STORYMIRROR

Santosh Kumar Misra

Others

4  

Santosh Kumar Misra

Others

ଅନାହୂତ ବିବର୍ତ୍ତନ

ଅନାହୂତ ବିବର୍ତ୍ତନ

9 mins
40



               ଉପରବେଳାର ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହରିଦାସପୁର ରେଳ ଷ୍ଟେସନର ପ୍ଲାଟଫର୍ମ ଛାଡି ଅନେକ ବେଳୁ ଯାଇ ସାରିଛି। ଟ୍ରେନ୍‌ଟିର ସତ୍ତା ଯେମିତି ଦୂର ଦିଗ୍‌ବଳୟରେ ମିଶି ସାରିଛି। ପ୍ଲାଟଫର୍ମ ଉପରର କୋଳାହଳରେ ଯଦିଓ ଭଟ୍ଟା ପଡିଗଲାଣି ତଥାପି କେତେଟା ଲଙ୍ଗଳା ଟୋକା ଓ କେତେଟା ମଦୁଆ ମିଶି ପ୍ଲାଟଫର୍ମର ପରିବେଶଟାକୁ ତାଜା ରଖିଥାଆନ୍ତି। ଷ୍ଟେସନ ମାଷ୍ଟର ପାଟି କରି ଲାଇନ୍‌ମ୍ୟାନ୍‌ଙ୍କୁ ସିଗ୍‌ନାଲ ପୋଷ୍ଟରେ ଲାଇଟ୍‌ ଲଗେଇ ଦେବାକୁ କହି ଚାଲି ଥାଆନ୍ତି। ପକ୍ଷୀଗୁଡା ନିଜ ନିଜ ବସାକୁ ଫେରିଆସି ପ୍ଲାଟଫର୍ମ ମୁଣ୍ଡରେ ଥିବା ବରଗଛଟି ଉପରେ ବସି କିଚିର୍ ମିଚିର୍ ଆରମ୍ଭ କରି ଦେଲେଣି। ଷ୍ଟେସନ ମାଷ୍ଟରଙ୍କ ଡାକରେ ଚିହିଁକି ଉଠିଲେ ଅମରେନ୍ଦ୍ର:

-------- ସାର ସନ୍ଧ୍ୟା ହେବାକୁ ବସିଲାଣି। ଘରକୁ ଯିବେନି କି? ପରବର୍ତ୍ତି ଏକ୍ସପ୍ରେସ ଗଡି ଆସିବାକୁ ଆହୁରି ଦୁଇଘଣ୍ଟା ସମୟ ବକି ଅଛି।

ଅମରେନ୍ଦ୍ର ଜବାବ ଦେଲେ :

-------- ନାହିଁ ନାହିଁ ଆଜ୍ଞା, ଏବେ କେମିତି ଚାଲିଯିବି ? ବହୁତ ଦିନ ପରେ ପିଲାଟା ମୋର ଆସିବ, ତାକୁ ସାଙ୍ଗରେ ନେଇ ନଗଲେ ତା ମ ଗାଳି ଦେବନି? ଆପଣ ଯାଆନ୍ତୁ, ମୁଁ ପରବର୍ତ୍ତି ଏକ୍ସପ୍ରେସ ଗାଡି ଟା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବି।

ଷ୍ଟେସନ ମାଷ୍ଟର ଅମରେନ୍ଦ୍ରଙ୍କୁ ହଉ କହି ନିଜ କୋଠରି କୁ ଯିବାକୁ ବହାରିଲେ।

            ଅମରେନ୍ଦ୍ରଙ୍କ ଉତ୍ତରରେ କୌଣସି ନୂତନତ୍ବ ନଥିଲା ସେଦିନ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଷ୍ଟେସନ ମାଷ୍ଟର ଅମରେନ୍ଦ୍ରଙ୍କ ଠାରୁ ଏହି ଏକା ଉତ୍ତର ଶୁଣି ଆସୁଛନ୍ତି ବିଗତ ତିନି ବର୍ଷ ହେଲା। ସେ ଯେତେବେଳେ ଏହି ଷ୍ଟେସନକୁ ବଦଳି ଏହି ଆସିଥିଲେ ସେତେବେଳେ ତାଙ୍କ ପୂର୍ବ ଅଧିକାରୀ ଙ୍କ ଠାରୁ ଶୁଣିଥିଲେ ଯେ ଅମରେନ୍ଦ୍ର ଅନେକ ବର୍ଷ ହେଲାଣି ପ୍ରାୟ ପ୍ରତ୍ୟେକ ଦିନ ଏହି ପ୍ଲାଟଫର୍ମକୁ ଆସନ୍ତି ଏବଂ ସେହି ବରଗଛ ପାଖ ସିମେଣ୍ଟ ଚୌକିରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ବସି ସବୁ ଯାତ୍ରୀଙ୍କୁ ପଚାରୁଥାଆନ୍ତି ଅମୁକ ଟ୍ରେନ୍‌ଟି କେତେବେଳେ ଆସିବ? ପ୍ରଥମେ ପ୍ରଥମେ ଅମରେନ୍ଦ୍ର ଜଣେ ବୟସ୍କ ଲୋକ ହେତୁ କେହି କେହି ସହାନୁଭୁତିର ସହିତ ତାଙ୍କ ପ୍ରଶ୍ନର ଉତ୍ତର ଦେଇଦେଉଥିଲେ , କିନ୍ତୁ ପରେ ପରେ ତାଙ୍କ କଥାକୁ ସମସ୍ତେ ଏଡେଇ ଯିବାକୁ ଆରମ୍ଭକଲେ । କେହି କେହି ତାଙ୍କୁ ମଧ୍ୟ ପାଗଳ ହେଇ ଯାଇଛି ବୋଲି କୁହା କୁହି ହୁଅନ୍ତି । ପ୍ଲାଟଫର୍ମକୁ ଟ୍ରେନ୍ ଠିକ୍‌ ସମୟରେ ଆସେ ଏବଂ ଯାଏ । କିନ୍ତୁ କେବେ ବି ଆଜି ଯାଏ ଅମରେନ୍ଦ୍ରଙ୍କର ସେ ପ୍ରତିକ୍ଷିତ ବ୍ୟକ୍ତି ଜଣଙ୍କ ଆସି ନାହାନ୍ତି। ଷ୍ଟେସନ ମାଷ୍ଟର ଅମରେନ୍ଦ୍ରଙ୍କ ଭାବାବେଗକୁ ବୁଝିପାରି ବିଗତ ଦିନ ମାନଙ୍କରେ ତାଙ୍କୁ ଅନେକ ସମୟରେ ବୁଝଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ କିଛି ଲାଭ ହେଇନି। ସିନ୍ଦୁରା ଫାଟି କୁଆ କା କଲେ ଅମରେନ୍ଦ୍ର ନିଜର ନିତ୍ୟକର୍ମ ସାରିଦେଇ ବାହାରି ଆସନ୍ତି ପ୍ଲାଟଫର୍ମକୁ । ସିଧା ତରବର ହେଇ ଯାଇ ବସି ଯାଅନ୍ତି ସେହି ବରଗଛ ମୂଳ ସିମେଣ୍ଟ ଚୌକି ଉପରେ। ଅପଲକ ଅଖିରେ ଚାହିଁ ରହନ୍ତି ଦୂର ଦିଗ୍‌ବଳୟକୁ କେତେବେଳେ ଟ୍ରେନ୍‌ ଆସିବ ଆଉ ସେହି ଟ୍ରେନ୍‌ ରୁ ଓହ୍ଲାଇ ଆସିବ ତାଙ୍କ ଇପସିତ ବ୍ୟକ୍ତି।

