Rabinarayan Senapati

Tragedy Inspirational

5.0  

Rabinarayan Senapati

Tragedy Inspirational

ଘିଡିରି

ଘିଡିରି

11 mins
732



ବରୁଆଁ ଛକରେ ଲୋକଟିକୁ ଦେଖି, ନଦେଖିଲା ପରି ଛାଡି ଆସିବାର ପ୍ରଶ୍ନ ଉଠୁନଥିଲା । ମୁଁ ଯାଜପୁରରୁ ଫେରୁଥାଏ କଟକ । ଆଗ ଦରଜା ଖୋଲୁ ଖୋଲୁ କହିଲି, - କି ରେ ଫେର୍ତା ତୁ ଏଠି? 


 - ଅଜୁବାବୁ କି? ତେମେ ଆପଣଙ୍କୁ କାହିଁ କେତେ କାଳ ପରେ ଦେଖୁଛି, ଆହା କି ଭାଗ୍ୟ!

 

ମୁଁ ପଛ ଦରଜା ବି ଖୋଲିଦେଲି । ତା ଢୋଲ ରଖିବାକୁ ଆଗରେ ଜାଗା କାହିଁ ଯେ । – ବାଗେଇକି ରଖ, ଆ ଆଗରେ ବସ । 


ସେ କୁନ୍ଥୁକୁନ୍ଥୁ ହେଉଥିଲା କିନ୍ତୁ ପୁଣି ବସିଲା । – ହଁ ବାବୁ, ବଡ ଉପକାର ହେଲା, ଆମ ଦଳ ବରୀରେ ଅଛି, ରହିବ ଆଉ ତିନିଦିନ । ମୁଁ ଘରେ କିଛି ପଇସା ପତ୍ର ଦେଇ ପୁଣି କାଲି ଫେରିବି ।


ମନଟି ମୋର ଖୁସି ହୋଇଗଲା । ଏ ଆଧୁନିକ ଯୁଗରେ ପୁଣି ମୋ ଗାଆଁର ଢୋଲିଆ ଦଳର ଚାଳିଶ ପଚାଶ କିଲୋମିଟର ଦୂରରେ ଏତେ ଖାତିର, ବାଃ ବଢିଆ ତ!


 କୁଆଖିଆ ପହଞ୍ଚି ଯାଇଥିଲା । ଆମ ଗପସପ ବି ସରିଯାଇଥିଲା । କିନ୍ତୁ କେଜାଣି କାହିଁକି କଟକ ବଦଳରେ ଚାଲିଲି ମୋ ଗାଆଁ “କଲରାଗାଡିଆ” ବିପରୀତ ଦିଗରେ । ହେଉ, ଏ ଫେର୍ତା ବାହାନାରେ ଟିକେ ଗାଆଁ ମାଟିର ପରଶ ମିଳିବ । ଗାଆଁ ପାଣି ପବନର ଆବେଗଭରା ଆକର୍ଷଣ, ବହୁତ ବାହାନା ମିଳେ । 

 

ତାପରେ ଆମେ ଉଭୟ ନିରବ । 


ନିରବ ଆଉ କେଉଁଠି? ସ୍ମୃତି ସବୁ ରୋଷଣୀ କରି ଆସିଗଲେ ।


ବାଲ୍ୟକାଳେ, ଖରାଦିନ ଦ୍ୱିପ୍ରହରରେ ଘରେ ସମସ୍ତେ ବିଶ୍ରାମ ନେଲାବେଳେ ମୁଁ ବାପାଙ୍କ ହାତ ତଳୁ ଚୁଟ୍‌କିନା ଖସି ଆସେ । ତାପରେ ଅନିର୍ଦ୍ଦିଷ୍ଟ ଦୁଷ୍ଟ ଓ ଶିଷ୍ଟ କାମ ମୋ ମୁଣ୍ଡକୁ ଜୁଟେ । ଥରେ ଦେଖିଲି ଆମ ବାଡ଼ି ଆରପଟେ ବିଲ ମଧ୍ୟ ଦେଇ ଛଅଜଣ ଲୋକ ଯାଉଛନ୍ତି; ତିନିଜଣ ପୁରୁଷ ଦୁଇଜଣ ସ୍ତ୍ରୀଲୋକ ଓ ଜଣେ ବାଳକ । ଗାଆଁ ଦାଣ୍ଡରେ ନଯାଇ ଏମିତି ଅବାଟରେ କିଆଁ? ମୁଁ କିନ୍ତୁ ତାଙ୍କ ସହ ମିଶିଗଲି ସେମାନଙ୍କ ବାରଣ ସତ୍ତ୍ୱେ । ସେମାନେ ପ୍ରଥମେ ଚାଲିଲେ ପୂର୍ବଦିଗରେ ଥିବା “ରୋହିଶିତଳା” ପୋଖରୀ ଆଡିର ଗାଆଁ ମଶାଣିକୁ । ପୁର୍ବଦିନ ଚୌଧୁରୀ ସାଆନ୍ତଙ୍କ ଦାହ ସଂସ୍କାର ହୋଇଥାଏ । କିଛି ଦରପୋଡା ଓ ଅପୋଡା କାଠ ସଂଗ୍ରହ କରି ପୁଳା ବାନ୍ଧିଲେ ଚମଡାର ଦଉଡିରେ । ଗପରେ ଶୁଣିଥିଲି ଯମଦୂତ ମାନେ ଚର୍ମ ଦଉଡି ବ୍ୟବହାର କରନ୍ତି । ଏମାନେ ମଣିଷ ଯେ! ମୋତେ କିନ୍ତୁ ଭୟ ଲାଗୁନଥିଲା । ବାଳକଟି ଫେର୍ତା । ସେ ଯଦି ନଡରୁଛି ମୁଁ କାହିଁକି ଡରିବି? ଅନତି ଦୂରରେ ଥାଏ ଏକ ବୃତ୍ତାକାର ପଡିଆ ମଝିର ଗାଡିଆଟିଏ, ନାମ “ଝାଞ୍ଜିଗାଡିଆ” । ସେଇଟା ବି ମଶାଣି, କେତେ ଲୋକଙ୍କର ଶବ ପୋତାହୁଏ ସେଠାରେ । ଆଉ ବି ସେଠାରେ ଗୋମଇଁଷାଦିଙ୍କ ମଢ ପଡେ ।


