ରୁଣୁ ଝୁଣୁ ଶବ୍ଦର ବନ୍ଦ୍ କୋଠରୀ
ରୁଣୁ ଝୁଣୁ ଶବ୍ଦର ବନ୍ଦ୍ କୋଠରୀ
ଆକାଶରେ ଭସା ମେଘର ସବାରିରେ
ବର୍ଷାରାଣୀ ତା' କଳା ଓଢ଼ଣୀ ଫାଙ୍କରୁ ଚାହିଁ
ମୁରୁକି ମୁରୁକି ହସୁଛି। ଦୂର ଦିଗ୍ ବଳୟଟା ପୁରା ଅନ୍ଧକାର ଦିଶୁଛି। ସନ୍ଧ୍ୟା ହେବା ପରେ ଆକାଶଟା କଳାରଙ୍ଗରେ ରଙ୍ଗେଇ ହୋଇଛି ସତେ ଯେପରି।
ଝରକା ଫାଙ୍କରୁ ଘର ଭିତରର ଦୃଶ୍ୟ
ସ୍ପଷ୍ଟ ବାରିପାରୁଛି ଶ୍ରାବଣୀ। ହଁ ଶ୍ରାବଣ ମାସରେ ଜନ୍ମ ବୋଲି ବୋଧେ ପିତାମାତା ନାମ ଦେଇଥିଲେ ଶ୍ରାବଣୀ ।
ଏକମାତ୍ର କନ୍ୟା ସନ୍ତାନ ଯୋଗୁଁ ଖୁବ୍ ଅଲିଅଳିରେ ବଢ଼ିଥିଲା ଶ୍ରାବଣୀ।ପିଲା ବେଳରୁ ଦୁଇ ଭାଇଙ୍କୁ ବାହାରକୁ ଯିବାପାଇଁ ସ୍ଵାଧୀନତା ଥିବାବେଳେ ଶ୍ରାବଣୀକୁ କିନ୍ତୁ ଏଥିରୁ ବଞ୍ଚିତ କରାଯାଇଥିଲା
କାରଣ ,ଶ୍ରାବଣୀ ଥିଲା ଅତ୍ୟଧିକ ସୁନ୍ଦରୀ
ବୋଲି ।ବୋଧହୁଏ ପିତାମାତାଙ୍କ ଆଶାତୀତ
ସ୍ନେହ ଶ୍ରଦ୍ଧା ପାଇଁ ଶ୍ରାବଣୀ ବାହ୍ୟ ଦୁନିଆର
ଚାକଚକ୍ୟ ଭରା ଆଧୁନିକ ସମାଜର ବାସ୍ତବ
ରୂପ ଜୀବନରେ ଉପଭୋଗ କରିବାରୁ
ବଞ୍ଚିତ ଥିଲା । ସେଇ ଘରଟିର ବନ୍ଦ୍ କୋଠରୀ ଭିତରେ ସେ ସୀମିତ ହୋଇ ରହି ଯାଇଥିଲା।
ମାଆ, ବାବା, ଭାଇ ସମସ୍ତଙ୍କ ଶ୍ରଦ୍ଧା ଅଜାଡ଼ି ହୋଇପଡ଼େ ସେଇ ବନ୍ଦ୍ କୋଠରୀ ମଧ୍ୟରେ।
ବାବା ପାଠ ପଢ଼େଇ ଦିଅନ୍ତି ଆଉ
ପରୀକ୍ଷା ଅନଲାଇନରେ ଦେଇ ଶ୍ରାବଣୀ
ଯୁକ୍ତ ତିନି ପାସ୍ କରିବା ପରେ ,
ବାବା ବରପାତ୍ର ଖୋଜିଲେ ଯିଏ ଘରେ ଜ୍ବାଇଁ ହୋଇ ରହିବା ପାଇଁ ରାଜି ହୋଇ ପାରିବ।
ସ୍ନେହ କାଙ୍ଗାଲୁଣି ଶ୍ରାବଣୀ ସାଙ୍ଗ, ସାଥୀଙ୍କ
ସମ୍ପର୍କରୁ କୋଷ ଦୂରରେ ଥାଏ।
ହଠାତ୍ ଫେସବୁକ୍ ଆକାଉଣ୍ଟ୍ ଖୋଲି କିଛି ସାଙ୍ଗ ଇତି ମଧ୍ୟରେ ଶ୍ରାବଣୀ ହାତେଇ ସାରିଛି
ପିତା ମାତାଙ୍କ ଅଗୋଚରରେ ।
ପ୍ରଥମେ ବହୁତ ଭଲ ଲାଗନ୍ତି ସବୁ ସାଙ୍ଗ ସାଥି ମାନେ, ଶ୍ରାବଣୀ ବନ୍ଦ କୋଠରୀରେ ଲେଖାଲେଖି କରିବା ପାଇଁ ଖୁବ୍ ଭଲପାଏ। କ୍ରମଶଃ ସେସବୁକୁ
ଧୀରେ ଧୀରେ ଫେସ୍ ବୁକ୍ ରେ ପୋଷ୍ଟ କରି
ବେଶ୍ ପ୍ରଶଂସା ସାଉଁଟି ପାରିଛି ଶ୍ରାବଣୀ ।
ତା'ପରେ ଧୀରେ ଧୀରେ ଅନୁଭବ
କରିଛି କିଏ ଜଣେ ମହିଳା ବାନ୍ଧବୀ ତାଙ୍କୁ ଅଧିକ ପସନ୍ଦ କରନ୍ତି ବୋଲି। ମହିଳା ବାନ୍ଧବୀ ଜଣଙ୍କ ତାଙ୍କର ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା କରି ଧୀରେ ଧୀରେ ଶ୍ରାବଣୀ ବିଷୟରେ ସବୁକିଛି ଜାଣି ପାରିଛନ୍ତି ସମୟାନୁକ୍ରମେ ।
ଶ୍ରାବଣୀଙ୍କ ସରଳତାର ସୁଯୋଗ ନେଇ ପତ୍ରିକାରେ ଛପେଇ ଦେବା ପାଇଁ ତାଙ୍କ ଲେଖା କିଛି ହାତେଇ ନେବା ପରେ ତାଙ୍କ ଠାରୁ ଧୀରେ ଧୀରେ ଦୂରତା ବଢ଼େଇ ନେଇଛନ୍ତି ବାନ୍ଧବୀ ଜଣଙ୍କ ।
ଏପରିକି ତାଙ୍କୁ ବନ୍ଧୁତ୍ୱ ପରିସୀମା ଭିତରୁ ଦୂରେଇ ମଧ୍ୟ ଦେଇଛନ୍ତି।
ଗଭୀର ମାନସିକ ଆଘାତ ପାଇବା ସତ୍ତ୍ଵେ
ଶ୍ରାବଣୀ ଭାଙ୍ଗି ପଡ଼ି ନାହାନ୍ତି।
ସମୟ ଗଡ଼ି ଚାଲିଛି ପୁର୍ନବାର ଶ୍ରାବଣୀକୁ ଅନୁଭଵ ହୋଇଛି କିଏ ଜଣେ ପୁରୁଷ ବନ୍ଧୁ ତାଙ୍କ ଲେଖାକୁ ଖୁବ୍ ପସନ୍ଦ କରୁଛନ୍ତି।
ସବୁବେଳେ ପ୍ରେରଣା ପ୍ରଦାନକାରୀ ମତାମତ ଦେଇ ଶ୍ରାବଣୀଙ୍କ ଦୁର୍ବଳ ମନକୁ ସାନ୍ତ୍ଵନା ଦେଇଛନ୍ତି ।
ଧୀରେ ଧୀରେ ପରିଚୟ ବଢ଼ିବା ପରେ
ଶ୍ରାବଣୀ ଜାଣିବା ପାଇଁ ପାଇଛନ୍ତି ଉକ୍ତ
ଭଦ୍ରଲୋକ ଅନାଥ ଆଶ୍ରମରୁ ବଢ଼ି ପାଠଶାଠ ପଢ଼ି ଆଜି ଜଣେ ହାଇସ୍କୁଲ୍ ର
ସାହିତ୍ୟ ଶିକ୍ଷକ ଭାବରେ କଟକରେ
ନିଯୁକ୍ତି ପାଇଛନ୍ତି।
"ପ୍ରବୋଧ ସାର୍" ଭାବରେ ସେ,ବେଶ୍ ଜଣାଶୁଣା ।
ବେଶ୍ କିଛି ଦିନର ଆଳାପ ଭିତରେ
ଦୁହେଁ ଦୁହିଙ୍କୁ ମନ, ହୃଦୟ ଦେଇ ସାରିଛନ୍ତି।
ଶ୍ରାବଣୀ ପିତାଙ୍କ ଅଭିପ୍ସା ପ୍ରବୋଧଙ୍କୁ କହି
ବିବାହ ପ୍ରସ୍ତାବ ଆଣିବା ପାଇଁ ପ୍ରବୋଧଙ୍କୁ
ବାଧ୍ୟ କରେଇ ପାରିଛନ୍ତି ଶ୍ରାବଣୀ ।
ଶ୍ରାବଣୀ ଓ ପ୍ରବୋଧଙ୍କ ଗୁପ୍ ଚୁପ୍
ପରାମର୍ଶ କାନୋକାନ କେହି ଜାଣି ପାରି ନାହାନ୍ତି।
ଏପଟେ ଶ୍ରାବଣୀଙ୍କ ପିତା ମନେମନେ ଯାହା
ଚାହୁଁଥିଲେ ମନ ମୁତାବକ ଆପେଆପେ ଆସି
ଘରେ ମିଳି ଯାଇଥିବାରୁ ସେ ,ବହୁତ ଖୁସି ହୋଇଗଲେ।
ପ୍ରବୋଧ ଦେଖିବା ପାଇଁ ବହୁତ ସୁନ୍ଦର୍ ଥିଲେ।
ଶ୍ରାବଣୀଙ୍କ ପିତା ଯଥା ଶୀଘ୍ର ବିବାହ ପ୍ରସ୍ତାବରେ ରାଜି ହୋଇ ବିବାହ କାର୍ଯ୍ୟ
ସମ୍ପାଦନା କରିଦେଲେ।
ଝିଅ ବାହାରକୁ ଯିବାର ନାହିଁ। ଘରେ ଜୋଇଁ ଆସି ରହିବା ପାଇଁ ଲାଗିଲେ।
ଶ୍ରାବଣୀ ମନେ ମନେ ଭାବିଥିଲେ ବିବାହ ପରେ ନିଶ୍ଚିତ ଭାବରେ ସ୍ୱାମୀ ପ୍ରବୋଧ ତାଙ୍କୁ ବାହାର ଦୁନିଆ ଦେଖେଇ ଦେବେ କିନ୍ତୁ ଏ କଣ !
ପିତାମାତା ଓ ଭାଇ ମାନଙ୍କ ଠାରୁ
ସ୍ୱାମୀ ଆହୁରି ରକ୍ଷଣଶୀଳ ମନେହେଲେ।
ଅଧିକ ସ୍ନେହ , ଶ୍ରଦ୍ଧା , ଆଦର ସତ୍ତ୍ଵେ ଶ୍ରାବଣୀ
ନିଜକୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ମନେ କରିଲେ । ସେଇ ବନ୍ଦ୍ କୋଠରୀ ଭିତରେ ପିତାମାତାଙ୍କ ସ୍ନେହ ଭାଇଙ୍କ ଆଦର ଓ ସ୍ୱାମୀଙ୍କ ଅନାବିଳ ପ୍ରେମ କାହିଁକି ଶ୍ରାବଣୀଙ୍କୁ ଆଜି ଅଣନିଃଶ୍ୱାସୀ କରି ଦେଇଥିଲା।
ଶ୍ରାବଣର ଧାରା ଅନ୍ଧାର ରାତିରେ ଗଡ଼ି ଆସିବା ପରି ଶ୍ରାବଣୀଙ୍କ ଆଖି ଲୁହ ଲୁଚକାଳି
ଖେଳିବାର ଅଭିନୟରେ ଅବତୀର୍ଣ୍ଣ ହେବାକୁ ଲାଗିଲା ।
ସ୍ୱାମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ସେଇ ଆନନ୍ଦ
ବନ୍ଦ୍ କୋଠରୀ ଭିତରେ ଆର୍ତ୍ତ ଚିତ୍କାର
କରିବାକୁ ଲାଗିଲା ।
ଶ୍ରାବଣୀଙ୍କୁ ଲାଗିଲା ଏ , ମଣିଷ ଜାତିଟା ଭାରି ସ୍ୱାର୍ଥପର। ସୁନା ପଞ୍ଜୁରୀ ଭିତର ଶାରି ପରି ବନ୍ଦୀ
ଜୀବନ ବିତାଇବାକୁ ଶ୍ରାବଣୀ ଆଜି ବାଧ୍ୟ।
ଫେସ୍ ବୁକ୍ ର ଆପଣାର ସ୍ୱାର୍ଥି
ମଣିଷ ମାନଙ୍କ କଥା ଚିନ୍ତାକରି ଶ୍ରାବଣୀଙ୍କ
ଆଖିଲୁହ ଆଜି ବୋଲ ମାନୁ ନଥିଲା ।
ହଠାତ୍ ଶ୍ରାବଣୀ ନିଜକୁ ପ୍ରକୃତିସ୍ଥ
କରି ସମୟ ସହ ନିଜକୁ ସାମିଲ ହୋଇ
ଚାଲିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ ।
ବେଶ୍ କିଛି ଦିନର ଅନ୍ତରାଳ ପରେ ,
ଶ୍ରାବଣୀ ନିଜକୁ ମାଆ ହେବା ପାଇଁ ପ୍ରସ୍ତୁତି
କରି ସାରିଥିଲେ।
ସମୟନୁକ୍ରମେ ଶ୍ରାବଣୀଙ୍କର
ଗ୍ରାମରେ ରହୁଥିବା ନର୍ସଙ୍କ ହାତରେ ସେଇ
ବନ୍ଦ୍ କୋଠରୀ ଭିତରେ ପୁତ୍ର ସନ୍ତାନଟିକୁ
ଜନ୍ମ ଦେଇଛନ୍ତି।
ସେଇ ବନ୍ଦ୍ କୋଠରୀ ଭିତରେ ହାତର
ରୁଣୁଝୁଣୁ ପାଣିକାଚ ଶବ୍ଦରେ ପିଲାଟିକୁ
ହଲେଇ ହଲେଇ ନିଜ କୋଳରେ ଶୁଆଇ
ଦେଇଛନ୍ତି ଶ୍ରାବଣୀ। ଆଖିରୁ ଗଡ଼ି ପଡ଼ିଛି
ଆନନ୍ଦର ଅଶ୍ରୁ ଦୁଇ ବୁନ୍ଦା।
ଅତୀତର ସେଇ ପାଣିକାଚର ସୁମଧୁର ଶବ୍ଦ
ସ୍ୱାମୀଙ୍କ ସହିତ ସେଇ ବନ୍ଦ୍ କୋଠରୀ
ଭିତରେ ଅନେକ ସ୍ମୃତିକୁ ବନ୍ଦ୍ ଆଖି ଭିତରେ
ଶ୍ରାବଣୀଙ୍କୁ ଅନୁଭୁତ ହେଉଥିଲା।
ହଠାତ୍ ଶ୍ରାବଣୀ ନିଜକୁ ଅସୁସ୍ଥ ମନେକରି ,
ହାତ ଠାରି ରୁଣୁ ଝୁଣୁ ପାଣିକାଚ ଶବ୍ଦରେ
ସେଇ ବନ୍ଦ୍ କୋଠରୀ ଭିତରୁ କାହାକୁ ପାଣି
ମୁନ୍ଦେ ଦେବାକୁ ଅନୁରୋଧ କରିଥିଲେ।
କିନ୍ତୁ ହାଏ ଏ କ'ଣ ?