            ଏକାଗ୍ର ଚିତ୍ତରେ ଅମରେନ୍ଦ୍ର ଅପେକ୍ଷା କରନ୍ତି ଟ୍ରେନ୍‌ ଗୁଡିକୁ। ଟ୍ରେନ୍‌ଟିଏ ପ୍ଲାଟଫର୍ମ ରେ ଲାଗିଲେ ଅମରେନ୍ଦ୍ର ଏ ମୁଣ୍ଡରୁ ସେମୁଣ୍ଡ ଦୌଡା ଦୌଡି ଆରମ୍ଭ କରି ଦିଅନ୍ତି। ପାଟି କରି ଡାକନ୍ତି, “ ରାନୁ ତୁ କୋଉଠି ଅଛୁ ? ବହାରିଆ ଯଲଦି ? ଗାଡି ଅଳ୍ପ ସମୟ ରହିବ ଏଠି, ଛୋଟ ଷ୍ଟେସନ ପରା। ତୁ ବାହାରିଆ ମୁଁ ଏଇଠି ଛିଡା ହେଇଛି, ହରିଆ ତୋ ଜିନିଷ ପତ୍ର ନେଇ ଆସିବ।” ରାନୁ ଓହ୍ଲାଏନି , ଟ୍ରେନ୍‌ ଚାଲି ଯାଏ। ହରିଆ ସବୁଦିନ ନିର୍ଭୁଲ ଭାବରେ ଆସି ଅମରେନ୍ଦ୍ରଙ୍କୁ କୁହେ :

---------- ବାବୁ ସାନ ବାବୁ ଏ ଗାଡିରେ ଆସିନହନ୍ତି, ଅପେକ୍ଷା କରିବା ହୁଏତ ପର ଗାଡିରେ ଆସୁଥିବେ।

            ଷ୍ଟେସନ ମାଷ୍ଟର ଏହି ଷ୍ଟେସନରେ ଯୋଗ ଦେବା ପରଠାରୁ ଯେତେବେଳେ ସମୟ ପାଆନ୍ତି ଅମରେନ୍ଦ୍ରଙ୍କ ପାଖ ଚୌକିରେ ଆସି ବସି ଯାଆନ୍ତି। ଇଆଡୁ ସିଆଡୁ କଥା କିଛି ଗପି ଚାଲନ୍ତି। କେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଏମରଜେନ୍ସି କଥା, କେତେବେଳେ ସଲମନ ରୁଷଦିଙ୍କର ସାଟ୍‌ନିକ୍‌ ଭର୍ସେସ୍‌ କଥା, କେତେବେଳେ ବାବ୍ରି ମସଜିଦ ତ କେତେବେଳେ ରାମ ମନ୍ଦିର କଥା, ଆଉ କେବେ କେବେ ମଧ୍ୟ ପ୍ଲାଟଫର୍ମରେ ବୁଲୁଥିବା ଝମ୍ପୁରା ମୁଣ୍ଡିଆ ଭୋକିଲା ଲଙ୍ଗଳା ପିଲାଙ୍କ ଅନିଶ୍ଚିତ ଭବିଷ୍ୟତ କଥା। ଅମରେନ୍ଦ୍ର ଷ୍ଟେସନ ମାଷ୍ଟରଙ୍କ୍ ଅଗପିବା ଠାଣିରେ ଖୁସି ହୁଅନ୍ତି। ସତ କହିଲେ ଷ୍ଟେସନ ମାଷ୍ଟରଙ୍କ ଗପ ଶୁଣି ସେ ରାନୁ କୁ ଅପେକ୍ଷା ଜନିତ କ୍ଲାନ୍ତିରୁ ସାମୟିକ ବିଶ୍ରାମ ପାଇ ଯାଆନ୍ତି।

ଅମରେନ୍ଦ୍ର ଷ୍ଟେସନ ମାଷ୍ଟରଙ୍କୁ ପଚାରନ୍ତି ଟ୍ରେନ୍‌ ଗୁଡା ଆଜିକାଲି ଏତେ ବିଳମ୍ବରେ ଆସୁଛି କାହିଁକି । ପୁଣି ନିଜେ ନିଜେ କହି ଉଠନ୍ତି ସମସ୍ତେ ବୋଧହୁଏ ପିଠିଆ ହେଇଗଲେଣି। କାହର ବୋଧେ କିଛି ଦାୟୀତ୍ବ ବୋଧ ନାହିଁ । ବ୍ରିଟିଶ ଶାସନ ଖୁବ୍‌ ଭଲ ଥିଲା। ଅନ୍ତତଃ ସମସ୍ତେ ଦାୟୀତ୍ବବାନ୍‌ ଥିଲେ। ଷ୍ଟେସନ ମାଷ୍ଟର ଅମରେନ୍ଦ୍ରଙ୍କୁ ସୁବିଧା ଅସୁବିଧା ବୁଝାନ୍ତି ସ୍ବାଧିନ ଭାରତର ସ୍ୱାଧିନଚେତା ନାଗରିକ ମାନଙ୍କର ଅସାଧୁତା, ଅପରିଣାମ ଦର୍ଶିତା, ହୀନମନ୍ୟତା, ଆଳସ୍ୟ ପ୍ରଭୃତିରତାଜା ଉଦାହରଣ ଦେଇ ବ୍ୟାଖ୍ୟା କରନ୍ତି। ଦୀର୍ଘ ନିଶ୍ବାସ ପକେଇ ଗୁମୁରନ୍ତି:

-------- ହେ ଇଶ୍ବର, ଆମକୁ ଦୟା କର। ତୁମର ଏ ଜଘନ୍ୟ ସଂସାରରୁ ଆମକୁ ଉଠେଇ ନିଅ। ଅନୀତି, ଅନିୟମିତତା, ଭ୍ରଷ୍ଟାଚାର ର ଅନ୍ଧ କୂପରୁ ଆମକୁ ଉଦ୍ଧାର କର।

ଅମରେନ୍ଦ୍ର ଖୁବ୍‌ ହସନ୍ତି।ଷ୍ଟେସନ ମାଷ୍ଟରଙ୍କ ଭାଷଣବାଜି ବନ୍ଦ କରେଇ ଟ୍ରେନ୍ ଆସିବା ଯିବା ସମ୍ପର୍କରେ ପ୍ରଶ୍ନ କରନ୍ତି।ଷ୍ଟେସନ ମାଷ୍ଟର ପ୍ରକୃତିସ୍ଥ ହୁଅନ୍ତି। ଅମରେନ୍ଦ୍ରଙ୍କ ପ୍ରଶ୍ନର ନିର୍ଦ୍ଦିଷ୍ଟ ଓ ସଂକ୍ଷିପ୍ତ ଉତ୍ତର ଦିଅନ୍ତି।ଉଭୟେ ନିଜ୍ ନିଜର ଭାବାବେଗକୁ ଖୁବ୍‌ ଉପଲବ୍‌ଧି କରନ୍ତି।

            ଅମରେନ୍ଦ୍ର ପ୍ଲାଟଫର୍ମରେ ବସି ବସି ସେଠି ବୁଲୁଥିବା ସବୁ ଅସହାୟ ଓ ବେସାହାରା ପିଲାଙ୍କୁ ମହାପୁରୁଷଙ୍କ ଜୀବନୀ ଶୁଣାନ୍ତି। ପଞ୍ଚତନ୍ତ୍ରର ଗପ କୁହନ୍ତି। ଗରୀବ ଭିକାରୀଙ୍କ ସହିତ ବସି ସେମାନଙ୍କର ଦୁଃଖ ବାଣ୍ଟିବାକୁ ଚେଷ୍ଟାକରନ୍ତି ପ୍ଲାଟଫର୍ମ ରେ ବସିଥିବା ସାଧୁଙ୍କ ସହିତ ବସୁ ଧର୍ମାଲୋଚନା କରନ୍ତି। ଷ୍ଟେସନ ମାଷ୍ଟର ଠିକ୍‌ ଠିକ୍‌ ବୁଝିଯାଇଥିଲେ କି ସେହି ପ୍ଲାଟଫର୍ମ ରେ ଅମରେନ୍ଦ୍ରଙ୍କ ଉପସ୍ଥିତି ସେଠାକାର ମାଟି ଗୋଡିକୁ ମଧ୍ୟ ପ୍ରିୟ ହେଇ ସାରିଛି। ଷ୍ଟେସନ ମାଷ୍ଟର ମଧ୍ୟ ନିଃସଙ୍କୋଚରେ ଅମରେନ୍ଦ୍ରଙ୍କୁ ନିଜ ଦୁଃଖ ଶୁଣାନ୍ତି--- ନିଜ ଚାକିରୀ ଜୀବନର ଦୁଃଖ, ନିଜ ପରିବାର ଠାରୁ ଦୂରରେ ରହିବାର ଦୁଃଖ। ଅମରେନ୍ଦ୍ର ମଧ୍ୟ ଷ୍ଟେସନ ମାଷ୍ଟରଙ୍କୁ ଧୈର୍ଯ୍ୟର ସହିତ ଶୁଣନ୍ତି।


            ଦୀର୍ଘ ସମୟ ଧରି ପରସ୍ପରର ଦୁଃଖ ଆଦାନ ପ୍ରଦାନ ଭିତରେ ଅମରେନ୍ଦ୍ର ଓ ଷ୍ଟେସନ ମାଷ୍ଟରଙ୍କ ଭିତରେ ବନ୍ଧୁତା ବଢି ଯାଇଛି। ହରିଆ ଅମରେନ୍ଦ୍ରଙ୍କ ପାଇଁ ଖାଇବା ଅଣିବା ବେଳେ ଷ୍ଟେସନ ମାଷ୍ଟରଙ୍କ ପାଇଁ ମଧ୍ୟ ନେଇ ଆସେ। ଅମରେନ୍ଦ୍ର ଷ୍ଟେସନ ମାଷ୍ଟରଙ୍କ ପ୍ରକୋଷ୍ଠକୁ ଖାଇବାକୁ ଯିବାକୁ ରାଜି ହୁଅନ୍ତିନି। ତାଙ୍କର ଆଶଙ୍କା କି ସେ ଖାଉଥିବା ବେଳେ ଯଦି ଟ୍ରେନ ଆସିଯାଏ ଏବଂ ରାନୁ ଓହ୍ଲାଇ ଯାଏ ତେବେ ସେ ତାଙ୍କୁ ସହଜରେ ଠାବ କରି ପାରିବନି। ଷ୍ଟେସନ ମାଷ୍ଟର ମଧ୍ୟ ଅମରେନ୍ଦ୍ରଙ୍କର ଦୁର୍ବଳ ମନସିକତାକୁ ଆଘାତ ନକରି ତାଙ୍କ ସହିତ ସେହି ପାଖ ବରଗଛ ଚଉତରାରେ ବସି ଭୋଜନ କରନ୍ତି । ଖାଉ ଥିବା ବେଳେ ଟ୍ରେନଟିଏ ଆସିଲେ ଅମରେନ୍ଦ୍ର ଅଇଁଠା ହାତରେ ଲସର ପସର ହେଇ ଧାଇଁ ଯାଆନ୍ତି ଟ୍ରେନ୍‌ ପାଖକୁ ଆଉ ଚିହ୍ନା ଲୋକ ଦେଖି ପଚାରନ୍ତି, “ ବାବ ମୋ ରାନୁ କୁ ଦେଖିଛ ? ସେ କଅଣ ଏହି ଗାଡିରେ ଆସିଛି” । କିଏ କିଏ ଉତ୍ତର ଦିଅନ୍ତି ଅମରେନ୍ଦ୍ରଙ୍କୁ , ଆଉ କିଏ ଏଡେଇ ଦେଇ ଚାଲି ଯାଆନ୍ତି। ଅମରେନ୍ଦ୍ର ମୁହଁ ହାତ ଧୋଇ ଚାଲି ଆସନ୍ତି ନିଜ ଚୌକିକୁ। ଆସିଲା ବେଳେ ମନକୁ ମନ କହି ହୁଅନ୍ତି:

--------- ବଦମାସ୍‌ ଟୋକାଟାର ଟିକିଏ ବି ଚିନ୍ତା ନାହିଁ। ଗଲା ଯେ ଗଲା। ବାହାର ପବନ ଏତେ ଭଲ ଲାଗୁଛି ଯେ ଘରକୁ ଆସିବାକୁ ମନ ହେଉନି।ଆସୁ ଏଥର ଏମିତି କୋରଡା ମାଡ ଦେବି ଯେ ଆଉ ଦିନେ ବାହାରକୁ ଯିବା ନାଁ ଧରିବନି।

ଅମରେନ୍ଦ୍ରଙ୍କର ଏହି ବାତ୍ସଲ୍ୟତା ଦେଖି ଷ୍ଟେସନ ମାଷ୍ଟର ନିଜକୁ ଧିକ୍କାର କରନ୍ତି। କାରଣ ବିଗତ ତିନି ବର୍ଷ ଭିତରେ ସେ ଥରେ ମାତ୍ର ଘରକୁ ଯିବାର ସୁଯୋଗ ପାଇ ପାରିନାହାନ୍ତି। ତାଙ୍କର ପ୍ରତ୍ୟେକ ଦରଖାସ୍ତ ସବ୍‌ଷ୍ଟିଚ୍ୟୁଟ୍‌ ନଥିବା ଆଳରେ ମଞ୍ଜୁର ହୋଇ ପାରିନି। ସେ ନିଜ ପରିବାର ର ଯତ୍ନ ନେବାପାଇଁ ସକ୍ଷମ ହୋଇ ପରିନାହାନ୍ତି। ନିଜ ଭାଗ୍ୟ ଗଙ୍ଗାରେ ନିଜର ଇଚ୍ଛା, ଉଦ୍‌ବିଗ୍ନତା ଓ ଅସହାୟତାକୁ ଭସାଇ ଦେଇ କେବଳ ଅପେକ୍ଷା କରନ୍ତି ସର୍ବମୟ କର୍ତ୍ତା ପରମେଶ୍ବରଙ୍କ କୃପାକୁ।

        ଷ୍ଟେସନ ମାଷ୍ଟର ବୁଝି ସାରିଛନ୍ତି ଏ ଭିତରେ ଯେ ଅମରେନ୍ଦ୍ର ରାନୁ କୁ ଅପେକ୍ଷା କରନ୍ତି ପ୍ଲାଟଫର୍ମରେ। ସେ ରାନୁ ପ୍ରତି ଅମରେନ୍ଦ୍ରଙ୍କର ରହିଥିବା ନିଷ୍ଠାକୁ ଉପଲବ୍‌ଧି କରନ୍ତି। କିନ୍ତୁ ରାନୁ ର ପରିଚୟ ପାଇବା ପାଇଁ କେବେ ବି ବ୍ୟଗ୍ରତା ପ୍ରକାଶ କରି ନାହାନ୍ତି। ଆଜି କିନ୍ତୁ ଷ୍ଟେସନ ମାଷ୍ଟର ନିଜ ଉଦ୍‌ବିଗ୍ନତାକୁ ଅଟକେଇ ନପାରି ଅମରେନ୍ଦ୍ରଙ୍କୁ ପଚାରିଦେଲେ:

-------- ଅମରେନ୍ଦ୍ର ବାବୁ, ଆପଣ ତ ମୋତେ ଏଯାଏଁ କହିଲେ ନାହିଁ ଏ ରାନୁ କିଏ? ସେ କୁଆଡେ ଯାଇଛି? କେବେ ଫେରିଆସିବାକୁ କହିଛି?

