Pramod Kumar Jena

Inspirational

2.5  

Pramod Kumar Jena

Inspirational

ମାଆର ଆଖି

ମାଆର ଆଖି

9 mins
716


ହେଇଟି ଶୁଣୁଛ l ମାମୁନି ଡାଡ୍ଡିଙ୍କୁ ହଲେଇ ଦେଇ ଗୀତା ଡାକିଲେ l ସେତେବେଳେ ରଜନୀକାନ୍ତଙ୍କୁ ଛାଇ ନିଦ ଲାଗି ଆସିଲାଣି l ସବୁ ଦିନ ଏମିତି ଶୋଇବା ବେଳକୁ ମାମୁନି ମମ୍ମିଙ୍କ କିଛି ନା କିଛି କମ୍ପ୍ଲେନ୍ ଥାଏ l

: କ’ଣ ହେଲା କୁହ l ସବୁ ଶୁଣୁଛି l

       : ମାମୁନି ହାବଭାବ ମତେ କାହିଁକି ଏବେ ଠିକ୍ ଲାଗୁନି l

       : ତା’ର ପୁଣି କ’ଣ ହେଲା ?

       : ଆଗେ ତ କଲେଜରୁ ଫେରୁ ଫେରୁ ମୋ ପାଖେ ଗୁଞ୍ଜି ହୋଇ ସବୁ ଗାଇ ଯାଉଥିଲା l ହେଲେ.........

       : ତୁମେ କ’ଣ ଭାବୁଛ ସେ ସଦାବେଳେ ସେମିତି କ୍ଷୀର ଖିଆ ଛୁଆ ହୋଇଥାନ୍ତା ? ଆମେ ତା’କୁ ନାନାବାୟା ଗୀତ ଗାଇ ଶୁଣାଉଥାନ୍ତେ ?

       : ଆରେ ମୋ କଥା ଟିକିଏ ଶୁଣ lଏବେ ସିଏ ତା’ ବେଡ୍ ରୁମରେ ଭିତରୁ କବାଟ ବନ୍ଦ କରି ଦେଉଛି l

       : ସେଥିରେ ଅସୁବିଧା କୋଉଠି ?

       : ଅସୁବିଧା ଅଛି l ଏ ଘରେ ଆଉ କିଏ ଅଛି ଯେ ତା’କୁ ଡର ଲାଗୁଛି ? ମତେ କିନ୍ତୁ ତା’ ହାବଭାବ କିଛି ଭଲ ଲାଗୁନି l

       : ତମେ ଶୋଇବନି କି ମୋତେ ବି ଶୁଆଇ ଦେବନି l ସ୍ତ୍ରୀ ଲୋକଗୁଡାକ ଜନ୍ମରୁ

ସନ୍ଦେହୀ l ମୁହଁ ସେପଟକୁ ଲେଉଟାଇ ଶୋଇ ପଡିଲେ ପତି ଦେବ l

ରାତିରେ ଏଣୁ ତେଣୁ ଭାବି ଆଉ ନିଦ ହେଲାନି l ଦୁହେଁ ଚାକିରି କରନ୍ତି l ରଜନୀ ବ୍ୟାଙ୍କରେ ମ୍ୟାନେଜର୍ l ଆଉ ଗୀତା ସ୍କୁଲରେ ଶିକ୍ଷୟିତ୍ରୀ l ଦୁଇଟା ଯାକ ପ୍ରଫେସନରେ ଛୁଟି ମିଳିବା ବହୁତ କଷ୍ଟ l ତା’ ଛଡା ଦୁହେଁ ବହୁତ ରେସ୍ପନସିବଲ୍ l ସେଥିପାଇଁ ବେଳେ ବେଳେ ଭାବନ୍ତି, ଛୁଆଟା ପ୍ରତି ଅବହେଳା ହୋଇ ଯାଉନି ତ ? ସ୍କୁଲରୁ ଫେରିବା ପରେ ବାକି ସମୟ ସେ ଝିଅ ସାଥିରେ ବିତାନ୍ତି l ରବିବାର ହେଲେ ବଜାର, ସିନେମା ଯୁଆଡେ ହେଲେ ଯାଇ ପରିବାର ସଙ୍ଗେ ମଉଜ ମସ୍ତି କରନ୍ତି l ଝିଅ ବି ବୟସ ହେବା ପରେ ଆଉ ଛୁଆଙ୍କ ଭଳି ଜିଦ୍ କରୁ ନ ଥିଲା l ମାଆ ଓ ଝିଅଙ୍କ ଭିତରେ ବେଶ୍ କ୍ଲୋଜନେସ୍ ଥିଲା l ମାଆ ଯେମିତି ତା’ର ଫାର୍ଷ୍ଟ ଫ୍ରେଣ୍ଡ୍ l ଫେସବୁକରେ ପୋଷ୍ଟିଙ୍ଗ୍ ଗୁଡାକ ଦେଖିଲେ ଲାଗିବ ମମି ବୋଧହୁଏ ତା’ର ଦୁନିଆ l ଆଉ ସେଠି କାହାର ସ୍ଥାନ ନାହିଁ l

