STORYMIRROR

Pranati Panda

Abstract Classics

4.5  

Pranati Panda

Abstract Classics

ମୁଁ ଆଉ ମୋ କଲମ

ମୁଁ ଆଉ ମୋ କଲମ

2 mins
12


ମୁଁ ଆଉ ମୋ କଲମ....!


ଆମେ ଦୁହେଁ ଯେତେବେଳେ ଏକାଠି ହେଉ ....!


ସେତେବେଳେ ଆଉ କାହାର ଉପସ୍ଥିତି ଆମକୁ ଆଦୌ ଭଲ ଲାଗେ ନାହିଁ।

ନିରବ ଆଉ ନିରବତା ଭିତରେ ଶଦ୍ଦ ଜାଲରେ ଛନ୍ଦି ହୋଇ ଆମେ ପହଁରି ଯାଉ ସାତ ସମୁଦ୍ର ତେର ନଈ।

ଭୂମି ଠାରୁ ଭୂମା ..

ଅରଣ୍ୟ ଠାରୁ ଜନପଦ ..

ପ୍ରକୃତି ଠାରୁ ମନୁଷ୍ୟ ..

ପ୍ରତ୍ୟୁଷ ଠାରୁ ପ୍ରଦୋଷ ..

ଅତ୍ର, ତତ୍ର ସର୍ବତ୍ର.....


ମୁଁ ଆଉ ମୋ କଲମ....!


ଆମେ ଦୁହେଁ ଯେତେବେଳେ ଏକୁଟିଆ ହେଉ....!


ସେତେବେଳେ ଏ ମନ ବନହଂସୀ 

ପରି ମୁକ୍ତ ଆକାଶରେ ଉଡ଼ିବୁଲେ।

ନିଜ କଳ୍ପନାକୁ ଭାଷା ଭାବ ଦେଇ 

କେତେବେଳେ ସୃଷ୍ଟି ହୁଏ କବିତା ଅବା କାହାଣୀ ଟିଏ।


କେତେବେଳେ ଆମେ ସରଗର ମନ୍ଦାକିନୀରେ ଶତ ଦଳ ପଦ୍ମ ଫୁଟେଇ ପାରୁ ପୁଣି କେତେବେଳେ

ରାତ୍ରିରାଣୀ କିରୀଟି କପାଳେ ଜହ୍ନ କେବେ ତାରା ସଜେଇ ଦେଉ।


ମୁଁ ଆଉ ମୋ କଲମ....!


ଆମେ ଦୁହେଁ ଯେତେବେଳେ ଏକାଠି ହେଉ....!


ଆହାରେ ବିହାରେ ଉଜାଗର ରହି 

ସାରା ରଜନୀ ବିତେଇ ଦେଉ।

ଆଖିରେ ଆଖିଏ ସପନ ଭରି ବିବିଧ ରଙ୍ଗରେ ସୁସଜ୍ଜିତ ହୋଇ ସପନପୁରୀ ସଜେଇ ଥାଉ।


ଜ୍ୟୋତିର୍ମୟୀ ଧରିତ୍ରୀର ଅସୀମ ନୀଳ ଆକାଶରେ ବିଭାବରୀ ଶେଷେ ପୂରୁବ ଆକାଶ ଚିରି କଅଁଳ ଉଷାର ପରଶରେ ସାଗର, ବନ, ଗିରି, ପ୍ରାନ୍ତରକୁ ମୁଖରିତ କରାଉ ପୁଣି କେତେବେଳେ ରାତ୍ରି ଅନ୍ଧକାରେ ବରଷା କାଳେ ଘନ ଘନ ସୌଦାମିନୀ ଝଲକରେ ଆଲୋକ ବୁଣି ଦେଇଥାଉ।


 ମୁଁ ଆଉ ମୋ କଲମ....!


ଆମେ ଦୁହେଁ ଯେତେବେଳେ ଏକାଠି ହେଉ....!

 

ଉତ୍କଳ ଆଉ ଉତ୍କଳୀୟ କଳା କାରୁକାର୍ଯ୍ୟରେ 

କେତେବେଳେ ସପ୍ତାଶ୍ଚର୍ଯ୍ୟ ସୂର୍ଯ୍ୟ ମନ୍ଦିର କୋଣାର୍କରେ ଶିଳ୍ପୀର ନିହାଣ ମୁନରେ ଅପରୂପ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ ଶିଳାବାଳା ଜୀବନ୍ତ ହୋଇଉଠେ ପୁଣି କେତେବେଳେ ଭଗ୍ନ ମନ୍ଦିରର ଶୂନ୍ୟ ସିଂହାସନେ ମୁକ ମୁଖଶାଳାରେ ବାରଶ ବଢ଼େଇଙ୍କ ଦୁଃଖର ଛାୟାରେ ମନ ମାରିଦିଏ।


ମୁଁ ଆଉ ମୋ କଲମ....!