 ସେଦିନ ବି ପଡିଥିଲା ଏକ ବଳଦର ମୃତଦେହ, ବୋଧହୁଏ ଅଳ୍ପ ସମୟ ପୂର୍ବରୁ । ଅଧୁନା ବିଲୁପ୍ତ ପ୍ରାୟ, ଅନେକ ଶାଗୁଣା, ଚିଲ ଓ ଆମ ଗାଆଁର ଯେତିକି କୁକୁର ସେଇଠି ରୁଣ୍ଡ ହୋଇଥିଲେ ମଧ୍ୟ ମଢଟି ତଥାପି ଥାଏ ଅକ୍ଷୁର୍ଣ୍ଣ। 

ମଣିଷର ଆଗମନକୁ ସମ୍ମାନ ଜଣାଇ ସେମାନେ ସବୁ ଘୁଞ୍ଚି ଗଲେ, କୁକୁର ମାନେ ସାମାନ୍ୟ ଦୂରକୁ, ଚିଲ ଶାଗୁଣା ମାନେ ଆଉ ଟିକେ ଦୂରକୁ । କେହି ଯେମିତି ତରବରରେ ନଥିଲେ, ଆହାର କେଉଁ ଛୋଟ କି! ଫେର୍ତା ଓ ମୁଁ ସେମାନଙ୍କୁ ଅନୁଧ୍ୟାନ କରୁଥାଉ । ଆକାଶରେ ଟିକି ଟିକି ଦେଖାଯାଉଥିବା ଏ ପକ୍ଷୀମାନେ ଏତେ ବଡ଼ ବଡ଼! ଆମେ ଆଶ୍ଚର୍ଯ୍ୟ ହେଉଥିଲୁ; ମୁଁ ଟିକେ ଅଧିକ, ଫେର୍ତା କମ । ମୁଁ ଗଣୁଥିଲି ଆଙ୍ଗୁଳି ଦେଖାଇ, ବେକ ଧଳାଥିବା ଶଂଖଚିଲ ଓ ମୁଣ୍ଡରେ ଚୁଳଥିବା ଫୁଲ ଶାଗୁଣାଙ୍କୁ! ଫେର୍ତା ଗଣି ଶିଖିନଥିଲା, ମୁଁ ତାହାକୁ ଭୁଲ୍‌ଭାଲ୍ ଯାହା କହିଦେଲେ ସେ ମାନିବାକୁ ବାଧ୍ୟ । ମୁଁ ବୁଝୁଥିଲି ମୁଁ ତା’ଠୁ ଅଧିକ, ଫେର୍ତା ମଧ୍ୟ ଧରିନେଉଥିଲା ସେ ମୋ’ଠୁ କମ । ମୁଁ ଶଂଖଚିଲ ହେଲେ ସେ ମାଟିଆ ଚିଲ ଯେମିତି ।


 ସତରେ କଣ ଏମିତି ତର୍ଜମା କରିଥିଲି? ହୁଏତ ପରେ କେବେ ବଡ଼ ହେଲାପରେ ଏହା ଭାବିଛି ଓ ଆଜି ଏତେ ବର୍ଷ ପରେ ଆଗ ପଛର ସ୍ମୃତିମାନେ ଏକାଠି ହୋଇ ଯାଉଛନ୍ତି ।  

 

ନିଜର ଅସ୍ତ୍ର ବାହାର କରି ଏକ କାଳରେ ସମସ୍ତେ ମିଳିମିଶି ମଢ଼କୁ ଛାଲିବାକୁ ଲାଗିଲେ । ଦୃଶ୍ୟଟିର ଭୟାବହତା ମୋ ଶିଶୁ ମନକୁ ଛୁଉଁ ନଥିଲା ବରଂ ସେମାନଙ୍କ କୌଶଳ ଓ ଏକାଗ୍ରତା ମୁଗ୍ଧ କରୁଥିଲା । ଏ ଚମଡାକୁ ସେମାନେ ଶୁଖାଇ ପ୍ରସ୍ତୁତ କରିବେ ଢୋଲ ଉପରେ ବିଛାଇବା ପାଇଁ । ତହିଁରୁ ଫିତା ତିଆରିବେ ସେ ଛାଉଣିକୁ ଶକ୍ତ କରି ବାନ୍ଧିବା ପାଇଁ । କାଳେ କିଏ ଦେଖିନେଇ ଆମ ଘରେ ଫେରାଦ ହେବ, ସେ ଭୟ ନଥିଲା । ଏସବୁ ଗାଆଁ’ର ସାଧାରଣ ଘଟଣା । 


ସେମାନେ କଥା ହେଉଥିଲେ, ଡାହାଣ ପାଖ ଫଡିଆ ଭଲ ଅଛି, ସେଇଠୁ ସଂଗ୍ରହ କଲେ କିଛି ମାଂସ । ମାଇପି ଜଣେ ଏକ ବେଲାରେ ଧରିଲା ସେତିକ। ମୋ ମନରେ କିଛି ଅସୂୟା ଭାବ ଆସିଥିବ, ହୁଏତ ଫେର୍ତା ମନରେ ଆନନ୍ଦ ।

 

ଦଳଟି ସେମିତି ଅବାଟରେ ଫେରିଲେ, ମୁଁ ସୁନାପିଲା ଭଳି ବାଟରେ । ପୁରା ଗାଆଁକୁ ଟପି ପଶ୍ଚିମ ଦିଗରେ ତାଙ୍କ ପଡ଼ାଟି, ଗାଆଁଠୁ ବିଛିନ୍ନ । ଆମ ଘର କିନ୍ତୁ ପୂର୍ବପାଖ ଗାଆଁ ମୁଣ୍ଡରେ ।


ମୋତେ ସେମିତି ଘରେ ପଶିବାକୁ ଭଲ ଲାଗିଲା ନାହିଁ । ଆମ ଗାଆଁର ସବୁଠୁ ବିଶାଳ, “ହୀରକ” ପୋଖରୀର ପକ୍କା ତୁଠରେ ଡୁବ ମାରିଲି, ବେଶ୍ ଆରାମ ଲାଗିଲା ଖରାଟାରେ ତାତିଯାଇଥିବା ଦେହକୁ, ଘଟଣା କ୍ରମରେ ଆନ୍ଦୋଳିତ ମନକୁ ବି ।


ଉଲୁଗୁଣିରୁ ଗାମୁଛା ଆଣି ପୋଛାପୋଛି ହୋଇ ଶୁଖିଲା ଜାମା ପେଣ୍ଟ୍ ପିନ୍ଧି ପକାଇଲି । ବୋଉ କାନକୁ ମୋଡି ପଚାରିଲା, - ପୁଣି ଆଜି ହୀରକ’ରେ ବୁଡ଼ୁଥିଲୁ ଖରାବେଳ ସାରା? 


ମୁଁ ଜାଣିଥିଲି, ସେତିକି ମାତ୍ର ମୋର ଦଣ୍ଡ । 


ଖରାଦିନ ସରିଯାଇ ବର୍ଷାଦିନ ଆସେ, ରଜ ପର୍ବ ହୁଏ । ଶେଷ ରଜ ଦିନ ଯୁବକ ମାନେ ପଶ୍ଚିମ ପାଖରେ ଆମ ଗାଆଁର ବିଶାଳ ପଡି଼ଆ ଆରମ୍ଭରେ ଥିବା ମାଆ ହିଙ୍ଗୁଳାଙ୍କ ପୀଠରେ ବିଧିପୂର୍ବକ ଖେଳନ୍ତି ଗାତିବାଗୁଡି , ପିଲାଏ ଦେଖଣାହାରୀ । ଢୋଲିଆ ସାହିର ଯୁବକମାନେ ଢୋଲ ବଜାନ୍ତି ସେଠାରେ। ରଜପର୍ବ, ମନଖୁସିରେ ଓ ମାଗଣା ବଜାନ୍ତି । ଖେଳିବାକୁ ସୁଯୋଗ ନପାଇଲେ କଣ ହେଲା, ସେମାନଙ୍କ ଯୋଗଦାନ ତ ପୁଣି ରହିବ ।


 ପିଲାବେଳେ ମୁଁ ଟିକେ ଅଧିକ ଭାବୁଥିଲି ବୋଧହୁଏ । ଭାବିଲି, ତାଙ୍କୁ ଖେଳିବାକୁ ସୁଯୋଗ ନାହିଁ ୟାଙ୍କୁ ଢୋଲ ପିଟିବାର ସୁଯୋଗ ଅବା କାହିଁ! ଆହା ଏମିତି କାହିଁକି? ମୋ ପିଲାମନ ଏତେ ବ୍ୟାପକ ସାମ୍ୟବାଦୀ ନଥିଲା ମଁ। ମୁଁ ଖାଲି ଭାବୁଥିଲି, ଫେର୍ତାର କାକା କି ବଡବାପା ଯଦି ଖେଳନ୍ତେ ତାହେଲେ ସେ ଛାଡିଥିବା ଢୋଲଟି ମୁଁ ବଜେଇବାର ସୁଯୋଗ ପାଆନ୍ତି । ସେ ସୌଭାଗ୍ୟ ଆସନ୍ତା କାଲିର ଫେର୍ତା ପାଇବ, ମୋର କିନ୍ତୁ ନାହିଁ । 

 

ରଙ୍ଗ ବେରଙ୍ଗର ରଜ ପୋଷାକ ପିନ୍ଧି ଆମ ଗାଆଁର ସମସ୍ତ କିଶୋରୀ ଓ ଯୁବତୀ ଖେଳ କଡରେ ଘଡିଏ ଠିଆ ହେଲାପରେ ଆହୁରି ପଶ୍ଚିମକୁ ଯାଆନ୍ତି ପଡ଼ିଆ ଶେଷକୁ, ପ୍ରାୟ ଏକ କିଲୋମିଟର ଦୂର । ସେଇଠି ରହିଥାଏ ଲୁପ୍ତ ଜଙ୍ଗଲର ଅବଶିଷ୍ଟ ସନ୍ତକ, ଏକ କେନ୍ଦୁଗଛ । ଗଛଟି ଗୁରୁତ୍ୱପୂର୍ଣ୍ଣ, ବଣ ବିଲୁପ୍ତିର ଅଭିମାନରେ ନଫଳିଲେ କଣ ହେଲା । ସମସ୍ତେ ମାନି ନିଅନ୍ତି ଏହା ଆମ ଗାଆଁର ଶେଷ ବିନ୍ଦୁ । ଏଇଠୁ ସେମାନେ ଭୋଦୁଅରେ ଭାଲୁକୁଣୀ ମୂର୍ତ୍ତି ପାଇଁ ମାଟି ଉଠାନ୍ତି ଗତବର୍ଷ ପୋତିଥିବା କୋଉଡି ସ୍ଥାନରୁ । ଯଦି କିଏ କୋଉଡି ଖୋଜି ପାଏ ସେ ଭାଗ୍ୟବତୀ । ଏଇଠି ରଜକୁ ବାଟେଇ ଦିଅନ୍ତି ବର୍ଷକ ପାଇଁ ।