କିନ୍ତୁ ଆସ୍ତେ ଆସ୍ତେ ଲାଗିଲା, ସେ ଯେମିତି ଦିନକୁ ଦିନ କିଛି ଲୁଚେଇବାକୁ ଚେଷ୍ଟା କରୁଛି l ଟିକିଏ ଏକା ରହିବାକୁ ଚାହୁଁଛି l ନିଛାଟିଆ ଜାଗାରେ ଫୋନରେ ଗପୁଛି l ପାଠପଢାରେ ବି ଆସ୍ତେ ଆସ୍ତେ ନେଗଲେକ୍ଟ୍ କରୁଛି l ଝିଅଟା ଅବାଟରେ ଯାଉନି ତ ? ପୁଣି ମନକୁ ବୁଝାନ୍ତି – ଟିନ୍ ଏଜ୍ l କିଛି ତ ପ୍ରଭାବ ରହିବ l ନିଜକୁ ନିଜେ ବୁଝାଇ ନିଜ ପିଲା ଦିନ କଥା ମନେ ପକାନ୍ତି l

ଏଇ କିଛି ଦିନ ତଳେ ମାନସୀ ମାଡାମଙ୍କ ଫେରୱେଲ୍ ପାର୍ଟିରେ କହୁଥିଲେ l କେତେ କଷ୍ଟକର ଜଣେ ୱାର୍କିଙ୍ଗ୍ ଲେଡିର ସଂସାର ଚଳେଇବା l ପିଲାମାନେ ଯେତିକି ବଡ ହୁଅନ୍ତି, ଚିନ୍ତା ସେତିକି ବଢିଯାଏ l ସେ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ l ସେଥିପାଇଁ ସେ ଭିlଆର୍lଏସ୍l ନେଇଗଲେ l ବାକି ଟିଚର୍ ମାନେ ବହୁତ ବୁଝେଇଲେ l କହିଲେ ନେକ୍ସଟ୍ ପେ କମିସନ୍ ପରେ ଗଲେ ଭଲ ହୁଅନ୍ତା ବେଲି l କିନ୍ତୁ ସେ ଉତ୍ତର ଦେଇଥିଲେ, ଅନେକ ନେକ୍ସଟ୍ ଆସିବ l ଦିନେ ନା ଦିନେ ଅର୍ଥର ମୋହ ନ କାଟିଲେ ପରିଣାମ ହାତ ବାହାରକୁ ଚାଲି ଯାଇଥିବ l

       ବର୍ତ୍ତମାନ ସେ କାହିଁକି ସେୟା ଚିନ୍ତା କରୁଥିଲେ l ପଇସାଟା ମଣିଷର ସବୁ କିଛି ନୁହେଁ l ଯେତେ ରୋଜଗାର କଲେ ବି ଆଜିକାଲି ସମସ୍ତଙ୍କୁ କମ୍ ଲାଗୁଛି l ବୋଧହୁଏ ରୋଜଗାର ତୁଳନାରେ ଖର୍ଚ୍ଚର ପରିମାଣଟା ବଢିଗଲେ ସେହିପରି ଲାଗେ l ଖର୍ଚ୍ଚ ବଢେଇବା ଭାରି ସହଜ l ହେଲେ ରୋଜଗାର ବଢେଇବା ଅନେକ କଷ୍ଟ l ଆରାମ୍ ଅୟେସର କିଛି ଅନ୍ତ ନାହିଁ l ହୋମ କୁଣ୍ଡ ନିଆଁ ଭଳି ..........ଯେତେ ଘିଅ ଢାଳିଲେ ବି କମ୍ ଜଣା ପଡିବ l

ସଂସାର କେବଳ ଆରାମ୍ ଆଉ ଅୟସରେ ଆବଦ୍ଧ ନୁହେଁ l ଅନେକ ରେସ୍ପନସିବିଲିଟି ବି ଅଛି l ହୁଏ ତ କ୍ଷଣିକ ଆରାମ ଅୟସ ଜୀବନ ସାରା ଦୁଃଖର କାରଣ ପାଲଟି ଯାଇପାରେ l ଦିନକୁ ଦିନ ଝିଅର ହାବଭାବ ଦେଖି ମନଟା ଖାଲି ସେଇ ଆଡେ ଟାଣି ହୋଇ ଯାଉଥାଏ l

