The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Santosh Kumar Misra

Inspirational

3  

Santosh Kumar Misra

Inspirational

ଅସହାୟ ଭବିଷ୍ୟତ

ଅସହାୟ ଭବିଷ୍ୟତ

10 mins
14



ଫୁଟ୍‌ପାଥ ଉପରେ ପଣତ କାନିଟାକୁ ମେଲି ଦେଇ ଭିକ ମାଗୁଥିଲା ଫୁଲ । ଜୀର୍ଣ୍ଣ ଶୀର୍ଣ୍ଣ ଚେହେରା, ଝାମ୍ପୁରା ଝମ୍ପୁରା ବାଳ ଆଉ ଅଧା ମୁକୁଳା ଦେହରେ ନିର୍ବିକାର ଭାବରେ ବସି ରହି ଫୁଟ୍‌ପାଥରେ ଚାଲି ଯାଉ ଥିବା ପ୍ରତ୍ୟେକ ମଣିଷ ଆଗରେ ହାତ ପାତି ମାଗି ଚାଲିଥିଲା ସେ କିଛି ସାହାଯ୍ୟ, ଦଣ୍ଡେ ନିମିଷେ ବଞ୍ଚିଯିବା ପାଇଁ ଟିକିଏ ଆଶ୍ରା । କିନ୍ତୁ ଯାହା ଦେଖା ଯାଉଥିଲା ତାର ଚିବୁକ ଫଟା ଅର୍ଦ୍ଦଳୀ ସେହି ବାଟ ଦେଇ ଚାଲି ଯାଉଥିବା ସହରୀ ଅତର ବୋଳା ମଣିଷ ଗୁଡାକୁ କୌଣସି ମତେ ପ୍ରଭାବିତ କରି ପାରୁ ନଥିଲା ।


ଟିକିଏ ଦୂରରୁ ଏ ସବୁକୁ ଲକ୍ଷ କରୁଥିଲା ଚିନୁ ଓରଫ ଚିନ୍ମୟ ଜଗଦ୍ଦେବ । ଭିକାରୁଣୀଟି ତାକୁ ଯେମିତି ଚିହ୍ନା ଚିହ୍ନା ଲାଗୁଥିଲା । ସେ ସେହି ବ୍ୟବଧାନରେ ଠିଆ ରହି ତାକୁ ମନେ ପକେଇବାକୁ ଚେଷ୍ଟା କରୁଥିଲା । ଇତସ୍ତତଃ ଭାବରେ ସେ ଫୁଟ୍‌ପାଥ ଉପରେ ପଇଁତରା ମାରୁଥିଲା । ଭୀକାରୁଣୀଟି ତାର ଝାପ୍‌ସା ଝାପ୍‌ସା ଭାବରେ ମନେ ପଡୁଥିଲା । ହେଲେ ସେ ବିଶ୍ବାସ କରି ପାରୁ ନଥିଲା ଯେ ତାର ଝାପ୍‌ସା ଝାପ୍‌ସା ମନେ ପଡୁଥିବା ଚେହେରାଟି ସେହି ଭୀକାରୁଣୀ ହେଇ ପାରେ ।

ଚିନ୍ମୟର ଅନ୍ୟମନସ୍କତାକୁ ଚହଲେଇ ଦେଲା ତାର ବାଲ୍ୟ ବନ୍ଧୁ ଅନିମେଶର ।


ସମ୍ବୋଧନ :

--------- ଚିନ୍ମୟ! ତୁ ଏଠି କଅଣ କରୁଛୁ?

ଅନିମେଶକୁ ଦେଖି ଚିନ୍ମୟ ଚିହିଁକି ଉଠିଲା । ସେ ଚିନ୍ମୟର ବାଲ୍ୟ ବନ୍ଧୁ ହେବା ସହିତ ସହପାଠୀ ମଧ୍ୟ ଥିଲା । ଗାଁ ଅବଧାନଙ୍କ ପାଖରେ ପାଖାପାଖି ବସି ସେମାନେ ଦୁଇ ଜଣ ଚାଟଶାଳୀ ଓ ପରେ ପରେ ଗାଁ ସ୍କୁଲରେ ମାଇନର ପର୍ଯ୍ୟନ୍ତ ଏକାଠି ପାଠ ପଢିଛନ୍ତି । ଅନିମେଶର ଉପସ୍ଥିତି ଫଳରେ ଚିନ୍ମୟର ମନ ଟିକିଏ ହାଲ୍‌କା ହେବାକୁ ଲାଗିଲା । ସ୍ବତଃ ପ୍ରବୃତ ଭାବରେ ସେ ଅନିମେଶକୁ କହିଲା:

--------- ଅନିମେଶ, ଦେଖିଲୁ ଫୁଟ୍‌ପାଥ ଉପରେ ଏଇ ଯେଉଁ ଝିଅଟି ଭିକ ମାଗୁଛି.......

ଚିନ୍ମୟର ପାଟିରୁ କଥା ଛଡେଇ ନେଇ ଅନିମେଶ ବେଶ୍‌ ଗମ୍ଭୀର ଭାବରେ ଉତ୍ତର ଦେଲା:

--------ହଁ ଚିନ୍ମୟ, ତୁ ସେ ଭିକାରୁଣୀକୁ ଜାଣିଛୁ । ସେ ତୁମ ହଳିଆ ରଘୁ ପଧାନର ଝିଅ ଫୁଲ ।


ଚିନ୍ମୟ ଆଶ୍ଚର୍ଯ୍ୟ ହେଲା । ତା’ର ଝାପ୍‌ସା ଝାପ୍‌ସା ମନେ ପଡୁଥିବା ଫୁଲ ସହିତ ଭିକାରୁଣୀ ଝିଅଟିର ଚେହେରା ମିଶି ଯାଉଥିଲା । ପୁଣି ଅନିମେଶ ଚିହ୍ନଟ କରିଦେବା ପରେ ଚିନ୍ମୟ ନିଶ୍ଚିତ ହେଇଗଲା ସେହି ଭିକାରୁଣୀ ଝିଅଟିର ପରିଚୟ ଉପରେ । କିନ୍ତୁ ଚିନ୍ମୟର ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଏମିତି କଅଣ ପରିସ୍ଥିତି ହେଲା ଯେ ଫୁଲକୁ ସହର ବଜାରର ଏହି ଫୁଟ୍‌ପାଥ ଉପରେ ବସି ଭିକ ମାଗିବାକୁ ପଡିଲା । ସେ ଠିକ୍‌ କଲା ସେହି ମୁହୂର୍ତ୍ତରେ ଯାଇ ସେ ଫୁଲକୁ ସାକ୍ଷାତ କରିବ ।


ଅନେକ ଦିନ ର ବ୍ୟବଧାନ ପରେ ଫୁଲକୁ ଏପରି ଦୟନୀୟ ଅବସ୍ଥାରେ ଆବିଷ୍କାର କରିଥିବାରୁ ଚିନ୍ମୟ ଆଦୌ ଖୁସି ହେଇ ପାରୁନଥିଲା । କାରଣ ରଘୁ ପଧାନ ଓରଫ ରଘୁ କକା କୋଳରେ ଚିନ୍ମୟ ତା’ର ପିଲାଦିନଟିକୁ ବିତେଇ ଦେଇଥିଲା । ରଘୁ କକାଙ୍କର ଏହି ଝିଅ ଫୁଲ ତା’ ଠାରୁ ବୟସରେ ପାଞ୍ଚ ସାତ ବର୍ଷ ବଡ ଥିଲା । ଯେହେତୁ ଚିନ୍ମୟ ଖୁବ୍‌ ଛୋଟ ଦିନରୁ ତା’ ମାଙ୍କୁ ହରେଇ ଦେଇଥିଲା, ରଘୁ କକା ଓ ତାଙ୍କ ପରିବାର ବିଶେଷ କରି ଫୁଲ ଚିନ୍ମୟକୁ ଖୁବ ସ୍ନେହ କରୁଥିଲେ । ଫୁଲ ଚିନ୍ମୟ ପାଇଁ ତାଙ୍କ ହଳିଆ ରଘୁ ପଧାନର ଝିଅ ନଥିଲା, ସେ ଥିଲା ଚିନ୍ମର ବଡ ଭଉଣୀ । ଚିନ୍ମୟର ପିଲାଦିନର ସବୁ ଅଳି ଅର୍ଦ୍ଦଳୀକୁ ସେ ନିଜ ପଣତ କାନିରେ ପୋଛିନେଇ ପାରୁଥିଲା । ଜମିଦାର ଚୌଧୁରୀଙ୍କ ପରିବାରରେ ଜନ୍ମ ହେଲେ ମଧ୍ୟ ଚିନ୍ମୟର ବାଲ୍ୟ ଜୀବନ ପ୍ରାୟତଃ କଟି ଥିଲା ରଘୁ ପଧାନଙ୍କର ଝାଟି ମାଟି ଘରେ । ମା ଛେଉଣ୍ଡ ଫୁଲ ଚିନ୍ମକୁ ନିଜ ସାନ ଭାଇଟି ପରି ସ୍ନେହ ଦେବା ଛଳରେ ନିଜ ମା’କୁ ହରେଇ ଥିବାର ଦୁଃଖକୁ କିଞ୍ଚିତ ମାତ୍ରାରେ ଭୁଲି ଯିବାକୁ ଚେଷ୍ଟା କରୁଥିଲା । ଚିନ୍ମୟ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା । କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ସହିତ ଚିନ୍ମୟ ମାନସିକ ସ୍ତରରେ ସାଲିସ କରି ପାରୁ ନଥିଲା । ଅନିମେଶ ମଧ୍ୟ ଠିକ୍‌ ଠଉରେଇ ନେଇ ଥିଲା ଚିନ୍ମୟର ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନର ଜୁଆର ସବୁକୁ ।


ବିଦେଶରୁ ଫେରିବା ପରେ ଚିନ୍ମୟ ଖୋଜିଥିଲା ରଘୁକକାଙ୍କ ପରିବାରକୁ ଓ ବିଶେଷ କରି ଫୁଲକୁ । ପାଇ ନଥିଲା ସେ ସେମାନଙ୍କୁ ତାର ସେହି ପରିଚିତ ଝାଟିମାଟିରକୁଡିଆ ଘରେ । ଗାଁ ମଝିରେ ଠିଆ ରଘୁ କକାଙ୍କର ଦରଭଙ୍ଗା ଘରଟି ଅତୀତର ଅନେକ ସ୍ମୃତିକୁ ଚିନ୍ମୟର ମନରେ ପୁନଃ ଅଙ୍କୁରିତ କରୁଥିଲା । ଚିନ୍ମୟ ଅନେକଙ୍କୁ ପଚାରିଥିଲା । କେହି ହେଲେ ବି ସଠିକ ଭାବରେ କହି ପାରି ନଥିଲେ ରଘୁ କକାଙ୍କର ପରିବର୍ତ୍ତିତ ଠିକଣା ବିଷୟରେ । ଅନିମେଶ ଲକ୍ଷ କରୁଥିଲା ଚିନ୍ମୟ ବହୁତ ଭାବ ବିହ୍ବଳ ହେଇ ଉଠିଛି । ସେ ତାକୁ ପ୍ରକୃତିସ୍ଥ କରିବାକୁ ଚେଷ୍ଟା ଆରମ୍ଭ କରିବାକୁ ଯାଇ ତା’ ଆଗରେ ବଖାଣି ଚାଲିଲା ରଘୁ କକା ଓ ତଙ୍କ ପରିବାରକୁ ନେଇ ସେ ଜାଣି ଥିବା କିଛି ଘଟଣା । ତା’ କହିବା ଅନୁଯାୟୀ ଘଟଣା କ୍ରମରେ ପରିବର୍ତ୍ତନ ଆରମ୍ଭ ହେଇଥିଲା ଯେଉଁ ଦିନ ଠାରୁ ଗାଁରେ ଆସି ଆଶ୍ରୟ ନେଇଥିଲା ବୀରବାହାଦୂର ।

