STORYMIRROR

Lalita Mohan Mishra

Romance Tragedy Others

4  

Lalita Mohan Mishra

Romance Tragedy Others

ଅଭିମାନିନୀ କସ୍ତୁରୀ

ଅଭିମାନିନୀ କସ୍ତୁରୀ

7 mins
4


ଗନ୍ଧବତୀ ପୃଥିବୀ । ଆଦ୍ର ମାଟିର ଗନ୍ଧ ଖେଳି ବ୍ରୁଲୁଛି ଚତୁର୍ଦ୍ଦିଗ । ବାୟୁର ତରଙ୍ଗରେ... ପ୍ରତିଟି ନୃତ୍ୟଶୀଳ ଅଙ୍ଗନରେ.. ଅଦୃଶ୍ୟରେ । ବାସ୍ତବିକ୍ ଭାରି ଭଲ ଲାଗେ ମାଟିର ଏଇ ଗନ୍ଧ । ପହିଲି ବର୍ଷାର ଝିପି ଝିପି କଅଁଳ ପରଶ ଝାଉଁଳା ଧରାର ସ୍ତରେ ସ୍ତରେ ଭରି ଦେଇଛି, ଶ୍ରୀ ସହିତ ଅଦ୍ଭୁତପୂର୍ବ ଉନ୍ମାଦନା ଉଚ୍ଛ୍ୱାସ ।


ବର୍ଷା ଝରୁଛି ବୃକ୍ଷଲତା ଗହଳର ଗୋପନ ଛାତିରେ ଅସ୍ପଷ୍ଟ ରାଗିଣୀ ତୋଳି । ମୂର୍ଚ୍ଛନା ଯେପରି ପୃଥିବୀ ବକ୍ଷରେ ଖେଳି ଯାଉଛି ଆପେ ଆପେ ପ୍ରତ୍ୟେକଙ୍କ ଠାରେ ସ୍ପନ୍ଦନ ତୋଳି... ମୁକ ପାଷାଣକୁ ଜାଗ୍ରତ କରି । ଶୁଷ୍କ ମରୂରେ ଖେଳି ଯାଉଛି ଶ୍ୟାମଳିମାର ତରଙ୍ଗ....ପୁଷ୍ପ ସ୍ତବକଙ୍କୁ ନେଇ ହସି ଉଠୁଛି କ୍ରୀଡାବତୀ ପୁଷ୍ପିତା ଲତା....ଶୁଷ୍କ ନଦୀର ଛାତି ଉପରେ ନାଚି ନାଚି ଉଠୁଛି ଅସଂଖ୍ୟ ନୀଳତରଙ୍ଗ । କିନ୍ତୁ ଏ କି ସୃଜନର ମୂର୍ଚ୍ଛନା ?

ଭଲଲାଗେ ଏଇ କଳାମୟ ସଂଧ୍ୟା । ଶେଷ ଗୋଧୂଳର ଅବନୀଳିମା ଅକାଶ ତା ତଳେ ନୀଳ ପାହାଡ଼ର କୁଞ୍ଚିତ ଆବେଗଭରା ଭଙ୍ଗୀ ସାନୁଦେଶରେ ଲୁଣ୍ଠି କଳା କଳା ଭାରାକ୍ରାନ୍ତ ବାଦଲର ଅବେଦନଶୀଳ ଅଭିଯୋଗ ଭାରି ଚମତ୍କାର ।

କିନ୍ତୁ ଏ ସମସ୍ତ କି ଉପଭୋଗ କରିପାରେ ଶୈଳେନ୍ଦ୍ର : ଅସମ୍ଭବ ଏ ସମସ୍ତ ଉପଭୋଗ କରିବାର ସ୍ପୃହା ତାଙ୍କର ହଜି ଯାଇଛି ଅନେକଦିନ ତଳୁ । ଜଣେ ଆଞ୍ଚଳିକ ବନଖଣ୍ଡ ଅଧିକାରୀ ବ୍ୟତୀତ ଶୈଳେନ୍ଦ୍ର କିଛି ଜାଣନ୍ତି ନାହିଁ ବା ଜାଣିବାର ଅବଶ୍ୟକତା ମନେ କରନ୍ତିନି ସମୟ ଅଭାବରୁ । ସରକାରୀ କାର୍ଯ୍ୟରେ ଅବହେଳା କରିବା ତାଙ୍କ ଶକ୍ତିର ସଂପୂର୍ଣ୍ଣ ବାହାରେ ।


