Santosh Kumar Misra

Tragedy Inspirational

5.0  

Santosh Kumar Misra

Tragedy Inspirational

ବିଳମ୍ବିତ ନ୍ୟାୟର ମହିମା

ବିଳମ୍ବିତ ନ୍ୟାୟର ମହିମା

13 mins
207



ଦେହରୁ ମୁଣ୍ଡରୁ ଲୁଗା ଖସେଇ ଦେଇ ନିର୍ବିକାର ଭାବରେ ଚାଲି ଯାଉଥିଲା l ପାଗେଳୀଟା କଟକ ସହରର ପ୍ରଶସ୍ତ ରାଜରାସ୍ତା ଉପରେ ଗୁଣୁଗୁଣୁ ହୋଇ କହିଯାଉଥିଲା କିଛି ଅବୋଧ୍ୟ ସଂଳାପ l ପାଗେଳୀଟାକୁ ଦେଖି ଆଇନଜୀବୀ ରମେଶ ପଟ୍ଟନୟକଙ୍କ ଗାଡିଟି ଅଟକି ଗଲା ମୋନାଲିସା ହୋଟେଲ୍ ଆଗରେ l ଗାଡିରୁ ତରବର ହୋଇ ଓହ୍ଲାଇପଡି ଧାଇଁଗଲେ ସେ ପାଗେଳୀଟି l ପାଖକୁ ନିରିଖେଇ ଦେଖିଲେ ତାକୁ l ଠିକ୍‌ ଠିକ୍‌ ଠଉରେଇ ନେଲା ପରେ ପାଗେଳୀକୁ ପଚାରିଲେ ରମେଶ ବାବୁ :

-------- ତୁ ବଞ୍ଚିଛୁ ଗୁରୁବାରୀ ?

ପାଗେଳୀ କିନ୍ତୁ କିଛି ବି ଉତ୍ତର ନଦେଇ ତାଙ୍କୁ, ଚୁପ୍‌ଚାପ୍‌ ଚାଲିଲା ଆଗକୁ l ତା’ର ପିନ୍ଧା ଲୁଗାର କାନିଟି ଲମ୍ବିଯାଇ ଘୋଷାରି ହେଉଥିଲା ପିଚୁ ଉପରେ l ସେଥି ପ୍ରତି କିନ୍ତୁ ପାଗେଳୀର କିଛି ବି ଧ୍ୟାନନଥିଲା l

      ପାଗେଳୀକୁ ଚିହ୍ନିବାରେ ରମେଶ ବାବୁଙ୍କର କୌଣସି ଭୁଲ ହେଇନଥିଲା l ସେ ଯାହା ବି ହେଉ, କଟକ ସହରରେ ଗୁରୁବରୀର ଅଚାନକ ଆବିର୍ଭାବ ରମେଶ ବାବୁଙ୍କର ଚିନ୍ତାଗ୍ରସ୍ତ ମନଟିକୁ ଅନେକ ପରିମାଣରେ ହାଲ୍‌କା କରିଦେଲା l ସେ କ୍ରମଶଃ ଆଶ୍ୱସ୍ତ ହେଉଥିଲେ କି ସେ ଏତେଦିନ ଧରି ଲଢୁଥିବା କେଶ୍‌ରେ ରହି ଆସିଥିବା ଜଟିଳତା ଗୁରୁବାରୀର ଆବିର୍ଭାବ ପରେ ଅନେକାଂଶରେ ଦୂର ହେଇଯାଇଛି l ଆଜି ଯାଏଁ ନିଖୋଜ ଥିବା ଗୁରୁବରୀକୁ ସେ ଠାବ କରି ପାରିଛନ୍ତି, ତାହା ହିଁ ସେହି ମୁହୂର୍ତ୍ତରେ ତାଙ୍କ ପାଇଁ ଏକ ଭଗବାନଙ୍କର ଆଶୀର୍ବାଦ ସଦୃଶ ଥିଲା l ସେ ମନେମନେ ପଣ କରୁଥିଲେ ଆଇନକୁ ଜାବୁଡିଧରି ନିଜ ସ୍ୱାର୍ଥ ପାଇଁ ବିଭିନ୍ନ ଫନ୍ଦି କରୁଥିବା ନିର୍ଲ୍ଲଜ ଚରିତ୍ରଗୁଡିକୁ ସେ କେବେ ହେଲେ କ୍ଷମା କରିବେନି l ସେ ଜନ ସାଧାରଣଙ୍କ ଆଗରେ ସେହି ଚରିତ୍ରମାନଙ୍କର ମୁଖା ଖୋଲି ଦେଖେଇ ଦେବେ ଯେ ସେମାନେ ସାଧାରଣ ଖଟିଖିଆ ମଳିମୁଣ୍ଡିଆଙ୍କ ପାଇଁ ରକ୍ଷା କବଚର ଅଭିନୟ କରି କିପରି ନିର୍ମମ ଭାବରେ ସେମାନଙ୍କୁ ପ୍ରତାରଣା କରି ପାରନ୍ତି l ରମେଶ ବାବୁ ନିଜ ଅଜାଣତରେ କେତେ ଗୋଟି ଦୀର୍ଘନିଃଶ୍ୱାସ ଛାଡି ପକାଇଲେ l ଅନେକ ଦିନରୁ ତାଙ୍କ ଛାତି ଭିତରେ ଛନ୍ଦି ହେଉଥିବା ପବନ ଯେମିତି ବାହାରି ଆସିଲା ପଦାକୁ l ସେ ଫେରିଆସିଲେ ଗାଡିକୁ ଏବଂ ଗାଡିଟି ତାଙ୍କର ପୂର୍ବବତ୍‌ ଗଡି ଚାଲିଲା ମହୀଧରପୁର ଅଭିମୁଖେ l ରାସ୍ତା କଡର ବିଲମାଳ, ପାହାଡ, ଉପତ୍ୟକାରେ ଯେମିତି ଉଙ୍କି ମାରୁଥିଲା ତାଙ୍କର ଅନେକ ପୁରୁଣା ସ୍ମୃତି ଏବଂ ଦୀର୍ଘ ପ୍ରତୀକ୍ଷା ପରେ ଫଳ ପ୍ରାପ୍ତିର ଏକ ଅନୂଢା ଆଶା l ମହୀଧରପୁର ପହଞ୍ଚିଲା ବେଳକୁ ଢେର୍ ରାତି ହେଇଯାଇଥିଲା l

      ରମେଶ ବାବୁଙ୍କର ମନଟି ଖୁବ୍‌ ବିଚଳିତ ଥିଲା l ସେ ରାତ୍ରି ଭୋଜନ ସାରି ଶୋଇବାକୁ ଗଲେ, କିନ୍ତୁ ନିଦ ହେଲାନି l କାରଣ ବିଗତ ଦିନର କିଛି ସ୍ମୃତି ତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଥିଲା l ତାଙ୍କର ମନେ ପଡି ଯାଉଥିଲା ସେଦିନ ସକାଳର ଘଟଣା l ସକାଳୁ ସକାଳୁ ନିତ୍ୟକର୍ମ ସାରିଦେଇ ଚା’ କପ ସହିତ ସେ ଆସି ବସି ଯାଇଥାଆନ୍ତି ତାଙ୍କର ବୈଠକଖାନାରେ l ତାଙ୍କ ସହାୟକ ଭାଗୁ ଗୋଟେ ଖବର କାଗଜ ଧରି ଧଇଁ ସଇଁ ହେଇ ଘର ଭିତରକୁ ଅଦିନିଆ ଝଡ ପଶିଆସିଲା l ତାର ଏହି ଭଳି ଏକ ଅସ୍ୱାଭାବିକ ଆଚରଣ ସହିତ ଉଗ୍ର ଉଦ୍‌ବିଗ୍ନତାକୁ ଦେଖି ରମେଶ ବାବୁ ପ୍ରଥମେ କିଛି ଠଉରେଇ ପାରିଲେନି l ପରେ ପରେ ଟିକିଏ ପ୍ରକୃତିସ୍ଥ ହେଇ ସେ ଅପେକ୍ଷା କଲେ ଶୁଣିବାକୁ ଭାଗୁ କଅଣ କହୁଛି l ଭାଗୁ ଏତେ ଜୋର ଧାଇଁ ଧାଇଁ ଆସିଥିଲା ଯେ ତା’ ପାଟିରୁ ପଦିଏ ବି କଥା ବାହାରୁନଥାଏ l ରମେଶ ବାବୁ ତାକୁ ବସି ଯିବାକୁ ଇଙ୍ଗିତ କଲେ l ଚା’ କପଟି ଟିପୟ ଉପରେ ଥୋଇ ଦେଇ ଭାଗୁ ହାତରୁ ଖବର କାଗଜଟି ଟାଣିନେଇ ଆଖି ବୁଲେଇବାକୁ ଲାଗିଲେ l ଏମିତି କିଛି ବିଶେଷ ଖବର ସେଦିନ କାଗଜରେ ଛପା ଯାଇଥିବା ତାଙ୍କ ନଜରକୁ ଆସିଲାନି ଭାଗୁ ସେତେବେଳକୁ ଟିକିଏ ଥକ୍କା ମାରି ସାରିଥାଏ l ସେ କହିଲା:

------ ବାବୁ ଟିକିଏ ଭଲ କରି ଦେଖ ରାମ ପଧାନ ପୁଅ କହୁଛି ମୋ ବାପ ମଲା ବୋଲି ଆମକୁ କୁଆଡେ ବହୁତ ପଇସା ମିଳିବ l ପୁରା କୋଡିଏ ଲକ୍ଷ ମୁଁ ଆଉ କୁଲି କରି ଖାଇବିନି ବାବୁ, ସହର ଯିବି, ବାବୁ ହେବି l

      ରମେଶ ବାବୁ ଜାଣିଥିଲେ, ଭାଗୁ ବାପା ପବନାର ଅନେକ ଦିନରୁ ଦେହାନ୍ତ ହେଇ ସାରିଛି l ସେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେତେବେଳକର ଘଟଣା l ଆଜିକୁ କୋଡିଏ କି ପଚିଶ ବର୍ଷ ତଳର ଘଟଣା l ସେତେବେଳେ କିନ୍ତୁ ପବନାର ମୃତ୍ୟୁ ସମ୍ବାଦଟି ସାରା ଦେଶଟାକୁ ଚହଲେଇ ଦେଇଥିଲା ଭାଗୁ ପାଖରୁ ସେହି ଘଟଣା ସଂକ୍ରାନ୍ତରେ ଟଙ୍କା ମିଳିବା ଖବର ଶୁଣି l ସେ ବିଶ୍ୱାସ ନକଲେ ମଧ୍ୟ ଖବର କାଗଜଟିକୁ ଆଉ ଥରେ ତନ୍ନ ତନ୍ନ କରି ପଢିବାକୁ ଲାଗିଲେ l ଖବର କାଗଜଟି ପଢୁ ପଢୁ ରମେଶ ବାବୁ ଗୋଟିଏ ଖବର ପାଖରେ ଅଟକି ଗଲେ l ବାରମ୍ବାର ସେହି ନିର୍ଦ୍ଦିଷ୍ଟ ସମ୍ବାଦଟିକୁ ପଢିବାକୁ ଲାଗିଲେ l ଖବରଟି ଏପରି ଥିଲା:

------ ମହୀଧରପୁର ଗ୍ରାମର ପବନା ପ୍ରଧାନ ମୃତ୍ୟୁ ମାମଲା ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କୋଡିଏ ଲକ୍ଷ ଟଙ୍କା କ୍ଷତି ପୂରଣ ମଞ୍ଜୁର କରିଛନ୍ତି l

ରମେଶ ବାବୁ ଭାଗୁର ଦୁର୍ବଳ ମାନସିକ ସ୍ଥିତି ସହିତ ବେଶ ପରିଚିତ ଥିଲେ l ସେ ତାକୁ ହାଲ୍‌କା କରିବାକୁ ଯାଇ କହିଲେ ରାମ ପ୍ରଧାନ ପୁଅ ଯାହା କହିଲା ସତ ଯେ କଚେରିକୁ କାଗଜ ନ ଆସିଲେ ସଠିକ ଖବର ଜଣାଯିବନି l ମୁଁ କଚେରି ଗଲେ ଚେଷ୍ଟା କରିବି ସମ୍ପୂର୍ଣ୍ଣ କଥାଟି ବୁଝିବାକୁ l ଭାଗୁ ମନ ମରିଗଲା ସେ ଭାବିଲା ହୁଏତ କଥାଟି ମିଛ l ରାମ ପ୍ରଧାନ ପୁଅ ତାକୁ ମିଛ କହିଲା l କିନ୍ତୁ ସେ ଅନୁମାନ କରି ପାରିଲାନି ଯେ ରମେଶ ବାବୁ ନିଜେ ତାକୁ ସଠିକ୍‌ କଥା କହି ନାହାନ୍ତି l ସେ ଯେମିତି ଧାଇଁ ଧାଇଁ ଆସିଥିଲା ଠିକ୍‌ ସେମିତି ତମତମ ହେଇ ଅଭିମାନରେ ରମେଶ ବାବୁଙ୍କ ଘରୁ ଚାଲିଗଲା l

