Pranati Panda

Tragedy

4.8  

Pranati Panda

Tragedy

ଆର୍ତ୍ତନାଦ

ଆର୍ତ୍ତନାଦ

7 mins
830



ରାତି ଏମିତି ଯେ ଅନ୍ଧାର ହେଇଯିବ ବୋଲି କିଛି ପ୍ରତିଶ୍ରୁତି ଦେଇ ନଥିଲା ଆଗରୁ ।ଯାହା କାଲି ଥିଲା ତାହା ଆଜି ନଥାଏ, ଆଉ ପୁଣି ସେସବୁ କାଲିକି ଯେ ଥିବ ତାହା କେବଳ ସମୟ କହି ପାରିବ ସିନା ।


    ବାହାରେ ପ୍ରବଳ ବର୍ଷା ସହ ମଝିରେ ମଝିରେ ବିଜୁଳିର ଚମକା, ଘଡ଼ଘଡ଼ିର ଶବ୍ଦ ଛାତି ଥରେଇ ଦେଉଛି। ଆକାଶ ଅଜାଡ଼ି ହେଇ ପଡ଼ୁଛି ସତେ ଅବା ।

    ଆଜି ବର୍ଷାର ବାରିପାତରେ ସଙ୍ଗୀତର ସ୍ୱର ନଥିଲା ଥିଲା ଏକ ଭୀମ ଭୟଙ୍କର ରୂପ।

       ଏ ରାତି ଆଜି ସରଳ ନିରୀହ ରାତି ନୁହେଁ । ହବାର ବି ନଥିଲା । ଦୀର୍ଘ କୋଡ଼ିଏ ବର୍ଷକୁ ଅନାବରଣ କରିଛି ଏଇ ରାତି ।

     ସବୁ ପ୍ରଶ୍ନର ଯେପରି ଉତ୍ତର ନଥାଏ , ସବୁ ସମୟର ସେମିତି ପ୍ରତିଶ୍ରୁତି ନଥାଏ ।

     ସୁମିତ୍ରା ଦିଦି ଆଜି ମାନିକୁ କୋଳରେ ଧରି ମୁକ ପ୍ରାୟ ବସିଛନ୍ତି ।


    ସୁମିତ୍ରା ଙ୍କର କୋଡ଼ିଏ ବର୍ଷ ଆଗରୁ ବିବାହ ହୋଇଥିଲା ହିମାଂଶୁଙ୍କ ସହିତ । ବିବାହର କିଛି ଦିନ ତ ବେଶ୍ ହସ, ଖୁସିରେ କଟିଯାଇଥିଲା , କିନ୍ତୁ ଭାଗ୍ୟ ଅନିଶ୍ଚିତତା ଭିତରେ ଗତି କରିଥିଲା ସମ୍ଭବତଃ ।ଦୀର୍ଘ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ପିଲା ପିଲି ନହେବାରୁ ସବୁବେଳେ ହିମାଂଶୁ ସହିତ ତାଙ୍କ ପରିବାର ଲୋକଙ୍କ କଟୁ ଆକ୍ରୋଶର ଶିକାର ହୁଅନ୍ତି ସୁମିତ୍ରା । ତଥାପି ମନକୁ ବୁଝେଇ ନିଅନ୍ତି ସେ। ଭଗବାନଙ୍କ ପାଖରେ ମୁଣ୍ଡିଆ ଟିଏ ମାରି ଦୁଃଖ ଜଣେଇ ଆଖିରୁ ଝରି ପଡ଼ୁଥିବା ଲୁହ ପଣତକାନିରେ ପୋଛି ଦିଅନ୍ତି ସମସ୍ତଙ୍କ ଅଜାଣତରେ।


     ମନକୁ ଦୃଢ଼ କରି ଚାକିରି ପାଇଁ ଚାରିଆଡ଼େ ଫର୍ମ ପକାଉ ଥାଆନ୍ତି ସୁମିତ୍ରା , କାରଣ ସୁମିତ୍ରା ବି.ଏ.ସି. , ବି.ଇଡି କରିବା ପରେ ବିବାହ କରିଥିଲେ । 

ପିତା ମାତା ଛେଉଣ୍ଡ ସୁମିତ୍ରା କକେଇ, ଖୁଡ଼ିଙ୍କ ତତ୍ତ୍ଵାବଧାନରେ ବଢିଥିଲେ ।  ଦୈବ ଯୋଗକୁ ହଠାତ୍ ଭବାନୀପାଟଣାରୁ ଇଣ୍ଟରଭିୟୁ ପାଇଁ ଡାକରା ଆସିଲା ।

 ସୁମିତ୍ରା ହିମାଂଶୁଙ୍କ ସହ ଯାଇ ଇଣ୍ଟରଭିୟୁ ଦେଇ ଆସିଲେ ।

       କିଛି ଦିନ ପରେ କଲ୍ ଲେଟର୍ ଆସିଲା ସାଇନସ୍ ଟିଚର୍ ପାଇଁ ସେ ସିଲେକ୍ଟ୍ ହୋଇଛନ୍ତି ।ନିର୍ଦ୍ଧାରିତ ସମୟରେ ସେ ଯାଇ ଜଏନ୍ କରିବା ପାଇଁ ଡ଼ାକରା ଆସିଛି ।

    ଶାଶୁ ଘରେ ସମସ୍ତଙ୍କ ଅନୁମତି ନେଇ ସୁମିତ୍ରା ହିମାଂଶୁ ଙ୍କ ସହିତ ରାୟଗଡ଼ାରୁ ବାହାରି ପଡ଼ିଲେ ଭବାନୀପାଟଣା ଅଭିମୁଖ୍ୟେ ।

      ହିମାଂଶୁ ସ୍କୁଲ୍ ପାଖରେ ଏକ ଭଡ଼ାଘର ଓ ସୁମିତ୍ରାଙ୍କ ଚଳିବା ନିମନ୍ତେ ସମସ୍ତ ସୁବିଧା କରି ପୁନଶ୍ଚ ଫେରି ଆସନ୍ତି ରାୟଗଡ଼ାକୁ । ହିମାଂଶୁ ରାୟଗଡ଼ା ବ୍ୟାଙ୍କରେ ବ୍ୟାଙ୍କ ପି. ଓ ଭାବରେ କାର୍ଯ୍ୟରତ ।


     ନୂଆ, ନୂଆ ଚାକିରି ପାଇ ସୁମିତ୍ରା ବେଶ୍ ଖୁସି ଅନୁଭବ କରନ୍ତି , ମଝିରେ ମଝିରେ ହିମାଂଶୁ ଆସି ସବୁ ବୁଝାସୁଝା କରି କିଛି ଦିନ ରହି ଫେରି ଯାଆନ୍ତି ।


       ସମୟ ପ୍ରବାହମାନ ।ଦୀର୍ଘ ପ୍ରତୀକ୍ଷା ପରେ ଆଜି ସୁମିତ୍ରା ଜାଣିବାକୁ ପାଇଲେ ଯେ ସେ ମାଆହେବାକୁ ଯାଉଛନ୍ତି । ମନେ ମନେ ଖୁସି ହୋଇ ହିମାଂଶୁଙ୍କ ସହିତ ବିତେଇ ଦେଇଥିବା ସେହି ନିବିଡ଼

ଅନ୍ତରଙ୍ଗ ମୁହୂର୍ତ୍ତକୁ ମନେ ପକାଉ ଥାଆନ୍ତି ସୁମିତ୍ରା.....

      ନା ଆଉ ଅପେକ୍ଷା କରିବେ ନାହିଁ । ତୁରନ୍ତ ଛୁଟି ଦରଖାସ୍ତ ନେଇ ପ୍ରଧାନ ଅଧ୍ୟାପିକାଙ୍କୁ ସମସ୍ତ ଘଟଣା ଅବଗତ କରେଇ ଶାଶୁ ଘରକୁ ଯିବା ପାଇଁ

ଦଶ ଦିନ ଛୁଟି ମାଗନ୍ତେ , ତୁରନ୍ତ ଛୁଟି ମଧ୍ଯ ତାଙ୍କୁ ମିଳିଗଲା ।


       ସୁମିତ୍ରା ଆଉ କାଳ ବିଳମ୍ବ ନକରି ବସ୍ ରେ ଟିକଟ କାଟି ରାୟଗଡ଼ା ଅଭିମୁଖ୍ୟେ ପ୍ରସ୍ଥାନ କରିଲେ ।

   ସାରା ରାତି ବସ୍ ରେ ବିତେଇ ଶାଶୁ ଘରେ ପହଞ୍ଚିଲା ବେଳକୁ ପ୍ରାୟ ଭୋର୍ ହୋଇ ଯାଇଥିଲା ।

   ବସ୍ ଷ୍ଟାଣ୍ଡକୁ ହିମାଂଶୁ ସ୍କୁଟର୍ ଧରି ଆସିଥିଲେ ।


 ସୁମିତ୍ରାଙ୍କ ମନର ଗତିରେ ବେଶ୍ ଚଞ୍ଚଳତା ପ୍ରକାଶ ପାଉଥାଏ ।ମାଆ ହେବା ଖବରଟା ଯେ ସେ, ପ୍ରଥମେ ହିମାଂଶୁଙ୍କୁ ଦେବେ । ବେଡ୍ ରୁମ୍ ରେ ପଶିଯିବା କ୍ଷଣି ରୁମ୍ ଦରଜା ବନ୍ଦ୍ କରି ହିମାଂଶୁଙ୍କୁ ଖୁବ୍ ଜୋରରେ ନିଜ ବାହୁ ବନ୍ଧନରେ ନେଇ କାନ ପାଖରେ ସୁମିତ୍ରା ଫିସ୍ ଫିସ୍ ହୋଇ ଖୁସି ଖବରଟା ଶୁଣେଇ ଦିଅନ୍ତେ , ତୁରନ୍ତ ହିମାଂଶୁଙ୍କର ଏକ ଶକ୍ତ ଧକ୍କା ସୁମିତ୍ରାଙ୍କୁ ଠେଲିଦେଲା ଘରର କାନ୍ଥ କୋଣକୁ ।


 ହିମାଂଶୁ ଗର୍ଜି ଉଠିଲେ , ଏ କଣ କହୁଛ ସୁମି , ତୁମେ ଏତେ ଦିନ ଏଠି ଥିବା ପର୍ଯ୍ୟନ୍ତ ଯେତେ ଚେଷ୍ଟା କରି ଡାକ୍ତର ଚିକିତ୍ସା କରେଇ ସୁଦ୍ଧା ତୁମର ପ୍ରେଗେନେନ୍ସିର କୌଣସି ସମ୍ଭାବନା ଦେଖା ନଯିବା ସ୍ଥଳେ ,

ତୁମେ ଭବାନୀପାଟଣା ମାତ୍ର ଯିବାର ତିନି ମାସ ନପୁରୁଣୁ ତୁମେ ତୁରନ୍ତ ପ୍ରେଗନାଂଟ୍ (pregnant) ହୋଇଗଲ କିପରି? 

   ହିମାଂଶୁଙ୍କ ସନ୍ଦେହ ଚକ୍ଷୁ ଘୁରି ବୁଲୁଥିଲା ସୁମିତ୍ରାଙ୍କ ଶରୀରର ଉପରୁ ତଳ ପର୍ଯ୍ୟନ୍ତ।

       ତୁରନ୍ତ ଏ ,ଖବର ପାଇ ଶାଶୁ ମଧ୍ଯ ଗର୍ଜୀ ଉଠିଲେ , ଘରୁ ବାହାରକୁ ପାଦ ଦେଲା କି ନାହିଁ କାହାର ଜାରଜ ବୀଜକୁ ପେଟରେ ଧରି ଖବର ଶୁଣେଇବାକୁ ଚାଲି ଆସିଛୁ ଏତେ ଖୁସିରେ ଶୁଣେ....।


    ଏକ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ସୁମିତ୍ରାଙ୍କର ନା ,ଶରୀର ନା, ମନ ସାଥ୍ ଦେଉଥିଲା । ସାରା ରାତି ବସ୍ ରେ ବସିଥିବା ଥକ୍କାପଣ , ବାନ୍ତି ସହ ସେ ଅତ୍ୟନ୍ତ ଦୁର୍ବଳ ମନେ କରୁଥାନ୍ତି ।


     ତଥାପି ସେ ସମସ୍ତଙ୍କୁ ପରେ ବୁଝେଇବେ ଭାବି ଚୁପ୍ ଚାପ୍ ଗାଧୋଇ ପାଧୋଇ ଟିକେ ଫ୍ରେସ୍ ହେବା ପାଇଁ ଚାଲିଗଲେ । ଆସିଲା ପରେ ରୋଷେଇ ଘରେ ଚା କରିବାକୁ ଉଦ୍ୟକ୍ତ ହୁଅନ୍ତେ ,

ଶାଶୁଙ୍କର ଏକ ଶକ୍ତ ଧକ୍କା ରେ ସୁମିତ୍ରା କାନ୍ଥରେ ପିଟି ହୋଇଗଲେ । ପାଖରେ ଶଶୁର ଓ ହିମାଂଶୁ ଠିଆ ହୋଇଥିଲେ ମଧ୍ୟ କେହି ପ୍ରତିବାଦ ନକରି ଓଲଟା ସମର୍ଥନ ର ସ୍ୱର ସୁମିତ୍ରାଙ୍କୁ ହତ, ଚକିତ କରିଦେଲା । ଶାଶୁ କ୍ଷୀପ୍ର ଗତିରେ ବେଗ୍ ଟିକୁ ସୁମିତ୍ରା ଙ୍କ ଉପରକୁ ଫିଙ୍ଗି ଦେଇ କହିଲେ ଖବରଦାର୍ ଆଉ ଯଦି ପାଦେ ଆଗେଇଥିବୁ ....

ରୋଷେଇ ଘର ଯିବା ତ ଦୂରର କଥା..... ଯାହାର ଜାରଜ ବୀଜକୁ ପେଟରେ ଧରି ଆସିଛୁ ତାରି ପାଖରେ ରହିବୁ ଯାଆ ।

       ଘରୁ ବାହାରି ଯିବାଟା ଏତେ ସହଜ କଥା ନୁହେଁ , ସୁମିତ୍ରା ମନେ ମନେ କେତେ କଣ ସ୍ବପ୍ନ ନେଇ ଆସିଥିଲେ ଯେ, ପାଞ୍ଚ ବର୍ଷ ପରେ ଏ ଖୁସି ଖବର ଶୁଣେଇବା ପାଇଁ । କିନ୍ତୁ ଏ କଣ ସତେ ଯେପରି ପୃଥିବୀଟା ଓଲଟ ପାଲଟ ହେଇଯାଇଛି। ସୁମିତ୍ରାଙ୍କ ପାଦ ତଳୁ ମାଟି ଖସି ଯାଉଛି ।


     ଦୂରରେ ଚାକିରୀଟା ଯେ,ତାଙ୍କ ଜୀବନକୁ ଦୋହଲାଇ ଦେବ ଏ କଥା ସ୍ବପ୍ନରେ ସୁଦ୍ଧା ସେ ଭାବି ପାରି ନଥିଲେ । କଣ କରିବେ ଏବେ ସେ ! କକେଇ , ଖୁଡ଼ି ବି ଦୁଇ ବର୍ଷ ତଳୁ ହାତ ଧରାଧରି ହୋଇ ଆର ପାରିକି ଚାଲି ଯାଇଛନ୍ତି । ଏବେ ସେ ଯିବେ କୁଆଡ଼େ???

     ସୁମିତ୍ରାଙ୍କ ମୁଣ୍ଡଟା ପ୍ରବଳ ଯନ୍ତ୍ରଣାରେ ଫାଟି ଯାଉଥାଏ ।ପାଦ ଦୁଇଟିକୁ ଘୋଷାରି ଘୋଷାରି

ସାମାନ୍ୟ ଦୁଇ ପାଦ ଆଗେଇ ପଛକୁ ବୁଲି ଦେଖିଲା ବେଳକୁ ,ହିମାଂଶୁ ଧଡ୍ କରି ଦରଜା ବନ୍ଦ୍ କରିଦେଲେ । 

ଭିତରୁ ଶାଶୁଙ୍କ ଚିତ୍କାର ଶୁଣା ଯାଉଥିଲା .....