ଆମେ ଦୁହେଁ ଯେତେବେଳେ ଏକୁଟିଆ ହେଉ....!


ପୋଖରୀ ଗାଧୁଆ ତୁଠରେ ଗ୍ରାମ ବଧୂଙ୍କ ପଖଳା ଦେହ, ଭିଜା କେଶରେ ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିରବ ଦର୍ଶକ ସାଜିଥାଉ ତ ପୁଣି କେତେବେଳେ ପିଲା ମାନଙ୍କ ବୁଡ଼ା ପହଁରା, ଚିତି ପହଁରାରେ ଆନନ୍ଦ ଅନୁଭବ କରୁ।


ମନୁଷ୍ୟ ଠାରୁ ନେଇ ପୁଣି ପ୍ରକୃତି ରାଣୀର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥାଉ।

ବସନ୍ତ ଆଗମନରେ  ନବ ପଲ୍ଲବରେ ଧରା ଯେତେବେଳେ ସବୁଜ ରଙ୍ଗରେ ସଜ୍ଜିତ ହୁଏ , କୋଇଲିର କୁହୁ କୁହୁ ତାନରେ ସେତେବେଳେ ଛନ୍ଦ, ଅଳଙ୍କାର ମାନ ନିଜ ସ୍ଥାନ ଅଧିକାର କରି ନିଅନ୍ତି । 

ପୁଣି ନିଗାଘର ରୌଦ୍ର ତାପରେ କଲମ କଣ ତ୍ରାହି ପାଏ ? 

ପ୍ରଚଣ୍ଡ ଖରାରେ ରିକ୍ସା ଟାଣୁଥିବା ଲୋକ ଟିକୁ ଦେଖି କାଳି ଦୁଇ ଟୋପା ଝରେଇ ଦିଏ।

ଚାତକ ପରି ଆକାଶକୁ ଅନେଇ ଥାଉ ପରା ବରଷା ପାଇଁ....।


ଆଉ ପହିଲି ବରଷା ଆସିଲେ ଦେହ ମନ ଶୀତେଇ ଭିଜେଇ ଦିଏ କେଉଁ ଏକ ଅଜଣା ରାଜ୍ୟରେ....।

ପ୍ରିୟତମାର ଭିଜା ଭିଜା ବଦନରେ

 ପ୍ରିୟତମର ପରଶର ଭାବନାରେ କଲମ ପରା ଅମାନିଆ ମନ ନେଇ ଉଡ଼ିଯାଏ ପବନ ବେଗରେ....।

ସାଧବ ବୋହୂର ଲାଲ୍ ଟୁକ୍ ଟୁକ୍ ଦେହଟା ପରା ପୁଣି ଖୋଜେ ହଜିଲା ଅତୀତକୁ....।


ପୁଣି ଶୀତର ରୂପେଲି ଚାଦର ତଳେ ସବୁଜ ଘାସ ଗାଲିଚା ଉପରେ ଆଲୋକପାତ କରୁ କରୁ କେତେବେଳେ ଭାବନାରେ ଶକ୍ତ ପ୍ରହାର କରେ ଗରିବର ହାଡ଼ଥରା ଶୀତରେ ଫୁଙ୍ଗୁଳା ଦେହଟା....।


ମୁଁ ଆଉ ମୋ କଲମ....!

ଆମେ ଦୁହେଁ ଯେତେବେଳେ ଏକାଠି ହେଉ....!


ପଥହରା ପଥିକ ପରି ଗନ୍ତବ୍ୟ ସ୍ଥଳ ଖୋଜି ପାଉନା ।

ପ୍ରତି ପାହାଚରେ ଶତ ଦୀପାଳି ଜାଳି ଶୈଶବ , କୈଶୋର, ଯୌବନ, ବାର୍ଦ୍ଧକ୍ୟ, ଜରା, ମୃତ୍ୟୁ କୁ ସ୍ବୀକାର କରି ସମାନ୍ତର ଭାବେ ପାଦ ପକାଇ ଆଗେଇ ଚାଲୁ ଆଗକୁ ଆହୁରି ଅନେକ ଆଗକୁ....!


ମୁଁ ଆଉ ମୋ କଲମ.....!


  


Rate this content
Log in

Similar oriya story from Abstract