STORYMIRROR

Lalita Mohan Mishra

Tragedy Classics Others

4  

Lalita Mohan Mishra

Tragedy Classics Others

ବୋଉ ; ଆକାଶର ତାରାଟିଏ

ବୋଉ ; ଆକାଶର ତାରାଟିଏ

5 mins
2


ଏକ ସ୍ବର୍ଗୀୟ ଆତ୍ମତୃପ୍ତିର ଅନ୍ୟନାମ ହେଉଛି ବୋଉ । ଏକ ଅବୁଝା ସମୀକରଣର ଉତ୍ତର ହେଉଛି ବୋଉ । ସଦା ଓଠରେ ରକ୍ତ ଗୋଲାପର ସୌନ୍ଦର୍ଯ୍ୟ । ଆଖିରେ ଆଖିଏ ସ୍ନେହର ଭାଷା, ଆଉ ଏକ ଲୁହ-କୋହଭରା ଜୀବନର ଦୃଷ୍ଟାନ୍ତ ହେଉଛି ବୋଉ । ହାରି ହାରି ଜିତିବାର ଶିଖାଇ ଦିଏ ବୋଉ । ଏକ ଅମ୍ଳାନ ପ୍ରେମର ବାହକ ହେଉଛି ବୋଉ । ଲୁଗାର ଚିରା କାନିରେ ଲୁଚାଇଦିଏ, ଅସୀମ ବେଦନା । ଆଉ, ପ୍ରେମ ପ୍ରେରଣାର ପଣତ କାନିରେ ଘୋଡାଇ ଦିଏ ସେହି ସ୍ନେହ ପ୍ରେମ ଆଦର । ବୋଉ ପ୍ରେରଣାଦାୟୀ ଗପଟିଏ ତ, କରୁଣାଭରା ହାତଟିଏ । ସେ ଜଳିଜଳି ସରିଯାଏ, ହସି ହସି ଚାଲିଯାଏ । ଆକାଶରେ ଦ୍ୱିତୀୟା ଜହ୍ନ ହସୁଥିଲା । ଏଇ ଦ୍ୱିତୀୟା ଜହ୍ନକୁ ଦେଖି ଯାହା ମନାସିଲେ,ତା' କୁଆଡେ ମିଳେ ଲୋକ କୁହନ୍ତି । ହେଲେ ଏଇ ଜହ୍ନଟା ସେଦିନ ମୋ ବୋଉକୁ... ମୋ ପାଖରୁ ଛଡେଇ ନେଇଥିଲା। ମୁଣ୍ଡ ଉପରୁ ମୋର ସେହି ଛାତଟି... ସେଦିନ ଉଡେଇ ନେଇଥିଲା ସବୁଦିନ ଲାଗି । ମୁକୁଳା ଆକାଶ ତଳେ ଏକା ଛିଡା ହେବାର ଅସହାୟତା ଯେମିତି ମୋର ସମଗ୍ର ସତ୍ତାକୁ ଜାବୁଡି ଧରିଥିଲା। ବର୍ଷାରେ ଭିଜୁଥିଲେ ବି ଆଉ କେହି ଦଉଡି ଆସି ଭିଡି ନେଇ ,ପଣତ କାନିରେ ଦେହ ମୁଣ୍ଡ ପୋଛି ଦେଉ ନ ଥିଲେ । କି ଖରା ତାତିରେ ଅବଶ ହୋଇ ପଡିଥିବା ବେଳେ କିଏ ପଚାରି ଦେଉ ନ ଥିଲେ ମନର କଥା । ପୋକଡା ବାଇଗଣରୁ ପୋକ କାଢି, ଲୁଣ ପଥୁରି କରି, କିଏ ଆଉ ପଖାଳ ବାଢି ଦେଉ ନ ଥିଲେ । ଛଚିନ୍ଦ୍ରା ବେସର ମୋର ପ୍ରିୟ ବୋଲି ଜାଣି କେହି ଆଉ ପିଠି ଆଉଁସି ବାଢି ଦେଉ ନ ଥିଲେ । 


ଶୀତରେ ଥୁରୁ ଥୁରୁ ଥରିଲା ବେଳେ,କାହାର ଉଷୁମ୍ କୋଳରେ ବିଲେଇ ଛୁଆଟି ଭଳି ଜାଣି.. ଜାକ ଜୁକି ହୋଇ ଗହଳ ନିଦରେ ଶୋଇ ଯାଇ ହୁଏ ନାହିଁ । ସୁବର୍ଣ୍ଣ ଦୀପ୍ତିରେ ଝଟକୁ ଥିବା ଚଳଚଞ୍ଚଳ ମଣିଷଟା କେତୋଟି ମୁହୂର୍ତ୍ତରେ ଜଡତାର ଇସ୍ତାହାର ପାଲଟିଗଲା। ମୋ ବୋଉର ଆବର୍ତ୍ତମାନର ଖବର ରେଡିଓ କିମ୍ବା ଟେଲିଭିଜନରେ ପ୍ରଚାରିତ ହୋଇ ନ ଥିଲା, କିମ୍ବା କୌଣସି ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରି ନ ଥିଲା। ହେଲେ ଆମ ଘରକୁ ଛୁଟୁଥିବା ଲୋକଙ୍କ ସୁଅ ଭିତରେ ପୃଷ୍ଠା ପରେ ପୃଷ୍ଠା ଶୋକ ଗୀତିକା ଆପଣା ଛାଏଁ ଲେଖି ହୋଇ ଯାଇଥିଲା ମୋ ମନ ତଳେ । ସେ ଦିନ ଥିଲା ସରସ୍ଵତୀ ପୂଜା ଆଉ ରାତି ହୋଇ ଯାଇ ଥିବାରୁ ଷଷ୍ଠୀ ତିଥି ଲାଗିଗଲା । ସେହି ଦିନ ଠାରୁ ପ୍ରତିବର୍ଷ ସରସ୍ଵତୀ ପୂଜା ବାସି ମୋ ବୋଉର ଶ୍ରାଦ୍ଧ ଦିବସ । ଶ୍ରାଦ୍ଧ ଦିବସକୁ ଆମେ ବୋଉର ‘ଦିନ’ ବୋଲି କହୁ । ଆଜିକାଲି କିନ୍ତୁ ଆମ ଦେଶରେ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ କୁ ମଦର୍ସ ଡେ ଭାବରେ ପାଳନ କରୁଛନ୍ତି । ଏହାର ଅର୍ଥ ନୁହଁ ଯେ ସାରା ଦେଶଟା ଯାକର ବୋଉ ଏଇ ମେ ମାସ ଦ୍ବିତୀୟ ରବିବାର ଦିନ ଚାଲି ଯାଇଥିଲେ । 


ବୋଉ ଏମିତି ଏକ ଶବ୍ଦ ଯାହାର ଉଚ୍ଚାରଣରେ ସ୍ନେହ ଶ୍ରଦ୍ଧା ଅଜାଡି ହୋଇ ପଡୁଥିଲା । ମୁଁ ବେଳେ ବେଳେ ଭାବେ... , ସାରା ସୃଷ୍ଟିଟାକୁ ଆଣି ବୋଉର ପାଦତଳେ ଅଜାଡ଼ି ଦେଲେ ବି, ତା’ ଋଣ ସୁଝି ହେବନାହିଁ। ବୋଉ ପରା ଅକାଶଠାରୁ ପ୍ରଶସ୍ତ ଆଉ ଅବନୀଠାରୁ ବିଶାଳ । ତେଣୁ ତ ଶାସ୍ତ୍ରରେ କହିଲେ - ସ୍ବର୍ଗାଦପି ଗରୀୟସୀ । ବୋଉ ଅନ୍ୟ ମାନଙ୍କ ଆଗରେ କହେ ; ମୋ ପୁଅ ହେଉଛି - ନୟନପିତୁଳା, ଜୀବନଧନ, ରଙ୍କରତନ ମୋ ଗଳାରମାଳି । ମା’ ଓ ପିଲାର ସମ୍ପର୍କ ଦିନେ ଅଧକର ସମ୍ପର୍କ ନୁହେଁ । କାରଣ ସେ ପ୍ରତି ନିଶ୍ବାସ ପ୍ରଶ୍ବାସରେ, ପ୍ରତି ହୃତ୍ ସ୍ପନ୍ଦନରେ । ବୋଉ ପିଲାମାନଙ୍କ ଭିତରେ ସମ୍ପର୍କର ସ୍ରୋତଟିଏ, ଆବେଗର ବେଗବତୀଟିଏ । 


ମୁଁ ଅନୁଭବ କରୁଛି ; ମୋର ବୋଉ ଆକାଶର ତାରାଟିଏ ହେଇ ଏବେବି ତା'ର ସ୍ନେହ ସୋହାଗର ଆଲୋକରେ ବାନ୍ଧି ରଖିଛି । ଆମକୁ ସବୁ କଲ୍ୟାଣ କରୁଛି । ସେ କେଉଁ ଅଜଣା ଗଛ ଡାଳରେ ସୁନ୍ଦର ପକ୍ଷୀଟିଏ ହୋଇ ତା' ରକ୍ତର ପ୍ରତିମା ମାନଙ୍କ ପାଇଁ ନାନାବାୟା ଗୀତ ଗାଇ ଚାଲିଛି... । ବୋଉ ବେଳେ ବେଳେ କହେ - ମୁଁ ତୁମ ମାନଙ୍କୁ ଛାଡି କୁଆଡେ ଯିବି ମ... । ମୁଁ କୁଆଡେ ଗଲେ ବି ତୁ ଦେଖିବୁ--ଏଇ ବାଡିପଟ ଗଛରେ ଥିବି , ସୁନ୍ଦର ପକ୍ଷୀଟିଏ ହୋଇ ତୁମ ମାନଙ୍କୁ ଗୀତ ଶୁଣାଉ ଥିବି। ଦିନେ ହଠାତ୍ ସୁନ୍ଦର ପକ୍ଷୀଟିଏ କେଉଁଠୁ ଉଡି ଆସି, ଗଛ ଉପରେ ବସି ପଡିଲା। ମୁହଁଟିକୁ ତା'ର ଆଖିପୁରେଇ ଦେଖିବା ଆଗରୁ ଫୁରକିନା ଉଡିଗଲା। ତା' ରଂଗୀନ ଡେଣାରୁ ଝାଡିଦେଇ ଯାଇଥିବା ରଂଗରେ କିଛି ସମୟ ପାଇଁ ରଂଗୀନ କରି ଦେଲା ଆମ ମନକୁ । ମୁଁ କହିଲି ; ବୋଉ ତାହେଲେ ଆସିଥିଲା !! କଥା ଦେଇ ଯିଏ କଥା ରଖେ,ସେଇତ ବୋଉ । ତା' ପରଠୁ ରାତ୍ରିର ନିଶବ୍ଦ ପ୍ରହରରେ କେତେଥର କାନ ପାତିଛି ସେଇ ପକ୍ଷୀର ସ୍ୱରରେ ଥରେ ହଜିଯିବା ପାଇଁ । 


ନୀରବରେ ଛପି ଛପି ପତ୍ର ଗହଳରେ ଆଖି ପହଁରେଇ ଆଣିଛି ସୁନ୍ଦର ପକ୍ଷୀଟିକୁ ମନପୁରେଇ ଦେଖିବି ବୋଲି....ହେଲେ ମୋ ଅନ୍ୱେଷାର ଶେଷ ନାହିଁ । ମୁଁ ତାକୁ ଏବେବି ଖୋଜି ଚାଲିଛି। ଏ ମାଟି, ଏ ଆକାଶ, ଏ ପାଣି, ଏ ପବନ ସବୁଠାର... । ବେଶୀ ପାଠ ପଢିନଥିଲା ମୋ ବୋଉ । ତା' ହସରେ ଇନ୍ଦ୍ରଧନୁର ରଂଗ ସବୁ ବିଞ୍ଚି ହେଇଯାଏ ସତେ ଯେମିତି।ତା'ର କିନ୍ତୁ ସ୍ୱପ୍ନ ଥିଲା, ଆମେ ସବୁ ପାଠ ପଢି କେମିତି ବଡ ମଣିଷ ହେବୁ । ସବୁବେଳେ କହୁଥିଲା - ପାଠ ଦି ଅକ୍ଷର ପଢି ଭଲ ମଣିଷ ହୋଇଯାଅ । ଯୋଉ ବୋଉ ତା'ର ସମସ୍ତ ସୁଖକୁ ଅଜାଡି ଦେଉଥିଲା ଆମରି ପାଇଁ, ତାକୁ ହଜେଇ ଦେବାର ଦୁଃଖକୁ ଆମେ ଭୁଲିଗଲୁ ମାତ୍ର କେତେଦିନ ମଧ୍ୟରେ ! ମୋ ବୋଉ ମୋ ଭିତରେ ଅମାପ ଶୂନ୍ୟତା। ବୋଉର ଆତ୍ମା କୋଉ ରୂପରେ ରୂପାନ୍ତରିତ ହୋଇଛି,କି ପରମାତ୍ମାରେ ଲୀନ ହେଇଯାଇଛି। ଏ ଗୂଢ ତତ୍ତ୍ୱକୁ ସହଜରେ ମାନି ନେଇ ପାରୁନି ମୋର ଏଇ ଅବୁଝା ମନଟା। ମୋ ବୋଉର ରୂପା ଦେହରେ ସବୁବେଳେ ଲାଖି ରହିଥିଲା ହସର କବିତା। ସେଇ କବିତାର ଶବ୍ଦ ମାନେ ଥିଲେ,ତା' ହାତଗଢା ସଂସାରର ମଣିଷ । ସମସ୍ତଙ୍କ ଓଠରେ ହସର ଲାଲ୍ ଗୋଲାପ ଫୁଟେଇବା ପାଇଁ, ବୁଲ୍ ବୁଲ୍ ପକ୍ଷୀଟି ଭଳି ତା' ହୃଦୟର ରକ୍ତ ଝରେଇ ଚାଲିଥିଲା ସିଏ। ଅବଶୋଷ ନ ଥିଲା । ନ ଥିଲା ବି କ୍ଳାନ୍ତି ।ବୋଉ ଏଇ କେତୋଟି ଅକ୍ଷର ଭିତରେ ପୁରି ରହିଥିଲା, ବ୍ରହ୍ମାଣ୍ଡ ଯାକର ସୁଖ... । 


