ଯନ୍ତ୍ରଣା କିଛି ହୃଦୟର
ଯନ୍ତ୍ରଣା କିଛି ହୃଦୟର
ସେମାନେ ତ, କାଇଁ ଏମିତି ନୁହନ୍ତି , ଏଇ ବେଇମାନ୍ ସ୍ୱାର୍ଥୀ ମଣିଷଙ୍କ ପରି । ସ୍ୱାର୍ଥ ପାଇଁ ଆଉଜି ଆସନ୍ତି ନାହିଁ କିମ୍ବା, ସ୍ୱାର୍ଥ ସରିଗଲେ ବାଟ ଭାଙ୍ଗି ପଥ ବଦଳେଇ ଚାଲି ଯାଆନ୍ତି ନାହିଁ । ସେମାନେ ତ, କାହିଁ ଏ, ସ୍ୱାର୍ଥପର ମଣିଷଙ୍କ ପରି ବ୍ୟବହାର ବଦଳା'ନ୍ତି ନାହିଁ । ଟିକିଏ ସ୍ନେହ ମମତା ପାଇଥିଲେ ଆଜୀବନ ସାଙ୍ଗରେ ରହି ଜୀବନ ଦେଇ ଭଲ ପାଆନ୍ତି । ଏ ସ୍ୱାର୍ଥପର ମଣିଷ ତାଙ୍କୁ ଛାଡ଼ିଦିଏ ସିନା , ସେମାନେ କିନ୍ତୁ ଝୁରି ଝୁରି ଜୀବନ ଦେବାକୁ ପସନ୍ଦ କରନ୍ତି ।
ସେମାନଙ୍କ ଅନାବିଳ ସ୍ନେହର ତୁଳନା ନଥାଏ।
ହାଏରେ ମଣିଷ !ସେମାନଙ୍କ ଠାରୁ ଯଦି କିଛି ଶିଖି ପାରନ୍ତା, ଆଜି ଏ ସମାଜ କେତେ ଅମୃତମୟ ଲାଗନ୍ତା ସତେ।
ସବୁଦିନ ପରି ସେଦିନ ନଥିଲା ବୋଧେ.....
ଆରେ ଏ କଣ?? ଛାତି ଭିତରଟା ଦୁଲ୍ ଦୁଲ୍ ହୋଇ ବାଡ଼େଇ ହେଇ ଯାଉଥିଲା । ଆହା ବିଚରା ଲାଲି ମାଈ କୁକୁର ଟିଏ ପାଞ୍ଚୋଟି ଛୁଆ ଜନ୍ମ କରିଥିଲା। ଭୋକ ବିକଳରେ ଖାଇବା ପାଇଁ ଏଣେ ତେଣେ ଅଣ୍ଡାଳି ଆଣି ଛୁଆଙ୍କ ପାଖରେ ଯାହା ପାଏ ଦିଏ।
କେତେବେଳେ ପାଟିରେ ପୁରେଇ ତ, କେତେବେଳେ ନିଜେ କୁଁ,କୁଁ ଅବାଜ କରି ପିଲା ମାନଙ୍କୁ ପାଖକୁ ଡ଼ାକି ବାନ୍ତି କରିକି ।
ଗଲା ସନ ବି, ପାଞ୍ଚୋଟି ଛୁଆ ଦେଇଥିଲା । ସେଥିରୁ ଦୁର୍ଘଟଣାରେ ତିନି ଜଣ ମରିଯିବା ପରେ ବାକି ଦୁଇ ଜଣଙ୍କୁ ମୁଁ , ଖାଇବାକୁ ଦେଉଥିଲି , ଯେହେତୁ ଆମ ସରକାରୀ ବାସ ଭବନ ଭିତରେ ପିଲା ଗୁଡ଼ିକ ଜନ୍ମ ହୋଇଥିଲେ..।
ପ୍ରାୟ ମୁଁ, ସେହି କୁକୁର ଛୁଆ ମାନଙ୍କୁ ଲକ୍ଷ୍ୟ କରେ ଆଖି ଫିଟି ନଥାଏ । କାରଣ ସେମାନେ ମାତ୍ର ତିନି, ଚାରି ଦିନର ଛୋଟ ପିଲା ଗୁଡ଼ିକ ଥିଲେ। ଗୋଟିଏ ପୁରୁଣା ବେଡସିଟ୍ ବିଛେଇ ଦେଇଥାଏ , କୁକର ପିଲାଗୁଡ଼ିକ ଶୋଇବା ପାଇଁ।
ସେଦିନ ସକାଳୁ ସକାଳୁ ଦୁଇ ଜଣ ମହିଳା ଏତେ ଜୋରରେ ରାସ୍ତାରେ ସ୍କୁଟି ଚଲେଇ ନେଉଥିଲେ ଯେ , ଲାଲି ମାଆ କୁକୁରଟିର ଉପରେ ଚଢେଇ ଦେଇ ପାର ହୋଇଗଲେ ।
