Santosh Kumar Misra

Tragedy Inspirational

4  

Santosh Kumar Misra

Tragedy Inspirational

ଆତଙ୍କ

ଆତଙ୍କ

12 mins
41



   ଡାକ୍ତର ବନ୍ଧୁ ହରିପଦଙ୍କ ପାଖରୁ ଫେରିଲା ପରେ ଅନିମେଶ ବହୁତ ବିଷର୍ଣ୍ଣ ଦିଶୁଥିଲେ l କାହାକୁ କିଛି ନକହି ଚୁପ୍‌ ହୋଇ ବସି ରହିଥିଲେ ବାଲକୋନି ଉପରେ ତାଙ୍କର ପ୍ରିୟ ଖାନ୍‌ଦାନି ଆରାମ ଚୌକିଟି ଉପରେ l ଡାକ୍ତରଙ୍କର ଉପଦେଶଗୁଡା ଗୋଟିଗୋଟି କରି ତର୍ଜମା କରୁଥିଲେ ଏବଂ ନିଜକୁ ସୁହାଇଲା ପରି କିଛି ଯୁକ୍ତି ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲେ l ଘରେ ଅନ୍ୟମାନଙ୍କର ଉପସ୍ଥିତି ଅନିମେଶଙ୍କୁ ତାଙ୍କର ଚିନ୍ତାର ବଳୟ ଭିତରୁ ବାହାରି ଯିବାରେ ତାଙ୍କୁ ପ୍ରଭାବିତ କରି ପାରୁନଥିଲା l ସାମୟିକ ଭାବରେ ଦୂରରୁ ଇନ୍ଦୁଅପା ଏ ସବୁ ଲକ୍ଷ୍ୟ କରୁଥିଲେ l ଏତେ ବର୍ଷର ବୈବାହିକ ଜୀବନ ଭିତରେ ଅନିମେଶଙ୍କୁ ଏପରି ଚିନ୍ତାଗ୍ରସ୍ତ ଅବସ୍ଥାରେ ଇନ୍ଦୁ ଅପା କେବେ ବି ଦେଖି ନଥିଲେ l ତେଣୁ ସେ ମଧ୍ୟ ଅନିମେଶଙ୍କର ଏହି ଅସ୍ୱାଭାବିକ ଆଚରଣରେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେl

       ଅନିମେଶ ଚୌଧୁରୀ, ଓଡିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ l ଚାକିରୀରୁ ଅବସର ଗ୍ରହଣ କରିବାକୁ ଅଳ୍ପ କିଛି ଦିନ ବାକି ରହିଥାଏ l ପରିବାରଟି ତାଙ୍କର ଖୁବ୍‌ ଛୋଟ l ଅନିମେଶ ଓ ତାଙ୍କ ସ୍ତ୍ରୀ ଇନ୍ଦୁଅପାଙ୍କ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟମାନେ ହେଲେ ପୁଅ ଅଭିଜିତ୍‌ ଓ ଝିଅ ଅରୁନ୍ଧତୀ l ଅଭିଜିତ୍‌ ଦିଲ୍ଲୀରେ ହଷ୍ଟେଲ୍ ରହି ପଢେ, ଛୁଟିରେ କେବେ କେମିତି ଘରକୁ ଆସେ l ଝିଅ ଅରୁନ୍ଧତୀ ସ୍ଥାନୀୟ ଏକ ମହିଳା ମହାବିଦ୍ୟାଳୟରେ ବି.ଏ. ଶେଷ ବର୍ଷର ଛାତ୍ରୀ l ଅନିମେଶ ତା’ ସହକର୍ମୀଙ୍କ ମହଲରେ ବେଶ୍‌ ଜଣାଶୁଣା l ଜଣେ ମିଷ୍ଟଭାଷୀ ଓ ମେଳାପୀ ଅଧିକାରୀ ଭାବରେ ତାଙ୍କର ଖୁବ୍‌ ଡାକ l ଅନିମେଶ କୌଣସି କାରଣରୁ ଦପ୍ତରକୁ ନଯାଇପାରିଥିଲେ ସାରା ଦପ୍ତରଟି ସମସ୍ତଙ୍କୁ ଯେମିତି ଶୂନ୍‌ଶାନ୍‌ ଲାଗିଥାଏ l ଏହି କେତେ ଦିନ ହେଲା ଅନିମେଶ ଦପ୍ତରରେ ମଧ୍ୟ ଅନ୍ୟମନସ୍କ ରହିବାଟା ଅନେକ ସହକର୍ମୀ ଲକ୍ଷ୍ୟ କରିଛନ୍ତି l ଘରକୁ ଆତଯାତ କରୁଥିବା ବ୍ୟକ୍ତିଗତ ଅର୍ଦ୍ଦଳୀମାନେ ମଧ୍ୟ ଏହି ବିଷୟରେ ଇନ୍ଦୁଅପାଙ୍କୁ ଅନେକ ସମୟରେ ପୂର୍ବରୁ ସୂଚୀତ କରିଛନ୍ତି l ଇନ୍ଦୁଅପା ଭାବୁଥିଲେ ଦପ୍ତର ସମ୍ପର୍କିତ କୌଣସି ବିଷୟକୁ ନେଇ ହୁଏତ ଅନିମେଶ ଚିନ୍ତିତ ରହୁଥିବେ l ତେଣୁ ସେ ସେଥିରେ ହସ୍ତକ୍ଷେପ କରୁନଥିଲେ l ଆଜି କିନ୍ତୁ ଇନ୍ଦୁ ଅପା ଚିନ୍ତିତ ଅନିମେଶଙ୍କୁ ଖୁବ୍‌ ବିମର୍ଷ ଦେଖି ଅବସ୍ଥା ପରଖିନେବାକୁ ନିଷ୍ପତ୍ତି କଲେ୤ l