ଅମରେନ୍ଦ୍ର ବାବୁ ଗମ୍ଭୀର ହେଲେ । ସେ ଷ୍ଟେସନ ମାଷ୍ଟରଙ୍କ ପ୍ରଶ୍ନକୁ ଏଡେଇ ଯାଇ ପାରିଲେନି। କହିଲେ:

-------- ରାନୁ ଓରଫ ରଣଜିତ ରାୟ ମୋର ପୁଅ। ମୋର ଏକ ମାତ୍ର ସନ୍ତ

ାନ।ଭାରି ଚଗଲିଆ ଟୋକାଟା।ପାଠ ଭଲ ପଢେନି କିନ୍ତୁ ଖୁବ୍‌ ଭଲ ଖେଳେ। ଯାଇଥିଲା କଲିକତା । ଇଡେନ୍‌ ଗାର୍ଡନରେ ଖେଳିବା ପାଇଁ। ଏ ପର୍ଯ୍ୟନ୍ତ ଫେରି ଆସିନି। ମୁଁ ସେଥିପାଇଁ ତାର ଫେରିବାକୁ ଅପେକ୍ଷା କରୁଛି। ବହୁତ ଦିନ ହେଲା ଗଲାଣି କିନ୍ତୁ କିଛି ଖବର ମଧ୍ୟ ଦେଇନି। ତେଣୁ ମୋତେ ବ୍ୟସ୍ତ ଲାଗୁଛି।

ଷ୍ଟେସନ ମାଷ୍ଟରଙ୍କୁ ଯେମିତି ରଣଜିତ ରାଉତରାୟ ନାଁଟି ନୂଆ ଲାଗୁ ନଥିଲା। ସେ ଏହି ନାଁଟି ଅନେକ ଥର ବିଭିନ୍ନ ସମ୍ବାଦ ପତ୍ର ରେ ପଢିବାର ସୁଯୋଗ ପାଇଛନ୍ତି। ତାଙ୍କ ପୁଅ ଶୁଭଙ୍କର ମଧ୍ୟ ଅନେକ ସମୟରେ ତା ଜୀବନର ଆଦର୍ଶ ଭାବରେ ରଣଜିତ ରାଉତରାୟକୁ ହିଁ ବର୍ଣ୍ଣନା କରେ। ଷ୍ଟେସନ ମାଷ୍ତରଙ୍କର ଧାରଣା ଥିଲା ରଣଜିତ କୌଣସି ନାମୀ ଦାମୀ ସହରର ପିଲା ହେଇଥିବ। ସେ ବିଶ୍ବାସ କରିବାକୁ ପଛଘୁଞ୍ଚା ଦେଉଥିଲେ କି ରଣଜିତ ଆମ ଓଡିଶାର ପାହାଡ ଜଙ୍ଗଲ ଘେରା ଏକ ଦୁର୍ଗମ ପଲ୍ଲୀର ବାସିନ୍ଦା ଅଟେ। ସେ ଅମରେନ୍ଦ୍ରଙ୍କୁ ପ୍ରଶ୍ନ କଲେ:

--------- ଅମରେନ୍ଦ୍ର ବାବୁ, ଆପଣ କଅଣ ସେହି ରଣଜିତଙ୍କ କଥା କହୁଛନ୍ତି ଯେ ଆମ ଭାରତ ବର୍ଷର ଜଣେ ଫୁଟ୍‌ବଲ ତାରକା?

ବାଷ୍ପ ରୁଦ୍ଧ କଣ୍ଠରେ ଅମରେନ୍ଦ୍ର ବାବୁ ଉତ୍ତର ଦେଲେ:

--------- ହଁ, ମୁଁ ସେହି ରଣଜିତ ରାଉତରାୟ କଥା କହୁଛି। ସେହି ରଣଜିତ ରାଉତରାୟ ଯିଏ କି ବହୁବାର ସର୍ବ ଶ୍ରେଷ୍ଠ ଖେଳାଳିର ସମ୍ମାନ ପାଇଛି। ସେହି ରଣଜିତ ରାଉତରାୟ ଯିଏ କି ଏହି ମଫସଲର ମାଟି ପାଣି ପବନରେ ଘୋରି ହୋଇ ଦେଶର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହୋଇ ପାରିଛି ବିନ ପ୍ରଶିକ୍ଷଣରେ, ବିନା ଖେଳ ପଡିଆରେ, ସବୁ କିଛି ବିନା ହିଁ ବିନାରେ।

ଆଶ୍ଚର୍ଯ୍ୟ ଓ ରୋମାଞ୍ଚିତ ହୋଇ ଶୁଣି ଯାଉଥିଲେ ଷ୍ଟେସନ ମାଷ୍ଟର ଅମରେନ୍ଦ୍ରବାବୁଙ୍କ କଥା। ଅମରେନ୍ଦ୍ରବାବୁଙ୍କର ପ୍ରତିଟି ଶବ୍ଦ ତାଙ୍କୁ ମନେ ପକେଇ ଦେଉଥିଲା ନିଜ ପୁଅ ଶୁଭଙ୍କରର ରଣଜିତ ପ୍ରତି ସମ୍ମାନ ଓ ଭକ୍ତି ର ଉଚ୍ଚତା। ଷ୍ଟେସନ ମାଷ୍ଟର ଭାବୁଥିଲେ ଭାରତ ବର୍ଷରେ କୋଟି କୋଟି ଯୁବକ ହରିଦାସପୁର ପରି ନିପଟ ମଫସଲ ରେ ପଡିରହିଛନ୍ତି।କେଉଁଠିକୁ ଯିବାକୁ ରାସ୍ତାନାହିଁ ତ କେଉଁଠି ଜୀବନ ବଞ୍ଚିବାର ସାମାନ୍ୟତମ ସୁବିଧା ଉପଲବ୍‌ଧ ନୁହେଁ। ହେଲେ କେତେ ଜଣ ଯୁବକ ରଣଜିତ ଙ୍କ ପରି ସାଧନାରତ ହୋଇ ଦେଶର ଯଶବୃଦ୍ଧି କରି ପାରୁଛନ୍ତି।ସମସ୍ତେ ନାହିଁ ନାହିଁ ଡାକ ଛାଡିବାରେ ଖୁବ୍‌ ପାରଙ୍ଗମ। କିନ୍ତୁ ଉପଲବ୍‌ଧ ସମ୍ବଳକୁ ବିନିଯୋଗ କରିନିଜକୁ ରଣଜିତଙ୍କ ପରି ପ୍ରତିଷ୍ଠିତ କରିବାକୁ କେହି ବି ଚେଷ୍ଟା କରନ୍ତି ନାହିଁ। ସମସ୍ତେ ନିଜକୁ ପରଙ୍ଗପୁଷ୍ଟ କରି ରଖିବାକୁ ସର୍ବଦା ଯତ୍ନବାନ୍‌ ହେଇ ଥାଆନ୍ତି। ରଣଜିତଙ୍କର ନିଷ୍ଠାପର ସାଧନା ଆଗରେ ଷ୍ଟେସନ ମାଷ୍ଟରଙ୍କ ମଥା ଆପେ ଆପେ ନଇଁ ଆସୁଥିଲା।