ଯନ୍ତ୍ରଣାରେ ମାଆ କୁକୁରଟି ଛଟପଟ ହୋଇ ଚିତ୍କାର କରୁଥାଏ । କିନ୍ତୁ ନିର୍ଦ୍ଦୟୀ ମହିଳା ଦୁଇ ଜଣ ଟିକେ ପଛକୁ ଫେରି ଅନେଇଲେ ମଧ୍ୟ ନାହିଁ।ମାଆ କୁକୁରଟି କୌଣସି ପ୍ରକାରେ ଘୋଷାରି ହେଇହେଇ ଆମ ସରକାରୀ ବାସ ଭବନ ପାଖକୁ ଆସି ଗୋଟିଏ କଣରେ ପଡ଼ି ରହି ବିକଳରେ ଚିତ୍କାର କରୁଥାଏ। ପଶୁ ମଧ୍ୟ ଆବେଗ ସ୍ନେହରେ ଏତେ ମାତ୍ରାରେ ବନ୍ଧା ଯେ, ସେଦିନ ମୁଁ ଦେଖି ମୋ' ଆଖିରେ ଲୁହ ଆସିଗଲା।
ସେହି ମାଆ କୁକୁରଟିର ଆଗ ସନ ଦେଇଥିବା ବଡ଼ ପିଲା ଦୁଇଟି ମଧ୍ୟ ବିକଳରେ ଦୌଡ଼ି ଯାଇ ତା ' ମାଆକୁ ଚାଟି ପକାଉ ଥାଆନ୍ତି।
ସେହି ବଡ଼ କୁକୁର ପିଲା ମଧ୍ୟରୁ ଜଣେ ଦୌଡ଼ି ଆସି ମୋ' ଲୁଗାକାନିକୁ ଟାଣି ଟାଣି ନେଇ ଯାଉଥାଏ ତା'ର ମାଆ ର ଅଵସ୍ଥା ଦେଖେଇବା ପାଇଁ....।
ସେ ଦୃଶ୍ୟ ଦେଖି ମୁଁ , ସଙ୍ଗେ ସଙ୍ଗେ ଗାଡ଼ି ପଠେଇ ପଶୁ ଡାକ୍ତରଙ୍କୁ ଡକେଇ ଆଣି ଚିକିତ୍ସା ଆରମ୍ଭ କରେଇଲି।
କିନ୍ତୁ ଡାକ୍ତର ବାବୁ କହିଲେ
ପେଟ ଭିତର ଅନେକ ସମ୍ବେଦନଶୀଳ ଜୀବନ ରକ୍ଷାକାରୀ ଅଙ୍ଗ ନଷ୍ଟ ହେଇ ଯାଇଥିବାରୁ ମାଆ କୁକୁରଟିକୁ ବଞ୍ଚାଇବା ଅସମ୍ଭବ।
କିନ୍ତୁ......!!
ପିଲାଙ୍କ ମନ ବା' ବୁଝିବ କୁଆଡୁ?
ଆଗ କୁକର ପିଲା ଦୁଇଟି କିନ୍ତୁ ଆଉ ନଖାଇ ,ନପିଇ ମାଆ ପାଖରେ ବସି ଚାଟି ପକାଉ ଥାଆନ୍ତି।
ମୁଁ ସେହି ପିଲା ଦୁଇଟିଙ୍କୁ ଯେଉଁ ଖାଦ୍ୟ ତାଙ୍କୁ ଖାଈବାକୁ ଦେଉଥାଏ, ସେମାନେ ତାକୁ ନଖାଇ ସେ ସବୁ ଖାଦ୍ୟକୁ ନେଇ ତାଙ୍କ ମାଆର ପାଟି ପାଖରେ ଗୁଞ୍ଜି ଦେଉଥା'ନ୍ତି।
ସତରେ ସେ ,ଅନାବିଳ ମମତାର ବନ୍ଧନ ଦେଖିଲେ ଯେ, କେହି ହୁଅନ୍ତା ନା, କାହିଁକି ଆଖି ତଳୁ ଗଡ଼ି ଆସୁଥିବା ଲୁହକୁ ରୋକି ପାରିବେ ନାହିଁ।
ଆଖି ଫିଟି ନଥିବା ପିଲା ପାଞ୍ଚୋଟିଙ୍କୁ ମୁଁ, ତୁଳାରେ କ୍ଷୀରଟିକେ ଟିକେ ପେଇ ତା' ମାଆ ପାଖରେ ଛାଡ଼ି ଦେଇଥାଏ। ନିରିହ ଶିଶୁ ଗୁଡ଼ିକ ମାଆ କ୍ଷୀର ଅଣ୍ଡାଳି ହେଉଥା'ନ୍ତି।
ଆଃ..... କି କରୁଣ ଦୃଶ୍ୟ ସେ ..!
ଲୋକମାନେ କେମିତି ଗାଡ଼ି ଚଲାଉଛନ୍ତି ସତରେ.....
କଣ ପଶୁ ହେଲେ ବି, ସେମାନଙ୍କର ଜୀବନଟି ଜୀବନ ନୁହେଁ।
ତାଙ୍କ ପରିବାର ଛୁଆ, ପିଲାଙ୍କୁ କଣ କଷ୍ଟ ହୁଏନି। ସେ , ମାଆର ଆତ୍ମା କଣ ତା' ପିଲା ମାନଙ୍କ ଲାଗି ଡହଳ ବିକଳ ହୁଏନି??
ଦୁଇ ଦିନ ପରେ ମାଆ କୁକୁରଟି ବହୁତ କଷ୍ଟ ଯନ୍ତ୍ରଣାରେ ଚିତ୍କାର କରୁଥାଏ। କିଛି ଖାଇ ପାରୁ ନଥାଏ।
ମୁଁ , ତାଟିଆରେ ଟିକେ ଗଙ୍ଗା ପାଣି ମିଶେଇ ତାକୁ ପିଆଇ ଦେବା ପାଇଁ ଚେଷ୍ଟା କରିଲି ।
ମାଆ କୁକୁରଟି ଟୋପାଏ ପାଣି ଢ଼ୋକି ମୋ , ହାତ ଉପରେ ହାତ ରଖି ବେକ ମୋଡ଼ି ଆଖି ବୁଜିଦେଲା।
ସତେ ଯେପରି ସେଇ ପାଣି ଟିକକ ପାଇଁ ଅପେକ୍ଷା କରିଥିଲା ସେ .....।
ଭୋର୍ ସମୟରେ ପାଞ୍ଚୋଟି ନିରିହ ଆଖି ଖୋଲି ନଥିବା ଶିଶୁ ତାଙ୍କ ମାଆ ଚୀରକୁ ପାଟିରେ ପୁରେଇ ଶୋଇ ଯାଇଥିଲେ।
ଗଲା ସନ ଦେଇଥିବା ଦୁଇଟି କୁକୁର ପିଲା ଯିଏକି , ମୋ ଘରେ ରହୁଥିଲେ ସେ, ଦୁଇ ଜଣ କିନ୍ତୁ , ତାଙ୍କ ମାଆକୁ ଶୁଙ୍ଗି, ଶୁଙ୍ଗି ନିରବରେ ଆଖିରୁ ଲୁହ ଗଡ଼େଇ ଚାଲୁଥିଲେ।
ସେ ଦୁଇ ଜଣ ଯାକ କୁନି କୁନି ପିଲାମାନଙ୍କୁ ଟିକେଟିକେ ମଝିରେ ମଝିରେ ଚାଟି ଦେଉଥା'ନ୍ତି।
ସତରେ ସେ , ଛାତି ଥରା ହୃଦୟ ବିଦାରକ ଦୃଶ୍ୟ କେବେହେଲେ ମୋ ,ଜୀବନରେ ମୁଁ , ଭୁଲି ପାରିବି ନାହିଁ।
ଯେଉଁଠି ମଣିଷ ମାନେ ନିଜ ମାଆକୁ ବୋଝ ଭାବି କିଏ ମରାମରି କରୁଛନ୍ତି ତ, କିଏ ଦୁଇ ବେଳା ଖାଈବାକୁ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି ତ, ଆଉ ପୁଣି କିଏ ବୃଦ୍ଧା ଆଶ୍ରମରେ ଛାଡ଼ିବା ପାଇଁ କେତେ କଣ ଯୋଜନା ମଧ୍ୟ କରୁଛନ୍ତି।
ଏଠି କିନ୍ତୁ ତା'ର ବ୍ୟତିକ୍ରମ ଦେଖା ଦେଇଛି ।
ମାଆ କୁକୁରଟିର ଆଗ ସନ ହୋଇଥିବା ଜନ୍ମିତ, ବଡ଼ କୁକୁର ପିଲା ଦୁଇଟି ଙ୍କର ମାତୃ ବିଳାପ ହୃଦୟ ବିଦାରି ଦେଉଥାଏ। ଆଖି ଫିଟି ନଥିବା ଛୋଟ ଛୁଆଙ୍କ ଆକୁଳ କ୍ରନ୍ଦନ ବର୍ଣ୍ଣନା କରିବା ପାଇଁ ଶଦ୍ଦ ଶୂନ୍ୟ ମୁଁ.....।