ରମେଶ ବାବୁ ଭାଗୁକୁ ନିରାଶ କରେଇବାର କାରଣ ଥିଲା ତାଙ୍କ ପାଖରେ l ସେ ଭାଗୁକୁ ପିଲାଦିନରୁ ଜାଣନ୍ତି l ତାର ବାପର ମୃତ୍ୟୁ ପରେ ମାଆ ଯେତେବେଳେ ତାକୁ ଗାଁରେ ଏକା ଛାଡିଦେଇ କୁଆଡେ ପଳେଇଲା ସେହି ଦିନ ଠାରୁ ସେ ଗାଁରେ ପଡି ରହିଛି ଭୋକ ଉପାସରେ l ତା ମା’କୁ ଅପେକ୍ଷା କରି ଗାଁର ବଗୁଲିଆ ପିଲେ ତାକୁ ଥଟ୍ଟା ଟାପରାରେ ତା ମାଆ ଗୁରୁବାରୀକୁ ନେଇ ଅନେକ କଥା କୁହନ୍ତି l ହେଲେ ତାର ଅସହାୟତା ତୁଳନାରେ ଗାଁ ପିଲାଙ୍କର ଲାଞ୍ଛନାର କୌଣସି ଗୁରୁତ୍ୱ ନଥାଏ ତା ପାଖରେ l ଏ ଘରୁ ସେ ଘରୁ ଅଇଁଠା ଭାତ ଖାଇ ଆଉ ପେଜ ଗିଲାସେ ଗିଲାସେ ପିଇ ୟା ତା ବାରଣ୍ଡାରେ ଶୋଇଯାଏ ସେ l ତା’ର ଅପେକ୍ଷା ଯେ ତା’ର ମାଆ ଫେରି ଆସିବ୤ଏ l ବେ କେତେଦିନ ହେଲା ଭାଗୁ ଟିକିଏ ବଡ ହେଇଗଲା ପରେ କେବେ କେମିତି ମୂଲ ପାତି କରି କିଛି ରୋଜଗାର କରୁଛି l ତାର ଜରୁରୀ ଆବଶ୍ୟକତା ସବୁ କିନ୍ତୁ ରମେଶ ବାବୁ ଯୋଗାଇ ଦିଅନ୍ତି l ଭାଗୁ ରମେଶ ବାବୁଙ୍କୁ ଖୁବ୍‌ ମାନେ l ଭାଗୁର ମନକୁ ଠିକ୍‌ ଭାବରେ ପଢି ପାରିଲେ ରମେଶ ବାବୁ l ଭାଗୁ ଚାଲିଗଲା ପରେ ରମେଶ ବାବୁ ବହୁତ ପସ୍ତେଇଲେ ଯେ ସେ ଭାଗୁକୁ ସଠିକ୍‌ କଥାଟି କହିଲେନି l ଭାଗୁ ତାଙ୍କୁ ଏତେ ବିଶ୍ୱାସ କରୁଥିଲା ଯେ ତାଙ୍କ ମୁହଁ ଉପରେ କିଛି ବି କଥା କହିବାକୁ ସେ ଚାହୁଁନଥିଲା l ଏଣେ ପୂର୍ବ ଦିନର ଘଟଣା ସହିତ ଆଜିର ଘଟଣା ମିଶି ରମେଶ ବାବୁଙ୍କୁ ଖୁବ୍‌ ବିବ୍ରତ କରୁଥିଲା l

      ପବନା ପ୍ରଧାନ, ଭାଗୁର ବାପା, ରମେଶ ବାବୁଙ୍କ ଘରେ ହଳିଆ କାମ କରୁଥିଲା l ବିଲ ବାଡିରେ କାମ କରି ଯାହା ମୂଲ ପାଉଥିଲା ସେଥିରେ ତା’ର କୁଟୁମ୍ବ ପ୍ରତିପୋଷଣ କରୁଥିଲା l କୁଟୁମ୍ବ କହିଲେ ତାର ତିନି ଜଣ, ସେ ନିଜେ, ତାର ସ୍ତ୍ରୀ ଗୁରୁବାରୀ ଆଉ ପୁଅ ଭାଗୁ l ଭାଗୁ ଅନେକ ଛୋଟ ଥିଲା ବେଳେ ବାପା ସାଙ୍ଗରେ କାମ ଉପରକୁ ଚାଲି ଆସେ l ରମେଶ ବାବୁଙ୍କ ଘରେ ଖାଇ ପିଇ ପୁଣି ବାପା ସାଥିରେ ଘରକୁ ଫେରେ ପବନା l ସମୟ ସମୟରେ ରମେଶ ବାବୁଙ୍କୁ କୁହେ:

-------- ମୁଁ ସିନା ପାଠ ପଢିନି ବୋଲି ବଡ ବାବୁଙ୍କ ଶରଣ ପଶିଛି l ତାଙ୍କ ହାତ ଟେକାକୁ ଚାହିଁ ଜୀଉଁଛି l ହେଲେ ତୁମେ ଦେଖିବ ସାନବାବୁ ମୁଁ ଭାଗୁକୁ ମୋ ପରି ମୂର୍ଖ ହେବାକୁ ଦେବିନି l ତାକୁ ତୁମ ପରି ସ୍କୁଲରେ ପାଠ ପଢେଇବି l ସେ ସହର ଯାଇ ଚାକିରୀ କରିବ, ସହରି ଭାଷା କହିବ, ମୋ ପରିକା ମୂଲ ଲାଗିବନି l

ପାଖ ଗାଁ ନାରଣ ଜେନା ପବନାକୁ ଅନେକ ଥର ଦାଦନ ଖଟି ଯିବାକୁ ପ୍ରବର୍ତ୍ତେଇଛି l ହେଲେ ପବନା ତା କଥା କେବେ ବି ଶୁଣିନଥିଲା l କିନ୍ତୁ ଭାଗୁର ଭବିଷ୍ୟତକୁ ନେଇ ସେ ଦେଖୁଥିବା ସ୍ୱପ୍ନ ତାକୁ ନାରଣ ଜେନା କଥା ବିଚାର କରିବାକୁ ବାଧ୍ୟ କଲା l ନାରଣ ଜେନା ପବନାକୁ ପାଞ୍ଚ ଜାଗାରେ ପଚାଶ ମୂଲ ମିଳିବାର ସ୍ୱପ୍ନ ଦେଖେଇଲା l ଗୁରୁବାରୀ ମଧ୍ୟ ନାରଣ ଜେନାର କଥାରେ ରାଜି ହେବା ପାଇଁ ପବନାକୁ ପ୍ରବର୍ତ୍ତେଇଲା l ଶେଷରେ ପବନା ନାରଣ ଜେନାକୁ କହିଲା:

------- ମୁଁ ତୁମ କଥାରେ ରାଜି ନାରଣ ଭାଇ l ମୁଁ ପଞ୍ଜାବ ଯିବି ଆଉ କେନାଲ କାମରେ ମୂଲ ଲାଗିବି l

ନାରଣ ଜେନା ଖୁବ୍‌ ଉତ୍ସାହିତ ହେଇ ସଙ୍ଗେ ସଙ୍ଗେ ଏକ ସାଦା କାଗଜରେ ପବନାର ଟିପ ନେଇ ତାକୁ ହଜାରେ ଟଙ୍କା ଅଗ୍ରୀମ ଦେଇଦେଲା l ପବନା ତା ଜୀବନରେ ଏତେ ଟଙ୍କା ଏକା ସାଙ୍ଗରେ କେବେ ହାତରେ ଧରିନଥିଲା l ଟଙ୍କା ହାତରେ ପାଇ ପବନାର ବୁଦ୍ଧି ହଜିଗଲା l ସେ ନାରଣ ଜେନାର ପ୍ରତି ସର୍ତ୍ତରେ ରାଜି ହେଇଗଲା l ଆଉ ପଞ୍ଜାବ ଯିବାର ଦିନ ଧାର୍ଯ୍ୟ ହେଇଗଲା l

