ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Drama Inspirational Others

4  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Drama Inspirational Others

ଆକାଶଟା ଖସି ପଡ଼ୁଥିବା ବେଳେ

ଆକାଶଟା ଖସି ପଡ଼ୁଥିବା ବେଳେ

9 mins
409



    ବୋଉ ଚାଲିଗଲା ପରେ ଘରଟାକୁ ଏକ ବିରାଟ ଶୂନ୍ୟତା ଖାଇ ଗୋଡାଉଥିଲା ଯେମିତି । ଘରର ପ୍ରତିଟି କୋଣ ଲାଗୁଥିଲା ନୀରବ, ନିଶୂନ । ଖାଲି ଘରଟାରେ ଆଖି ପହଁରେଇ ଆଣିଲେ ସବୁଥିରେ ଥିଲା ବୋଉର ହାତ ସ୍ପର୍ଶ । ପୁରା ଘରକୁ ସେ ତା ଇଛାନୁସାରେ ସଜାଇ ଥିଲା, ଯେଉଁସବୁ ଦେଖିବାକୁ ଆକର୍ଷଣୀୟ । ସେ ଲଗାଇଥିବା ଫୁଲଗଛ ଗୁଡ଼ିକର ଫୁଲ ସବୁ ବୋଉକୁ ହାତଠାରି ଡ଼ାକୁଥିଲେ, ବର୍ଷା ଋତୁରେ ଫୁଲ ବି ମଉଳି ଯାଉଥିଲା ବୋଉ ନାହିଁ ବୋଲି ।


   ଦୀର୍ଘ ମାସ ଧରି କ୍ୟାନସର ରୋଗରେ ଛଟପଟ ହେଉଥିଲା ବିଚାରୀ । ତା' ଗହଳ କେଶ ସବୁ ଝଡିଯାଇ, ସଜ ଗୋଲାପ ପରି ତା' ମୁହଁ ମଳିନ ପଡ଼ିଯାଇ ସେ ଦିଶୁଥିଲା ଜୀବନ ଥିବା ଗୋଟେ କଙ୍କାଳଟିଏ । ତା' ମୁହଁର ଚମକ କମି ଯାଇଥିଲା ସତ ହେଲେ କଥାର ଚମକ ଥିଲା ଠିକ୍ ପୂର୍ବପରି । ଶେଯରେ ଶୋଇ ରହି ସମସ୍ତଙ୍କର ଟିକିନିଖି ଖବର ରଖୁଥିଲା । ପ୍ରାଣ ଥିବାବେଳେ କେତେ ସେ ନ ଖୋଜିଛି ନିଜ ସନ୍ତାନ ମାନଙ୍କୁ,କେତେ ନ କରିଛି ସେ ତା' ସନ୍ତାନମାନଙ୍କ ପାଇଁ । ହେଲେ ସେ ସନ୍ତାନମାନେ ତା' ପାଇଁ କଣ କଲେ ସେସବୁ କାହାକୁ ଅଛପା ନାହିଁ । ହୋଇପାରେ ମୁଁ ଯୋଗ୍ୟ ସନ୍ତାନ ନୁହେଁ, ମୁଁ ଭାଇ ଭଉଣୀଙ୍କ ପରି ବେଶ୍ ଟଙ୍କା ଉପାର୍ଜନ କରିବା ଜାଣେନି । ହେଲେ ମୁଁ ମୋ ବୋଉର ଶେଷ ସମୟ ଯାଏଁ ତା' ପଣତ ତଳେ ଥିଲି ସେତିକି ଯଥେଷ୍ଟ । ମୁଁ ସମସ୍ତଙ୍କ ଆଗରେ ଅଯୋଗ୍ୟ ହୋଇପାରେ ସତ ମୋ ସ୍ୱର୍ଗବାସୀ ବୋଉ ଜାଣେ ମୁଁ କେତେ ଯୋଗ୍ୟ ।


    ସେଦିନ ଥିଲା ଦଶହରା । ଘରେ ସମସ୍ତଙ୍କ ପାଇଁ ନୂଆ ଲୁଗାପଟା ବାପା ଆଣି ଆସିଛନ୍ତି ଦୋକାନରୁ । ସେଥିରୁ ମୁଁ ମୋ ପୋଷାକ ଅଛି ଭାବି ଅଣ୍ଡାଳିବା ବେଳେ ଦେଖିଲି ଗୋଟିଏ ଶାଢ଼ୀ,ଗୋଟିଏ ଫ୍ରକ୍ ସହ ଦୁଇହଳ ଛୋଟ ଆଉ ବଡ ସାଇଜ ର ପ୍ୟାଣ୍ଟ୍ ସାର୍ଟ । ଛୋଟ ସାଇଜର ପ୍ୟାଣ୍ଟ୍ ସାର୍ଟ କଣ ଭାଇର ନା ମୋର ଭାବିବା ପୂର୍ବରୁ ବାପା ଆସି ମୋ ହାତରୁ ଛଡେଇ ନେଇ ଭାଇ ହାତକୁ ବଢାଇ ଦେଲେ । ଗୋଟେ ମଉଳା ଫୁଲ ପରି ମୋ ମୁଁହ ମଉଳି ଗଲା । ବାପା ତା' ପାଇଁ କେବେ କିଛି କିଣି ଆଣିବାର ସେ ଦେଖିନି । ସେ କଣ ତାଙ୍କ ପୁଅ ନୁହେଁ, ତା'ର କଣ ବାପା ଆଣୁଥିବା ଜିନିଷରେ ଲୋଭ ନାହିଁ । ଓଃ ମୁଁ ପରା ମଧ୍ୟମ ସନ୍ତାନ ଆଉ ପାଠପଢାରେ ଗଧ ବି । କେବେ କେହି ବାପା କଣ ତାଙ୍କ ଗଧ ସନ୍ତାନ କୁ ଭଲ ପାଇବା କିଏ ଦେଖିଛି କି ? ଯଦି ପାଠପଢାରେ ମୂର୍ଖ ଥିବା ସନ୍ତାନକୁ ତା'ର ବାପା ଭଲ ପାଇବା ଅସମ୍ଭବ ତେବେ କାହିଁକି ତା' ଭଳି ମୂର୍ଖ ଥିବା ତା' ସାଙ୍ଗ ରାମୁକୁ ତା' ବାପା ଏତେ ଆଦର କରନ୍ତି ? ସୌଭାଗ୍ୟ ବାପାଙ୍କ ଠାରୁ ସ୍ନେହ ଟିକେ ପାଇଁ କେତେ ଆଶା ନକରିଛି । ଏଡ଼ିକିରୁ ଏଡୁଟେ ହେଲାଣି ହେଲେ ବାପା ନା ବଦଳିଛନ୍ତି ନା ତାକୁ ସ୍ନେହରେ ପଦୁଏ କହିଛନ୍ତି । ସୌଭାଗ୍ୟ ମନରେ କଷ୍ଟ ନ ହେଉ ଭାବି ବୋଉ ତା' ପାଇଁ ଆସିଥିବା ନୂଆ ଲୁଗାରେ ସାର୍ଟଟିଏ ବନାଇ ଦିଏ । ତା' ବୋଉ ହିଁ ତା' ଦୁନିଆ ଥିଲା କହିଲେ ଚଳେ,ସେ ଯେବେ କାନ୍ଦେ ତା ବୋଉ ହିଁ ଶୋଭୁ ରେ " ତୁ କାନ୍ଦିଲେ ମୋ ହୃଦୟ କାନ୍ଦୁଛି "କହିକି ଆଖିରୁ ଲୁହ ପୋଛି ଦିଏ ।


    ବୋଉ ତା'ର ସମସ୍ତଙ୍କୁ ସମାନ ଭାବରେ ତା' ପଣତ ତଳେ ଜାଗାଦିଏ । ସମସ୍ତଙ୍କ ପାଇଁ ସମାନ ଭାବେ ବାଢ଼ିଦିଏ । ବଡ଼ଭାଇ ରାଜେନ୍ଦ୍ର ଓ ସାନ ଭଉଣୀ ରୀନା ଠିକ୍ ବାପାଙ୍କ ପରି ତାକୁ ଉପେକ୍ଷା କରନ୍ତି । ସତେ ଯେମିତି ସେ ଚିଡ଼ିଆଖାନାରୁ ଆସିଥିବା ଜନ୍ତୁଟିିଏ । ଯୁବକ ବୟସର ହେଲେ ମଧ୍ୟ ବୋଉ ବ୍ୟତୀତ ଅନ୍ୟମାନେ ସେ ମଲା କି ଗଲା ଵୁଝୁନଥିଲେ । ଦିନେ ଦିନେ ରାଗିକି ବେଶୀ ରାତ୍ରରେ ଘରକୁ ନ ଫେରିଲେ ବୋଉ ବ୍ୟସ୍ତ ହେବାବେଳେ ବାପା ତାକୁ କେତେଥର କହିବାର ସେ ଲୁଚି ଲୁଚି ଶୁଣିଛି " ଅନ୍ଧାରଟାରେ ବାହାରେ ଏପଟ ସେପଟ ନ ହୋଇ ଭିତରକୁ ଯାଅ । ସେ କଣ ରାଜେନ୍ଦ୍ର କି ରୀନା ହୋଇଛି ଯେ ତୁମେ ଏତେ ବ୍ୟସ୍ତ ହେଉଛ । ଭୋକ ହେଲେ ବଳେ ଘରକୁ ଆସିବନି ।" ତାକୁ ଲାଗେ ସେ ବୋଧେ ତା ପରିବାରର ସବୁଠୁ ଅଯୋଗ୍ୟ ମଣିଷଟେ ଯିଏକି କିଛି କାମ କରେନା । ସେଥିପାଇଁ ବାପାଙ୍କ ନାପସନ୍ଦ ଦ୍ଵିଗୁଣିତ । ପ୍ରତିଥର ବାପାଙ୍କ ମନ ଜିଣିବାକୁ ଶତଚେଷ୍ଟା କରି ସେ ବିଫଳ ହୋଇଛି । ' ତୁ ତ ମୋର ପୁଅ ନୁହେଁ ' ଏଇ ବାକ୍ୟ ଟି ପ୍ରତିଥର ତା' ହୃଦୟକୁ ଖିନଭିନ୍ କରେ । ତାକୁ ଲାଗେ ସେ ମରିଗଲେ ବି ତା' ପାଇଁ କେହି କାନ୍ଦିବେନି ତା' ବୋଉ ବ୍ୟତୀତ । 

     

    ପାର୍କକୁ ଲାଗିକରି ଥିବା ଛକ ନିକଟରେ ପାନ ଦୋକାନଟେ ଖୋଲେ ସୌଭାଗ୍ୟ । ପାର୍କକୁ ଆସୁଥିବା ଛୋଟ ପିଲାମାନଙ୍କ ପାଇଁ କୋଲ୍ଡ ଡ୍ରିଙ୍କ, ଚକୋଲେଟ୍ ପ୍ରଭୃତି ଖାଦ୍ୟ ଜିନିଷ ଦୋକାନରେ ବିକ୍ରି କରେ । ବ୍ୟବସାୟ ଖୁବ୍ ଭଲ ଚାଲେ । ଏତେସବୁ ପରେ ବି ତା' ବାପାଙ୍କ ମୁଁହରେ ହସଟେ ଦେଖିବି ପାରେନି । ବାପାଙ୍କ ପ୍ରକୃତ ହସ ସେ ଦେଖେ ଯେତେବେଳେ ସେ ପୁଅ ଇଞ୍ଜିନିୟର ଝିଅ ଅଧ୍ୟାପିକା ବୋଲି କହି ଗର୍ବରେ ଛାତି କୁଣ୍ଡମୋଟ ହେଉଥିବା ବେଳେ । ସେ ଅନେକ ଚେଷ୍ଟା କରି ବି କେବେ ଶୁଣିନି ବାପା କେବେ ତା' ନାମରେ ପଦୁଏ ଭଲ କି ଖରାପ କହିବା । ତା' ମତରେ ବାପାଙ୍କ ଦୁନିଆ କେବଳ ବୋଉ ଆଉ ଭାଇ ଭଉଣୀ । ସେ ତ ଅଲୋଡ଼ା ମଣିଷଟେ ।

    

   ସମୟ ଚକ୍ରରେ ଦୁଇ ଭାଇ ଭଉଣୀଙ୍କ ବିବାହ ଯାକଜମକରେ ସମାପନ ହେଲା । ବିବାହ ପରେ ଭାଇ ଲଣ୍ଡନ ଭଉଣୀ ଅଷ୍ଟ୍ରେଲିଆର ସ୍ଥାୟୀ ବାସିନ୍ଦା ହୋଇଗଲେ । ଦୁଇ ବର୍ଷରେ ଥରେ ଅବା ସମ୍ପତ୍ତି କଥା ପଡ଼ିଲେ ସେମାନେ ଗାଁକୁ ଆସନ୍ତି, ପୁଣି ଫେରିଯାନ୍ତି ନିଜ ନିଜ ସ୍ଥାନକୁ ପକ୍ଷୀଟିଏ ତା' ବସାକୁ ବାହୁଡ଼ିଲା ପରି । ଯେତିକି ଦିନ ପାଇଁ ଗାଁ କୁ ଆସନ୍ତି ଘରେ ଉତ୍ସବ ଚାଲିଛି ବୋଲି ଲାଗେ । ହସୁନଥିବା ବାପାଙ୍କ ମୁଁହରେ ହସ ଫୁଟେ । ସବୁବେଳେ ଅଳ୍ପକିଛି କାମ କରି ସ୍ଥିର ହୋଇ ବସି ପୁରା ପରିବାରର ଫଟୋ ଦେଖି ଅନବରତ ଅଶ୍ରୁ ଝରାଉଥିବା ବୋଉର ପାଦ ଆଗ ଅପେକ୍ଷା ଅଧିକ ସକ୍ରିୟ ହୋଇଯାଏ । ବୋଉ ଲାଗେ ଖିଲିଖିଲି ହସି ଦୌଡ଼ୁଥିବା ଶିଶୁକନ୍ୟାଟିଏ ପରି । ଭାଇ ଭଉଣୀ ତା' ସହ ପଦେ କଥା ନହେଲେ ମଧ୍ୟ ବାପା ବୋଉଙ୍କ ଖୁସିରେ କୋଟିନିଧି ପାଇଗଲା ପରି ଲାଗେ ସୌଭାଗ୍ୟକୁ ।

