UPASANA PATTANAYAK

Children Stories Drama Inspirational

4.9  

UPASANA PATTANAYAK

Children Stories Drama Inspirational

ପ୍ରଥମାଷ୍ଟମୀ ଏବଂ ହଳଦୀ ପତ୍ର ପିଠା

ପ୍ରଥମାଷ୍ଟମୀ ଏବଂ ହଳଦୀ ପତ୍ର ପିଠା

7 mins
577



ଗୋଟିଏ ମାଆ ଯେତେ କାମରେ ବ୍ୟସ୍ତ ଥିଲେ ମଧ୍ୟ ନିଜର ସନ୍ତାନ ପ୍ରତି ମମତା, କର୍ତ୍ତବ୍ୟ ଏବଂ ପର୍ବପର୍ବାଣୀ ର ଗୁରୁତ୍ଵ କେବେ ଭୁଲି ପାରେନା।


ବଡ ପାଟିରେ ଡାକରା ଦେଉଛନ୍ତି ମାଳତୀ। -“ଶୁଣୁଛ କି, ଆଜି କେଉଁଠୁ ହେଲେ ଯେମିତି ହେଲେ ବି ହଳଦୀପତ୍ର ଯୋଗାଡ଼ କରି ଆଣ, ହଳଦୀ ପତ୍ର ପିଠା କରିବି ମୁଁ। ଆଉ ନଡ଼ିଆ, ଗୁଡ଼ ବି ଦରକାର, ପୁର ପାଇଁ ।”


ସ୍ତ୍ରୀ ମାଳତୀ ଙ୍କ କଥା ଶୁଣି ଚମକି ପଡି ମୋହନ ବାବୁ କହିଲେ - “ଅଦିନରେ ହଳଦୀ ପତ୍ର ପିଠା ! ଏଇନା ପତ୍ର କେଉଁଠୁ ମିଳିବ ଯେ ମୁଁ ଆଣିବି ? ପ୍ରଥମାଷ୍ଟମୀ ପୂର୍ବରୁବଜାରକୁ ହଲଦୀପତ୍ର ଆସେ ବୋଲି ସହଜରେ ମିଳିଯାଏ। ସହରରେ ଏଇ ଫ୍ଲାଟ ଭଳି ଜାଗାରେ ଗାଁ ଭଳି ବଗିଚା ନାହିଁ ଯେ ଯାହା ଇଛା ଲଗାଇଲ ଏବଂ ସହଜରେ ପାଇଗଲ। ଆଗରୁ କହିଥିଲେ ବି କାହାକୁ କହି ଗାଁରୁ ହଳଦୀ ପତ୍ର ମଗାଇ ଦେଇ ପାରିଥାଆନ୍ତି।”


ମୁହଁ ଫଣ ଫଣ କରି ମାଳତୀ ବିରକ୍ତିଭରା ସ୍ୱରରେ ପୁଣି ଜୋରରେ କହିଲେ -“ଅଦିନିଆ ପୁଣି କ’ଣ ? ନିଜ ଦରକାର ଥିଲେ କେଉଁ ଉପାୟରେ ରେ ତମେ ପରା ଜିନିଷ ଯୋଗାଡ଼ କରିଦିଅ। ଏତେ ଚିହ୍ନା ପରିଚୟ ତୁମର, ପତ୍ର ଟିକେ ପାଇବନି?”


ଖବରକାଗଜ ଟା ଟି-ପୟ ଉପରେ ରଖି ମୋହନ ବାବୁ କହିଲେ - “ପ୍ରଥମାଷ୍ଟମୀ ପୂର୍ବରୁ କ’ଣ ହଳଦୀ ପତ୍ର ପିଠା ହୁଏ ? ପତ୍ର ପାକଳ ହୋଇନଥିଲେ ପିଠାର ବାସ୍ନା ବି ଆସେନା।”


ମାଳତୀ ଆହୁରି ରାଗିଯାଇ କହିଲେ – “ଆଛା, ତୁମକୁ ଏତେ ନୀତି ନିୟମ ଜଣା ? ମୁଁ ଗୋଟିଏ ଜିନିଷ ପାଇଁ କହିଲେ ତମେ ମୋତେ ଆଇନ କାନୁନ, ନୀତି ନିୟମ, ଜ୍ଞାନ ଦେଉଛ?”


ହଠାତ ଚୁପ ହୋଇ ମାଳତୀ ସୋଫାରେ ବସିଯାଇ କୋହ ଭରା ସ୍ୱରରେ ପୁଣି କହିଲେ – “ମଧୁରିମା ପରା ଆଜି ରାତିରେ ରାଉରକେଲା ଚାଲିଯିବ। ପ୍ରଥମାଷ୍ଟମୀରେ ସେ କ’ଣ ଏଠାରେ ଥିବ ଯେ ମୁଁ ପିଠା କରି ତାକୁ ଖୁଆଇପାରିବି ?”


ଆଖି ଛଳଛଳ ହୋଇ ଯାଇଥିଲା ମାଳତୀ ଙ୍କ ର। ଟିକେ ଅନ୍ୟମନସ୍କ ହୋଇଗଲେ ମୋହନ ବାବୁ ।

ଆଖି ଛଳଛଳ ନୟନରେ ମାଳତୀ କହିଲେ – “ତୁମେ ତ ପୁରା ଭୁଲିଯାଇଛ ଯେ ତୁମ ଗେଲ୍ଲୀ ଝିଅ ମଧୁରିମା ଆଜି ରାତି ବସ ରେ ଚାକିରୀ ଜାଗାକୁ ଫେରିଯିବ। ସପ୍ତାହେ ଛୁଟିରେ ଆସିଥିଲା ଝିଅ। ନଭେମ୍ବର ମାସରେ ତାକୁ ଛୁଟି ମିଳିବନି ବୋଲି ଏବେ ଆସିଥଲା। ପ୍ରଥମ ଥର ପାଇଁ ପ୍ରାଥମାଷ୍ଟମୀରେ ଝିଅ ଘରେ ରହିବନି। ହଳଦୀ ପତ୍ର ପିଠା ତୁମେ ଯେମିତି ଭଲପାଅ, ଠିକ୍ ସେମିତି ମଧୁରିମା ବି ବହୁତ ଭଲ ପାଏ।”


ସୋଫାରୁ ଉଠି ମାଳତୀଙ୍କ କାନ୍ଧରେ ହାତରଖି ମୋହନ ବାବୁ କହିଲେ – “କ’ଣ ଏମିତି ଛୋଟ ପିଲାଙ୍କ ଭଳି ହେଉଛ ? ମଧୁରିମା କ’ଣ ପୁଣି ଆସିବନି ?”

ମାଳତୀ କିଛି ଉତ୍ତର ଦେବା ପୂର୍ବରୁ ଘର ଭିତରୁ ମଧୁରିମା ବାହାରିଆସି ,ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲା – “କ’ଣ ହୋଇଛି ? ମାଆ କାହିଁକି କାନ୍ଦୁଛି ? ବାବା ତୁମେ ମାଆ କୁ ଗାଳି ଦେଲକି ?”


ମୋହନ ବାବୁ ଅନାଇଲେ ସ୍ତ୍ରୀଙ୍କ ମୁହଁକୁ। ସେ ଭାବୁଥିଲେ ମାଳତୀ ନିଜ ଆଡୁ ଝିଅକୁ ସଫେଇ ଦେବେ, ଯେମିତି ସବୁବେଳେ ଅନ୍ୟଙ୍କୁ ବୁଝାଇ ଦିଅନ୍ତି। ହେଲେ ତାଙ୍କୁ ଆଶ୍ଚର୍ଯ୍ୟ କରି ଏକଦମ ନିରବ ରହିଥିଲେ ମାଳତୀ। କିନ୍ତୁ ରାଗିଥିଲେ ମଧ୍ୟ।


ବାଧ୍ୟହୋଇ ମୋହନ ବାବୁ ଝିଅ ଆଡ଼କୁ ଅନାଇ କହିଲେ – “ମୁଁ କାହିଁକି ଗାଳି ଦେବି ?ତୋ ମାଆ ଏଇନା ମୋତେ କହୁଛି ହଳଦୀ ପତ୍ର ନେଇକି ଆସିବାପାଇଁ। ଏଇଟା କ’ଣ ଏବେ ସମ୍ଭବ। ଆଉ ହଳଦୀ ପତ୍ର କ’ଣ ସବୁ ଦୋକାନରେ ମିଳୁଛି ଯେ ମୁଁ ସହଜ ରେ ସାଙ୍ଗେ ସାଙ୍ଗେ ନେଇ ଆସିବି ପାରିବି ବୋଲି କହିବାରୁ ତୋ ମାଆ ମୁହଁ ଫୁଲାଇଛି। ଅଦିନ ରେ ହଳଦୀ ପତ୍ର ପିଠା କରିବ ବୋଲି ଅଯଥା ଜିଦି।”


ମାଳତୀଙ୍କୁ ଧରି ମଧୁରିମା କହିଲା – “ଆଛା, କାହା ପାଇଁ ହଳଦୀ ପତ୍ର ପିଠା ବନେଇବାର ପ୍ଲାନ କରୁଛି ମାଆ ? ନିଶ୍ଚୟ ବାବା ଙ୍କ ପାଇଁ ହେଇଥିବ ।”


ଆଖି ଛଳଛଳ ହୋଇ ମାଧୁରୀ କହିଲେ – “ମୋର ଗରଜ ପଡିଥିଲା ୟେ ବୁଢ଼ାଙ୍କ ପାଇଁ ବସକି ହଳଦୀ ପତ୍ର ପିଠା କରୁଛି ? ତୋ’ରି ପାଇଁ ରେ ମା। ତୁ ତ କହୁଛୁ, ପ୍ରଥମାଷ୍ଟମୀ ରେ ଆସିବୁନି ବୋଲି। ଏବର୍ଷ କଣ ଏ ଘରେ ଅଥାର ହାଣ୍ଡି ବସିବ ?”


ମାଳତୀଙ୍କୁ ଧରି ମଧୁରିମା ବ୍ୟସ୍ତ ହୋଇ କହିଲା – “ଓହୋ...! ମାଆ, ସବୁବେଳେ ଏମିତି ଇମୋସନାଲ ହୋଇ ଯାଆନା। ଦେଖ ବାପା କ’ଣ ତୋ' ଭଳିଆ କାନ୍ଦୁଛନ୍ତି ?”


ଶାଢ଼ୀ କାନିରେ ଲୁହ ପୋଛି ସୋଫାରୁ ଉଠୁ ଉଠୁ ମୋହନ ବାବୁ ଙ୍କୁ ମାଳତୀ କହିଲେ – “ତୋ’ ବାବା ଭଳିଆ ଅନ୍ୟକୁ କନ୍ଦାଉଥିବା ଲୋକ କ’ଣ ବୁଝେ ଲୁହର ମୂଲ୍ୟ ? ଦେଖୁନୁ କେମିତି କହୁଛନ୍ତି ମୁଁ ଅଯଥା ଜିଦି କରୁଛି ବୋଲି। ତୁ ରାଉରକେଲା ଚାଲିଯିବୁ ବୋଲି ମୋତେ ତିନିଦିନ ହେଲାଣି ରାତିରେ ନିଦ ହେଉନି, ଅଥଚ ତୋ' ବାବା ଆରାମରେ ଘୁଙ୍ଗୁଡ଼ି ମାରୁଛନ୍ତି। ତାଙ୍କର କ'ଣ ଚିନ୍ତା ଯେ, ଖାଇଲେ ପିଇଲେ ଶୋଇଲେ। ସେ କ’ଣ ଜାଣିବେ କାହା ମନ କଥା ?”


ଏହା ଶୁଣି ଆବାକାବା ହୋଇ ଅନାଇଥିଲେ ମୋହନ ବାବୁ। 

ମଧୁରିମା ହସିଦେଇ କହିଲା – “ବାବା, ତୁମେ କୁ ଏମିତି କୁହନି ଜମା। ଆଉ, ମାଆ ତୁ ଏଇ କାନ୍ଦ କଟା ବନ୍ଦ କର। ମୁଁ ତ କହୁଛି, ତୁମେ ଦୁହେଁ ମୋ ପାଖକୁ ଚାଲିଆସ।”

ରୋଷେଇ ଘରକୁ ଯାଉଥିଲେ ମାଳତୀ।


ମୋହନ ବାବୁ କହିଲେ – “ତୁମେ ବିରି ଭିଜେଇ ଦିଅ। ମୁଁ ନଡ଼ିଆ ନେଇ ଆସୁଛି, ପୁର କରିବ। ହଳଦୀ ପତ୍ର ମୁଁ କେଉଁଠୁ ହେଲେ ବି ଯୋଗାଡ଼ କରିବାପାଇଁ ଚେଷ୍ଟା କରୁଛି, ବ୍ୟସ୍ତ ହୁଅନି।”


ବୁଲିପଡ଼ି ମାଳତୀ କହିଲେ – “ତୁମ ଉପଦେଶ ନିଜ ପାଖରେ ରଖ। ମୁଁ କେତେ ସମୟ ଆଗରୁ ବିରି ବାଟି ସାରିଲିଣି। ଅପେକ୍ଷା କରି ବସିଛି ତ କେବଳ ହଳଦୀ ପତ୍ରକୁ।”


ମୁରୁକି ହସୁଥିଲେ ମା, ଝିଅ। ମୋହନ ବାବୁ କହିଲେ - “ଝିଅ ଆସିଛି ବୋଲି ମା ଏକଦମ ଏକ୍ସପ୍ରେସ।”


ଝିଅକୁ ତାଗିଦ କରି ମାଳତୀ କହିଲେ -“ସୁଆଗିଆ କଥା ପଛରେ ଥାଉ। ନିଜ ଜିନିଷ ସବୁ ଆଗେ ବ୍ୟାଗରେ ରଖ, ନହେଲେ ସେଠି ପହଞ୍ଚିକି ମାଆ ମାଆ ହେଉଥିବୁ। ଆଉ ମୁଁ ଏଇଠି ବ୍ୟସ୍ତ ହେଉଥିବି।”


ମାଳତୀ ଚାଲିଗଲା ପରେ ମଧୁରିମା ଆସି ମୋହନ ବାବୁଙ୍କ ପିଠିରେ ନଦି ହୋଇ କହିଲା - “ବାବା, ଗଲା ପରେ, ମାଆ ଭଳି ତମେ ମୋତେ ମନେ ପକାଇବ ? ମୋର କିନ୍ତୁ ତୁମ କଥା ବହୁତ ମନେପଡେ।”


ମୋହନ ବାବୁଙ୍କ ଛାତିଟା ଯେମିତି ଥମ କରି ରହିଗଲା। ସେ କିଛି କହିବା ପୂର୍ବରୁ ମଧୁରିମା ଅଫିସରୁ ଫୋନ ଆସିବାରୁ ସେ ରୁମ ଭିତରକୁ ଚାଲିଗଲା।


ମୋହନ ବାବୁ ଭାବିଲେ କେମିତି ଗୋଟେ ପିତା ପ୍ରମାଣ ଦେବ ନିଜ ଭଲ ପାଇବାର ? ଝିଅର ପଦେ କଥାରେ ଗୋଟେ ଦମ୍ଭିଲା ବାପ ଏମିତି ବାକ୍‌ଶୂନ୍ୟ ହୋଇଯାଏ ? କେହି ପିତା ମାତା କ’ଣ କେବେ ପିଲାଙ୍କୁ ଭୁଲିପାରନ୍ତି? 

ଖୋଜି ଖୋଜି ଜଣେ ବନ୍ଧୁଙ୍କ ବଗିଚାରୁ ହଳଦୀ ପତ୍ର ଘରକୁ ଆଣିଥିଲେ ମୋହନ ବାବୁ । ଅଦିନିଆ ଅଥାର ହାଣ୍ଡି ବସାଇ ମାଧୁରୀ ହଳଦୀ ପତ୍ର ପିଠା ବନାଉଥିଲେ।


ମୋହନ ବାବୁ ରୋଷେଇ ଘରକୁ ଯାଇ ପଚାରିଲେ - “ହଳଦୀ ପତ୍ର ପିଠା ବାସ୍ନା କାହିଁକି ଭଲ ହେଉନି ତ?”

ସ୍ବାମୀଙ୍କ ଆଡ଼କୁ କଟମଟ କରି ଅନାଇ ମାଳତୀ କହିଲେ – “ଛୋଟ ପିଲାଙ୍କ ଭଳି ନାକରେ ପୁଳାଏ ସିଙ୍ଗାଣି, ନାକ ତ ବନ୍ଦ, ଆଉ ହଳଦୀ ପତ୍ର ପିଠା ର ବାସନା କେମିତି ଜାଣିବ ?”


ମଧୁରିମା ହସିଦେଇ କହିଲା – “ପିଠା ବାସ୍ନାରେ ଚାରିଆଡ଼େ ଖେଳିଗଲାଣି। ମୁଁ ତ ଛାନିଆ ହେଲିଣି, ଗରମ ଗରମ ପିଠା କେତେ ବେଳେ ବାହାରିବ।”


ମାଳତୀ ଗୋଟେ ପିଠାରୁ ପତ୍ର ଛଡାଇ ମଧୁରିମା ପାଟିରେ ଦେଇ କହିଲେ – “ମନଭରି ଖା ମା। ଏ ଜିନିଷ ତୁ ସେଠି କେଉଁଠୁ ପାଇବୁ ? ତୋତେ ପ୍ୟାକ କରି ଦେଇଦେବି। ସେଠି ପହଞ୍ଚି, ଫ୍ରିଜରେ ରଖିଦେବୁ। ଖାଇଲା ପୂର୍ବରୁ ଟିକେ ଷ୍ଟିମ ଦେଇ ଖାଇବୁ, ନ ହେଲେ ମାଇକ୍ରୋଓଭନ ରେ ଗରମ କରି ଖାଇବୁ। ଏ ପିଠା ଥଣ୍ଡା ହେଲେ ଏତେ ବାସ୍ନା ହୁଏନା, ଟିକେ ଉଷୁମ ବାମ୍ଫ ବାଜିଲେ ଖଣ୍ଡ ମଣ୍ଡଳ ବାସ୍ନା ଚହଟାଇଦେବ।”

ପିଠା ଖାଉ ଖାଉ ମଧୁରିମା ପଚାରିଲା – ହେଲେ ବାବା, ତୁମକୁ ଥଣ୍ଡା କେମିତି ହେଲା? ସକାଳେ ତ ପୁରା ଠିକ ଥିଲ।”


ମାଳତୀ କହିଲେ – “ତୋ ବାବା ଛୁଆଙ୍କ ଠାରୁ ବି ଅଧିକ ଅମାନିଆ। ପାଣି ନପିଇ ପେଟ ଗରମ ହୋଇଥିବ, କିମ୍ବା ଥଣ୍ଡା ପାଣି ରେ ଗାଧେଇ ପଡିଥିବେ। ଆଜି ତ ଗୁଡାଏ ସମୟ ବାଥରୁମରେ ପଶି ଗାଧୋଉ ଥିଲେ। ଥଣ୍ଡା ତାଙ୍କୁ ଧରିବନି ତ କାହାକୁ ଧରିବ?କେତେ ଆଉ ମଣିଷ ଜଗିଥିବ ୟାଙ୍କୁ?”


ଖଣ୍ଡେ ପିଠା ଆଣି ମୋହନ ବାବୁ ଙ୍କ ପାଟିରେ ଦେଇ ମଧୁରିମା କହିଲା – “ଛୋଟ ଥିଲା ବେଳେ ବାବା ମୋତେ ଖୁଆଇଦେଉଥିଲେ। ଏଇନା ମୁଁ ତାଙ୍କୁ ଖୁଆଇଦେଉଛି। ଅବଶ୍ୟ କାଲିଠୁ ମୁଁ ଆଉ କେଉଁଠି ଥିବି ଯେ ?”


ମୋହନ ବାବୁ ନିଜକୁ ସମ୍ଭାଳିବା ପାଇଁ ବହୁତ ଚେଷ୍ଟା କରିଥିଲେ। ତାଙ୍କୁ ଲାଗିଲା ସେ କାନ୍ଦି ପକାଇବେ। ପିଠା ଟା ଢ଼ୋକି ପାରିଲେନି ମୋହନ ବାବୁ । ତଣ୍ଟି ରେ ଲାଗିଲା ବୋଧେ କାଶ ଉଠାଇଲା ବୋଲି, ଆଖି ପୋଛି ପୋଛି ପାଣି ଗ୍ଲାସ ଧରି ବାହାରକୁ ଚାଲିଗଲେ।


ପଛପଟୁ ମଧୁରିମା ପଚାରୁଥିଲା – “ବାବା...! କ’ଣ ହେଲା ?” ମୋହନ ବାବୁ ନିଜକୁ ସମ୍ଭାଳି କହିଲେ - “ନାଇଁରେ ମା କିଛି ନୁହେଁ, ଆଖିରେ କ’ଣ ଗୋଟେ ପଡିଗଲା।”


ମଧୁରିମା କହିଲା – “ବାବା...! ପାଖକୁ ଆସ, ମୁଁ ଦେଖି ଦେବି।”


ଝିଅ କଥା ଶୁଣି ଆଉ ନିଜକୁ ସମ୍ଭାଳି ନପାରି ତରବର ହୋଇ ବାଥ ରୁମରେ ପଶିଗଲେ ମୋହନ ବାବୁ। ବାଥରୁମର ଦର୍ପଣରେ ନିଜ ଲାଲ ପଡିଥିବା ଆଖିକୁ ଦେଖୁଥିଲେ ମୋହନ ବାବୁ । ଜଣେ ପିତା ଅସହାୟ ହୋଇଗଲେ ଏକାନ୍ତରେ ଏବଂ ନିରବରେ କାନ୍ଦନ୍ତି। ଆଜି ଖରାବେଳେ ଗାଧୁଆଘରେ ପଶି, ମଧୁରିମା କଥା ଭାବି ସେ ଅଜଣାତରେ ଅନେକ କାନ୍ଦିଥିଲେ ବୋଲି ନାକ ତାଙ୍କର ବନ୍ଦ ଏବଂ ଥଣ୍ଡା ହେଲା ଭଳି ଅବସ୍ଥା। କାହାକୁ କହିବେ ଏକଥା ?

ମଧୁରିମାର ଫ୍ଲାଇଟ ଟେକ ଅପ ପରେ ଘରକୁ ଫେରିଲା ବାଟରେ ମୋହନ ବାବୁ ଓ ମାଳତୀ ଦୁହେଁ ଚୁପଚାପ କାରରେ ଅଜଣା ଲୋକ ଭଳି ବସିଥିଲେ।


ଘରେ ପହଞ୍ଚି, ମାଳତୀ ଗୋଟେ ପ୍ଲେଟରେ ପିଠା ଆଣି ସ୍ବାମୀଙ୍କ ସାମ୍ନାରେ ଥୋଇବାରୁ, ଧୀର ସ୍ୱରରେ ମୋହନ ବାବୁ କହିଲେ - “ମୋତେ ଭୋକ ନାହିଁ, ଖାଇବାକୁ ଇଛା ନାହିଁ। ତୁମେ ଖାଇଦିଅ।”


ମାଳତୀ କହିଲେ – “ମୋତେ କେଉଁ ଇଛା ହେଉଛି ଖାଇବାକୁ ?”


ଡାଇନିଂ ଟେବୁଲ ଉପରେ ସେମିତି ଥୁଆ ହୋଇଥିଲା ହଳଦୀ ପତ୍ର ପିଠା। ଦୀର୍ଘନିଶ୍ବାସ ଛାଡିଲେ ମୋହନ ବାବୁ । ପିଠାର ବାସ୍ନା ଟିକେ ବି ତାଙ୍କ ନାକକୁ ଆସୁନଥିଲା। ଲାଇଟ ଲିଭାଇ, ତକିଆରେ ମୁହଁ ମାଡି ଶୋଇ ପଡିଲେ ମାଳତୀ। ମୋହନ ବାବୁ ମଧ୍ୟ ନିଜକୁ ବିଛଣାରେ ଲୋଟାଇ ଦେଲେ ଚୁପଚାପ୍। ହେଲେ ମଧୁରିମା ନପହଞ୍ଚିବା ଯାଏଁ ତାଙ୍କୁ କେଉଁ ନିଦ ଆସିବ? ମାଳତୀ ବି ଶୋଇବାର ଛଳନା କରୁଛନ୍ତି ବୋଲି ସେ ଜାଣୁଥିଲେ।


ମଧୁରିମା ମୁହଁଟା ଖାଲି ଆଖି ଆଗରେ ନାଚି ଉଠୁଥିଲା। ଅନେକ ସମୟ ବିଛଣାରେ ପଡି ଛଟ ପଟ ହେଲା ପରେ ଡାଇନିଂ କୁ ଉଠି ଆସିଲାବେଳେ ମଧୁରିମାର ଭିଡିଓ କଲ ଆସିଲା । ଏୟାରପୋର୍ଟ ରୁ ଟ୍ୟାକ୍ସିରେ ବାହାରୁଥିଲା ମଧୁରିମା।


ମାଳତୀ ବ୍ୟସ୍ତ ହୋଇ କହିଲେ – “ଭଲରେ ପହଞ୍ଚି ଗଲୁ ତ ମଧୁରିମା।”


ମଧୁରିମା କହୁଥିଲା – “ମୁଁ ଜାଣେ ବାବା, ତୁମେ ଶୋଇ ନଥିବ। ଆରେ ଏ କଣ ଟେବୁଲ ଉପରେ ହଳଦୀ ପତ୍ର ପିଠା ସେମିତି ଥୁଆ ହୋଇଛି? ରାତିରେ ତୁମେ ଡିନର କରିବନି କି? ଆରେ ହଁ, ମାଆ କହୁଥିଲା ଏ ପିଠା ଟିକେ ଷ୍ଟିମ ଦେଇ ଖାଇଲେ ନରମ, ସୁଆଦିଆ ଲାଗେ ଓ ବାସ୍ନା ବି ଭଲ ଆସେ। ସତ କହୁଛି ବାବା, ଅଦିନିଆ ହଳଦୀ ପତ୍ର ପିଠା ର ବାସ୍ନା ସତରେ ଫାଣ୍ଟାଷ୍ଟିକ। ମାଆ ଶୋଇ ପଡିଥିବ। ଦିନ ସାରା ମେସିନ ପରି କାମ କରି ହାଲିଆ ସେ। ତାକୁ କହିଦେବ ବ୍ୟସ୍ତ ହେବନି ସେ। ମୋ ରାଣ ଯେ, ତୁମେ ପିଠା ଖାଇଦିଅ ନ‌ହେଲେ ମୁଁ ବି କିଛି ଖାଇବିନି।”


ଫୋନ ଅଫ କରି ପିଠା ଥାଳିକୁ ଅନେକ ସମୟ ଧରି ଅନାଇଲେ ମୋହନ ବାବୁ । ଶୁନଶାନ ଘରଟା ଖାଁ ଖାଁ ଲାଗୁଥିଲା। ଗୋଟେ ହଳଦୀ ପତ୍ର ପିଠା ଆଣି ହାତରେ ଧରିଲେ । ଅଜଣାତରେ ତାଙ୍କ ଆଖିରୁ ଲୁହ ଦୁଇ ଟୋପା ଖସି ପଡ଼ିଲା ପିଠା ଉପରେ। ପୁଣି ଆଉ ଦୁଇ ଟୋପା ଲୁହ...! ଏ ଲୁହ କେଉଁଠୁ ଆସିଲା?


ମୋହନ ବାବୁ ବୁଲି ପଡି ଦେଖିଲେ ପଛପଟେ ଠିଆ ହୋଇଥିବା ମାଳତୀ ଙ୍କ ଆଖିରେ ଲୁହ ଟଳମଳ। କେତେବେଳୁ ତାଙ୍କ ପଛରେ ଠିଆ ହୋଇଛନ୍ତି କେଜାଣି ?

କୋହ ଭରା ସ୍ୱରରେ ମାଳତୀ କହୁଥିଲେ - ବାରମ୍ବାର ତାକୁ କହୁଥିଲି, ସବୁ ଜିନିଷ ମନେ ପକାଇ ପ୍ୟାକ କରିବାକୁ। ହେଇ ଦେଖ, ମଧୁରିମା ତାର ଗୋଟେ ଡ୍ରେସ୍ ଓ ରୁମାଲ୍ ଛାଡିକି ଯାଇଛି। ଦାୟିତ୍ୱଜ୍ଞାନ ଟିକେ ବି ନାହିଁ, ବିଲକୁଲ ତୁମର ଜେରକ୍ସ କପି।”


ମଧୁରିମା ମୁହଁଟା ମୋହନ ବାବୁଙ୍କ ଆଖି ଆଗରେ ନାଚି ଯାଉଥିଲା। କେହି ପିତା କ’ଣ କେବେ ଗୋଟେ କ୍ଷଣ ନିଜ ଝିଅକୁ ଭୁଲିପାରେ? ହଳଦୀ ପତ୍ର ପିଠା ତ କେବଳ ଗୋଟେ ବାହାନା ମାତ୍ର, ଅସଲରେ ପିଲାଙ୍କ ଚିନ୍ତା ଏବଂ ପିଲା ବେଳେ ର ପ୍ରତ୍ୟେକ ସ୍ମୃତି ଗୋଟେ ପିତାକୁ କେତେ ଅସହାୟ ଓ ଦୁର୍ବଳ କରିଦିଏ? ଏମିତି ବିଭିନ୍ନ ଚିନ୍ତା ରେ ଚିନ୍ତିତ ହୋଇପଡ଼ିଥିଲେ ମୋହନ ବାବୁ।


ପିଠାଟିକୁ ଦୁଇ ଭାଗ କରି ଫାଳେ ମାଳତୀଙ୍କ ହାତରେ ଦେଇ ଅନ୍ୟ ଫାଳଟି ନିଜ ପାଟିରେ ଦେଇ ଚମକି ପଡିଲେ ମୋହନ ବାବୁ। ଏତେ ବାସ୍ନା…!


ଏଇ ହେଉଛି, ହଳଦୀ ପତ୍ର ପିଠା ଏବଂ ପିତାମାତାଙ୍କର ଅପାର ମମତା ଯାହାର ଡୋର କେବେ ଛିଣ୍ଡି ଯାଏନା।



Rate this content
Log in