Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Pramod Kumar Jena

Drama Others

3  

Pramod Kumar Jena

Drama Others

ରାମ ଗୁରୁଜୀ

ରାମ ଗୁରୁଜୀ

4 mins
126



ଆଜି ହରିବାବୁଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ନାତିକୁ ଧରି ସ୍କୁଲ ଛାଡିବାକୁ ଯାଉଛନ୍ତି । କୁନୁ ବି ଭାରି ଖୁସି । ଜେଜେଙ୍କ ହାତ ଧରି ନାଚି ନାଚି ଚାଲିଛି ଜେଜେଙ୍କ ସାଥିରେ । ସ୍କୁଲରେ ପହଞ୍ଚି ଦେଖିଲେ ସୁନ୍ଦର ବୋହୁଟିଏ ଗୋଲାପୀ ଶାଢୀ ପିନ୍ଧି ସ୍କୁଲ ବାରଣ୍ଡାରେ ଠିଆ ହୋଇଛି । ତାକୁ ଦେଖି କୁନୁ ଜୋରରେ ପାଟି କରି କହିଲା, ଦିଦି ନମସ୍କାର । ବୋହୁଟି କହିଲା, ନମସ୍କାର । ଆମ ଦିଦି । ଚିହ୍ନେଇ ଦେଲା କୁନୁ । ଜାଣିଲା ପରେ ନିଜ ପରିଚୟ ଦେଇ କହିଲେ ହରିବାବୁ, ମୁଁ କୁନୁର ଜେଜେ । ଏଇ ମାସ ଅବସର ଗ୍ରହଣ କରିଛି । ଟିକିଏ ହସି ନମସ୍କାର କରି ସେ ସ୍କୁଲ ଭିତରକୁ ଚାଲିଗଲା । ଛାତ୍ର ଆଉ ଶିକ୍ଷକଙ୍କ ଭିତରେ ଏତେ ସହଜତା ଦେଖି ଯେତେଟା ଖୁସି ହେଲେ ତାଠୁଁ ବେଶି ଆଶ୍ଚର୍ଯ୍ୟ ହେଲେ ହରିବାବୁ । ମନେ ପଡିଗଲା ତାଙ୍କର ସେଇ ପିଲା ଦିନର କଥା । ଏଇ ସେଇ ସ୍କୁଲ୍ । ବହୁତ କିଛି ବଦଳି ଯାଇଛି । ସେ ମାଟି ପିଣ୍ଡା, ମାଟି ଚଟାଣ ଆଉ ନାହିଁ । ସବୁ ଶନିବାର ପିଲାମାନେ ଗୋବରରେ ଲିପନ୍ତି । ଏବେ ସବୁ ପକ୍କା ଘର । ଗେଟ୍ ବାହାରେ ବଡ ବଡ ଅକ୍ଷରରେ ଲେଖାହୋଇଅଛି ସ୍କୁଲର ନାମ । ତା’ ତଳକୁ ଲେଖା ହୋଇଛି , ‘ଦଣ୍ଡ ମୁକ୍ତ ସ୍କୁଲ’ । ଚାହିଁ ରହିଲେ ସେ ଧାଡିଟିକୁ । ଶେଷରେ ସ୍କୁଲରେ ଲେଖିବାକୁ ପଡିଲା । ଗୋଟି ଗୋଟି କରି ସେ ଦିନର କଥା ଆଖି ଆଗରେ ନାଚିଗଲା । ସେତେବେଳେ ଟିକିଏ ବଡ ପିଲାଙ୍କ ସାଥିରେ ଛୋଟ ପିଲାଙ୍କୁ ପ୍ରଥମ ଥର ପାଇଁ ସ୍କୁଲକୁ ପଠାଉଥିଲେ । ସେ ବି ସେ ଦିନ ତାରିଆ ନନା ସାଥିରେ ସ୍କୁଲ୍ ଯାଉଥିଲେ । ବାଟ ଯାକ ତାରିଆ ନନା କହି ଚାଲିଥାଏ, କେତେ ପାଠ ସେ ଜାଣିଛି । ‘ଅରଣା ମଇଁଷି ରହିଛି ଅନାଇଁ, ମଇଁଷିର ପାଖ ନ ଯାଅ ଦନାଇ ।’ ତାଙ୍କୁ ଏ ସବୁ ସେ ଦିନ ଦେବ ବାଣୀ ଭଳି ଲାଗୁଥିଲା । କିନ୍ତୁ ମନେ ମନେ ଭାବୁ ଥିଲେ, ସେ ବି ଏ ସବୁ ଶିଖିବେ, ଆଉ ବୋଉ ଆଗରେ ସବୁ ତାରିଆ ନନା ଭଳି ଗାଇ ଯିବେ । ସ୍କୁଲ୍ ଭିତରେ ଯାଇ ତାରିଆ ନନା ପାଖେ ଗୁଞ୍ଜି ହୋଇ ବସିଲେ । ଡରି ଡରି ବସିଥାନ୍ତି । ମାଷ୍ଟ୍ରଙ୍କୁ ଦେଖିଲେ ପିଲାଙ୍କର ପ୍ରାଣେ ଭୟ । ଯେମିତି ସେମାନେ ଯମ ଦୂତ । ବର୍ଷା ଦିନ ହୋଇଥାଏ । ସେ ଦିନ ଖୁବ୍ ଜୋରରେ ବର୍ଷା ଆରମ୍ଭ ହୋଇଗଲା । ସବୁ ମାଷ୍ଟ୍ରମାନେ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠରେ ବସି ଗପ ଜମାଇଥାନ୍ତି । ତୁହାକୁ ତୁହା ବର୍ଷା ଲାଗି ରହିଥାଏ । ସ୍କୁଲ୍ ଚାଳରୁ ପାଣି ଗଡୁଥାଏ । ବଡ ମତୁଆଲା ସେ ଶବ୍ଦ । ଆସ୍ତେ ଆସ୍ତେ ପିଲାମାନେ ଭୁଲି ଗଲେ ସ୍କୁଲ୍, ମାଷ୍ଟର୍ ଆଉ ସବୁ କିଛି । କାନକୁ ଦୁଇ ଆଙ୍ଗୁଠିରେ ବନ୍ଦ କରି ଆଉ ଖୋଲି ଏକ ଅଦ୍ଭୁତ ଆନନ୍ଦ ନେଉଥାନ୍ତି । ତା’ ପରେ ଆରମ୍ଭ ହୋଇଗଲା ଅନ୍ୟ ପ୍ରକାର ମଜା । କାନ ବନ୍ଦ କରି ଖୁବ୍ ଜୋରରେ ଚିତ୍କାର କରିବା ଓ କାନ ଖୋଲିବା । ଜଣେ, ଦୁଇ ଜଣ, ତା’ ପରେ ପୁରା ଶ୍ରେଣୀ । କାହାର ହୋସ୍ ରହିଲାନି ଯେ, ସେମାନେ ସିନା କାନ ବନ୍ଦ କରିଛନ୍ତି, ମାଷ୍ଟ୍ରମାନେ ତ କାନ ଖୋଲା ରଖିଛନ୍ତି । କିଛି ସମୟ ପରେ ଜଣେ ମାଷ୍ଟ୍ର ପଶି ଆସିଲେ ଶ୍ରେଣୀ ଭିତରକୁ । ତାଙ୍କୁ ଦେଖୁ ଦେଖୁ ସବୁ ପିଲାଙ୍କର ରକ୍ତ