ବୀରବହାଦୂର ଥାପା, ନେପାଳର ଲୋକ । ହେଲେ ତା’ର ପରିବାର ଅନେକ ପିଢି ଧରି ଏହି ନିକଟରେ ଥିବା ଭରତପୁର ସହରରେ ରହି ଆସୁଛନ୍ତି ଓ ପୁରୁଷାନୁକ୍ରମିକ ଭାବରେ ଆଖପାଖ ଅଞ୍ଚଳରେ ରାତ୍ରୀ ଜଗୁଆଳୀ ଭାବରେ ନିୟୋଜିତ ହୋଇ ଆସୁଛନ୍ତି । କାହାର ମନେ ନାହିଁ ସଠିକ୍‌ ଭାବରେ କେତେ ପିଢି ଧରି ତା ପରିବାର ନେପାଳରୁ ଆସିଯାଇଛନ୍ତି ଏଠାକୁ ଓ କେଉଁ କାରଣରୁ ଆସିଯାଇଛନ୍ତି । କିନ୍ତୁ ସମସ୍ତେ ଜାଣନ୍ତି ବୀରବହାଦୂର ଏହି ଭରତପୁର ସହରର ବସ୍ତି ଅଞ୍ଚଳରେ ଜନ୍ମ ହେଇଛି ଏବଂ ଏହି ସହର ତଳି ଦରଗାଉଁଲୀ ଓ ଦରସହରୀ ପାଣି ପବନରେ ସେ ଖୁବ୍‌ ଫେଣ୍ଟି ହେଇ ଯାଇଛି । ଗାଁ ମେଳଣରେ ସେ କାନ୍ଧେଇ ନେଉଥିଲା ଦୋଳ ବିମାନକୁ, ଗାଁ ଯାନି ଯାତ୍ରାରେ ଘଣ୍ଟ ଧରି ଛିଡା ହେଇ ଯାଉଥିଲା ଆଗ ଧାଡିରେ । ଗାଁ ଲୋକଙ୍କର ଆପଦ ବିପଦରେ ଅଣ୍ଟା ଭିଡି ଆଗେଇ ଆସୁଥିଲା ସାହାଯ୍ୟ କରିବାକୁ । କ୍ରମଶଃ ବୀରବାହାଦୂର ପାଇଁ ତାଙ୍କ ଗାଁରେ ସମସ୍ତେ ଥିଲେ ପ୍ରଶଂସା ମୁଖର ।


ଦିନେ ସକାଳେ କିନ୍ତୁ ସବୁ କିଛି ବଦଳି ଯାଇଥିଲା ହଠାତ୍‌ । ଗାଁର ପିଲା ବୁଢା ସମସ୍ତଙ୍କର ଶତୃ ପାଲଟି ଯାଇଥିଲା ବୀରବହାଦୂର । କାରଣ ସେ ଖୋଲା ଖୋଲି ଭାବରେ ଗାଁରେ ପ୍ରକାଶ କରିଥିଲା କି ସେ ରଘୁ ପଧାନର ଝିଅ ଫୁଲକୁ ନ୍ବିବାହ କରିବାକୁ ଇଚ୍ଛା କରେ । ତାର ଏ ନିର୍ଭିକ ପ୍ରସ୍ତାବ ଯେମିତି ସମଗ୍ର ଗାଁଟାକୁ ଦୋହଲେଇ ଦେଇଥିଲା । ହାଠାତ ପ୍ରଶ୍ନ ଉଠିଥିଲା ବୀରବହାଦୂରର ଜାତି, କୂଳ ଆଉ ଗୋତ୍ରର । କେହି କେହି ପ୍ରଚାର କଲେ ବୀରବାହାଦୂର ଗାଁର ଇଜ୍ଜତ ଲୁଟିବାକୁ ଆଜି ଯାଏଁ ମୁଖା ପିନ୍ଧି ଅଭିନୟ କରୁଥିଲା, ଏବେ କିନ୍ତୁ ତାର ମୁଖା ଖୋଲିଗଲା । ଗାଁ ମୁଖିଆ ମାନେ ଭିଡା ଭିଡି ହେଲେ ପଞ୍ଚାୟତ ଡାକି ଏହି ଘଟଣାର ଫଇସଲା କରିବା ପାଇଁ ।


ଗାଁରେ ପଞ୍ଚାୟତ ବସିଲା । ପଞ୍ଚାୟତର ସଦସ୍ୟ ମାନେ ରଘୁ ପଧାନ କିମ୍ବା ତା’ ଝିଅ ଫୁଲର ମତାମତକୁ ଅଣଶୁଣା କରିଦେଲେ । ବୀରବହାଦୂରର ମତକୁ ବା’ ପଚାରେ କିଏ । ପଞ୍ଚାୟତ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି କଲା ରଘୁ ପଧାନକୁ ବାରଣ କରିବାକୁ ଏହି ପ୍ରସ୍ତାବରେ ସମ୍ମତ ହେବା ପାଇଁ । ରଘୁ ପଧାନ କିନ୍ତୁ ବୁଝି ପାରୁ ନଥିଲା ଗାଁ ଲୋକଙ୍କର ଏହି ଭଳି ବ୍ୟବହାରକୁ । ଚିନ୍ମୟର ବାପା ଯଦିଓ ଗ୍ରାମ ପଞ୍ଚାୟତ ସଭାରେ ଉପସ୍ଥିତ ଥିଲେ କିନ୍ତୁ ବାର୍ଦ୍ଧକ୍ୟ ହେତୁ ସେ ସଭାରେ ସକ୍ରିୟ ହେଇ ପାରୁ ନଥାଆନ୍ତି । କିନ୍ତୁ ପଞ୍ଚାୟତର ଏହି ନିଷ୍ପତ୍ତିକୁ ସେ ଦୃଢ ବିରୋଧ କଲେ । ଯଦିଓ ସେ ଗ୍ରାମର ଜମିଦାର ପରିବାରର ଜଣେ ସଦସ୍ୟ ତଥାପି ତାଙ୍କ କଥାକୁ ପଞ୍ଚାୟତ ସଦସ୍ୟ ମାନେ ଏଡେଇ ଗଲେ । ପଞ୍ଚାୟତର ଏହି ନିଷ୍ପତ୍ତି ବିରୁଦ୍ଧରେ ରଘୁ ପଧାନ ବିଦ୍ରୋହର ସୂଚନା ଦେଲା । କାରଣ ସେ ଗରୀବ ଥିବା ହେତୁ ଯାନି ଜୌତୁକ ସଂଗ୍ରହ କରି ଝିଅକୁ ବିବାହ ଦେଇ ପାରିବା ଅବସ୍ଥାରେ ନଥିଲା । ବୀରବହାଦୂର ତା’ ପାଇଁ ନିଶ୍ଚିତ ଭାବରେ ଏକ ଉତ୍ତମ ପ୍ରସ୍ତାବ ଥିଲା । ସେ ପଞ୍ଚାୟତ ନିଷ୍ପତ୍ତିକୁ ବେଖାତିର କରି ଚିନ୍ମୟର ବାପାଙ୍କ ସହାୟତାରେ ଫୁଲର ବିବାହ ବୀରବହାଦୂର ସହିତ ସମ୍ପନ୍ନ କରାଇଲା । ପଞ୍ଚାୟତ କ୍ଷୁବ୍ଧ ହେଲେ । ରଘୁ ପଧାନ ପରିବାରକୁ ଗାଁର ନିଆଁ ପାଣି ବାସନ୍ଦ କଲେ ପଞ୍ଚାୟତ । ଚିନ୍ମୟର ବାପା ଗାଁର ଜମିଦାର ହେତୁ ତାଙ୍କୁ ମଧ୍ୟ ପଞ୍ଚାୟତ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଲେ । ଅନନ୍ୟୋପାୟ ହୋଇ ରଘୁ ପଧାନ ଝିଅ ଓ ଜ୍ବାଇଁଙ୍କ ସମେତ ଗାଁ ଛାଡିଦେଇ ପାଖ ଭରତ ପୁର ସହରକୁ ଜୀବନ ଜୀବିକା ସନ୍ଧାନରେ ଚାଲିଗଲା । ତାଙ୍କର ଭିଟା ମାଟି ଅନ୍ୟର ଦଖଲକୁ ଚାଲିଗଲା । ନିଜର ଘର ଥାଇ ମଧ୍ୟ ରଘୁ ପଧାନଙ୍କର ପରିବାର ବେଘର ହୋଇଗଲେ ସବୁ ଦିନ ପାଇଁ ।


ଚିନ୍ମୟ ଏକାଗ୍ର ଚିତ୍ତ ରେ ଶୁଣି ଯାଉଥିଲା ଅନିମେଶ କହୁଥିବା ରଘୁ ପଧାନଙ୍କ ସହିତ ବିଗତ ଦିନରେ ଘଟି ଯାଇଥିବା କାହାଣୀ । ସେ ବିଶ୍ବାସ କରି ପାରୁ ନଥିଲା ଗାଁ ଲୋକଙ୍କର ଏହି ଭଳି ପରିବର୍ତ୍ତନକୁ । ରଘୁ କକା ଓ ଫୁଲର ପରବର୍ତ୍ତି ଦୁର୍ଦ୍ଦଶାକୁ ମଧ୍ୟ ଚିନ୍ମୟ ଚିନ୍ତା କରି ପାରୁ ନଥିଲା । ଅନିମେଶ ମଧ୍ୟ ଜାଣି ନଥିଲା ପରବର୍ତ୍ତି ପର୍ଯ୍ୟାୟରେ କଅଣ ସବୁ ଘଟି ଯାଇଥିଲା ରଘୁ କକା ଓ ଫୁଲ ଜୀବନରେ । ଚିନ୍ମୟ ଭାବୁଥିଲା ବୀର ବାହାଦୂର ତାହେଲେ କଅଣ ପୁଲ ସହିତ ବିଶ୍ବାସଘାତକତା କଲା? ରଘୁ କକା ଏବେ କି ଅବସ୍ଥାରେ କେଉଁଠି ଥାଇ ପାରନ୍ତି? ଚିନ୍ମୟ ବିବ୍ରତ ଜଣା ଯାଉଥିଲା । ଚିନ୍ମୟ ପରି ଦିନେ ଅତର୍କିତ ଭାବରେ ଅନିମେଶ ମଧ୍ୟ ଫୁଲକୁ ସେହି ଫୁଟ୍‌ପାଥରେ ଭିକ ମଗୁଥିବାର ଅବସ୍ଥାରେ ଦେଖିଥିଲା । ଚେଷ୍ଟା କରିଥିଲା ଜାଣିବା ପାଇଁ ଫୁଲର ଏହି ଦୁର୍ଦ୍ଦଶାର କାରଣ କଅଣ ? ଫୁଲ କିନ୍ତୁ ସେ ଦିନ ନିରୂତ୍ତର ରହିଥିଲା । କାରଣ ଗ୍ରାମବାସୀଙ୍କ ଉପରୁ ସେ ଅନେକ ଦିନରୁ ତାର ବିଶ୍ବାସ ହରେଇ ସାରିଥିଲା । ଅନିମେଶ ମନକୁ ଆସୁଥିଲା କି ଗାଁ ଲୋକଙ୍କର ସେଦିନର କଠୋର ନିଷ୍ପତ୍ତିର ଯନ୍ତ୍ରଣା ହୁଏତ ଫୁଲର ମନେ ପଡି ଯାଇଥିଲା ଅନିମେଶକୁ ଦେଖିବା ପରେ । ଚିନ୍ମୟ ସମୟ ନଷ୍ଟ ନକରି ଆଗେଇ ଗଲା ଫୁଲ ପାଖକୁ ପଚାରିବାକୁ କି ତା’ର ଏ ଅବସ୍ଥା କାହିଁକି ଓ କିଏ ସେଥିପାଇଁ ଦାୟୀ ? ଫୁଲ ସିନା ଦୁର୍ବଳ ଥିବା ହେତୁ ତା’ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରତିରୋଧ କରି ପାରି ନଥିବ କିନ୍ତୁ ସେ ସେହି ଦୁଷ୍ଟ ଚରିତ୍ର ମାନଙ୍କୁ ଉଚିତ୍‌ ଶିକ୍ଷା ଅବଶ୍ୟ ଦିଆଇବ । ଅନିମେଶ ଚିନ୍ମୟର ଉତ୍କଣ୍ଠା ମର୍ମେ ମର୍ମେ ବୁଝୁଥିଲେ ମଧ୍ୟ ସେହି ମୁହୂର୍ତ୍ତରେ ଚୁପ ରହିଯିବାକୁ ଇଚ୍ଛା କରିଥିଲା ।


ତା’ ଆଗରେ ଠିଆ ଛଅ ଫୁଟିଆ ଚିନ୍ମୟକୁ ଦେଖି ଆଶ୍ଚର୍ଯ୍ୟ ହେଇ ଯାଇଥିଲା ଫୁଲ । ନିର୍ବାକ ଭାବରେ ଚାହିଁ ରହିଥିଲା ଚିନ୍ମୟର ମୁହଁକୁ । ଆଖିରୁ ତା’ର କ୍ରମାଗତ ଭାବେ ବୋହିବାକୁ ଲାଗିଥିଲା ଠୋପା ଠୋପା ଲୁହ । ଫୁଟ୍‌ପାଥରେ ଲୋଟୁଥିବା ତାର ପଣତ କାନିକୁ ଉଠେଇ ଆଣି ସତେ ଯେମିତି ଚିନ୍ମୟ ମୁହଁରୁ ଝାଳ ପୋଛିଦେବାକୁ ଚେଷ୍ଟା କରୁଥିଲା ସିଏ । ଚିନ୍ମୟର ମଧ୍ୟ ମନେ ପଡୁଥିଲା ତା’ର ପିଲାଦିନ ସ୍କୁଲ ଫେରନ୍ତା ସମୟର ଚିତ୍ର । ଚିନ୍ମୟ ଭାବ ପ୍ରବଣ ହୋଇ ଉଠୁଥିଲା । ଯେଉଁ ହାତରେ ସେ ପିଲାଦିନେ କଂସାଏ କଂସାଏ ପଖାଳ ଖାଇ ଭୁଲି ଯାଇଥିଲା ମାତୃହରା ହେବାର ଦୁଃଖ, ଯେଉଁ ହାତ ତା’ ମୁହଁରୁ ଦିନେ ପୋଛି ଦେଉଥିଲା ଗମ୍‌ ଗମ୍‌ ବହି ଯାଉଥିବା ଝାଳ, ସେ ହାତ ଯେ ଆଜି ମୁଠାଏ ଭାତ ପାଇଁ ଲୋଟି ଯାଇଛି ଫୁଟ୍‌ପାଥ ଉପରେ, ଏହି କଥା ସହଜରେ ଚିନ୍ମୟ ହଜମ କରି ପାରୁନଥିଲା ।