ଅଭିମାନ କରେ କସ୍ତୁରୀ । ଶୈଳେନ୍ଦ୍ରର ଏପରି ବ୍ୟବହାରରେ ସେ କ୍ଷୁବ୍ଧ ହୁଏ । ବୀଣା ନିନ୍ଦିତ କଣ୍ଠରେ ଅଭିମାନର ଗାମ୍ଭୀର୍ଯ୍ଯ ତୋଳି ସେ ବାରମ୍ବାର ନିମନ୍ତ୍ରଣ କରେ ଶୈଳେନ୍ଦ୍ରଙ୍କ ନିଭୃତ ପ୍ରକୋଷ୍ଟକୁ ଅଖିର ଇସାରାରେ , ଲୁହର ଅସରାଦେଇ, ଛାତିର ପସରା ନେଇ କି ଅବେଦନମୟ ଏ ସଂବେଦନଶୀଳ ସଂଧ୍ୟା ! ଧରାଦିଏ ଉଚ୍ଚ ପଦସ୍ଥ ଅଧିକାରୀ ଶୈଳେନ୍ଦ୍ର ଗୋଟିଏ ତାତ୍ତ୍ବିକ ହସର ପ୍ରତି ନିମନ୍ତ୍ରଣରେ । ହସି ହସି ଅଭିମାନିନୀ କସ୍ତୁରୀକୁ ନିଜର ବାହୁବନ୍ଧନରେ ଆବଦ୍ଧ କରି ବିହ୍ବଳ କରେ । ଅଭିମାନର ପରଦା ଅପସରି ଯାଏ ଧୀରେ ଧୀରେ ଆପେ ଖୁବ୍ ସ୍ନିଗ୍ଧ ଶୀତଳଗତିରେ । ସୁନ୍ଦର, ଖୁବ୍ ସୁନ୍ଦର ତୁମେ କସ୍ତୁରୀ ! ଫୁଟନ୍ତା ଗୋଲପ, ଭାସନ୍ତା ଶତଦଳ, ହସନ୍ତା ଚନ୍ଦ୍ର ଠାରୁ ଆହୁରି ନିବିଡତମ... 


କିନ୍ତୁ ସେହି ଶୈଳେନ୍ଦ୍ର !! ଅବିଶ୍ଵାସୀ ପ୍ରତାରକ ତାକୁ କେବେହେଲେ ଆଉ ବଶ୍ଵାସ କରି ପାରିବ ନାହିଁ । ଅଶା ଦିଏ.. କେତେ ସୁନେଲି ହୃଦୟରେ... ଆଶା ମାତ୍ର କ୍ଷଣିକ ପାଇଁ । ଛିଃ.. ଛିଃ... ତାହାହେଲେ କିଏ ଅନୁରୋଧ କରିଥିଲା ତାର ଏହି ନିଷ୍ଫଳ ବନ୍ଧନର ଅସାମ୍ୟ ସ୍ପୃହା ପାଇଁ ତା’ର ଏହି ଚରମ ହତାଶା ପାଇଁ ??


ଆଞ୍ଚଳିକ ବନଖଣ୍ଡ ଅଧିକାରୀ ଶୈଳେନ୍ଦ୍ର ଭବିଷ୍ୟତର ସୁନେଲି ଆଶା, ରଙ୍ଗିନ କଳ୍ପନା, ପଦୋନ୍ନତ୍ତିର ମହୁଲି ସ୍ୱପ୍ନ ଦେଖି ଦେଖି ସେ ଆଜି ସେଥିରେ ଯେମିତି ଗବେଷକ । ଚତୁର୍ଦ୍ଦିଗ ବୃକ୍ଷ ରାଜି ଭରା ପ୍ରକୋଷ୍ଠରେ ବସି ରହିଥିବେ ଖୁବ୍ ଭାବାବିଷ୍ଟ ହୋଇ··· ମୁଣ୍ଡ ଉପରେ ବିଦ୍ୟୁତ୍ ଆଲୋକ ଝରି ଝରି ପଡ଼ୁଥିବ ଅବିଶ୍ରାନ୍ତ ଗତିରେ... ଆଗ ଟେବୁଲ୍ ଉପରେ ଥୁଆ ହୋଇଥିବା ଏଇ ବର୍ଷାମୁଖର ଅଷାଢ଼ର ନବପଲ୍ଲବିତ ବୃକ୍ଷର କେତୋଟି ଛିନ୍ନ ଶାଖା ଓ କେତୋଟି ସଦ୍ୟାରୋପିତ ବୃକ୍ଷ । କିନ୍ତୁ ତା କୋମଳତା ମଧ୍ୟ ଦେଇ ସେ ଦେଖ଼ୁ ନଥିବେ କସ୍ତୁରୀର ନିଟୋଳ ଯୌବନଭରା ଗୋଲପି ସ୍ୱପ୍ନ । ବରଂ କୋମଳମତିରେ ନିଷ୍ଠୁର କଠିନ ପରୀକ୍ଷା ଦେଇ ନୂତନ ବିଜୟର ସ୍ବପ୍ନ ରେ ଶିହରୀ ଉଠୁଥିବ .ପରପରାଗ ବସନ ପ୍ରକ୍ରିୟା ।


ଛିଃ... ଛିଃ... କି ପାଷାଣ । କି ସ୍ବାର୍ଥପର କି ଅପ୍ରାକୃତ ଏହି ଶୈଳେନ୍ଦ୍ରର ସୃଷ୍ଟି .....!! ଏଇ ସେଦିନ ଆସିଥିଲେ ଶୈଳେନ୍ଦ୍ର । କସ୍ତୁରୀ ତାକୁ ବରାବର ଲକ୍ଷ୍ୟ କରିଛି, କିନ୍ତୁ ଏହି ଅଳ୍ପ ସମୟର ବ୍ୟବଧାନ ମଧ୍ୟରେ ଶୈଳେନ୍ଦ୍ର କିପରି ଏକ ଅସମ୍ଭବ ଧରଣର ଋତୁ ପାଲଟି ଗଲେଣି । ତାଙ୍କର ଭାଷା, ଭାବଭଙ୍ଗୀର ପୂର୍ବ ସରସତା ଆଉ ଆବିଷ୍କାର କରି ପାରୁନି କସ୍ତୁରୀ, ପ୍ରତ୍ୟେକ ବିଷୟରେ ସେହି ଗୋଟିଏ କଥା - ଉଦ୍ଭିଦ ବୃକ୍ଷ ଜୀବନର ବୈଚିତ୍ର ଆଲୋଚନା... 


ଠିକ୍ ତା’ର ମନେ ପଡ଼େ—ସେଦିନର ମଧ୍ୟାହ୍ନଟା ସରସ ଓ ଉପଭୋଗ କରିବା ପାଇଁ ଚେଷ୍ଟା କରିଥିଲା ସେ । ଦୀର୍ଘ ସମୟର ବ୍ୟବଧାନ ପରେ ଏପରି ସରସତା ଓ ଉପଭୋଗରେ ଯଥେଷ୍ଟ ଜୀବନ ଅଛି । ହୃଦୟଭରା ନିମନ୍ତ୍ରଣ କରିଥିଲା ତାକୁ, କିନ୍ତୁ ଫଳ ହେଲା ଭିନ୍ନ ପ୍ରକାର । ଦୀର୍ଘ ଦୁଇ ଘଣ୍ଟା ଧରି ତାତ୍ତ୍ଵିକ ବକ୍ତୁତାର ଅବାରିତ ସ୍ରୋତ ମଧ୍ୟରେ ନିଜକୁ ରକ୍ଷା କରିବା ଅସମ୍ଭବ ମନେକଲା କସ୍ତୁରୀ, ଈସ୍ କି ଶୁଷ୍କ ! ସଫୋକେଶନ୍ ଅନୁଭବ କଲା ।