       ସେ ଦିନ ସନ୍ଧ୍ୟା ସାତଟା ବାଜିଗଲା l ଝିଅ ତ କୋଚିଙ୍ଗରୁ ଫେରି ଆସିବା କଥା l ଇଚ୍ଛା ହେଲା ସ୍ୱାଇଁ ମ୍ୟାଡାମଙ୍କ ପାଖକୁ ଫୋନ୍ କରିବାକୁ l ତାଙ୍କ ଝିଅ ବି ତ ସେହି କୋଚିଙ୍ଗ୍ ସେଣ୍ଟରରେ କୋଚିଙ୍ଗ୍ ନେଉଛି l ହେଲେ କ’ଣ ପଚାରିବେ ? ଭାରି ସେନସିଟିଭ୍ କଥା l ଠିକ୍ ବୁଝିଲେ ତ ଭଲ l ଯଦି ଓଲଟା ଭାବନ୍ତି, ନେଇ ଆଣି ଥୋଇ ହେବନି l ଭାବିଲେ କଥାଟାକୁ କୋଚିଙ୍ଗ୍ ସେଣ୍ଟର୍ ଫାକଲ୍ଟି ଆଉ ସିଷ୍ଟମ୍ ବିଷୟରେ କେନ୍ଦ୍ରିତ କରି ଝିଅ କଥା ବୁଝିନେବେ l କଥା ହେଲେ l ଯେମିତି ଭାବିଥିଲେ, ସେହି ଲାଇନରେ କଥାକୁ ଆଗେଇ ନେଲେ l ଯେତେବେଳେ ଜାଣିଲେ ଝିଅ ବବି 6l30ରୁ ଘରକୁ ଫେରିଲାଣି, ମୁଣ୍ଡକୁ ଚାଉଁ କିନା ଲାଗିଲା l ଆଉ ବେଶି ସମୟ କଥା ନ ହୋଇ ଘର ବାହାରକୁ ଚାଲି ଆସିଲେ l

ମନଟା ଛଟପଟ ହେଉଥାଏ l ବାବୁ ଆସିଥିଲେ ହୁଏ ତ କୋଚିଙ୍ଗ୍ ସେଣ୍ଟର୍ ଆଡେ ପଠେଇଥାନ୍ତେ l ଫୋନ୍ କଲେ ଓଲଟି ବିଗିଡିବେ l ବୋଧହୁଏ ମାମୁନିର ସ୍କୁଟି ଆସିଲା l କିଛି ନ ଜାଣିବା ଭଳି କାଗଜଟାକୁ ନେଇ ବସି ରହିଲେ l

ସ୍କୁଟିଟାକୁ ରଖି ଦେଇ ସିଧା ତା’ ବେଡ୍ ରୁମରେ ପଶି ଭିତରୁ ହୁକଟା ଲଗେଇଦେଲା l ଗୀତା ଭାବୁଥିଲେ ସରି କହିବ କିମ୍ବା କିଛି ଗୋଟେ ବାହାନା କରିବ l

ଖାଇବା ସମୟରେ ଟେବୁଲ୍ ପାଖୁ ନ ଆସିବାରୁ କବାଟରେ ଠକ୍ ଠକ୍ କଲେ l କାହା ସାଙ୍ଗେ ଫୋନରେ କଥା ହେଉଥାଏ l ଭିତରୁ ଜବାବ୍ ଆସିଲା, ମୁଁ ପରେ ଖାଇବି l

ତା’ ପରେ ପୁଣି ଠକ୍ ଠକ୍ କଲେ ..... ବାବା ଡାକୁଛନ୍ତି l

ଧଡ୍ କରି କବାଟଟା ଖୋଲି ବାହାରି ଆସିଲା ମାମୁନି l

       : ବାବା ଡାକୁଛନ୍ତି l

       : କ’ଣ ହେଲା ?

        ଫୋନଟା ବନ୍ଦ କରି ଯାଇ ଡାଇନିଙ୍ଗ ଚେୟାରରେ ବସିଲା ମାମୁନି l

        ସେତେବେଳେ ରଜନୀକାନ୍ତ କିଛି ବୁଝି ପାରୁ ନ ଥିଲେ ଘଟଣା କ’ଣ ?

       : ଦେଖ୍ ମାମୁନି ! ତୁ ଆଜିକାଲି ବହୁତ ଟେନସନରେ ଥିବା ଭଳି ଜଣା ପଡୁଛୁ l କ’ଣ ଅସୁବିଧା ହେଉଛି ? ଆମକୁ କହିଲେ ସିନା ହେବ l

       : ନାଁ..... କିଛି ଟେନସନ୍ ନାହିଁ . ଟେନସନ କ’ଣ ?

       : ତେବେ ଘଣ୍ଟା ଘଣ୍ଟା ଧରି କାହା ସାଥିରେ ଗପୁଛୁ ?

       :  ଫୋନ୍ କରିବା କ’ଣ ମନା ?

       :  କବାଟ ବନ୍ଦ କରିବାର ଦୁଇଟା କାରଣ ଥାଏ l ଗୋଟିଏ ହେଲା, ତୁ କିଛି ସିକ୍ରେଟ୍ କଥା ହେଉଛୁ l ଅଥବା କିଛି ଖରାପ କାମ କରୁଛୁ, ଯୋଉଟାକୁ ଫେସ୍ କରିବାକୁ ତୋର ସାହସ ନାହିଁ l

       ଡାଡ୍ଡିଙ୍କ ମୁହଁକୁ ଚାହିଁଲା ମାମୁନି l

       :  ଏ ଘରେ ଆଉ କିଏ ଅଛି ? ମୁଁ ଆଉ ତୋ’ର ବାବା l ତୋ’ର ଯଦି କିଛି ଟେନସନ୍ ନାହିଁ, କବାଟ ସଦାବେଳେ ଖୋଲା ରହିବ l ଓ.କେ. ତୋ’ର ବର୍ତ୍ତମାନ କ୍ୟାରିଅର୍ ପ୍ରତି ଧ୍ୟାନ ଦେବା ଉଚିତ l ଅଯଥାରେ ଘଣ୍ଟା ଘଣ୍ଟା ଧରି ସାଙ୍ଗମାନଙ୍କ ସାଙ୍ଗେ କଥା ହେବା ମୋର ପସନ୍ଦ ନୁହେଁ l ବାବା ଏଇ କଥା ମୋତେ କହୁଥିଲେ l ମୁଁ ତୋତେ ଜଣେଇଦେଲି l

ଖାଇବା ଜାଗାରୁ ଉଠି ଚାଲିଗଲା ମାମୁନି l କିଛି ପଚାରିବା ପୂର୍ବରୁ ରଜନୀଙ୍କୁ କହିଲେ –

       : କିଛି ଦେଖା ଯାଉଛି ? ? ? ଯାହା ତୁମେ କରିବା କଥା, ସେଇଟା ମୋତେ କରିବାକୁ ପଡୁଛି l ପୁଣି ଆରମ୍ଭ ହୋଇଗଲା ଝିଅକୁ ନେଇ ଯୁକ୍ତି ତର୍କ l

       : କାହା ସହିତ କାହାକୁ ତୁଳନା କରିବା ଦରକାର ନାହିଁ l ସମସ୍ତଙ୍କର ମାନସିକ ସ୍ଥିତି ଅଲଗା....... ଘରର ପରିସ୍ଥିତି ଅଲଗା......... ଆଉ ପ୍ରୋବ୍ଲେମ୍ ବି ଅଲଗା l ଆମର ଚିନ୍ତା ଆମ ଝିଅ ଉପରେ କେନ୍ଦ୍ରିତ ହେଲେ ଭଲ l ମୁଁ ତା’ର ବ୍ୟବହାରରେ ଏତେଟା ବ୍ୟତିକ୍ରମ ଦେଖି ନିହାତି ଚିନ୍ତିତ l

***   ***   ***   ***   ***

       ପର ଦିନ ତ ସୀମା ଅତିକ୍ରମ କରିଗଲା ମାମୁନି l ବହୁତ ଧୈର୍ଯ୍ୟର ସହ ପଚାରିଲେ,

: ଦେଖ୍ ମାମୁନି ! ତୋ’ର କିଛି ଆଫେୟାର୍ସ୍ ତ ନାହିଁ ?

ଉଠି ପଡି ଜବାବ୍ ଦେଲା,

: ମୁଁ ଏବେ 18+ l ମୋ ଭଲମନ୍ଦ ବିଚାର କରିବାର ବୟସ ମୋର ହୋଇଗଲାଣି l ମୋତେ କୁନି ଛୁଆ ଭଳି ଟ୍ରିଟ୍ କରିବା ଛାଡି ଦିଅ l

ଯାହା ଚିନ୍ତା କରୁଥିଲେ ଲାଗିଲା ଏକଜାଟ୍ ସେୟା l ମୁଣ୍ଡଟା ପୁରା ଗୋଳମାଳ

ହୋଇଗଲା l ଭାବିଲେ ବେଶି ଶକ୍ତି ଦେଖାଇଲେ ଫଳ ବିଷମ ହୋଇପାରେ l ରାତିରେ ଅନେକ କଥା ଚିନ୍ତା କରି ଆଉ ନିଦ ହେଲାନି l

ଚିନ୍ତା କଲେ ସ୍ୱାଇଁ ମାଡାମଙ୍କ ଝିଅ ବବିକୁ ଏ ବିଷୟରେ ପଚାରିବେ l ବହୁତ ବୁଝାଇବା ପରେ ବବି କହିବାକୁ ରାଜି ହେଲା l

: ଦେଖନ୍ତୁ ଆଣ୍ଟି ! ମାମୁନି ଅଧା ଦିନ କୋଚିଙ୍ଗ୍ ଯାଉନି l ତା’ର ଗୋଟେ ସିନିୟର୍ ପିଲା ସାଙ୍ଗେ ଆଫେୟାର୍ସ୍ ଅଛି l ତା’ର ମୋ ଉପରେ ଡାଉଟ୍, କାଳେ ମୁଁ ତୁମକୁ କହି ଦେବି l ସେ ଅବଶ୍ୟ ତା’ ଆଫେୟାର୍ସ୍ ବିଷୟରେ କିଛି କହିନି l ହେଲେ ମୁଁ ତା’କୁ ଅନେକ ଥର କହିଲିଣି l ମମିଙ୍କୁ ବି କହିଥିଲି l

: ମ୍ୟାଡାମ୍ ଜାଣନ୍ତି ? 

       : ହଁ ଜାଣେ l କହି କହି ପାଖକୁ ଚାଲି ଆସିଲେ ସ୍ୱାଇଁ ମାଡାମ୍ l

କିନ୍ତୁ ମୁଁ କେମିତି କହିଥାନ୍ତି ? ସମୟ ଖରାପ l ମୋ କଥାକୁ ଯେ ଆପଣ ପଜିଟିଭଲି ନେଇଥାନ୍ତେ, କ’ଣ ଭରସା ? ବହୁତ ଥର ମୁଁ ଧୋକ୍କା ଖାଇଲିଣି l ତେଣୁ ରିସ୍କ୍

ନେଲିନି l ମୋ କଥା ଖରାପ ଭାବିବେନି l ମୁଁ କିନ୍ତୁ ହିଣ୍ଟସ୍ ଦେଇଥିଲି l ଆପଣ ଠିକ୍ ଭାବରେ ବୁଝି ପାରିଲେ ନାହିଁ l

ବବି ପୁଣି କହିଲା, ସେ ପିଲାର ସାନ ଭଉଣୀ ମୋର ଜଣେ ସାଙ୍ଗର

କ୍ଲୋଜ୍ l ସେ କିନ୍ତୁ ଆର୍ଟସ୍ ପଢେ l ମୁଁ ତା’ ଠାରୁ କିଛି ଖବର ପାଇଥିଲି l ସେ ପିଲା ଇଞ୍ଜିନିୟର୍ l ଏଇ ବର୍ଷ ବାଙ୍ଗାଲୋରର ଗୋଟେ ଆଇ.ଟି. କମ୍ପାନିରେ ଜଏନ୍ କରିଛି l ତା’ ବାହାଘର ବି ଠିକ୍ ହୋଇଗଲାଣି l ସେଥିପାଇଁ ସେ ବହୁତ ଡିଷ୍ଟର୍ବ୍ ଅଛି l

       : ଏତେ ବାଟକୁ ଘଟଣା ପଳେଇଲାଣି l ମୁଁ ଏତେ ପାଖେ ପାଖେ ଥାଇ ମଧ୍ୟ ଟେର୍ ପାଇଲିନି l ଗୀତା ଟିକିଏ ବିବ୍ରତ ହୋଇ କହିଲେ l

       : ସେଇଟା ଆମ ୱାର୍କିଙ୍ଗ୍ ଲେଡିଙ୍କ ପାଇଁ ଗୋଟେ ଗୋଟେ ବିରାଟ ପ୍ରୋବ୍ଲେମ୍ l ତା’ ଛଡା ପିଲାମାନେ ଆଜିକାଲି ଆମ ଟ୍ରଷ୍ଟକୁ ଏକ୍ସପ୍ଲଏଟ୍ କରୁଛନ୍ତି l ମୁଁ ଗୋଟେ ସଜେସନ୍ ଦେବି l ମୋର ଜଣେ ଛାତ୍ର ଉମେଶ୍ କମିସନରେଟ୍ ଅଫ୍ ପୋଲିସର ସାଇବର୍ ସେଲରେ କାମ କରେ l ତା’ର ସାହାଯ୍ୟ ନେଲେ କିଛି ଅସୁବିଧା ହେବ ନାହିଁ l ତା’ ଛଡା ଆପଣମାନେ ତା’ ପାଖେ ପାଖେ

ରୁହନ୍ତୁ l ଏକା ରହିବାକୁ ଦିଅନ୍ତୁନି l ବୁଝେଇବାକୁ ଚେଷ୍ଟା କରନ୍ତୁ l କ’ଣ କରିବେ, କ’ଣ ନାହିଁ ଦୁଇ କଲିଗ୍ ଡିସ୍କସନ୍ କଲେ l ତା’ ପରେ ଗୀତା ଘରକୁ ଫେରିଲେ ପୁରା ଭାରାକ୍ରାନ୍ତ ହୋଇ l

***   ***   ***   ***   ***   ***

       ହଠାତ୍ ଦିନେ ଫୋନ୍ ଟ୍ୟାପିଙ୍ଗ୍ ଆଉ ମେସେଞ୍ଜରରୁ ଜାଣିଲେ ଅତି ଭୟାନକ ସତ୍ୟ l 15 ତାରିଖରେ ବାହାଘର l ମାମୁନି ଅଲ୍ଟିମେଟମ୍ ଦେଇଛି 15 ତାରିଖ ରାତି ଦଶଟା ସୁଦ୍ଧା ଯଦି ସେ ଆସି ତା’ ପାଖରେ ନ ପହଞ୍ଚେ, ତେବେ ସେ ସୁଇସାଇଡ୍ କରିଦେବ l ହେ ଭଗବାନ୍ ! ଇଏ କି ଦୁର୍ବୁଦ୍ଧି ? କ’ଣ କରିବେ ? ଅତି ବ୍ୟସ୍ତ ହୋଇ ସ୍ୱାଇଁ ମାଡାମଙ୍କୁ ସବୁ କହିଲେ l ହାତ ଗୋଡ ଧରି ନେହୁରା ହେଲେ l କହିଲେ, ସାହାଯ୍ୟ କରନ୍ତୁ l ଯାହା ମୁଣ୍ଡରେ ଏ ଭୂତ ପଶିଲାଣି, ସେ କିଛି ବି କରିପାରିବ, ଆଉ ଯେ କୌଣିସି ମୁହୂର୍ତ୍ତରେ ବି l ଚିନ୍ତା କଲେ ପୁଅ ଘରକୁ ଯିବେ l ନାଃ.... ସେଠି ତ ନାଟକୀୟ ପରିସ୍ଥିତି ଉପୁଜିଯିବ l ସେମାନେ ବିଶ୍ୱାସ କରିବେ......... ନ କରିବେ...... ପୋଲିସରେ ଯଦି ସେମାନେ ଓଲଟା ବ୍ଲାକମେଲିଙ୍ଗ୍ ଅଭିଯୋଗ କରନ୍ତି, ଆହୁରି ବିଷମ

ହୋଇଯିବ l ମାମୁନିର ଡାଡ୍ଡି ପନ୍ଦର ଦିନ ହେଲା ଆଉଟ୍ ଅଫ୍ ଷ୍ଟେସନ୍ ଅଛନ୍ତି l ତାଙ୍କର ଅପଡେସନ୍ ପାଇଁ ଟ୍ରେନିଙ୍ଗ୍ ଚାଲିଛି l କଣ କରିବେ ? ଶାନ୍ତ ରହିବାକୁ ଉପଦେଶ ଦେଲେ ସ୍ୱାଇଁ ମ୍ୟାଡାମ୍ l ସମସ୍ତେ ବସି ଚିନ୍ତା କରିବା, କେମିତି ଏ ପରିସ୍ଥିତିରୁ ମୁକୁଳି ହେବ ?

***   ***   ***   ***   ***

ରାତି ଦଶଟା ଉପରେ ହୋଇଗଲାଣି l ଆଜି ଟ୍ରେନିଙ୍ଗର ଶେଷ ଦିନ ଥିଲା l ତେଣୁ ଘରକୁ ଫେରିବା ପୂର୍ବରୁ ସାଙ୍ଗମାନଙ୍କ ସହ ଗୋଟେ ଗେଟ୍ ଟୁ ଗେଦର୍ l ବେଶ୍ ଗପସପରେ ମଜ୍ଜି ଯାଇଛନ୍ତି ରଜନୀକାନ୍ତ l ହଠାତ୍ ଫୋନ୍ ରିଙ୍ଗ୍ ହେଲା l ପାର୍ଟି ସମୟରେ ଏ ଫୋନ୍ କଲ୍ ଗୁଡାକ ଭାରି ଡିଷ୍ଟର୍ବିଙ୍ଗ୍ l ପ୍ରଥମେ ଇଗ୍ନୋର୍ କଲେ l ପୁଣି ରିଙ୍ଗ୍ ହେଲା l ବିରକ୍ତ ହୋଇ ଉଠେଇଲେ l ମାମୁନିର ଫୋନ୍ l

: ହେଲୋ...........

