Pranati Panda

Tragedy Inspirational

4.0  

Pranati Panda

Tragedy Inspirational

ଚିଠି ଟିଏ ମାଆ ପାଇଁ

ଚିଠି ଟିଏ ମାଆ ପାଇଁ

4 mins
20



ମାଆ,


ସମୟର ଗତି ଯେ କେତେ ପ୍ରଖର, ତାହା ବେଳେ ବେଳେ ହୃଦବୋଧ ମଧ୍ୟ ହୁଏନା। ଏଇ ଫେବୃୟାରୀ ୨୮ ତାରିଖ କେତେବେଳେ ଯେ ପାର ହୋଇଗଲା ଜଣା ବି ପଡ଼ିଲା ନାହିଁ।

୨୦୧୭ ଫେବୃୟାରୀ ୨୮ ମୋ ମାଆ ର ଦେହାନ୍ତ ହୋଇଥିଲା, ଅବଶ୍ୟ ସେଦିନ ଥିଲା ଶିବରାତ୍ରି ପରେ ଦ୍ଵିତୀୟା ତିଥି। କିନ୍ତୁ ସବୁବେଳେ ଏଇ ଫେବୃୟାରୀ ୨୮ ଟା କାହିଁକି କେଜାଣି ଆସିଲେ ମୋର ଆଖି ଲୁହ ବୋଲ ମାନେନା। ଚକ୍ଷୁ ଜନିତ ସମସ୍ୟା ଏବେ କାନ୍ଦିବା ପାଇଁ ବି ଦାଉ ସାଧିଛି । କିନ୍ତୁ କାସ୍.....ମୋ ମାଆ ଆଉ କେବେ ଫେରିବ ନାହିଁ ଏ କଥା ମୁଁ ଆଜି ଯାଏ ସ୍ବୀକାର କରି ପାରୁନି। ମୋ ମାଆ ର ମୋବାଇଲ୍ ନମ୍ବର୍, ସେହିଦିନୁ ଯେ ମୋ' ମାଆର ଫୋନ୍ ବନ୍ଦ୍ ହୋଇଯାଇଛି ଆଉ କେବେ ରିଙ୍ଗ୍ ହେଉନି। ଆଉ କିଏ ସେପଟୁ ହାଲୋ କହୁନି।

ଏଇ ନମ୍ବର୍ ଟି ଡିଲିଟ୍ କରିବା ପାଇଁ ମୋ ହାତ ଯାଉ ନଥିଲା। ମାଆ ତୁ ଗଲା ପରେ ସେ ଘର ସବୁଦିନ ପାଇଁ ଆମ ପାଇଁ ବନ୍ଦ୍ ହୋଇଯାଇଛି। ବାପାଙ୍କ ପରେ ପରେ ଦେଢ଼ ମାସ ବି ହୋଇ ନଥିଲା ତୁ ସେ ନିୟତିର ଦାରୁଣ ଦୁଃଖକୁ ସହି ନପାରି ହୃଦଘାତରେ ପରଲୋକ ଚାଲିଗଲୁ ଯେ, ଆଉ ସ୍ୱପ୍ନରେ ବି ସୁଦ୍ଧା ଦେଖା ଦେଇନୁ। ବାପାଙ୍କ ଶୁଦ୍ଧି କର୍ମ ସାରି ମୁଁ ଯେ ଗଲି ଆଉ ଫେରି ତତେ ଦେଖିବା ପାଇଁ ବି ସମୟ ଦେଲୁନି।

କାଇଁ ଏତେ ଅଭିମାନ କରିଗଲୁ କେଜାଣି....।


ହଁ ଅଭିମାନ କରିବାକୁ ତୋର ହକ୍ ରହିଛି ନିଶ୍ଚିତ ଭାବରେ, କାରଣ ସେତେବେଳେ ପରା ଆମେ ସରକାରୀ ଚାକିରି କରୁଥିବା ସ୍ବାମୀ, ଘରର ଦାୟିତ୍ଵ କର୍ମ ଜଞ୍ଜାଳ ଓ ପିଲା ମାନଙ୍କ ପଢ଼ା ନେଇ ବ୍ୟସ୍ତ ରହୁଛି ବୋଲି ଦର୍ଶାଇ ଫେରି ଆସିବା ପାଇଁ ବାଧ୍ୟ ହେଇଥିଲୁ। 


     ଆଜି ମୋ' ପାଖରେ ସମୟ ଅଛି କିନ୍ତୁ, ତୁ ଆଉ ନାହୁଁ। ସେତେବେଳେ ହୁଏତ ଆମକୁ ଭାବିବା ପାଇଁ ସମୟ ନଥିଲା ଏବେ କିନ୍ତୁ ଭାବିଲେ ଆଖିରେ ଲୁହ ବୋଲ ମାନୁନି।


     ତୁ ବି ଲହୁ ଲୁହ ଏକାକାର କରି

ବୁଢ଼ିମା, ବାପାଙ୍କ ସବୁ କଠୋର ଜଞ୍ଜାଳ ଭିତରେ ଛଅଟି ପିଲାଙ୍କୁ ମଣିଷ କରି ଘରର ସମସ୍ତ ଦାୟିତ୍ବ ହସି ହସି ତୁଲାଇ ଥିଲେ ମଧ୍ୟ ଦିନେ ହେଲେ କହି ନଥିଲୁ ତୁ ବ୍ୟସ୍ତତା ଭିତରେ ରହିଛୁ ବୋଲି....। 

      ଖରାତରାରେ ନଖାଇ, ନପିଇ

ତୁ ମିସ୍ତ୍ରୀ ମାନଙ୍କ ପାଖରେ ଠିଆ ହୋଇ ତିନି ତାଲା ଘର ତିଆରି କରିଥିଲୁ ତୋ' ପିଲା ମାନେ ଖୁସିରେ ରହିବେ ବୋଲି। 

ବାର ମାସରେ ତେର ଓଷା କରିଥିଲୁ ତୋ' ପିଲା ମାନେ ଭଲରେ ରହିବେ ବୋଲି।

     ତୋର ପିଲା ମାନେ ସମସ୍ତେ ଆଜି ଭଲରେ ଅଛନ୍ତି ମାଆ । 

ଝିଅ, ଜ୍ବାଇଁ, ପୁଅ, ବୋହୂ ସମସ୍ତେ ଆଜି ବେଶ୍ ପ୍ରତିଷ୍ଠିତ ଓ ପ୍ରତିଭା ସମ୍ପର୍ଣ୍ଣ। 

     ତୁ ବି କୋଉ କମ୍ ଥିଲୁ କି ମାଆ

ବାପା ପରା ଜଣେ ଓ ଏ ଏସ୍ ଅଫିସର୍ ଥିଲେ । ତୁ ବି ତୋର କର୍ମମୟ ଜୀବନ ଭିତରେ ଟିକିଏ ସମୟ ପାଇଲେ ରାତି ଅଧରେ ବସି କବିତା ଲେଖୁ। ଖୁବ୍ ଖୁସି ହୋଇ ମତେ ଦେଇ କହୁ ପଢ଼ନି ଟିକେ.... ସ୍ଵର କରି ତୋ ଲେଖା ଭଜନ କୁ ଠାକୁର ଘରେ ଗାଇବା ପାଇଁ ତୋର ଜିଦ୍ କୁ ମୁଁ ସ୍ବୀକାର କରି ବୋଲିଛି। ତୁ ସେତେବେଳେ କହୁ

 "ତୁ ଲେଖୁନୁ"। ଆଉ ମୁଁ କହେ ତୁ ତ ଲେଖୁଛୁ ଆଉ ମୁଁ କଣ ଅଧିକା ଲେଖିବି ତୁ ଲେଖ ମୁଁ ଗାଇବି। କାସ୍ ଆଜି ଯଦି ତୁ, ଥାଆନ୍ତୁ ମୋ ହାତଲେଖା କବିତା, ଗପ ପଢ଼ି କେତେ ଖୁସି ହେଉଥାନ୍ତୁ ।


    ତୁ ଥିଲୁ ଆମ ପରା ଆମର ଅପରାଜିତା, ସବୁଥିରେ ତୁ ବିଜୟିନୀ, ତୋ ଲେଖିବା, ପଢ଼ିବା, ତୋର ହାତ ତିଆରି ଉନ୍ ଠାରୁ ନେଇ ୱେୟାର୍ ଓ ବାଉଁଶ ଠାରୁ ନେଇ ନଡ଼ିଆ ପତ୍ର ଓ ତାଳପତ୍ର ପର୍ଯ୍ୟନ୍ତ ସବୁଥିରେ ତୋର ଚମତ୍କାର ଭାବରେ ନିଜ ହାତ ତିଆରି ବୁଣା ବୁଣି, ତୋ ଇନୋଭେଟିଭ୍ କାମ ସବୁ ,ପା ପୋଚ୍ଛ ଠାରୁ ନେଇ ମାଞ୍ଚିଆ ଓ ଇଞ୍ଜେକସନ୍ ବୋତଲ ଠାରୁ ନେଇ, ଅମୂଲ୍ ଚାମଚରେ କେତେ ସୁନ୍ଦର ହସ୍ତକଳାରେ ନିପୁଣ ତୋର ଘର ସଜେଇବାର ନିଆରା ପରିକଳ୍ପନା

