STORYMIRROR

UPASANA PATTANAYAK

Abstract Inspirational Others

4  

UPASANA PATTANAYAK

Abstract Inspirational Others

ସୁନା ର ମୋହର

ସୁନା ର ମୋହର

2 mins
393

ମନେପଡେ ପିଲାଦିନର ମାମୁଁ ଘର କଥା। ମାମୁଁ ଘର ଗାଁରେ ଥାଆନ୍ତି ରାମକୃଷ୍ଣ ନାମକ ଜଣେ ଜମିଦାର। ସେ ସେଠାରେ ଅତ୍ୟନ୍ତ ଦାନୀ ଥିଲେ। ତେଣୁ ସେଠାକାର ଲୋକମାନେ ତାଙ୍କୁ ବେଶ ମାନୁଥିଲେ ଏବଂ ସମ୍ମାନ ମଧ୍ୟ କରୁଥିଲେ। ଏକଦା ଗାଁରେ ଦେଖିବାକୁ ମିଳିଥିଲା ଯେ ଜଣେ ସାଧୁ ଭିକ୍ଷା ମାଗି ଚଳୁଥିଲେ। ସାଧୁ ଭିକ୍ଷୁକ ଜଣକ ଦିନେ ଭିକ୍ଷା ସକାଶେ ଯାଇଥିଲେ ଏବଂ ରାମକୃଷ୍ଣ ତାଙ୍କୁ ଦାନ ଭାବରେ ଦେଇଥିଲେ ଏକ ସୁନା ର ମୋହର। ସାଧୁ ଭିକ୍ଷୁକ ଜଣକ ପୁଣି ତା ପରଦିନ ଆସି ଉଭା ହୋଇଥିଲେ ରାମକୃଷ୍ଣଙ୍କ ଦ୍ବାରେ। ରାମକୃଷ୍ଣ ତାଙ୍କୁ ଦାନ ଭାବରେ ଦେଇଥିଲେ ପୁଣି ଏକ ସୁନା ର ମୋହର। ଚାରିପାଞ୍ଚ ଦିନ ଧରି ସାଧୁ ଭିକ୍ଷୁକ ଜଣକ ଏହି ପ୍ରକ୍ରିୟାର ପୁନରାବୃତ୍ତି କରିଥିଲେ। ରାମକୃଷ୍ଣ ତାଙ୍କୁ ଦାନ ଭାବରେ ଦେଇଥିଲେ ତ ସୁନା ର ମୋହର, କିନ୍ତୁ ଇତିମଧ୍ୟରେ ଭାବୁ ବି ଥିଲେ କି ଇଏ କି ସାଧୁ, ପ୍ରତିଦିନ ଆସୁଛନ୍ତି ଆଉ ଗୋଟିଏ ଲେଖାଏଁ ସୁନା ର ମୋହର ନେଇକି ଯାଉଛନ୍ତି। ତା’ର ପରଦିନ ସାଧୁ ଭିକ୍ଷୁକ ଜଣକ ସୁନା ର ମୋହର ନେଇକି ଗଲା ପରେ ରାମକୃଷ୍ଣ ପଠାଇଥିଲେ ତାଙ୍କର ସବୁଠାରୁ ବିଶ୍ବସ୍ତ ଚାକର ସୋନୁ କୁ ସାଧୁଙ୍କ ପଛରେ। ସେ ଜାଣିବାକୁ ଚାହୁଁଥିଲେ, ଯେ ସାଧୁ ଭିକ୍ଷୁକ ଜଣକ ସୁନା ର ମୋହର ନେଇ କରୁଛନ୍ତି କ’ଣ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସୋନୁ ଦେଖିବାକୁ ପାଇଲା ଯେ ସାଧୁ ଭିକ୍ଷୁକ ଜଣକ ସୁନା ର ମୋହରକୁ ଯାଉଥିବା ସମୟରେ ପଡୁଥିବା ନଦୀରେ ଫିଙ୍ଗିଦେ ଯାଉଥିଲେ। ଏ କଥା କୁ ସୋନୁ ସାଙ୍ଗେ ସାଙ୍ଗେ ଆସି କହିଲା ରାମକୃଷ୍ଣଙ୍କ ପାଖରେ। ଏହା ଶୁଣି ରାମକୃଷ୍ଣଙ୍କ ଆଶ୍ଚର୍ଯ୍ୟଚକିତ ହେବା ସହ କ୍ରୋଧିତ ମଧ୍ୟ ହେଲେ। ତା’ ପରଦିନ ସକାଳୁ ସାଧୁ ଭିକ୍ଷୁକ ଜଣକ ରାମକୃଷ୍ଣଙ୍କ ଦ୍ୱାରେ ପହଞ୍ଚିବା କ୍ଷଣି, ରାମକୃଷ୍ଣ କ୍ରୋଧିତ ହୋଇ ଉଠିଲେ ଏବଂ କହିଲେ – “ମୁଁ ଆଉ କଦାପି ଏ ସୁନା ର ମୋହର ଆପଣଙ୍କୁ ଦେବି ନାହିଁ। କାହିଁକି ନା ମୁଁ ଭାବୁଥିଲି ଏ ମୋହର ଆପଣଙ୍କ କାମରେ ଆସିପାରେ, କିନ୍ତୁ ଆପଣ ତ ଏ ମୋହର ନଦୀରେ ଫିଙ୍ଗିଦେଇ ଯାଉଥିଲେ। ତେଣୁ ମୁଁ ଆଉ ଅକାରଣେ ଏହାକୁ ନଷ୍ଟ କରିପାରିବି ନାହିଁ।” ଏହା ଶୁଣି ରାମକୃଷ୍ଣଙ୍କୁ ସାଧୁ ଭିକ୍ଷୁକ ଜଣକ କହୁଛନ୍ତି – “ତେବେ ମନ ଦେଇ ଶୁଣ ହେ ଜମିଦାର ବାବୁ…! ତୁମେ ପ୍ରକୃତରେ ଦାନୀ ନୁହେଁ। କାରଣ ତୁମର ଦାନ ଦେଇଥିବା ଜିନିଷ ପ୍ରତି ମୋହ ତୁଟୁ ନାହିଁ, ମୋହ ରହିଛି। ତେଣୁ ତୁମେ ଦାନ କଲେ ମଧ୍ୟ ପ୍ରକୃତରେ ଦାନୀ ନୁହେଁ। ମୁଁ କେବଳ ଏ ବିଷୟରେ ତୁମକୁ ହୃଦୟଂଗମ କରେଇବାକୁ ଆସିଥିଲି ଏବଂ ଏଥିପାଇଁ ମୁଁ ମୋହର ଗୁଡିକୁ ନଦୀରେ ଫିଙ୍ଗିଦେଇ ଯାଉଥିଲି।” ଏ କଥା ସାଧୁଙ୍କ ମୁହଁରୁ ଶୁଣିଲା ପରେ ରାମକୃଷ୍ଣ ଅବାକ୍ ହୋଇଯାଇଥିଲେ। ସାଧୁଙ୍କ କଥାଟିକୁ ସେ ହୃଦୟଂଗମ କରିପାରିଥିଲେ। ଏହି ଘଟିଯାଇଥିବା ଘଟଣା ପରେ ଯେବେ ବି ରାମକୃଷ୍ଣ କିଛି ଦାନ କରିଥାଆନ୍ତି, ପୂର୍ବରୁ ଥିବା ମନୋବୃତ୍ତି ତାଙ୍କର ବଦଳାଯାଇଥିଲା, ଯାହା ସୁସ୍ପଷ୍ଟ ଭାବରେ ଦେଖାଯାଉଥିଲା। ବର୍ତ୍ତମାନର ରାମକୃଷ୍ଣ ପୂର୍ବରୁ ଥିବା ରାମକୃଷ୍ଣ ଠାରୁ ସମ୍ପୁର୍ଣ୍ଣ ଅଲଗା। ବଦଳିଥିବା ଆଚରଣ ଦେଖି ବହୁ ଲୋକ ଖୁସି ହେଲେ। ସାଧୁ ମହାତ୍ମା ଜଣଙ୍କ ର ଏ ଛୋଟିଆ ଉପାୟ ଆଣିଥିଲା ବିରାଟ ପରିବର୍ତ୍ତନ। ସତରେ ଦେଖିବାକୁ ଗଲେ ସମସ୍ତେ ଯଦି ଏମିତି ନିଜକୁ ପରଖି ହୋଇଯାଇଥିବା ଭୁଲ କୁ ସୁଧାରି ପାରନ୍ତେ ତ କେତେ ଭଲ ହୁଅନ୍ତା...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract