STORYMIRROR

UPASANA PATTANAYAK

Abstract Inspirational

4  

UPASANA PATTANAYAK

Abstract Inspirational

ମୋକ୍ଷ

ମୋକ୍ଷ

2 mins
439

କାହାଣୀ ଦୁଇ ସାଙ୍ଗ ପ୍ରଭାସ ଏବଂ ତରୁଣ ର। ଦୁହେଁ ପିଲାଦିନରୁ ଘନିଷ୍ଠ ବନ୍ଧୁ। ଖେଳ ସହିତ ଶିକ୍ଷା ମଧ୍ୟ ଏକା ସାଙ୍ଗରେ ଶେଷ ହୋଇଥାଏ ଦୁଇ ଜଣଙ୍କର। ଦୁହେଁ ଉଚ୍ଚ ଶିକ୍ଷା ଲାଭ କରିବା ପରେ ମଧ୍ୟ ଶାନ୍ତି ରେ ନ ଥାନ୍ତି। ଦୂର୍ଗାପୂଜା ଛୁଟିରେ ଦୁହେଁ ଏକାସାଙ୍ଗରେ ଗାଁକୁ ଆସିଥାନ୍ତି। ପୂଜା ରେ ପଡ଼ିଥିବା ମେଳା ରୁ ବୁଲି ଆସିବା ପରେ ବାଟରେ ଯାଉଯାଉ ଦୁହେଁ ଭେଟନ୍ତି ଜଣେ ସାଧୁବାବାଙ୍କୁ। ଅନ୍ୟ ଲୋକମାନେ ମଧ୍ୟ ସେ ସାଧୁବାବାଙ୍କର ପରାମର୍ଶ ଲୋଡୁଥାନ୍ତି। ଏହା ଦେଖି ସେମାନେ ମଧ୍ୟ ପରାମର୍ଶ କରିବେ ବୋଲି ଭାବନ୍ତି।


ତତ୍ କ୍ଷଣାତ ସେମାନେ ଦୁହେଁ ତତ୍ପର ହୋଇ ସାଧୁବାବାଙ୍କ ପାଖରେ ଯାଇ ପହଞ୍ଚି, ସାଧୁବାବାଙ୍କୁ କୁହନ୍ତି – “ବାବା…! ଆମେ ବହୁତ କଷ୍ଟରେ ସମୟ ଅତିବାହିତ କରୁଛୁ। ଆମେ ସବୁ ଦୃଷ୍ଟିରୁ ନିଜକୁ ଅସହାୟ ବୋଲି ଭାବୁଛୁ। ଆମକୁ ଲାଗୁଛି ଯେମିତି ଏ କାଦୁଅରୁ ମୁକ୍ତି ନାହିଁ। ଆପଣ ଆମକୁ କିଛି ବାଟ ଦେଖାନ୍ତୁ, ଯେମିତି ଆମେ ଏ ଦୁଃଖକଷ୍ଟ ଭରା କାଦୁଅରୁ ମୁକ୍ତି ପାଇ ମୋକ୍ଷ ପ୍ରାପ୍ତିର ବାଟ ପାଇବୁ। କେଜାଣି ଆମେ କେବେ ମୁକ୍ତି ପାଇବୁ ଏ କାଦୁଅରୁ ଆଉ କେତେ ଜନ୍ମ ନେଲେ।”


ପ୍ରଭାସ ଏବଂ ତରୁଣ ମୁହଁରୁ ଏମନ୍ତ ଶୁଣି, ସାଧୁବାବା ଟିକିଏ ରହିଯାଇ ଉତ୍ତର ଦିଅନ୍ତି – “ବାବୁମାନେ…! ଚାରିହାତ ଦୂରରେ ଥିବା ବର ଗଛଟିକୁ ଦେଖ। ସେହି ବୃକ୍ଷରେ ଯେତିକି ପତ୍ର ଅଛି, ତୁମେମାନେ ସେତିକି ଜନ୍ମ ନେଲା ପରେ ହୁଏତ ମୋକ୍ଷ ପାଇବ।”


ଏହା ଶୁଣି ପ୍ରଭାସ ଅବାକ୍ ହୋଇ ଛଳ ଛଳ ନୟନରେ ଅନାଇ ରହିଥାଏ ସାଧୁବାବାଙ୍କୁ। କିନ୍ତୁ ତରୁଣ ବିଚଳିତ ନହୋଇ ବାବାଙ୍କୁ ପ୍ରଣାମ କରି ଗୃହାଭିମୁଖେ ଚାଲନ୍ତି। ତରୁଣକୁ ଏପରି ଦେଖି ପ୍ରଭାସ ବିଚଳିତ ହୋଇ ମଧ୍ୟ ସେଠାରେ ବସି ରୁହନ୍ତି ବାବାଙ୍କ ମୁଖରୁ ଶୁଣିବାକୁ। ଏ ସମୟରେ ବାବାଙ୍କ ପାଖରେ ଜଣେ ବ୍ୟବସାୟୀ ବସିଥାଆନ୍ତି। ସେ ବି ଆସିଥାନ୍ତି ବହୁ ଦୂରରୁ ବାବାଙ୍କ କରୁଣା ପାଇଁ। ବ୍ୟବସାୟୀ ଜଣକ ଏ ଦୃଶ୍ୟ ଦେଖି ଦ୍ଵନ୍ଦରେ ପଡିଯାଇଛନ୍ତି ଏବଂ ଏହି ପ୍ରଶ୍ନ ଏବଂ ଦୃଶ୍ୟର ଯଥାର୍ଥ ପଚାରନ୍ତି ବାବାଙ୍କୁ।


