Rasmi Rekha Tripathy

Inspirational

3.7  

Rasmi Rekha Tripathy

Inspirational

ସମ୍ଭାବନା

ସମ୍ଭାବନା

5 mins
21.6K


ସମ୍ଭାବନା

ଆକାଶ ତ ନିର୍ମଳ ଥିଲା l କିନ୍ତୁ ଅକସ୍ମାତ୍ କୁଆଡୁ ଗୋଟେ କଳାହାଣ୍ଡିଆ ମେଘ ଘୋଡେଇ ପକେଇଲା ଆକାଶକୁ l ବରକୋଳିଆ ଟୋପା ସବୁ ଓଦା କରିଦେଲା ଭୂଇଁ l ଡିଷ୍ଟ୍ରିକ୍ଟ୍ ଅଫିସ୍ କରିଡରରେ ଅନ୍ୟମାନଙ୍କ ସହ ସୁରଭୀ ବି  ଠିଆ ହୋଇ ଅସହାୟ ଭାବେ ଉପଭୋଗ କରୁଥିଲା ବର୍ଷାକୁ l

ବର୍ଷା ଦିନଟା ବହୁତ ଭଲ ଲାଗେ l ଭଲ ଲାଗେ ବର୍ଷାରେ ଭିଜିବା ପାଇଁ l ବର୍ଷାର ସଙ୍ଗୀତଟା କେତେ ମଧୁର l ସେହି ସମୟରେ ଆଉ କିଛି ବି ମନେ ପଡେନା l ବୋଉର ଆକଟ, ନନାଙ୍କର ନାଲି ଆଖି l ରୋଗୀଣା ଦେହକୁ ବର୍ଷାର ପ୍ରକୋପରେ ମାଡି ଆସୁଥିବା ଥଣ୍ଡା, ଜର କିଛି ବି ମନେ ପଡେନା l ମନେ ପଡେନା ଡକ୍ଟରଙ୍କର ସତର୍କ ବାଣୀ l କୁଆଡେ ଗଲା ସେ ଦିନ ସବୁ ?

ବର୍ଷା ମାଡକୁ ଖାତିର ନ କରି ଗାଆଁ ଦାଣ୍ଡ ନାଳରେ କାଗଜ ଡଙ୍ଗା ଭସେଇବାର ଦିନ
ସବୁ l ଗାଆଁର ମାଟି ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ଜାଗାରେ ଜମିଥିବା ପାଣିରେ ଚବର ଚବର ହେଉଥିବା ଦୃଶ୍ୟ ସବୁ l ସବୁ ମନେ ପଡେ ସୁରଭୀର l ସ୍ମୃତିର ପାହାଚରେ ଓହ୍ଲେଇ ଓହ୍ଲେଇ ଇଚ୍ଛା କରେ ପଛ ଦିନ ସବୁକୁ ଫେରିଯିବା ପାଇଁ l କିନ୍ତୁ ଏହାକୁ କଳ୍ପନା କରି ମନକୁ ଭିଜେଇ ହୁଏ ସିନା ବାସ୍ତବରେ ପରିଣତ କରିହୁଏନା l

ଏଇ ତ ଗାଆଁକୁ ଯାଇଥିଲା ସେ ସେ ଦିନ ବଡମାଆକୁ ଦେଖିବା ପାଇଁ l ସେଇ ତ ଶେଷ ଦେଖା ଥିଲା ତାଙ୍କ ସହ l ସୁରଭୀ ଅନୁଭବ କରିପାରିଥିଲା ବଡମାଆ ଆଉ ବେଶୀ ଦିନ ନୁହେଁ l ଏହା ବି ଜୀବନର ଏକ ବାସ୍ତବତା l କିନ୍ତୁ ହଜମ କରି ହୁଏନା l ଫେରିବା ରାସ୍ତାରେ ପଡିଲା ଦେଉଳ ବନ୍ଧ, ପରେ ପରେ ବଡ ବନ୍ଧ l କେଉଁଠି ବି ପାଣି ଟୋପାଟେ ନାହିଁ l ଏ ବର୍ଷ ବି ମରୁଡି ହେବ କି କ’ଣ ? ବ୍ୟସ୍ତ ହେଉଥାଏ ସୁରଭୀ l ଦୁଇ ବର୍ଷ ହେଲା ତାଙ୍କ ଆଡେ ବର୍ଷା ହୋଇନି l ପୁଣି ଏ ବର୍ଷ ଯଦି ଖନ୍ଦ ପୋଡିଯିବ........ ଯାଃ.... କଟକ ଚିନ୍ତା
ବାଇମୁଣ୍ଡିକୁ l ଗାଆଁ ମୁଣ୍ଡ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥିଲା ସୁରଭୀ l