ଶୁଖିଗଲା । ତା’ ପରେ, ବାପ୍ ରେ ବାପ୍ । ତାରିଆ ନନାର ବାଉଁଶ ବେଣ୍ଟିଆ ଛତାଟାରେ ପିଲାମାନଙ୍କୁ ଗାଈ ଗୋରୁ ଭଳି ପିଟା ଆରମ୍ଭ କରିଦେଲେ ସେ । ଏତେ ପିଟିଲେ ଯେ ଛତାର ବେଣ୍ଟ ଭାଙ୍ଗିଗଲା । ତଥାପି ତାଙ୍କର ରାଗ ଶାନ୍ତ ହୋଇ ନ ଥିଲା । ସେ ଦୃଶ୍ୟ ଏବେ ବି ସ୍ପଷ୍ଟ ମନେ ଅଛି । ତା’ ପର ଠାରୁ ତାରିଆ ନନା ଓ ଆଉ କିଛି ପିଲା ସ୍କୁଲ ସବୁ ଦିନ ପାଇଁ ଛାଡି ଦେଲେ । ସେ ବି ଭାବିଥିଲେ ଆଉ ସ୍କୁଲ୍ ବାରଣ୍ଡା ଏ ଜୀବନରେ ମାଡିବେ ନାହିଁ । କିନ୍ତୁ ବାପା ଥିଲେ ସରପଞ୍ଚ । ସେ ଦିନ ରାମ ଗୁରୁଜୀ ଆସିଥିଲେ ଛୁଟି ମଞ୍ଜୁର କରିବାକୁ । ସେତେବେଳେ ସରପଞ୍ଚମାନଙ୍କୁ ସେ ଅଧିକାର ଦିଆ ଯାଇଥିଲା । କଥା ଛଳରେ ପଚାରିଲେ, ପୁଅକୁ ସ୍କୁଲ୍ ଛାଡୁ ନାହାନ୍ତି ? ସେ ଭାବିଥିଲେ, ଭାଗ୍ୟ ଖରାପ ପଡିଗଲା, ହସି ହସି ରାମ ଗୁରୁଜୀ ତାଙ୍କ ମୁଣ୍ଡକୁ ଆଉଁଷି କହିଲେ, ସ୍କୁଲକୁ ଗଲେ ସିନା ପାଠ ପଢିବ, ମଣିଷ ହେବ । ଡରି ଡରି ମୁଣ୍ଡ ହଲାଉଥିଲେ ସେ ଦିନ । ତା’ ପର ଦିନ ବାପାଙ୍କ ସାଇକେଲ୍ ପଛରେ ବସି ସ୍କୁଲ୍ ଗଲେ । ନାମ ବି ଲେଖା ହୋଇଗଲା । ବାପା ପଳେଇଲେ ତାଙ୍କୁ ରାମ ଗୁରୁଜୀଙ୍କ ପାଖେ ଛାଡି ଦେଇ । ଶ୍ରେଣୀ ଭିତରେ ଦେଖିଲେ, ସବୁ ପିଲା ଏକା ସ୍ୱରରେ ରାମ ଗୁରୁଜୀଙ୍କ ସାଥିରେ ଗୀତ ବୋଲୁଛନ୍ତି । ଆଗରେ ଗୁରୁଜୀ ଗାଉଛନ୍ତି, ପିଲାମାନେ ପାଳି ଧରୁଛନ୍ତି । କି ସୁନ୍ଦର, କି ସୁନ୍ଦର ଅଭିନୟ । ଏବେ ବି ମନେ ଅଛି । ‘ଆସରେ ପିଲାଏ ବଣକୁ ଯିବା, ପାଚିଲା ପାଚିଲା କେନ୍ଦୁ ଖାଇବା ।’ ଏବେ ବି ସେ ସ୍ୱର କାନରେ ବାଜୁଛି । କେତେ ସ୍ନେହ ତାଙ୍କର, କେତେ ଆଦର ତାଙ୍କର । ରାମ ଗୁରୁଜୀ ତାଙ୍କ ଜୀବନ କାଳ ମଧ୍ୟରେ କେବେ ବାଡି ଧରି ନ ଥିଲେ । ପ୍ରଥମ ଶ୍ରେଣୀର ସେ ଶ୍ରେଣୀ ଶିକ୍ଷକ ଥିଲେ । ସେ ନ ଥିଲେ ବୋଧେ ଗାଆଁର ଅଧା ପିଲା ସ୍କୁଲ୍ ମାଡି ନ ଥାନ୍ତେ ।