ଆଞୁଳା ଆଞୁଳା ସ୍ନେହ.... ଆଉ ଅସରନ୍ତି ଆଶ୍ୱାସନା ଭିତରେ ହଜାଇ ଦେଇଥିଲା ଜୀବନ । ମୋ ସ୍ମୃତିର ପାଟ କନାରେ ଗୁଡେଇ ଗାଡେଇ ବୋଉକୁ ମୁଁ ସାଇତି ରଖିଚି ଅତି ଯତ୍ନରେ, ମୋ ମନର ଏକ ସୁରକ୍ଷିତ ସ୍ଥାନରେ। ପ୍ରତାରଣାର ଏଇ ଦୁନିଆ। ଯେଉଁଠି ଆଖି ଲୁହରେ ମାଟି ଭିଜେ ସିନା, ହେଲେ ମଣିଷର ମନ ଭିଜେନା.... ସେଇଠି କେବଳ ମନେପଡେ ବୋଉ। ଯିଏ କେବଳ ଦେବାରେ ଆନନ୍ଦ ପାଉଥିଲା । ଆଉ ନେବାପାଇଁ କେବେବି କିଛି ଆଶା କରୁ ନଥିଲା । ହସି ହସି ଅନ୍ୟର ଖିଆଲରେ ବଞ୍ଚୁଥିବା ମଣିଷଟିଏ ଥିଲା ସିଏ। ଦରକାର ହେଲେ, ସମସ୍ତଙ୍କ ପାଇଁ ନିଜକୁ ନିଃଶେଷ କରିଦେବା ପାଇଁ ନିଜକୁ ଯେମିତି ସେ ପ୍ରସ୍ତୁତ କରି ରଖିଥିଲା। 


ଛାତି ତଳର ରୁଦ୍ଧ ଆବେଗ ସବୁକୁ ,ଇଚ୍ଛା ହୁଏ ବୋଉ ପାଖରେ ଅଜାଡି ଦିଅନ୍ତି କି!! ଲୁହ ସବୁ ଶ୍ରାବଣର ଧାରା ହେଇ ବରଷି ଯାଆନ୍ତା କି ? ମୋ ମନର ନଈପଠାରେ ଖିଲି ଖିଲି ହେଇ ହସି ଉଠନ୍ତା କାଶତଣ୍ଡୀ ଫୁଲ। ନିର୍ମଳ ଆକାଶର ତୋଫା ଜହ୍ନକୁ ଦେଖି କେତେବେଳେ ବୋଉ ପାଖରେ ଜହ୍ନ ପାଇଁ ଅଳି କରନ୍ତି ତ, କେତେବେଳେ ଫୁଲ ବଉଳବେଣୀ ଗୀତ ଗାଇ ଗାଇ ପାଲଟି ଯାଆନ୍ତି ଆନମନା କିଶୋରୀ ଟିଏ ପରି... । ଫେରି ଆସନ୍ତା ହଜିଲା ମୁହୂର୍ତ୍ତ ସବୁ।ଯୋର୍ କରି ଗଳାଫଟେଇ କହିବାକୁ ଇଚ୍ଛା ହୁଏ----ମୁଁ ଅସହାୟ ନୁହେଁ । ଏବେବି କେହି ଜଣେ ମୋର ନିହାତି ଆପଣାର ଅଛି। ସିଏ ଆଉ କିଏ ନୁହେଁ, କେବଳ ମୋର ବୋଉ........।।


Rate this content
Log in

Similar oriya story from Tragedy