ସଙ୍ଗ ଦୋଷୀ ସାରସ
ସଙ୍ଗ ଦୋଷୀ ସାରସ
କୃଷକଟି ତାର ସବୁଜ କ୍ଷେତକୁ ଦେଖି ଭାରି ଦୁଃଖିତ । ତାର ମକା କ୍ଷେତ୍ରକୁ ପ୍ରତିଦିନ ପକ୍ଷୀମାନେ ଆସି ନଷ୍ଟ କରିଦେଉଛନ୍ତି । କୃଷକଟି ଅନ୍ୟୋନ୍ଯ ଉପାୟ ନ ପାଇ,ଫସଲକୁ ସୁରକ୍ଷା ଦେବା ନିମିତ୍ତ ଦୂରରେ ଜାଲ ବିଛାଇଲା । ଜାଲ ନିକଟରେ ଲୁଚି ରହିଲା। ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ପକ୍ଷୀମାନେ କୃଷକର ମକା କ୍ଷେତକୁ ଖାଇବାକୁ ପ୍ରସ୍ତୁତ ହୋଇ... ତଳକୁ ଓହ୍ଲାଇଲେ। କୃଷକ ଜାଲ ବିଛାଇବା ବିଷୟରେ ସେମାନେ ଜାଣି ନ ପାରି ଜାଲରେ ଫସି ଯାଇଥିଲେ । ପକ୍ଷୀମାନଙ୍କ ମଧ୍ୟରେ ଏକ ସାରସ ପକ୍ଷୀ ଥିଲା । ସିଏ ବାସ୍ତବରେ ନିରୀହ ପକ୍ଷୀଟିଏ, କିନ୍ତୁ ସଙ୍ଗଦୋଷରେ ପଡି ଜାଲରେ ପଡିଗଲା । ସାଙ୍ଗମାନଙ୍କ ଗତିବିଧି ବିଷୟରେ ସେ ଅଜ୍ଞ ଥିଲା । ଅନ୍ୟମାନଙ୍କ ପରି ସାରସାର ଉଦ୍ଦେଶ୍ଯ ନ ଥିଲା, କୃଷକର ମକା କ୍ଷେତକୁ ନଷ୍ଟ କରିବା ପାଇଁ । ସାରସ ଜାଲରେ ପଡି କୃଷକକୁ ଅନୁନୟ ବିନୟ ହେଲା - ହେ ଦୟାଳୁ କୃଷକ ! ଆପଣ ମୋତେ ଏଥିରୁ ମୁକ୍ତି ଦିଅନ୍ତୁ । ମୁଁ ଆପଣଙ୍କର କ୍ଷେତ ନଷ୍ଟ କରିବା, ଅବା ଚୋରୀ କରିବା ପାଇଁ ଆସି ନ ଥିଲି । ବନ୍ଧୁମାନେ ବୁଲି ଯିବାକୁ କହିଲେ, ମୁଁ ତାଙ୍କ ସହିତ ଆସି ଜାଲରେ ପଡିଗଲି । ମୁଁ ମୋର ସଚ୍ଚୋଟତା ଏବଂ ଉତ୍ତମ ସ୍ୱଭାବ ପାଇଁ ସମସ୍ତଙ୍କ ପ
ାଖରେ ଜଣାଶୁଣା । ମୁଁ ସଚ୍ଚୋଟତାର ନୀତି ଆଦର୍ଶରେ ବଞ୍ଚିଛି। ମୋତେ ସେଥିପାଇଁ ବୟସ୍କମାନେ ମଧ୍ୟ ସମ୍ମାନ ଦିଅନ୍ତି । କୃଷକଟି ସାରସକୁ କହିଲା - ତୁମେ ଭଲ ହୋଇପାରେ... ନୀତିବାନ୍ ହୋଇପାର.... କିନ୍ତୁ ତୁମେ ଚୋରମାନଙ୍କ ସହିତ ଧରାପଡ଼ିଛ । ମୋତେ ଅନ୍ୟମାନଙ୍କ ଭଳି ତୁମକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ିବ । ତୁମେ ସମାନ ପରିଣାମରେ ମଧ୍ୟ ଦଣ୍ଡ ଭୋଗ କରିବାକୁ ପଡ଼ିବ। ସାରସପକ୍ଷୀ ନିଜର ଭୁଲ୍ ପାଇଁ ପଶ୍ଚାତାପ କଲା ।କୃଷକକୁ ଭିକ୍ଷା ମାଗିଲା... ଦୟାକରି ମୋତେ ଥରଟିଏ କ୍ଷମା କରି ଦିଅନ୍ତୁ । ମୁଁ ପ୍ରତିଶ୍ରୁତି ଦେଉଛି, ଖରାପ ସଙ୍ଗରୁ ଦୂରେଇ ରହିବି । ପରିସ୍ଥିତି ବାହାରେ ଆପଣ ଦେଖନ୍ତୁ, ମୁଁ ନିର୍ଦ୍ଦୋଷ। କୃଷକଟି ମୁଣ୍ଡ ହଲାଇଲା । ମୁଁ ତୁମକୁ ହୃଦୟର ସହିତ ବିଚାର କରିପାରିବି ନାହିଁ, କାରଣ ତୁମେ ଚୋରମାନଙ୍କ ସହିତ ଚୋରି କରିଛ... ଚୋରୀର ଅଂଶୀଦାର ହୋଇଛ । ବୁଦ୍ଧିମତ୍ତାର ସହ ନିଜ ଦଳ ଚୟନ କରିବା ଜରୁରୀ। କୃଷକ ଜଣକ ସାରସକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲେ । ତେଣୁ ତ ଶାସ୍ତ୍ରରେ କୁହାଯାଇଛି - କୁସଙ୍ଗେ ସତ୍ ସଙ୍ଗ ନାଶ, ସତ୍ ସଙ୍ଗେ କୁସଙ୍ଗ ନାଶ...
ଲଳିତ ମୋହନ ମିଶ୍ର, ଅରବିନ୍ଦ ନଗର, ନୟାଗଡ଼, ୯୪୩୭୯୮୫୮୬୬