ସେ ପଟୁ ମାମୁନିର କରୁଣ ଚିତ୍କାର l

: ଡାଡ୍ଡି ମୋତେ ବଞ୍ଚାଅ l ମୁଁ ବଞ୍ଚିବାକୁ ଚାହେଁ l ଡାଡ୍ଡି ମୋତେ ହସ୍ପିଟାଲ୍ ନେଇଯାଅ l ମୋତେ ହସ୍ପିଟାଲ୍ ନେଇଯାଅ l ମୁଁ ସ୍ଲିପିଙ୍ଗ୍ ପିଲ୍ସ୍ ଖାଇ ଦେଇଛି l ମୁଁ ମରିଯିବି l ମୋତେ ହସ୍ପିଟାଲ୍ ନେଇଯାଅ l

: ଆରେ କ’ଣ ହେଲା ?

ସେ ପଟୁ ଆଉ କୌଣସି ଉତ୍ତର ନାହିଁ l

: ହେ ଭଗବାନ୍....... ହେ ଭଗବାନ୍....... ମୋ ଝିଅକୁ ବଞ୍ଚାଅ....... ମୋ ଝିଅ.......ମୋ ଝିଅ.......

ଗୀତାଙ୍କ ଫୋନ୍ ଏଙ୍ଗେଜ୍ ଆସୁଛି l କେହି କିଛି ବୁଝିବା ପୂର୍ବରୁ ଗାଡି ଧରି ଛୁଟିଲେ l ବାଟ ସାରା ଫୋନ୍ କରି ଚାଲିଥାନ୍ତି l

ଫୋନ୍ ଲଗେଇଲେ ଫ୍ୟାମିଲି ଡକ୍ଟର ମିଃ. ମିଶ୍ରଙ୍କୁ ଆଉ କହିଲେ ସାର୍ ! ଜଲଦି ଆମ ଘରକୁ ଚାଲନ୍ତୁ l ମୋ ଝିଅ ଅବସ୍ଥା ବହୁତ ଖରାପ l ଜଲଦି ଆସନ୍ତୁ ପ୍ଲିଜ୍ l

***   ***   ***   ***   ***

ଏକା ନିଃଶ୍ୱାସରେ ଘର ଭିତରକୁ ପଶି ଆସିଲେ ରଜନୀକାନ୍ତ l ସାମ୍ନାରେ ଗୀତା, ସ୍ୱାଇଁ ମାଡାମଙ୍କୁ ଦେଖି ଚିତ୍କାର କରି ଉଠିଲେ,

       : ମାରିଦେଲ ନା ମୋ ଝିଅକୁ ?

       ନିର୍ବାକ୍ ହୋଇ ରଜନୀକାନ୍ତଙ୍କୁ ଚାହିଁ ରହିଲେ ଗୀତା l କାହାର କିଛି ଉତ୍ତରକୁ ଅପେକ୍ଷା ନ କରି ଧସେଇ ପଶିଲେ ମାମୁନିର ବେଡ୍ ରୁମ୍ ଭିତରକୁ l ବେଡ୍ ଉପରେ ମାମୁନିକୁ ଦେଖି ଧାଇଁଗଲେ ତା’ ପାଖକୁ l

       : ଆରେ ମାଆ ! କ’ଣ ତୋ’ର ହେଲା ? ତୁ କ’ଣ କରିଦେଲୁ ? ଡକ୍ଟର୍....... ଡକ୍ଟର୍....... ସେ ଠିକ୍ ହୋଇଯିବ ତ ?

ରଜନୀକାନ୍ତଙ୍କ କାନ୍ଧରେ ହାତ ରଖି ଡଃ. ସୁମନ୍ତ କହିଲେ,

       : ତା’ର କିଛି ହୋଇନି l ନୋ ସିମ୍ବଲ୍ ଅଫ୍ ପଏଜନ୍ l କିଛି ହୋମିଓପାଥି ମିଠା ଗୋଲି l ଚମକି ପଡିଲେ ରଜନୀକାନ୍ତ l ମାମୁନିକୁ ଚାହିଁ ପଚାରିଲେ - ତୋ’ ଡାଡ୍ଡିଙ୍କ ସାଙ୍ଗେ ଏତେ ବଡ ଜୋକ୍ ? ସେତେବେଳକୁ ଗୀତା, ସ୍ୱାଇଁ ମ୍ୟାଡାମ୍ ଆଉ ଉମେଶ୍ ମାମୁନିର ବେଡ୍ ରୁମ୍ ଭିତରକୁ ପଶି ଆସିଥିଲେ l ନିଜ ଭ୍ୟାନିଟି ଭିତରୁ ସ୍ଲିପିଙ୍ଗ୍ ପିଲ୍ସର ବୋତଲଟି ବାହାର କରି ଗୀତା କହିଲେ,