ସେମାନଙ୍କ ପଛେ ପଛେ ଗୋଡାଇଯାଏ ଘିଡ଼ିରି, ଫେର୍ତାର ଉପର ଭଉଣୀ । ସାହିଟିରେ କେବଳ ସେ ଏକମାତ୍ର ଝିଅ ଯେ ଏତିକି ସାହସ କରେ । ସେ ସାହସର କାରଣ ଅଛି । ତାକୁ ଗାଆଁ ସାରା ଲୋକେ ଭଲ ପାଆନ୍ତି, ପଙ୍କରୁ ଯେମିତ ପଦ୍ମ । ସାହିରେ ଏକ ମାତ୍ର ଶିଶୁ ଯେ ପାଠ ପଢେ, ଖୁବ୍ ଭଲ ମଧ୍ୟ । ମୋ ଶ୍ରେଣୀରେ ପଢେ, ଆମେ ଦୁହେଁ ବୃତ୍ତି ପାଉ । କଣ୍ଢେଇ ପରି ବାଳିକାଟି ମୋର ସବୁଠୁ ପ୍ରିୟ ସାଥୀ । ଆମରି ଘରୁ ତାହାର ମେଧା ଆବିଷ୍କୃତ ହୋଇଥିଲା ।


ଆମର ଥାଏ ଦୁଇଟି ଶଗଡ । ଗୋଟିଏ ଚାଷ କାମରେ ଲାଗେ ଓ ଆଉ ଗୋଟିଏ ଯାତ୍ରୀବାହି । ଆମ ପିଲାବେଳକୁ ଆଉ କେହି ଶଗଡରେ ଯା ଆସ କରୁନଥିଲେ ମଧ୍ୟ, ମୋ ବୁଢାବାପାଙ୍କ ମନ ରକ୍ଷା କରି ତା ଉପରର ଭଙ୍ଗା ଘରକୁ ବଦଳାଇ ବାଉଁଶର ନୂଆ ଘର ତିଆରି ହେଉଥାଏ । ଆର ଶଗଡ ପାଇଁ ଓଦର ବୁଣା ହେଉଥାଏ । ଏସବୁ ତିଆରି କରୁଥାନ୍ତି ଢୋଲିଆ ସାହିର କୁଶଳୀ ଲୋକେ ଆମ ବାଡିରୁ ବାଉଁଶ କାଟି । ବେଶ୍ କେତେ ଦିନ ଲାଗିଲା । ଫେର୍ତା, ଘିଡ଼ିରି ଆମରି ବାଡ଼ିରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଖେଳନ୍ତି, ମୁଁ ସେମାନଙ୍କୁ ପିଜୁଳି ଦିଏ, ବୋଉ ଦିଏ ଭାତ ତିଅଣ ।


 ମୋ ବୁଢାବାପା ଆମ ସାହିର ଛୋଟ ପିଲାଙ୍କୁ ଖଡ଼ି ଧରାଇବାରେ ସିଦ୍ଧହସ୍ତ । ଏକ ଅଘୋଷିତ ଚାଟଶାଳୀ । ଘିଡି଼ରି ଓ ଫେର୍ତା ଟିକେ ଘୁଞ୍ଚିକି ବସନ୍ତି । ଦେଖାଗଲା, ଘିଡ଼ିରି ଯାହ ଶୁଣୁଛି ଥରକରେ ମନେ ରଖୁଛି, ଏକ ଠୁ ଶହେ ପର୍ଯ୍ୟନ୍ତ, ଅ ଠୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ । ନିଜେ ନିଜେ ଭୂଇଁ ଉପରେ ଅ ଆ ଗାରେଇ ପକାଉଛି । 

 

ବୁଢାବାପା ତା ପାଇଁ ସ୍ଲେଟଟିଏ ଆଣିଦେଲେ । ସେ ତ ଖାଲି ମାଡିଗଲା । ଫେର୍ତା ଦ୍ୱାରା ହେଲା ନାହିଁ ।


ମୁଁ ଯେମିତି ପିଜୁଳି ଦିଏ, ସେ ଦୁହେଁ ସେମିତି ମୋତେ ଦିଅନ୍ତି ବାଉଁଶ ପାତିଆରେ ତିଆରି ଘିଡ଼ିରି, ଝୁମୁକା । ମୁଁ ପବନମୁହାଁ ଦୌଡିଲେ ଘିଡ଼ିରି ଜୋରରେ ଘୁରେ । ଝୁମୁକା ଝଣ ଝଣ ବାଜେ । ଆମ ଘରେ ସେମାନଙ୍କ କାମ ସରିଗଲା, ଘିଡ଼ିରି କିନ୍ତୁ ଚାଟଶାଳୀ ଛାଡିଲା ନାହିଁ । ନିତି ସକାଳୁ ଆସି ହାଜର ହୋଇଯିବ, ତା ବାପା ମାଆ ଶିଖାଇଥାନ୍ତି, ବୁଢାବାପାଙ୍କୁ ଦୂରରୁ ଓଳଗି ହେବ। ବୁଢାବା ବୁଢାବା ଡାକ ପକାଇବ । ତାପରେ ସ୍କୁଲ ଗଲା, ଆମେ ସାଙ୍ଗରେ ପଢିଲୁ । ଯେମିତି ସାଙ୍ଗ ହେଲୁ ସେମିତି ପରସ୍ପର ପ୍ରତିଯୋଗିତା କଲୁ କିଏ ଶ୍ରେଣୀରେ ପ୍ରଥମ ହେବ । ବୟସ ହେଲା ପରେ ବୁଝିଲି, ଏ ପ୍ରତିଯୋଗିତା ସମକକ୍ଷଙ୍କ ମଧ୍ୟରେ ନଥିଲା । ଘିଡ଼ିରି ନିଶ୍ଚିତ ମୋ ଅପେକ୍ଷା ଅଧିକ ମେଧାବିନୀ ଯଦିଓ ପ୍ରଥମ ସ୍ଥାନ ମୋର ଥିଲା । ଆମ ଉଭୟଙ୍କ ପରିବାର ବଦଳ ହୋଇଯାଇଥିଲେ କଥା ଓଲଟା ହୋଇଥାନ୍ତା । ମୋ ବୁଢାବାପାଙ୍କୁ ସେ ମନେ କରୁଥିଲା ଜୀବନ୍ତ ଈଶ୍ୱର, ଯେ ତା ପାଇଁ ସବୁ ଦାୟିତ୍ୱ ନେଉଥିଲେ ।  


ସେ ମଢ ଘଟଣା ପରଦିନ ଘିଡ଼ିରି ବଡ଼ ସଙ୍କୁଚିତ ଭାବରେ କହିଲା, -ଅଜୁ, ମୋ ରାଣ, କାହାକୁ କହିବୁନି, ଆମର ସେ ମାଉଁସ ଆଣିଛୁ ବୋଲି ।


- ତୁ ଖାଇଛୁ?


ନିରବରେ ମୁଣ୍ଡ ଟୁଙ୍ଗାରି ଜଣାଇଲା, ହଁ । -ସେ ପାଇଁ ତ କୁହେ, ତୁ ମତେ ଛୁଇଁବୁ ନାହିଁ । ଆମେ ଅଛବ । ତୁ କଣ ମାନୁ କି? ମୋ ଚୁଟି ନଟାଣିଲେ, ଗାଲ ନଚିମୁଟିଲେ ତୋ ଭାତ ହଜମ ହୁଏ ନାହିଁ ।


ମୁଁ ଆଗରୁ ବୁଝି ପାରୁନଥିଲି ଜାନି ଯାତ୍ରା, ପୂଜା ପାର୍ବଣ, ବାହା ବ୍ରତ ସବୁଥିରେ ଯେଉଁମାନଙ୍କ ଢୋଲ ମହୁରୀ ନବାଜିଲେ କାମ ଆରମ୍ଭ ହୁଏ ନାହିଁ ସେମାନେ ପୁଣି ଅଛୁଆଁ କେମିତି । ଘିଡ଼ିରି ଆଜି ବୁଝାଇ ଦେଲା! କିନ୍ତୁ ଖାଇବା ପେଟକୁ ଯାଏ, ଛୁଇଁଲେ କଣ ହେବ ଯେ! ସ୍କୁଲରେ କେମିତି ଆମେ ସବୁ ସାଥୀ ହୋଇ ଚଳୁଛୁ ବିନା ବାରଣରେ । ବିଦ୍ୟାଳୟ ଗାଆଁର ସବୁଠୁ ଭଲ ସ୍ଥାନ ମନେହୁଏ ।


- ସେଗୁଡା ଭଲ ଲାଗେ?


- ନାଇଁ ।  


ଭାବିଲି,ଆଉକିଛି ପଚାରିବା ଭଲ ନୁହେଁ । ତା ପରେ ପୁଣି ଆମେ ସେ କଥା ଭୁଲିଯାଇ ପୂର୍ବବତ୍ ବହୁତ ସାଙ୍ଗ ହୋଇ ଚଳିଲୁ । 


ଷଷ୍ଠ ଶ୍ରେଣୀ ଷାଣ୍ମାସିକ ବେଳର କଥା, ସେ ପରୀକ୍ଷା ଦେଲାନି । କେଜାଣି କେମିତି ଆମ ପିଲାଙ୍କ ଆଲୋଚନାକୁ ଆସିଗଲା, ଘିଡ଼ିରି ବଡ଼ ପିଲା ହୋଇଗଲାଣି । ମୁଁ ବି ଏକଥା ସତ ମଣିଲି ଯଦିଓ ଏହାର ମାନେ କଣ ବୁଝିନଥିଲି । ଘିଡ଼ିରି ଆଉ ମୋ ସହ ସାଙ୍ଗ ହେଲାନି, କହିଲା ତା ମାଆ ମନା କରିଛି । ମତେ ଲାଗିଲା ସେ ଖୁବ୍ ସମଝଦାର ଓ ମୁଁ ଛୋଟ ପିଲା । ସତରେ ସେ ପାଠରେ ଓ ଶାଠରେ ଖୁବ୍ ବୁଝିବା ଝିଅ ଥିଲା । ପୁଣି ଏବେ ସେ ବଡ ପିଲା, ମାନେ ଅଧିକ ନା! 


ଗୀତଟିଏ ଶୁଣାଯାଉଥିଲା ସେକାଳେ,

- ମୁଁ ଯେବେ ଛୋଟଥିଲି କେତେ ବୁଲୁଥିଲି ହସୁଥିଲି ଖେଳୁଥିଲି, ମାଆ କହେ ମୁଁ ତ ଥିଲି ବଡ଼ ଚଗଲି, ମୁଁ କାଳେ ଏବେ ହେଲିଣି ବଡ, ବୁଲିବାକୁ ମତେ ମନା ।

 

ଏ ଗୀତରୁ ଠଅର କରି ନେଉଥିଲି ଘିଡ଼ିରି ଏବେ ଭିନ୍ନ । 


ସେ ଏଣିକି ଆହୁରି ଭଲ ପଢିଲା । ଶିକ୍ଷକମାନେ କହୁଥିଲେ ମୋତେ ଟପିଯିବ । ମୁଁ ତାକୁ ଆଗକୁ ଛାଡିବାକୁ ପ୍ରସ୍ତୁତ ନଥିଲି । ବାର୍ଷିକ ପରୀକ୍ଷା ଫଳ ବାହାରିଲା, ଆମେ ଦୁହେଁ ଯୁଗ୍ମ ପ୍ରଥମ ହୋଇଥିଲୁ ।