       ଅରୁନ୍ଧତୀ ମଧ୍ୟ ତା’ ବାପାଙ୍କୁ ଏପରି ଗମ୍ଭୀର ହୋଇ ବସିବା କେବେ ଦେଖିନଥିଲା l ଅନିମେଶ ଗମ୍ଭୀର ହୋଇ ବସିବା ଫଳରେ ତାଙ୍କ ଅଜାଣତରେ ପରିବାର ଭିତରେ ଗୋଟେ ମୃଦୁ ଝଡ ସୃଷ୍ଟି ହେଇ ସାରିଥିଲା l ସେ ଜଣେ ମନସ୍ତତ୍ତ୍ୱ ବିଜ୍ଞାନର ଛାତ୍ରୀ ହୋଇଥିବା ହେତୁ ବିଷାଦଗ୍ରସ୍ତ ଲୋକମାନଙ୍କର ହାବଭାବ ଓ ବ୍ୟବହାରିକ ମନସ୍ତତ୍ତ୍ୱ ବିଷୟରେ ଅଳ୍ପ ବହୁତ ବହିରୁ ପଢି ତଥା କ୍ଲାସରୁମ୍‌ରେ ଆଧ୍ୟାପିକାମାନଙ୍କ ଠାରୁ ଜାଣି ପାରିଥିଲା l ସେ ବୁଝି ସାରିଥିଲା ଯେ ବେଶି ଦିନ ଧରି ବିଷାଦଗ୍ରସ୍ତ ରହିବା କୌଣସି ମତେ ଏକ ମଙ୍ଗଳମୟ ସୂଚନା ନୁହେଁ l ତା’ର ମନେ ପଡୁଥିଲା ଅଧ୍ୟାପିକା କ୍ଲାସ୍‌ରୁମ୍‌ରେ କହିବା କି ଜଣେ ବିଷାଦ ଗ୍ରସ୍ତ ଲୋକ କେତେବେଳେ ଯେ କଅଣ କରିବ ତାହା କଳନା କରିବା କାଠିକର ପାଠ l ଏପରିକି କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଆତ୍ମହତ୍ୟା ମଧ୍ୟ କରିଦେଇପାରେ l ଅରୁନ୍ଧତୀର ଛାତି ଭୟରେ ଧଡ ଧଡ ହେଲା l ସେ ପ୍ରସ୍ତୁତ ନଥିଲା ପରିବାର ଭିତରେ ଏପରି ଏକ ଝଡକୁ ସାମନା କରିବାକୁ l ସେ ମନେ ମନେ ଚିନ୍ତା କଲା ଅନିମେଶଙ୍କ ସହିତ ଆଳାପ କରି ବୁଝିବାକୁ ଚେଷ୍ଟା କରିବ ତାଙ୍କ ବିଷାଦ ଗ୍ରସ୍ତ ହେବାର କାରଣଟି କଅଣ? ସେ ଚେଷ୍ଟା କରିବ ତାଙ୍କୁ ଏହି ଅବସ୍ଥାରୁ ଉଦ୍ଧାର କରି ପୁଣି ନିୟମିତ ଜୀବନ ଧାରାରେ ସାମିଲ କରେଇ ନେବାକୁ୤ l

       ଜଣେ ଖୁବ୍‌ ଅଭିଜ୍ଞ ପ୍ରଶାସନିକ ଅଧିକାରୀ ଥିଲେ ଅନିମେଶ l ସେ କ୍ରମଶଃ ଅନୁଭବ କଲେ କି ତାଙ୍କର ଏହି ସ୍ଥିତିକୁ ନେଇ ନିଜ ପରିବାରର ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିଗଲାଣି l ସମସ୍ତେ ଯେମିତି ଯନ୍ତ୍ରମାନବ ପରି ନିଜ ନିଜର ପାରିବାରିକ ଦାୟିତ୍ୱ ତୁଲାଇ ଯାଉଛନ୍ତି l ପରିବାର ଭିତରେ ଯିଏ ଯାହା କାମ କଲେବି ତାର ନଜର ଯେ ସବୁବେଳେ ଅନିମେଶଙ୍କ ଉପରେ ଲାଖି ରହୁଛି ଏହି କଥା ଅନିମେଶ ଜାଣିନେଇ ସାରିଲେଣି l ଅନିମେଶ ଚିନ୍ତା କଲେ ପରିସ୍ଥିତି କିଛି ଉତ୍କଟ ହେବା ଆଗରୁ ସେ ତାକୁ ସମ୍ଭାଳି ନେବା ଉଚିତ୍‌ ହେବ l ଏହି କ୍ରମରେ ସେ ଇନ୍ଦୁଅପାଙ୍କୁ ନିଜ ଦପ୍ତରର କିଛି ଜରୁରୀ ଅସୁବିଧା ବିଷୟରେ ସୂଚନା ଦେଲେ l ଇନ୍ଦୁଅପା ଆଶ୍ୱସ୍ତ ହେଲେ l ପୁଣି ପୂର୍ବବତ୍‌ ପରିବାର ହସି ଉଠିଲା l ଇନ୍ଦୁଅପା କେବେ ବି ଅନିମେଶଙ୍କର ଦପ୍ତର ଜନିତ ମାମଲାରେ ହସ୍ତକ୍ଷେପ କରି ନଥିଲେ l ତେଣୁ ଏହି ବିଷୟରେ ମଧ୍ୟ ଖୁବ୍‌ ହାଲକା ଭାବରେ ସେ ଅନିମେଶଙ୍କୁ ବିଶ୍ୱାସ କରିଗଲେ୤

       ପର ଦିନ ସକାଳେ ଅନିମେଶ ନିଜ ଦପ୍ତରକୁ ଯିବା ବାଟରେ ପହଞ୍ଚିଗଲେ ଡାକ୍ତର ବନ୍ଧୁ ହରିପଦ ବାବୁଙ୍କ ଘରେ l ହରିପଦ ବାବୁ ଅନିମେଶଙ୍କର ଖାଲି ଯେ ପାରିବାରିକ ଡାକ୍ତର ତା ନୁହେଁ ସେ ତାଙ୍କର ବାଲ୍ୟ ବନ୍ଧୁ ଓ ସହପାଠୀ ମଧ୍ୟ l ତେଣୁ ଅନିମେଶ ଅତିଥି ସତ୍କାରର ସାମାନ୍ୟ ଔପଚାରିକତା ପରେ ନିର୍ବିକାର ଭାବରେ ତାଙ୍କର ପାରିବାରିକ ସମସ୍ୟାଟିକୁ ଡାକ୍ତର ବନ୍ଧୁ ହରିପଦ ବାବୁଙ୍କୁ କହି ଲାଗିଲେ l ହରିପଦ ବାବୁ ଅନିମେଶଙ୍କର ସେହି ସମୟର ଦୁର୍ବଳ ମାନସିକତାକୁ ପରଖି ନେଇ ସାରିଥାଆନ୍ତି l ସେ ମଧ୍ୟ ମନଧ୍ୟାନ ଦେଇ ଅନିମେଶଙ୍କର ସମସ୍ୟାକୁ କାନ ଡେରି ଶୁଣି ଚାଲିଲେ l ଅନିମେଶଙ୍କ ମନ ଭିତରେ ଯେମିତି ଏକ ଜ୍ୱାଳାମୁଖୀର ଉଦ୍‌ଗୀରଣ ହେଉଥିଲା l ଅଣନିଃଶ୍ୱାସୀ ହୋଇ ସେ ବଖାଣି ଚାଲିଥାଆନ୍ତି ତାଙ୍କ ଘରେ ଘଟି ଥିବା ପୂର୍ବ ଦିନର ଘଟଣା l ସ୍ତ୍ରୀ ଇନ୍ଦୁ ଏବଂ ଝିଅ ଅରୁନ୍ଧତୀର ସନ୍ଦେହାତ୍ମକ ଚାହାଣୀ ତଙ୍କୁ ବହୁତ ଭୟଭୀତ କରି ଦେଇଥିଲା l ଡାକ୍ତର ବନ୍ଧୁଙ୍କ ଆଗରେ ସବୁ କିଛି ମନର ଜ୍ୱାଳା ଉଦ୍‌ଗାରି ଦେଇ ସାରି ଅନିମେଶ ଟିକିଏ ପ୍ରକୃସ୍ଥିତ ହେଉଥିଲେ l ଡାକ୍ତର ହରିପଦ ଅନିମେଶଙ୍କ ହାତକୁ ପାଣି ଗିଲାସଟି ବଢେଇ ଦେଇ ତାଙ୍କର ରକ୍ତଚାପର ସ୍ଥିତି ମାପିବାକୁ ପ୍ରୟାସ କଲେ l ଅନିମେଶ ଖୁବ୍‌ ଆକୁଳିତ ଅବସ୍ଥାରେ ବନ୍ଧୁ ହରିପଦଙ୍କୁ ଅନୁରୋଧ କଲେ କି ସେ ଯେପରି ତାଙ୍କ ଚିକିତ୍ସା ସମ୍ପର୍କିତ କୌଣସି ତଥ୍ୟ ତାଙ୍କର କୌଣସି ବି ସମ୍ପର୍କୀୟଙ୍କୁ ନଜଣାନ୍ତି l ଡାକ୍ତର ହରିପଦ ନିଜ ବୃତ୍ତିଗତ ନିଷ୍ଠାକୁ ଆଖିରେ ରଖି ଅନିମେଶଙ୍କୁ କଥା ଦେଲେ କି ସେ ତାଙ୍କର ଚିକିତ୍ସା ସମ୍ପର୍କିତ କୌଣସି ତଥ୍ୟ କାହାରି ଆଗରେ ପ୍ରକାଶ କରିବେ ନାହିଁ୤ l

       ଡାକ୍ତର ବାବୁଙ୍କ ସହିତ ପରାମର୍ଶ କରିସାରି ଅନିମେଶ ଦପ୍ତରରେ ପହଞ୍ଚିଲା ବେଳକୁ ଅଧ ଘଣ୍ଟାଏ ବିଳମ୍ବ ହେଇ ଯାଇଥିଲା l ପ୍ରତ୍ୟେକ ଦିନ ଅଧ ଘଣ୍ଟା ଆଗରୁ ଦପ୍ତରକୁ ଆସି ଯାଉଥିବା ଅନିମେଶ ଆଜି ଅଧଲଘଣ୍ଟା ବିଳମ୍ବରେ ଆସିଥିବା ହେତୁ ସହକର୍ମୀମାନେ ଚିନ୍ତା ପ୍ରକଟ କଲେ l ଜଣେ ସଚ୍ଚୋଟ ଓ ଦକ୍ଷ ଅଧିକାରୀ ଭାବରେ ଦପ୍ତରରେ ଅନିମେଶଙ୍କର ଖୁବ୍‌ ନାଁ l କିନ୍ତୁ ଏହି କିଛି ଦିନ ହେଲା ସେ ହୁଏତ ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଖୁବ୍‌ ଅନ୍ୟମନସ୍କ ରହୁଥିବା ହେତୁ ଅନେକ ସମୟରେ ଦପ୍ତରରେ ଅକ୍ଷମଣୀୟ ଦାୟିତ୍ୱହୀନତାର ନମୁନା ତାଲିକାରେ ଗୋଟାଏ ପରେ ଗୋଟାଏ ମମଲା ବଢେଇ ଚାଲିଛନ୍ତି l ଏହି ଭିତରେ ଅନେକ ଥର ଉପରିସ୍ଥ ହାକିମମାନେ ଅନିମେଶଙ୍କୁ ଡାକି ତାଗିଦ୍‌ ମଧ୍ୟ କରି ସାରିଲେଣି l ତଥାପି ଅନିମେଶଙ୍କର କାର୍ଯ୍ୟକ୍ଷେତ୍ରରେ କୌଣସି ଉନ୍ନତ୍ତି ପରିଲକ୍ଷିତ ହେଇପାରିନି l ଅନିମେଶ କେବଳ ତାଙ୍କର ପୁରୁଣା ଦକ୍ଷତା ପ୍ରମାଣ ପତ୍ରଟିକୁ ଭରସା କରି କିଛି ବି ଦଣ୍ଡବିଧାନରୁ ନିଜକୁ ମୁକ୍ତ ରଖି ପାରୁଛନ୍ତି l ତାଙ୍କ ଆଖିରେ ଦିନେ ବି ଆଖି ମିଶେଇ କଥା କହି ପାରୁନଥିବା ସହକର୍ମୀମାନେ ମଧ୍ୟ ତାଙ୍କୁ ପ୍ରକାଶ୍ୟରେ ଥଟ୍ଟା କରିବାକୁ ଆରମ୍ଭ କରି ଦେଲେଣି l ଏ ସବୁ ଯେ ଅନିମେଶ ଜାଣି ପାରୁନଥିଲେ ତା ନୁହେଁ କିନ୍ତୁ ସେ ନିଜ ସମସ୍ୟାର ବଳୟ ଭିତରୁ ବାହାରି ପାରୁନଥିଲେ୤ l

       ଏବେ ଏବେ ରାଜେଶ ସେହି ଦପ୍ତରରେ ଜଣେ ବରିଷ୍ଠ ଅଧିକାରୀ ଭାବରେ ଆସି ଯୋଗ ଦେଇଛନ୍ତି l ସେ ଅନିମେଶଙ୍କ ସହିତ ଆଗରୁ ଅନ୍ୟ ଦପ୍ତରରେ ଏକାଠି କାମ କରିଥିବାରୁ ଏହି ଦପ୍ତରରେ ତଙ୍କୁ ଦେଖି ଖୁସି ହେଲେ l ତାଙ୍କୁ ଜାଣିବା ପାଇଁ ରାଜେଶ ଅନ୍ୟ କାହାର ସୁପାରିଶ ଆବଶ୍ୟକ କରୁନଥିଲେ l ପୂର୍ବ ପରିଚିତି ଯୋଗୁଁ ରାଜେଶଙ୍କର ଅନିମେଶଙ୍କ ଉପରେ ଗଭୀର ବିଶ୍ୱାସ ରହିଥିଲା l କିନ୍ତୁ କିଛି ନଥି ଅନୁଧ୍ୟାନ କରି ରାଜେଶ ଜାଣି ପାରିଲେ ଯେ ଅନିମେଶ ଯାହା ବି ସେହି ନଥିରେ ଉପସ୍ଥାପନ କରିବାକୁ ଚାହିଁଛନ୍ତି ସେ ସବୁ ଆଇନସିଦ୍ଧ ନଥିଲା l ଅନିମେଶଙ୍କର ଏହି ଭଳି ଏକ ସାଂଘାତିକ ପରିବର୍ତ୍ତନକୁ ରାଜେଶ କିନ୍ତୁ ସହଜରେ ଗ୍ରହଣ କରି ପାରୁନଥିଲେ l ସେ ଅନିମେଶଙ୍କ ସହିତ ଆଲୋଚନା କରିବା ପଇଁ ତାଙ୍କୁ ତାଙ୍କ କୋଠରି ଭିତରକୁ ଡକେଇ ପଠେଇଲେ୤ l

       କିଛି ସମୟ ପରେ ରାଜଶ ଫାଇଲ ଉପରୁ ନଜର ଉଠେଇ ଚାହିଁ ଦେଖନ୍ତି କି ତାଙ୍କ ସାମ୍ନାରେ ଛିଡା ହେଇଛନ୍ତି ଅନିମେଶ, ଏକଦମ ବିମର୍ଷ ଓ ସମ୍ପୂର୍ଣ୍ଣ ଆତଙ୍କିତ l ରାଜେଶ ଅନୁଭବ କରୁଥିଲେ ଗୋଟିଏ ଭୟାର୍ତ୍ତ ଶୃଗାଳ ଯେମିତି ଛିଡା ହେଇ ଯାଇଛି ଗୋଟିଏ ହିଂସ୍ର ସିଂହ ଆଗରେ l ରାଜେଶ ଆଜିର ଅନିମେଶଙ୍କ ଭିତରେ ଖୋଜି ପାଉନଥିଲେ ସେ ଜାଣିଥିବା ସେହି ପୁରୁଣା ଅନିମେଶଙ୍କୁ ଯାହାଙ୍କୁ ଦପ୍ତରର ସମସ୍ତ ବରିଷ୍ଠ ଓ କନିଷ୍ଠ ସହକର୍ମୀ ଏକାକାର ହୋଇ ସମ୍ମାନ କରନ୍ତି l ଏଣେ ଅନିମେଶଙ୍କ ଆଖିରେ ଭରି ରହିଥିଲା ଅନେକ ପ୍ରଶ୍ନ l ସେ ଆଶଙ୍କିତ ଥିଲେ କୌଣସି ନଥିରେ ସେ ଅନିଚ୍ଛାକୃତ ଭାବରେ କରିଦେଇଥିବା କିଛି ସମ୍ଭାବ୍ୟ ଭୁଲ ସମ୍ପର୍କରେ l ରାଜେଶ ଦପ୍ତରରେ ଯୋଗ ଦେବା ପରଠୁ ଅନିମେଶଙ୍କର ବର୍ତ୍ତମାନର ଚାରିତ୍ରିକ ପରିବର୍ତ୍ତନ ଉପରେ ଦପ୍ତର ଭିତରେ ହେଉଥିବା ଆଲୋଚନା ବିଷୟରେ ଅବଗତ ହୋଇ ସାରିଥିଲେ l ତେଣୁ ସେ ସଠିକ୍‌ ଆକଳନ କରିନେଲେ ଅନିମେଶଙ୍କର ସେହି ସମୟର ମନସ୍ତାତ୍ତ୍ବିକ ସ୍ଥିତିକୁ l ରାଜେଶ ନିରବତା ଭଙ୍ଗ କରି ପଚାରିଲେ ଅନିମେଶଙ୍କୁ:

-------- କଅଣ ତୁମର ଅସୁବିଧା ଅନିମେଶ? ତୁମ ପରି ଜଣେ ଦକ୍ଷ ଅଧିକାରୀ ଆଜିକାଲି ଏତେ ଅନ୍ୟମନସ୍କ କାହିଁକି? ମୁଁ ତ ତୁମର ଉପରିସ୍ଥ ହାକିମ ଖାଲି ନୁହେଁ, ମୁଁ ମଧ୍ୟ ତୁମର ଜଣେ ଅନ୍ତରଙ୍ଗ ପୁରୁଣା ବନ୍ଧୁ l ତେଣୁ ମୁଁ ଭାବି ପାରୁନି ଯେ ମୋତେ ତୁମର ବ୍ୟକ୍ତିଗତ ସମସ୍ୟା କହିବାରେ ତୁମର କିଛି ଆପତ୍ତି ରହିପାରେ? ମନେରଖ ତୁମର ସମସ୍ୟା ଜାଣି ପାରିଲେ ହୁଏତ ମୁଁ ତୁମକୁ ସାହାଯ୍ୟ କରିପାରେ୤ l

ରାଜେଶଙ୍କର ଏପରି ଶ୍ରଦ୍ଧାପୁର୍ଣ୍ଣ କଥାରେ ଅନିମେଶ ଟିକିଏ ସହଜ ହେବାକୁ ଲାଗିଲେ ଏବଂ କହିଲେ:

-------- ନା ସାର୍‌, ସେମିତି କିଛି ନୁହେଁ l ଗତ କେତେ ଦିନ ହେଲା ମୋର ଦେହ ଟିକିଏ ଭଲ ରହୁନି l ବ୍ୟୟ ସାପେକ୍ଷ ଚିକିତ୍ସା, ଘରେ ପିଲାମାନଙ୍କର ଆବଶ୍ୟକତା ଇତ୍ୟାଦିକୁ ମୁଁ ତୁଲେଇବାରେ ସକ୍ଷମ ହେଇପାରୁନି l ସେଥିପାଇଁ ମନର ଅବସ୍ଥା ଭଲ ରହୁନି ଅଧିକାଂଶ ସମୟରେ l ଘରେ ଏ ସବୁ ମୁଁ ମୋ ସ୍ତ୍ରୀକୁ ମଧ୍ୟ କହିନି l ମୁଁ ଭୟ କରୁଛି ଯେ ସେମାନେ ମୋର ଆର୍ଥିକ, ଶାରିରୀକ ଓ ମାନସିକ ଦୁର୍ବଳତାକୁ ହୁଏତ ଠିକ୍‌ ଭବରେ ଗ୍ରହଣ କରିବେନି୤ l

ଅନିମେଶ ଯେ ଏତେ ସରଳ ଓ ସହଜ ଭାବରେ ତାଙ୍କୁ ନିଜର ସମସ୍ୟାଟି କହିଯିବେ ସେ କଥା ରାଜେଶ ବିଶ୍ୱାସ କରି ପାରୁନଥାଆନ୍ତି l ସେ ନିଷ୍ପତ୍ତି ନେଲେ ଅନିମେଶଙ୍କୁ ଦପ୍ତର ଭିତରେ ଓ ବାହାରେ ସମସ୍ତ ପ୍ରକାରରେ ସାହାଯ୍ୟ ଓ ସହଯୋଗ ଯୋଗେଇ ଦେଇ ଜଣେ ଉପଯୁକ୍ତ ବନ୍ଧୁର କର୍ତ୍ତବ୍ୟ ତୁଲେଇବେ l ତେଣୁ ସେ ଅନିମେଶଙ୍କୁ କହିଲେ:

--------- ସେଥିପାଇଁ ତୁମେ ବ୍ୟସ୍ତ କହିଁକି ଅନିମେଶ ? ଏହି ଦପ୍ତରରୁ ତ ତୁମର ସମସ୍ତ ଔଷଧ ଖର୍ଚ୍ଚ ଡାକ୍ତରଙ୍କ ଚିଠା ମୁତାବକ ଭରଣା କରି ଦିଆଯିବ l ତା’ ଛଡା ଭଲ ବିଶେଷଜ୍ଞଙ୍କ ଦ୍ୱାରା ତୁମେ ମଧ୍ୟ ଚିକିତ୍ସା କରେଇବା ପାଇଁ ସୁଯୋଗ ପାଇପାରିବ l ଏତେ ଦିନର ଚାକିରୀ ପରେ ତୁମେ କଅଣ ଏହି ସବୁ ନିୟମ ଜାଣିବାକୁ ଆଉ ବାକି ଅଛି l ଆଜି ତୁମେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ଖଣ୍ଡେ ପ୍ରମାଣପତ୍ର ନେଇ ଆସି ମୋତେ ଦିଅ ତା’ ହେଲେ ମୁଁ ସେ ସବୁର ସୁବିଧା କରେଇଦେବି୤ l ରାଜେଶଙ୍କ ପାଖରୁ ଫେରି ଆସି ଅନିମେଶ ଭାବୁଥିଲେ କଅଣ ଲେଖି ସେ ଡାକ୍ତରଙ୍କ ଠାରୁ ପ୍ରମାଣ ପତ୍ରଟି ଆଣିବେ? କେତେ ଟଙ୍କାର ଅଟ୍ଟକଳ ଆଣି ଦାଖଲ କରିବେ ଦପ୍ତରରେ ଚିକିତ୍ସା ବାବଦରେ ଅଗ୍ରୀମ ପାଇବା ପାଇଁ? ସେ ଠିକ୍‌ କଲେ ଡାକ୍ତର ହରିପଦଙ୍କୁ ପରାମର୍ଶ କରି ଯାହା କିଛି ପଦକ୍ଷେପ ନେବେ l ଯାହା ବି ହେଉ ରାଜେଶଙ୍କ ସହିତ ଆଲୋଚନା ପରେ ଦପ୍ତରରେ ଅନିମେଶ ଟିକିଏ ସହଜ ଅନୁଭବ କରି ପାରିଲେ l ଯେଉଁ ସହକର୍ମୀମାନେ ଅପେକ୍ଷା କରିଥିଲେ ଅନିମେଶ କିପରି ଦଣ୍ଡିତ ହେବେ ଜାଣିବା ପାଇଁ ସେମାନେ ତାଙ୍କର ମାନସିକତାରେ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ୤ l

       ଅନିମେଶ ଆସି ନିଜ ଚୌକିରେ ବସୁ ବସୁ ତାଙ୍କ ସାମ୍ନାରେ ଛୁଟି ଦରଖାସ୍ତ ଖଣ୍ଡିଏ ଧରି ଆସି ଠିଆ ହେଲା ଷ୍ଟେନୋ ଅଜିତ୍‌ l ଅନିମେଶ ତା ହାତରୁ ଦରଖାସ୍ତଟି ନେଇ ପଢିବାକୁ ଲାଗିଲେ:

-------- ମୋର ପିତା ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ସେ ବର୍ତ୍ତମାନ କୁଷ୍ଠ ରୋଗରେ ଆକ୍ରାନ୍ତ l ତାଙ୍କର ଚିକିତ୍ସା ପାଇଁ ମୋତେ ତାଙ୍କୁ ପୁରୀରେ ରହୁଥିବା ଚିକିତ୍ସକ ଡାକ୍ତର ମିଶ୍ରଙ୍କ ପାଖକୁ ନେବାକୁ ପଡୁଥିବାରୁ ମୋର ପାଇଁ ଦୁଇ ଦିନ ଛୁଟି ମଞ୍ଜୁର କରାଯାଉ୤ l

ଅନିମେଶଙ୍କ ହାତରୁ କଲମ ଖସିଗଲା l ସେ ଭାବୁଥିଲେ ଏହି ଯୁବକ କେତେ ସ୍ପଷ୍ଟବାଦୀ l ସେ ତିଳେ ମାତ୍ର ଭ୍ରୂକ୍ଷେପ କରୁନି ସ୍ୱୀକାର କରିବାକୁ କି ତା’ର ବାପା ଜଣେ କୁଷ୍ଠରୋଗୀ l ଅନିମେଶ ଚିନ୍ତା କରି ପାରୁନଥିଲେ କି ଦପ୍ତରରେ ଯେତେବେଳେ ପ୍ରଚାର ହେଇଯିବ ଅଜିତର ବାପା ଜଣେ କୁଷ୍ଠ ରୋଗୀ ସେତେବେଳେ ତାକୁ ସମସ୍ତେ ହୁଏତ ବାସନ୍ଦ କରିଦେଇ ପାରନ୍ତି l କୁଷ୍ଠରୋଗ ସହିତ ଅଙ୍ଗାଅଙ୍ଗ ଭାବରେ ଯୋଡି ହୋଇଥିବା ସମସ୍ତ ଅନ୍ଧବିଶ୍ୱାସର ମଧ୍ୟ ତର୍ଜମା ଚାଲିପାରେ l କେତେ କଅଣ ଆଖିଦେଖା ଉଦାହରଣ ଦେଇ ନିଜ ନିଜର ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ଚେଷ୍ଟା ଚାଲିପାରେ l ଏ ସବୁ ଭବି ଭାବି ଅନିମେଶ ତାଙ୍କ ସାମ୍ନାରେ ପଡିଥିବା ଚୌକି ଉପରେ ଅଜିତକୁ ବସିବା ପାଇଁ ଇଙ୍ଗିତ କଲେ l ଅଜିତ୍‌ ଖୁବ୍‌ ନିର୍ବିକାର ଭାବରେ ତାର ଚିରାଚରିତ ଢଙ୍ଗରେ ଟିପା ଖାତା ଓ ପେନ୍‌ସିଲ୍‌ ଧରି ଚୌକି ଉପରେ ବସି ପଡିଲା l ଅନିମେଶ କହିଲେ:

-------- ଥାଉ ଅଜିତ୍‌, ମୁଁ ଏବେ ତୁମକୁ କୌଣସି ଶ୍ରୁତଲିଖନ ଡାକିବାକୁ ଚାହୁଁନି l ମୁଁ ଜାଣିବାକୁ ଚାହୁଁଛି କି ତୁମେ କିପରି ଏତେ ଖୋଲା ଖୋଲି ଭାବରେ ପ୍ରକାଶ କରି ପାରୁଛ କି ତୁମର ବାପା ଜଣେ କୁଷ୍ଠ ରୋଗୀ ବୋଲି୤ ?

ଅଜିତ୍‌ ପାଇଁ ଏହି ପ୍ରଶ୍ନଟି ଅନେକ ପୁରୁଣା ହେଇ ସାରିଥିଲା l ତେଣୁ ଅନିମେଶଙ୍କର ଏହି ପ୍ରଶ୍ନରେ ବିଚଳିତ ନହୋଇ ସେ କହିଲା:

-------- ସାର, ଅମେ ପରା ଏକବିଂଶ ଶତାବ୍ଦୀର ପିଲା l ଆଉ କଅଣ ସେ ପୁରୁଣା ଯୁଗ ଅଛି ଯେ ସେଥିପାଇଁ ଘୃଣା କରିବା l ଆମେ ସମସ୍ତେ ଜାଣି ସାରିଲେଣି ଯେ ଅନ୍ୟ ସମସ୍ତ ରୋଗ ପରି କୁଷ୍ଠ ମଧ୍ୟ ଏକ ରୋଗ l ବର୍ତ୍ତମାନର ବିଜ୍ଞାନ ଯୁଗରେ ଉଚିତ୍‌ ସମୟରେ ଉପଚାର କରାଯାଇ କୁଷ୍ଠ ରୋଗକୁ ମଧ୍ୟ ଆୟତ୍ତାଧିନ କରାଯାଇ ପାରୁଛି l ଆଜି ଯଦି ମୁଁ ସଙ୍କୋଚ କରି ଲୁଚେଇବାକୁ ଚେଷ୍ଟା କରିବି ତେବେ ଆଗକୁ ହୁଏତ ମୋତେ ଅଧିକ ପଶ୍ଚାତାପ କରିବାକୁ ପଡିପାରେ୤ l