ତା’ପରେ ଦୀର୍ଘ ଦୁଇ ବର୍ଷ ବିତିଗଲଣି । କେତେ ଆଶାଦେଇ ଯାଇଥିଲେ ସେ । ସେ ଦିନ‌ଟା ପୁଣିଥରେ ଫେରି ଆସିଲାଣି । ପୃଥିବୀ ତାର କକ୍ଷର ଚତୁଃପାର୍ଶ୍ଵରେ ଥରେ ଘୁରି ଆସିବା ପରି ; କିନ୍ତୁ ଶୈଳେନ୍ଦ୍ର ଆଉ ଫେରିନାହାଁନ୍ତି । ଦୁଇ ଚାରୋଟି ମେସେଜ୍ ଦେଇଛନ୍ତି ମାତ୍ର । ତା ପୁଣି ସ୍ବଇଚ୍ଛାରେ ନୁହେଁ, ନୀରବତାରେ ବ୍ୟସ୍ତ ହୋଇ ଅନେକଥର ମେସେଜ୍ ଦେଇଛି କସ୍ତୁରୀ । ଶୈଳେନ୍ଦ୍ରର ମେସେଜ୍ ଫୋନ୍ କଲ୍ ଟିଏ ପାଇବା ପାଇଁ ସେ କେତେ ଆଶାବାଦୀ, କେତେ ଆବେଗ । ହୁଏତ ସେହି ଗୁରୁଚାପର ପ୍ରତିକ୍ରିୟାରେ ଶୈଳେନ୍ଦ୍ର ଲମ୍ବା ମେସେଜ୍ ଲେଖନ୍ତି । କିନ୍ତୁ ସେହି ମେସେଜ୍ ରେ କୌଣସି ନୂତନତ୍ବ ଆବିଷ୍କାର କରି ପାରେନା କସ୍ତୁରୀ । ଶୈଳେନ୍ଦ୍ରଙ୍କ ନିକଟରେ ତାର ଯଥେଷ୍ଟ ମୂଲ୍ୟ ଥାଇପାରେ । କିନ୍ତୁ କସ୍ତୁରୀ ନିକଟରେ ସଂପୂର୍ଣ୍ଣ ମୂଲ୍ୟହୀନ । ମେସେଜ୍ ପଢିବା ଧୈର୍ଯ୍ୟ ସଂଗ୍ରହ କରି ପାରେନା । ଓଃ କି ନୀରସ, ଶୁଷ୍କ ।

ସେଦିନ ସେ କେତେ ଆଶା, କେତେ ଆକାଂକ୍ଷା ଛାତି ଭିତରେ ଭରି ଚାହିଁ ରହିଥିଲା , ଶୈଳେନ୍ଦ୍ର ଅସିବେ... ନିଶ୍ଚୟ ଆସିବେ.. । ଏପରି ଦିନରେ ଶୈଳେନ୍ଦ୍ର କ'ଣ, କେବେହେଲେ ତାକୁ ଉପେକ୍ଷା କରିପାରନ୍ତି ? ଅସମ୍ଭବ । ଦୋଳ ପର୍ବର ସେହି ଦିନକେଇଟା କୁଆଡ଼େ ଚାଲିଗଲା ଦୋଷୀ ଫଉଜର ମାର୍ଚ୍ଚିଙ୍ଗ ଅଡ଼ର୍ ପରି । ମାତ୍ର ଶୈଳେନ୍ଦ୍ର ଆସିଲେ ନାହିଁ ।


ଶୈଳେନ୍ଦ୍ର ଅଜି ମୋବାଇଲ୍ ରେ ପୁଣି ମେସେଜ୍ ଦେଇଛନ୍ତି । ଆକୃତି ଯଥେଷ୍ଟ ଦୀର୍ଘ । ଛୋଟ ପୁସ୍ତକର ପାଣ୍ଡୁଲିପି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ଡକ୍ଟରେଟ୍ ପାଇଛି । ଶୁଣି ତୁମେ ନିଶ୍ଚିତ ଖୁସି ହେବ କସ୍ତୁରୀ ! ଏ ବିଷୟରେ ସୂଚନା ଆଗରୁ ଅନେକ ଥର ଫୋନ୍ ମାଧ୍ୟମରେ ଦେଇଛି । ତଥାପି ଆଜି ଏକ ସଂକ୍ଷିପ୍ତ ସୂଚନା । ତୁମ ଜାଣିବାରେ ବିଳମ୍ବ ହୁଏତ... ତୁମ ପ୍ରତି ମୋର ଗୋଟିଏ ବିରାଟ ଅବିଚାର ହୋଇପାରେ ? ପର ପରାଗ ଆଉ ପଢି ପାରିଲାନି କସ୍ତୁରୀ । ଏ ଦୀର୍ଘ ଭୂମିକା ଓ ଶୁଷ୍କ ଥେସିସ୍ ପଢିବାର ଧୈର୍ଯ୍ୟ ତା'ର ଆଦୌ ନ ଥିଲା । 


ନା କୌଣସି ଆବଶ୍ୟକତା ନାହିଁ ଏ ମେସେଜ୍ ରେ । ସ୍ୱାର୍ଥପର ଶୈଳେନ୍ଦ୍ର ! ଆଜି ଯଦି ସେ ତାଙ୍କୁ ନିକଟରେ ପାଆନ୍ତା ତେବେ ଜୋର ଦେଇ କୁହନ୍ତ ତୁମର ଏ ଡକ୍ଟରେଟ୍ ପାଇବା ସଂପୂର୍ଣ୍ଣ ମୂଲ୍ୟହୀନ ଶୈଳେନ୍ଦ୍ର ! ଯେଉଁଠି ଗୋଟିଏ ହୃଦୟକୁ ବୁଝିବାର ତୁମର ଶକ୍ତି ନାହିଁ ? ସେଠାରେ ଅନନ୍ତ ବିସ୍ତୃତ ପ୍ରକୃତିର ବୈଭବକୁ ଭିନ୍ନ‌ମୂଖୀ କରିବାର ଶକ୍ତି ଅସିଲା କୁଆଡୁ ?


ତାର ଠିକ୍ ମନେଅଛି ଏବେ ବି ଶୈଳେନ୍ଦ୍ର ତାକୁ ଯେଉଁ ଦିନ ଛାଡି ପ୍ରଥମ ଥର ପାଇଁ ଡେରାଡୁନ ଯାତ୍ରା କରିଥିଲେ, ସେଦିନ କି ଦୁଃଖିତ ନ ହୋଇଥିଲା ସେ । ବାସ୍ତବିକ୍ ପ୍ରତି ଦିନେ ଦୁଇଦିନ ଅନ୍ତରରେ ସେ ଶୈଳେନ୍ଦ୍ରଙ୍କ ଠାରୁ ଫୋନ୍ କଲ୍ ପାଉଥିଲା ବରାବର । କି ସରସ, କି ସୁନ୍ଦର, କି ଭାବାବେଗ ।


ଆମ ଲାବୋରଟୋରୀ ଅଗରେ କେତେ ଜାତିର ରଙ୍ଗୀନ ଗଛ ଓ ଫୁଲ । ଚାରିଅଡ଼େ କତୁରା ଘାସର ସବୁଜ ଗାଲିଚା । ଭାରି ସୁନ୍ଦର ପରିବେଶ କସ୍ତୁରୀ । ଠିକ୍ ତା ପାଖକୁ ଲାଗି ବଟାନିକାଲ୍ ଗାର୍ଡନଟା, ସେଥିରେ ବି ଅସଂଖ୍ୟ ଫୁଟନ୍ତା ଫୁଲ, ରଙ୍ଗର ଇନ୍ଦ୍ରଧନୁ ସୃଷ୍ଟି କରୁଛି । ମୁଁ ମୋ ଟେବୁଲ ପାଖରେ ବସି କାର୍ଯ୍ୟବ୍ୟସ୍ତ ରହିବାରେ ଚେଷ୍ଟା କରୁଛି ଭାରି । କିନ୍ତୁ ପାରିନି , କାଲି ବର୍ଷାର ମୃଦୁ ଶୀତଳ ସିଞ୍ଚନ ସେହି ସୁଗନ୍ଧ ଗୁଡ଼ାକ ବୋହିଆଣି ମନଟାକୁ ମୋର କିପରି ଚହଲେଇ ଦେଉଛି, ତୁମର ସ୍ମୃତିଟା ଥରକୁ ଥର ମନ ଭିତରକୁ ଆଣି । ତୁମେ ଯଦି ପାଖରେ ଥାନ୍ତ କସ୍ତୁରୀ ! ଆଃ କି ଅନନ୍ଦରେ ସମୟ ଵିତି ଯାଉଥାନ୍ତା ! ଏଇ ସେଇ ଯେଉଁ ନାରୀ ମୁର୍ତ୍ତିଟା ଲାସ୍ୟମୟୀ ଭଙ୍ଗୀରେ ଘୁରି ଘୁରି ବୃତ୍ତ ପରିମିତ ସ୍ଥାନରେ ବିନ୍ଦୁ ବିନ୍ଦୁ, ଜଳସେଚନ କରୁଛି—ଠିକ୍ ତାରି ତଳେ ବସି ନୂତନ ଉପନ୍ୟାସର ପହିଲି ଅଧ୍ୟାୟ ସୃଷ୍ଟି କରନ୍ତେ । ବାସ୍ତବିକ୍ ଭାରି ଚମତ୍କାର.. ଚନ୍ଦ୍ର ଉଠନ୍ତା, ପବନ ବହନ୍ତା ।


ଆଉ ଭାବି ପାରୁନି କସ୍ତୁରୀ । କଳାମୟ ଚକ୍ଷୁକୋଣ ତା’ର ଆର୍ଦ୍ର ହୋଇ ଉଠିଲା ଧୀରେ ଧୀରେ । ସେହି ସରସ ସବୁଜ ସୁନ୍ଦର ଶୈଳେନ୍ଦ୍ରର କି ବିରାଟ ପରିବର୍ତ୍ତନ !


ଝରକା ନିକଟକୁ ଉଠିଗଲା କସ୍ତୁରୀ । ରେଲିଂ ଦୁଇଟା ହାତ ମୁଠାରେ ରଖି ଆଗ ରେଲିଂ ଦୁଇଟା ଉପରେ ନିଜର ଚିବୁକକୁ ଚାପି ରଖିଲା ।


ଦୂରରୁ ବଂଶୀର ଆଲିଙ୍ଗନମୟୀ ମୂର୍ଚ୍ଛନା ଭିସି ଆସୁଛି ରାତ୍ରିର ରଙ୍ଗହୀନ ବାୟୁମଣ୍ଡଳକୁ ସିକ୍ତ ଶୀତଳ କରି । ଆବେଗମୟ ହୃଦୟର ଏକ ମନ ଖୋଲା ଭାବନା ମାତ୍ର ।


ଭଲ ଲଗେ— ଭାରି ଭଲଲାଗେ ରାତ୍ରିର ଶୀତଳ ବକ୍ଷରେ ବଂଶୀର ଏଇ କଅଁଳ ମୂର୍ଚ୍ଛନା । ଆଃ - ଶୈଳେନ୍ଦ୍ର ଯଦି ପାଖରେ ଥାନ୍ତ। ତାଙ୍କର ଛାତି ଉପରେ ମଥା ରଖି ରାତି ପରେ ରାତି ବିତେଇ ଦିଅନ୍ତା ସ୍ବପ୍ନ ବିଭୋର ହୋଇ ହସି ହସି କହନ୍ତା ଏହିପରି ରାତ୍ରିରେ ବଂଶୀର ମୂର୍ଚ୍ଛନା ଭାରି ସୁନ୍ଦର ନୁହେଁ ଶୈଳେନ୍ଦ୍ର ?


ଶୈଳେନ୍ଦ୍ର ପରିହାସ କରନ୍ତେ ସେଇଠି ଭୁଲ୍ କଲ କସ୍ତୁରୀ ! ଅନ୍ତତଃ ବଂଶୀବାଦକ ଦେଖି ବାଛିବା ତୁମର ଉଚିତ୍ ଥିଲା ଉଁ ଉଁ ଅଭିମାନ କରନ୍ତା କସ୍ତୁରୀ ।


ଅଭିମାନିନୀ କସ୍ତୁରୀକୁ ନିଜର ବାହୁବନ୍ଧନରେ ବିହ୍ୱଳ କରନ୍ତା ଶୈଳେନ୍ଦ୍ର ! କୁହନ୍ତେ ତେବେ ଏଣିକି ମୋତେ ବଂଶୀ ବଜେଇ ଶିଖିବାର ଅବସର ଦିଅ ।


ନା - ଆଉ ଆବଶ୍ୟକ ନାହିଁ ଶୈଳେନ୍ଦ୍ରର ଏହି ସାନ୍ନିଧ୍ୟ । ସ୍ବାର୍ଥପର ଶୈଳେନ୍ଦ୍ରର ଏକଚାଟିଆ ନୀତିକୁ ସେ ନୀରବରେ ସମର୍ଥନ କରି ପାରିବ ନାହଁ କେବେହେଲେ । 


ଉନ୍ନତ ଛାତିକୁ ଲୁହା ରେଲିଂ ଉପରେ ଭରା ଦେଇ ଚାହିଁଲା କସ୍ତୁରୀ । ଆକାଶରେ ଚନ୍ଦ୍ର ଫିକା ଜ୍ୟୋତ୍ସ୍ନା । ଲୋଟି ପଡୁଛି ସମ୍ମୁଖସ୍ଥ ବିସ୍ତିର୍ଣ୍ଣ ପ୍ରାନ୍ତର ଉପରେ, କି ଅବେଦନଶୀଳ ଆଷାଢର ଏଇ କ୍ଳାନ୍ତ ଜ୍ୟୋତ୍ସ୍ନାର୍ଚ୍ଚିତ ରାତ୍ରି  ! ନା କିଏ ସୃଷ୍ଟିକଲା । ଏହି ଅବେଗମୟ ଜ୍ୟୋତ୍ସ୍ନା ରାତ୍ରିକୁ ? ବରଂ ଘନ ଅନ୍ଧାର ନିବିଡ଼ କୃଷ୍ଣ ହେବା ଆବଶ୍ୟକ ଥିଲା ।


ଅବନୀଳିମ ଅକାଶଟା ଚାରିଆଡ଼କୁ ପ୍ରସରି ଯାଉଛି ତା'ର ବ୍ୟାପ୍ତିର ସଂଜ୍ଞା ପ୍ରଚାର କରି କରି । ତାରି ଉପରେ କେତେ ଖଣ୍ଡ ଧଳା ହାଲକା ବାଦଲ ସ୍ପଷ୍ଟ ଦେଖିପାରୁଛି କସ୍ତୁରୀ । ହୁଏତ ଆଉ ଅଳ୍ପ ସମୟ ପରେ ଡେରାଡୁନ ସ‌ହର ଉପରେ ପହଞ୍ଚିଯିବ କର୍ମମୁଖର ଶୈଳେନ୍ଦ୍ର କ୍ଷଣିକ ପାଇଁ ତାରି ଝରକାରେ ହୁଏତ ତା ଉପରେ ଦୃଷ୍ଟିପାତ କରିବେ । କିନ୍ତୁ ସେ କ’ଣ ତାରି ହାତରେ ଖବର ପଠେଇବେ ମେଘଦୂତ ? ଅସମ୍ଭବ ସେ କଦାପି ପାରିବନି । ଆବଶ୍ୟକ ନାହିଁ ମଧ୍ୟ ।


ମୁହଁ ବୁଲେଇ ଅଣିଲା କସ୍ତୁରୀ—ଦାଣ୍ଡ କବାଟରେ ଆଘାତ ପୁଣି ଏତେ ରାତିରେ । ଚମକି ପଡ଼ିଲା କସ୍ତୁରୀ । ଏଁ - ଏ କ'ଣ ? ଏ କାହାର ଶବ୍ଦ ? ତେବେ କ’ଣ ଶୈଳେନ୍ଦ୍ର ? ନା ସଂପୂର୍ଣ୍ଣ ଅସମ୍ଭବ । ସ୍ବାର୍ଥପର ଶୈଳେନ୍ଦ୍ର କିଏ ଏପରି ଆସେ ? କବାଟ ଖୋଲିବା ଶବ୍ଦ ଶୁଣାଗଲା ।


ଦଲକାଏ ଶୀତଳ ପବନ ବହି ଆସିଲା । ଘରର ଜିନିଷ ପତ୍ର ଗୁଡ଼ିକୁ ଇତସ୍ତତଃ କରି ଉଡ଼େଇ ନେଲା ଟିକିଏ ଆଗକୁ । ତଥାପି ସେଗୁଡ଼ିକ ଆକୃତି ବିହୀନ ଜ୍ୟୋତିଷ୍କ ପରି ବିଛାଡି ହୋଇ ପଡ଼ିଥିଲା ଝରକାର ଆରପଟରେ ।


ତେବେ କ'ଣ ଶୈଳେନ୍ଦ୍ର । ହଁ ହଁ ଏଇ ତ ଠିକ୍ ସେହି ସ୍ବର । ବୋଉଙ୍କ ସହିତ କଥାବାର୍ତ୍ତା ଶୁଣାଯାଉଛି । ହଁ, ନିଶ୍ଚୟ ଶୈଳେନ୍ଦ୍ର ତା' ପ୍ରାଣର ଶୈଳେନ୍ଦ୍ର ଆସିଛନ୍ତି । ମେସେଜ୍ ଟି ସଂପୂର୍ଣ୍ଣ ନ ପଢ଼ି ଯଥେଷ୍ଟ ଭୂଲ କରିଛି ସେ କିନ୍ତୁ ଏଇ ଶୈଳେନ୍ଦ୍ର ପ୍ରକୋଷ୍ଠ ଅଭିମୁଖେ ଆସୁଛନ୍ତି ।