ଜଣେ ଆପଣାର ଲୋକକୁ ପାଖରେ ପାଇଗଲା ପରେ ଫୁଲ କାନ୍ଦି କାନ୍ଦି କହିବାକୁ ଆରମ୍ଭ କଲା ଗାଁରୁ ପଳେଇ ଆସିବା ପରର ଘଟଣା ସବୁ । ଫୁଲ ଅନୁସାରେ ବୀର ବାହାଦୂର ଚାହିଁଥିଲା ଫୁଲ ସହିତ ରଘୁ ପଧାନ ମଧ୍ୟ ଅନ୍ୟ କିଛି ବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ବୀରବହାଦୂର ପରିବାର ସହିତ ମିଶି ତାଙ୍କ ଘରେ ରୁହନ୍ତୁ । କିନ୍ତୁ ଭରତପୁର ପହଞ୍ଚିଲା ବେଳକୁ ଜଣା ଗଲା ବୀରବାହାଦୂରର ପରିବାର ଭଡା ଘରକୁ ଖାଲି କରି ଦେଇ ଅନ୍ୟ କେଉଁ ସହରକୁ ପଳେଇ ଯାଇଛନ୍ତି । ସେହି ଠାରୁ ନିରାଶ ହୋଇ ଫେରିବା ପରେ ସେମାନେ ସହର ବଜାର ଭିତରେ ଅନ୍ୟ କେଉଁଠି ଭଡା ଘର ଖଣ୍ଡିଏ ଯୋଗାଡ କରି ପାରିଲେନି । ତେଣୁ ସେମାନେ ନିକଟସ୍ଥ ରେଳ ଷ୍ଟେସନର ପ୍ଲାଟ୍‌ଫର୍ମକୁ ଲାଗି ଏକ ପରିତ୍ୟକ୍ତ ରେଳବାଇ ଘରେ ମୁଣ୍ଡ ଗୁଞ୍ଜି ଦେଇ ଜୀବନ ଜୀବିକାର ସନ୍ଧାନରେ ଲାଗିଗଲେ । ରଘୁ ପଧାନ ପ୍ଲାଟ୍‌ଫର୍ମରେକୁଲି କାମ କରିବାକୁ ଲାଗିଲା ଆଉ ବୀର ବହାଦୂର ଅଳ୍ପଦୂରରେ ଏକ ବହୁତଳ ପ୍ରାସାଦର ସୁରକ୍ଷା ବଳରେ ସାମିଲ ହୋଇ ଦୁଇ ପଇସା କମେଇବାକୁ ଲାଗିଲା । ଫୁଲ ମଧ୍ୟ ରେଳବାଇ କଲୋନିରେ ରହୁଥିବା କର୍ମଚାରୀ ମାନଙ୍କ ଘରେ ଘରୋଇ କାମ କରି କିଛି ଉପାର୍ଜନ କଲା । ପରିବାରଟି ପିଛିଲା ଦିନରେ ସେମାନଙ୍କ କ୍ଷେତ୍ରରେ ଘଟି ଯାଇଥିବା ସବୁ ଅଘଟଣକୁ ଭୁଲି ଯାଇ ଖୁସିରେ ରହିବାକୁ ଲାଗିଲେ । ତାଙ୍କ ଖୁସି ଆହୁରି ବଢିଗଲା ଯେବେ ଫୁଲ ଗୋଟିଏ ପୁଅର ମା ହେଲା ।


ବୀର ବହାଦୂର ଚାହୁଁନଥିଲା ତା’ର ପୁଅ ତା’ ପରି ଚୌକିଦାର ହୋଇ ଗାଁ ଗାଁ ବୁଲି ବୁଲି “ଜାଗତେ ରହୋ” ଡାକି ସମସ୍ତଙ୍କର ହାତ ଟେକାକୁ ଚାହିଁ ବଞ୍ଚୁ । ତେଣୁ ତା’ର ଜନ୍ମ ପରଠାରୁ ସେ ତାର ସମସ୍ତ ଅର୍ଜିତ ଟଙ୍କା ଏକ ବୀମା କମ୍ପାନିରେ ଜମା କରିଦିଏ ଯିଏ ତାକୁ ଜୀବନର ବହୁତ ସୁନ୍ଦର ସୁନ୍ଦର ସ୍ବପ୍ନ ଦେଖିବାରେ ପ୍ରେରଣା ଦେଇଥିଲେ । ରଘୁ କକା ଓ ଫୁଲର ରୋଜଗାରରେ ଘର ଚଳିଯାଏ । କୌଣସି ମତେ ଗଣ୍ଡେ ଖାଇ ଢୋକେ ପିଇ ଦଣ୍ଡେ ବଞ୍ଚି ଯାଉଥିଲେ ସେମାନେ । ହୁଏତ ସୁଖ ସେମାନଙ୍କର ଭାଗ୍ୟରେ ବେଶି ଦିନ ପାଇଁ ଲେଖା ନଥିଲା । ରଘୁ କକା ନିଜର ଦୁର୍ବଳତା ଯୋଗୁଁ ଭାରି ଜିନିଷ ଉଠାଇ ନପାରି ପ୍ଲାଟ୍‌ଫର୍ମ ଉପରେ ପଡି ଗଭୀର ଭାବରେ ଆହତ ହେଇଗଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ଆଉ ପୁନର୍ବାର କାର୍ଯ୍ୟକ୍ଷମ ହୋଇ ପାରିଲେନି । ଏଣେ ଦିନେ ସନ୍ଧ୍ୟା ଡ୍ୟୁଟିକୁ ଯାଇ ପରଦିନ ସକାଳେ ନିର୍ଦ୍ଦିଷ୍ଟ ସମୟରେ ବୀରବହାଦୂର ଘରକୁ ଫେରିଲାନି । ଖବର ଆସିଲା ବୀରବହାଦୂରକୁ କେହି ମାରି ଦେଇ ଫୋପାଡି ଦେଇଛି ତା’ ଘର ଠାରୁ ଅଳ୍ପଦୂରରେ ଥିବା ଗାନ୍ଧୀ ଛକ ପାଖରେ । ଫୁଲ ମୁଣ୍ଡ ଉପରୁ ଆକାଶଟା ଛିଣ୍ଡି ପଡିଲା ଯେମିତି । କିଏ ବା କାହିଁକି ମାରିଦେଲା ବୀରବହାଦୂରକୁ ସେହି କଥା କେହି ବି ଜାଣି ପାରିଲେନି । ପୋଲିସ ତାଙ୍କର କର୍ତ୍ତବ୍ୟ ଠିକ୍‌ ଠିକ୍‌ କରି ନଥିବାର ଅନେକ ଅଭିଯୋଗ ଉଠିଲା । କିନ୍ତୁ ଗରୀବ ମଳି ମୁଣ୍ଡିଆଙ୍କ ଅଭିଯୋଗର କଅଣ ବା ମାନେ ଥାଏ । ଫୁଲ ମାନସିକ ସ୍ତରରେ ଗଭୀର ଆଘାତ ପାଇଲା ।