      ପବନା ପଞ୍ଜାବ ଯିବା ଆଗରୁ ରମେଶ ବାବୁଙ୍କ ବାପାଙ୍କୁ ସାକ୍ଷାତ କରି ମେଲାଣି ନେବାକୁ ଆସିଲା l ରମେଶ ବାବୁ ସେତେବେଳେ କଲେଜ ପଢୁଆ ଛାତ୍ର l ଦାଦନ ଫାଦନ କଥା ତାଙ୍କ ଭେଜାରେ ପଶୁନଥିଲା l ରମେଶ ବାବୁଙ୍କ ବାପା କିନ୍ତୁ ନାରଣ ଜେନାକୁ ଭଲ କରି ଜାଣିଥିଲେ l ସେ ପବନାକୁ ବହୁତ ବୁଝେଇଲେ, ଦାଦନ ଖଟି ନଯିବାକୁ l ନାରଣ ଜେନାର କୁକର୍ମ ଉପରେ ଯାହା କିଛି ସେ ଜାଣି ପାରିଥିଲେ ସେ ସବୁ କହିଲେ l ପୁଣି ତାକୁ ବୁଝେଇଲେ କି କଥାରେ କୁହନ୍ତି ଯାହା କିଣିବ ଦୁଆରେ ଯାହା ବିକିବ ଦୁଆରେ l ଏତେ ବାଟ ଗଲେ କେତେ ଏମିତି ଅଧିକା ମଜୁରୀ ମିଳିବ ଯେ ନିଜ ଖର୍ଚ୍ଚ ଯାଇ ସେ ବଞ୍ଚେଇବ ପଇସା ସ୍ୱପ୍ନ ସାକାର କରିବାକୁ l ହେଲେ ପବନା ଆଖିରୁ ହଜାରେ ଟଙ୍କାର ପରଳ ଖସିଲାନି ବରଂ ତାର ପୁଅର ଭବିଷ୍ୟତକୁ ନେଇ ସେ ଦେଖିଥିବା ରଙ୍ଗିନ ସ୍ୱପ୍ନ, ତାକୁ ରମେଶ ବାବୁଙ୍କ ବାପାଙ୍କ କଥା ଏଡେଇ ଦେବାକୁ ବାଧ୍ୟ କରିଦେଲା l ଶେଷରେ ନିର୍ଦ୍ଧାରିତ ଦିନରେ ନାରଣ ଜେନା ସହିତ ଅନ୍ୟ ଶ୍ରମିକମାନଙ୍କ ମେଳରେ ମିଶି ପବନା ପଞ୍ଜାବ ଚାଲିଗଲା କେନାଲ କାମରେ ଶ୍ରମିକ ଭାବରେ କାମ କରିବା ପାଇଁ l

      ପବନା ପଞ୍ଜାବ ଚାଲି ଯିବା ପରେ ଗୁରୁବାରୀ ମୂଲ ଲାଗି ଯାହାପାଏ ସେଥିରେ ସେ ଆଉ ତା ପୁଅ ଦି ଓଳା ଦୁଇ ମୁଠା ଖାଇ ସମୟ କଟେଇ ଦେଉଥିଲେ l ଅନେକ ଦିନ ପର୍ଯ୍ୟନ୍ତ ପବନା ପାଖରୁ କିଛି ଖବର ନ ଆସିବାରୁ ଗୁରୁବାରୀ ବ୍ୟସ୍ତ ହେଲା l ରମେଶ ବାବୁଙ୍କ ବାପାଙ୍କୁ ଆସି ଅନେକ ନେହୁରା ହେଲା ପବନାକୁ ଖୋଜି ଆଣିବାକୁ l ଏ ଭିତରେ ରମେଶ ବାବୁ ତଙ୍କ ଓକିଲାତି ପାଠର ସ୍ନାତ୍ତକ ଡିଗ୍ରୀ ପାଇ ସାରିଥାଆନ୍ତି l ସେ ଘଟଣା ବିଷୟରେ ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କଲେ ସେଠାରୁ କୌଣସି ସାହାଯ୍ୟ ପାଇବାର ଆଶା ରହିଲାନି ତାଙ୍କର l ରମେଶ ବାବୁ ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ଅଫିସକୁ ବହୁତ ଦଉଡା ଦଉଡି କରୁଥାଆନ୍ତି l ହେଲେ କିଛି ସୁରାକ ପାଇ ପାରୁନଥାନ୍ତି l କେଉଁ ନିର୍ଦ୍ଦିଷ୍ଟ ଜାଗାକୁ ଶ୍ରମିକ ମାନେ ନାରଣ ଜେନା ସହିତ ଯାଇଥିଲେ ତାର ମଧ୍ୟ କୌଣସି ସଠିକ ସୂଚନା ନଥିଲା l ଗୁରୁବାରୀର ମନ ଆଶଙ୍କାରେ ଭରିଗଲା l ଦିନେ ସକାଳୁ ଗୁରୁବାରୀ ଖବର ପାଇଲା କି ନାରଣ ଜେନା ସହିତ ପଞ୍ଜାବ ଯାଇଥିବା ନିତେଇ ସାହୁ ଗାଁକୁ ଫେରି ଆସିଛି ଓ ସେ ଥାନାରେ କରିଥିବା ଏତଲା ମୁତାବକ ପୋଲିସ ନାରଣ ଜେନାକୁ ଖୋଜୁଛି l ଡେରି ନକରି ରମେଶ ବାବୁଙ୍କୁ ସାଙ୍ଗରେ ନେଇ ଗୁରୁବାରୀ ନିତେଇ ସାହୁକୁ ଭେଟିଲା l

      ନିତେଇ ସାହୁ ଠାରୁ ଖବର ମିଳିଲା ଯେ ସେମାନେ କାମ କରୁଥିବା କେନାଲ ବନ୍ଧରୁ ମାଟି ଅତଡା ଖସିବା ଫଳରେ ତେର ଜଣ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହେଇଗଲା l ସେହି ମୃତକମାନଙ୍କ ମଧ୍ୟରେ ପବନା ମଧ୍ୟ ଥିଲା l ଗୁରୁବାରୀର ପାଦ ତଳୁ ମାଟି ଖସିଗଲା l ସେ ବେହୋସ ହେଇ ତଳେ ପଡିଗଲା l ଗ୍ରାମବାସୀ ତାକୁ ଖଟିଆ କରି ଜିଲ୍ଲା ଡକ୍ତରଖାନାକୁ ନେଇଗଲେ l ତାର ଚିକିତ୍ସା ପାଇଁ ରମେଶ ବାବୁଙ୍କ ବାପା ଗୁରୁବାରୀର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଥାଆନ୍ତି l ଏଣେ ପୋଲିସ୍ ନାରଣ ଜେନାକୁ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘରୁ ଗିରଫ କରିସାରିଥାଏ l ନିତେଇ ସାହୁ ଠାରୁ ସମସ୍ତ ସୂଚନା ନେଇ ରମେଶ ବାବୁ ପଞ୍ଜାବର ସେହି ନିର୍ଦ୍ଦିଷ୍ଟ ଜାଗାକୁ ଗଲେ l ପୋଲିସ ମଧ୍ୟ ନାରଣ ଜେନାକୁ ସାଙ୍ଗରେ ନେଇ ତଥ୍ୟ ସଂଗ୍ରହରେ ଲାଗିଥାଆନ୍ତି l ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରମେଶ ବାବୁ ଶ୍ରମ କମିଶନରଙ୍କ ଅଦାଲତରେ ଏକ କ୍ଷତି ପୂରଣ ମମଲା ରୁଜ୍ଜୁ କଲେ l ମାମଲାର ଶୁଣାଣି ଦିନ ରମେଶ ବାବୁ ଗୁରୁବାରୀ ସହିତ ଆଉ କିଛି ଅଧିକ ଆଲୋଚନ କରିବାପାଇଁ ଡାକ୍ତର ଖାନାକୁ ଯାଇ ଦେଖନ୍ତି ତ ଗୁରୁବାରୀ କେଉଁଆଡେ ଚାଲି ଯାଇଛି l ଓକାଲତନାମାରେ ଦସ୍ତଖତ କରେଇବା ପରେ ସେ ଆଉ ଗୁରୁବାରି ସହିତ ସାକ୍ଷାତ କରିନଥିଲେ l ଗୁରୁବାରୀ ଡାକ୍ତରଖାନାରୁ ପଳେଇଯିବା କଥା ମଧ୍ୟ ଡାକ୍ତରଖନା ତରଫରୁ ପୋଲିସ ନିକଟରେ ଏତଲା ଦିଆଯାଇଥିଲା l

      ରମେଶ ବାବୁ ଭୁଲି ନଥିଲେ କେମିତି କୋଡିଏ କି ବାଇଶି ବର୍ଷ ତଳେ ପବନା ପ୍ରଧାନ ତାଙ୍କ ବାପାଙ୍କ କଥା ନମାନି ସେତେବେଳକାର ଶ୍ରମିକ ଦଲାଲ ନାରଣ ଜେନାର କଥାରେ ପ୍ରଲୋଭିତ ହେଇ ପଞ୍ଜାବ ଚାଲି ଯାଇଥିଲା l ତାର ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଅଧିକ ରୋଜଗାର ଆଶାରେ ଯାଇଥିଲା ପଞ୍ଜାବ l କିନ୍ତୁ ତା ସହିତ ତା ଭାଗ୍ୟ ଯେ ଏପରି ଖେଳ ଖେଳିବ ସେ କଥା ପବନାର ଅନୁମାନ ବାହାରେ ଥିଲା l ଯଦି ନିତେଇ ସାହୁ ସେହି ଶ୍ରମିକ ଦଲାଲମାନଙ୍କ କବଳରୁ ଖସି ଲୁଚିକି ଚାଲି ଆସି ନଥାନ୍ତା, ତେବେ ହୁଏତ ପବନାର ମୃତ୍ୟୁ ସବୁବେଳ ପାଇଁ ରହସ୍ୟମୟ ହୋଇ ରହି ଯାଇଥାଆନ୍ତା l ଯାହାବି ହେଉ ରମେଶ ବାବୁ କଚେରୀରେ ଗୁରୁବାରୀ ତରଫରୁ ପବନାର କ୍ଷତିପୂରଣ ପାଇଁ ନିଜେ ମାମଲା ତଦାରଖ କରିବାର ଦାୟିତ୍ୱ ନେଇ ସାରିଥାନ୍ତି l ଗୁରୁବାରୀ ଡାକ୍ତରଖାନାରୁ ନିଖୋଜ ହେଇଯିବା ଘଟଣାଟିକୁ ସେ ସହଜରେ ହଜମ କରି ପାରୁ ନଥାନ୍ତି l ଡାକ୍ତରମାନେ କିନ୍ତୁ ରମେଶ ବାବୁଙ୍କୁ ଏକ ପ୍ରକାର ନିଶ୍ଚିତ କରେଇ ଥାଆନ୍ତି କି ଗୁରୁବାରୀର ମାନସିକ ସନ୍ତୁଳନ ଠିକ୍‌ ନଥିଲା l ହୁଏତ ସେହି କାରଣରୁ ସେ ଡାକ୍ତରଖାନାରୁ କୁଆଡେ ଆପେ ଆପେ ଚାଲି ଯାଇଥାଇପାରେ l ଅନ୍ୟ ପକ୍ଷରେ ନାରଣ ଜେନାର ଗିରଫ ହେବାପରେ ତାଙ୍କ ଦଲାଲ ଗୋଷ୍ଠୀ ଯେ ଗୁରୁବାରୀ ଉପରେ ପ୍ରତିଶୋଧ ନେବା ଇଚ୍ଛାରେ ତାକୁ ଡାକ୍ତରଖାନାରୁ ଅପହରଣ କରି ନେଇଯାଇ ନଥିବେ, ସେ ବିଷୟଟି କିନ୍ତୁ ସ୍ପଷ୍ଟ ହେଇପାରୁନଥାଏ l ଯାହା ବି ହେଉ ରମେଶବାବୁ ପବନା ପାଇଁ କ୍ଷତିପୂରଣ ମାମଲାଟି ନିଷ୍ଠାର ସହିତ ପରିଚାଳନା କରି ପବନା ସପକ୍ଷରେ ରାଜ୍ୟ ଶ୍ରମ ଅଦାଲତ ଓ ପରେ ମାନ୍ୟବର ଉଚ୍ଚ ଅଦାଲତଙ୍କ ଆଦେଶ ପାଇ ସାରିଥାଆନ୍ତି l ପବନା ପଞ୍ଜାବର ଯେଉଁ ସଂସ୍ଥା ଅଧିନରେ କାମ କରୁଥିଲା ସେହି ସଂସ୍ଥା କିନ୍ତୁ ଉଚ୍ଚ ଅଦାଲତଙ୍କର ଆଦେଶ ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିଥିବାର ଖବର ପାଇଥିଲେ ରମେଶ ବାବୁ l ତେଣୁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ପରିଚାଳନା କରିବା ପାଇଁ ସେ ଦିଲ୍ଲୀ ଯାଇ ମାନ୍ୟବର ଅଦାଲତଙ୍କ ପାଖରେ କାର୍ଯ୍ୟରତ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଅନୁରୋଧ କରିଥିଲେ ଓ ସେହି ମହାଶୟ ସହାନୁଭୁତିର ସହିତ ଯତକିଞ୍ଚିତ ପାରିଶ୍ରମିକ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ପରିଚାଳନା କରିବାକୁ ସମ୍ମତି ପ୍ରଦାନ କରିଥିଲେ l