   

   ଦୋକାନ ନିକଟରେ ଥିବା ଛକ ଉପରକୁ ସବୁବେଳେ ଝିଅଟିଏ ଆସେ । ତା' ନାଁ,ଗାଁ, ଠିକଣା ଜଣାନାହିଁ କାହାକୁ । ସେ କେଉଁଠୁ ଆସି କେଉଁଠିକି ଯାଏ ତା' ବି ଜାଣନ୍ତିନି କେହି । ସୌଭାଗ୍ୟ ଦୋକାନକୁ ସେ ପ୍ରତିଦିନ ଆସି କିଛି ଚକୋଲେଟ୍ କିଣେ ତା' ପାଇଁ ନୁହେଁ ପାର୍କ ରେ ଖେଳୁଥିବା ଛୋଟ ଛୋଟ କଅଁଳ ‌ଛୁଆ ମାନଙ୍କ ପାଇଁ । ସୌଭାଗ୍ୟ ତା'କୁ ପ୍ରତିଦିନ ଲକ୍ଷ୍ୟ କରେ, ବୋଉ ପରେ ସେ ଝିଅଟି ତାକୁ ଭାରି ଭଲ ଲାଗେ । ଧୀରେ ଧୀରେ ଭାବ ବିନିମୟ ହୁଏ, ଝିଅଟା ଟିକେ ହସିଦେଲେ ସୌଭାଗ୍ୟକୁ ଲାଗେ ତା' ଭବିଷ୍ୟତ ହସୁଛି । ଝିଅଟିକୁ ସେ ବିବାହ ପ୍ରସ୍ତାବ ଦିଏ । ଝିଅଟି ନିଜର ପ୍ରକୃତ ପରିଚୟ ସୌଭାଗ୍ୟକୁ କୁହେ " ମୁଁ ଗୋଟେ ବିଧବା ମୁଁ ଅନାଥ ବି, ମୋ ଦୁନିଆ କହିଲେ ଆଗକୁ ପଛକୁ କେହି ନାହିଁ । ତମକୁ ଦେଖିବା ପରେ ତୁମ ପ୍ରେମରେ ପଡ଼ିଛି ସତ, ତୁମକୁ ବିବାହ କରିବା ସମ୍ଭବପର ନୁହେଁ । ବିଧବା ବିବାହ କଣ ଏ ସମାଜ ସ୍ବୀକାର କରିବ କି ? ତୁମ ପିତାମାତା କଣ ମୋତେ ବୋହୂ ଭାବେ ଗ୍ରହଣ କରିବେ ? ଭଲ ହେବ ଆମ ସମ୍ପର୍କ ଏଇଠି ଶେଷ କରିଦେବା, ମୁଁ ଆଉ ଏ ଜାଗାକୁ ଆସିବିନି ।"

   

   ଝିଅଟିର ହାତକୁ ଜୋରରେ ଜାବୁଡ଼ି ଧରି ସୌଭାଗ୍ୟ ଚାଲେ ତା' ବାପାଙ୍କ ନିକଟକୁ । ଜଣା ନାହିଁ ତା ବାପା କଣ କହିବେ, ବିଧବା ଝିଅଟିକୁ ଗ୍ରହଣ କରିବେ କି ନାହିଁ । ହୋଇପାରେ ସେ ତା' ପିତାମାତାଙ୍କ ନଜରରେ ଛୋଟ ହୋଇଯିବ କିନ୍ତୁ ଗୋଟେ ବିଧବା ଅନାଥ ଝିଅକୁ ବିବାହ କରି ସେ ଭୁଲ୍ ତ କିଛି କରୁନି । ବାପା ବସିଥାନ୍ତି ପୋର୍ଟିକୋ ନିକଟରେ ଖବରକାଗଜ ଧରି, ବୋଉ ପାଖରେ ବସି ବାଛୁଥାଏ ସଜନା ଶାଗ । ସୌଭାଗ୍ୟ ସହ ଝିଅଟିକୁ ଦେଖି କେଇ ମୁହୂର୍ତ୍ତ ପାଇଁ ସ୍ତବ୍ଧ ହୋଇଯାଆନ୍ତି ସେମାନେ ।

