Pranati Panda

Tragedy

5.0  

Pranati Panda

Tragedy

ଭିଜା ମାଟିର ଜହ୍ନ

ଭିଜା ମାଟିର ଜହ୍ନ

4 mins
452



ଦେଶ ସ୍ବାଧୀନ ହୋଇଗଲେ ମଣିଷ ଟିଏ

ସ୍ୱାଧୀନ ହୋଇଯାଏ ନାହିଁ।ମଣିଷକୁ ସ୍ଵାଧୀନ ହେବା ପାଇଁ

ତା'ର ମାନସିକତା ପରିବର୍ତ୍ତନ ଆଣିବା ନିହାତି ଜରୁରୀ।

ତାକୁ ତା ' ନିଜ ସହ ନିଜ ପରିବେଶ, ପରିସ୍ଥିତି ଅନୁଯାୟୀ ସଚେତନ ହେବାକୁ ପଡ଼ିବ।ସଚେତନତା ଅଭାବରୁ ତ, ଦେଶ ସ୍ବାଧୀନ ହେବାର ଛଅସ୍ତରି ବର୍ଷ ପରେ ମଧ୍ୟ କୋମଳ କଳିକା ଟିଏ ଆଜି ସୁରକ୍ଷିତ ହୋଇ ପାରୁନି ।


   ପଡ଼ିଶା ଘର ଝିଅ ଜହ୍ନ ।ବୟସ ପାଞ୍ଚ ବର୍ଷ । ବେଶ୍ ଡଉଲ ଡାଉଲ ଗୋରା ତକ୍ ତକ୍ ଝିଅ ଟିଏ। ବାପା, ମାଆ ଉଭୟ ଚାକିରି କରନ୍ତି ସ୍କୁଲ୍ ରେ । ତେଣୁ ଜହ୍ନ ଛୋଟ ବେଳରୁ ଆୟା ପାଖରେ ରହି ବଢ଼ି ଆସିଛି। ଏବେ ବର୍ଷେ ହେଲାଣି ବାପା ମାଆ ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍ ରେ ଜହ୍ନର ନାମ ଲେଖେ଼ଇ ଦେଇଥିଲେ। ସବୁଦିନେ ସକାଳୁ ଜହ୍ନର ବାପା ଜହ୍ନକୁ ନେଇ ସ୍କୁଲ୍ ରେ ଛାଡ଼ି ଦେଇ ଆସନ୍ତି ,ପୁଣି ବାରଟା ବେଳକୁ ଆୟା ଯାଇ ସ୍କୁଲ୍ ରୁ ନେଇ ଆସେ।


     ରବିବାର ଛୁଟି ଦିନରେ ଉଭୟ ବାପାମାଆ ଜହ୍ନକୁ ସାଙ୍ଗରେ ନେଇ ଆଖପାଖ କେତେବେଳେ ବଜାର, କେତେବେଳେ ପାର୍କ ତ, ପୁଣି କେବେକେବେ ମନ୍ଦିର ନେଇ ବୁଲି ଆସନ୍ତି। ମୁଁ ଯେହେତୁ ଗୃହିଣୀ ତେଣୁ ସବୁ ସମୟରେ ଘରେ ରହେ।


     ବେଳେବେଳେ ଜହ୍ନ ସ୍କୁଲ୍ ରୁ ଆସି

ଖାଇ ପିଇ ଘଣ୍ଟେ , ଦେଢ଼ ଘଣ୍ଟା ଶୋଇ ସାରିଲା ପରେ ଆମ ଘରକୁ ପଳେଇ ଆସେ , ମୋ ସହ ଖେଳିବା ପାଇଁ। 

କାରଣ, ମୋ ହାତ ତିଆରି ମାଟି କଣ୍ଢେଇ ସହ ସେ, ଖେଳିବା ପାଇଁ ବହୁତ ଭଲ ପାଏ ।


      ଦିନେ ଜହ୍ନ ଆମ ଘରେ ଖେଳୁ ଖେଳୁ ତା'ର ପିନ୍ଧିଥିବା ଫ୍ରକ୍ ଟି ଟିକେ ଉପରକୁ ଉଠି ଯାଇଥିଲା।

 ମୁଁ ଲକ୍ଷ୍ୟ କଲି ଯେ ଜହ୍ନ ଜଙ୍ଘରେ ଲାଲ୍ ରଙ୍ଗର ପାଞ୍ଚ ଆଙ୍ଗୁଳି ଦାଗ ବସି ଯାଇଛି। ମୁଁ ଛୋଟ ଝିଅଟିକୁ ଏମିତି କିଏ କରିଛି ବୋଲି ଭାବିଲି।ବାପା ମାଆ କଣ ଏତେ ଛୋଟ ପିଲା ଟିକୁ ବାଡ଼େଇଛନ୍ତି ?