      ଏଇ ଭିତରେ ପ୍ରାୟ ତିରିଶ ବର୍ଷ ଅତିକ୍ରମ କରି ଯାଇଛି l ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା କିପରି ପ୍ରଗତି କରୁଛି ସେ ବିଷୟରେ ରମେଶ ବାବୁଙ୍କ ପାଖରେ କୌଣସି ଖବର ନଥିଲା l ଖବରକାଗଜରୁ ସେଦିନ ପବନାର କ୍ଷତି ପୂରଣ ବାବଦ ସମ୍ବାଦଟି ପଢି ରମେଶ ବାବୁ ତାର ସତ୍ୟାସତ୍ୟ ପରଖି ନେବାକୁ ଚାହିଁଲେ l ସେ ଫୋନ କରି ସର୍ବୋଚ୍ଚ ନ୍ୟାୟାଳୟର ଓକିଲ ବାବୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ l ମାତ୍ର ତାଙ୍କ ପାଖରେ ଥିବା ଫୋନ ନମ୍ବରଟି ଆଉ ସେ ଓକିଲ ବାବୁଙ୍କ ପାଖରେ ନଥିଲା l ରମେଶ ବାବୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କଲେ l ତାଙ୍କ ପାଖରେ ମଧ୍ୟ କିଛି ସୂଚନା ନଥିଲା l ଶେଷରେ ରମେଶ ବାବୁ ଉଚ୍ଚ ଅଦାଲତର କାର୍ଯ୍ୟାଳୟରେ ବୁଝିଲେ ଜଣାଗଲା କି ଏହି ମମଲାରେ ଉଚ୍ଚ ଅଦାଲତ ଦେଇଥିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି l ରମେଶ ବାବୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିର ନକଲଟିଏ ପାଇବାକୁ ଚେଷ୍ଟା ଅରମ୍ଭ କରିଦେଲେ l ପରଦିନ ସକାଳୁ ଗାଁ ପୋଷ୍ଟ ପିଅନ ଖଣ୍ଡେ ଜଉମୁଦ ଦିଆ ଲଫାଫା ଆଣି ରମେଶ ବାବୁଙ୍କ ହାତକୁ ବଢେଇ ଦେଲା ଜଣାଗଲା ଲଫାଫାଟି ସର୍ବୋଚ୍ଚ ନ୍ୟାୟାଳୟର ଓକିଲ ବାବୁ ପଠେଛନ୍ତି l ରମେଶ ବାବୁ ଲଫାଫାଟି ଖୋଲି ଦେଖିଲେ ଯେ ସେଥିରେ ଥିବା ଦସ୍ତାବିଜ୍‌ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶନାମାର ନକଲ l ସେ ଏକା ନିଃଶ୍ୱାସରେ ପଢିଗଲେ ନିର୍ଦ୍ଦେଶନାମାଟିକୁ l

ତାଙ୍କ ଓଠରେ ସ୍ମିତ ହାସ୍ୟ ଫୁଟି ଉଠିଲା l ସେ ସଙ୍ଗେ ସଙ୍ଗେ ଭାଗୁକୁ ଡକେଇ ପଠେଇଲେ ଖବରଟିର ସତ୍ୟାସତ୍ୟ ତାକୁ ଜଣେଇ ଦେବାକୁ l ସେ ଯେଉଁ ପ୍ରଶ୍ନ ପଚାରି ଚାଲିଥିଲା ତାଙ୍କୁ ଏତେ ଦିନ ଧରି ଆଜି ସେ ତାକୁ ତାର ଉତ୍ତର ଅବଶ୍ୟ ଦେବେ l ଭାଗୁର କିନ୍ତୁ କୌଣସି ଖୋଜ ଖବର ମିଳି ପାରିଲାନି l ଗାଁରେ ରମେଶ ବାବୁଙ୍କୁ ଅବୁଝା ରହିଲାନି ଯେ ଭାଗୁ ତାଙ୍କ ଉପରେ ରଖି ଆସିଥିବା ବିଶ୍ୱାସକୁ ହଜେଇ ସାରିଛି l

      ତଥାପି ରମେଶ ବାବୁ ବୃତ୍ତିରେ ଓକିଲ ହେଇଥିବାରୁ ଅତ୍ୟନ୍ତ ଧୈର୍ଯ୍ୟର ସହିତ ଶ୍ରମ ଅଫିସ୍‌, ଜିଲ୍ଲା ଅଫିସ୍‌ ଆଉ ତହସିଲ ଅଫିସ ସହିତ ସମ୍ପର୍କରେ ରହିଥାଆନ୍ତି l ସେ ପାଠ ପଢିଲା ବେଳେ ତାଙ୍କୁ ଶିକ୍ଷକମାନେ କହିଥିଲେ ବିଳମ୍ବିତ ନ୍ୟାୟ, ନ୍ୟାୟ ନ ମିଳିବା ସହିତ ସମାନ l ରମେଶ ବାବୁଙ୍କର ଆଶଙ୍କା ହେଲା କି ଏ କ୍ଷେତ୍ରରେ ମଧ୍ୟ ଠିକ୍‌ ସେଇଆ ଘଟି ଯାଇପାରେ l କାରଣ ଦୀର୍ଘ ତିରିଶ ବର୍ଷ ପରେ ଅଦାଲତଙ୍କ ନିଷ୍ପତ୍ତି ଆସିଲାବେଳକୁ ପବନାର ସ୍ତ୍ରୀ ନିଖୋଜ ହେଇସାରିଛି l ପବନାର ପୁଅ ଭାଗୁ ରମେଶ ବାବୁଙ୍କ ଉପରୁ ବିଶ୍ୱାସ ହରେଇ ନିଜ ମୁଣ୍ଡରେ ମାଟି ତାଡିବାର ଏକ ସଙ୍କଳ୍ପ ନେଇ ମାଆକୁ ଖୋଜିବାକୁ ଗାଁ ଛାଡି ଦେଇଛି l ଅଦାଲତ ଆଦେଶ କରିଥିବା କ୍ଷତିପୂରଣ ବର୍ତ୍ତମାନ ଆଇନ ଅନୁସାରେ ପବନାର ପ୍ରକୃତ ଆଇନଗତ ଉତ୍ତରାଧିକାରୀ ପାଇବାକୁ ହକଦାର ହେବେ l କିଏ ଜାଣେ ଭାଗୁ ଓ ତା ମାଆର ଗାଁରେ ଅନୁପସ୍ଥିତିର କିଏ ଯେ ଫାଇଦା ଉଠେଇ ନନେବ? ସେମାନେ ନିହାତି ସାଦାସିଧା ଅପାଠୁଆ ଲୋକ l ଆମ ବିତର୍କିତ ସାମାଜିକ ବ୍ୟବସ୍ଥାର ପଶାପାଲିରେ ସେମାନେ ଦୁଇ ଜଣ ମାଆ ଓ ପୁଅ ନିଶ୍ଚିତ ଭାବରେ ଅଲୋଡା ପାତ୍ର ସଦୃଶ l ରମେଶ ବାବୁ କିନ୍ତୁ ନିରାଶ ହେଉନଥିଲେ l ସେ ଜାଣିବାକୁ ପାଇଲେ ଯେ ତହସିଲ ଅଫିସରୁ କର୍ମଚାରୀ ଗାଁକୁ ଆସି ପବନାର ପରିବାର ସମ୍ପର୍କରେ ପଚରା ଉଚୁରା କରୁଛନ୍ତି l ରମେଶ ବାବୁ ତୁରନ୍ତ ଗାଁକୁ ଆସିଥିବା ସରକାରୀ କର୍ମଚାରୀଙ୍କ ଠାରୁ ସମସ୍ତ ବିଷୟ ଜାଣିବାକୁ ପାଇଲେ l ପବନାର ଉତ୍ତରାଧିକାରୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସରଜମିନ ତଦନ୍ତ କରି ଜାଣିବା ପାଇଁ ସେମାନଙ୍କୁ ତହସିଲଦାରଙ୍କ ଠାରୁ ନିର୍ଦ୍ଦେଶ ମିଳିଥିବା ମଧ୍ୟ ଜାଣିଲେ l

      ପବନାର ଉତ୍ତରାଧିକାରୀ ଖୋଜା ପଡିବା ଖବରଟି ଗାଁରେ ଆଖି ପିଛୁଳାକେ ଖେଳିଗଲା l ତା’ର ଯେତେ ସବୁ ସମ୍ପର୍କୀୟ ଗାଁରେ ଥିଲେ ତାଙ୍କ ଭିତରେ ଟଣା ଓଟରା ଆରମ୍ଭ ହେଇଗଲା l ନିଜ ନିଜକୁ ପବନାର ପ୍ରକୃତ ଉତ୍ତରାଧିକାରୀ ସାବ୍ୟସ୍ତ କରେଇବା ଦିଗରେ ନିଜ ନିଜ ବୁଦ୍ଧି ବିଦ୍ୟା ଖଟେଇ ସମସ୍ତେ ଆଇନଜୀବୀଙ୍କ ପରାମର୍ଶ ନେଇ ଜୋରସୋରରେ ଲାଗି ପଡିଲେ ତହସିଲ ଅଫିସରୁ ଅବଶ୍ୟକ ପ୍ରମାଣ ପତ୍ରଟିଏ ହାସଲ କରିବା ପାଇଁ l କିନ୍ତୁ ସେମାନଙ୍କର ଚେଷ୍ଟା ନିଷ୍ଫଳ ହେଲା କାରଣ l ଗାଁର ଆଉ ଜଣେ ଅଳ୍ପ ପାଠୁଆ କୁଜି ନେତା ଯିଏ କି ଶ୍ରମିକ ଦଲାଲ ନାରଣ ଜେନା ସହିତ ମିଶି ଶ୍ରମିକ ଚାଲାଣ ପାଇଁ କାମ କରେ, ଯଥେଷ୍ଟ ଆଗରୁ ପବନାର ଅଇନସିଦ୍ଧ ଉତ୍ତରାଧିକାରୀ ବୋଲି ପ୍ରମାଣପତ୍ର ତହସିଲଦାରଙ୍କ ଠାରୁ ହାସଲ କରି ନେଇଥିଲା l ରମେଶ ବାବୁ ତହସିଲ ଅଫିସ୍‌ରୁ ସେହି ଉତ୍ତରାଧିକାରୀ ପ୍ରମାଣପତ୍ର ଓ ତତ୍‌ ସମ୍ପର୍କିତ ସମସ୍ତ କାଗଜାତ୍‌ର ପ୍ରମାଣିକୃତ ନକଲ ସଂଗ୍ରହ କଲେ l ଜଣା ପଡିଲା ପବନାର ସ୍ତ୍ରୀ ଗୁରୁବାରୀକୁ ପଳାତକ ଘୋଷଣା କରାଯାଇଛି ଓ ତା ପୁଅ ଭାଗୁକୁ ଏକ ନାବାଳକ ଦର୍ଶାଯାଇ ତାଙ୍କର ଜଣେ ଦୂର ସମ୍ପର୍କୀୟ ବାଇନକୁ ତାର ଅଭିଭାବକ ଭାବେ ଗାଁର ଦୁଇ ଜଣ ସାକ୍ଷୀଙ୍କ ମାଧ୍ୟମରେ ପ୍ରମାଣିତ କରି, ବାଇନକୁ ହିଁ ପବନାର ପ୍ରକୃତ ଉତ୍ତରାଧିକାରୀ ଘୋଷଣା କରି ଦିଆଯାଇଛି l ରମେଶ ବାବୁ ଉକ୍ତ ପ୍ରମାଣପତ୍ର ଖାରଜ କରିବା ପାଇଁ ଉପରିସ୍ଥ ଉପଜିଲ୍ଲାପାଳଙ୍କ ଅଦାଲତରେ ଅପିଲ ଅର୍ଜି ଦାଖଲ କଲେ l ଉକ୍ତ ଅର୍ଜିରେ ରମେଶ ବାବୁ ଦର୍ଶାଇ ଥିଲେ ଯେ ଗୁରୁବାରୀ ଜୀବିତ ଓ ଗାଁ ପାଖରେ ଏକ ଆଶ୍ରମରେ ମାନସିକ ରୋଗୀ ଭାବରେ ଅବସ୍ଥାନ କରୁଛି ଓ ଭାଗୁ ସାବାଳକ ଥିବା ସ୍ଥଳେ ତାକୁ ଉଦ୍ଦେଶ୍ୟ ପଣୋଦିତ ଭାବେ ନାବାଳକ ଦର୍ଶାଯାଇ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ଯାହା ଆଇନ ଅନୁସାରେ ଏକ ଅସିଦ୍ଧ ନିଷ୍ପତ୍ତି ଅଟେ l

      ବାଇନ ଦଳ ବଳ ଧରି ଗାଁ ପାଖ ସମସ୍ତ ଆଶ୍ରମରେ ଗୁରୁବାରୀକୁ ଖୋଜିବା ଆରମ୍ଭ କରିଦେଲା l ଏଣେ ରମେଶ ବାବୁ ଗୁରୁବାରୀକୁ କଟକ ସହରରୁ ଖୋଜି ବାହାର କରି ଏକ ମାନସିକ ରୋଗ ଚିକିତ୍ସାଳୟରେ ତାକୁ ଉପଯୁକ୍ତ ଚିକିତ୍ସା ପାଇଁ ଭର୍ତ୍ତି କରି ଦେଇଥାଆନ୍ତି l ଗ୍ରାମବାସୀ ବାଇନର ଚାଲାକି ବୁଝି ଯିବା ପରେ ରମେଶ ବାବୁଙ୍କ ପରାମର୍ଶ କ୍ରମେ ଦଳ ଦଳ ହେଇ ବାଇନର ପିଛା କରିବାକୁ ଲାଗିଲେ l କିଏ ଜାଣେ ସେ ହୁଏତ ପବନାର କ୍ଷତି ପୂରଣ ଟଙ୍କା ହାତେଇ ନେବା ପାଇଁ ଗୁରୁବାରୀକୁ ହତ୍ୟା କରି ଦେଇ ପାରେ l ଗୁରୁବାରୀର ସୁରକ୍ଷା କାର୍ଯ୍ୟକ୍ରମକୁ ନିଜେ ରମେଶ ବାବୁ ତଦାରଖ କରୁଥାଆନ୍ତି l ଉପଜିଲ୍ଲାପାଳ ତହସିଲଦାରଙ୍କ ପ୍ରମାଣପତ୍ରକୁ କାଏମ ରଖି ବାଇନକୁ କ୍ଷତି ପୂରଣ ଟଙ୍କା ଦେବା ପାଇଁ ହୁକୁମ ଜାରି କଲେ l ରମେଶ ବାବୁ ତୁରନ୍ତ ସେହି ଆଦେଶ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କଲେ l