ପରବର୍ଷ ପଣା ସଂକ୍ରାନ୍ତି ବେଳର କଥା । ତାଙ୍କ ସାହିର ବଡ ପର୍ବ । ଉଭୟ ବାହୁର ଚମଡାରେ ମୋଟା ମୋଟା ସୂତା ଗଳାଇଥାନ୍ତି ପୁରୁଷ ଭକ୍ତା ମାନେ । ସେ ସୂତାକୁ ଶକ୍ତ ସମାନ୍ତରାଳ ଭାବେ ସ୍ଥିର କରି ଧରିଥାନ୍ତି ଦୁଇ ଚାରି ଲୋକ। ମାଇପି ମାନେ ବାରମ୍ବାର ହଳଦୀପାଣିରେ ଭିଜାଉ ଥାଆନ୍ତି ସେ ସୂତା । ଭକ୍ତା ମାନେ ପଂକ୍ତିରେ ଆଗ ପଛ ହେଉଥାନ୍ତି, ଦୁଇ ସୂତା ମଧ୍ୟରେ । ବୋଉ କହେ, ଭାଙ୍ଗ ପଣା ଓ ଅନ୍ୟାନ୍ୟ ନିଶାରେ କଷ୍ଟ ହୁଏତ ଜାଣି ପାରନ୍ତି ନାହିଁ । ଜଣକ ରକ୍ତ ଆଉ ଜଣକ ସହ ମିଶିଯାଏ, ଜଣାନଥିଲା ରୋଗ ବ୍ୟାପେ । ଭୟରେ ମୋ ଆଖି ଖୋସି ହୋଇଯାଏ । ତଥାପି ମୁଁ ଦେଖେ । ଫେର୍ତା, ଘିଡ଼ିରି ଅବଶ୍ୟ ଥାଆନ୍ତି ତାଙ୍କ ସହ । 


ସେଦିନ ରାତିରେ କେଜାଣି କଣ ଘଟିଲା ତାଙ୍କ ସାହିରେ । ଗାଆଁର ମୁରବି ନିଶାପ କଲେ । କିଏ ଜଣେ କୁଣିଆ ଯୁବକକୁ ବାଧ୍ୟ କରାଗଲା ଘିଡ଼ିରିକୁ ବାହା ହେବାକୁ, ନଚେତ୍ ତାକୁ ପୋଲିସରେ ଦିଆଯିବ । 


ଯାହାକୁ ପଚାରିଲେ ବି ମୋତେ କେହି ବୁଝାଇଲେ ନାହିଁ ଘଟଣା । ଆଉ ଅଳ୍ପଦିନ ଥାଏ ବାର୍ଷିକ ପରୀକ୍ଷା । ସାରା ଗାଆଁ ଯେମିତି ନିସ୍ତବ୍ଧ ହୋଇଗଲା । ସମସ୍ତେ ଆହା, ଚୁ ଚୁ କଲେ । ବିଚାରୀ କେତେ ଭଲ ପଢୁଥିଲା,କି ଦୁର୍ଭାଗ୍ୟ, ପୋଡ଼ାମୁହାଁକୁ ରେଳ ଆଗକୁ ଠେଲିଦେବା କଥା । ଘିଡ଼ିରି ଗଲା ପରେ ମୋ ପାଠପଢିବାର ଆଗ୍ରହ ଶୂନ୍ୟ ହୋଇଗଲା ଅନେକ ଦିନ ପର୍ଯ୍ୟନ୍ତ । ମୁଁ ବି ବହୁତ ଖରାପ କରିଥିଲି ପରୀକ୍ଷାରେ ।


ଛାଆଁକୁ ବୁଝିଗଲି ପରେ ।


ଗାଡି ଚାଲିଥାଏ, ଗାଆଁ ପହଞ୍ଚି ଗଲା । ରାତି ଉଜାଗର ଫେର୍ତା ଶୋଇ ଥାଏ । ଆମ ଘର ଟପି ତାଙ୍କ ସାହିକୁ ଗଲି । ସବୁ କିଛି ବଦଳି ଯାଇଛି । ସାହିକୁ ତାଙ୍କର ଢଳେଇ ରାସ୍ତା । ଘରଗୁଡିକ ଇନ୍ଦିରା ଆବାସ । ବିଜୁଳି ତାର ଟଣା ଯାଇଛି । ପାଣି ପାଇପ ଲାଗିଛି ।


ଫେର୍ତା ଆଖି ଖୋଲିଲା । -ଅଜୁବାବୁ, ତେମେ ଆପଣ, ଏ କଣ କଲ । ତୁମ ଘର ପାଖରୁ ମୁଁ ଚାଲି ଆସିଥିଲେ ହୋଇଥାନ୍ତା । ହେଉ ଆସିଲଣି ଯଦି ଓହ୍ଲାଅ। ତୁମ ସାଙ୍ଗ ଆସିଛି, ଦେଖିଯାଅ । ଦେଖିବା ଦିହେଁ ଦିହିଁଙ୍କୁ ଚିହ୍ନି ପାରୁଛ କି ନାହିଁ? 