ବାବା ବ୍ୟବସାୟୀ ଜଣଙ୍କୁ ବୁଝାଇ କହନ୍ତି – “ ଦେଖ ବାବୁ…! ଏ ବର ଗଛର ପତ୍ର ଅନେକ, ଲକ୍ଷ ଲକ୍ଷ, ଦେଖିବାକୁ ଗଲେ ଆମ ପକ୍ଷେ ଗଣିବା ମଧ୍ୟ ଅସମ୍ଭବ। ପ୍ରଭାସ ଚିନ୍ତାରେ ମର୍ମାହତ ହୋଇ ପଡ଼ିଲା ଯେ କେତେ ଜନ୍ମ ନେଲେ ଏ ଦୁଃଖକଷ୍ଟ ଭରା ଜୀବନରୁ ମୁକ୍ତି ମିଳିବ। କିନ୍ତୁ ପାର୍ଥକ୍ୟ ଏତିକି ଯେ ତରୁଣ ବିଚଳିତ ନହୋଇ ସକରାତ୍ମକ ଦୃଷ୍ଟିକୋଣ ରଖି ଜୀବନର ସେ ଧାରାରେ ଚାଲିବାର ନିଷ୍ପତ୍ତି ନେଇ ଆଗକୁ ବଢିଲା। ମୋ’ର ଯେତେ ଦୂର ଆଶା, ତରୁଣ ର ଚିନ୍ତାଧାରା ଏଇଆ ଯେ, ହୋଇଥାଇ ପାରେ ବର ଗଛ, ହେଉ ତା’ର ପତ୍ର ଲକ୍ଷେ, କିନ୍ତୁ ଦିନେ ନା ଦିନେ ଏହା ସରିବ, ଠିକ୍ ସେହିପରି ଦୁଃଖ ର ପରିସମାପ୍ତି ଦିନେ ନା ଦିନେ ଘଟିବ ଏବଂ ମୁକ୍ତି ମିଳିବ। ଏ ଭାବନା ତା ହୃଦୟକୁ ଆଶ୍ଵାସନା ଦେଲା ଯେ ଜୀବନରେ କୈାଣସି ଜିନିଷ ଦୀର୍ଘ ଦିନ ଧରି ଚାଲେନା, ଯେମିତି କି ଖାଦ୍ୟ ହେଉ ନା କାହିଁକି କି ବସ୍ତ୍ର ହେଉ ବା ଦୁଃଖକଷ୍ଟ ହେଉ ବା ହିଂସା ହେଉ ବା ମିଛ ହେଉ।”


ସମସ୍ତଙ୍କ ପାଇଁ ହୋଇଥାଇ ପାରେ ଏହା ଏକ ଗପ। କିନ୍ତୁ ଗପ ହେଲେ ବି ଏହା ଜୀବନର ଚିରନ୍ତନ ସତ୍ୟ ଏବଂ ସତ କେବେ ଲୁଚି ରହେନା ଏବଂ ବଦଳେନା। ଏ କଥା କେତେ ଗପ ମାଧ୍ୟମରେ ମୋ ମାଆ ମୋତେ ଶୁଣାନ୍ତି ଯେତେ ବେଳେ ମୁଁ କଠିନ ପରିସ୍ଥିତିର ଶିକାର ହୋଇ ହାର ମାନିବା ପ୍ରାୟ ହୋଇଯାଇଥାଏ। ମାଆ ସବୁ ବେଳେ କୁହନ୍ତି - "ବିଧାତା ଦେଇଥିବା ଏ ଜୀବନ ମୂଲ୍ୟବାନ। ଜୀବନ ରେ ସେମିତି ଅନେକ ଖୁସି ବି ଆସିପାରେ ଏବଂ ଦୁଃଖ ବି ଆସିପାରେ। କିନ୍ତୁ ଏ ସବୁକୁ ସମୟ ଅନୁସାରେ ସହିବାକୁ ପଡେ। କିନ୍ତୁ ଏସବୁ ଜିନିଷ ଜୀବନ ତମାମ ରହେନା, କେବେ ନା କେବେ ଏସବୁ ଯିବାକୁ ହୁଏ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract