STORYMIRROR

Lalita Mohan Mishra

Drama Tragedy Others

4.8  

Lalita Mohan Mishra

Drama Tragedy Others

ଭାବନା

ଭାବନା

6 mins
701



ସମୟର ପଶାପାଲି ବଡ଼ ବିଚିତ୍ର..... କେତେବେଳେ ମଣିଷ ସମୟର ପାଖୁଡା କୁ ହସଖୁସିରେ ନିଜ ଆଡକୁ ଟାଣି ଆଗକୁ ଆଗେଇ ଯାଉଛି.. ତ ଆଉ କିଏ ସେଇ ପାଖୁଡା ଦେଖିଲେ ଡରୁଛି.....କାଳେ ସେଇ ପାଖୁଡା ଭିତରେ ଲୁଚି ରହିଥିବା ସମୟ...... ଓଃ......କି ଯନ୍ତ୍ରଣା.... ଆଉ ଭୟଯୁକ୍ତ ସେ ପାଖୁଡା..... ଆଉ ସେ ସମୟ...... । ଆଜିର ଦିନଟି କାଲି କି ନ ଥାଏ । ଆଜିର ମନଟି ଆସନ୍ତା କାଲି କି ନ ଥାଏ । ସମୟ ,ବୟସ ଆଉ ମନ ରଥାଙ୍ଗ ଚକ୍ରାଙ୍ଗ ଗତିରେ ଗତି କରନ୍ତି । ଆମେ ଭାବୁଛେ ଆମେ ସବୁ କରିଦେବା । କିନ୍ତୁ ସେୟା ନୁହେଁ । ନିୟତିର ନିୟମାନୁଯାୟୀ ଆମେ କାର୍ଯ୍ୟ କରୁଛେ । ତତ୍ ସଙ୍ଗେ ସଙ୍ଗେ ଆମର ସତ୍ କର୍ମ । ମନୁଷ୍ଯ ଭାବେ ଗୋଟିଏ ଫଳ ଫଳେ ଗୋଟିଏ ।


ମନେ ପଡେ ସେଦିନର କଥା । ଭିଜା ମାଟିର ବାସ୍ନା ଠୁ ବି ଆହୁରି ବାସ୍ନା.... ଢେର ଅଧିକ ଥିଲା ଆଜି ତୁମ ଦେହରେ । ତୁମ ବାସ୍ନାଭରା ଦେହର ମାଦକତାରେ ଇଚ୍ଛା ହେଉଥିଲା ହଜିଯିବାକୁ.... ନିରୋଳା ବନ୍ଦ ଦରଜାରେ ଆଉ ମନଭରି ଉପଭୋଗ କରିଥାଆନ୍ତି ବାହାର ର ବର୍ଷା । ବନ୍ଦ ଦରଜା ବି ଥିଲା । ତୁମେ ବି ଥିଲ ଅତି ନିକଟରେ..... ହେଲେ ପାରୁ ନ ଥିଲି ତୁମକୁ ଛୁଇଁବାକୁ .... ତୁମର ବିନା ଅନୁମତି ରେ । କେମିତି ବି ଛୁଅନ୍ତି ଯେ କହିଲ ? ତୁମ ସହମତି ବିନା କେଉଁ ସମ୍ପର୍କ... ବା ସୁନ୍ଦର... କିନ୍ତୁ ତୁମର ସୁନ୍ଦରତାର ଆକର୍ଷଣ ଶକ୍ତି ଏତେ ପ୍ରଖର ଯେ ମୁଁ ବାରମ୍ବାର ଆକର୍ଷିତ । ମୁଁ ସାଧାରଣ ପୁରୁଷ... ଆକର୍ଷିତ କେମିତି ହୁଅନ୍ତି ନି ଯେ ! ! ! ଘୃତ ଅଗ୍ନି ପାଖାପାଖି.... ପୁରୁଷ ପରା ମୁଁ ।


ତୁମ ସମ୍ବେଦନଶୀଳ ଅଧା ଢ଼ଙ୍କା ଶାଢ଼ୀ ଭିତରୁ ତୁମ ଫୁଟନ୍ତା ଯୌବନ ଦେଖି କେଉଁ ପୁରୁଷ ବା ନିଜକୁ ନିୟନ୍ତ୍ରଣରେ ରଖନ୍ତା କହିଲ..... । ଏଥର କିନ୍ତୁ ମୁଁ ନିଜକୁ ଆଉ ନିୟନ୍ତ୍ରଣରେ ରଖି ପାରିଲି ନାହିଁ । ତୁମ ମନକୁ ପଢିବାକୁ ଆଉ ଡେରି ଲାଗିଲା ନାହିଁ ମୋତେ । ନାରୀ ଟିଏ ସଦାବେଳେ ଚାହେଁ ପୁରୁଷ ତା ମନ କଥା ବୁଝୁ । ତାକୁ କୋଳେଇ ନେଉ ନିଜ ଆଡକୁ.. ଯାଚି ହେବାକୁ ତାର ଭାରି ଲଜ୍ୟା । ମୁଁ ଭୁଲିଗଲି ସବୁ ନୀତି ନିୟମ.... ସାମାଜିକ ବାଡ଼ ବତା । ପଛ ଆଡୁ ଭିଡି ଧରିଲି ତୁମକୁ.... ଆଉ ତୁମର ସେ ଓଠରେ ମୋ ଓଠକୁ ହଜେଇ ଦେଲି । ଆସ୍ତେ ଆସ୍ତେ ବେକ ଆଉ ତା ପରେ........ତୁମେ କହିଲ ନାହିଁ... ଛାଡ... ଦୁଷ୍ଟ କୋଠିକାର... । ଉପରେ ନାହିଁ କହୁଥିଲେ ବି ତୁମ ଭିତରଟା ପଢିବାରେ ମୁଁ ଅଭ୍ୟସ୍ତ ଥିଲି । ଅନ୍ଧାର କଠୋରୀରେ ଗୋଟେ ପୁରୁଷ ନାରୀ ଏକୁଟିଆ ଥିଲେ ଯାହା ହୁଏ.... ତାହା ଆମ ଭିତରେ ଘଟିବା ପୂର୍ବରୁ ମୋ ବାହୁ ବନ୍ଧନରୁ..... ତୁମେ ବାହାରି ଯିବାକୁ ଆପ୍ରାଣ ଚେଷ୍ଟା କଲ । କାହିଁକିନା ତୁମେ ଥିଲ... ଜଣେ ଅବିବାହିତ ନାରୀ ।


ଭୟ ରହିବା ସ୍ୱାଭାବିକ । କାଳେ ବିବାହ ପୂର୍ବରୁ କିଛି ଭୁଲ ଆଉ ସେଇ ଭୁଲରୁ ତୁମେ..... । ତୁମ ମନରେ ସମସ୍ତ ପ୍ରଶ୍ନ କୁ ଦୂର କରିବାକୁ ଯାଇ ବିବାହର ପ୍ରତିଶ୍ରୁତି ଦେଇ ହଜିଗଲି । ତୁମ ଦେହରେ ସେଇ ମିଠା ଭୁଲର ସ୍ଵର୍ଗସୁଖ ଆଶାରେ । ଆଶାରେ ତ ମଣିଷ ବଞ୍ଚେ । ତୁମେ ଆଉ ବାଧା ଦେଲ ନାହିଁ । ରାତି ବଢୁଥାଏ ହେଲେ ତୁମ ଦେହର ତାତି ମୋତେ ପାଗଳ କରି ଦେଉଥାଏ । ସତରେ ତୁମ ଦେହ ମନ୍ଦିରରେ ପ୍ରତ୍ୟେକ ସ୍ଥାନ ରେ ମୋ ଚୁମ୍ବନର ଦସ୍ତକତର ଛାପ ଛାଡି ସେଇ ଶୁଣିଥିବା ଚରମ ତୃପ୍ତି ଟିକକ ପାଇବା ପାଇଁ ମୋ ବାହୁ ବନ୍ଧନରେ ବନ୍ଦିନୀ କରିଦେଲି । ଯାହା ବି ହେଲା ସବୁ ଆମ ସହମତିରେ ଥିଲା ଭାବନା ! ! ! ଆଜି କିନ୍ତୁ ତୁମେ ପରର ହୋଇସାରିଛ । ଆମ ପ୍ରେମର ସନ୍ତକ ବୋଲି କିଛି ନାହିଁ... ରହି ଯାଇଛି ଖାଲି ସ୍ମୃତି..... ମନର ସ୍ମୃତି.... ହୃଦୟର ସ୍ମୃତି..... । ବୟସ ବଢି ଯାଇଛି କିନ୍ତୁ ସେ ପ୍ରଥମ ଦିନର ପ୍ରଥମ ସ୍ମୃତିକୁ କଣ ଭୂଲି ହେଉଛି ଭାବନା । ଆଜି ବି ସେ ବାସ୍ନା ମୋ ମନ ଦେହରୁ ଯାଇନି । ମୋ ଆଘ୍ରାଣରେ ସେଇ ବାସ୍ନା ବାରମ୍ବାର ମନେ ପକାଇ ଦେଇ କହୁଅଛି.... ହେ ଭାବନା ! ତୁମେ କେବଳ ମୋର.....


ମନର କଥା.... ମନର ଭାବନା..... ମନର ଆବେଗ... ମନର ସମ୍ମୋହନ..  ମନର ଅପାସୋରା କଥା ମନରେ ରହିଗଲା... ସତରେ ଭାବନା ! ତୁମ ନାମ ଭାବନା ତୁମେ ବାସ୍ତବିକ ଭାବନା ହୋଇ ମୋ ପାଇଁ ରହିଗଲ.... 


ମୁଁ କଣ ଜାଣି ଥିଲି.... ତୁମେ ଋତୁପରି ଦିନେ ବଦଳି ଯିବ। ବାଟରେ ଦେଖିଲା ପରେ ଅଚିହ୍ନା ଅତିଥି ପରି ତୁମେ ମୁହଁ ମୋଡ଼ି ଚାଲିଯିବ। ସତରେ କଣ ପ୍ରେମରେ ଏମିତି ହୁଏ ...? ଏକଥା ତ ମୋତେ ଜଣା ନ ଥିଲା କେବେବି...? ସବୁବେଳେ, ସବୁଠାରେ, ସବୁ ସମୟରେ ମୁଁ କେବଳ ତୁମକୁ ଖୋଜୁଥିଲି। ତୁମର ଟିକିଏ ସ୍ପର୍ଶ ପାଇଁ.... ତୁମର ଟିକିଏ ସାନ୍ନିଧ୍ୟ ପାଇଁ...... ମୁଁ ନିଜକୁ ହଜେଇ ଦେଇଥିଲି। ମାଟିରୁ ଆକାଶ.... ଯୁଆଡ଼େ ଚାହିଁଲି ସବୁବେଳେ - ତୁମ ଚେହେରା... ଆଇନାରେ ଦେଖା ଯାଉଥିଲା। ସବୁ ଠାରେ ତୁମ ଆଲିଙ୍ଗନ... ସବୁଠାରେ ତୁମର ସ୍ପର୍ଶ.... ଅଥଚ ଆଜି ଏତେ ଦିନ ପରେ ଭେଟ ହୋଇ ତୁମେ ଚିହ୍ନି ପାରିଲନି....?


ପ୍ରେମର କେଉଁ ସହରରେ ଗୋଟେ ବଗିଚାରେ ମୁଁ ଏକା ଏକା ବସିଥିଲା ବେଳେ..... ତୁମେ ସ୍ଵପ୍ନର ପରୀଟିଏ ସାଜି ଉଡ଼ି ଆସିଥିଲ ମୋ ଭାବନା ହୋଇ.... ମୋର ଚିନ୍ତାକୁ.... ମୋ ଚେତନାକୁ..... । ମୋ ହୃଦୟର ନିଭୃତ କୋଣ ଭିତରେ ରହି ମୋତେ ଚୁପ୍ ଚାପ୍ କହୁଥିଲ ଜାଣିଛ ନା ମୁଁ ତୁମକୁ ଖୁବ୍ ଭଲ ପାଏ। ଭଲ ପାଇବାର ପ୍ରତିଦାନ ତୁମେ କଣ ବୁଝି ପାରିବ ଭାବନା ? ଭଲ ପାଇବାର ସଂଜ୍ଞା ତୁମେ କେବେ ମାପିଚ ? ନା ବୁଝିଛ ? ନା ଚିହ୍ନିଛ ?


ତୁମେ ପଢ଼ିଛ ମୋତେ କେବେ.....ବୁଝୁଛ ମୋ ହୃଦୟକୁ

କେବେ .....ମାପିଛ କେବେ ମୋର ମନକୁ। କେବେ ପଚାରି ବୁଝିଛ ମୋ ମନ ତଳ... ଛାତି ତଳ କଥା। ସବୁବେଳେ ତୁମେ ଗୋଟିଏ ଉତ୍ତର ଦେଇଛ ନା ମୁଁ ତୁମକୁ ଭଲପାଏ। ଅଥଚ ଦୀର୍ଘ ବର୍ଷର ଭଲ ପାଇବାର ଭିତରେ ତୁମେ ଗୋଟେ ସୀମାରେଖା ଟାଣି ଦେଲ। ଗୋଟେ ଲକ୍ଷ୍ମଣ ରେଖା ଟାଣି କୁଆଡ଼େ ଚାଲିଗଲ ? କେଉଁଠିକି ଗଲ । କେମିତି ରହିଲ । କାହା ପାଖରେ ରହିଲ । କେମିତି ଅଛ ? ଖୁସିରେ ଅଛ ? କି ଦୁଃଖରେ ଅଛ ? ମୁଁ ଜାଣେ.. ଏ କଥା କହିଲା ବେଳେ ମୋ ଆଖିରୁ ଅଜାଣତରେ ଲୁହ ଝରି ପଡେ । ପୁଣି ଭାବେ ମୁଁ ତ ନିଜର କରି ପାରିଲି ନାହିଁ । ମୁଁ କାନ୍ଦିଲେ ତୁମର ଅନିଷ୍ଟ ହେବ ଭାବି ଓଠରେ ସ୍ମିତହାସ୍ୟ ଦେଇ ମନ କୁ ବୁଝେଇ ଦିଏ ? 


ତମ ହସ ଭିତରେ ଯେଉଁ ଲୁହ ଟୋପା ଲୁଚି ରହିଛି ମୁଁ ତାକୁ ଦେଖି ପାରୁଛି। ମୋ ହସ ଭିତରେ ଯେଉଁ ଲୁହ ଟୋପେ ଗଡ଼ି ପଡୁଛି । ତୁମେ ତାକୁ ଦେଖି ପାରିବନି ? ଜାଣି ପାରିବନି ? ମାପି ପାରିବନି ? ମୁଁ ଜାଣେ କେଉଁଠି ନା କେଉଁଠି ପୁନର୍ବାର ଭେଟ ହେବ ତୁମ ସହ । ତୁମେ ପୁଣି ମୋତେ ପଚାରିବ କେମିତି ଅଛ ? ମୁଁ କହିବି ଭଲ ଅଛି ପୂର୍ବାପେକ୍ଷା ।

ତୁମେ କିନ୍ତୁ ହସିବନି ! ମୁଁ ଜାଣେ ମୁହଁ ତଳକୁ କରି.... ମାଟି ମୁହାଁ ହୋଇ ଚାଲିଯିବ। ଆଜି ଅନେକ ଦିନ ପରେ... ତୁମ କଥା ମନେ ପଡିଗଲା। ତୁମ କଥା ମନେ ପଡ଼ିଗଲା ବୋଲି ବୋଧେ ହୁଏ ଆଜି ସକାଳଟା ଫୁଲମୟ ଲାଗୁଛି। ଚଢ଼େଇ ମାନଙ୍କ ଓଠରେ ନୂଆ ନୂଆ ଗୀତର କିଚିରି ମିଚିରି ଶବ୍ଦ। ସୂର୍ଯ୍ୟଙ୍କର ରଙ୍ଗ ଆଜି ବଦଳି ଯାଇଛି। ମୋର ମନର ଭାବନା ପୁଣି ଆସିଛି । 


ଆକାଶର ରଙ୍ଗ ବଦଳିଛି। ପୃଥିବୀ ଆଜି ସବୁଜ ସବୁଜ.... କିନ୍ତୁ ଟିକେ ନିଆରା ନିଆରା ଦିଶୁଛି କାଲିଠାରୁ । ତୁମେ କ'ଣ ଜାଣିନ ! ! ! ମୋ ଦୁଃଖ ଭିତରେ ବି ତୁମେ ! ! ! ମୋ ସୁଖ ଭିତରେ ବି ତୁମେ । ମୋ ପ୍ରେମ ମୋ ଭାବନାରେ ବି ତୁମେ । ତମ ହସଲୁହ.... ପାପପୁଣ୍ୟ ଭଲମନ୍ଦ ଭିତରେ.. ତୁମେ ଥିଲ.... ତୁମେ ହିଁ ରହିବ।


ଏ କଥା ଭାବିଲା ବେଳେ ଅନେକ କଥା କହିବାକୁ ଇଚ୍ଛା ହୁଏ। ଅନେକ କଥା ଲେଖିବାକୁ ଇଚ୍ଛା ହୁଏ ଅଥଚ ମୋତେ କଲମ ମନା କରେ। ମୋ ଭାବନା ମୋତେ ମନା କରେ। ମୋ ଚିନ୍ତା ଚେତନାର ସରହଦ ଡେଇଁ କେହି ଜଣେ ମେଘ ପାଲିଙ୍କିରେ ଆସୁଥିଲା ବେଳେ ମୁଁ ତାକୁ କହିଦିଏ ଚୁପ୍ କର.... ସେହିଠାରେ ରହଯାଅ... । ସ୍ମୃତି ରୂପକ ଶବ୍ଦଟିକୁ ମୁଁ ଅନେକ ଦିନରୁ କବର ଦେଇ ସାରିଛି। ପ୍ରେମ କଥା ଆଉ ମୋତେ କୁହନା । ପ୍ରେମର ସହରକୁ ଯିବା ପାଇଁ ଏବେ ତ ମୋତେ ସମ୍ପୂର୍ଣ୍ଣ ମନା ହୋଇଛି। ତୁମ ସହର... ତୁମ ଗଳି... ତୁମ ଘର.... ତୁମ ଛାତ... ତୁମ ବାଟ.... ତୁମ ଗେଟ୍.... ତୁମ ଫାଟକ ସବୁ କିଛି ମୋ ପାଇଁ ଆଜି ବନ୍ଦ ହୋଇ ଯାଇଛି।


ହଉ... ମୁଁ ଆଜି ଅନେକ ଆନନ୍ଦ ଅନେକ ଖୁସିରେ ଅଛି। ଯେଉଁ ଖୁସି ତୁମ ପ୍ରେମରେ ନ ଥିଲା। ଯେଉଁ ଖୁସି ତୁମ ଆଲିଙ୍ଗନରେ ନ ଥିଲା। ଯେଉଁ ଖୁସି ତୁମ ସ୍ପର୍ଶ ରେ ନ ଥିଲା। ଯେଉଁ ଖୁସି ତୁମ ବର୍ଷା ଭିଜା ରାତିରେ ନ ଥିଲା।

ସେ ବର୍ଷା କଥା ମନେ ପଡିଗଲେ... ମୋର ମନେ ପଡ଼ି ଯାଉଛି ସେ ଦିନର ବର୍ଷା ରାତି। ଝୁ ଝୁ ବର୍ଷା। ଝରକା ସେ ପାଖରେ ବର୍ଷା। ତୁହାକୁ ତୁହା ପବନ। ଏକା ପାଖରେ ତୁମେ ଆଉ ମୁଁ । ମନେ ଅଛି ନା.... ଯଦି ମନେ ଅଛି ଆଉ ଥରେ ମନେ ପକାଅ ଭାବନା। ହଁ... ହଁ... ମୁଁ ଜାଣେ ତୁମେ ଭାବୁଥିବ... ମୁଁ ପ୍ରେମ ପାଗଳ.... ।


ଏଇଥି ପାଇଁ ପାଗଳ କହିବ ଯେ ମୁଁ ତୁମ ପ୍ରେମରେ ଗୋଟା ପଣେ ପାଗଳ ହୋଇ ସାରିଥିଲି। ମୋ ପାଗଳ ପଣିଆକୁ ତୁମେ ଉପହାସ କରିଥିଲ। ତୁମେ ଥଟ୍ଟା କରିଥିଲ । ପରିହାସ କରି ହାତ ଛାଡ଼ି ଚାଲିଗଲ ହେଲେ ପାଇଲ କଣ ...? ସୁଖ ନା ଦୁଃଖ..? ହସ ନା ଲୁହ......?


ଆଜି ସମୀକ୍ଷା କରିବାର ସମୟ ଆସିଛି ଭାବନା । 

ସମୀକ୍ଷା କର ବୁଝିବ ଆଉ ଜାଣି ପାରିବ ଭୁଲ୍ କିଏ ଠିକ୍ କିଏ...? ପାପ କଣ ଆଉ ପୁଣ୍ୟ କଣ...? ସୁଖ କଣ ଆଉ ଦୁଃଖ କଣ ....? ପ୍ରେମ କଣ ଆଉ ପ୍ରତାରଣା କଣ... ? ମୋ ହୃଦୟ ତନ୍ତ୍ରୀରେ ପ୍ରେମ ମାଦକତା କାହିଁ ମୋର ଭରିଦେଲ ? ଭୁଲି ମୁଁ ପାରୁନି ପ୍ରେମିକାର ସ୍ମୃତି ପାଇଛି ବୋଲି ତ... 

ମୁଁ ଆଜି ବି ପାଗଳ ନା। ..! ପାଗଳର ପ୍ରଳାପ ନ କରି ମୁଁ ଆଜି ରହିପାରୁନି ଭାବନା । ମୋତେ ସମସ୍ତେ ପାଗଳ କୁହନ୍ତୁ... ତୁମେ ବି ପାଗଳ କହି ଚାଲିଗଲ କଣ ପାଇଲ...? ବାସ୍ ଟୋପାଏ ଲୁହ ଭିତରେ ତୁମର ଚିତ୍ର ...? ଟୋପାଏ ଲୁହ ଭିତରେ ତୁମର ପ୍ରତିଛବି...? ଟୋପାଏ ଲୁହ ଭିତରେ ତୁମର ପ୍ରେମ.....ଟୋପାଏ ଲୁହ ଭିତରେ ପ୍ରତିଛବି.... ଆଜି ପ୍ରତାରଣା.... ଟୋପାଏ ଲୁହ ଭିତରେ ମୁଁ ଆଜି ଏକା... ଏକା.... ଏକା... ମୁଁ ଆଜି ଏକା ଏକା...?


ଏ ଭାବିବା ଏବଂ ବିତି ଯାଇଥିବା ସମୟକୁ ବାରମ୍ବାର ରୋମନ୍ଥନ କରି ରୋମାଞ୍ଚିତ ହେବା ଅଥବା ସ୍ମୃତିରେ ଡୁବିଯିବା.... ପାଗଳ ପରି ହେବା...


ଏହା ଭିତରେ ବିତି ଯାଇଛି ଅନେକ ଦିନ... ଭାବନାକୁ ହଠାତ୍ ଦେଖି ଚମକି ପଡ଼ିଲା... ଚିହ୍ନି ପାରିଲା ନାହିଁ.... ସେ ସତେଜତା... ସେ ଖିଲିଖିଲି ହସ ନାହିଁ... ନାଲି ଶାଢୀ ପରିବର୍ତ୍ତେ ସଫେଦ । ଆଶ୍ଚର୍ଯ୍ୟ... ଭାବନା କୁ ପଚାରିବାକୁ ସାହାସ ଯୋଗାଡ କରିପାରିଲା ନାହିଁ । ଅନ୍ଯ ଠାରୁ ଶୁଣିଲା ତାର ମନର ମାନସ ସଡକ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ... ଏ ଅଳ୍ପକେ ବଞ୍ଚିଗଲା... ଏ ଭାବି ହେଉଥାଏ... ହେ ପ୍ରଭୁ ! ମୋର ଭାବନା କୁ ଏତେ କଷ୍ଟ ଦେଲ...


ସତରେ କଣ ଭାବନା... କମ୍ ବୟସରେ ସଫେଦ ଶାଢୀରେ ସାଜେଇ ହେବ ନା... ପୁନର୍ବାର ବିବାହ କରିବ ? ନା ଭାବନା ଚିରଦିନ ପାଇଁ ପ୍ରତୀକ୍ଷିତ ପ୍ରେମିକର ହେବ... ନା ଭାବନା ସଦାସର୍ବଦା ଅନ୍ୟର ଭାବନା ହୋଇ ରହିଯିବ....


Rate this content
Log in

Similar oriya story from Drama