            ରଣଜିତର କଥା ଗପି ଗପି ଅମରେନ୍ଦ୍ର ବାବୁ ପ୍ଲାଟଫର୍ମର ଚୌକି ଉପରୁ ଉଠି ଆସିଥିଲେ ସେହି ପରିତ୍ୟକ୍ତ ରେଳବାଇ ପଡିଆ ଆଡକୁ। ପଛେ ପଛେ ଆସୁଥିଲେ ଷ୍ଟେସନ ମାଷ୍ଟର । ସେତବେଳକୁ ସନ୍ଧ୍ୟା ହେଇ ଆସିଥାଏ। ରାଣୀ ଫୁଲ ପରି ଜହ୍ନ ଆଲୁଅରେ ଝଲସୁଥିବା ପଡିଆଟି ଯେମିତି ଅମରେନ୍ଦ୍ରଙ୍କୁ ମନେ ପକେଇ ଦେଉଥିଲା ଅନେକ ଅତୀତ। ମନ ଭିତରେ ତାଙ୍କର ଗଚ୍ଛିତ ରହିଥିବା ଅନେକ ଦିନର କୋହଖଲସ ହେବାକୁ ଆରମ୍ଭ କଲା ଏକ ତୀବ୍ର ବନ୍ୟା ରୂପରେ। ଅମରେନ୍ଦ୍ରଙ୍କର ଭାବ ବିହ୍ବଳିତ ପ୍ରତ୍ୟେକ ଶବ୍ଦ ଜ୍ୟୋତ୍ସ୍ନାପ୍ଲାବିତ ଶୀତ ସନ୍ଧ୍ୟାର ସମଗ୍ର ନିର୍ଜନତାର ପେଟଚିରି ଅଦୂରର ପାହାଡରେ ପ୍ରତିଧ୍ବନିତ ହେଉଥିଲା। ବାରମ୍ବାର ଅମରେନ୍ଦ୍ରଙ୍କର ମନେ ପଡୁଥିଲା ରଣଜିତର ପିଲାଦିନର ଗୁଲୁଗୁଲିଆ କଥା। ଏମିତି ଦିନେ ସନ୍ଧ୍ୟାରେ ହତରେ ଫୁଟ୍‌ବଲ ଧରି ରଣଜିତ ଦୌଡି ଆସିଥିଲା ଘରକୁ। ଖୁବ୍‌ ଖୁସି ଥିଲା ସେ ସେଦିନ। ଗଦ୍‌ ଗଦ୍‌ ହୋଇ କହିଥିଲା ଅମରେନ୍ଦ୍ରଙ୍କୁ:

--------- ବାପା ତୁମେ ଦେଖିବ, ମୁଁ ଦିନେ ନା ଦିନେ ନିଶ୍ଚୟ ଜଣେ ନାମ୍‌ଜାଦା ଖେଳାଳୀ ହେବି।

ଅମରେନ୍ଦ୍ର କିନ୍ତୁ ଖୁବ ଆଘତ ପଇଥିଲେ ସେଦିନ । କାରଣ ସେ ଚାହୁଁଥିଲେ ରଣଜିତ ଭଲ ପାଠ ପଢୁ।ଭଲ ଚାକିରୀଟିଏ କରୁ ।କିନ୍ତୁ ରଣଜିତର ଖେଳ ପ୍ରତି ଅହେତୁକ ଶ୍ରଦ୍ଧା ଦେଖି ସେ ଖୁବ୍‌ ବିଚଳିତ ହେଇ ପଡିଥିଲେ। କିନ୍ତୁ ପରିସ୍ଥିତିର ଚାପରେ କିଛି କରିପାରିବାର ଯୁ ତାଙ୍କର ନଥିଲା। ସରକାରୀ ଚାକିରୀ କରି ଅମରେନ୍ଦ୍ର ଦୂରରେ ରହୁଥିବାରୁ ରଣଜିତ ର ପାଠ ପଢା ପ୍ରତି ଉପଯୁକ୍ତ ଧ୍ୟାନ ଦେଇ ପାରି ନଥିଲେ । ଚାକିରୀ ଜୀବନରେ ସେ ଖୁବ୍‌ କମ ସମୟ ପଇଁ ଘରକୁ ଆସନ୍ତି।ସେଥିରେ ଘରର ଅନେକ ବାକିଆ କାମ ସାଙ୍ଗକୁ ବିଲବାଡି କାମ କରିବାକୁ ହୁଏ। ତେଣୁ ରଣଜିତ ର ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତେ ବା କିପରି । ଏପଟେ ଗାଁର ଚାଷବାସ ବନ୍ଦ କରି ପିଲାଙ୍କୁ ନିଜ କର୍ମ କ୍ଷେତ୍ରକୁ ନିଜ ପଖକୁ ମଧ୍ୟ ନେଇ ପାରନ୍ତି ନାହିଁ। ସ୍ବଳ୍ପ ଦରମାରେ ସହର ବଜାରରେ ପରିବାର ନେଇ ଚଳିବା ମଧ୍ୟ କଷ୍ଟକର। ତେଣୁ ବପ ଥାଇ ମଧ୍ୟ ରଣଜିତ ଗାଁରେ ଜଣେ ବାପ ଛେଉଣ୍ଡ ପିଲ ପରି ବିନ ଯତ୍ନ ରେ ବଢିବାକୁ ଲାଗିଲା। ଅବଶ୍ୟ ସମୟ ସମୟରେ ଅମରେନ୍ଦ୍ର ତାକୁ ତାଗିଦ୍‌ କରିବକୁ କି ଅକଟ କରିବାକୁ ଭୁଲୁ ନଥିଲେ।

            ଗାଁ ସ୍କୁଲ ର ପ୍ରଧାନ ଶିକ୍ଷକ ଅମରେନ୍ଦ୍ରଙ୍କୁ ବହୁତ ବୁଝାନ୍ତି। ପରିସ୍ଥିତି ସହିତ ସାଲିସ କରିନେବାକୁ ଉପଦେଶ ଦିଅନ୍ତି। ପୁରୁଣା ନୂଆ ଖେଳାଳୀଙ୍କର ସୁନାମର କଥା ଶୁଣାନ୍ତି। କିନ୍ତୁ ଅମରେନ୍ଦ୍ରଙ୍କର ମନ ମାନେନି।ସେ ଚାହୁଁଥିଲେ ପୁଅ ଭଲ ପାଠ ପଢି ଗାଁର ଟେକ ରଖୁ।ଜଣେ ଆଇ.ଏ.ଏସ ଅଧିକାରୀ ହେଉ । ଖେଳାଳୀ ହେଇ କଅଣ ବା କରିବ?କି ସୁଖ ପାଇବ? ରଣଜିତ କିନ୍ତୁ ତାଙ୍କର କୌଣସି ହିତପୋଦେଶକୁ ମାନେନି। ଖେଳ କୁଦରେ ତାର ଧ୍ୟାନ ବଜୟ ରଖିଥାଏ। ଯେଉଁ ଦିନ ରଣଜିତ ପ୍ରଥମ କରି ସହରକୁ ଖେଳିବାପାଇଁ ଯାଇଥିଲା ସେଦିନ ଅମରେନ୍ଦ୍ର ଖୁବ୍‌ ବିରକ୍ତ ହେଇଥିଲେ। ଖେଳରେ ଜିତି ରଣଜିତ ଆଣିଥିବା ଟ୍ରଫି ତାଙ୍କୁ ହୁତୁ ହୁତୁ ହୋଇ ଜଳୁଥିବ ତାଙ୍କ ଅଭିପ୍‌ସାର ଜୁଇ ପରି ପ୍ରତୀୟମନ ହେଉଥିଲା।

            ଅମରେନ୍ଦ୍ରଙ୍କ କଥା ଗୁଡାକ ଷ୍ଟେସନ ମାଷ୍ଟରଙ୍କୁ ଖୁବ୍‌ ପ୍ରଭାବିତ କରୁଥିଲା। ସେ ମଧ୍ୟ ସମ ତାଳରେ ଭାବୁ ଥିଲେ କି ଚାକିରୀ ଜୀବନରେ ସେ ମଧ୍ୟ ନିଜ ପରିବର ଠାରୁ ସବୁବେଳେ ଦୂରରେ ରହି ଆସିଛନ୍ତି। ସେ ମଧ୍ୟ ନିଜ ପୁଅ ଶୁଭଙ୍କରକୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇ ପାରି ନାହାନ୍ତି। ଏହି ଗ୍ଲାନିରେ ଷ୍ଟେସନ ମାଷ୍ଟରଙ୍କ ମନ ମଧ୍ୟ ଆଉଟୁ ପାଉଟୁ ହେଲା। ରଣଜିତ ସିନା ସାଧନା କରି ଉପରକୁ ଉଠି ପାରିଲା, ଶୁଭଙ୍କର ପରି ଜଣେ ବିଳାସୀ ପିଲା କଅଣ ତାଙ୍କର ସ୍ବପ୍ନକୁ ସାକାର କରି ପାରିବ ?ଏହି ଚିନ୍ତାରୁ ଷ୍ଟେସନ ମାଷ୍ଟର ଓହରି ପାରିଲେନି। ପ୍ଲାଟଫର୍ମର ଘଣ୍ଟା ବାଜିବା ଶୁଣି ଷ୍ଟେସନ ମାଷ୍ଟର ପିନ୍ଧିଥିବା ଘଣ୍ଟାକୁ ଚାହିଁଲେ ଚକ୍ରଧରପୁର ଡାଉନ୍‌ ଏକ୍ସପ୍ରେସ୍‌ ଆସିବା ସମୟ ହେଲାଣୀ। ଷ୍ଟେସନ ମାଷ୍ଟର କିଛି କହିବା ପୂର୍ବରୁ ଅମରେନ୍ଦ୍ର ଦୌଡି ଆସି ଠିଆ ହେଇ ଗଲେ ପ୍ଲାଟଫର୍ମର ବରଗଛ ମୂଳ ତାଙ୍କ ସେହି ସିମେଣ୍ଟ ଚୌକି ପାଖରେ ।

            ଟ୍ରେନ୍‌ ଆସିଗଲା। ହରିଆ ଗତାନୁ ଗତିକ ଭବରେ ପ୍ଲାଟଫର୍ମ ସାରା ରାନୁ ବାବୁ ରାନୁ ବାବୁ ଡାକି ଡାକି ଘୁରି ବୁଲିଲା। ରାନୁ କିନ୍ତୁ ଆସି ନଥିଲା । ହରିଆ ଲୁହ ଛଳ ଛଳ ଅଖିରେ ଅମରେନ୍ଦ୍ରଙ୍କ ପାଖକୁ ଆସି କହିଲା:

------- ବାବୁ , ସାନ ବାବୁ ଏଥିରେ ମଧ୍ୟ ଆସିନାହାନ୍ତି।

ଥମ୍‌ କରି ବସିଗଲେ ପ୍ଲଟ୍ଫର୍ମର ଚୌକିଟି ଉପରେ ଅମରେନ୍ଦ୍ର। ଭୋ ଭୋ କରି କାନ୍ଦି ଉଠିଲେ । ତାଙ୍କ ପ୍ରତୀକ୍ଷାର ପାହଡ ଯେମିତି କିଛି ଏକ ଶକ୍ତ ଧକାରେ ଭାଙ୍ଗି ରୁଜି ଚୁରମାର ହେଇ ଯାଇଛି। ପାଖରେ ଚୁପଚାପ ଛିଡା ହେଇଥାଆନ୍ତି ଷ୍ଟେସନ ମାଷ୍ଟର। ଅମରେନ୍ଦ୍ରଙ୍କୁ ବୋଧ ଦେବା ପାଇଁ ଯେମିତି ତାଙ୍କ ପାଖରେ କୌଣସି ଭାଷା ନାଥିଲା। ହରିଆ ମଧ୍ୟ କାନ୍ଦୁଥିଲା। ଅମରେନ୍ଦ୍ରଙ୍କୁ ଜାଣିଥିବା ପ୍ରତ୍ୟେକ ଲୋକ ହତବିମ୍ବ ହୋଇ ଯାଇଥିଲେ । ଦୂରରୁ ଏ ସବୁ ଲକ୍ଷ୍ୟ କରୁଥିଲେ ଅମରେନ୍ଦ୍ରଙ୍କ ସ୍ତ୍ରୀ ମାୟା ଦେବୀ। ଅମରେନ୍ଦ୍ରଙ୍କ ଘରକୁ ଫେରିବା ଡେରି ହେବା ଦେଖି ସେ ସେ ଧାଇଁ ଆସିଥିଲେ ପ୍ଲାଟଫର୍ମ କୁ ଅମରେନ୍ଦ୍ରଙ୍କୁ ସାଙ୍ଗରେ ନେଇ ଯିବା ଲାଗି। ପ୍ଲାଟଫର୍ମର ପରିସ୍ଥିତି ତାଙ୍କୁ ଖୁବ୍‌ ବିଚଳିତ କରିଦେଲା। ସେ ପାଖେଇ ଆସି ଅମରେନ୍ଦ୍ରଙ୍କୁ ବୁଝେଇ କହିଲେ:

------- ରାନୁ ଆସିବ ନିଶ୍ଚୟ ଆସିବ । ଏଥର ତୁମେ ତାକୁ ଆକଟ କରିବ । ଆଉ ବାହାର ସହରକୁ ଯିବାକୁ ଦେବନି। ଏବେ ଆସ ଘରକୁ ଯିବା।

ଷ୍ଟେସନ ମାଷ୍ଟର ମାୟାଦେବୀଙ୍କ ଠାରୁ ଜାଣିବାକୁ ଚାହିଁଲେ ରାନୁ ବିଷୟରେ କିଛି। ମାୟାଦେବୀ ପୁରୁଣା କଥକୁ ସଂକ୍ଷେପରେ କହିଲେ:

---------     ରାନୁ ଯାଇଥିଲା କଲିକତା ଖେଳିବାକୁ । ଖେଳ ଚାଲିଲା ଭିତରେ କୌଣସି କାରଣକୁ ନେଇ ଗୋଷ୍ଠି ସଂଘର୍ଷ ହେଲା। ସେବେଠାରୁ ରାନୁର କୌଣସି ପତ୍ତା ନାହିଁ। ଆମେ ଖଣ୍ଡେ ଟେଲିଗ୍ରାମ ପାଇଥିଲୁ ରାନୁ ମୃତ ବୋଲି କିନ୍ତୁ ତା ପର୍ଥିବ ଶରୀର ମିଳି ପରିନି ଏଯାବତ୍‌। ଆମକୁ କିନ୍ତୁ କୁହା ହେଲା ତା ଶବକୁ ହୁଗୁଳି ନଦୀ କୂଳରେ ସଂସ୍କାର କରିଦିଆ ଯାଇଛି। ତାପରଠାରୁ ଅମରେନ୍ଦ୍ରଙ୍କର ମନସିକ ସନ୍ତୁଳନ ବିଗିଡିଯାଇଛି। ସେ ଆଜିକୁ ପନ୍ଦର ବର୍ଷ ହେଲା ପ୍ରତ୍ୟେକ ଦିନ ଏଠାକୁ ଆସନ୍ତି। ଏହି ଚୌକିରେ ବସନ୍ତି। ରାନୁ ରାନୁ ବୋଲି ଡାକନ୍ତି। ତାଙ୍କର ଧାରଣା ରାନୁ ତାଙ୍କ ଠାରୁ ଗାଳି ଖାଇବା ଭୟରେ ଆସୁନି।

ଷ୍ଟେସନ ମାଷ୍ଟର ଚୁପଚାପ ଶୁଣୁଥିଲେ ମାୟାଦେବୀଙ୍କ କଥା। ମନ ତାଙ୍କର ଆନ୍ଦୋଳିତ ହେଲା ଆଜିକଲିର ଶାସନ ବ୍ୟବସ୍ଥା ବିରୁଦ୍ଧରେ ଏବଂ ପ୍ରତ୍ୟେକ ଝିମିଟି ଖେଳକୁ ଏକ ମହଭାରତର ରୂପ ଦେଉଥିବା ସବୁ ଶକୁନି ମାନଙ୍କ ବିରୁଦ୍ଧରେ । ସେ ଭବୁଥିଲେ ଆମେ ତେବେ କଅଣ ସେହି ମନିଷୀ ମାନଙ୍କର ଉପଯୁକ୍ତ ଦାୟାଦ ଯିଏ ଶାନ୍ତି, ମୈତ୍ରୀ ଓ ଅହିଂସା ପାଇଁ ଶହୀଦ ହେଇ ଯାଇଛନ୍ତି ନା ସେହି ସ୍ବାର୍ଥାନ୍ଧ ଧର୍ମାନ୍ଧ ମାନଙ୍କର ଦାୟାଦ ଯିଏ ଜାଳି ଦେଉଛନ୍ତି ସାହି ବସ୍ତିରେ ବିଶ୍ବାସଘାତକତା ଓ ବର୍ବରତାର ମଶାଲ। ଭାବନାରେ ବୁଡି ରହି ଅଶ୍ରୁ ତର୍ପଣ କରି ଷ୍ଟେସନ ମାଷ୍ଟର ଚାହିଁ ରହିଥିଲେ ସସ୍ତ୍ରୀକ ଦୃଷ୍ଟି ବଳୟରୁ ଧିରେ ଧିରେ ଅପସରି ଯାଉଥିବା ଘରମୁହାଁ ଅମରେନ୍ଦ୍ରଙ୍କୁ ।

( ସମାପ୍ତ)


Rate this content
Log in