ହାଇଟେକ ବୃଦ୍ଧାଶ୍ରମ
ହାଇଟେକ ବୃଦ୍ଧାଶ୍ରମ


ବାଥ ରୁମ ସଫା ହେଇନି ବୋଧେ ଅନେକ ଦିନରୁ। ଶିଉଳି ଉପରେ ଗୋଡ ଖସିବା ଆଗରୁ ସତ୍ୟଜିତ ବାବୁ ନିଜକୁ ନିୟନ୍ତ୍ରଣ କରିନେଲେ। ବାଲକୋନୀକୁ ଆସି ବସିଲେ ସେ। କଦଳୀ ପତ୍ର ପରି ଥରୁଥିଲା ତାଙ୍କ ଦେହଟା। ଟ୍ରିପ୍ଲେକ୍ସ ଘର, ଲିଫ୍ଟ ବି ଲାଗିଛି। ଉପରେ ଏକା ରହନ୍ତି ସତ୍ୟଜିତ ବାବୁ। ତଳ ଦୁଇଟା ମହଲା ଭୁତ-କୋଠୀ ପରି ଖାଲି ପଡିଛି। କ'ଣ ଅଭାବ ଯେ,ଘର ଭଡାରେ ଲଗେଇବେ। ନିଜ କାମ ନିଜେ କରନ୍ତି ଏଇ ବୟସରେ....
ସ୍ତ୍ରୀ ଯିବା ପରେ ଆଉ ଭଲ ଲାଗୁନି। ନିଃସଙ୍ଗତାର ପରିଭାଷା ହିଁ ଅଲଗା। ଅବଶିଷ୍ଟ ଜୀବନକୁ ଏକା ଏକା କାଟିବା ଗୋଟାଏ କଳା ନୁହେଁ ; ବରଂ ଅଭିଶାପର କିଛି ଗୋଟେ ଦହନୀୟ ମୁହୂର୍ତ୍ତ ପରି ଲାଗେ ; ବେଶ୍ ବୁଝି ସାରିଲେଣି ସତ୍ୟଜିତ ବାବୁ।
କଲେକ୍ଟର ଥିଲେ ସେ। ଏଇ ଘରଟି ବନେଇ ଥିଲେ ସତ୍ୟଜିତ ବାବୁ ଯୁବାବସ୍ଥାରେ,ବିବାହ ପୂର୍ବରୁ। ଘର ତୋଳିବା ଆଗରୁ ଅନେକ କଥା ଭାବିଥିବେ ନିଶ୍ଚୟ। ପୁଅ ଝିଅଙ୍କ ସାଥିରେ ସୁଖର ଏକ ସଂସାର ସେ ଗଢିବେ ଏଇ ଘର ଭିତରେ। ହେଲା କିନ୍ତୁ ଓଲଟା। ସେମାନଙ୍କ ଭାଗ୍ୟରେ ଛୁଆପିଲା ନ ଥିଲା। ଏତେ ବଡ ଘର,ସାରା ଜୀବନ ସେ ବିତେଇଲେ ସ୍ତ୍ରୀ ପ୍ରତିଭାଙ୍କ ସହିତ। ଭାରି ଭଲ ପାଉଥିଲେ ସେ ପ୍ରତିଭାଙ୍କୁ। ସେ ବି ହାତ ଛାଡି ଚାଲିଗଲେ ଅଚାନକ। ସମ୍ପତ୍ତି ଆଉ ବଞ୍ଚି ରହିବାର ଇଚ୍ଛା ଭିତରେ ସମୀକରଣ ବିଗିଡି ଯାଉଥିଲା ଧୀରେ ଧୀରେ। ଏତେ ଗୁଡ଼ାଏ ସମ୍ପତ୍ତିକୁ ନେଇ ଗର୍ବର ଅଜଗର ସାପ ସମୟର କଣ୍ଟା ବାଡ଼ରେ ଛନ୍ଦି ହେଇ ପଡିଛି। ଏକ ନିର୍ଦ୍ଦିଷ୍ଟ ମାଇଲ ଖୁଣ୍ଟ ଅତିକ୍ରମ କରି ଯିବା ପରେ ଭାରି ଉଦାସ ଲାଗେ,ଅନାବଶ୍ୟକ ଲାଗେ ହାତ ମୁଠାରେ ଥିବା ସମ୍ପତ୍ତି ସବୁ....।
ବାଥରୁମରେ ପଡ଼ିଯାଇଥିଲେ,କ'ଣ ହେଇଥାନ୍ତା କେଜାଣି। ପଡିଗଲେ ମୃତ୍ୟୁ ସୁନିଶ୍ଚିତ,ତାଙ୍କ ଦେହଟା ପୁଣି ଥରେ ଶିହରି ଉଠିଲା। ପଡି ଯାଇ ହାତ ଗୋଡ ଭାଙ୍ଗି ଯାଇଥିଲେ,ଆହୁରି କଷ୍ଟ ହେଇଥାନ୍ତା। ନା ବୁଝା ଶୁଝା କରିବା ପାଇଁ ପ୍ରତିଭା ଅଛନ୍ତି ପାଖରେ,ନା ଝିଅଟିଏ ଅଛି ଯେ ଖବର ପାଇ ଦଉଡି ଆସନ୍ତା !!! ଭଙ୍ଗା,ପରିତ୍ୟକ୍ତ ପାଚେରୀ ଉପରେ ଦୁଇଟି ଗୁଣ୍ଡୁଚି ମୂଷାର ଖେଳ ଦେଖି ଅନ୍ୟ ମନସ୍କ ହୋଇଗଲେ ସତ୍ୟଜିତ ବାବୁ। ହାଲୁକା ବର୍ଷାରେ ଭିଜି ଗଲେ ସେମାନେ,ମନ ଖୁସିରେ କାନ୍ଥର ଗୋଟେ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡୁଥିଲେ ଦୁଇଟି ଗୁଣ୍ଡୁଚି ମୂଷା। ସର୍ତ୍ତହୀନ ପ୍ରେମରେ ମଜା ହିଁ ଅଲଗା। ଜୀବନଟା ଥର ମରୁଭୂମି ପରି ଲମ୍ବା ଲାଗିଲେ ବି,ସତରେ ଏତେ ଲମ୍ବା ନୁହେଁ ; ଠିକ୍ ଏଇ ପାଚେରୀର ଦୈର୍ଘ୍ୟ ପରି.... ଆରମ୍ଭ ହୋଇ ହଠାତ୍ ସରିଯାଏ। ଜୀବନକୁ ଠିକ୍ ଭାବେ ଜୀଇଁ ପାରିଲେ ହିଁ ସାର୍ଥକତା,ବାସ୍।
ବର୍ଷା ଛାଡି ଯାଇଥାଏ। ନିଃସଙ୍ଗ ଜୀବନର ଗୋଟାଏ ପୃଷ୍ଠା ଓଲଟି ଗଲା ଯେମିତି। ନୂଆ ପୃଷ୍ଠାଟିଏ ଆଖି ଆଗରେ। ନୂଆ ନୂଆ ଚିନ୍ତା,ଦୁଶ୍ଚିନ୍ତା ମନ ସମୁଦ୍ରକୁ ଅଶାନ୍ତ କରୁଥା'ନ୍ତି,ଯେମିତି ଘୂର୍ଣ୍ଣିଝଡ ମାଡି ଆସିବ।
"ପୁତୁରା ଶଶାଙ୍କ ନାଆଁରେ ଘରଟା କରି ଦେବି ନା କଲୋନୀରେ ଥିବା ଭଗବତୀ ମନ୍ଦିର ନାଆଁରେ କରିବି,କିଛି ବୁଝି ପାରୁନି।"
ପ୍ରତିଭାଙ୍କ ମୃତ୍ୟୁ ପରଠୁ କାହିଁକି କେଜାଣି ଶଶାଙ୍କ ପ୍ରତିଦିନ ଥରେ କଥା ହୁଏ,"ମୁଁ ଅଛି ପରା,କିଛି ଅସୁବିଧା ହେବନି", କହି ସହାନୁଭୂତି ପ୍ରକାଶ କରେ। ଚାଳିଶ ବର୍ଷ ହେଲା ଦେଖା-ସାକ୍ଷାତ୍ ନ ଥିଲା। ଏଇ କେତେ ଦିନ ହେଲା ଗୁଡ-ମର୍ଣିଂ ନ ଲେଖିଲେ,ତା ଖାଇବା ହଜମ ହୁଏନି। କ'ଣ କରିବି,କାହାକୁ ଦାନ କରିବି ଏତେ ସମ୍ପତ୍ତି ସବୁ। ଅପାତ୍ରରେ ଦାନ ହେଇ ଯିବନି ତ !!
"ସହରର ଜଣେ ନାମି ବିଲଡର ଆସି ଜାଗାଟିକୁ କିଣିବା ପାଇଁ ଲୋଭନୀୟ ସର୍ତ୍ତ ରଖିଛି। ଏତେ ପଇସା ପୁଣି ମୁଁ କାହାକୁ ଦେବି,ମୁଣ୍ଡ କାମ କରୁନି।"
"ତହସିଲଦାର ନଟ ବାବୁ....ସାଥିରେ ଆମେ ପଢିଥିଲୁ ବି.ଏ. ପର୍ଯ୍ୟନ୍ତ। ମୁଁ କଲେକ୍ଟର ହେଲି,ଅହଙ୍କାର ଭରି ହେଇ ଗଲା ମୋ ଭିତରେ। ସର୍ବ-ସମକ୍ଷରେ ତହସିଲଦାର ନଟ ବାବୁଙ୍କୁ ମୋର ସାଙ୍ଗ ବୋଲି ପରିଚୟ ଦେବାକୁ ଚାହୁଁ ନ ଥିଲି। ମୁଁ କୃଷି ସେକ୍ରେଟାରୀ ଭାବେ ଅବସର ନେଲା ବେଳକୁ ନଟ ବାବୁ କଳାହାଣ୍ଡିର ସବ କଲେକ୍ଟର ଥିଲେ। ସେଇଠି ସେ ଅବସର ଗ୍ରହଣ କରିଥିଲେ। ଆମ ଘରକୁ ଲାଗି ତାଙ୍କ ଘର। ତାଙ୍କ ଘରଟା ଛୋଟ ହେଲେ ବି,ଆଉ ମୋ ଭିତରେ ସେମିତି ଅହଙ୍କାର ନାହିଁ। ଅବସର ପରେ ଆଖିର ଶକ୍ତି କ୍ଷୀଣ ହେଇଯାଏ,ପିନ୍ଧା ଚଷମାର ପ୍ରବଳତା କମିଯାଏ ବୋଧେ,ସମସ୍ତେ ସମାନ ଲାଗନ୍ତି। ନଟ ବାବୁ ଓ ମୋ ଭିତରେ ଥିବା ପାର୍ଥକ୍ୟକୁ ମୁଁ ଆଉ ଦେଖି ପାରୁନି। ସମସ୍ତେ ଆମେ ଅସହାୟ ସେତେବେଳେ।
ଆଜି କାଲି ଭାରି ମିଶନ୍ତି ସେ ମୋ ସହିତ। ମୋର ଛୁଆ ପିଲା ନ ଥାଇ ମୁଁ ଏକୁଟିଆ। ପୁଅ ଝିଅ ଆମେରିକାରେ ଥାଇ ବି ନଟ ବାବୁ ଏକା ରହନ୍ତି। ପ୍ରତି ରବିବାର ସଞ୍ଜ ବେଳେ ଗରମ ଗରମ କଫି ପିଇବାକୁ ଡାକନ୍ତି ନଟ ବାବୁ। ଭାରି ଶ୍ରଦ୍ଧା କରନ୍ତି, ନିଃସ୍ବାର୍ଥପର ଭାବେ।"
ବେଳେ ବେଳେ ଇଚ୍ଛା ହୁଏ ନଟ ବାବୁଙ୍କୁ ଘର ଦେଇ କହିବି,"ଭାଇ ମୋ ଅନ୍ତେ ଆମ ଘର କଥା ତମେ ବୁଝିବ ".....