ହାଏରେ ମଣିଷ ଜାତି ,ତମେ ମାନେ ବଞ୍ଚି ଥାଉଥାଉ କେତେ କଷ୍ଟ ଦେଉଛ ଜଠରୁ ଜନ୍ମିତ ଜନନୀକୁ ।
ମୁଖ ଖୋଲି କହି ପାରୁନଥିବା
ଏ ,ପଶୁ ଜାତି ଠାରୁ କିଛି ଶିଖ....।
ମାଆର ମମତା କାହାକୁ କୁହାଯାଏ ??
ଏଠାରେ କିନ୍ତୁ ,ବିପରୀତ ଅଵସ୍ଥା ଦେଖିବାକୁ ମିଳିଥିଲା । ପଶୁ ହେଲେ ମଧ୍ୟ କୁକୁର ପିଲା ଦୁଇଟିଙ୍କୁ ମୁଁ , ଦେଇଥିବା ସକାଳ ରୁଟି ଦୁଇଟିକୁ ନିଜେ ସେମାନେ ନଖାଇ , ମାଆ ପାଟିରେ ନେଇ ଗୁଞ୍ଚି ଦେଉଛନ୍ତି, କି ମାଆ ତୁ, କିଛି ଖାଇ ଉଠି ଯାଆ ମାଆ.....।
ସାନ ଭାଇ ଭଉଣୀ ମାନଙ୍କର ଆଖି ଖୋଲିନାହିଁ , ତୁ ନରହିଲେ
ସେମାନେ ମରିଯିବେ ଲୋ ମାଆ..।
ଆଉ ଆମେ ଦୁଇ ଜଣ ! ତୋ ' ପରି ମାଆ ଟିଏ କେଉଁଠୁ ପାଇବୁ ଲୋ ମାଆ???
ସେହି ଦୁଇଟି ବଡ଼ କୁକୁରପିଲା ଭିତରୁ ଗୋଟିଏ କୁକୁରପିଲା ନିଜର ଦାନ୍ତରେ କୁଟୁ କୁଟୁ କରି ତା' ମାଆର ସାରା ଦେହକୁ ଗେଲ କରି ପକାଉଥାଏ , ତା' ମାଆ ମୁହଁକୁ ଚାଟି ପକାଇ ସାରା ଦେହ ଶୁଙ୍ଗି ପକାଇ ,ଓ.....ଓ.... ହୋଇ
କାନ୍ଦି କାନ୍ଦି ଚାରିଆଡ଼େ ପାଗଳ ପ୍ରାୟ ଦୌଡୁଥାଏ।
ରାସ୍ତାରେ ଯେଉଁ ସ୍କୁଟି ବାଲା ଯାଉଥାନ୍ତି ,ତାଙ୍କୁ ଭୋ, ଭୋ କରି ଦୁଇ ଜଣଯାକ ଗୋଡ଼େଇ ଯାଉଥିଲେ।
ସତେ ଯେପରି ,ସେମାନେ କହୁଥିଲେ ତୁମ ମାନଙ୍କ ଭୁଲ୍ ଯୋଗୁଁ ଆଜି ଆମ ମାଆ ଆମ ମାନଙ୍କୁ ଛାଡ଼ି ସବୁଦିନ ପାଇଁ ଆଖି ବୁଜି ଦେଇଛି ।
ଆମକୁ ମାତୃହରା କରେଇବା ପାଇଁ ତୁମେ ମାନେ ଦାୟୀ। ଆମେ ତୁମକୁ ବି, ଛାଡ଼ିବୁ ନାହିଁ। ଦୌଡେଇ , ଦୌଡେଇ ତୁମକୁ ବି , ଗାଡ଼ିରୁ ତଳକୁ ପକେଇ ଦେବୁ.....।
ମଝିରେ ମଝିରେ ମୋ ,ପାଖକୁ ମଧ୍ୟ ବାରମ୍ବାର ଦୌଡ଼ି ଆସି କଣ ଗୁଡ଼ାଏ ତାଙ୍କ ଭାଷାରେ କୁଁ, କୁଁ ହୋଇ କହି ଯାଉଥିଲେ ।
ଶେଷରେ ମୁଁ , ଗୋଟିଏ ପାଛିଆରେ ଆଖି ଫିଟି ନଥିବା ଶିଶୁ ମାନଙ୍କୁ ରଖି , ବଡ଼ କୁକୁର ପିଲା ଦୁଇଟିଙ୍କୁ ସମ୍ଭାଳି ନହେବାରୁ ତାଙ୍କୁ ଚେନ୍ ରେ ବାନ୍ଧି, ସୁଇପର୍ କୁ ଡ଼କେଇ ସେଇ ବଗିଚାର ଗୋଟେ କୋଣରେ ଗାତ ଖୋଳି ମୃତ ମାଆ କୁକୁରଟିକୁ ପୋତି ଦେଲି।
କିନ୍ତୁ ,ବଡ଼ କୁକୁର ପିଲା ଦୁଇଟି ଅନେକ ଦିନ ପର୍ଯ୍ୟନ୍ତ ସେଇ ପୋତା ଯାଇଥିବା ଗାତ ପାଖରେ ବସି ଶୁଙ୍ଗନ୍ତି ,
ନିଜ ଗୋଡ଼ରେ ଆଉ ମୁହଁରେ ମାଟି ଖୋଳି ସେଇ ପୋତା ଯାଇଥିବା ସ୍ଥାନରେ ପକାନ୍ତି । ବେଳେବେଳେ ମୁଁ ,ଦେଇଥିବା ରୁଟି କିମ୍ବା ବିସ୍କେଟ୍ କୁ ନେଇ ଠିକ୍ ସେଇ ଜାଗାରେ ପୋତି ଦେଇ ଆସନ୍ତି।
ମୁଁ ,ଯେତେ ଆଦର ଯତ୍ନ ସହକାରେ ରଖିଲେ ମଧ୍ୟ ,ମାତ୍ର ତିନି ଚାରି ଦିନର ଆଖି ଫିଟି ନଥିବା ଛୁଆ ଗୁଡ଼ିକ ଗୋଟାକ ପରେ ଗୋଟେ ସବୁ ମରିଗଲେ।
କିନ୍ତୁ ବଡ଼ ଦୁଇ ଜଣ ମତେ
ଏତେ ମାତ୍ରାରେ ଭଲ ପାଆନ୍ତି ଯେ, ତାହା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ।
ଏମିତିକି ମୁଁ ତାଙ୍କୁ ଖୁଆଇ ନଦେଲେ ସେମାନେ ଖାଆନ୍ତି ନାହିଁ । ବିଛେଇ ନଦେଲେ ଶୁଅନ୍ତି ନାହିଁ।
ଯଦି ,ମତେ କିଏ ଜୋରରେ କିଛି ବଡ଼ ପାଟି କରି କହି ଦିଅନ୍ତି ,ତାଙ୍କୁ ସେମାନେ
ଭୋ, ଭୋ କରି ଗୋଡ଼େଇ ଖେଦି ଯାଆନ୍ତି।
ଯୁଆଡ଼େ ଯାଇଥାଆନ୍ତୁ ନା ,କାହିଁକି
ଗୋଟିଏ ଡାକରେ ଆସି ହାଜର ହୋଇ ଯାଆନ୍ତି।
ମୋର ପିଲାମାନେ ହଷ୍ଟେଲକୁ ଚାଲିଯିବା ପରେ ତାଙ୍କ ଅନୁପସ୍ଥିତିର ସେ , ଶୂନାପଣ ବୋଧେ ହୁଏ ସେହି କୁକୁର ପିଲା ଦୁଇଜଣଙ୍କ ଅନାବିଳ ସ୍ନେହ,ମମତାରେ ବାନ୍ଧି ହୋଇ ମୁଁ , ଭୁଲି ଯାଇଥିଲି।
ଆଉ ଆଜି ସେହି ଦୁଇ କୁକୁର
ପିଲାଙ୍କର ଆବର୍ତ୍ତମାନରେ ବହୁତ କିଛି
ଭାବିବା ପାଇଁ ସମୟ ମତେ ବାଧ୍ୟ କରୁଛି।