   

   - "ଏ କଣ ସୌଭାଗ୍ୟର ପ୍ରେମିକା ? ସୌଭାଗ୍ୟ କଣ ୟାକୁ ବିବାହ କରିବ ବୋଲି ଆମ ନିକଟକୁ ଆଣି ଆସିଛି ? କଣ ହୋଇଥିବ ତା' ଜାତି ଧର୍ମ ? ସେ ଯା ହେଉ ମୋର କିଛି ଆପତ୍ତି ନାହିଁ ହେଲେ କଣ କହିବେ ସେ ?" ବୋଉର ଭାବନାରେ ପୂର୍ଣ୍ଣଚ୍ଛେଦ ପକେଇ ସୌଭାଗ୍ୟ କୁହେ -" ମୁଁ ଆପଣଙ୍କ ପାଇଁ ଅଯୋଗ୍ୟ ଥିଲି ଆଉ ରହିବି ମଧ୍ୟ । ଏବେ ସମାଜ ପାଇଁ ଅଯୋଗ୍ୟ ହେଲେ ବି ମୋର ଦୁଃଖ ନାହିଁ । ଗୋଟେ ପରିବାର ନଥିବା ବିଧବା ଝିଅକୁ ମୁଁ ବିବାହ କରିବାକୁ ଚାହେଁ ବାପା ।" 

   

    ସୌଭାଗ୍ୟ ଭାବୁଥିଲା ବାପା ଗର୍ଜି ଉଠିବେ ଆହତ ସିଂହଟିଏ ପରି, ବୋଉ ତାର ଏ କଣ କଲୁ କହି କାନ୍ଦି କାନ୍ଦି ତା' କଅଁଳ ପାପୁଲିରେ ମାରି ଚାଲିଥିବ ସୌଭାଗ୍ୟକୁ । କିନ୍ତୁ ନା ସେସବୁ କିଛି ହେଲାନି । " ମୂର୍ଖ ଟାକୁ କଣ ଝିଅ ମିଳିଥାନ୍ତା " କହି ବାପା ରାଜି ହୋଇଗଲେ ସଙ୍ଗେ ସଙ୍ଗେ । ଦୁଇ ଭାଇ ଭଉଣୀଙ୍କ ବିବାହ ଧୂମଧାମ୍ ରେ ହୋଇଥିଲେ ବି ସୌଭାଗ୍ୟର ବିବାହ ମନ୍ଦିରରେ ହାତ ଗଣତି ଚିହ୍ନା ଲୋକଙ୍କ ଉପସ୍ଥିତିରେ ହେଲା । ସେଥିରେ ସୌଭାଗ୍ୟର ମୁହଁରେ ଦୁଃଖର ଚିହ୍ନବର୍ଣ୍ଣ ନଥିଲା କି ତା ବାପାଙ୍କ ପକ୍ଷପାତିତାରେ ସେ କଷ୍ଟ ପାଉନଥିଲା । ସେ ବୋଧେ ତା' ଜୀବନ ସାଥି ସେବତୀକୁ ପାଇ ତା' ଜୀବନରେ ପ୍ରଥମଥର ବେଶ୍ ଖୁସି ଥିଲା । ବିଧବା ବିବାହ କରିଛି ବୋଲି ସମାଜରେ କେହି ତା'ର ନିନ୍ଦା କଲେନି ବରଂ ପ୍ରଶଂସାରେ ପୋତି ପକାଇଲେ ସମସ୍ତେ ।

    

