Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Santosh Kumar Misra

Tragedy Inspirational

3  

Santosh Kumar Misra

Tragedy Inspirational

ଅପହଞ୍ଚ ସ୍ବରାଜ

ଅପହଞ୍ଚ ସ୍ବରାଜ

8 mins
25



ଫୁଟ୍‌ପାଥ ଉପରେ ଠିଆ ରହିଥିବା ବତୀଖୁଣ୍ଟକୁ ଆଉଜି ବସିଥିଲା ଚାରୁ । ଦିନସାରାର ହାଡଭଙ୍ଗା ପରିଶ୍ରମ ପରେ ଆଉ ଅଧିକ ଚଳ ପ୍ରଚଳ ହେବା ପାଇଁ ତା’ ପାଖରେ ଯେମିତି କିଛି ବି ଶକ୍ତି ନଥିଲା । ଯାହା କିଛି ସେଦିନ ସେ ମୂଲ ଲାଗି ରୋଜଗାର କରିଥିଲା ସେଥିରେ ସେ ତା’ ରୋଗୀଣା ସ୍ବାମୀର ଔଷଧ ଖର୍ଚ୍ଚ ଓ ତା’ର ପିଲା ଦୁଇଟିର ଖାଇବା ଖର୍ଚ୍ଚ ଟି ଯଥାକେଥା ତୁଲେଇ ଦେଇ ପାରିଥିଲା । କିନ୍ତୁ ନିଜେ ପିଲାମାନଙ୍କର ଅଇଁଣ୍ଠା ତୋରାଣୀ ପିଇଦେଇ ପରଦିନ କାମ ଖୋଜିବା ପାଇଁ ସେ ନିଜକୁ ପ୍ରସ୍ତୁତ କରିବା ପରିପ୍ରେକ୍ଷୀରେ ଟିକିଏ ଆଉଜି ଯାଇଥିଲା ବତୀ ଖୁଣ୍ଟଟିକୁ ।


ପରଦିନ ଥିଲା ପନ୍ଦର ଅଗଷ୍ଟ । ଭାରତର ସ୍ବାଧିନତା ଦିବସ । ଏହି ଦିନଟିକୁ ଉତ୍ସବ ମୁଖର କରିବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଥିଲା । ଚାରୁ ବସିଥିବା ବତୀଖୁଣ୍ଟ ଠାରୁ ଅଳ୍ପଦୂରରେ ଫୁଟ୍‌ପାଥ ଉପରେ ବସ୍ତା ବସ୍ତା ଫୁଲରେ ତିଆରି ଚାଲିଥିଲା ମାଳ ଆଉ ତୋଡା । ଅନେକ ଦିନରୁ ସଫା ହେଇ ପାରିନଥିବା ନାଳରେ ରାତାରାତି ଛିଞ୍ଚା ଯାଉଥିଲା ଦି ଚାରି ବୁନ୍ଦା ଲେଖାଏଁ ମଶାମରା ତେଲ । ଅନେକ ଦିନରୁ ଓଳା ଯାଇ ପାରି ନଥିବା ସଡକ ଉପରେ ରାତି ହେଲେବି ମାତି ଯାଇଥିଲେ କିଛି ମଦୁଆ ଟୋକା ଝାଡୁଧରି ପହଁରି ଦେବା ପାଇଁ କିଛି ମଜୁରୀ ସହିତ ଦୁଇ ତିନି ବୋତଲ ଦେଶୀ ମଦର ଲୋଭରେ । କେହି କେହି ବିଞ୍ଛି ଲାଗିଥିଲେ ପହଁରା ସରିଥିବା ରାସ୍ତା ଉପରେ ମୁଠାଏ ମୁଠାଏ ବ୍ଲିଚିଂ ପାଉଡର ବା ଡିଡିଟି ଗୁଣ୍ଡ ।


ଚାରୁର ପେଟରେ ଏତେ ଭୋକ ଥିଲା ଯେ ଭୋକ ଯନ୍ତ୍ରଣାରେ ସେ ଏ ସବୁ ବୁଝିବା ସମ୍ଭବ ହେଉନଥିଲା । ସେ ଜାଣି ପାରୁ ନଥିଲା ଏହି ସବୁ ଆୟୋଜନର ଗୁରୁତ୍ବ କଅଣ । ସ୍ବାଧିନତା କହିଲେ କଅଣ ବୁଝାଏ ସେ ଜାଣି ପାରୁ ନଥିଲା । ସ୍ବାଧିନତା ଶବ୍ଦର ଅର୍ଥ କଅଣ ବା ତାର ମହତ୍ତ୍ବ କି ମାଦକତା କଅଣ ସେ ସବୁ ଆଡେ ଚାରୁର ନଜର ନଥିଲା । କାରଣ ସେତେବେଳେ ତା’ ମୁଣ୍ଡରେ ତା ପରିବାର ପାଇଁ ଆସନ୍ତା କାଲି ସକାଳର ଅନ୍ନ ସଂସ୍ଥାନ ର ଚିନ୍ତା ଜମି ସାରିଥିଲା । ଆଖିରେ ଆଖିଏ ଲୁହ ଚାପି ଚାରୁ ବିକଳ ରେ ଚାହିଁ ରହିଥିଲା ପାଖରେ ସେହି ଫୁଟ୍‌ପାଥ ଉପରେ ଖୋଲା ଆକାଶ ତଳେ ଶୋଇ ରହି ଯନ୍ତ୍ରଣାରେ ଛଟପଟ ହେଉଥିବା ତା’ର ସ୍ବାମୀକୁ ଓ ଦରଖିଆ ପେଟରେ ଫୁଙ୍ଗୁଳା ଦେହରେ ଭୂଇଁରେ ଲୋଟୁଥିବା ତା’ର କଅଁଳା ପିଲା ଦୁଇଟାଙ୍କୁ । ଆଉ କିଛି ଚିନ୍ତା କରିବା ଆଗରୁ ଅବଶ ଆଖିରେ ବି ତା’ର ଖୁନ୍ଦି ହେଇଯାଇ ଥିଲା ମେଞ୍ଚା ମେଞ୍ଚା ନିଦ ହୁଏତ ଆସନ୍ତା କାଲିର ଜୀବନ ପାଇଁ କିଛି ମଧୁର ସ୍ବପ୍ନ ଦେଖିନେବାକୁ ।


ଭୋର ଭୋରରୁ ଚାରୁର ନିଦ ଭାଙ୍ଗି ଗଲା ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର ହେବା ପରେ । ଗଲା ଦିନ ମାନଙ୍କରେ ଚାରୁ କେବେ ବି ଶୁଣି ନଥିଲା ଭୋର ସମୟରେ ରାମଧୂନ ପ୍ରଚାର କରାଯିବା । ଆଜି ରାମଧୂନ ପ୍ରଚାର କାନରେ ପଡିଯିବା ପରେ ଚାରୁ ଆଶ୍ଚର୍ଯ୍ୟ ହେଉଥିଲା । ସେ ମନେ ମନେ ଭାବୁଥିଲା କେବେବି ତ ରାମଧୂନ ପ୍ରଚାର ହେଉନଥିଲା, ତେବେ ଆଜି କାହିଁକି? ତା’ ମନରେ ଉଙ୍କି ମାରୁଥିବା ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଚାରୁ ଦେଖିଲା ଦୁଇଟା ପିଲା ଖୁବ୍‌ ବେପରୁଆ ଭାବରେ ଝାଡୁ ଧରି ଫୁଟ୍‌ପାଥକୁ ଓଳେଇ ଆଣୁଛନ୍ତି । ସେମାନେ ଫୁଟ୍‌ପାଥ ଉପରେ ଶୋଇ ଥିବା ଗରୀବ ମଳିମୁଣ୍ଡିଆ ଲୋକଙ୍କୁ ଦେଖି ଅନାଦେଖା କରି ଓଳେଇ ଚାଲିଛନ୍ତି । ଚାରୁ ନିରବରେ ଆଡେଇ ଦେଲା ତା’ର ପିଲାମାନଙ୍କୁ । ନିକଟସ୍ଥ ପ୍ୟାରେଡ୍‌ ପଡିଆରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦେଶାତ୍ମବୋଧକ ଗୀତର ଧ୍ବନୀ ଦେହ ଆଉ ମନରେ ରୋମାଞ୍ଚ ଖେଳେଇ ଦେଉଥିଲା ।

ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରିଦେଇ ପିଲା ଦୁଇଟାଙ୍କୁ ତା’ର କୋଳେଇ କାଖେଇ ପଡିଆ ପାଖକୁ ଧାଇଁ ଯାଇଥିଲା ଚାରୁ । ଇଚ୍ଛାଥିଲା ତାର ଦେଖିବାକୁ କି ଆଜି କଅଣ ପାଇଁ ସମସ୍ତେ ଏତେ ଖୁସି ଜାହିର କରି ଚାଲିଛନ୍ତି ସକାଳୁ ସକାଳୁ । ସମସ୍ତେ ଆଜି ଏତେ ଉଲ୍ଲସିତ କାହିଁକି? ଚାରୁ ନିଜକୁ ରୋକି ନପାରି ପାଖରେ ଠିଆ ହେଇଥିବା ଅବିନାଶକୁ ପଚାରିଲା:


-------- ଆଜି କଅଣ ହେଇଛି କି ବାବୁ? ଲୋକମାନେ ଏତେ ଖୁସି ହେଉଛନ୍ତି କାହିଁକି? ସମସ୍ତେ ଏଠି କଅଣ ପାଇଁ ଏକାଠି ହେଉଛନ୍ତି?

ଚାରୁର ପ୍ରଶ୍ନ ଗୁଡା ଏମିତି କିଛି ଆଶ୍ଚର୍ଯ୍ୟ ପୂର୍ଣ୍ଣ ପ୍ରଶ୍ନ ନଥିଲା ଅବିନାଶ ପାଇଁ । ତଥାପି ଖୁବ୍‌ କୌତୁହଳ ସହିତ ଅବିନାଶ ଚାରୁକୁ ଦେଖୁଥିଲା । ହୁଏତ ସେ ଭାବୁଥିଲା ସ୍ବାଧିନତା ପ୍ରାପ୍ତିର ତେସ୍ତରି ବର୍ଷ ପରେ ମଧ୍ୟ ଏ ମାଟିର ଲୋକଙ୍କ ମୁହଁରେ ଏହି ଭଳି ପ୍ରଶ୍ନ କାହିଁକି ? ସେ ପୁଣି ଭାବୁଥିଲା ଚାରୁ କଅଣ ସତରେ ଜାଣି ପାରିନି ଏ ଯାଏଁ ଯେ ଆଜି ହେଉଛି ସ୍ବାଧିନତା ଦିବସ ଓ ଆଜିର ଦିନ ରେ ଆମେ ଦୀର୍ଘ ଦୁଇ ଶହ ବର୍ଷର ଦାସତ୍ବ କବଳରୁ ନିଜକୁ ମୁକ୍ତ କରି ପାରିଥିଲୁ ଏବଂ ଖାସ୍‌ ସେଇଥିପାଇଁ ଆଜି ଦିନଟି ଏତେ ଉତ୍ସବ ମୁଖର ହୋଇ ଉଠିଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଅନୂଢା ଚେଷ୍ଟାରେ । ଅବିନାଶ ଚିନ୍ତା କରି ପାରୁ ନଥିଲା ଚାରୁକୁ କିଭଳି ଭାବରେ ବୁଝାଇ ଦେବ ଆଜିର ଦିନଟିର ଗୁରୁତ୍ବ କଅଣ? କଅଣ ପାଇଁ ଆଜି ଲୋକମାନେ ଏତେ ଖୁସି ଅଛନ୍ତି?