ବହୁତ କିଛି କରିଥିବା ସମ୍ପର୍କରେ ମଣିଷ ମାନଙ୍କ ପାଇଁ !! ଆଉ ସାମାନ୍ୟ କିଛି କରିଥିବା ସ୍ନେହ ଆଦରର ସେହି କୁକୁର ପିଲା
ଦୁଇଟିଙ୍କ ସମ୍ପର୍କରେ ଆକାଶ,ପାତାଳର ପ୍ରଭେଦ....।
ଯେଉଁଠି ମଣିଷ ସବୁ କଲାପରେ ସ୍ୱାର୍ଥ ସରିଗଲେ କ୍ଷୀରରୁ ମାଛି କାଢ଼ି ଫିଙ୍ଗିଦେଲା ପରି ଫିଙ୍ଗି ଦେଉଛନ୍ତି , ସେଠି ଏଇ
ସ୍ନେହ କାଙ୍ଗାଳ ପ୍ରିୟ ବିଶ୍ଵସ୍ତ ପ୍ରାଣୀ ମାନେ ଦରକାର ପଡ଼ିଲେ ନିଜର ଜୀବନ ଦେବାକୁ ବି,ପଛାନ୍ତି ନାହିଁ।
ଜୀବନର ମୂଲ୍ୟ ବା କ'ଣ ?
ଯଦିଓ ଏ ଉକ୍ତିର କିଛିଟା ଯଥାର୍ଥତା ରହିଛି, କିନ୍ତୁ ବାସ୍ତବତା ଆମ ସମାଜକୁ ସେତେଟା ଆଗକୁ ନେଇ ପାରିନି।
ମୋ କଳ୍ପନାର କେନ୍ଦ୍ରବିନ୍ଦୁ ସାଜିଥିବା ମୋର ଅତି ପ୍ରିୟ ପଶୁ ମାନେ, ରାସ୍ତାରେ ବୁଲୁଥିବା ବୁଲା କୁକୁର ମାନେ ଆଜି ମୋର ବିଳାପିତ ହୃଦୟର ମୁକ ସାକ୍ଷୀ।
ସୁତରାଂ ଏଇ ଲେଖା ମାଧ୍ୟମରେ ମୋର ସମସ୍ତଙ୍କୁ ଅନୁରୋଧ ଯେ, ଗାଡ଼ି ଚଲେଇଲା ବେଳେ ଦେଖି ଚାହିଁ ଗାଡ଼ି ଚାଳନା କରନ୍ତୁ। ଆଉ ,ପାଟି ଖୋଲି ଯନ୍ତ୍ରଣାକୁ
କହି ପାରୁନଥିବା ପଶୁ ପରିବାରଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ।
କାରଣ ତାଙ୍କର ବି, ପରିବାର ରହିଛି, ସେମାନେ ବି,ସମ୍ବେଦନଶୀଳ । ସେମାନଙ୍କୁ ବି, ବହୁତ କଷ୍ଟ ହୁଏ, ତାଙ୍କ ପିଲାମାନେ ବି, ଯନ୍ତ୍ରଣାକୁ ଅନୁଭବ କରିପାରନ୍ତି।
ସର୍ବୋପରେ ଆମ ପରି ତାଙ୍କୁ ମଧ୍ୟ ପେଟରେ କ୍ଷୁଧା ତାଙ୍କୁ ଡହଳ ବିକଳ ହେଇ ଖାଦ୍ୟ ଅନ୍ୱେଷଣ କରିବା ପାଇଁ ବାଧ୍ୟ କରାଏ। ସେତେବେଳେ କିନ୍ତୁ, ସେମାନଙ୍କର
ଜୀବନ ଖାଦ୍ୟ ପାଇବା ଅପେକ୍ଷା ବେଶୀ ଭାଗ ଜୀବନ ଦେବାକୁ ପଡିଥାଏ।
ସତରେ !ମନେ ହେଉଛି ପରଦାର ଆଢ଼ୁଆଳରେ ରହି ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ ମୁଁ ଆଉ ,
ଶୂନ୍ୟ ଦୂରାଶା କରୁନାହିଁ ତ?
ବିଚାର ଆପଣ ମାନଙ୍କର