"ପଥ ପଚାରି ବନସ୍ତକୁ ଯିବୁ ଆଉ

ଅଯୋଧ୍ୟା କୁ ମନ ନକରିବୁ" ।

ବାହାରି ଯାଃ ମୋ ଘରୁ ଅଲକ୍ଷଣୀ କୁଲ୍ଟା କେଉଁଠିକାର ।

    

    ସୁମିତ୍ରା ବହୁ କଷ୍ଟରେ ଶେଷରେ ଫେରି ଆସନ୍ତି ପୁନଶ୍ଚ ଭବାନୀପାଟଣା ସ୍ଥିତ ଭଡ଼ା ଘରକୁ ମନରେ ଆଶା ବାନ୍ଧି ଯେ , ଆଜି ନହେଲେ କାଲି ହିମାଂଶୁ ନିଜର ଭୁଲ୍ ବୁଝି ତାଙ୍କ ପାଖକୁ ନିଶ୍ଚୟ ଫେରି ଆସିବେ । 

କିନ୍ତୁ ଏ କଣ ....ମାତ୍ର ପନ୍ଦର ଦିନ ପରେ ହିମାଂଶୁଙ୍କ ତରଫରୁ ଆସିଲା ଛାଡ଼ପତ୍ର ।


 ହେ ! ଭଗବାନ ଏ କି ବିଡମ୍ବନା ସତେ ! ତଥାପି ସୁମିତ୍ରା ଲଢ଼ିବା ପାଇଁ ମନସ୍ଥ କରି ଛାଡ଼ ପତ୍ରରେ ଦସ୍ତଖତ ନକରି ଫେରେଇ ଦେଇଛନ୍ତି , କିନ୍ତୁ ପୁଣି 

ମାସେ ପରେ ପୁନର୍ବାର ସେଇ ଅବସ୍ଥା। ହିମାଂଶୁଙ୍କର ଏକା ଜିଦ୍ ସେ ,ଛାଡ଼ପତ୍ର ନେବେ । ତଥାପି ସୁମିତ୍ରା ହାର ମାନି ନାହାନ୍ତି କାରଣ ସେ ,କେବେହେଲେ ଚାହିଁ ନାହାନ୍ତି ଯେ, ପେଟରେ ବଢୁଥିବା କୋମଳ କଳିକୁ ଦୁନିଆକୁ ଆସିବା ପୂର୍ବରୁ ତାକୁ କେହି ଯେପରି ଅନ୍ଧକାରକୁ ଠେଲି ଦିଅନ୍ତୁ .... ।

      ଶେଷରେ ଦିନେ ହିମାଂଶୁ ନିଜେ ଆସି ପହଞ୍ଚିଗଲେ ସୁମିତ୍ରା ଙ୍କ ସ୍କୁଲ୍ ପରିସର ଭିତରେ ।

ସୁମିତ୍ରା ହିମାଂଶୁଙ୍କୁ ଦେଖି ଆସନ୍ନ ବିପଦକୁ ହୃଦୟଙ୍ଗମ କରି ସ୍କୁଲ୍ ରୁ ଅନୁମତି ନେଇ ଫେରି ଆସନ୍ତି ଭଡ଼ାଘରକୁ । 