ଅବିନାଶର ଜେଜେ ଥିଲେ ଜଣେ କ୍ରାନ୍ତିକାରୀ, ସ୍ବାଧିନତାସଂଗ୍ରାମୀ । ସେ ତାଙ୍କ ଠାରୁ ଶୁଣିଥିଲା ସେ ସମୟର ଅନେକ ରୋମାଞ୍ଚ ଭରା କାହାଣୀ । ସେତେବେଳେ ଶାସନ କରୁଥିବା ସରକାର କୁଆଡେ ଲୋକମାନଙ୍କୁ ଛେଳି କି ମେଣ୍ଢା ପରି ବ୍ୟବହାର କରୁଥିଲେ । ପୋକ ମାଛି ପରି ଗୁଳି କରୁଥିଲେ । ଆମର ପୂର୍ବଜ ମାନେ ସେହି ସବୁ ନାରକୀୟ ଅତ୍ୟାଚାର ବିରୁଦ୍ଧରେ ସଂଗଠିତ ହୋଇଥିଲେ । ନିଜେ ନିଜକୁ ଶାସନ କରିବାର ଇଚ୍ଛା ନେଇ ଆନ୍ଦୋଳନ କରିଥିଲେ । ପରାଧିନତର ଗ୍ଲାନିରୁ ନିଜକୁ ମୁକ୍ତ କରିବା ପାଇଁ ଐକ୍ୟବଦ୍ଧ ଭାବରେ ବିଦ୍ରୋହ କରିଥିଲେ । କି ଗରୀବ କି ଧନୀ ସମସ୍ତେ ହାତରେ ହାତ ଥାପି କାନ୍ଧକୁ କାନ୍ଧ ଯୋଖି ଆଗେଇ ଆସିଥିଲେ ଲମ୍ଫ ଦେବାକୁ ଏକ ସ୍ବଦେଶୀ ଅନ୍ଦୋଳନରେ । ସମସ୍ତେ ଆଶା କରିଥିଲେ ସୃଷ୍ଟି କରିବେ ଏକ ରାମ ରାଜ୍ୟ ଯେଉଁଠି ଲୋକମାନେ ନିଜେ ନିଜକୁ ଶାସନ କରିବେ ନିଜର ଏକ ନିର୍ବାଚିତ ସରକାର ଜରିଆରେ । କାହା ପାଇଁ କି ହେଲେ ଦାନା କନା କି ଆଶ୍ରୟର ଅଭାବ ରହିବ ନାହିଁ । ଅବିନାଶ ଚିନ୍ତା କରି ପାରୁ ନଥିଲା ସ୍ବାଧିନତାର ତେସ୍ତରି ବର୍ଷ ପରେ ପୂର୍ବଜମାନଙ୍କର ଦେଖିଥିବା ସ୍ବପ୍ନ କେତେଦୂର ସାର୍ଥକ ହୋଇ ପାରିଛି କାରଣ ସେ ଶହ ଶହ ଚାରୁଙ୍କର ବାସ୍ତବ ଭୋକର ଦାଉକୁ ଅନୁଭବ କରି ପାରିଛି ସହର ତଳି ବସ୍ତି ଅଞ୍ଚଳରେ, ରାସ୍ତା କଡର ଫୁଟ୍‌ପାଥ ଉପରେ ଆଉ ରେଳ ଷ୍ଟେସନର ନିରୋଳା ପ୍ଲାଟ୍‌ଫର୍ମ ଉପରେ । ଅବିନାଶର ସମସ୍ତ ଚିନ୍ତାରେ ଭଟ୍ଟା ଟାଣି ଦେଇ ଜନ ସମୁଦ୍ର ମାଡି ଯାଉଥିଲେ ପଡିଆରେ ଦିଆଯାଇଥିବା ବ୍ୟାରିକେଡ୍‌ ଆଡକୁ । ସମସ୍ତଙ୍କ ମୁହ୍ଁରେ ଗୋଟିଏ କଥା ନେତା ଆସିଗଲେ । ବର୍ତ୍ତମାନ ପତ୍ତାକା ଉତ୍ତୋଳନ ହେବ , ପୋଲିସ୍‌ ବ୍ୟାଣ୍ଡ ସହିତ ସମତାଳରେ ମାର୍ଚ୍ଚପାଷ୍ଟ ହେବ । ଚାହୁଁ ଚାହୁଁ ପୋଲିସ୍‌ ବ୍ୟାଣ୍ଡ୍‌ର ଧ୍ବନୀରେ ଗୁଞ୍ଜରୀ ଉଠିଲା ଜାତୀୟ ସଙ୍ଗୀତ । ପ୍ରବଳ ହର୍ଷ ଧ୍ବନୀ ମଧ୍ୟରେ ଫର ଫର ହୋଇ ଉଡିବାକୁ ଲାଗିଲା ଆମ ଗର୍ବ ଓ ଗୌରବର ତ୍ରିରଙ୍ଗା ।