ହଠାତ୍ ଘଡଘଡି ମାରିଲା ଆକାଶରେ। ସତ୍ୟଜିତ୍ ବାବୁ ଅନେଇଲେ ଆକାଶ ଆଡକୁ। ଝଡି ପୋକ ଦଳଟି କଉଠି ଥିଲେ କେଜାଣି ବାରଣ୍ଡା ସାରା ଭରି ଗଲେ। ବାଧ୍ୟ ହୋଇ କବାଟ ବନ୍ଦ କରି ଭିତରକୁ ଆସିଲେ ସତ୍ୟଜିତ୍ ବାବୁ।
ତା ପରଦିନଠୁ ଘର ମରାମତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥାଏ। ଗ୍ରାନାଇଟ୍, ମାର୍ବଲ ଗାଡି ସବୁ ଲାଗିଲା ତାଙ୍କ ଘର ଆଗରେ। ଶାଗୁଆନ କାଠର ଚେୟାର, ଟେବୁଲ୍,ଖଟ ଆସି ପହଞ୍ଚିଲା। ପ୍ରତି ବାରଣ୍ଡାରେ ସୋଫା ଓ ଟି ପୟ। ହିଣ୍ଡୱେର କମ୍ପାନୀର ଗାଡି ଆସି ବେସିନ, କମୋଡ,ସାୱାର,ଗିଜର ଓହ୍ଲେଇ ଦେଇଗଲା ତାଙ୍କ ଘର ଆଗରେ।
ଗାଆଁ ଲୋକେ ଫୁସ୍ ଫାସ ହେଲେ : "ମଣିଷର ଲୋଭ ଦେଖ। ଆଉ କେତେ ଦିନ ବଞ୍ଚିବେ ଯେ,ସତ୍ୟଜିତ ବାବୁ ଘର ମରାମତି କରୁଛନ୍ତି,କାହାପାଇଁ କେଜାଣି !! ଏଇ ବୟସରେ ଧର୍ମ କର୍ମ କରିବା କଥା, କି ଯୁଗ ହେଲା କେଜାଣି !!!
ସହରରୁ ବାହାରୁଥିବା ଆଞ୍ଚଳିକ ଖବର କାଗଜରେ କିଏ ଜଣେ ବ୍ଲଗ୍ ଲେଖିଛି ସତ୍ୟଜିତ୍ ବାବୁଙ୍କ ବାବଦରେ। ଘୋର ନିନ୍ଦା,ଅପବାଦ କଥା। ଜଣେ ଅବସର ପ୍ରାପ୍ତ ଲୋଭୀ ଆଇ.ଏ.ଏସ୍ ଅଫିସରଙ୍କ କଥା। ଅଶି ବର୍ଷ ବୟସରେ ମଧ୍ୟ ବଞ୍ଚିବାର ଲୋଭ। ସତ୍ୟଜିତ ବାବୁଙ୍କର ସେମିତି କିଛି ପ୍ରତିକ୍ରିୟା ନ ଥିଲା,ନା କୋର୍ଟ କଚେରୀ ଯିବାକୁ ବଳ ବୟସ ଅଛି।
ମାସେ ଭିତରେ ଘର ଆଗରେ ଗାଲିଚା ତିଆରି ହେଇ ପ୍ରସ୍ତୁତ। ଅଧା ଏକରରୁ ଅଧିକ ହେବ ଘାସ ଗାଲିଚାଟି। ଚାରି ପାଞ୍ଚୋଟି ରବର୍ ଗଛ ଶୋଭା ବର୍ଦ୍ଧନ କରୁଛି। ଗୋଲାପ,ରଜନୀଗନ୍ଧା, ପର୍ତୁଲାକା,ରଙ୍ଗଣୀ,ସେବତୀ,ମଲ୍ଲି-ଫୁଲ ଗଛରେ ସୁ-ସଜ୍ଜିତ ଘର ଆଗରେ ଥିବା ଉଦ୍ୟାନଟି। ଦୁଇ ତିନୋଟି ଦୋଳି ସହିତ ନାନା ରକମର ଜିମ୍-ସରଞ୍ଜାମ ପାଚେରୀ ଧାରେ ଧାରେ।
କଲୋନୀ ଲୋକେ ଘର ଆଡେ ଅନେଇ ମୁଚୁକି ହସା ଦିଅନ୍ତି। ଭାବନ୍ତି : ମଶାଣି ପାଖ ହେଇ ବି,ମଣିଷ ସ୍ବପ୍ନ ଦେଖେ। ସତ୍ୟବ୍ରତ ବାବୁଙ୍କ ଅଦ୍ଭୁତ ଏଇ ପରିକଳ୍ପନା ନେଇ ଇ.ଡି/ସି.ବି.ଆଇ. ସ୍ତରରେ ହଲଚଲ ସୃଷ୍ଟି ହେଇଛି। ଅବସର ପ୍ରାପ୍ତ ଆଇ.ଏ.ଏସ୍ ଅଫିସରଙ୍କ ଘର ମରାମତି ପାଇଁ ପଇସା ଆସୁଛି କୋଉଠୁ ??