ବାସ୍ ତାପରେ ଆଉ କଣ? ହିମାଂଶୁଙ୍କ ଜୋରଦାର୍ ଚାପୁଡ଼ାରେ ସଂଜ୍ଞା ହରାନ୍ତି ସୁମିତ୍ରା ।

    ଆଉ ତାଙ୍କ ବୋହୋସ୍ ଅବସ୍ଥାରେ ହିମାଂଶୁ ତାଙ୍କ ହାତର ଦସ୍ତଖତ ନେଇ ଚାଲି ଯାଆନ୍ତି.... ।

   ପରେ କୋର୍ଟରୁ ଛାଡ଼ପତ୍ରର ଫଟୋ କପି ସୁମିତ୍ରାଙ୍କୁ ଯଥା ସମୟରେ ପଠେଇ ଦେଇଛନ୍ତି ହିମାଂଶୁ ।

      ସୁମିତ୍ରା କିଛି ବୁଝିବା ପୂର୍ବରୁ ତାଙ୍କ ଜୀବନଟା ଅସଜଡା,ଅସ୍ତବ୍ୟସ୍ତ ହୋଇ ସାରିଥିଲା ।

     ଆଖି ଲୁହ ପୋଛି କେବଳ ସମୟକୁ ଅପେକ୍ଷା କରିବା ଛଡ଼ା କିଛି ଅନ୍ୟ ଉପାୟ ନଥାଏ ସୁମିତ୍ରାଙ୍କ ପାଖରେ ।

    " ସୁଅ ମୁହଁକୁ ପତର " ପରି

ଚାକିରିଟି ତାଙ୍କର ଏକମାତ୍ର ସମ୍ବଳ ଏହି ପରିସ୍ଥିତିରେ କେବଳ ।ସମୟ ଧୀରେ ଧୀରେ ବିତି ଯାଇଛି। ସୁମିତ୍ରା ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ସମୟକ୍ରମେ ସେ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି ।ଝିଅଟିର ନାମ ଅତି ଶ୍ରଦ୍ଧାରେ "ମାନି" ରଖିଛନ୍ତି । ପିଠିରେ ବାନ୍ଧି ବିନା କାହାରି ସହାୟତାରେ କୁନି କଣ୍ଢେଇ "ମାନି"କୁ ନେଇ ଜୀବନରେ ଆଗେଇବା ବେଶ୍ ଭଲ ଭାବରେ ଶିଖି ଯାଇଛନ୍ତି ସୁମିତ୍ରା ।


ସ୍କୁଲରେ ସୁମିତ୍ରା ପିଲା ମାନଙ୍କୁ ଅତ୍ୟଧିକ ସ୍ନେହ ଶ୍ରଦ୍ଧା କରନ୍ତି।   ସ୍କୁଲରେ ସମସ୍ତଙ୍କର ସେ ଅତି ଆଦରର "ସୁମିତ୍ରା ଦିଦି " ନାମରେ ପରିଚିତ । 

ମାନି ଏବେ ସ୍କୁଲ୍ ରେ ପାଦ ଦେଲାଣି । ଖୁବ୍ ସୁନ୍ଦର୍ ଡଉଲ ଡାଉଲ ଗୋରା ତକ୍ ତକ୍ ଚେହେରା ମାନିର । 

 ଚଦ୍ରମା ପରି ବଢ଼ି ଚାଲିଥାଏ ମାନି ।

 ବେଳେ ବେଳେ ସୁମିତ୍ରା ମାନିକୁ ସ୍କୁଲ୍ କୁ ନେଇ ଆସନ୍ତି ।

ଘରେ ସୁମିତ୍ରାଙ୍କ ଅନୁପସ୍ଥିତିରେ ମାନିର ଦେଖାଶୁଣା ଘର ମାଲିକାଣୀ ଲୀଳା ମାଉସୀ କରିଥାନ୍ତି। ଲୀଳା ମାଉସୀ ସୁମିତ୍ରା ଙ୍କୁ ଝିଅ ପରି ବେଶ୍ ସ୍ନେହ କରନ୍ତି।ମାନିକୁ ନାତୁଣୀ ପରି ଗେହ୍ଲା ଆଦର କରନ୍ତି ।


      ସଂସାରରେ ଚାଲୁଥିବା ଲୋକଟି ପାଇଁ ସହଜ, ସରଳ, ସିଧା ସଳଖ ରାସ୍ତାଟେ ଥାଏ କେତେବେଳେ??