   ବାପାବୋଉଙ୍କ ସେବାରେ ସେବତୀ ଜମା ତ୍ରୁଟି କରିନଥିଲା । ବାପାଙ୍କ ବୋହୂ ଡାକ ଆଉ ସ୍ନେହ ଟିକେ ପାଇଁ ଆଶା କରି ବି ସୌଭାଗ୍ୟ ପରି ସେବତୀ ର ଦିନଗୁଡିକ କଟି ଯାଉଥିଲା । କେଉଁ ଧାତୁରେ ଗଢା ସେ ଦୁହେଁ କେଜାଣି ? ଏତେସବୁ ପରେ ବି ବାପାଙ୍କୁ ସମ୍ମାନ ଦିଅନ୍ତି ଦୁହେଁ । ବୋଉର ସବୁବେଳେ ମୁଣ୍ଡ ବୁଲାଇବା, ମଝିରେ ବେହୋସ୍ ହେବା ପରି ଘଟଣା ଲାଗିରହିଲା । ବଗିଚାରେ ତା' ପ୍ରିୟ ଫୁଲଗଛ ମାନଙ୍କରେ ପାଣି ଦେଉ ଦେଉ କେତେବେଳେ କାଶି କାଶି ତା' ପାଟିରୁ ରକ୍ତ ପଡ଼ିଛି । ଧଳା ଗୋଲାପ ଉପରେ ତା ରକ୍ତ ପଡ଼ି ନାଲି ଗୋଲାପରେ ପରଣିତ ହୋଇଛି। ଅନେକ ଦିନ ଡାକ୍ତରଖାନା ରେ ଧାଁ ଦୌଡ଼ ପରେ ଜଣାପଡ଼ିଲା ବୋଉକୁ କ୍ୟାନସର । ଏସବୁ ଶୁଣି ଆକାଶଟା ତା' ମୁଣ୍ଡ ଉପରେ ଖସି ପଡ଼ିବା ମାଟି ସବୁ ତା' ପାଦ ତଳୁ ଅପସରି ଯିବାପରି ଲାଗିଲା ସୌଭାଗ୍ୟକୁ । 

    

   ଟଙ୍କା ସବୁ ପାଣି ପରି ଖର୍ଚ୍ଚ ହେଲେ ବି କୁଣ୍ଠା ନଥିଲା ସୌଭାଗ୍ୟର । ବୋଉର ଔଷଧ ପାଇଁ ଟଙ୍କା ଅଭାବ ସ୍ଵତ୍ତେ ବି ସେ ବୋଉର ଗହଣାତକ ବିକି ନଥିଲା । ଆଶା ଥିଲା ତା ବୋଉ ବଞ୍ଚିବ, ପୁଣି ପର୍ବପର୍ବାଣୀରେ ସେ ଗହଣା ତକ ପିନ୍ଧିବ ଆଉ ସୌଭାଗ୍ୟକୁ ଦେବୀ ତା' ନିକଟରେ ଉପସ୍ଥିତ ବୋଲି ଅନୁଭବ ହେବ । ଭାଇ ଭଉଣୀଙ୍କୁ ଟଙ୍କା ପଠାଇବା କଥା କହିଲେ ବିଭିନ୍ନ ବାହନା ଦେଖାଇ ମନା କରିଦିଅନ୍ତି । 

    

 - " ସୌଭାଗ୍ୟ ତୁ କି ଜାଣୁ ବାହାର ଦେଶରେ ରହିଲେ କେତେ ଟଙ୍କା ଖର୍ଚ୍ଚ ହୁଏ । ବୋଉ ପାଇଁ ଟଙ୍କା ପଠାଇଲେ ତ ମୁଁ ଏ ଦେଶରେ ଭିକାରୀ ହେଇଯିବି । ଦିନଟିଏ ବି ଚଳି ପାରିବି ନାହିଁ ।"


- " ଭାଇ ତୁ ତ ଜାଣୁ ତୋ ଭିଣେଇ ଭାଇଙ୍କ ବିଜିନେସରେ ଖୁବ୍ କ୍ଷତି ହେଉଛି,ଏଇ ସମୟରେ ମୁଁ ଟଙ୍କା ଆଣିବି ବା କେଉଁଠୁ ?" ସୌଭାଗ୍ୟ ଭାବୁଥିଲା ଯେଉଁ ମା'ର ବକ୍ଷରୁ ଅମୃତ ପାନ କରି ସେମାନେ ବଞ୍ଚିଛନ୍ତି, ଦୁନିଆକୁ ଅଧିକ ଦେଖିଛନ୍ତି ଦୁନିଆରେ ବେଶ୍ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ସେମାନେ ଏତେ ହୃଦୟହୀନ ହେଲେ କେମିତି !


     ବାପା ତାଙ୍କ ପେନସନ ପଇସା, ସାରା ଜୀବନ କଠିନ ପରିଶ୍ରମ କରି ସଞ୍ଚିଥିବା ଧନ ବୋଉର ଔଷଧ ପତ୍ରରେ ଖର୍ଚ୍ଚ କରୁଥିଲେ । ନିଜ ସନ୍ତାନଙ୍କ ଅଣଦେଖା ସ୍ବଭାବ ତାଙ୍କ ହୃଦୟରେ କୋହ ସୃଷ୍ଟି କରୁଥିଲା । ସୌଭାଗ୍ୟ ତା' ବୋଉର ଏତେ ସେବା କଲେ ବି ବାପା କେବେ ଖୁସି ହୋଇନଥିଲେ କି ସେବତୀକୁ ଆଦର କରୁନଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ବି ବୋଉ ଚାଲିଗଲା ଅଫେରା ରାଇଜକୁ । ବୋଉର ପଣତ ତଳେ ଶେଷ ନିଃଶ୍ୱାସ ନେବା ପାଇଁ ଚାହିଁଥିବା ସୌଭାଗ୍ୟ କୋଳରେ ବୋଉ ଶୋଇଥିଲା ସବୁଦିନ ପାଇଁ । ସୌଭାଗ୍ୟର ଲୁହକୁ ପୋଛି ଦେଉଥିବା ବୋଉ ଆଉ ପୋଛି ନଥିଲା ସେଦିନ ତା' ଲୁହ ।

     

     ବଞ୍ଚିଥିବା ବେଳେ ବୋଉକୁ ଥରେ ଦେଖିବାକୁ ଆସିନଥିବା ରାଜେନ୍ଦ୍ର ଓ ରୀନା ସପରିବାର ସହ ଆସି ପହଁଞ୍ଚିଥିଲେ ଗାଁରେ ବୋଉ ମୃତ୍ୟୁର ତିନିଦିନ ପରେ । ସେମାନଙ୍କ ଉପସ୍ଥିତିରେ ବାପା ବଢ଼େଇଦେଲେ ସୌଭାଗ୍ୟ ହାତକୁ ଚିଠିଟିଏ । ଶୋଭୁରେ ଚିଠିର ପ୍ରଥମ ଧାଡ଼ିରେ ଲେଖାଥିଲା । ଏ ନାମରେ ତ ତାକୁ ବୋଉ ହିଁ ଡାକେ, ତେବେ ବୋଉ ଲେଖିଛି ଏ ଚିଠି ? ଚିଠିର ଶେଷ ଧାଡ଼ିରେ ଲେଖାଥିଲା ଇତି ତୋର ବାପା । ବାପା ଲେଖିଛନ୍ତି ତାକୁ ଚିଠି ? ଆଶ୍ଚର୍ଯ୍ୟ ହୋଇଗଲା ସୌଭାଗ୍ୟ । ବାପାଙ୍କ ମୁହଁକୁ ଚାହିଁଲା, ବାପା ସେମିତି ନୀରବ । ସ୍ଥିର ହୋଇଯାଇଥିଲେ ବାପା । ସୌଭାଗ୍ୟକୁ ଲାଗୁଥିଲା ପୃଥିବୀଟା ସ୍ଥିର ହୋଇଯାଇଛି କେଇ କ୍ଷଣ । କୌତୁହଳ ସମ୍ବରଣ ନକରି ବାପାଙ୍କ ଉପରୁ ନଜର ଫେରାଇ ଆଣି ଚିଠିଟି ଖୋଲି ପଢିଲା ସୌଭାଗ୍ୟ । 