ସକାଳର ସୂର୍ଯ୍ୟ କିରଣ ଖେଳୁଛି ସତ୍ୟଜିତ୍ ବାବୁଙ୍କ ଅଗଣାରେ। ଘର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ବଡ ଫ୍ଲେକ୍ସ ବୋର୍ଡ ଲାଗିଛି ଘର ଆଗରେ। ପ୍ରତିଭା ବୃଦ୍ଧାଶ୍ରମ ; ପଚାଶ ବେଡ ବିଶିଷ୍ଟ ବୃଦ୍ଧା ଶ୍ରମଟି। ପଞ୍ଜିକରଣ ଆରମ୍ଭ ହେବ ଆସନ୍ତାକାଲି ସକାଳ ଆଠଟାରୁ। ପ୍ରଥମେ ଆସ,ପ୍ରଥମେ ପାଅ, ଆଧାରରେ ବଣ୍ଟନ ହେବ ବେଡ ଗୁଡିକ।
ସମସ୍ତେ ସ୍ତବ୍ଧ। କାହା ମୁହଁରେ ଆଉ ଭାଷା ନାହିଁ। ଲମ୍ବା ଧାଡି.. ସତ୍ୟଜିତ୍ ବାବୁ ନିଜେ ଛିଡା ହୋଇଛନ୍ତି ଧାଡ଼ିରେ। ପଛରେ ନଟ ବାବୁ।
ସାମ୍ବାଦିକ ମାନେ ପଚାରିଲେ : "ପଚାଶ ଖଟ ବିଶିଷ୍ଟ ଏଇ ବୃଦ୍ଧାଶ୍ରମରେ ସାଠିଏ ଜଣ ବୟସ୍କ ଲୋକଙ୍କୁ କେମିତି ଜାଗା ଦେବେ ?"
ହଁ,ମୁଁ କିଛି କହିବାକୁ ଚାହୁଁଛି। ପ୍ରତି ଘରେ ବୟସ୍କ ମାନେ ଗୋଟେ ଅଦ୍ଭୁତ ଘର ସନ୍ଧାନରେ ଥାଆନ୍ତି ବୋଧେ,ଯେଉଁଠି ଖୁସି ମିଳିବ। ଦେଖୁ ନାହାନ୍ତି, ଗତ କାଲି ଆମେ ପଞ୍ଜିକରଣ ପାଇଁ ବୋର୍ଡ ଲଗେଇଥିଲୁ। ଆଜି ପ୍ରାୟ ସାଠିଏ ଜଣ ବୟସ୍କ ଲୋକ ଧାଡ଼ିରେ ଛିଡା ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ଯେ, ନିର୍ଦ୍ଦିଷ୍ଟ ସମୟ ସୀମା ଅତିକ୍ରମ କରିଯିବା ପରେ,ଜଣେ ବୟସ୍କ ବ୍ୟକ୍ତି ଏମିତି ଗୋଟାଏ ପରିବେଶ ଭିତରେ ଛନ୍ଦି ଯିବାକୁ ଚାହେଁ ; ଯେଉଁଠି ସ୍ନେହ,ଶ୍ରଦ୍ଧା ବେଶି ନ ଥିଲେ ବି,ଛଳନା ଓ ଘୃଣାର ଶିକାର ହେବାକୁ ପଡେନି, ଯେଉଁଠି ଜୀବନ ପ୍ରତି ଆକର୍ଷଣ ବଢି ବଢ଼ି ଚାଲେ।
ଏଇଠି ପଞ୍ଜିକରଣ କରିଥିବା ପ୍ରାୟ ଅଧାରୁ ଅଧିକ ବୟସ୍କ ଲୋକଙ୍କ ପୁଅ,ବୋହୂ ସାଥିରେ ରହନ୍ତି।
"ହଁ,ଅଧିକ ଦଶ ଜଣଙ୍କ ପାଇଁ ହୃଦୟରେ ଜାଗା ଅଛି। ହୃଦୟରେ ଜାଗା ଅଛି ଯେତେବେଳେ,କିଛି ନା କିଛି ଉପାୟ ବାହାରି ଆସିବ।"