ତାଙ୍କର ତ ଆଉ ଜମି ବାଡି ନାହିଁ l ସବୁ ବିକା ହୋଇଗଲାଣି l ନନା ଆସି ଯେତେବେଳେ କହନ୍ତି, ଆଜି ଏ ଜମି ବିକା ହୋଇଗଲା, କାଲି ସେ ଜମି ବିକା ହୋଇଗଲା ସୁରଭୀ ଛାତିରୁ ଅତଡା ଖସି ପଡେ l ପ୍ରତିବାଦ କରିବାକୁ ଚାହେଁ ସେ l କିନ୍ତୁ କରେନା l କରି ପାରେନା l କ’ଣ ବୋଲି ପ୍ରତିବାଦ କରିବ ? ସେ କ’ଣ ଯାଇ ଚାଷ କରି ପାରିବ କି ? ଏତେ ସାହସ ଅନ୍ତତଃ ତା’ର ନାହିଁ l ଯେଉଁ ଗାଆଁରେ ଆଜି ବି ଝିଅ ବୋହୁଙ୍କ ପାଇଁ ଗାଆଁ ଦାଣ୍ଡ ମନା, ସେହି ଗାଆଁର ଝିଅ ହୋଇ ସିଏ ପାଠ ପଢି ପାରିଛି, ଚାକିରି କରିପାରିଛି, ଅନେକ କ୍ଷେତ୍ରରେ ସ୍ୱର ଉତ୍ତୋଳନ କରିପାରୁଛି, ସେତିକି ହିଁ ଯଥେଷ୍ଟ ବୋଲି ଭାବେ ସେ l କିନ୍ତୁ ଯେଉଁ ଦିନ ନୂଆ ଘର ବିକା ହୋଇଗଲା, ସେ ଦିନ ସୁରଭୀ ଭଗବାନଙ୍କ ନିକଟରେ ଅଭିଯୋଗ କରିଥିଲା l କାହିଁକି ତା’କୁ ପୁଅଟିଏ କଲେ ନାହିଁ ? ଅନ୍ତତଃ ସେ ପ୍ରତିବାଦ କରିପାରିଥାନ୍ତା l ସେ ଗାଆଁରେ ରହିବ, ଚାଷ କରିବ, ମାଟିର ବାସ୍ନା ଶୁଙ୍ଘିବ..... କିନ୍ତୁ..... ଛାଡ..... ଅନ୍ୟ ସବୁ ଦିନ ପରି ସେ ଦିନ ରାତିରେ ବି ଲୁଚି ଲୁଚି କାନ୍ଦିଥିଲା ସୁରଭୀ l ସକାଳୁ ତାକୁ ଜର l ବିରହର ଜର l

ହୁଏ ତ ନୂଆ ଲାଗିପାରେ ଶୁଣିବାକୁ l କିନ୍ତୁ ସୁରଭୀକୁ ବିରହର ଜର ହୁଏ l ଜମିକୁ ହରେଇବାର ଦୁଃଖ, ନୂଆ ଘର ବିକା ହେବାର ଦୁଃଖ l ଗାଆଁକୁ ଛାଡି ଆସିବାର ଦୁଃଖ l ଏମିତି ଅନେକ ଦୁଃଖ ଆକ୍ତାମାକ୍ତା କରିଦିଏ ସୁରଭୀକୁ l ପୁଣି ଆସ୍ତେ ଆସ୍ତେ ସେ ଦୁଃଖରେ ମହଳଣ ପଡି ଆସେ l ସେ ଚେଷ୍ଟା କରେ ଦୁଃଖକୁ ଭୁଲିବା ପାଇଁ l ସେଥିପାଇଁ ନିଜକୁ ବୁଡେଇ ରଖେ ବିଭିନ୍ନ କାମରେ l

ଏହି ବର୍ଷାକୁ ଦେଖି କେତେ କଥା ଭାବିଗଲାଣି ସୁରଭୀ l ଘଣ୍ଟାକୁ ଦେଖିଲା l ମିଟିଙ୍ଗ ସମୟ
ହୋଇଗଲାଣି l କ’ଣ କରିବ ? ହେଇ ଦେଖାଯାଉଛି ଟାଉନ୍ ହଲ୍ l କିନ୍ତୁ ଏଇ ବର୍ଷା l ଏହା ତ ଥମିବାର ନାଆଁ ହିଁ ଧରୁନି l ଠିକ୍ 11.30 ରେ ଆରମ୍ଭ ହେବ ଭିଡିଓ କନଫରେନ୍ସ୍ l ଏହି ମିଟିଙ୍ଗ୍ ପାଇଁ ବହୁତ ହୋମ୍ ୱାର୍କ୍ କରିଛି ସେ l କନଫରେନ୍ସରେ ପ୍ରେଜେଣ୍ଟ୍ କରିବ l କ’ଣ କରିବ ? ଛତାଟେ ବି ପାଖରେ ରଖିନି l

ସହକର୍ମୀ ଦେବ୍ କହେ, ‘ଜୋ ଦିଖତା ହୈ, ୱହି ବିକତା ହୈ l’ ସେହି କଥା ମନେ ପଡିଲା ସୁରଭୀର l କମ୍ପିଟିସନର ଯୁଗ l ସୁରଭୀର କିନ୍ତୁ କାହା ସହିତ ପ୍ରତିଯୋଗିତା କରିବାର ନାହିଁ l କିନ୍ତୁ ନିଜକୁ ପଛୁଆ ବି ରଖିବାର ନାହିଁ l ଏଠି କାହା ପାଇଁ କିଏ ଅପେକ୍ଷା କରେନା l ଯିଏ ଯା’ର ବ୍ୟବସ୍ଥା କରି କନଫରେନ୍ସ୍ ହଲକୁ ଯିବାକୁ ବାହାରିଲେଣି l ଅସହାୟ ହୋଇ ଠିଆ ହୋଇଛି ସୁରଭୀ l ଶେଷରେ ସେମିତି ଭିଜି ଭିଜି ଯିବା ପାଇଁ ପାଦ ବଢୋଉଛି, ପିଲାଟିଏ ଆଣି ଛତାଟିଏ ବଢେଇଦେଲା ତା’କୁ l  ପଛକୁ ବୁଲି ଚାହିଁଲା ସୁରଭୀ l ଛୋଟେଇ ଛୋଟେଇ ଆସୁଛନ୍ତି ଶ୍ୟାମା ମାଡାମ୍ l ଦିନେ ସୁରଭୀ ଅଧିନରେ ଚାକିରି କରୁଥିଲେ l ସବୁ ଭଲ ଗୁଣ ତାଙ୍କର l କିନ୍ତୁ ଅଫିସ୍ ଆସନ୍ତି ଲେଟ୍ କରି l

ସେତେବେଳେ ବହୁତ୍ ଚାପ ପଡିଥିଲା ସୁରଭୀ ଉପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ l କିନ୍ତୁ ବୋଉ, ନନା ଏପରିକି ଦେବ୍ ମଧ୍ୟ ମନା କରିଥିଲେ ସେପରି କରିବା ପାଇଁ l ଦିନେ ଦିନେ ସୁରଭୀ ବିରକ୍ତି ହୋଇଯାଏ l ଶ୍ୟାମା ମାଡାମ୍ କିନ୍ତୁ କିଛି କୁହନ୍ତିନି l ହସି ଦିଅନ୍ତି କେବଳ l ସେଇ ହସରେ ସବୁ ରାଗ ମିଳେଇଯାଏ ସୁରଭୀର l ବହୁତ ଅସୁବିଧା ତାଙ୍କର l ଘରେ ପକ୍ଷାଘାତରେ ରୋଗଗ୍ରସ୍ତା ଶାଶୁ l କଟକରେ ଘର l ଏଣୁ  ପ୍ରତି ଦିନ ବନ୍ଧୁବାନ୍ଧବଙ୍କର ଆତଯାତ l କିଏ ଆସେ କୋର୍ଟ୍ କାମରେ ତ କିଏ ଆସେ ମେଡିକାଲ୍ କାମରେ l କିଏ ଆକାଶବାଣୀରେ ଅଡିସନ୍ ଦେବାକୁ ଆସେ ତ କିଏ ଆସେ ଏଣ୍ଟ୍ରାନ୍ସ୍ ଦେବାକୁ l ରହଣୀଟା କିନ୍ତୁ ତାଙ୍କ
ଘରେ l ସେଥିରେ ବେଡି ଉପରେ କୋରଡା ପରି ତାଙ୍କୁ ବଦଳି କରାଯାଇଥିଲା ଖୋର୍ଦ୍ଧା l ଘରୁ ଜଲଦି ବାହାରି ପାରନ୍ତିନି l ତେଣୁ ଅଫିସ୍ ବିଳମ୍ବରେ ପହଞ୍ଚନ୍ତି l କେତେ ଆଉ ବିରକ୍ତି ହେବ ତାଙ୍କ ଉପରେ ? ଏଠି ବହୁତ ରାଜନୀତି l  ସୁରଭୀ ବୁଝି ପାରେ ଅଫିସ୍ ରାଜନୀତିର ଶିକାର ହୋଇଛନ୍ତି ଶ୍ୟାମା ମାଡାମ୍ l ଦୟା ଲାଗେ l ସୁରଭୀ ନିଜେ କରିଦିଏ ତାଙ୍କର କିଛି କିଛି କାମ l ସେଇ ଯୋ କହନ୍ତିନି ଡାହାଣୀ ଆଉ ଗୁଣିଆ କାମ l ବିଳମ୍ବରେ ଆସିବାଟାକୁ ଛାଡି ଦେଲେ ଆଉ ସବୁ ଭଲ l ସିଟରୁ ଜମ୍ମା ଉଠନ୍ତିନି l ଆଜେ ବାଜେ ଗପନ୍ତିନି l ଯେତିକି କାମ ତାଙ୍କର ଠିକ୍ ଭାବରେ କରନ୍ତି l ସେ ଯାହା ହେଉ, ଦୁଇ ବର୍ଷ ଭିତରେ ତାଙ୍କର ନିଜ ସହରକୁ ବଦଳି ହୋଇଗଲା l

***    ***    ***    ***    ***

ବାହାରକୁ ଚାହିଁଲା ସୁରଭୀ l ବର୍ଷା ସେମିତି ଲାଗି ରହିଥିଲା l ଶ୍ୟାମା ମାଡାମ୍ କହିଲେ, ‘ମୁଁ ଜାଣେ ଆପଣଙ୍କୁ ବିଳମ୍ବ ଭଲ ଲାଗେନି l ଛତାଟା ନେଇ ଯାଆନ୍ତୁ l ମୋର ତ ଘର ଏଠି l ମୁଁ କେମିତି ହେଲେ ଫେରିଯିବି l ଛତା ଆପଣଙ୍କ ପାଖରେ ଥାଉ l ପରେ କେବେ ଫେରେଇଦେବେ l ନ ହେଲେ ବି କିଛି ଅସୁବିଧା ନାହିଁ l’

ସୁରଭୀ ଛତା ଧରି ଆଗକୁ ପାଦ ବଢେଇଲା l ସମଗ୍ର ବିଶ୍ୱ ତା’କୁ ସବୁଜିମାମୟ
ଲାଗୁଥିଲା l ମରୁଡି ହେଉ ପଛେ କେଉଁଠି ନା କେଉଁଠି ବର୍ଷାର ମଧୁର ଟୋପାଟେ ପଡିବ ହିଁ ପଡିବ l ସେହି ଟୋପାରେ ଓଦା ହେବ ଭୂମି, ଆଉ ଗଜୁରିବ ଚାରାଟିଏ l ଚାରାଟି ମହାଦ୍ରୁମ
ହେବ l ଆଉ ଶୀତଳେଇବ ମନ, ପ୍ରାଣ, ଆତ୍ମା l ଛତାରୁ ନିଗିଡି ପଡୁଥିବା ପ୍ରତିଟି ଟୋପା ଯେମିତି ସୁରଭୀକୁ କହୁଥିଲା, ‘ତୁ ମୋତେ ଗଛଟିଏ ଦେ, ମୁଁ ତୋତେ ଭିଜେଇ ଦେବି l ତୁ ମୋତେ ହସ ଟିକେ ଦେ, ମୁଁ ତୋ’ ପାଇଁ ଯୋଗାଡ କରିଦେବି ଛତାଟିଏ ମୋ ଠାରୁ ରକ୍ଷା ପାଇବା ପାଇଁ l’


Rate this content
Log in

Similar oriya story from Inspirational