ଅବିନାଶ ଦେଖୁଥିଲା ସମସ୍ତଙ୍କ ସହିତ ଏକ ହୋଇ ତାଳି ମାରୁଥିଲେ ଚାରୁ ଏବଂ ତା’ର ପିଲାମାନେ । ଅଳ୍ପ ସମୟ ପୂର୍ବରୁ ସ୍ବାଧିନତର ଅର୍ଥ ଖୋଜୁଥିବା ଚାରୁର ସ୍ବତଃସ୍ଫୁର୍ତ୍ତ ଆନନ୍ଦ ଦେଖି ଅବିନାଶ ଅବଶ୍ୟ ଆଶ୍ଚର୍ଯ୍ୟ ହେଉଥିଲା । ସେ ଦେଖୁଥିଲା ଏହି ଦେଶର ଏକ ପ୍ରତୀକାୟିତ ନିସ୍ବ ଅନ୍ୟର ଖୁସିରେ ଆତ୍ମ ହରା ହୋଇ ଭୁଲି ଯାଇଛି ତା ନିଜର ଭୋକକୁ । ସେ ପୁଣି କଳନା କରୁଥିଲା ଏ ଦେଶର ପ୍ରତ୍ୟେକ ଗରୀବ ପିଲାର ସିଂଘାଣି ବୋଳା କାନ୍ଦୁରା ମୁହଁ , ପିଠିକୁ ଲାଗି ଯାଉଥିବା ପେଟ, ଗଣି ହେଇ ଯାଉଥିବା ପିଞ୍ଜରା ହାଡ ଆଉ ତାର କାଉଁରିଆ କାଠି ପରି ହାତରେ ଗୋଟାଏ ଟୋଲା ଗିନା ର ଛବି ବିକି ରାତାରାତି କୋଟିପତି ହେବାର ମୋହଯୁକ୍ତ ପ୍ରୟାସକୁ । ଅବିନାଶ ଉତ୍ସବ ପାଇଁ ପ୍ରସ୍ତୁତ ମଞ୍ଚରେ ଦେଖୁଥିଲା ଦାରିଦ୍ର୍ୟତାର ଛାତି ଚିରି ଉତ୍ତୁରି ଆସୁଥିବା ଏକ ନିଃସ୍ବାର୍ଥପରତାର ସଂସ୍କୃତି ସହିତ ଏକ ସ୍ବାର୍ଥାନ୍ଧ ବାସନାର ଅପୂର୍ବ ଯୁଗଳବନ୍ଦୀକୁ ।


ଅବିନାଶର ଅନ୍ୟମନସ୍କତା ଦୂର ହେଲା ପୋଲିସ୍‌ ବ୍ୟାଣ୍ଡର ଧ୍ବନୀରେ ।

ଆଗରେ ତା’ର ଯାଉଥିଲେ ନେତା ଏକ ସୁସଜ୍ଜିତ ଖୋଲା ଗାଡିରେ ପ୍ୟାରେଡ୍‌ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିବାକୁ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳ ମାନଙ୍କ ଠାରୁ । ଅବିନାଶ ମନରେ ଦ୍ବନ୍ଦ୍ବ ହେଲା ଇଏ କଅଣ ତେବେ ସେହି ନେତା ଯିଏ ତାଙ୍କର ନିର୍ବାଚନୀ ସଭା ମାନଙ୍କରେ ଓଜଃସ୍ବିନୀ ଭାଷଣ ଦେଇ କହୁଥିଲେ ତୁମେ ମୋତେ ଭୋଟ ଦିଅ, ମୁଁ ତୁମ ସମସ୍ତଙ୍କର ପେଟକୁ ଦାନା, ପିଠିକୁ କନା ଦେବି । ଟାଇଲ ଛପର ଘର ଦେବି । ତୁମ ସମସ୍ତଙ୍କୁ ମୋରି କାନ୍ଧରେ ବୋହି ନେବି ଆଗାମୀ ଦଶକର ଏକ ସମୃଦ୍ଧ ଓଡିଶାକୁ । ସୁସଜ୍ଜିତ ଗାଡି ଉପରେ ଦଣ୍ଡାୟମାନ ନେତାଙ୍କ ବିଳାସ ପୂର୍ଣ୍ଣ ପରିପାଟୀକୁ ଦେଖି ଅବିନାଶର ମନେ ହେଉ ଥିଲା କି ନେତା ଏହା ଭିତରେ ହୁଏତ ଭୁଲି ଯାଇଛନ୍ତି ତାଙ୍କ ନିର୍ବାଚନୀ ସଭାରେ ଜନତାଙ୍କୁ ଦେଇଥିବା ଭରଷାର କଥା । ପ୍ରାଚୁର୍ଯ୍ୟରେ ବୁଡି ରହି ନେତା ହୁଏତ ଭୁଲି ଯାଇଛନ୍ତି ଏ ଦେଶର କୋଟି କୋଟି ମଳିମୁଣ୍ଡିଆଙ୍କର ଭୋକିଲା ପେଟକୁ, ଫୁଙ୍ଗୁଳା ଦେହକୁ ଆଉ ତାଙ୍କ ଘରର ଭଙ୍ଗା ଛାତକୁ । ଅବିନାଶର ଏହି ଭାବନା ପାଇଁ ନେତା ହିଁ ନିଜେ ଖୋରାକ ଯୋଗେଇ ଦେଇଛନ୍ତି କାରଣ ନେତା କୌଣସି ସହର ବଜାର, ବସ୍ତି କି ଗାଁ ଗଣ୍ଡାରେ କେବେ ବି ଖାଲି ପାଦରେ କିମ୍ବା ନିର୍ବାଚନୀ ସଭାରେ ପିନ୍ଧି ଥିବା ଚିରାଫଟା କୁର୍ତ୍ତାକି ପାଇଜାମାପିନ୍ଧି ସାଧାରଣ ଜନତାଙ୍କ ଗହଳି ଭିତରେ କେବେ ଘୁରି ବୁଲିବା କେହି ଦେଖି ନହାନ୍ତି ।


ଅବିନାଶ ସବୁ ବେଳେ ଦେଖିଛି ନେତାଙ୍କୁ ସୁଟ୍‌ ବୁଟ୍‌ରେ, ଏକ ବଳିଷ୍ଠ ସୁରକ୍ଷା ବଳୟ ଭିତରେ, ଶୀତ ତାପ ନିୟନ୍ତ୍ରିତ ଗୁଳି ପ୍ରତିରୋଧକ କାର ଭିତରେ ଅବା କୌଣସି ପଞ୍ଚ ତାରାକା ବିଳାସ ପୂର୍ଣ୍ଣ ହୋଟେଲ ଭିତରେ । ଅବିନାଶ ଅନୁମାନ କରି ପାରୁଥିଲା ସାଧାରଣ ମଣିଷଟିର ଆପତ୍ତି ଅଭିଯୋଗ ନେତାଙ୍କ ପାଖରେ ପହଞ୍ଚିବା ଆଗରୁ କିପରି ମିଳେଇ ଯାଉଛି ଅନେକ ଅପ୍ରତ୍ୟାଶିତ ବତାଶ ଭିତରେ । ଅବିନାଶର ଏହି କଳ୍ପନା ଜଳ୍ପନା ଭିତରେ ନେତା ସହାସ୍ୟ ବଦନରେ ବିନମ୍ର ପ୍ରଣିପାତ କରୁଥିବା ମୁଦ୍ରାରେ ଆଖି ଆଗରୁ କ୍ରମଶଃ ଅପସରି ଯାଉଥିଲେ ଗୋଟିଏ ପରେ ଗୋଟିଏ ଦଳକୁ ପଛରେ ଛାଡିଦେଇ ଏକ ନିଶ୍ଚିତ ଅଚିହ୍ନା ଅଚିହ୍ନା ପରିବେଶ ଭିତରକୁ ।