କିଏ, ଘିଡ଼ିରି ଆସିଛି । ମୋ ମନର ଉତ୍ସାହ ଅକଳନୀୟ ଭାବେ ବଢିଗଲା । ମୁଁ ଯେମିତି ଡେଇଁକି ପଳାଇବି, ତା ଚୁଟି ଟାଣିଦେବି । ମନର ଆବେଗକୁ ନିୟନ୍ତ୍ରଣ କରି କେବଳ ଏତିକି କହିଲି, - ତୁ ଆଗରୁ କହିଲୁ ନାହିଁ କାହିଁକି? ତା ଛୁଆ ପିଲାଙ୍କ ପାଇଁ ଚକୋଲେଟ ଆଣିଥାନ୍ତେ ।


ସେ ଭୋ ଭୋ କାନ୍ଦି ପକାଇଲା ।


ମୁଁ ଏ କଣ ଦେଖୁଛି! ସାମ୍ନାରେ ଘିଡ଼ିରି । ମନେ ହେଲା କହିଦେବାକୁ ବୁଢାଶଙ୍ଖାରୀ ଗଳ୍ପର ଶେଷ କଥା । ମୁଁ କଣ ଏଇଆ ଦେଖିବାକୁ ଆସିଥିଲି?


ଆଖିରେ ଲୁହ ତାହାର । ହାତରେ ଚୁଡ଼ି ନାହିଁ । କପାଳ ଶୂନ୍ୟ । ଦେହରେ ଛିନ୍ନ ବସ୍ତ୍ର । ତେବେ ଓ ତଥାପି ସେ ଦିଶୁନଥିଲା ଅଚିହ୍ନା, ଲାଗୁଥିଲା ଅନ୍ତରଙ୍ଗ। ମୋ ନଜରରୁ ହଜି ଯାଇଥିବା କଥା କାଲି ଭଳି ମନେହେଲା ।

ବହୁତ ଦିନପରେ ଘଡ଼ିଏ କାନ୍ଦିଲି । ମୁଁ ଆଶ୍ୱାସନା ଦେବି କଣ, ଭାଇ ଭଉଣୀ ମୋତେ ପ୍ରବୋଧନା ଦେବା ଆରମ୍ଭ କଲେ ।  


-ସ୍ୱାମୀ ମଦ ପିଇ ପିଇ ମରିଗଲା । ଭୋକ ଓପାସରେ ରହିଲୁ । ମୋ ଦୁଇ ଅକ୍ଷର ପାଠ କେଉଁ କାମକୁ? ଆମ କୁଳ ବେଉସା ତ କିଛି ଜଣା ନଥିଲା । ତୁମେ ଜାଣିନଥିବ ଅଜୁ, ମୁଁ ଥିଲି ତାହାର ଦ୍ୱିତୀୟ ସ୍ତ୍ରୀ । ସଉତୁଣୀର ପିଲାଏ ପାରିବାର, ତାଙ୍କର ସବୁ ରୋଜଗାର ଅଛି । ମତେ କିଏ ବା କାହିଁକି ମାଗଣାରେ ଖାଇବାକୁ ଦେବ । ତାହା ତ ଦୂରର କଥା, ଘର ଖଣ୍ଡିକରେ ମୁଣ୍ଡ ଗେଞ୍ଜିବାକୁ ସ୍ଥାନ ବି ମିଳିଲା ନାହିଁ । ଏକ ପ୍ରକାରେ ମୋତେ ତଡିଦେବାର ବ୍ୟବସ୍ଥା କଲେ । ମୁଁ ବି ଦେଖିଲି, ପଡି ରହି ଲାଭ କଣ? ଫେର୍ତା ବ୍ୟତୀତ କିଏ ଅଛି ମୋର, କୁଆଡେ ଆଉ ଯିବି? 


ପୁଣି ଭାଇ ଭଉଣୀ କାନ୍ଦି ଉଠିଲେ । ମୁଁ ସେମାନଙ୍କୁ ବୋଧ ଦେଲି । –ହେଉ ବ୍ୟସ୍ତ ହୁଅନି, କଣ ବ୍ୟବସ୍ଥା ବାହାରିବ ।


-ଅଜୁରେ, ମୋ ପିଲା ଯୋଡିକ ଭଲ ପଢୁଛନ୍ତି ମୋ ଭଳିଆ । ତାଙ୍କ କଥା କଣ ହେବ, ସେତିକି ମୋତେ ସାହା ହେବୁନି?


- କାନ୍ଦନା ଘିଡ଼ିରି, ସେମାନଙ୍କ କଥା ପଛ, ତୁ କାହିଁକି ତାଙ୍କ ପାଇଁ ପର ଉପରେ ନିର୍ଭରଶୀଳ ହେବୁ । ତୁ ଆଗେ ଆତ୍ମନିର୍ଭରଶୀଳ ହୋଇଯା । କେତେ ଅବା ବୟସ ତୋହର । ମୁଁ ତୋହରି ଦାୟିତ୍ୱ ନେବି ।


ସେ ଦୁଃଖ ମଧ୍ୟରେ ବି ହସିଦେଲା, କହିଲା, - ଅଜୁରେ, ମନେ ଅଛି ଗୋବିନ୍ଦ ସାର୍ କଣ କହନ୍ତି ତୋତେ? ଗୁରୁ ଚଣ୍ଡାଳ ଦୋଷ; ସେଇଟା ତୋର ଯାଇନାହିଁ।


ମୁଁ ସଙ୍ଗେ ସଙ୍ଗେ ବୁଝି ପାରିଲି ନାହିଁ ସେ ଏମିତି କାହିଁକି କହିଲା । ମୁଁ ଭାବୁଥିଲି ଅନେକ କଥା । ମୁକ୍ତ ବିଦ୍ୟାଳୟ ବ୍ୟବସ୍ଥାରେ ଘିଡ଼ିରି ପୁଣି ପଢିବ । ଏ ବର୍ଷ ସପ୍ତମ, ଆସନ୍ତା ବର୍ଷ ଦଶମ ଓ ତା ପର ବର୍ଷ ଦ୍ୱାଦଶ । ଯେଉଁଠୁ ଛାଡିଥିଲା ସେଇଠୁ ଆରମ୍ଭ କରିବ । ତାପରେ ଶିକ୍ଷକ ହେବାର ପ୍ରଶିକ୍ଷଣ ନେବ । ତାପରେ ଚାକିରି । ପାଞ୍ଚଟି ବର୍ଷର କଥା । ପରେ ସେ ମୋତେ ଶୁଝି ଦେବନି କି? ଗୋବିନ୍ଦ ସାର୍ ଏବେ ବି ସୁସ୍ଥ ଅଛନ୍ତି ଯେ ।