       ଏବେ ଲେଖା ହେଉଛି, ଦଣ୍ଡମୁକ୍ତ ସ୍କୁଲ୍ । ବହୁତ ଶିକ୍ଷାବିତ୍ ଭ୍ରୂକୁଞ୍ଚନ କରି କୁହନ୍ତି, ଆଉ କ’ଣ ସେ ପାଠ ପଢା ଅଛି ? ମାଡ ପରା ଉଠିଗଲାଣି । ଭାବିଲେ, ସେହି ଶିକ୍ଷାବିତମାନଙ୍କୁ ଥରେ ପଚାରନ୍ତେ, ମାଡ ତ ଅନେକ ଦିନରୁ ଉଠିଗଲାଣି । ଏବେ କ’ଣ କେହି ଡାକ୍ତର, ଇଞ୍ଜିନିୟର୍, ବୈଜ୍ଞାନିକ, ଅଧିକାରୀ ହେଉନାହାନ୍ତି ? ଯେତେ ହୋଇଥିଲେ, ସବୁ ସେଇ ମାଷ୍ଟରମାନଙ୍କର ମାଡ ଖାଇ ? ସବୁ ଲୋକ ଯଦି ନିଜର ଦାୟିତ୍ୱବୋଧ ନ ବୁଝିବେ, ତା ହେଲେ ସେ ଦିନ ଦୂର ନାହିଁ, କାରାଗାର ଆଗରେ ମଧ୍ୟ ବଡ ବଡ ଅକ୍ଷରରେ ଲେଖା ଯିବ, “ଆରାମ ବିହୀନ କାରାଗାର ।”



Rate this content
Log in

More oriya story from Pramod Kumar Jena

Similar oriya story from Drama