Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Santosh Kumar Misra

Inspirational

3  

Santosh Kumar Misra

Inspirational

ବଦ୍‌ଶାହା ଭିନ୍ନ ଏକ ପୃଥିବୀର

ବଦ୍‌ଶାହା ଭିନ୍ନ ଏକ ପୃଥିବୀର

9 mins
24



            ସକାଳୁ ସକାଳୁ ରେଲ୍ୱେ ପ୍ଲାଟ୍‌ଫର୍ମ ରେ ଖୁବ୍‌ ଭିଡ ଜମି ଯାଇଥିଲା। ଜମା ହେଇଥିବା ଲୋକମାନେ ପରସ୍ପରକୁ ଠେଲାପେଲା କରି ଦେଇ ଆଗକୁ ଦଉଡି ଯିବାର ଚେଷ୍ଟାରେ ରହିଥାଆନ୍ତି। ସମସ୍ତଙ୍କ ନଜର ରହିଥାଏ ପ୍ଲାଟ୍‌ଫର୍ମର ସେହି ପୁରୁଣା ବରଗଛ ମୂଳର ଚଉତରା ଉପରେ। ସମସ୍ତଙ୍କ ମନରେ ରହିଥିବା ଉତ୍କଣ୍ଠା ବେଶ ବାରି ହେଇ ଯାଉଥିଲା। ଯେଉଁ ମାନେ ଠେଲା ପେଲା କରି ଚଉତରା ପାଖେ ପହଞ୍ଚି ଗଲେ ସେମାନେ ତଙ୍କ ଆଖିକୁ ବିଶ୍ବାସ କରି ପାରୁ ନଥାଆନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା:

 -------- ଏମିତି କଅଣ ହେଇପାରେ? ଆମର ସୁରକ୍ଷା ତେବେ କଅଣ?

ବେଳକୁ ବେଳ ଭିଡ ବଢୁଥାଏ ଆଉ ତା’ ସହିତ ଏକ ଶଙ୍କାୟିତ କୋଳାହଳ ମଧ୍ୟ ବଢି ବଢି ଚାଲିଥାଏ। ଲୋକ ମାନଙ୍କ ଭିତରେ ରହିଥିବା ଚାପା ଉତ୍ତେଜନା ମଧ୍ୟ ସ୍ପଷ୍ଟ ବାରି ହେଇ ଯାଉଥାଏ। ସମସ୍ତେ ଚାହିଁ ରହିଥାଆନ୍ତି ଚଉତରା ଉପରେ ପଡି ରହିଥିବା ଅବ୍‌ଦୁଲ୍‌ ରଜାକ୍‌ର ମୃତ ଶରୀରକୁ ଆଉ ସେ ଶବକୁ ଆବୋରି ବସି ଅନବରତ ଲୁହ ଢାଳୁଥିବା ଲକ୍ଷ୍ମୀ ଓ ସଲିମ୍‌ ଭାଇକୁ।

            ସଲିମ୍‌ ଭାଇ ବିଶ୍ବାସ କରି ପାରୁନଥାଏ ଯେ ଅବ୍‌ଦୁଲ୍‌ ରଜାକ୍‌ ଆଜି ମୃତ। ରେଳ ଲାଇନ୍‌ ଉପରୁ ଗୋଟେ ପରିତ୍ୟକ୍ତ ଶିଶୁକୁ ଗୋଟେଇ ଆଣି ଆଜିକୁ ବାଇଶ ବର୍ଷ ହେଲା କୋଳେଇ କାଖେଇ ସେ ମଣିଷ କରିଛି। ତା’‌ର ସ୍ନେହ ମମତା, ଶ୍ରଦ୍ଧା ଓ ପରିଶ୍ରମ ଏ ସବୁ ତେବେ କଅଣ ବୃଥା ହେଇଗଲା? ସଲିମ୍‌ ଭାଇ ଭାବୁଥିଲା ବର୍ଷ ବର୍ଷ ଧରି ଖୋଲା ପ୍ଲାଟ୍‌ଫର୍ମରେ ପଡିରହି ପ୍ରତ୍ୟେକ ପରିସ୍ଥିତି ସହିତ ଅହରହ ସଂଘର୍ଷ କରି କରି ବଞ୍ଚିବାକୁ ଚେଷ୍ଟା କରୁଥିବା ଜଣେ ଅଲୋଡା ମଣିଷ, କାହାର ବା’ କଅଣ କ୍ଷତି କରି ପାରେ? ଏ ସମାଜ ତେବେ କଅଣ ନିରୀହ ଲୋକ ମାନଙ୍କର ରକ୍ତରେ ରଞ୍ଜିତ ହେବାକୁ ଚାହେଁ? ସଲିମ ଭାଇର ଆଖିରୁ ଲୁହ ଶୁଖୁ ନଥିଲା। ସେ ତାର ଦୁଇ ହାତ ଉପରକୁ ଟେକି ଦେଇ ହୁଏତ ଖୁଦାଙ୍କୁ ପ୍ରର୍ଥନା କରି କହୁଥିଲା:

-------- ହେ ଖୁଦା! ଏ ଅମଣିଷ ମାନେ କରିଥିବା ଭୁଲ ପାଇଁ ସେମାନଙ୍କୁ ତୁମେ କ୍ଷମା କରିଦିଅ। ଏମାନେ କଅଣ କରିଛନ୍ତି ତାହା ନିଶ୍ଚୟ ନିଜେ ବୁଝିନାହାନ୍ତି।

            ସଲିମ୍‌ ଭାଇର ମନେ ପଡୁଥିଲା ବାଇଶ ବର୍ଷ ତଳେ ସେଦିନ ମଧ୍ୟ ଏଠି ଠିକ୍‌ ଏମିତି ଭିଡ ଜମି ଥିଲା। ହେଲେ କାରଣ ଥିଲା ଟିକିଏ ଅଲଗା। ସେଦିନ ଭିଡ ଜମିଥିଲା ରେଳ ଲାଇନ ଉପରେ ପଡିଥିବା ଏକ ସଦ୍ୟଜାତ ଶିଶୁକୁ ଦେଖିବା ପାଇଁ । ହେଲେ ସେହି ପରିତ୍ୟକ୍ତ ଶିଶୁଟିର ଚିତ୍କାର ସେହି ଭିଡରେ ସାମିଲ୍‌ ଥିବା କାହାର କାନରେ ପଡୁ ନଥିଲା। ସମସ୍ତେ ବ୍ୟସ୍ତ ରହି ଥାଆନ୍ତି ସାମାଜିକ ବ୍ୟଭିଚାର ଉପରେ ନିଜ ନିଜର ମତ ସାବ୍ୟସ୍ତ କରିବାକୁ। କେହି କେହି ତର୍ଜମା କରୁଥାଆନ୍ତି ପିଲାଟି କେଉଁ ସଂପ୍ରଦାୟର ହେଇ ଥାଇ ପାରେ। କେହି କିନ୍ତୁ ଭାବୁ ନଥାଆନ୍ତି ଯେ ଇଶ୍ବରଙ୍କର ଏହି ଅନବଦ୍ୟ ସୃଷ୍ଟି ହୁଏତ ଉପଯୁକ୍ତ ଯତ୍ନ ଅଭାବରେ ଆଉ କିଛି କ୍ଷଣ ପରେ ନଷ୍ଟ ହେଇଯିବ। ସଲିମ୍‌ ଭାଇ ଭିଡ ଭିତରୁ ଆଗେଇ ଆସିଥିଲା ଶିଶୁଟିର ନିକଟକୁ, ଆଉ କାହାର କିଛି ବି ଟିପଣୀ କୁ ଖାତିର ନକରି ସେ ନିଜ କୋଳକୁ ଉଠେଇ ନେଇଥିଲା ସେହି ପରିତ୍ୟକ୍ତ ଶିଶୁଟିକୁ ଏବଂ ଦଉଡି ଯାଇଥିଲା ପିଲାଟିକୁ ତାର ଛାତିରେ ଜାକି ଧରି ନିକଟସ୍ଥ ଡକ୍ତରଖାନାକୁ। ଅନେକ ପ୍ରଶ୍ନର ଶରବ୍ୟ ହେଲେବି ସେ ସେଦିନ କାହାରିକୁ ଭୃକ୍ଷେପ କରି ନଥିଲା। ସେ ଧରି ନେଇଥିଲା ସେହି ଶିଶୁଟିକୁ ସେବା ଓ ଯତ୍ନ କରିବା ସେହି ମୁହୂର୍ତ୍ତରେ ତାର ପରମ କର୍ତ୍ତବ୍ୟ। ହୁଏତ ସେହି ଦିନ ପାଇଁ ତାକୁ ତାହା ଥିଲା ତାର ଖୁଦାର ନିର୍ଦ୍ଦେଶ। ଡାକ୍ତରଖାନାରୁ ସୁସ୍ଥ ହେଇ ଫେରିବା ପରେ ସଲିମ୍‌ ଭାଇ ହିଁ ବସ୍ତୁତଃ ପାଲଟି ଗଲା ତାର ଅଭିଭାବକ। ସେ ତାର ନାମ ରଖିଥିଲା ଅବଦୁଲ୍‌ ରଜାକ୍‌।

            ଏହା ପର ଠାରୁ ସଲିମ୍‌ ଭାଇ କେବେ ବି କୌଣସି ସମୟରେ କିମ୍ବା କୌଣସି ଯାଗାରେ ପ୍ରକାଶ କରିନଥିଲା କେବେ ଠାରୁ ଓ କେଉଁ ଭଳି ପରିସ୍ଥିତିରେ ଅବ୍‌ଦୁଲ୍ ରଜାକ୍‌ ପ୍ଲାଟ୍‌ଫର୍ମର ପରିବେଶ ଭିତରେ ଫେଣ୍ଟି ହେଇ ଯାଇଥିଲା। ଅବ୍‌ଦୁଲ୍ ରଜାକ୍‌ ମଧ୍ୟ ଜାଣିବାକୁ ଚେଷ୍ଟା କରିନଥିଲା କି କେବେଠାରୁ ସେ ଏହି ପ୍ଲାଟ୍‌ଫର୍ମଟିକୁ ନିଜର ଘର ବୋଲି ଧରି ନେଇ ଥିଲା। ତାର ହେତୁ ଆସିବା ଦିନ ଠାରୁ ସେ ଜାଣିଥିଲା ସେହି ପ୍ଲାଟ୍‌ଫର୍ମଟି ତାର ଘର ଏବଂ ପ୍ଲାଟ୍‌ଫର୍ମରେ ଏଠି ସେଠି ଆଶ୍ରୟ ନେଇଥିବା ଆବାଳ ବୃଦ୍ଧ ବନିତା ତାର ପରିବାର। ପ୍ଲାଟ୍‌ଫର୍ମର ସେହି ଝଙ୍କାଳିଆ ବରଗଛ ଚଉତରାରେ ବସି ଯୋତା ପାଲିସ୍‌ କରୁଥିବା ସଲିମ୍‌ ଭାଇ, ତାର ଥିଲା ବାପା, ମା, ଭାଇ, ବନ୍ଧୁ ସବୁକିଛି । ଫର୍ଚ୍ଛା ଆକାଶ ତଳେ, ଅସୁସ୍ଥ ପରିବେଶ ଭିତରେ, ଅଯତ୍ନରେ, ପ୍ଲାଟ୍‌ଫର୍ମ ଉପରେ ଅନ୍ୟ ପିଲାମାନଙ୍କ ପରି ଡିଆଁ ଉକୁସା କରି କରି ସେ କିନ୍ତୁ ଆଜି ବଡ ହେଇ ଯାଇଥିଲା। ନିଜେ ନିଜର ଦାୟୀତ୍ବ ତୁଲେଇବାକୁ ସକ୍ଷମ ଥିଲା ଏବଂ ଅନ୍ୟର ସୁଖ ଦୁଃଖରେ କାନ୍ଧ ଦେଇ ପାରୁଥିଲା। ଉତ୍କଟ ଅଭାବ ଓ ଅନାଟନ ଭିତରେ ଘୋରି ହୋଇ ସେ ଶିଖି ଯାଇଥିଲା ପରିସ୍ଥିତି ସହିତ ମୁକାବିଲା କରି ତିଷ୍ଠି ରହିବାର ଅନେକ ରହସ୍ୟ। ପ୍ଲାଟ୍‌ଫର୍ମର ଅନ୍ୟ ସବୁ ପିଲାଙ୍କ ପରି ଅବଦୁଲ ରଜାକ୍‌ ମଧ୍ୟ ସ୍କୁଲ ଯିବାର ସୁଯୋଗ ପାଇନଥିଲା। ଭଲପୋଷାକ ପିନ୍ଧିବାର ସୁଯୋଗ ନଥିଲା ତା ପାଖରେ । ଆଖ ପାଖର ସୁଦୃଶ୍ୟ ଅଟ୍ଟାଳିକାମାନ ଦେଖି ସ୍ବପ୍ନରେ ସେ କେବେ ବିଭୋର ହେଇ ଯାଇ ନଥିଲା। ଉତ୍କଟ ଦାରିଦ୍ର୍ୟତାର ପିଞ୍ଜରାରେ ଆବଦ୍ଧ ଅବଦୁଲ୍‌ ରଜାକ୍‌ ମେଲା ଆକାଶ ତଳେ ଜହ୍ନ ଆଲୁଅରେ ଭିଜି ଭିଜି ଦିନ ମାସ ବର୍ଷ ବିତେଇ ଦେଇଥିଲା ଖୁବ୍‌ ଆନନ୍ଦରେ। ସେ ସାନ ପିଲାଙ୍କର ଥିଲା ଅବଦୁଲ୍‌ ଭାଇ, ବଡଙ୍କର ଗେହ୍ଲାର ଅବଦୁଲ୍ ଆଉ ବେସାହାରା ଲୋକଙ୍କର ସାହାରା। ସମସ୍ତଙ୍କର ସେ ଥିଲା ନୟନ ପିତୁଳା। ସେ ଥିଲା ସେହି ପ୍ଲାଟ୍‌ଫର୍ମର ଦିଲ୍‌କା ରାଜା|

            ପ୍ଲାଟ୍‌ଫର୍ମରେ ବୁଲୁଥିବା ପିଲାଙ୍କୁ ଦେଖି ଅନେକ ସମୟରେ ଅବଦୁଲ୍‌ ମନେ ପକାଏ ତା’ର ପିଲା ଦିନର କଥା। ସେ ମଧ୍ୟ ଦିନେ ଏହି ପିଲାମାନଙ୍କ ପରି ଏହି ପ୍ଲାଟ୍‌ଫର୍ମ ଉପରେ ନିର୍ବିକାର ଭାବରେ ଦଉଡୁ ଥିଲା। ପିଲାଙ୍କ ସହିତ ମିଶି ପଖ ଆଖ ସାହି ବସ୍ତିରୁ ଚିରା ଜରି, ଭଙ୍ଗା କାଚ ବୋତଲ କି ଭଙ୍ଗା ପ୍ଲାଷ୍ଟିକ୍‌ସବୁ ଅଳିଆ ଆବର୍ଜନା ଭିତରୁ ସାଉଁଟି ଆଣୁଥିଲା । କବାଡି ବାଲାର ହାତଟେକା କିଛି ପଇସା ପାଇ ଛୋଟ ପିଲାଙ୍କୁ ବେଲୁନ ବାଣ୍ଟୁ ଥିଲା। ଅସୁସ୍ଥ ବୁଢା ବୁଢୀମାନଙ୍କୁ ଔଷଧ ବାଣ୍ଟୁଥିଲା। ଅନ୍ୟର ସୁଖ ଦୁଃଖରେ ନିଜକୁ ସାମିଲ କରି ନେଉଥିଲା। ସଲିମ୍‌ ଭାଇର କଡା ନଜର ତାକୁ ମେହେନତ୍‌ ମଜ୍‌ଦୁରୀ କରି ବଞ୍ଚି ରହିବାର ମନ୍ତ୍ର ଘୋଷେଇ ଦେଇଥିଲା। ଅବଦୁଲ୍‌ ସେହି ମନ୍ତ୍ରକୁ ପ୍ଲାଟ୍‌ଫର୍ମର ସବୁ ପିଲାଙ୍କୁ ଶିଖେଇ ଦେବାକୁ ଚେଷ୍ଟା କରୁଥିଲା। ଅବଦୁଲ୍‌ ଦୁଃଖରେ ଭାଙ୍ଗି ପଡିଥିଲା ଯେତେବେଳେ ତାର ପ୍ରିୟ ସାଥୀ ରମେଶ କୁ ପୋଲିସ୍‌ ଥାନାକୁ ଧରି ନେଇଥିଲା ବିଭିନ୍ନ ଅପରାଧର ଆଳରେ। ପୋଲିସ୍‌ ର ଯୁକ୍ତି ଥିଲା ରମେଶ ଗୋଟେ ଖୁନୀ ଆସାମୀ। ସେ ସହରର ଜଣେ ନାମୀ ଦାମୀ ନେତାଙ୍କୁ ହତ୍ୟା କରି ପଳାତକ ସାଜିଥିଲା। ଅବଦୁଲ କିନ୍ତୁ ରମେଶ କୁ ଖୁବ୍‌ ଚିହ୍ନିଥିଲା। ପିଲା ଦିନୁ ଦୁହେଁ ମିଶି ଏହି ପ୍ଲାଟ୍‌ଫର୍ମ ଉପରେ ବଢି ଆସିଥିଲେ। ଏକା ପତରରେ ଖାଇ ଏକା ଚାଦରତଳେ ଶୋଇଥିଲେ। ସେମାନେ ଦୁହେଁ ପରସ୍ପରର ମନକୁ ବେଶ ବୁଝିଥିଲେ। ଅବଦୁଲ ପୋଲିସର ଯୁକ୍ତିକୁ ସନ୍ଦେହ କରୁଥିଲା। ସେ ଭାବୁଥିଲା କୌଣସି ଗୋଟେ ଖୁନୀ ଆସାମୀକୁ ଧରି ନପାରି ନିଜର ଅପାରଗତାକୁ ଲୁଚାଇବା ଲାଗି ପୋଲିସ୍‌ ପ୍ଲାଟ୍‌ଫର୍ମରୁ ଉଠେଇ ନେଇଛି ରମେଶକୁ। ଖୁବ୍‌ ତରବର ହେଇ ଅବଦୁଲ୍‌ ଧାଇଁଗଲା ଥାନାକୁ ତା’ର ପ୍ରିୟ ସାଥୀକୁ ମୁକୁଳେଇ ଆଣିବା ଲାଗି। ବହୁତ ନେହୁରା ହୋଇ ଥାନା ବାବୁଙ୍କୁ ରମେଶ ସପକ୍ଷରେ କହି ବୁଝେଇବାକୁ ଚେଷ୍ଟା କଲା। ରମେଶ ଯେ ନିର୍ଦ୍ଦୋଷ ସେ କଥା ଅବଦୁଲ୍‌ ଥାନା ବାବୁଙ୍କୁ ବୁଝେଇବାରେ ଅସଫଳ ରହିଲା। ରମେଶର ସ୍ବିକାରୋକ୍ତି ଲିପିବଦ୍ଧ କରିବାର ଆଦେଶ ଦେଲେ ଥାନାବାବୁ ତାଙ୍କ ସହକର୍ମୀମାନଙ୍କୁ। ନିରାଶ ହୋଇ ଅବଦୁଲ ଦଉଡି ଆସିଥିଲା ସଲିମ୍‌ ଭାଇ ପାଖକୁ। ପ୍ଲାଟ୍‌ଫର୍ମ ରେ ସମସ୍ତେ ଏକାଠି ହେଲେ। ନିଜ ନିଜର ସଞ୍ଚିତ ପଇସାକୁ ଠୁଳ କରି ସେମାନେ ଥାନାକୁ ଗଲେ କିଛି ହାତଗୁଞ୍ଜା ଦେଇ ରମେଶକୁ ମୁକୁଳେଇନେବା ପାଇଁ। ଥାନାରେ ପହଞ୍ଚି କିନ୍ତୁ ସମସ୍ତେ ହତବିମ୍ବ ହୋଇ ରହିଗଲେ। ତାଙ୍କ ଆଗରେ ଥାନା ବାରଣ୍ଡା ଉପରେ ପଡି ରହିଥିଲା ରମେଶର ମୃତ ଦେହ। ଥାନାରେ କେହି ବି ପୋଲିସ ଅଧିକାରୀ ନଥିଲେ ଏମାନେ ପଚାରି ବୁଝିବା ପାଇଁ କି କଅଣ ସବୁ ଘଟିଗଲା ଅବଦୁଲ୍‌ ଯିବା ପରେ। ରମେଶ ର ଦେହ ସାରା କ୍ଷତରେ ଭରି ଯାଇଥିଲା। ରମେଶକୁ ଏହି ଅବସ୍ଥାରେ ଦେଖି ଅବଦୁଲର ପାଦତଳୁ ମାଟି ଖସିଗଲା। ସେ ଅନୁଭବ କରୁଥିଲା ଯେମିତି ଖୋଲା ଆକାଶଟା ମଡମଡ ହେଇ ଭାଙ୍ଗି ପଡୁଛି ତା୍‌ ଉପରେ। ସେ ବହୁତ ପ୍ରତିକ୍ରିୟାଶୀଳ ହେଇ ଉଠୁଥିଲା। ଥାନାରେ ରମେଶ ପ୍ରତି କରାଯାଇଥିବା ଅତ୍ୟାଚାରର ସେ ପ୍ରତିବାଦ କଲା। ଇତି ମଧ୍ୟରେ ଥାନା ପରିସରରେ ଲୋକ ଗହଳି ଆରମ୍ଭ ହେଇଯାଇଥାଏ। ପରିସ୍ଥିତି ଅସମ୍ଭାଳ ହେବା ଦେଖି କିଛି ଦୁରରେ ଥିବା ଥାନାବାବୁ ଓ ତାଙ୍କ ସହଯୋଗୀ ମାନେ ଥାନାକୁ ଆସିଲେ ସତ କିନ୍ତୁ ଲୋକଙ୍କ ପ୍ରଶ୍ନ ବାଣରେ ଖୁବ୍‌ ଘାଇଲା ହେଲେ। ଥାନା ବାବୁ ଉପସ୍ଥିତ ଲୋକଙ୍କୁ ଘଉଡାଇ ଦେବାକୁ ନିଜ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଲେ। ଗୁଳି ମାଡରେ ଅବଦୁଲ ଆହତ ହେବା ଦେଖି ସଲିମ ଭାଇ ତାକୁ କାନ୍ଧରେ ବୋହି ଦଉଡି ଦଉଡି ଫେରି ଆସିଲା ପ୍ଲାଟଫର୍ମ ଉପରକୁ। ସମବେତ ଜନତା ଫେରି ଆସିବା ପରେ ରମେଶର ଶବ ସେମିତି ପଡିରହିଥିଲା ଥାନା ବାରଣ୍ଡାରେ । କିଛି ବଡ ହାକିମଙ୍କର ହୁଏତ ସେଦିନ ରାତିର ହୁକ୍କା ପାଣିର ବନ୍ଦୋବସ୍ତ ହେଇ ଯାଇ ପାରିଥିବ ଏହି ଆଳରେ କିମ୍ବା ଶ୍ମଶାନ ଘାଟରେ ଭୋକିଲା ବୁଲୁ ଥିବା ଶ୍ବାନ କି ଶାର୍ଦ୍ଦୁଳଙ୍କର ବା ଚିଲ କି ଶାଗୁଣାଙ୍କର ରାତ୍ରୀ ଭୋଜନର ବ୍ୟବସ୍ଥା ହେଇ ଯାଇ ପାରିଥିବ।

            ସଲିମ ଭାଇର ଦେଶୀ ଚିକିତ୍ସାରେ ଅବଦୁଲ୍ କ୍ରମଶଃ ସୁସ୍ଥ ହେଲା। କିନ୍ତୁ ତାର ସାଥୀର ଅନୁପସ୍ଥିତିକୁ ଆଦୌ ବରଦାସ୍ତ କରି ପାରୁନଥିଲା। ସେ ବୁଝି ପାରୁ ନଥିଲା ଯେ ଜଣେ ଧନୀ ଦୋଷୀ ପାଇଁ କେତେ ଜଣ ଗରୀବ ନିର୍ଦ୍ଦୋଶ ଲୋକ ଏମିତି ବଳି ପଡି ଯାଉଛନ୍ତି କାହିଁକି? ଏହି ପ୍ରକାରର ଭ୍ରଷ୍ଟାଚାରର କଅଣ କେବେ ଅନ୍ତ ହେବନି? ଯିଏ ବଳି ପଡିଗଲା ତା ପରିବାର ମଧ୍ୟ ତା ସହିତ ବଳି ପଡି ଯାଉଛନ୍ତି। ସେମାନଙ୍କ ଦୁର୍ଦ୍ଦଶାର ପାଇ ପାଇ ଫାଇଦା ଉଠାଇବାକୁ ଆଗେଇ ଆସୁଛନ୍ତି ସମାଜର ତଥା କଥିତ ବଡପଣ୍ଡା ମାନେ। ଅବଦୁଲ ବୁଝି ନଥିଲା ଏହି ଦେଶର ବିବିଧ ଆଇନ ବ୍ୟବସ୍ଥା କିନ୍ତୁ ଖୁବ୍‌ ନିକଟରୁ ଦେଖିଥିଲା ନ୍ୟାୟ ପାଇଁ ଲଢୁଥିବା କିଛି ଲୋକଙ୍କର ଦୁର୍ଦ୍ଦଶା। ରମେଶର ଅକାଳ ଓ ଅପ୍ରାକୃତିକ ମୃତ୍ୟୁ ଅବଦୁଲ କୁ ଟାଣି ନେଇଥିଲା ଗୋଟାଏ ବିଦ୍ରୋହୀର ବଳୟ ଭିତରକୁ। ସେ ଶପଥ କରୁଥିଲା ନିଜର ଶେଷ ରକ୍ତ ବିନ୍ଦୁ ଦେଇ ସେ ସାମାଜିକ ଭ୍ରଷ୍ଟାଚାର ବିରୁଦ୍ଧରେ ବିଦ୍ରୋହ କରିବ।

            ସେତବେଳକୁ ପୋଲିସ ହାଜତରେ ରମେଶର ମୃତ୍ୟୁ ଖବରଟି ସାରା ସହରରେ ବିଜୁଳି ବେଗରେ ପ୍ରସାରିତ ହେଇ ସାରିଥିଲା। ଏହି ଭଳି ଏକ ରୋମାଞ୍ଚକର ଖବର ପ୍ରକାଶ କରିଦେଇ ପାରି ଥିବାରୁ ସ୍ଥାନୀୟ ସାମ୍ବାଦିକ ଭାଇ ମାନେ ଖୁବ୍‌ ଆନନ୍ଦିତ ଥିଲେ। ସହରର ଗଳି କନ୍ଦିରେ ଚାଲିଥିଲା ପୋଲିସ ଜୁଲୁମର ଚର୍ଚ୍ଚା। ସମାଜର ସବୁ ବର୍ଗର କର୍ଣ୍ଣଧାରମାନେ ପ୍ରସ୍ତୁତ ହେଇଗଲେ ପାଖେଇ ଆସୁଥିବା ନିର୍ବାଚନର ପଶାପାଲିରେ ନିଜ ନିଜ କୁ ଜଣେ ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ପ୍ରତିପାଦିତ କରିଦେବା ପାଇଁ । ଖୋଜା ଚାଲିଲା ଉପଯୁକ୍ତ ଏକ ମୋହରା ରାଜନୀତିର ପଶାପାଲି ଉପରେ ଗଡିବା ପାଇଁ। ବିନା କିଛି କଷ୍ଟରେ ସେମାନେ ଠାବ କରିନେଲେ ରମେଶର ଭଉଣୀ ଲକ୍ଷ୍ମୀକୁ। ରମେଶର ମୃତ୍ୟୁରେ ଲକ୍ଷ୍ମୀ ଜୀବନର ସବୁ ସ୍ବପ୍ନ ଭାଙ୍ଗି ଚୁର୍‌ମାର ହେଇ ଯାଇଥିଲା। ନେତା, ସମାଜସେବୀ, ସ୍ବେଚ୍ଛାସେବୀଙ୍କର କୌଶଳ ପୂର୍ଣ୍ଣ ଆବେଗତାରେ ଉବୁଟୁବୁ ହେବାକୁ ଲାଗିଲା ଲକ୍ଷ୍ମୀ। ଲକ୍ଷ୍ମୀର ପରିସ୍ଥିତି ପ୍ରତି ସେମାନେ ଯେତିକି ସମବେଦନଶୀଳ ନଥିଲେ ତାଠାରୁ ଢେର ଅଧିକ ସମବେଦନା ସେମାନଙ୍କର ରହିଥିଲା ଲକ୍ଷ୍ମୀର ବୟସ ଓ ଯୌବନ ପାଇଁ। ସମାଜର ଏହି ସବୁ ବଡପଣ୍ଡା ମାନଙ୍କର ଲକ୍ଷ୍ମୀ ପ୍ରତି ଲୋକ ଦେଖାଣିଆ ଆବେଗ ଅବଦୁଲର ଶ୍ବାସ ରୁଦ୍ଧ କରୁଥିଲା। ଅବଦୁଲ ଅନୁଭବ କରୁଥିଲା ଏହି ତଥା କଥିତ ମୁରବୀ ମାନଙ୍କର ଇଚ୍ଛାର ଜୁଇରେ ଲକ୍ଷ୍ମୀ ଯେମିତି ଜୀଅନ୍ତା ପୋଡି ଯାଉଛି। ସେ ତାର ମନ କଥା ସଲିମ ଭାଇ କୁ ଜଣାଇଲା। ଏହି ଜଟିଳ ପରିସ୍ଥିତିରୁ ଲକ୍ଷ୍ମୀକୁ ଉଦ୍ଧାର କରିବାକୁ ହେଲେ ସେ ତାକୁ ବିବାହ କରିବାହିଁ ତାପାଖରେ ଥିଲା ଏକ ମାତ୍ର ବିକଳ୍ପ। ଅବଦୁଲର ଏହି ପ୍ରସ୍ତାବ ସମସ୍ତଙ୍କର ଭୃକୁଞ୍ଚନ କଲା। ବଡପଣ୍ଡା ମାନେ ଚାହୁଁ ନଥିଲେ ଲକ୍ଷ୍ମୀକୁ ହାତଛଡା କରିବାକୁ । ସେମାନେ ନିଶ୍ଚିତ ହେଇ ସାରିଥିଲେ ଲକ୍ଷ୍ମୀ ହିଁ ସେମାନଙ୍କର ଭବିଷ୍ୟତ। ତାର ଅସହାୟତା ହିଁ ସେମାନଙ୍କର ସୁଯୋଗ । ଅବଦୁଲର ପ୍ରସ୍ତାବକୁ ସମସ୍ତେ ମିଶି ଘୋର ବିରୋଧ କଲେ। ସମସ୍ତଙ୍କୁ ପ୍ରଭାବିତ କଲା ନେତାଙ୍କର ବୟାନ:

-------- ଅବଦୁଲ ମୁସଲମାନ ଓ ଲକ୍ଷ୍ମୀ ହିନ୍ଦୁ , ଏପରି ସ୍ଥଳେ ଏହି ବିବାହ କଅଣ ସମ୍ଭବ?

            ସେ ପର୍ଯ୍ୟନ୍ତ କେବେ ଚିନ୍ତା କରିନଥିଲା ଅବଦୁଲ କି ତାର ଧର୍ମ କଅଣ । କେବେ ବି ପଚାରିନଥିଲା ପ୍ଲାଟ୍‌ଫର୍ମରେ ବୁଲୁଥିବା ତାର ଚିହ୍ନା ଜଣା ଲୋକମାନଙ୍କର ଧର୍ମ କଅଣ? ସେ ଦେଖୁଥିଲା ପ୍ଲାଟଫର୍ମ ଉପରେ ଦିନରାତି ଏକ କରି ଦେଇଥିବା ସବୁ ମଣିଷଙ୍କର ପରିସ୍ଥିତି ଏକ୍‌, ମକସଦ୍‌ ଏକ୍‌, ବିଚାର ମଧ୍ୟ ଏକ୍। ସମସ୍ତେ ଆସନ୍ତା କାଲି ସକାଳର ନିଜ ନିଜର ଖୋରାକ ପାଇଁ ଚିନ୍ତିତ। ଏହି ପରିପ୍ରେକ୍ଷିରେ ନେତାଙ୍କ ବୟାନଟି ଅବଦୁଲ କୁ ଅବୁଝା ରହିଗଳା। ସଲିମ ଭାଇ ମଧ୍ୟ ନିଜେ ଜାଣି ନଥିଲା ଅବଦୁଲର ଧର୍ମଟି କଅଣ ।ସେ କେବେ ଚିନ୍ତା କରିନଥିଲା ସେଦିନ ରେଳ ଧାରଣା ଉପରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଶିଶୁଟିର ଧର୍ମ ବିବାଦ ବାଇଶ ବର୍ଷ ପରେ ପ୍ଲାଟ୍‌ଫର୍ମ ବାସିନ୍ଦାଙ୍କର ସୁଖ ସ୍ବାଚ୍ଛନ୍ଦ୍ୟକୁ ଧୂଳିସାତ୍‌ କରିଦେବ। ଅବଦୁଲ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଥିଲା ସଲିମ ଭାଇକୁ। ସେ ଜାଣିବକୁ ଚାହୁଁଥିଲା, ସେ କାହିଁକି ମୁସଲମାନ ଓ ଲକ୍ଷ୍ମୀ କାହିଁକି ହିନ୍ଦୁ? ଜଣେ ମୁସଲମାନ ପୁଅ ଜଣେ ହିନ୍ଦୁ ଝିଅକୁ ବା ଜଣେ ମୁସଲମାନ ଝିଅ ଜଣେ ହିନ୍ଦୁ ପୁଅକୁ କାହିଁକି ବିବାହ କରି ପାରିବନି? ଜଣେ ହିନ୍ଦୁ ଯୁବକର ନାମ କରଣ କାହିଁକି ଅବଦୁଲ ହେଇ ପାରିବନି ବା ଜଣେ ମୁସଲମନ ଝିଅ ନାମ କାହିଁକି ଲକ୍ଷ୍ମୀ ହେଇ ପାରିବନି?

            ଅବଦୁଲ ପ୍ରଶ୍ନର କୌଣସି ଉତ୍ତର ସଲିମ ଭାଇ ପଖରେ ନଥିଲା। ସେ ତାକୁ ସମାଜର ଚଳନ୍ତି ରିତିନୀତି ସବୁ ବୁଝେଇବାକୁ ଚେଷ୍ଟା କରୁଥିଲା। ଯେହେତୁ ମାନବିକତାର ଆହ୍ବାନରେ ସେ ତାକୁ ଲାଳନ ପାଳନ କରିଛି ତେଣୁ ସେ ମୁସଲମାନ। ଅବଦୁଲ କିନ୍ତୁ ବୁଝି ପାରୁନଥିଲା ଜଣେ ମୁସଲମାନର ପାଳିତ ସନ୍ତାନ କାହିଁକି ମୁସଲମାନ ଏବଂ ଜଣେ ହିନ୍ଦୁର ପାଳିତ ସନ୍ତାନ କାହିଁକି ହିନ୍ଦୁ? ଜଣେ ପରିତ୍ୟକ୍ତ ଶିଶୁର ଧର୍ମ କଅଣ ହେଇପାରେ? ଅବଦୁଲର ଚିନ୍ତାଧାରା ଲକ୍ଷ୍ମୀର ଚିନ୍ତାଧାରା ସହିତ ଅନେକ ସମୟରେ ଖାପ ଖାଇଯାଏ। ଆଜି ବି ଦୁହିଁଙ୍କ ମନରେ ସେହି ଏକା ପ୍ରଶ୍ନ ଜଣେ ପରିତ୍ୟକ୍ତ ଶିଶୁର ଧର୍ମ କଅଣ? ଉଭୟ ପ୍ଲାଟ୍‌ଫର୍ମରେ ହସି କୁଦି ବଢିଲା ବେଳେ ସଲିମ ଭାଇ ଠାରୁ ଶିଖିଛନ୍ତି ମାନବିକତା ହିଁ ଶ୍ରେଷ୍ଠ ଧର୍ମ। ନିଜର ପଡୋଶୀକୁ ଭଲ ପାଇବା ହିଁ ଶ୍ରେଷ୍ଠ ଧର୍ମ। ପରସ୍ପରର ସୁଖ ଦୁଃଖରେ ସାମିଲ ହେବାହିଁ ଶ୍ରେଷ୍ଠ ଧର୍ମ। ପ୍ଲାଟ୍‌ଫର୍ମର ସେହି ବରଗଛ ମୂଳ ଚଉତରା ଉପରେ ଫିକା ଫିକା ଜହ୍ନ ଆଲୁଅରେ ବସି ବସି ଅବଦୁଲ ଓ ଲକ୍ଷ୍ମୀ ନିଷ୍ପତ୍ତି କଲେ ଉଭୟେ ବିବାହ କରିବେ। ସମସ୍ତ ଅବାସ୍ତବ ପରମ୍ପରାକୁ ଭାଙ୍ଗି ଦେଇ ଏକ ନୂତନ ସମାଜ ଗଢିବେ ଯେଉଁଠି ଧର୍ମର ଦ୍ବାହି ଦେଇ କେହି କାହାକୁ ଘୃଣା କରିବେନି। ଯେଉଁଠି ସମସ୍ତେ ଗର୍ବରେ କହି ପାରୁଥିବେ ଆମେ ହିନ୍ଦୁ , ମୁସଲମାନ୍‌ ବା ଖ୍ରୀଷ୍ଟିୟାନ୍‌ ନୁହଁ, ଆମେ ମଣିଷ। ଅବଦୁଲ ଓ ଲକ୍ଷ୍ମୀର ନିଷ୍ପତ୍ତିକୁ ସଲିମ୍‌ ଭାଇ ଖୁସି ଖୁସି ସମର୍ଥନ କରୁଥିଲା। ସଲିମ ଭାଇ ଖୁସି ହେଉଥିଲା ଯେ ସମାଜରେ ଅନ୍ତତଃ ଦୁଇ ଜଣ ଯୁବ ପିଢିର ସଦସ୍ୟ ବୁଝି ପାରିଛନ୍ତି ଯେ ଧର୍ମ ମଣିଷର ଚିନ୍ତାଧାରାକୁ କଳୁଷିତ କରେନା ବରଂ ମାର୍ଜିତ କରେ। ଯେ ଧର୍ମର ଦ୍ବାହି ଦେଇ ମାନବିକତାର ଶୀକାର କରେ ସେ ଅବଶ୍ୟ ବିଧର୍ମୀ।

            ସିନ୍ଦୁରା ନଫାଟୁଣୁ ନସର ପସର ହୋଇ ସଲିମ ଭାଇ ଧାଇଁଲା ଫୁଲ ଚନ୍ଦନର ଥାଳି ଯୋଗାଡି ଦେବାକୁ। ତାର ଇଚ୍ଛା ରାତି ପାହିଲେ ସେ ପ୍ଲାଟ୍‌ଫର୍ମର ସମସ୍ତ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଦେବ ଅବଦୁଲ ର ହାତରେ ଲକ୍ଷ୍ମୀର ହାତକୁ ଛନ୍ଦି ଦେଇ। ସେହିଁ ତ ପ୍ଲାଟ୍‌ଫର୍ମ ଉପରେ ବରପକ୍ଷ ସହିତ କନ୍ୟା ପକ୍ଷ ମଧ୍ୟ। ପ୍ଲାଟ୍‌ଫର୍ମ ରେ ସଲିମ ଭାଇର ଅନୁପସ୍ଥିତିର ସୁଯୋଗ ନେଲେ ଭଡାଟିଆ ଗୁଣ୍ଡାମାନେ। ବିଭିନ୍ନ ମାରଣାସ୍ତ୍ର ଧରି ସେମାନେ ଆକ୍ରମଣ କଲେ ଶୋଇ ଯାଇଥିବା ଅବଦୁଲକୁ। ଲକ୍ଷ୍ମୀର ପ୍ରତିବାଦକୁ ବେଖାତିର କରି ତା ପ୍ରତି ଦୁର୍ବ୍ୟବହାର କରି ତାକୁ ସମାଜ ଆଖିରେ ନିନ୍ଦିତ କରିଗଲେ। ଖିନ୍‌ଭିନ୍‌ କରି ଭାଙ୍ଗି ଦେଲେ ଏକ ସ୍ବପ୍ନର ମୀନାର ଯାହା ବାସ୍ତବ ରୂପ ନେବା ପାଇଁ ଅନେକ ସମୟ ଆହୁରି ବାକି ଥିଲା। ଖିନ୍‌ଭିନ୍‌ କରିଦେଲେ ପଙ୍କ ପୋଖରୀ ଭିତରୁ ଗୋଟିଏ ପଦ୍ମ କଢିକୁ ଯାହା ଫୁଟିବା ପାଇଁ ସୂର୍ଯ୍ୟ ରଶ୍ମୀର ପ୍ରତୀକ୍ଷା କରୁଥିଲା।

            ଚଉତରା ଉପରେ ଅବଦୁଲକୁ ମରି ପଡିଥିବାର ଦେଖି ସଲିମ ଭାଇ ହାତରୁ ଖସି ପଡିଲା ଫୁଲ ଚନ୍ଦନର ଚାଙ୍ଗୁଡି। ପ୍ଲାଟ୍‌ଫର୍ମର ବାସିନ୍ଦା କୋହ ସମ୍ବରଣ କରିନପାରି ଉଚ୍ଚ ସ୍ବରରେ କାନ୍ଦିବାକୁ ଲାଗିଲେ । ମୃତ ଅବଦୁଲ କୁ କୋଳରେ ଧରି ସଲିମ ଭାଇ ଲକ୍ଷ୍ମୀର ଲୁହ ପୋଛୁ ପୋଛୁ କହୁଥିଲା:

-------- ଏହି ପୃଥିବୀରେ ଆମ ପାଇଁ ସ୍ଥାନ ନାହିଁ ରେ ମା। ଏଇଟା ଧର୍ମାନ୍ଧ ମାନଙ୍କର ଦେଶ। ଆମେ ଏଇଠୁ ଚାଲି ଯିବା ଅନ୍ୟ ଏକ ପୃଥିବୀକୁ ଯେଉଁଠି ବାଦ୍‌ଶାହା ଥିବ ମୋ ଅବଦୁଲ୍‌। ଚିରାଚରିତ ଭାବରେ ଘଟଣା ଘଟିଯିବାର ଅନେକ ସମୟ ପରେ ପୋଲିସ ପହଞ୍ଚିଥିଲେ ତଦନ୍ତ ପାଇଁ। ପ୍ଲାଟ୍‌ଫର୍ମର ଲୋକଙ୍କ ବିରୋଧ ଦେଖି ପଞ୍ଚ ଘୁଞ୍ଚା ଦେଉଥିଲେ। କିଛି ଦିନ ପରେ ଅବଶ୍ୟ ଶୁଣିବାକୁ ମିଳିଲା ଯେ:

 -------- ପୋଲିସ ର ବୟାନ ଅନୁସାରେ ଘଟଣାଟି ଯାହା ଘଟିଥିଲା ସତ ମନେ ହେଉଥିଲେ ମଧ୍ୟ କୌଣସି ସନ୍ଦେହ ଜନକ ସୂତ୍ର ମିଳିପାରିଲା ନାହିଁ।

(ସମାପ୍ତ)



Rate this content
Log in

More oriya story from Santosh Kumar Misra

Similar oriya story from Inspirational