     ଗୁଡ଼ାଏ ପ୍ରଶ୍ନ ଭିତରେ ମୁଁ ଛୋଟ ଝିଅ ଜହ୍ନର ସେଇ ଦାଗକୁ ଛୁଇଁ ଝିଅକୁ ପଚାରିଲି ଜହ୍ନମାମା ତୁମର ଏ ,ଦାଗ କେମିତି ହେଲା ? ଝିଅଟି କହିଲା। ମିମି ,ମତେ ଆମ୍ମା ମାରିଛି। 


ଝିଅଟି ମତେ ମିମି ଓ ସେ ଆୟାକୁ ଅମ୍ମା ଡାକେ । ମୁଁ ପୁଣି ପଚାରିଲି ଧନ ସେ , କାହିଁକି ତୁମକୁ ମାରିଲେ ?

ଝିଅଟି କହିଲା ଦୁଦୁ ପିଇ ନଥିଲି ବୋଲି ।

ପୁଣି ଝିଅଟି ତାର ଶିଶୁ ସରଳ ମନରେ ମତେ କହିଲା , ମିମି ! ମତେ ତମେ ଗୋଟେ ମାଟି କଣ୍ଢେଇ ସୁନ୍ଦର ଭାବରେ ବନେଇ ମୋ ଜନ୍ମ ଦିନରେ ଦେବ ?

ମତେ ବହୁତ କାନ୍ଦ ଲାଗିଲା ଛୋଟ ପିଲାଟିର କଥା ଶୁଣି।ଭାବିଲି କିଭଳି ମାନସିକତାର ସ୍ତ୍ରୀ ଲୋକ ଏ ଆୟା କେଜାଣି ।


ୟାକୁ ଟିକେ ଦୟା ଲାଗିଲା ନାହିଁ ପିଲାଟି ଉପରେ ?

ସେହି ଆୟା ଉପରେ ଜହ୍ନର ବାପା ମାଆ ପୁରା ଭରସା କରିଛନ୍ତି। ଭାବିଲି ନିଶ୍ଚିତ ଭାବରେ ଏ ,ଘଟଣା ତା'ର ବାପା ମାଆ ଙ୍କୁ କହିବା ଉଚିତ୍। ଜହ୍ନ ଖେଳ ସାରି ଅଳ୍ପ ସମୟ ପରେ ଯିବାକୁ କହିବାରୁ ମୁଁ ,ତାଙ୍କ ଘରେ କଲିଙ୍ଗ୍ ବେଲ୍ ମାରି ଛାଡ଼ି ଦେଇ ଆସିଲି।


     ମୁଁ ସେଦିନ ସନ୍ଧ୍ୟା ଦେଇ ରୁଟି କରି ସାରି ଜହ୍ନ ଘରକୁ ଗଲି ଘଟଣା ସମ୍ପର୍କରେ ତା'ର ବାପାମାଆ ଙ୍କୁ ଅବଗତ କରାଇବା ପାଇଁ। କିନ୍ତୁ ଜହ୍ନକୁ ନେଇ ତା'ର ବାପା ମାଆ ଉଭୟ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ।


     ମୁଁ ପରେ ସୁଯୋଗ ଦେଖି କହିବି ବୋଲି ଭାବି ,ପାଟି ଭିତରେ କଥା ସବୁ ତାଲା ପକେଇ ଫେରି ଆସିଲି।

       ତା' ଦୁଇ ଦିନ ପରେ ଜହ୍ନର ଜନ୍ମ ଦିନ ଥିଲା। ମତେ ସପ୍ତାହେ ଆଗରୁ ଜହ୍ନର ମାମା କହିଥିଲେ।

     ମୁଁ ତା' ପର ଦିନ ଖରାବେଳେ କିଛି 

ଗଙ୍ଗା ମାଟି ସଂଗ୍ରହ କରି ମାଟି କଣ୍ଢେଇଟିଏ ଜହ୍ନ ପାଇଁ ତିଆରି କରିବା ପାଇଁ ବସିଲି। ମାଟିକୁ ପାଣି ପକେଇ ଖୁବ୍ ଚକଟିବାକୁ ପଡେ। 