ଶୋଭୁରେ

     ଚିଠିଟି ପଢ଼ିସାରି ତୋ'ର ପ୍ରତିକ୍ରିୟା କଣ ହେବ ମୁଁ ଜାଣେନା । ତୋ' ପ୍ରତି ମୁଁ କେତେ ଅନ୍ୟାୟ କରିଛି ସେସବୁର ହିସାବ ମୋ ପାଖେ ନାହିଁ । ତୋତେ କେତେ ହତାଦର କରିଛି । ତୁ ମୋ ପୁଅ ନୁହେଁ କହି କେତେ କଷ୍ଟ ତୋତେ ଦେଇଛି । ଏଇଟା ତ୍ରିବାର ସତ୍ୟ ତୁ ମୋ ପୁଅ ହିଁ ନୁହେଁ ଶୋଭୁ । ତୋ' ବୋଉ ବି ତୋ ପ୍ରକୃତ ବୋଉ ନୁହେଁ । ଆମେ ଦୁହେଁ ତୋ'ର ମଉସା ମାଉସୀ । ତୋ' ଜନ୍ମ ହେବା ଦିନ ହିଁ ତୋ' ବାପା ଚାଲିଗଲେ ଦୁର୍ଘଟଣାରେ । ଭଉଣୀ ହାତରେ ତୋତେ ଟେକିଦେଇ ତୋ' ବୋଉ ଡେଇଁ ପଡ଼ିଲା ନଦୀକୁ । ମୁଁ ତୋତେ ଗ୍ରହଣ କରି ପାରୁନଥିଲି , ମୋତେ ଲାଗୁଥିଲା ତୁ ଗୋଟେ ବୋଝ । ହେଲେ ତୁ ମଣିଷ ରୂପୀ ଦେବତାଟେ ମୁଁ ଧିରେ ଧିରେ ଜାଣିଲି । ଏତେ ଅନ୍ୟାୟ, କଟୁ କଥା ସହି ବି କେହି କଣ ତା ବାପାକୁ ଏତେ ସମ୍ମାନ ଦେଇପାରେ । ମୋ ନିଜ ସନ୍ତାନ ମାନଙ୍କଠାରୁ ତୁ ଶହେ ଗୁଣା ଭଲ, ତା ନୁହେଁ ଏ ପୃଥିବୀରେ ସବୁ ସନ୍ତାନମାନଙ୍କ ମଧ୍ୟରେ ତୁ ହିଁ ଶ୍ରେଷ୍ଠ । ମୋର ଇଚ୍ଛା ହୁଏ ତୋତେ ତୋ' ପ୍ରକୃତ ପରିଚୟ ଜଣାଇ ଦିଅନ୍ତି । କିନ୍ତୁ ତୋ' ବୋଉର ରାଣ ନିୟମ ମୋତେ ରୋକି ଦେଉଥିଲା ସେଥିରୁ । ତୁ ଆମ ଦୁଇଜଣଙ୍କ ପାଇଁ ନିଜର ସାଧ୍ୟମତେ ଯେତିକି କଲୁ ସେସବୁ ଫେରାଇବା ପାଇଁ ମୋ ପାଖେ ଆଉ କିଛି ନାହିଁ । ମୋ ସମ୍ପତ୍ତିର ପ୍ରକୃତ ଉତ୍ତରାଧିକାରୀ ତୁ, ତୋ'ର ହିଁ ଅଧିକାର ଅଛି ମୋ ନିଜ ସନ୍ତାନ ମାନଙ୍କ ନୁହେଁ । ପୁଣିଥରେ ତୋତେ କ୍ଷମା ମାଗୁଛିରେ ବାପା । ମୋ ମୁହଁରେ ନିଆଁଟିକେ ଦେବୁ ତାହାଲେ ଯାଇ ମୋ ଆତ୍ମା ମୋକ୍ଷ ପାଇବ । ଆର ଜନ୍ମରେ ଯଦି ମୁଁ ବାପାଟିଏ ହୁଏ ତାହାଲେ ତୁ ମୋ ପୁଅ ହୋଇ ଜନ୍ମ ହେବୁ । ତୋ' ଭଳି ପୁଅଟିଏ ପାଇଁ ମୁଁ ସବୁ ଜନ୍ମରେ ତପସ୍ୟା କରିବି । 

     

                    ଇତି ତୋର " ବାପା "


    ଚିଠିଟି ପଢ଼ିସାରି ସୌଭାଗ୍ୟ ତା' ବାପାଙ୍କୁ ଛଳଛଳ ଆଖିରେ ଚାହିଁ ବା ମାତ୍ରେ ହିଁ ସେ ଟଳି ପଡ଼ିଲେ ତା' କୋଳରେ । ସେ ଏବେ ବୁଝୁଥିଲା ବାପା ତାକୁ ଅନାଦର କରିବାର କାରଣ, ସେ ବୁଝୁଥିଲା ବୋଉ ତାକୁ ବେଶୀ ଭଲ ପାଇବାର କାରଣ । ଚାରିଦିନ ଭିତରେ ସେ ବାପାବୋଉ ଙ୍କୁ ହରାଇ ଭାବୁଥିଲା ସେ ପୂର୍ବରୁ ଅନାଥ ନଥିଲା ଏବେ ହିଁ ଅନାଥ ହେଇଗଲା । ବାପାଙ୍କ ସ୍ନେହ, ପ୍ରେମ, ଆଦର, ଆଶୀର୍ବାଦ କ'ଣ ରହିଗଲା ଏଇ ଚିଠିରେ ! ଆକାଶଟା ଖସି ପଡୁଥିଲା ତା' ମୁଣ୍ଡ ଉପରେ । ବୁକୁ ଫଟାଇ କାନ୍ଦି ଉଠିଲା ସେ । ଗୋଟେ ପୁରୁଷର କାନ୍ଦ ଶୁଭୁଥିଲା ଚତୁର୍ଦ୍ଦିଗରେ ଖୁବ୍ ଜୋରରେ !



Rate this content
Log in

Similar oriya story from Drama