣି ଗଣି ରଖିଲା । ସମ୍ପୂର୍ଣ୍ଣ ପାଞ୍ଚ ହଜାର ଚାଳିଶ ଟଙ୍କା ଅଛି । ଏଇ ଟଙ୍କା ତ ବାବୁନର ଉଚ୍ଚ ଶିକ୍ଷା ନିମନ୍ତେ ସଞ୍ଚୟ କରି ରଖିଛି । ସେ ଆଉ କିଛି ଦିନ କଠିନ ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରି ପାରିବ, ହେଲେ ଭବିଷ୍ୟତ କିଏ ଦେଖିଛି ? ଯଦି ତାର ପୁଅ ସାଇକେଲଟିଏ ପାଇଁ ଏତେ କଷ୍ଟ କରୁଛି , ବିନା ସାଙ୍ଗ ସାଥିରେ ପିଲାଦିନକୁ ଭଲରେ ଉପଭୋଗ କରି ପାରୁନି ତେବେ ତାର ଭବିଷ୍ୟତରେ ପିଲାଦିନ କଥା ଭାବି କି ଖୁସି ହେଵ ? ଯେମିତି ବି ହେଉ ପୁଅ ପାଇଁ ସାଇକେଲ ନିଶ୍ଚୟ କିଣିବି ।'

  

  ତହିଁ ଆରଦିନ ବାବୁନ ସ୍କୁଲରୁ ଫେରି ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରି ପାରିଲାନି । ଘର ଆଗରେ ଥୁଆ ହୋଇଥାଏ ତାର ସ୍ୱପ୍ନର ସାଇକେଲ ! 'ବୋଉ ତୁ ଏବେ କଣ କଲୁ ଆମେ ଏବେ ଚଳିବା କିପରି ?' ସରିତା ହସି ହସି କହୁଥିଲେ -' ତୁ ଚିନ୍ତା କରନା ବାପା !' ବାବୁନ ଖୁସିରେ ତାର ମାଆକୁ ସାଇକେଲ ପଛ ସିଟରେ ବସେଇ ଗାଁ ବୁଲି ଆସେ । ତାର ସାଙ୍ଗସାଥି ମାନେ ଆଶ୍ଚର୍ଯ୍ୟ ହେଉଥାନ୍ତି ତାର ଏତେ ସୁନ୍ଦର ସାଇକେଲ ଏବଂ ଭଲ ଭାବରେ ସାଇକେଲ ଚଲା ଦେଖି । ସରିତାକୁ ଘର ନିକଟରେ ଛାଡ଼ି ବାବୁନ ଗାଁ ଖେଳ ପଡିଆକୁ ଚାଲି ଗଲା ବେଳେ ପଡିଶା ଘର ଜଣେ ସ୍ତ୍ରୀ ଲୋକ ଆସି ସରିତାକୁ ପଚାରେ -' ଆଲୋ ସବୁ ଟଙ୍କା ଖର୍ଚ୍ଚ କରି ପୁଅ ପାଇଁ ସାଇକେଲ କିଣି ଦେଲୁ । ଏବେ ଚଳିବୁ କେମିତି ଭାବିଛୁ ?' ସରିତା ମୁହଁରେ ସ୍ମିତ ହାସ୍ୟଟିଏ ଖେଳାଇ କହୁଥିଲା -' ମୋ ପୁଅର ଖୁସି ଆଗରେ ଟଙ୍କାର ମୂଲ୍ୟ କିଛି ନୁହେଁ ।' 

 

  



Rate this content
Log in