      ଉଚ୍ଚ ନ୍ୟାୟାଳୟରୁ କିଛି ଆଦେଶ ଆସିବା ପୂର୍ବରୁ ତରବରିଆ ଭାବରେ କିଛି ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ସହାୟତାରେ ତହସିଲଦାରଙ୍କ ତରଫରୁ ଗାଁରେ ସଭାର ଆୟୋଜନ କରାଗଲା l ଉକ୍ତ ଟଙ୍କା ପବନାର ଉତ୍ତରାଧିକାରୀ ଭାବେ ବାଇନକୁ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଏପରି ପ୍ରୟାସର ବିରୋଧ କଲେ l କିଛି ଫଇସଲା ନହେଇପାରିବାରୁ ସମସ୍ତେ ଗାଁରୁ ଫେରି ଯିବାକୁ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଲାଗିଲେ l ଇତି ମଧ୍ୟରେ ଉଚ୍ଚନ୍ୟାୟାଳୟ ରମେଶ ବାବୁଙ୍କର ଅର୍ଜି ଉପରେ ଶୁଣାଣି କରି ଏହି ଘଟଣାଟି ଜଣେ ବରିଷ୍ଠ ଅଧିକାରୀଙ୍କ ମାଧ୍ୟମରେ ତର୍ଜମା ଓ ଅନୁସନ୍ଧାନ କରାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଉପଜିଲ୍ଲାପାଳଙ୍କର ଆକ୍ଷେପିତ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଦେଲେ l ପୁନଶ୍ଚ ଗୁରୁବାରୀକୁ ନିମ୍ନ ଅଦାଲତର ନ୍ୟାୟାଧୀଶଙ୍କ ଆଗରେ ଉପସ୍ଥିତ କରାଇ ତାର ଉପଯୁକ୍ତ ଚିହ୍ନଟ ପ୍ରକ୍ରିୟା ସାରିବାକୁ ମଧ୍ୟ ଦରଖାସ୍ତକାରୀ ରମେଶ ବାବୁଙ୍କୁ ଆଦେଶ ଦେଲେ l ଉଚ୍ଚ ନ୍ୟାୟାଳୟଙ୍କର ଆଦେଶର ନକଲ ଧରି ରମେଶ ବାବୁ ଗାଁକୁ ଆସି ଦେଖନ୍ତି ଗାଁ ରେ ସରକାରୀ ବାବୁ ଭର୍ତ୍ତି l ଖୋଦ ଜିଲ୍ଲାପାଳ ଉପସ୍ଥିତ ସେ ଆଦେଶର ନକଲଟି ଜିଲ୍ଲାପାଳଙ୍କୁ ଦେଇ ତାଙ୍କ ନିର୍ଦ୍ଦେଶ ପାଇଁ ଅପେକ୍ଷା କଲେ l

      ଜିଲ୍ଲାପାଳ ଉଚ୍ଚନ୍ୟାୟାଳୟଙ୍କର ଆଦେଶଟି ପାଠ କରି ପବନାର ସ୍ତ୍ରୀ ମହଜୁଦ ଥାଇ ତାକୁ ପଳାତକ ଘୋଷଣା କରିଥିବାରୁ ଓ ଭାଗୁକୁ ନାବାଳକ ଘୋଷଣା କରିଥିବାରୁ ତହସିଲଦାରଙ୍କୁ ନିଲମ୍ବନ କରିବାକୁ ସରକରଙ୍କୁ ସୁପାରିଶ କଲେ ଏବଂ ଉଚ୍ଚ ନ୍ୟାୟାଳୟଙ୍କର ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଟଙ୍କା ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖିଲେ l ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଓ ତଳ ଅଦାଲତରେ କରାଯିଥିବା ଗୁରୁବାରୀର ଚିହ୍ନଟ ପ୍ରକ୍ରିୟାକୁ ଭିତ୍ତି କରି ଉଚ୍ଚ ନ୍ୟାୟାଳୟ ତହସିଲଦାର ଦେଇଥିବା ଉତ୍ତ୍ରାଧିକାରୀ ପ୍ରମାଣ ପତ୍ରକୁ ଖାରଜ କରି ପବନାର ଉତ୍ତରାଧିକାରୀ ଭାବରେ ତାର ସ୍ତ୍ରୀ ଗୁରୁବାରୀ ଓ ତାର ସାବାଳକ ପୁଅ ଭାଗୁକୁ ଘୋଷଣା କରିବା ସହିତ ଭାଗୁର ବୟସ ପ୍ରମାଣ ପତ୍ର ଦେଇଥିବା ଡାକ୍ତର, ତହସିଲଦାର ଓ ଘଟଣା ସହିତ ଜଡିତ ଥିବା ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହିତ ବାଇନ ବିରୁଦ୍ଧରେ ଭାରତୀୟ ଦଣ୍ଡ ବିଦ୍ଧି ଆଇନ ଅନୁସାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ l

      ଏହି ଖୁସି ଖବର ଶୁଣିବାକୁ ଭାଗୁନଥିଲା ଗାଁରେ ଅନେକ ଦିନରୁ ସେ ତାର ମା’କୁ ଖୋଜିବା ଲାଗି ସହର ଚାଲି ଯାଇଛି l ରମେଶ ବାବୁ ମଧ୍ୟ ଯଥାଶୀଘ୍ର ଆସି କଟକ ସହରର ବାଉନ ବଜାର ଓ ତେପନ ଗଳିରେ ଖୋଜି ଚାଲିଲେ ଭାଗୁକୁ l ପରିଶେଷରେ ସେ ଭାଗୁକୁ ଠାବ କଲେ ତହସିଲ ଅଫିସ୍ ଫାଟକ ଆଗରେ ଭୋକ ଉପାସରେ ବସିଥିବା ଅବସ୍ଥାରେ l ତାକୁ ସେଠାରୁ ଉଦ୍ଧାର କରି ଗାଁକୁ ଆଣି ଗୁରୁବାରୀ ଆଗରେ ହାଜର କଲେ l ମାଆ ଓ ପୁଅ ଉଭୟ ଉଭୟଙ୍କୁ ରାଗ ଋଷା ଓ ଅଭିମାନ ଭିତରେ ଆଲିଙ୍ଗନ କରିବାକୁ ଲାଗିଲେ l ରମେଶ ବାବୁ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶଟି ଆଣି ଭାଗୁ ହାତରେ ଦେଇ କହିଲେ ସେଦିନ ଖବର କାଗଜରେ ବାହାରିଥିବା ସମ୍ବାଦ ସତ ଥିଲା l ତୁମେ ନିଶ୍ଚୟ କୋଡିଏ ଲକ୍ଷ ଟଙ୍କା ପବନା ମୃତ୍ୟୁର କ୍ଷତି ପୂରଣ ଭାବେ ପାଇବ l କିନ୍ତୁ ଭାଗୁ କି ଗୁରୁବାରୀ କୌଣସି ପ୍ରତିକ୍ରିୟା ନଦେବାରୁ ସେ ଉତ୍କଣ୍ଠିତ ହୋଇ ଭାଗୁକୁ ଟାଣି ଆଣିବାକୁ ଚେଷ୍ଟା କଲେ l ଭାଗୁ ଓ ତାର ମାଆ ଧରାଧରି ହୋଇ ଭୂଇଁରେ ଲୋଟିଗଲେ l ଅନେକ ବେଳୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା l ରମେଶ ବାବୁ ବିରକ୍ତିରେ ଚାହିଁ ରହିଥିଲେ ଘଟଣାର ତିରିଶ ବର୍ଷ ପରେ ଏବେ ଏବେ ସଦ୍ୟ ପ୍ରାପ୍ତ ଆଦେଶଦେଶର ନକଲକୁ ଅନେକ ପ୍ରଶ୍ନବାଚୀ ସହିତ ଏକ ମହା ଶୂନ୍ୟତା ଭିତରେ l



Rate this content
Log in

Similar oriya story from Tragedy