ବିରବାହାଦୂର ବିମା କମ୍ପାନୀରେ ରଖିଥିବା ଟଙ୍କା ଫେରି ପାଇବା ପାଇଁ ସେ ବୀମା ଅଧିକାରୀଙ୍କୁ ଅନୁରୋଧ କଲା । କିନ୍ତୁ ସେ ନିର୍ଦ୍ଦିଷ୍ଟ କିଛି ଆଇନ୍‌ ଉଲ୍ଲେଖ କରି ସେହି ଟଙ୍କା ଫେରେଇବାକୁ ହେଲେ ସେହି ଅନୁସାରେ ଅର୍ଜି ପ୍ରସ୍ତୁତ କରିବାକୁ ଫୁଲକୁ ପରାମର୍ଶ ଦେଲେ । କାରଣ ବୀମା ଅଧିକାରୀ ଫୁଲଠାରୁ ଏକ ଉତ୍ତରାଧିକାରୀ ପ୍ରମାଣ ପତ୍ର ଚାହିଁଲେ ଯାହା ତା’ ପାଖରେ ନଥିଲା । ବୀମା ଅଧିକାରୀ ଆହୁରି ମଧ୍ୟ ଜାଣିବାକୁ ଚାହୁଁଥିଲେ କି ଫୁଲ ବୀରବାହାଦୂରର ଆଇନତଃ ବିବାହିତ ସ୍ତ୍ରୀ ଏବଂ ଏକ ମାତ୍ର ସ୍ତ୍ରୀ । ଫୁଲ ହିଁ ମୃତ ବୀରବହାଦୂରର ପ୍ରକୃତ ଉତ୍ତରାଧିକାରିଣୀ । ବୀମା ଅଧିକାରୀ ବିଶ୍ବାସ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ କି ଜଣେ ଓଡିଆ ଝିଅ ଜଣେ ନେପାଳୀ ପୁଅର ସ୍ତ୍ରୀ ହେଇପାରେ । ତାଙ୍କ ମତରେ ଫୁଲ ହୁଏତ ବୀରବହଦୂରର ଉପପତ୍ନୀ ବା ରକ୍ଷିତା ହେଇପାରେ । ବୀମା କମ୍ପାନୀର ଅଧିକାରୀ ଯେ ସମ୍ପୂର୍ଣ୍ଣ ଅବାନ୍ତର କଥା କହୁଥିଲେ ତା ନୁହେଁ । ତାଙ୍କର ଏହିପରି ଚିନ୍ତାର କାରଣଟି ହେଲା ଯେ ବୀମା ପ୍ରସ୍ତାବ ପାଇଁ ମୂଳ ଦରଖାସ୍ତ ଫର୍ମଟି ବୀରବହାଦୂର ଅପାଠୁଆ ହେତୁ ତା ପାଇଁ ଜଣେ ବୀମା ଏଜେଣ୍ଟ ପୂରଣ କରି ଦେଇଥିଲେ ଏବଂ ଏଜେଣ୍ଟ ମହୋଦୟ ସେହି ଦରଖାସ୍ତ ଫର୍ମରେ ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଫୁଲର ନାମକୁ ବିଶେଷ କ୍ଷେତ୍ରରେ ପ୍ରାପ୍ୟ ପାଇବା ପାଇଁ ମନୋନିତ ବ୍ୟକ୍ତି ଭାବରେ ଉଲ୍ଲେଖ କରିବାକୁ ଭୁଲି ଯାଇଥିଲେ । ବୀରବହାଦୂର ବା ଫୁଲ ଯଦି ଦି ଅକ୍ଷର ପାଠ ପଢି ଥାଆନ୍ତେ ତେବେ ହୁଏତ ତାଙ୍କୁ ଜୀବନରେ ଏତେ ମୂଲ୍ୟ ଦେବାକୁ ପଡି ନଥାଆନ୍ତା ।