--------- ତୁମ ବାପା ଜଣେ କୁଷ୍ଠ ରୋଗୀ ବୋଲି ପ୍ରଚାର ହେଲେ ତୁମର ସାମାଜିକ ସ୍ଥିତି କଅଣ ହବ ଅନୁମାନ କରି ପାରୁଛ ତ ? ସମସ୍ତେ କୁଷ୍ଠ ଏକ ରୋଗ ବୋଲି ଜାଣି ମଧ୍ୟ ଜଣେ କୁଷ୍ଠ ରୋଗୀ ଓ ତାର ପରିବାର ପ୍ରତି କିଭଳି ବ୍ୟବହାର କରୁଛନ୍ତି ସେ କଥା କଅଣ ତୁମେ ଜାଣି ପାରୁନ?

--------- ଆପଣ ଜାଣନ୍ତି ସାର, ଆମେ ସମସ୍ତେ କିଛି ନା କିଛି ରୋଗରେ ଆକ୍ରାନ୍ତ l କୁଷ୍ଠ ସେହି ପରି ଏକ ରୋଗ l ଆମେ ଯଦି କ୍ୟାନ୍‌ସର୍‌, ଏଡସ୍‌ ଆଦି ରୋଗ ପ୍ରତି ଭୟଭୀତ ନୋହୁ ତେବେ କୁଷ୍ଠ ପ୍ରତି କାହିଁକି? ତା ଛଡା ସଂକ୍ରମଣ କେଉଁ ରୋଗରେ ନାହିଁ, ସଂକ୍ରମଣକୁ ରୋକିବାର ବିଭିନ୍ନ ବିଜ୍ଞାନ ସମ୍ମତ ପଦ୍ଧତି ମଧ୍ୟ ଉପଲବ୍‌ଧ ହେଲାଣି l ଆମେ କୁଷ୍ଠ ରୋଗୀ କହିଲେ ମାନସିକ ସ୍ତରରେ ଧରି ନେଇଛୁ ସେ ଜଣେ ହାତ ଗୋଡ ଖଣ୍ଡିଆ ବ୍ୟାଣ୍ଡେଜ୍‌ ଗୁଡା ଜଣେ କଦାକାର ବ୍ୟକ୍ତି ଯିଏ ଖଣ୍ଡିଏ ଢାବଲ ପଟା ତିଆରି ଚକ ଲଗା ଗାଡିରେ ବସି ରାଜରାସ୍ତାରେ ଚିତ୍କାର କରି ବୁଲୁଥିବ ମୁଠାଏ ଭିକ୍ଷା ପାଇଁ l ସେଥିପାଇଁ ଆମେ ଭୟ କରୁଛୁ୤ l

       ଅଜିତ୍‌ର କଥା ଗୁଡା ବନ୍ଧୁକର ଗୁଳି ପରି ଅନିମେଶଙ୍କ ମନକୁ ବିଦ୍ଧ କରି ଯାଉଥିଲା l ସେ ଭାବୁ ଥିଲେ ଆଜିକା ଦିନରେ ଅଜିତ୍‌ ଭଳି କେତେ ଯୁବକ ଏ ସମାଜରେ ମିଳିବେ ଯିଏ ନିଃସଙ୍କୋଚରେ ଓ ସ୍ପଷ୍ଟ ଭାବରେ କହିପାରିବେ ତାଙ୍କର କେହି ଜଣେ ଆତ୍ମୀୟ କୁଷ୍ଠ ରୋଗୀ ବୋଲି l ଅଜିତ୍‌ କିନ୍ତୁ ଅନିମେଶଙ୍କୁ କହି ଚାଲିଥିଲା କି ଆମ ମନରେ ବସା କରିଥିବା କୁଷ୍ଠ ରୋଗୀର ଚିତ୍ର ଜଣେ ଅବହେଳିତ ରୋଗୀର ନମୁନା ହେଇପାରେ କିନ୍ତୁ ତାହା ନିଶ୍ଚୟ ନିଷ୍ଠୁର ସତ୍ୟ ନୁହେଁ l ଅନିମେଶ ଅନ୍ୟମନସ୍କ ଥାଇ ମଧ୍ୟ ଅଜିତ୍‌ର ଛୁଟି ମଞ୍ଜୁର କରି ଦେଇଥିଲେ ଓ ନିଜେ ଅନ୍ୟାନ୍ୟ କାମ ଶେଷକରି ଘରକୁ ଆସିବାକୁ ବାହାରିଲେ୤ l

       ଘରେ ପଶୁ ପଶୁ ଚିରାଚରିତ ଢଙ୍ଗରେ ଝିଅ ଅରୁନ୍ଧତୀକୁ ଡାକ ପକେଇ ଚା’ ଆଣିବାକୁ ବରାଦ କରିଦେଲେ ଅନିମେଶ୍ ଓ ତାଙ୍କର ସେହି ବାଲକୋନିର ଆରାମ ଚୌକି ଉପରେ ଯାଇ ଆଉଜି ପଡିଲେ l ଅରୁନ୍ଧତୀ ଦେଖିଲା ଦପ୍ତରରୁ ଫେରି ତା’ର ବାପା ଆଜି ଖୁବ ଆଶ୍ୱସ୍ତ ଲାଗୁଛନ୍ତି l ଇନ୍ଦୁଅପା ମଧ୍ୟ ଠିକ ସେହି କଥା ଲକ୍ଷ୍ୟ କରୁଥିଲେ l ଅଳ୍ପ କିଛି ସମୟ ପରେ ଚା’ କପଟି ବଢେଇ ଦେଉ ଦେଉ ଅରୁନ୍ଧତୀ ଅନିମେଶଙ୍କୁ କହିଲା::

-------- ବାପା, ଭାଇ ଆସନ୍ତା ମାସରେ ତାର ପରୀକ୍ଷା ସରିଗଲେ ଏଠାକୁ ଆସିବ ବୋଲି ଚିଠି ଲେଖିଛି l ଏଥର ସେ ଏଇଠି ଅନେକ ଦିନ ରହିବ l ପ୍ରାୟତଃ ତାର ପରୀକ୍ଷାର ଫଳାଫଳ ପ୍ରକାଶ ପାଇଲା ପର୍ଯ୍ୟନ୍ତ୤ l

ଅନିମେଶ ଯେମିତି ସେହି ମୁହୂର୍ତ୍ତରେ ଏହି ଖବରଟି ଶୁଣିବାକୁ ପ୍ରସ୍ତୁତ ନଥିଲେ l ପୁଅ ଅଭିଜିତ୍‌ ଘରକୁ ସେହି ସମୟରେ ଆସିବାଟାକୁ ଅନିମେଶ ଉଚିତ୍‌ ଭାବୁ ନଥିଲେ l କାରଣ ଅନିମେଶ ଡରୁଥିଲେ କି ଅଭିଜିତ୍‌ ହୁଏତ ତାଙ୍କ ଅସୁସ୍ଥତା ପ୍ରଘଟ ହେଇ ଯିବାରେ ଗୋଟେ ଉତ୍‌ପ୍ରେରକ ଭଳି କାମ କରିପାରେ୤ l

       ଅଭିଜିତର ଆସିବା ଦିନଟି ଯେତେ ଯେତେ ପାଖେଇ ଆସୁଥାଏ ଅନିମେଶଙ୍କର ବ୍ୟସ୍ତତା ସେତେ ସେତେ ଅଧିକ ବଢୁଥାଏ l ଇନ୍ଦୁଅପା ଧରି ନେଲେ ପୁଅର ଆସିବା ଖୁସିରେ ଅନିମେଶ ଉଦ୍‌ବିଗ୍ନ ଅଛନ୍ତି l ସେ ମଧ୍ୟ ପୁଅର ସ୍ୱାଗତ ପାଇଁ ଝିଅ ସହିତ ମିଶି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥାଆନ୍ତି l ଏଣେ ଅନିମେଶ ଭାବୁ ଥାଆନ୍ତି ଯଦି କୌଣସି କାରଣରୁ ଅଭିଜିତ ଡାକ୍ତର ହରିପଦଙ୍କ ଠାରୁ ତାଙ୍କର ଚିକିତ୍ସା ସମ୍ବଳିତ ପୂର୍ଣ୍ଣାଙ୍ଗ ବିବରଣୀ ହାସଲ କରିନିଏ, ତେବେ ହୁଏତ ତାଙ୍କ ହସ ଖୁସିର ପରିବାର ଭିତରେ ଏକ ଆତଙ୍କ ଖେଳିଯିବ l ତେଣୁ ସେ ସ୍ଥିର କରୁଥିଲେ ଅଭିଜିତ ଛୁଟିରେ ଘରକୁ ନଆସି ଦିଲ୍ଲୀରେ ରହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବ l ଅନିମେଶ ନିଶ୍ଚିତ ଥିଲେ କି ତାଙ୍କର ଏହି ସମୟୋପଯୁକ୍ତ ପ୍ରସ୍ତାବକୁ ଘରେ ସ୍ତ୍ରୀ ଓ ଝିଅ ସମର୍ଥନ କରିବେ l ପୁଣି ସେ ଭାବୁଥିଲେ ଅଭିଜିତ ତ ଦିନେ ପଢା ସାରି ଅବଶ୍ୟ ଫେରିବ ଘରକୁ l ସେତେବେଳେ ତ ଅବଶ୍ୟ ଜାଣିବ ଯେ ତାର ବାପା ଦୀର୍ଘ ଦିନ ଧରି ଅସୁସ୍ଥ ଓ ଡାକ୍ତର ହରିପଦଙ୍କ ପାଖରେ ଚିକିତ୍ସିତ ବୋଲି, ତା ପୁଣି ସମସ୍ତଙ୍କ ଅଗୋଚରରେ l ସେତେବେଳେ ତା’ ମନରେ ସନ୍ଦେହ ସୃଷ୍ଟି ହେବ ଏବଂ ସମସ୍ତଙ୍କର ଅଗୋଚରରେ ଚିକିତ୍ସାର ଗୁରୁତ୍ୱ ବିଷୟରେ ସେ ନିଶ୍ଚୟ ତର୍ଜମା କରିବ l ସେ ବର୍ତ୍ତମାନ ପ୍ରାପ୍ତ ବୟସ୍କ l ସେ ସମାଜକୁ ତା ଆଖିରେ ଦେଖିବାକୁ ଆରମ୍ଭ କଲାଣି l ସେ ହୁଏତ ଭାବି ପାରେ ଯେ ତାର ବାପା ମଧ୍ୟ ସମାଜ ଭିତରେ ଅନ୍ୟ କିଛି କଳଙ୍କିତ ଲୋକଙ୍କ ପରି ଜଣେ ବ୍ୟକ୍ତି ଯିଏ ଅନେକ ଅଘଟଣର ବିଶ୍ୱକର୍ମା ରହି ଅନେକ ଅଭିଶାପର ବୋଝକୁ ମୁଣ୍ଡେଇ ଏକ ଆତଙ୍କିତ ଜୀବନ ଯାପନ କରୁଛନ୍ତି l ଅନିମେଶଙ୍କ ମନରେ ଭୟ ସଂଚାରିତ ହେଉଥିଲା l ସେ ଚିନ୍ତା କରୁଥିଲେ ଏହି ଭଳି କିଛି ଭୁଲ ବୁଝାମଣା ଜନିତ ଅଘଟଣର ସୂତ୍ରପାତ ହେବା ପୂର୍ବରୁ ଅଭିଜିତ୍‌ ଜାଣି ଯିବା ଦରକାର ଯେ ଅନିମେଶ କି ପ୍ରକାର ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି l ଏହିଭଳି କିଛି ନିଜର ଚିନ୍ତା ଓ ପରିବାରର ଅନ୍ୟ ମାନଙ୍କର ମାନସିକ ଅବସ୍ଥାର ଦ୍ୱନ୍ଦ୍ୱ ଭିତରେ ଘାଣ୍ଟି ହେଉଥିଲେ ଅନିମେଶ୤

       ଅଭିଜିତ୍‌ ଆସିବାର ସମୟ ଆସିଗଲା l ତା ଚିଠି ଅନୁସାରେ ସେ ରବିବାର ସକାଳେ ପହଞ୍ଚିବା କଥା l ତେଣୁ ରେଳ ଷ୍ଟେସନରୁ ଅନିମେଶ ବୁଝିନେଲେ ରବିବାର ଦିନ ସକାଳ ବେଳାର ଦିଲ୍ଲୀ ଫେରନ୍ତା ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାର ସମୟ l ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେ ଘରୁ ବାହାରି ଗଲେ ପୁଅକୁ ରେଳ ଷ୍ଟେସନରୁ ସଙ୍ଖୋଳି ଆଣିବାକୁ l ଘରେ ଥିଲା ଏକ ପାର୍ବଣର ମାହୋଲ l କିନ୍ତୁ ଅନିମେଶଙ୍କର ସେ ଦିଗରେ ନିଘା ନଥିଲା l ଘର ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସେ ଭାବି ଚାଲିଥିଲେ ଅଭିଜିତ୍‌କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣେଇବେ ନା ନାହିଁ୤

       ପୁରୁଷୋତ୍ତମ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଆସି ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟ୍‌ଫର୍ମରେ ଲାଗିଲା l ଯାତ୍ରୀ ମନେ ଗାଡିରୁ ଓହ୍ଲାଇ ଯିଏ ଯାହା ଯାଗାକୁ ଯିବାକୁ ଲାଗିଲେ l ଅଭିଜିତ୍‌ ମଧ୍ୟ ଓହ୍ଲାଇଥିଲା ସେହି ଗାଡିରୁ l ସେ ପ୍ଲାଟ୍‌ଫର୍ମରେ ଖୋଜୁ ଥିଲା ତାର ଏକ ପରିଚିତ ମୁହଁକୁ l ଘେରାଏ ଦୁଇ ଘେରା ପ୍ଲାଟ୍‌ଫର୍ମ ଉପରେ ଘୁରିବୁଲି କାହାରିକୁ ଯେତେବେଳେ ନପାଇଲା ସେ ବିରକ୍ତ ହେଲା, ଅଭିମାନ କଲା l ପ୍ଲାଟ୍‌ଫର୍ମ ବାହାରେ ଥିବା ଅଟୋ ଷ୍ଟାଣ୍ଡରୁ ଅଟୋ ଖଣ୍ଡିଏ ଭଡା କରି ଘରକୁ ଆସିଲା l ଇନ୍ଦୁଅପା ପୁଅକୁ ଦେଖି ଖୁସି ହେଲେ କିନ୍ତୁ ପୁଅ ସହିତ ଅନିମେଶଙ୍କୁ ନଦେଖି ବ୍ୟସ୍ତତା ଜାହିର କଲେ l ଅଭିଜିତ ସ୍ପଷ୍ଟ କଲା ଯେ ଅନିମେଶ ଷ୍ଟେସନ ଯାଇ ନଥିଲେ l ଅନିମେଶ ଏହିଭଳି ଦାୟିତ୍ୱ ହୀନ ହେବେ ସେ କଥା କିନ୍ତୁ ଇନ୍ଦୁଅପା ଭାବି ପାରୁନଥିଲେ l ଅନିମେଶଙ୍କ ଫେରିବା ବାଟକୁ ସମସ୍ତେ ଚାହିଁ ରହିବା ଛଡା ସେହି ମୁହୂର୍ତ୍ତରେ ସେମାନଙ୍କ ପାଖରେ ଅନ୍ୟକିଛି ବିକଳ୍ପ ନଥିଲାl

       ଢେର ରାତି ପର୍ଯ୍ୟନ୍ତ ସେଦିନ ଅନିମେଶ ଘରକୁ ଫେରିଲେନି l ସମସ୍ତଙ୍କ ମନକୁ ପାପ ଛୁଇଁଲା l ସେ କେଉଁଠି କେଉଁ ଅବସ୍ଥାରେ ଅଛନ୍ତି ସେ କଥା ଭାବି ଭାବି ଇନ୍ଦୁଅପା ବହୁତ ବିମର୍ଷ ହେଲେ l ରାତି ପାହି ସକାଳ ହେଲା l କିନ୍ତୁ ଅନିମେଶ ଫେରିଲେନି l ସମସ୍ତଙ୍କ ମନରେ ଚଞ୍ଚକତା ବଢି ଯାଇଥାଏ l ସମସ୍ତେ ନିଷ୍ପତ୍ତି କଲେ ପୋଲିସ ଷ୍ଟେସନରେ ଏତଲା ଦାଏର କରିବେ l ଏତଲା ରଖି ପୋଲିସ ତଦନ୍ତ ଆରମ୍ଭ କଲେ l ସାମ୍ବାଦିକମାନେ ପୋଲିସ ପାଖରୁ ସମ୍ବାଦ ସଂଗ୍ରହ କରି ଅତିରଞ୍ଜିତ କରି ବିଭିନ୍ନ ସମ୍ବାଦ ପତ୍ରରେ ଛାପି ଦେଲେ l ଡାକ୍ତର ହରିପଦ ସମ୍ବାଦଟି ପଢି ମର୍ମାହତ ହେଲେ l ସେ ଜାଣିଥିଲେ ଅନିମେଶଙ୍କର ମାନସିକ ଦ୍ୱନ୍ଦ୍ୱ ବିଷୟରେ l ସେ ତୁରନ୍ତ ପହଞ୍ଚିଲେ ଅନିମେଶଙ୍କ ଘରେ l ପରିବାରର ସମସ୍ତଙ୍କ ଉପସ୍ଥିତିରେ ସେ ଅନିମେଶଙ୍କ ମାନସିକ ଦ୍ୱନ୍ଦ୍ୱ ବିଷୟରେ ସୂଚନା ଦେବା ସହିତ ସ୍ପଷ୍ଟ କରିଦେଲେ କି ଅନିମେଶ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ପାଖରେ ସମସ୍ତଙ୍କ ଅଗୋଚରରେ ଚିକିତ୍ସିତ ହେଉଥିଲେ ଓ ତାହା ଗୋପନ ରଖିବାକୁ ତାଙ୍କୁ ଅନୁରୋଧ କରିଥିଲେ୤ l

       ଡାକ୍ତର ହରିପଦଙ୍କ କଥାରେ ଇନ୍ଦୁଅପା ଭାଙ୍ଗି ପଡିଲେ l ଅଭିଜିତ୍‌ ମନେ ମନେ ବିରକ୍ତ ହେଉଥିଲା କି ତାର ବାପା ତାକୁ ବିଶ୍ୱାସକୁ ନେଲେ ନାହିଁ l କାହାରିକୁ ଅବୁଝା ରହିଲାନି ଯେ ଲୋକଲଜ୍ଜ୍ୟାକୁ ଡରି ଅନିମେଶ ଭିତରେ ଭିତରେ କୁହୁଳି ଚାଲିଥିଲେ l ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନିମେଶଙ୍କ ପରି ଜଣେ ଶିକ୍ଷିତ ବ୍ୟକ୍ତି ଯେ ଅନ୍ଧ ବିଶ୍ୱାସର ଶୀକାର ହେଇଯାଇପାରେ ତାହା ଅଭିଜିତ ବା ଅରୁନ୍ଧତୀ କେହି ବିଶ୍ୱାସ କରୁନଥିଲେ l ସମବେଦନା ଜଣେଇବାକୁ ଅନିମେଶଙ୍କ ଘରକୁ ଦପ୍ତର ଲୋକଙ୍କର ଧାଡି ଲାଗିଗଲା l ଅନିମେଶଙ୍କ ସହିତ ତାର ସେଦିନର ଆଲୋଚନାକୁ ମନେ ପକାଇ ଅଜିତ୍‌ ବ୍ୟସ୍ତ ହେଉଥିଲା l ରାଜେଶ ଅନିମେଶଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାରୁ ଟିକିଏ ବି ସୁରାକ ପାଇ ନଥିଲେ କି ସେ କୁଷ୍ଠ ରୋଗରେ ଆକ୍ରାନ୍ତ ବୋଲି l ଏହି ଭଳି ଏକ ଦୁଃଖଦ ପରିସ୍ଥିତି ଭିତରେ ଥାନା ବାବୁ ଖବର ଦେଲେ ଇନ୍ଦୁଅପାଙ୍କୁ ଥାନାରେ ଉପସ୍ଥିତ ହେବାକୁ କାରଣ ସେ ସହରର ମୁଖ୍ୟ ରାସ୍ତା କଡରୁ ଜବତ କରିଥିବା ଏକ ଶବକୁ ଚିହ୍ନଟ କରିବାର ଜରୁରୀ ଆବଶ୍ୟକ ଥିଲା l ( ସମାପ୍ତ)



Rate this content
Log in

Similar oriya story from Tragedy