ନର୍ସ ଓ ମାଆ ଗରମ କ୍ଷୀର ଆଣି
ଦେଖିଲା ବେଳକୁ ଶ୍ରାବଣୀଙ୍କର ବୋଧେ
ଆଉ ଜୀବନ ନଥିଲା ।
ନିଜ ମୂଲ୍ୟବାନ ଜୀବନର କେଇଟା ବର୍ଷକୁ
ଏଇ ଚାରିକାନ୍ଥ ବନ୍ଦ୍ କୋଠରୀ ଭିତରେ
ସମାଧି ଦେଇଥିଲେ ଶ୍ରାବଣୀ ।
ଶ୍ମଶାନ କାର୍ଯ୍ୟ ଶେଷ କରି କାନ୍ଦ ବୋବାଳିରେ ଫାଟି ପଡ଼ୁଥିବା ଘରକୁ ଶ୍ରାବଣୀଙ୍କ ଦେଖିବା ପାଇଁ ଭାରି ଇଚ୍ଛା ହେଉଥିଲା।
ସଦ୍ୟ ଜନ୍ମିତ ଶିଶୁପୁତ୍ରର କାନ୍ଦକୁ ନିଜ
ରୁଣୁଝୁଣୁ ପାଣିକାଚ ଶବ୍ଦରେ ସେ ଚୁପ୍ କରେଇ ଦେବାକୁ ଚାହୁଁଥିଲେ। ନିଜ ସ୍ବାମୀଙ୍କ ଭଲ ପାଇବାକୁ ନିଜ ରୁଣୁଝୁଣୁ ପାଣିକାଚ ଦ୍ୱାରା ଅନୁଭବ
କରେଇ ଦେବା ପାଇଁ ଚାହୁଁଥିଲେ ସେ
ଆଉ ବାପାଙ୍କ ଅଲିଅଳି ଝିଅର ଅସ୍ତିତ୍ବ ବଞ୍ଚେଇ ରଖିବା ପାଇଁ ନିଜ ରୁଣୁଝୁଣୁ ପାଣିକାଚ ଶବ୍ଦର ଗୁଞ୍ଜରିତ ପ୍ରତିଧ୍ୱନୀ ସେଇ ବନ୍ଦ୍ କୋଠରୀ ଭିତରେ ଶୁଣେଇବା ପାଇଁ ଚାହୁଁଥିଲେ ଶ୍ରାବଣୀ ।
ଆତ୍ମୀୟତାଙ୍କ ଆନ୍ତରିକତାର ପରିଚୟ
ପାଇଁ ବାରମ୍ବାର ରୁଣୁଝୁଣୁ ଶବ୍ଦକରି
ଆସି ଯାଉଥିଲେ ଶ୍ରାବଣୀ ସେଇ ବନ୍ଦ୍
କୋଠରୀର ଦର ଆଉଜା ଝରକା ପାଖକୁ ।
କିନ୍ତୁ ,ବାରଦିନ ପରେ ଶ୍ରାବଣୀ ଦେଖିଲେ
ସେଇ ଅତି ଆପଣାର ଆତ୍ମୀୟ ମାନେ
ଗୁଣିଆ ଡକେଇ, ତାଙ୍କ ଦ୍ବାରା ମନ୍ତୁରା ପାଣି
ପ୍ରସ୍ତୁତ କରେଇ ଗୃହର ଚାରିଆଡ଼େ ସିଞ୍ଚନ
କରି ,ଲୁହା କଣ୍ଟାରେ ସେଇ ବନ୍ଦ କୋଠରୀର
ଚାରିକୋଣ କାନ୍ଥକୁ କିଳା ଯାଉଛି ।
ଏବେ ଆଉ ସେ କେବେହେଲେ ବି ,
ଫେରିବେନି । ଯେଉଁଠି ଏମିତି ସ୍ୱାର୍ଥପରତାର ଛାଇ ବିଛେଇ ହୋଇଛି, ସେଠି ଶ୍ରାବଣୀଙ୍କ
ବିଳପିତ ଆତ୍ମାର ଛାଇ କେବେହେଲେ
ଆଉ ପଡ଼ିବ ନାହିଁ।
ମିଛ ସ୍ନେହରେ ବଳି ପଡ଼ିଥିବା
ନିରୀହ ଆତ୍ମାର ଅସ୍ତିତ୍ବ ଦର୍ଶାଉ ଥିବା ସେଇ
ରୁଣୁଝୁଣୁ ପାଣିକାଚର ଶବ୍ଦ ଶ୍ରାବଣର ସେଇ
ବର୍ଷଣ ମୁଖର ଅନ୍ଧକାରରେ ଲୁଚି ଯାଉଛି ।
ସ୍ୱାର୍ଥପର ଦୁନିଆର ସ୍ୱାର୍ଥପରତା ଦେଖି
ଶ୍ରାବଣୀ ଭଙ୍ଗା ହୃଦୟ ନେଇ ଲୁଚି ଯାଇଛନ୍ତି
ସବୁଦିନ ପାଇଁ।
ବନ୍ଦ୍ କୋଠରୀର ବନ୍ଦ୍ କବାଟଟା
ଆଜି ନିର୍ଭୟରେ ଠିଆ ମେଲା ପଡ଼ିଛି।