କୌଣସି ସୂତ୍ରରୁ ଖବର ପାଇ ଜଣେ ସ୍ବେଚ୍ଛାସେବୀ ବନ୍ଧୁଙ୍କ ମାର୍ଫତରେ ଫୁଲ ସ୍ଥାନୀୟ ତହସିଲଦାରଙ୍କ ଇଜାଲାସରେ ଏକ ଉତ୍ତରାଧିକାରୀ ପ୍ରମାଣ ପତ୍ର ପାଇବା ପାଇଁ ଅର୍ଜି ଦାଖଲ କରିଥିଲା । କିନ୍ତୁ ବୀରବାହାଦୂର ଅନେକ ଦିନ ଧରି ପୁରୁଷାନୁକ୍ରମିକ ଭାବରେ ଭରତପୁରରେ ରହିଆସୁଥିବା ସତ୍ତ୍ବେ ଏବଂ ଫୁଲ ତା’ର ସ୍ତ୍ରୀ ବୋଲି ଗ୍ରାମବାସୀଙ୍କ ଦ୍ବାରା ଚିହ୍ନଟ ହେବା ସତ୍ତ୍ବେ ବୀରବହାଦୂର ନେପାଳର ବାସିନ୍ଦା ବୋଲି କାରଣ ଦର୍ଶାଇ ତହସିଲଦାର ଫୁଲର ଅର୍ଜି ଖାରଜ କରିଦେଲେ । ଆଇନର ଖେଳ ଭିତରେ ଫୁଲର ଉତ୍ତରାଧିକାରିତ୍ବ ବସ୍ତୁତଃ ଘୁରି ବୁଲୁଥିଲା ବାତ୍ୟା ବିଧ୍ବସ୍ତ ଗଭୀର ସମୁଦ୍ର ଭିତରେ ଏକ ଦିଗ ହଜା ଜାହାଜ ସଦୃଶ । ବୀର ବହାଦୂର ନିଜର ତଥା ନିଜ ପରିବାରର ସୁରକ୍ଷା ଲାଗି ସଞ୍ଚୟ କରିଥିବା ଅର୍ଥ ଆଇନର ଇନ୍ଦ୍ରଜାଲରେ ଛନ୍ଦି ହୋଇ ତାର ପରିବାରକୁ ଦୁର୍ଦ୍ଦଶାରୁ ମୁକ୍ତ କରି ପାରି ନଥିଲା । ବୀର ବାହାଦୂର ବୀମା କମ୍ପାନିରେ ରଖିଥିବା ପଇସା ଫୁଲ୍ ପାଇ ନପାରିବାରୁ ତା’ ବାପ ଓ ପୁଅର ଚିକିତ୍ସା କରି ପାରିଲାନି । ଅଳ୍ପ କିଛିଦିନ ପରେ ଅର୍ଥାଭାବ ଓ ଉପଯୁକ୍ତ ଉପଚାର ଅଭାବରେ ଫୁଲର ବାପ ରଘୁ ପଧାନ ଓ ଫୁଲର ପୁଅ ଉଭୟ ଆଖିବୁଜିଲେ । ସମସ୍ତଙ୍କୁ ହରେଇ ଫୁଲ ଗଭୀର ମାନସିକ ଯନ୍ତ୍ରଣା ଓ ଅର୍ଥାଭାବ ଭିତରେ ଠେଲି ହେଇଗଲା ଫୁଟ୍‌ପାଥ ଉପରକୁ ।


ଚିନ୍ମୟ ଫୁଲର ଆଖିରୁ ଲୁହ ପୋଛି ଦେଉଥିଲା । ସେହି ଫୁଟ୍‌ପାଥ ଉପରେ ସେ ଲୋଟେଇ ଦେଇଥିବା ତାର ଚିରା ଫଟା ପଣତ କାନିକୁ ଗୋଟେଇ ଆଣି ଫୁଲର ଫୁଙ୍ଗୁଳା ଦେହକୁ ଘୋଡେଇ ଦେବାକୁ ଚେଷ୍ଟା କରୁଥିଲା ଚିନ୍ମୟ । ନିରବରେ ଶପଥ କରୁଥିଲା ଫୁଲର ପାଦ ତଳେ ସେ ଥୋଇ ଦେବ ତା’ର ସମସ୍ତ ସ୍ବଅର୍ଜିତ ସମ୍ପତ୍ତି । ଫେରେଇ ଆଣିବ ସେ ଫୁଲକୁ ପୁଣି ସେହି ନିୟମିତ ସାମାଜିକ ଧାରାକୁ । ଦିଆଇଦେବ ତାକୁ ତା’ର ହକ୍‌ । ସେ ବର୍ତ୍ତମାନ ବିଦେଶ ଫେରନ୍ତା ଜଣେ ଉଚ୍ଚ ଶିକ୍ଷିତ ଆଇନ୍‌ ବିଶାରଦ । ତେଣୁ ସେ ନିଷ୍ପତ୍ତି କଲା ତା’ ଜୀବନର ପ୍ରଥମ ମାମଲା ହାତକୁ ନେବ ଫୁଲକୁ ନ୍ୟାୟ ଦିଆଇବା ପାଇଁ । ଫୁଲର ହାତ ଧରି ଚିନ୍ମୟ ଓ ଅନିମେଶ ଧିରେ ଧିରେ ତାକୁ ବାଟ କଢେଇ ନେଉଥିଲେ ଫୁଟ୍‌ପାଥ ଉପରେ । ଲୁହ ଭରା ଆଖିରେ ଫୁଲ ନିହାତି ଅସହାୟ ଭାବରେ ଦେଖୁଥିଲା ରାସ୍ତା କଡରେ ଲଗା ଯାଇଥିବା ବଡ ବଡ ବିଜ୍ଞାପନ ଫଳକକୁ ---- ଆସନ୍ତୁ ସଞ୍ଚୟ କରିବା ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ।


Rate this content
Log in

More oriya story from Santosh Kumar Misra

Similar oriya story from Inspirational