ନେତା ମଞ୍ଚରେ ଉଦ୍‌ବୋଧନ ଦେବା ଲଗି ଛିଡା ହେବା ମାତ୍ରକେ ସଭା ସ୍ଥଳ କମ୍ପି ଉଠିଲା କରତାଳି ଓ ନେତା ଜିନ୍ଦାବାଦ ଧ୍ବନୀରେ୍ । ଅବିନାଶ ପରଖୁ ଥିଲା ନେତାଙ୍କ ଭାଷଣ ଶୁଣିବା ପାଇଁ ଚାରୁ ଏବଂ ତା’ର ପିଲାମାନଙ୍କର ଉତ୍କଣ୍ଠାକୁ । ଅନୁମାନ କରା ଯାଉଥିଲା ନେତାଙ୍କର ଭୁଆଁବୁଲା ପ୍ରତିଶୃତିରେ ଏ ଦେଶର ଚାରୁମାନେ ହୁଏତ ପୁଣି ଥରେ ଆଶାବାଦୀ ହୋଇ ଉଠିବେ କି ଏହାପରେ ସେମାନଙ୍କର ଦୁଃଖ ଘୁଞ୍ଚି ଯିବ । ସେମନଙ୍କର ପିଲାଙ୍କର ଦରଖିଆ ପେଟକୁ ମୁଠାଏ ଦାନା, ଫୁଙ୍ଗୁଳା ପିଠିକୁ ଚାଖଣ୍ଡେ କନା ଓ ମୁଣ୍ଡ ଉପରକୁ ଖଣ୍ଡେ ଛାତ ହୁଏତ ମିଳି ଯାଇ ପାରିବ । ସେମାନଙ୍କର ରୋଗୀଣା ସ୍ବାମୀମାନେ ହୁଏତ ଟିକିଏ ସହଜ ଚିକିତ୍ସା ପାଇଯାଇ ପାରିବେ ।


ନେତା ତାଙ୍କର ଭାଷଣ ପ୍ରସଙ୍ଗରେ ପୁନଃରାବୃତ୍ତି କରୁଥିଲେ ଆମ ପୂର୍ବ ସୂରୀ ମନଙ୍କର ତ୍ୟାଗକୁ । ପ୍ରଣାମ କରୁଥିଲେ ସେହି ପ୍ରାତଃ ସ୍ମରଣୀୟ ମହାତ୍ମାମାନଙ୍କୁ ଯାହାଙ୍କର ବଳିଷ୍ଠ ତ୍ୟାଗ ଓ ନେତୃତ୍ବ ଫଳରେ ଆମେ ପାଇଥିଲେ ସ୍ବରାଜ । ନେତା ଅବଶ୍ୟ ଭୁଲି ଯାଇନଥିଲେ ଉପସ୍ଥିତ ଜନତାଙ୍କୁ ମନେ ପକାଇ ଦେବା ପାଇଁ କି ପରାଧିନ ଭାରତରେ ସମସ୍ତେ ସମ୍ମୁଖୀନ ହେଇଥିବା ଅତ୍ୟାଚାର ଓ ବର୍ତ୍ତମାନର ସ୍ବରାଜରେ ସେମାନେ ପାଇ ପାରିଥିବା ମୌଳିକ ଅଧିକାର ଗୁଡିକ ମଧ୍ୟରେ ପାର୍ଥକ୍ୟକୁ । ଉଚ୍ଛୁଳା କରତାଳି ଓ ଜିନ୍ଦାବାଦ ଧ୍ବନି ଭିତରେ ନେତା ଉଲ୍ଲସିତ ହେଇ କହି ଚାଲିଲେ ଆମେ ଅବଶ୍ୟ ଗରୀବ କିନ୍ତୁ ଏହା କଦାପି ଆମର ଅଭାବନୀୟ ପରିସ୍ଥିତିର ପ୍ରତିଛବି ନୁହେଁ ବରଂ ଏହା ସଂସାରର ସମସ୍ତ ଆମୋଦ ଯୁକ୍ତ ବସ୍ତୁର ସ୍ବେଚ୍ଛାକୃତ ପରିତ୍ୟାଗର ଏକ ନିଚ୍ଛକ ରୂପରେଖ । ନେତାଙ୍କ କଥା ନସରୁଣୁ ତାଙ୍କ ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ବାଜି ଉଠୁଥିବା କରତାଳି ହଠାତ୍‌ ଥମିଗଲା । ସଭାରେ ଥିବା ସବୁ ଲୋକ ପରସ୍ପରକୁ ଅଭାବନୀୟ ଢଙ୍ଗରେ ଚହାଁ ଚହିଁ ହେଲେ । ଅବିନାଶ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ଚିହିଁକି ଉଠିଲା । ଚାରୁ କୁ ଚାହିଁ ସେ ଭାବୁ ଥିଲା ନିମ୍ନତମ ଜରୁରୀ ଅବଶ୍ୟକତାରୁ ବଞ୍ଚିତ ଚାରୁ ସତରେ କଅଣ ସ୍ବଇଚ୍ଛାରେ ବର୍ଜନ କରିଦେଇଛି ମୁଠାଏ ଭାତ, ଗଜେ କନା ଅବା ତା’ ମୁଣ୍ଡ ଉପରେ ଖଣ୍ଡେ ଛାତକୁ ଆମୋଦ ଯୁକ୍ତ ବସ୍ତୁ ଭାବରେ? ସତରେ କଅଣ ସ୍ବେଚ୍ଛାକୃତ ଭାବରେ ସେ ଲୋଟେଇ ଦେଇଛି ତାର ରୋଗୀଣା ସ୍ବାମୀ ଓ ଲଙ୍ଗଳା ପିଲାଙ୍କୁ ରାଜଦାଣ୍ଡରେ ଫୁଟ୍‌ପାଥ ଉପରେ ଆମୋଦ ଯୁକ୍ତ ବସ୍ତୁ ସବୁକୁ ପରିତ୍ୟାଗ କରି ପାରିଥିବାର ଆତ୍ମ ତୃପ୍ତିରେ?