ଖୁବ୍ ରାଗିଛ ନୁହେଁ କସ୍ତୁରୀ ? ମୋ ଅବହେଳା ତୁମକୁ ଯଥେଷ୍ଟ ଆଘାତ ଦେଇଛି । କିନ୍ତୁ ତୁମେ କ'ଣ ଜାଣନା କର୍ମବହୁଳ ଜୀବନର ଜଞ୍ଜାଳ । ଅବସର ଖୁବ୍ କମ୍ । ଛି..ଏଇ ଦେଖାଅ ତ ସେ ମୋ ମୁଲ୍ୟବାନ ଥେସିସ୍ ପାଇଁ କିପରି ଭୂରି ଭୂରି ପ୍ରଶଂସା ଝରି ପଡ଼ିଥିଲା ସେ ଦିନ ।


ଥରି ଉଠିଲା କସ୍ତୁରୀ । ଛାତି ତଳର ସ୍ପନ୍ଦନ ବଢି ଉଠିଲା । ତା'ର କି ଉତ୍ତର ଦେବ ସେ ? ଵଜୟୀ ଶୈଳେନ୍ଦ୍ର ଆଜି ନିଜର ବିଜୟ 

ମଧ୍ୟରେ ତାକୁ ନଭୁଲି ଧାଇଁ ଆସିଛନ୍ତି ଏ ଉନ୍ମାଦଭରା ବର୍ଷାମୁଖର ରାତ୍ରିକୁ ରୂପ ଦେବାକୁ । ସତେ ତାକୁ କେତେ ଭଲ ପାଆନ୍ତି ଶୈଳେନ୍ଦ୍ର !! କିନ୍ତୁ ସେ ? ସେ ଶୈଳେନ୍ଦ୍ରଙ୍କ ଠାରୁ କ୍ଷମା ପାଇ ପାରିବ ତ ? କିନ୍ତୁ ସେ କ'ଣ ବିଜେତାକୁ ପ୍ରକୃତ ଅଭିନନ୍ଦନ ଜଣେଇ ପାରିବ ? ସେ କ'ଣ ଶୈଳେନ୍ଦ୍ରକୁ ପୂଜାର୍ଘ୍ୟ ଦେବାକୁ ସମର୍ଥ ?


ଧାଇଁ ଯାଇ ଶୈଳେନ୍ଦ୍ରକୁ ଅଭିନନ୍ଦନ ଜଣେଇବାର ସାହସ ସଞ୍ଚୟ କରି ପାରିଲାନି କସ୍ତୁରୀ ତା ଆଖି ଆଗରେ ଭାସି ଉଠିଲା ସେହି ମେସେଜ୍ ଟି ଆଉଥରେ ବିବ୍ରତ ହୋଇ ପଡ଼ିଲା କସ୍ତୁରୀ ! ମୋବାଇଲ୍ ଟି ଛାତିରେ ଚାପିଧରି ଆଶ୍ଵସ୍ତି ଅନୁଭବ କରିବାକୁ ବ୍ୟଗ୍ରହୋଇ ଉଠିଲା । ଶୈଳେନ୍ଦ୍ର ପ୍ରତି ସେ ଯଥେଷ୍ଟ ଅବିଚାର କରିଛି ଯଥେଷ୍ଟ ଅସମ୍ମାନ ଦେଖେଇଛି ତାର ସମୁଜ୍ଜ୍ବଳ ପ୍ରତିଭାକୁ ।


କସ୍ତୁରୀ ! କବାଟରେ ହାତମାରି ଡ଼ାକିଲା ଶୈଳେନ୍ଦ୍ର । କସ୍ତୁରୀ ଅହୁରି ବ୍ୟସ୍ତ ହୋଇ ପଡ଼ିଲା — ଝରକା ରେଲିଂର ଫାଙ୍କ ଦେଇ ହାତ ବଢ଼େଇଲା କସ୍ତୁରୀ କିନ୍ତୁ ପବନର ସ୍ତରେ ସ୍ତରେ ଦୂରକୁ ଭାସିଯାଉଥୁଲା ଶୈଳେନ୍ଦ୍ରର ମେସେଜ୍ — କସ୍ତୁରୀର ହାତର ପରିସର ବାହାରକୁ ।


ଖଣ୍ଡେ କଳା ବାଦଲ ତଳେ ଜ୍ୟୋତ୍ସ୍ନା । ଅତି କରୁଣ ନୀଳ - ତରଙ୍ଗ ଆର୍ଦ୍ର ମୃତ୍ତିକା ଉପରେ ଯେପରି ଏକ ପରେ ଆଉ ଏକ ଉନ୍ନ‌ତ ସ୍ତର ସୃଷ୍ଟି କରୁଥିଲା ।




Rate this content
Log in

Similar oriya story from Romance