ମୁଁ ଏତେ ସବୁ କଥା ତାକୁ କହିଲି ନାହିଁ । କେବଳ କହିଲି, -ଗୋବିନ୍ଦ ସାରଙ୍କ ପାଖକୁ ଯାଉଛି । ତୋ ପାଇଁ ଯାହା କିଛି ବ୍ୟବସ୍ଥାର ବିଚାର ବିମର୍ଷ କରିବି । 


ମୁଁ ସାରଙ୍କୁ ଦେଖା କଲି । ସେ ବି ଆଜି ପର୍ଯ୍ୟନ୍ତ ଭୁଲିନଥିଲେ ଏକ ପ୍ରତିଭାର ଅକାଳ ମୃତ୍ୟୁ ଓ ତା ପ୍ରତି ହୋଇଥିବା ଅନ୍ୟାୟ ।


ତଥାପି ସେ ହସି କହିଲେ, -ଅଜୁ ତୁ ଆଗ ବାହା ହୋଇ ଯାଆ । ନଚେତ୍ କେତେ ଲୋକ କେତେ କଥା କହିବେ । 


ଏବେ ବୁଝିଲି, କି କାରଣେ ଘିଡ଼ିରି କହିଲା ଗୁରୁଚଣ୍ଡାଳ । କହିବା ବାହୁଲ୍ୟ, ଘରେ ଯେତେ ପ୍ରବର୍ତ୍ତାଇଲେ ବି ବାହା ହେଉ ନଥିବା ଏ ମଣିଷଟି ନିଜ ଆଡୁ ସେ ପ୍ରସଙ୍ଗ ଉଠାଇ ସଫଳ ହେଲା ।


ଏହା ମଧ୍ୟରେ ଅନେକ ବର୍ଷ ବିଗତ, ଅବସର ବୟସ ଉପନୀତ । ତା ପିଲାଏ ଉଚ୍ଚଶିକ୍ଷିତ, ସମାଜରେ ପ୍ରତିଷ୍ଠିତ । ମୋ ସଂସାର ବି ବେଶ୍ ହସଖୁସିରେ ଚାଲିଛି । ଆମ ଦୁଇ ପରିବାର ମଧ୍ୟରେ ଅନାବିଳ ସମ୍ପର୍କ । ମତେ ଦିନେ କହିଲା, - ଅଜୁରେ, ବଡ ସେନେହରେ ତୁମ ପାଇଁ କେତେଥର ଖିରୀ କଲିଣି ହେଲେ ଦେବାକୁ ସାହସ ହେଉନି । ଆମ ଘରେ କୌଣସି ଅସନା ନାହିଁ । ଆଜି କାହିଁକି ଇଚ୍ଛା ମୋର ଦୁର୍ବାର । ଟିକେ ଚାଖିବୁ, କିଏ ବା ଦେଖିବ? ଦେଖିଲେ ବି କଣ ହେଲା, ଚଣ୍ଡାଳୁଣି ତ ମା ଲକ୍ଷ୍ମୀଙ୍କୁ ଖୋଇଥିଲା, ଆମ ଅଜୁ କଣ ମାଆଙ୍କ ଉପରେ । 


ପୁଣି ଏକ ପ୍ରାଚୀର ଭାଙ୍ଗିଗଲା ।


ଆଜି ଏତେ ସବୁ କଥା ଭାବିବାର ହେତୁ ହେଲା, ପତ୍ନୀ ମୋ ନଜରକୁ ଆଣିଥିବା ଅତ୍ୟନ୍ତ ସୁଖଦ ଖବର । 


-ଦେଖ ଦେଖ, ଶିକ୍ଷକଙ୍କ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାରରେ ଏକ ମାତ୍ର ଓଡ଼ିଆ ନାମ, ଶ୍ରୀମତି ଘିଡ଼ିରି ଦେବୀ, ଗ୍ରାମ କଲରାଗାଡ଼ିଆ, ଓଡ଼ିଶା ।


ମୁଁ ହାତ ଉଠାଇଲି, ପତ୍ନୀ ମୋ ହାତକୁ ଫୋନ ବଢାଇଦେଲେ । ସେପଟୁ ଶୁଣିଲି ଘିଡ଼ିରିର ସୁଁ ସୁଁ କାନ୍ଦଣା । ବୁଝିଥିଲି, ଏହା ଆନନ୍ଦର । କେବଳ ଛୋଟିଆ ଅଭିନନ୍ଦନ ଜଣାଇ ମୁଁ ଚୁପ୍ ରହିଲି । ଆଜି କେବଳ ଶୁଣିବାର ଇଚ୍ଛା ଥିଲା । ସେ ନିଜକୁ ତୁନ୍ କଲା । ସେ କହିଲା, -ଅଜୁ ଏ ଶ୍ରେୟ ବୁଢାବାଙ୍କର ଓ ତୁମର ବି, ପୁରସ୍କାର ମିଳିବା ଦିନ ତୁମେ ମୋ ସାଥୀ ଦେବ ଦିଲ୍ଲୀ, କେବଳ ତୁମେ । ସମ୍ମତି ଦେଲି ।



Rate this content
Log in

Similar oriya story from Tragedy