    ଯିଏ ଜୀବନକୁ ସମ୍ଭାଳି ନିଏ ,ପ୍ରସାରିତ ହୁଏ, ବିଶ୍ଵ ଦୃଷ୍ଟିକୁ ଆଦରି ନିଏ ସେ ପଛରେ ରହି ଦିନେ ଇତିହାସ ହୋଇଯାଏ ।

  ମାନି ଆଜି ପନ୍ଦର ବର୍ଷର ହୋଇଯାଇଛି । ସୁମିତ୍ରା ମାନିକୁ ମନ୍ଦିର ନେଇ ମୁଣ୍ଡିଆ ମାରି ଭୋଗ ରାଗ କରି ମାନିର ଦୀର୍ଘାୟୁ କାମନା କରିଛନ୍ତି ।

    ସନ୍ଧ୍ୟାରେ ମାନିର କିଛି ସାଙ୍ଗ ମାନଙ୍କୁ ନିମନ୍ତ୍ରଣ କରି ଆନନ୍ଦର ସହିତ କେକ୍ କାଟି କ୍ଷୀରି, ପୁରୀ ଖାଇବାକୁ ଦେଇଛନ୍ତି ସୁମିତ୍ରା ।


  ସମସ୍ତେ ଚାଲିଯିବା ପରେ ଲୀଳା ମାଉସୀ ଓ ସୁମିତ୍ରା ରାତ୍ରି ଭୋଜନ କରି ସାରି ଶୋଇବା ପାଇଁ ପ୍ରସ୍ତୁତ ହୁଅନ୍ତେ ମାନିର ବାନ୍ତି ହେବାର ଶବ୍ଦରେ ସୁମିତ୍ରା ଦଉଡ଼ି ଯାଇ ମାନିକୁ ଧରି ପକାନ୍ତି ।  କିନ୍ତୁ ଏ କଣ !!

 ମାନି ଦେହରେ ଯେ ପ୍ରବଳ ତାତି , ଭୀଷଣ ଜ୍ଵରରେ ମାନି କମ୍ପୁଛି ।  ସଙ୍ଗେ ସଙ୍ଗେ ସୁମିତ୍ରା ଅଟୋ ଟିଏ ଡ଼ାକି ଅଟୋରେ ମାନିକୁ ପାଖ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଯାଇଛନ୍ତି ।


 କିଛି ଔଷଧ ଇଞ୍ଜେକ୍ସନ୍ ରେ ମାନି ସାମାନ୍ୟ ଆରୋଗ୍ୟ ହେଲା ପରେ ସୁମିତ୍ରା ମାନିକୁ ଘରକୁ ନେଇ ଆସିଛନ୍ତି ।

 କିନ୍ତୁ, ପୁନର୍ବାର ସକାଳୁ ସେଇ ଅବସ୍ଥା , ଏଥର ମାନିକୁ ସୁମିତ୍ରା ଆଉ କାଳ ବିଳମ୍ବ ନକରି ସିଧା ଗୋଟେ କାର୍ କରି

କଟକ ବଡ଼ ମେଡ଼ିକାଲ୍ କୁ ନେଇ ଆସିଛନ୍ତି , କାରଣ ଜୀବନରେ ମାନି ବ୍ୟତୀତ ତାଙ୍କର ଅନ୍ୟ କୌଣସି ବିଷୟରେ ଆଗ୍ରହ ବା , ଇଚ୍ଛା ନଥାଏ , କେବଳ ମାନି ହିଁ ତାଙ୍କ ଜୀବନର ବଞ୍ଚିବାର ମାଧ୍ୟମ ହୋଇ ରହି ଯାଇଛି।

     ମାନିକୁ ହସ୍ପିଟାଲ୍ ରେ ଆଡମିଟ୍ କରେଇବା ପରେ ତାର ସବୁ ପ୍ରକାର ଟେଷ୍ଟ କରାଯାଉଛି ।

ଶେଷରେ ସେଇ କାଳବେଳା ଆସି ପହଞ୍ଚି ଯାଇଛି ।

     ମାନିକୁ ବ୍ଲଡ଼୍ କ୍ୟାନସର ତାର ମାତ୍ର ଆଉ ଛଅ ମାସ ଆୟୁଷ .... ଡାକ୍ତର ସିଧା ସଳଖ ଭାବରେ ସୁମିତ୍ରାଙ୍କୁ ଜଣେଇ ଦେଇଛନ୍ତି ।