ଅବିନାଶର ମନେ ପଡୁଥିଲା ତାର ଜେଜେଙ୍କର କଥା । ତାଙ୍କ ଠାରୁ ଶୁଣିଥିବା ଗାନ୍ଧିଜୀଙ୍କ ଦିଆ ସ୍ବରାଜର ସଂଜ୍ଞାକୁ ବରମ୍ବାର ମନେ ମନେ ଦୋହରାଉଥିଲା ଅବିନାଶ ଅନ୍ତତଃ ଥରେ ବୁଝିନେବା ପାଇଁ ଏ ଦେଶର ଚାରୁ ମାନଙ୍କର ବର୍ତ୍ତମନର ସ୍ଥିତି ସହିତ ତଥା କଥିତ ସ୍ବାଧିନତାକୁ ଏବଂ ବିଗତ ତେସ୍ତରି ବର୍ଶରେ ସେମାନଙ୍କୁ ମିଳିଥିବା ସ୍ବରାଜ ଦତ୍ତ ଫାଇଦାର ତାଲିକାକୁ । ଏ ଦେଶର ଚାରୁ ମାନେ ପାଇଥିବା ସାମ୍ବିଧାନିକ ଅଭୟୋକ୍ତି ପରିପ୍ରେକ୍ଷିରେ ଅବିନାଶ ବିଶ୍ଲେଷଣ କରିବାକୁ ଚାହୁଁଥିଲା ସେମାନେ ସ୍ବେଚ୍ଛାକୃତ ଭାବେ ପରିତ୍ୟାଗ କରି ପାରିଥିବା ସେମାନଙ୍କର ପ୍ରତ୍ୟେକ ଆମୋଦଜୁକ୍ତ ବସ୍ତୁ--- ମୁଠାଏ ଭାତ, ଚାଖଣ୍ଡେ କନା ଆଉ ଟିକିଏ ଆଶ୍ରୟକୁ । ଉତ୍ସବ ସରି ଆସୁଥିଲା । ପଡିଆ ଭିତର ଭିଡ କମି ଯାଉଥିଲା । ଅବିନାଶ ଦେଖୁଥିଲା ସ୍ବାଧିନତାର କ୍ଷଣିକ ମାଦକତାରେ ଉନ୍ମତ୍ତ ଥିବା ଚାରୁ ତରବର ପାଦରେ ଫେରି ଯାଉଥିଲା ଫୁଟ୍‌ପାଥ ଉପରକୁ । ତା ମୁଣ୍ଡରୁ ଦେଶତ୍ମବୋଧର ଭୂତ ଓହ୍ଲାଇଗଲା ପରେ ଚାରୁ ହୁଏତ ଆଣ୍ଡାଳୁଥିଲା ସ୍ବରାଜରୁ ସେ ପାଇବାକୁ ଥିବା ଫାଇଦାରୁ କାଣିଞ୍ଚାଏ କିନ୍ତୁ ଅବିନାଶ ସମୀକ୍ଷା ଆରମ୍ଭ କରୁଥିଲା ଜାଣିବାକୁ ଚାରୁ ପାଇଁ ସ୍ବରାଜ କେତେ ଅପହଞ୍ଚ ସତେ । ( ସମାପ୍ତ)



Rate this content
Log in

More oriya story from Santosh Kumar Misra

Similar oriya story from Tragedy