ନଟ ବାବୁ ମାଇକ୍ ଛଡେଇ ନେଇ କହିଲେ,"ପାଖକୁ ଲାଗି ଆମ ଘରଟା ଅଛି ପରା। ସେ'ଠି ବ୍ୟବସ୍ଥା ହେଇଯିବ।"
ସତ୍ୟବ୍ରତ ବାବୁ କୋଳେଇ ନେଲେ ନଟ ବାବୁଙ୍କୁ।
ଦୁଇ ଦିନ ପରେ, ଚଳଚଞ୍ଚଳ ଲାଗୁଥିଲା ଘର ଦୁଇଟି। କେତେ ବର୍ଷ ଧରି ଜୀବନ ନ ଥିବା ଘର ଆଜି ଜୀବନ ପାଇଛି। ଭଜନ କୀର୍ତ୍ତନ ଶବ୍ଦ ଭିତରେ ରୋଷେଇ ଘରୁ ବାସନ କୁସନର ଶବ୍ଦ ସହିତ ଚା'ର ବାସ୍ନା ବିମୋହିତ କରୁଥିଲା ପରିବେଶକୁ।
ସତ୍ୟଜିତ୍ ବାବୁ ଆଉ ଏକା ନୁହନ୍ତି,ସାଙ୍ଗ ଗହଣରେ ହଜେଇ ଦେଇଛନ୍ତି ସେ ନିଜକୁ। ଆଗରେ ରାସ୍ତା ନ ଥିଲେ କଣ ହେଲା, ରାସ୍ତା ବନେଇ ବନେଇ ଯିବାକୁ ହୁଏ, ବାସ୍।
ସେ ଆଜି ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସର ନୁହନ୍ତି ; ବୃଦ୍ଧା ଶ୍ରମରେ ଜଣେ ସାଧାରଣ ସଦସ୍ୟ। ଗୋଟାଏ ବେଡ୍ ହିଁ ତାଙ୍କ ସମ୍ପତ୍ତି।
ଖଟ ପାଖରେ ଲାଗିଥିବା ପ୍ରତିଭାଙ୍କ ଫଟୋକୁ ଅନେଇ ମନେ ମନେ କହୁଥିଲେ, "ଦେଖ ପ୍ରତିଭା ! ତମେ ଥିଲେ ଆଉ ଟିକେ ଅଧିକ ଭଲ ଲାଗୁ ଥାଆନ୍ତା ପରିବେଶଟା। ତମେ ସ୍ଵର୍ଗରେ ଭଲରେ ଥାଅ,ମୁଁ ବେଶ୍ ଖୁସିରେ ଅଛି। ଆମେ ପରସ୍ପରଙ୍କ କଥା ବୁଝୁଛୁ,ବାଥ୍-ରୁମରେ ପଡିଗଲେ ବି,ଆଉ ଭୟ ନାହିଁ,କେହି ଜଣେ ନିଶ୍ଚୟ ହାତ ଧରି ଉଠେଇ ଆଣିବେ।"
"ଜାଣିଛ ନା ଠିକ୍ ତମ ଭଳି ଜଣେ ବୟସ୍କ ଭଦ୍ର ମହିଳା ଆସିଛନ୍ତି ଆମର ଏଇ ବୃଦ୍ଧାଶ୍ରମକୁ,ତାଙ୍କ ଓଠ ଉପରେ ବି ଠିକ୍ ତମ ପରି ; ତିଳ ଚିହ୍ନଟିଏ ରହିଛି।"
ପଞ୍ଜିକରଣ ବେଳେ ମୋତେ ଦେଖି ସେ ହସିଦେଲେ। ଆଗକୁ ଯାଇ ସେ ଯଦି ମୋ ଯତ୍ନ ନିଅନ୍ତି....ଭାବିବି,ତମେ ଆଉଥରେ ତାଙ୍କ ଭିତରେ ପଶି ଆସିଛ।"
ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ବୋହି ଆସିଲା...