     ସୁମିତ୍ରା ମୁକ ପ୍ରାୟ ହୋଇ ଯାଇଛନ୍ତି । ନିୟତି କେତେ ନିଷ୍ଠୁର ସତେ ତାଙ୍କ ପ୍ରତି ।ଏକ ଅଭିଶପ୍ତ ଜୀବନକୁ ନେଇ ମାନିକୁ ଛାତିରେ ଜଡେଇ ନେଇ କାନ୍ଦି ଚାଲିଥିଲେ ସୁମିତ୍ରା ....।  ମଣିଷର ଶୁଦ୍ଧତାର ପରିଚୟ କଣ କେବଳ ଲୁହ ??

  ସ୍ଵପ୍ନ ଗଢ଼ା ହୁଏ,ଭାଙ୍ଗିଯାଏ ମଧ୍ଯ

କିନ୍ତୁ ଏଇ ଗଢ଼ିବା, ଭାଙ୍ଗିବା ଭିତରେ ଆଜି ସୁମିତ୍ରା ନିଜ ନିରବ ମୁହୂର୍ତ୍ତର ଅତିକ୍ରାନ୍ତ ହୋଇଥିବା ଦୀର୍ଘ ନିଃଶ୍ଵାସର ଅନ୍ତରଧ୍ଵନୀକୁ ନିଜର ଲୁଣିଆ ଲୁହରେ ପିଇ ଯାଉଥିଲେ .....।

    ଇତି ମଧ୍ୟରେ ସୁମିତ୍ରାଫେରି ଆସିଛନ୍ତି ମାନିକୁ ନେଇ ଭବାନୀପାଟଣାର ସେଇ ଭଡ଼ା ଘରକୁ। ଚାରି ମାସ ବିତି ଯାଇଛି।


    ହଠାତ୍ ବିଜୁଳି ଚମକ୍ ରେ ପ୍ରଚଣ୍ଡ ଏକ ଘଡ଼ଘଡ଼ି ଶବ୍ଦରେ ଆକାଶ ଫାଟି ପଡ଼ିଲା ଯେମିତି ।

   ହଠାତ୍ ଘରଟି ଆଲୋକିତ ହୋଇଗଲା କ୍ଷଣକ ପାଇଁ ।

ମାନିର ନିର୍ଜୀବ ଶରୀରକୁ ଧରି ସେମିତି ଦୁଆର ବନ୍ଧରେ ବସିଛନ୍ତି ସୁମିତ୍ରା । ମଝିରେ ମଝିରେ ମାନି ବୋଲି ଚିତ୍କାର କରି ଉଠନ୍ତି ସୁମିତ୍ରା , ଛାତିଥରା ସେ ଚିତ୍କାର ।

 ପୁଣି କାନ୍ଦିବାକୁ ଲାଗନ୍ତି ମାନିକୁ ଛାତିରେ ଜଡେଇ ନେଇ । ସୁମିତ୍ରାଙ୍କ ସମସ୍ତ ଶକ୍ତି ଆଜି ସାମର୍ଥହୀନ ହୋଇ ପଡ଼ିଛି ।ଧୀରେ ଧୀରେ ମାନିର ଶବକୁ ସମସ୍ତ ଶକ୍ତି ସଞ୍ଚୟ କରି କାନ୍ଧରେ ବୋହି ନେଇ ଯାଇଛନ୍ତି ଶ୍ମଶାନ ଅଭିମୁଖ୍ୟେ.....

    ପରେ ସମସ୍ତେ ଅନ୍ଧାରରେ ଶୁଣିବାକୁ ପାଆନ୍ତି ଶ୍ମଶାନ ଭୂଇଁରୁ ଏକ ଅସହାୟ, ଆକୁଳ ଆର୍ତ୍ତନାଦର ସ୍ୱର ....

     ମୁଁ ବିଫଳ, ମୁଁ ଅସଫଳ,

ମୁଁ ଅଯଥା ସମସ୍ତଙ୍କ ପାଇଁ....।

        

   


Rate this content
Log in

Similar oriya story from Tragedy