ଯେ ଦେଖନ୍ତି ସ୍ତବ୍ଦ ହୋଇ ଯାଆନ୍ତି। ସ୍ତ୍ରୀ ଲୋକ ଙ୍କ ହାତର ପୁରୁଣା ପାଣି କାଚରେ ତୋର ହାତ ତିଆରି ଫୁଲ ଚାଙ୍ଗୁଡ଼ା ଟିଏ ନେବାକୁ ପଡ଼ୋଶୀ ମାନେ ଅପେକ୍ଷା କରି ଚାହିଁ ବସନ୍ତି ମାସ ମାସ ଯାଏଁ।

ତୋର ହାତ ବୁଣା ସ୍ଵେଟର, ଆଉ ସାଲ୍ ନେବା ପାଇଁ 

ଆମ ସାହି ପଡ଼ିଶା ଙ୍କ ଭିତରେ ସବୁବେଳେ ମୃଦୁ କଳହ ଲାଗିଥାଏ। ଶକୁନ୍ତଳା ମାଉସୀ ଙ୍କ ପରି କିଏ 

ହେବ ? ଏ କଥା ଆଜି ବି ମନେ ପଡ଼ିଲେ ଆଖିର ଲୁହ ବୋଲ ମାନେନା ମାଆ......।



 ତୋ ହାତ ରନ୍ଧା ରୋଷେଇ ଯିଏ ଖାଇଛି ସେ ସାରା ଜୀବନ ଭୁଲିବ ନାହିଁ।

ତୋର ସେ ଆତ୍ମୀୟତା ଆପଣାପଣ ଆଦୌ ସରୁନଥିବା ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଆଜି ସବୁ ଶୂନ୍ୟ ହୋଇଯାଇଛି।

ସେ ଘରେ ତୋ କିଣିଥିବା ବିଛଣା ଚାଦର, କପ୍ ପ୍ଲେଟ୍, ତୋ କାଠ ଆଲମାରୀ , ଗୋଦ୍ରେଜ୍ ଆଲମାରୀ,ତୋ ଡ୍ରେସିଂ ଟେବୁଲ୍, ତୋ ଡାଇନିଂ ଟେବୁଲ୍ , ଫ୍ରିଜ୍, ଗ୍ୟାସ୍ ଚୁଲା ସବୁ ସେମିତି ଥୁଆ ହୋଇଛି। ସବୁଥିରେ ତୋର ଛାପ ରହିଛି। ତୋର ଶାଢ଼ୀ, ତୋର ହାତ ବୁଣା ସ୍ୱେଟର୍, ତୋର ଗହଣା ବାକ୍ସ ରୁ ଏବେ ବି ତୋର ଦେହର ବାସ୍ନା ଆସିଥାଏ। ଏବେ ବି ସେ ଘରେ ତୋ' ଠାକୁର ଘର ସେମିତି ରହିଛି ହେଲେ ପୂଜା କରିବାକୁ କେହି ନାହାନ୍ତି।

ତୋର ହାତ ତିଆରି ତୁଳସୀ ଚଉଁରା ଏବେବି ଶୂନ୍ୟ ଆକାଶକୁ ଚାହିଁ ରହିଛି ତୋ' ହାତର ଶୀତଳ ସ୍ପର୍ଶ ଅନୁଭବ କରିବା ପାଇଁ। 

ତୁ ଲଗେଇଥିବା ପ୍ରତ୍ୟେକଟି ଗଛ 

ବେଲ, କରମଙ୍ଗା , ସଜନା , ଗଙ୍ଗ ଶିଉଳି ଠାରୁ ନେଇ ଆମ୍ବ , ପଣସ ଲିମ୍ବ ପର୍ଯ୍ୟନ୍ତ ଏବେ ବି ତତେ ଆଉ ବାପା ଙ୍କୁ ଖୋଜୁଛନ୍ତି।

       ତୋର ହାତ ଲେଖା ପାଣ୍ଡୁଲିପି, କବିତା ବହି କେତେ ଯତ୍ନରେ ଆଜି ବି ବଡ଼ ନନା ସାଇତି ରଖିଛନ୍ତି । ସାନ ନନା ୱାଟସ୍ ଆପ୍ ରେ ଆଜି ବି ତୋ' ଫଟ ଲାଗିଛି।

      ସବୁ ଭାଇ ଭଉଣୀ କୋଉଠି ନା କୋଉଠି ତତେ ଖୋଜି ଆଖିରୁ ଆଜି ବି ଲୁହ ଗଡ଼ାଉଛନ୍ତି ନିଶ୍ଚିତ ଭାବରେ....।

     ତତେ ଶେଷ ଥର ପାଇଁ ଦେଖି ନପାରିବାର ଗ୍ଲାନିର ଭାବଟା କେଉଁଠି ନା କେଉଁଠି ପ୍ରତିଫଳନ ହେଉଛି ମୋର ପ୍ରତିଟି ମୁହୂର୍ତ୍ତରେ । ଆଜି ଭାରି ମନ ହେଉଛି ତୋ' ଫୋନ୍ ନମ୍ବର୍ କୁ ଡାଏଲ୍ କରିବା ପାଇଁ , ତୋର ସେପଟରୁ ଫୋନ୍ ଉଠେଇ ହାଲୋ ଶଦ୍ଦ ଶୁଣିବା ପାଇଁ...।


   କିନ୍ତୁ ନା.... ଆଜି ମତେ ସତ୍ୟକୁ ସ୍ବୀକାର କରିବାକୁ ପଡ଼ିବ।

     ଅସ୍ତରାଗ ର ସୂର୍ଯ୍ୟ ଢ଼ଳି ଢ଼ଳି ବିଶ୍ରାମ

ନେଲାପରେ ତାକୁ ଶାନ୍ତିରେ ବିଶ୍ରାମ ଦେବାକୁ ପଡ଼ିବ। ଆଜି ମତେ ବହୁ କଷ୍ଟରେ ଛାତିରେ ପଥର ରଖି ତୋର ଫୋନ୍ ନମ୍ୱର୍ କୁ ଡିଲିଟ୍ କରିବା ପାଇଁ ପଡ଼ିବ, ଭାବିଲା ବେଳକୁ ଛାତି ଭିତରର କଲିଜାଟା ମୋ ହାତରେ କିଏ ଦେଇ ଦେଲା ପରି ହୃଦବୋଧ ହେଉଛି।

ଯେମିତି ସତେ ଯେମିତି କିଏ କହୁଛି

 ନେ ୟାକୁ ବି ନଷ୍ଟ କରିଦେ। ସବୁ ସୂର୍ଯ୍ୟାସ୍ତ ପରେ ପୁଣି ଉଦୟ ବି, ଅଛି ନିଶ୍ଚିତ ଭାବରେ।

ଏଇ ତୋର ସ୍ୱରୂପ ବଡ଼ ଭାଇ ଭଉଣୀଙ୍କ ଭିତରେ ଦେଖିବା ପାଇଁ....।

     ତୋର ଅବର୍ତ୍ତମାନର ସତ୍ୟ ସ୍ବୀକାର କରିବା ବହୁତ କଷ୍ଟ ସତରେ ।

ତୁ ଅନନ୍ୟା ତୋ' ପରି ଆଉ ଦ୍ଵିତୀୟ କେହି ହେବେନି। ତୋର ମମତାର ରୂପରେଖ ସବୁବେଳେ ସ୍ଵତନ୍ତ୍ର ମୋ ପାଇଁ।

ମୁଁ ପେଟରେ ରହିବା ଦିନରୁ ମୋ ପାଇଁ ଦୁଃଖ ସହି ଆସିଥିଲୁ, ଆଉ ଆଜି ସେସବୁ ଭାବିବା ପାଇଁ ମତେ ଛାଡ଼ି ଚାଲି ଯାଇଛୁ ଦୂରକୁ ବହୁ ଦୂରକୁ। ଅବିଶ୍ବାସ ମନେ ହେଲେ ମଧ୍ୟ ଵିଶ୍ଵାସ କରିବା ପାଇଁ ବାଧ୍ୟ।

     ଏଠି ବଞ୍ଚିବା ପାଇଁ ଅନବରତ ଯୁଦ୍ଧ

କେତେବେଳେ ବିବେକ ପାଇଁ ତ ଆଉ କେତେବେଳେ ହୃଦୟ ପାଇଁ ।

    ଆମ ମାନଙ୍କ ପାଇଁ ତୋର ଆଦର, ଶ୍ରଦ୍ଧା ତଥା ସ୍ନେହର ଅବକାଶ ନଥିଲା। ତୁ ଯେଉଁଠି ଥାଆ , ଶାନ୍ତିରେ ଥାଆ ।

     ଶେଷରେ ତୋର ଆତ୍ମାର ସଦ୍ଗତି ପାଇଁ ପ୍ରାଥନା କରି ରହିଲି।

             ଇତି

      ତୋର ଗେଲ ବସରର ସାନ ଝିଅ


  

     


Rate this content
Log in

Similar oriya story from Tragedy