     ମାଟି ଚକଟୁ ଚକଟୁ ଭାବିଲି ଏମିତି କଞ୍ଚା ମାଟି ପରି ଚକଟି କୁନି ପିଲାଙ୍କୁ ଠିକ୍ ସୁନ୍ଦର ଆକାର ଦେଲେ ପିଲାଟିଏ ସୁନ୍ଦର ଭାବରେ ଗଢ଼ି ହୋଇଥାଏ ।

      ଯାହା ଆମେ ପିଲାଙ୍କ ପାଇଁ କରି ପାରିବା ତାହା କଣ ଆୟା ମାନେ କରି ପାରିବେ କି ?ବାପାମାଆ ଙ୍କ ସ୍ନେହ ଆଦରର ଛାଇ ତଳେ ବଢ଼ୁଥିବା ପିଲାଟି ଜୀବନରେ ମଣିଷ ପରି ମଣିଷଟିଏ ହେବାକୁ ସାହାଯ୍ୟ ପାଇଥାଏ।


        କଞ୍ଚା ମାଟିର କଣ୍ଢେଇଟିକୁଠିକ୍ ଜହ୍ନର ଆକାର ଦେବା ପାଇଁ ମୁଁ ଓଦା ମାଟିରେ ନିଜକୁ ହଜେଇ ଦେଇଥାଏ.....।

   ଠିକ୍ ଦୁଇ ଦିନ ପରେ ଜହ୍ନର ଜନ୍ମ ଦିନ ।

 ସେଦିନ ବାରଟା ବେଳେ ପାଖ ମନ୍ଦିରରୁ

 ଖୁବ୍ କୋଳାହଳ ଶୁଣି ମୁଁ ହାତରେ ଜହ୍ନପାଇଁ ତିଆରି କରିଥିବା କଣ୍ଢେଇ ଟିକୁ ଖରାରେ ଶୁଖେଇବା ଭୁଲି ଯାଇ ହାତରେ ଧରି ସେଇ କୋଳାହଳ ଆସୁଥିବା ଦିଗକୁ ଅଗ୍ରସର ହେଲି। ଘଟଣା କଣ ଜାଣିବା ଉଦ୍ଦେଶ୍ୟରେ।


   ବହୁ ଲୋକଙ୍କ ଭିଡ଼ ଜମାହୋଇଥାଏ। 

ମୁଁ ଧୀରେ ଉଣ୍ଡିକି ଦେଖିବା ପାଇଁ ଚେଷ୍ଟା କରିଲି। ନା ! କିଛି ଦିଶୁନି ମତେ।

        ତା ' ପରେ ଦେଖିଲି ଜହ୍ନକୁ

ଦେଖାଶୁଣା କରୁଥିବା ଆୟାଟି,କାନ୍ଦି କାନ୍ଦି ଦଉଡ଼ି ଦଉଡ଼ି ଆସୁ ଥିବାର ମୋ ପାଖକୁ ।

   କଣ ହେଲା? ମୋ ପ୍ରଶ୍ନର ଉତ୍ତରରେ ସେ , କହିଲା ଜହ୍ନକୁ ଧରି ସେ ମନ୍ଦିର ଆସିଥିଲା କିନ୍ତୁ....

ସେ କାହା ସହ କଥାବାର୍ତ୍ତା ହେଉ ହେଉ ଅନ୍ୟ ମନସ୍କ ରେ ଏପରି ଘଟଣା ଘଟିଗଲା......।


     ମୁଁ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଗଲି। ମାଟି ଅତଡ଼ା ଖସି ଗଲା ପରି ଲାଗିଲା ! ମୁଁ ,ଧୀରେ ଗହଳିକୁ ଆଡେ଼ଇ ଭିତରକୁ ପଶିଗଲି ।

      ଝିଅଟି ପାଣି ପଡ଼ିଥିବା ଭିଜା ମାଟି ଉପରେ ଶୋଇ ଯାଇଥିଲା ଠିକ୍ ଯେମିତି ଫୁଟିବାର ଆଶା ନେଇ ଉଠି ଆସୁ ଥିବାବେଳେ ଵୃନ୍ତ୍ୟ ଚ୍ୟୁତ ହୋଇ ଝଡ଼ି ପଡ଼ିଥିବା କଳିକା ଟିଏ ପରି।ଆଖି ଦୁଇଟି ତା'ର ଏମିତି ବନ୍ଦ୍ ହୋଇଯାଇଥିଲା , ସତେ ଯେମିତି ସେ , ଆଉ ଥରେ ଉଠି ଏ ,ପୃଥିବୀକୁ ଦେଖିବା ପାଇଁ ଚାହୁଁ ନଥିଲା। ଓଠ ଦୁଇଟିକୁ ଦେଖିଲେ ମନେ ହେଉଥିଲା ତା ' ଭିତରେ ଏ ମଣିଷ ମାନଙ୍କ ପ୍ରତି ଅନେକ ଅଭିଯୋଗ ବନ୍ଦ୍ ହୋଇ ରହିଯାଇଥିଲା ,ଯାହାକୁ ସେ କାହା ଆଗରେ କହି ଦେବାର ସୁଯୋଗ ପାଇ ନଥିଲା .....।


 ତା' ଦେହରେ ଜନ୍ମ ଦିନରେ ପିନ୍ଧିଥିବା ନୂଆ ଫ୍ରକ୍ ଟି ଚିରି ଯାଇଥିଲା। ଗୋଡ଼ର ଚପଲ ଛିଡ଼ି ସେଇ ପାଖରେ ପଡ଼ିଥିଲା। ଝିଅଟିକୁ ଏମିତି ନିର୍ମମ ଭାବରେ ମାରି କିଏ ପକେଇ ଦେଲା?ଏ ଆୟା ପରା ତାକୁ ସବୁବେଳେ ଜଗିଥାଏ....!!


     ମୁଁ ,ସେହି ଆୟାକୁ ପଚାରିଲିଜହ୍ନର ବାପା ମାଆଙ୍କ ବିଷୟରେ ! କୁଆଡ଼େ ଯାଇଛନ୍ତି ସେମାନେ? ଆୟା କହିଲା ଜନ୍ମ ଦିନରେ ନିମନ୍ତ୍ରଣ ଦେବାକୁ କୁଆଡ଼େ ଯାଇଥିଲେ ବୋଧେ ..ସେ, ଫୋନ୍ କରିବାରୁ ପୋଲିସ ଧରି ଆସୁଛନ୍ତି। ମୁଁ ପଚାରିଲି ଜହ୍ନର ଏପରି ଅବସ୍ଥା କିଏ କଲା??


      ସେ ଭିଡ଼ ଭିତରକୁ ଆଙ୍ଗୁଳି ଦେଖେଇ ଦେଲା। 

ମୁଁ ଦେଖିଲି ମନ୍ଦିର ପୂଜାରୀ ଟୋକାକୁ କିଛି ଲୋକ ଗଛରେ ବାନ୍ଧି ରଖିଥିବାର !!


   ଝିଅଟି ଉପରେ କେଉଁ ଦିନରୁ ଏଭଳି ଦୁଷ୍କର୍ମ କରିବା ପାଇଁ ଏ ,ଭଣ୍ଡ ଧାର୍ମିକ ପୂଜାରୀ ଟୋକାର ନଜର ଥିଲା କେଜାଣି??

     ଅପରାଧୀ ନିଶ୍ଚିତ ଦଣ୍ଡ ପାଇବ । ହେଲେ ଜହ୍ନର ଆତ୍ମା କଣ ଶାନ୍ତି ପାଇବ ?? ଜହ୍ନକୁ କଣ ନ୍ୟାୟ ମିଳିବ ?? 


   ଜହ୍ନକୁ ବଞ୍ଚେଇବାର ପ୍ରୟାସରେ ଢଳାଯାଇଥିବା ପାଣି ଉପରେ ମୁଁ ଲଥ୍ କରି ବସି ପଡ଼ିଲି ସେଇ ଭିଜା ମାଟି ଉପରେ ....

    ଜହ୍ନର ଜନ୍ମ ଦିନ ପାଇଁ ଗଢ଼ିଥିବା ମୋ ହାତ ତିଆରି କଞ୍ଚା ମାଟିର କଣ୍ଢେଇ ଜହ୍ନଟି ମୋ ହାତରୁ ଖସି ପଡ଼ିଥିଲା ରକ୍ତମାଂସରେ ଗଢ଼ା ଭିଜା ମାଟିରେ ପଡ଼ିଥିବା ଅସହାୟ ଜହ୍ନ ପାଖରେ .... ସନ୍ଧ୍ୟାର ବୁକୁଚିରି ଉଇଁ ଆସୁଥିବା ଆଉ ଏକ ଜହ୍ନର ଅପେକ୍ଷାରେ ......।


     


Rate this content
Log in

Similar oriya story from Tragedy