       : ମୁଁ ଯଦି ଠିକ୍ ସମୟରେ ସ୍ଲିପିଙ୍ଗ୍ ପିଲ୍ ଗୁଡିକ ବଦଳେଇ ଦେଇ ନ ଥାନ୍ତି, ହୁଏ ତ ଆଜି ଝିଅ ନ ଥାନ୍ତା l

ସବୁ କଥା ବାହାରକୁ ଡାକି ନେଇ ବୁଝେଇ ଦେଲେ ସ୍ୱାଇଁ ମାଡାମ୍ l

: ଆମେ ଚାହୁଁଥିଲୁ ସଂସାର କ’ଣ ସେ ବୁଝୁ l ଲଭ୍ ଆଉ ଇନଫ୍ୟାଚୁଏସନର ଫରକ ବୁଝୁ l ଜୀବନଟା ଯେ କେତେ ମୂଲ୍ୟବାନ ତା’ର ହୃଦ୍ ବୋଧ ହେଉ l ହୁଏତ ଆଗରୁ ବୁଝେଇଥିଲେ ସେ ଆଉ କିଛି କରି ପକାଇଥାନ୍ତା l ଯେ ଥରେ ଡିସିସନ୍ ନେଇଛି ସୁଇସାଇଡ୍ କରିବାକୁ, ତା’ ପାଇଁ ହଜାରେ ରାସ୍ତା l ତେଣୁ ଧନ୍ୟବାଦ ଦିଅନ୍ତୁ ଆପଣଙ୍କ ମିସେସଙ୍କୁ ଯିଏ ମାସ ମାସ ଛୁଟି ନେଇ ତା’କୁ ଛାଇ ପରି ଜଗି ବସିଥିଲେ l ଆଉ ଯଦି ଗାଳି ଦେବାକୁ ଇଚ୍ଛା ଅଛି, ନିଜର ଦାୟିତ୍ୱବୋଧକୁ ଦିଅନ୍ତୁ l

ହାତ ଦୁଇଟା ଗୀତାଙ୍କ ଧରି ରଜନୀକାନ୍ତ କହିଲେ,

: ଗୀତା ! ତୁମେ ମୋ ଝିଅକୁ ବଞ୍ଚେଇଦେଲ l

ଟିକିଏ ଚୁପ୍ ରହି ଗୀତା କହିଲେ – ଏଇତ ତୁମେ କହୁଥିଲ ମୁଁ ଝିଅକୁ ମାରି ଦେଇ ଥିଲି l ପୁଣି କେମିତି ବଞ୍ଚେଇଦେଲି ?

ପିଲାଙ୍କ ଯତ୍ନ ନେବା ଉଭୟ ବାପା ଓ ମାଆଙ୍କର କର୍ତ୍ତବ୍ୟ l କିନ୍ତୁ ସମସ୍ତେ ଭୁଲି ଯାଆନ୍ତି ଓ ପରସ୍ପରକୁ ଦୋଷାରୋପ କରନ୍ତି l

ପୁଣି ମନକୁ ମନ କହିଲେ,‘ କାକୁଡି ଉପରେ କଟୁରୀ ପଡୁ କି କାକୁଡି କଟୁରୀ ଉପରେ ପଡୁ, କଟିବ ତ କାକୁଡି ନା’ l ନିଜ କୋହକୁ ସମ୍ଭାଳି ନ ପାରି ସ୍ୱାଇଁ ମ୍ୟାଡାମଙ୍କୁ କୁଣ୍ଢେଇ ପକେଇଲେ ଗୀତା l ମୋର ଭାଗ୍ୟ, ମୁଁ ଆପଣଙ୍କ ଭଳି ଜଣେ ସାଙ୍ଗକୁ ପାଇଛି l ଆପଣଙ୍କ ସାହାଯ୍ୟ ବିନା ମୋ ସଂସାର ଆଜି ଛାରଖାର ହୋଇ ଯାଇଥାନ୍ତା l

: ସବୁ ମାଆମାନେ ପରସ୍ପର ସହ ଫିଲିଙ୍ଗସ୍ ଓ ଇନଫର୍ମେସନ୍ ଯଦି ସେଆର୍ କରନ୍ତେ, ବହୁତ ଅପ୍ରୀତିକର ପରିସ୍ଥିତିରୁ ମୁକ୍ତି ମିଳନ୍ତା l

: ଠିକ କଥା l ପଚିଶି ବର୍ଷ ତଳେ ମୋ ସାଙ୍ଗର ମାଆ ଯଦି ବୋଉର କଥା ଶୁଣିଥାନ୍ତେ, ହୁଏ ତ ଆଜି ମୋ ସାଙ୍ଗ ବଞ୍ଚିଥାନ୍ତା l




Rate this content
Log in

Similar oriya story from Inspirational