STORYMIRROR

UPASANA PATTANAYAK

Tragedy Inspirational

3  

UPASANA PATTANAYAK

Tragedy Inspirational

ଏଇ ହେଉଛି ଦୁନିଆ

ଏଇ ହେଉଛି ଦୁନିଆ

5 mins
174

ତାରାପ୍ରସାଦ ବର୍ମା, ନିଜ ପୁଅ ଅଭିଳାଷ ବର୍ମାର ନାମଲେଖା ଏକ ପ୍ରତିଷ୍ଠିତ ତଥା ନାମଜାଦା କଲେଜରେ ହୋଇଯାଇଥିବାରୁ କିଛି ଘନିଷ୍ଠ ବନ୍ଧୁଙ୍କୁ ଏକ ପଞ୍ଚତାରକା ହୋଟେଲରେ ପାର୍ଟି ଦେଉଥିଲେ। ହୋଟେଲ ଲବିରେ ଲାଗିଥିଲା ବଡ଼ ବଡ଼ ଏଲସିଡି ଟିଭି, ଯେଉଁ ଥିରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୃତି ଛାତ୍ରଛାତ୍ରୀମାନଙ୍କର ସାକ୍ଷାତକାର ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଦେଖାହେଉଥିଲା। 


ଏଥର ପ୍ରଥମ ଟପ୍ ଟେନ୍ ଅଧିକାର କରିଥିବା ପ୍ରାର୍ଥୀଙ୍କ ଭିତରେ ଆଠଜଣ ଥିଲେ ଝିଅ। ଏ ଦୃଶ୍ୟରୁ ବେଶ ଜଣା ପଡୁଥାଏ, ବର୍ତ୍ତମାନ ଯୁଗରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶି ଆଗଭର। ଏଣିକି ବିଭିନ୍ନ ପରୀକ୍ଷା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ମଧ୍ୟ ଝିଅମାନେ ଅଧିକ ସଫଳତା ପାଉଛନ୍ତି ବୋଲି ଚର୍ଚ୍ଚା ମଧ୍ୟ ଚାଲିଥିଲା ଏବଂ ଶୁଣିବାକୁ ମଧ୍ୟ ମିଳିଥିଲା ବହୁ ମୁଖରୁ। ହୋଟେଲରେ ବସି ସମସ୍ତେ ଟିଭିକୁ ଅନାଇ ଦେଖୁଥିଲେ ବିଭିନ୍ନ ସଫଳ ପ୍ରାର୍ଥୀଙ୍କ ଇଣ୍ଟରଭିଉକୁ ଏବଂ ତତ୍ ସହିତ ଚାଲିଥାଏ ଥଣ୍ଡା ପାନୀୟ, ପନିର୍ ଟିକା, ଚିକେନ୍ ଟିକା, ଚିକେନ୍ ପକୋଡା ଏବଂ ଚିକେନ୍ ତନ୍ଦୁରୀର ମଜା। 

ପ୍ରଥମ ସ୍ଥାନ ଅଧିକାର କରିଥିବା ଝିଅ ତ୍ରିଶା ଦେବର ସାକ୍ଷାତକାରରେ ମହିଳା ଟିଭି ଆଙ୍କର ଜଣକ ପ୍ରଶ୍ନ କରୁଥିଲେ - ଆପଣଙ୍କର ଏତେ ବଡ଼ ସଫଳତାର ଶ୍ରେୟ କାହାକୁ ଦେବେ ?” 


ଟିଭିରେ ତ୍ରିଶା ଦେବ କିଛି ଉତ୍ତର ଦେବା ଆଗରୁ, ହାତରେ ମଦ ଗ୍ଲାସ ଧରି, ତାରାପ୍ରସାଦ ବର୍ମାଙ୍କ ବନ୍ଧୁ ରମାକାନ୍ତ ପରିହାର ବଡ଼ ପାଟିରେ କହିଲେ – “ଏସବୁ ଫାଲତୁ ଆଉ ବେକାର ପ୍ରଶ୍ନ କାହିଁକି ପଚାରନ୍ତି ଏଇ ସାମ୍ବାଦିକ ମାନେ ? ସବୁବେଳେ ସେଇ ଉତ୍ତର ହିଁ ମିଳେ, ସେଥିରେ ପୁଣି ନୂଆ କ’ଣ ଅଛି, ସେଇ ପ୍ରଶ୍ନ ସେଇ ଉତ୍ତର। ବାପା, ମାଆ, ପରିବାର, ଭଗବାନ ଓ ଶିକ୍ଷକ, ଆଉ କିଛି ଅଛି…!!! ଆମେ ବି ଆମବେଳେ ସେଇଆ ହିଁ କହିଥିଲେ, ଆଉ ସେଥିରେ ନୂଆ କ’ଣ।” 


ହାତରେ ମଦ ଗ୍ଲାସ ଧରି ଫେଁ କିନା ହସି ଦେଇ ଅନ୍ୟ ଜଣେ ବିନୋଦ ବନ୍ଧୁ କହିଲେ - ଏବେ କୋଚିଙ୍ଗ ଇନଷ୍ଟିଚ୍ୟୁଟଵାଲା ତ ସବୁ କ୍ରେଡିଟ ନେଉଛନ୍ତି, ବାପା, ମାଆ, ପରିବାର, ଭଗବାନ ଓ ଶିକ୍ଷକଙ୍କୁ ସେମାନଙ୍କ ଆଗରେ ପଚାରେ କିଏ।” 


ଅନ୍ୟ ଜଣେ କହିଲେ – “ଆରେ…! ସମସ୍ତେ ଟିକେ ଚୁପ ରୁହ ଦୟାକରି, ଦେଖ ଟପ୍ପର ହୋଇଥିବା ଝିଅ ତ୍ରିଶା ଦେବ କ’ଣ କହୁଛି ? ଇୟେ ଆମ ସମସ୍ତଙ୍କ ପାଇଁ ଗୌରବ।” ସମସ୍ତେ ଚୁପ ହୋଇ ଟିଭିକୁ ଅନାଇଲେ। 


ମହିଳା ଟିଭି ଆଙ୍କର ଜଣକ ତ୍ରିଶା ଦେବଙ୍କୁ ପୁଣି ପ୍ରଶ୍ନ ପଚାରିବାରେ ଲାଗିଗଲେ - ଆପଣଙ୍କର ଏହା କ’ଣ ପ୍ରଥମ ଚେଷ୍ଟା ଓ ଏତେ କମ ବୟସରେ...! ପ୍ରଥମ ଚାନ୍ସରେ ଏକାବେଳେ ଟପ୍ପର...! କିଏ ଆପଣଙ୍କ ପ୍ରେରଣା ? ଏ ପ୍ରେରଣାର ମନ୍ତ୍ର କ’ଣ?” 


ଧୀର ଏବଂ କୋମଳ ସ୍ୱରରେ ତ୍ରିଶା ଦେବ କହିଲେ – “ମୋ ସଫଳତାର ସବୁ ଶ୍ରେୟ କେଵଳ ମୋ ମାଆଙ୍କର। ମୋ ମାଆ ହିଁ ମୋ ପ୍ରେରଣା, ମୋ ପାଇଁ ମୋ ମାଆ ସବୁ କିଛି। ସେ ହିଁ ମୋ ଭଗବାନ, ମୋ ଆଦର୍ଶ ଏବଂ ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ଯାହା ବି ପାଇଛି, ତାହା କେବଳ ମୋ ମାଆଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ତାଙ୍କରି ମମତା, ତାଙ୍କରି ବଳିଦାନ ଏବଂ ତ୍ୟାଗ ମୋ ପାଇଁ ଆଜି ଆଶୀର୍ବାଦ ସାଜି ମୋତେ ପହଞ୍ଚେଇବାର ସାହାଯ୍ୟ କରିଛି ଶୀର୍ଷ ସ୍ଥାନକୁ।” 


ମହିଳା ଟିଭି ଆଙ୍କର ଜଣଙ୍କ ପୁଣି ପ୍ରଶ୍ନ କଲେ – “ଆପଣଙ୍କ ବାପା, ତାଙ୍କର ଏ କ୍ଷେତ୍ରରେ କ’ଣ ଅବଦାନ ରହିଛି?” 

ଦୀର୍ଘନିଃଶ୍ୱାସ ଛାଡି, ସାମାନା ରେ ଥିବା ସାଙ୍ଗସାଥୀଙ୍କୁ ଅନାଇ ଟିକେ ନର୍ଭସ ହୋଇ ତ୍ରିଶା ଦେବ ଉତ୍ତର ଦେଲେ – “ମୋ ମାଆ ଏକୁଟିଆ, ଅର୍ଥାତ ସିଙ୍ଗଲ ମଦର। ମୋ ମାଆ ହିଁ ପିଲାଟି ଦିନରୁ ମୋର ଲାଳନ ପାଳନ କରିଆସିଛନ୍ତି। ଗୋଟିଏ ସିଙ୍ଗଲ ମଦର ହୋଇ ସେ ମୋ ପାଇଁ ଯାହା ସବୁ ବଳିଦାନ ଏବଂ ତ୍ୟାଗ କରିଛନ୍ତି, ତାହାର ବର୍ଣ୍ଣନା ଅତୁଳନୀୟ। ମୋ ପାଇଁ ମୋ ମାଆ ହିଁ ସବୁ କିଛି, ଉଭୟ ବାପା ଓ ମାଆ। ଆଉ ଗୋଟିଏ କଥା; ମୋ ଅଜା, ଆଈ, ମାମୁଁ ଘର ଲୋକଙ୍କ ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନ ମୁଁ କେବେ ଭୁଲିପାରିବି ନାହିଁ।” ଏତିକି କହି ସାରିଲା ପରେ ତ୍ରିଶା ଦେବ ଭାବବିହ୍ୱଳ ହୋଇ କାନ୍ଦିପକାଇଲେ। 


ଅନ୍ୟଜଣେ ଟିଭି ଆଙ୍କର ପୁଣି ଘେରିଯାଇ ପ୍ରଶ୍ନ କଲେ - “ତ୍ରିଶା…! ଆପଣଙ୍କର ସବୁ ପଢ଼ାପଢ଼ି ସରକାରୀ ସ୍କୁଲ ଓ କଲେଜରେ…! କୌଣସି କୋଚିଙ୍ଗ କ୍ଳାସରେ ବି ଆପଣ ଜଏନ ନକରି ଏତେ ବଡ଼ ସଫଳତା ପାଇପାରିଛନ୍ତି। ଆଜିର ଏ ଯୁବ ସମାଜକୁ ଆପଣ କି ବାର୍ତ୍ତା ଦେବେ ଯେମିତି କି ଆପଣଙ୍କର ବାର୍ତ୍ତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇପାରିବେ…?” 


ଏତେ ବେଳେ ଟିକେ ନର୍ମାଲ ହୋଇ ଅଳ୍ପକେ ହସିଦେଇ ତ୍ରିଶା କହିଲେ – “ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ସବୁ ସମ୍ଭବ ହୋଇପାରିବ। ଅଧିକ ଡୋନେସନ ଦେଇ ପ୍ରାଇଭେଟ ସ୍କୁଲ କଲେଜ ଏବଂ କୋଚିଙ୍ଗ ନିହାତି ଜରୁରୀ ନୁହେଁ। ସରକାରୀ ସ୍କୁଲ, କଲେଜରେ ବି ପିଲାମାନେ ପାଠ ପଢନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି। ସରକାରୀ ସ୍କୁଲ ଏବଂ କଲେଜ ମଧ୍ୟ କୌଣସି ଗୁଣରେ କମ ନୁହେଁ।” 


ହଠାତ କରେଣ୍ଟ ଚାଲିଗଲା ଏବଂ କରେଣ୍ଟ ଚାଲିଯିବାରୁ ଜାଗାଟା ଟିକେ ଶାନ୍ତ ମଧ୍ୟ ପଡ଼ିଗଲା। 

ହୋଟେଲ ପାର୍ଟିରେ ମଗ୍ନ‌ ଥିବା ବନ୍ଧୁମାନଙ୍କ ଭିତରୁ ଜଣେ କହିଲେ – “ଏତେ କମ୍ ବୟସରେ ବିଚାରୀ ଝିଅଟିକୁ ବହୁତ ମାନସିକ ଧକ୍କା ଲାଗିଛି। ବାପା-ମା ଅଲଗା ହୋଇଗଲାପରେ ପିଲାଙ୍କ ଉପରେ କେତେ ଯେ ଦୁଃଖ କଷ୍ଟର ପାହାଡ଼ ଓଜାଡ଼ି ହୋଇପଡେ, ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟ। ସମସ୍ତେ କହି ଦେବେ, କିନ୍ତୁ ଦୁଃଖ କେହି ନେବେ ନାହିଁ। କିନ୍ତୁ ଏଇ ଝିଅକୁ ମାନିବାକୁ ପଡିବ, ଏତେ ଦୁଃଖ ସତ୍ତ୍ୱେ ସେ ତା’ର ଲକ୍ଷ୍ୟ ପଥରୁ ଓହରି ନାହିଁ। ଗୋଟିଏ ମାଆ ପାଇଁ ତା’ର ସନ୍ତାନର ସୁଖ, ସୁରକ୍ଷା, ଉତ୍ତମ ଭବିଷ୍ୟତ ହିଁ ସବୁ କିଛି। ଯାହାର ଜ୍ୱଳନ୍ତ‌ ଉଦାହରଣ ତ୍ରିଶା ଦେବ ଏବଂ ତା’ର ମାଆ।” 


ତାରାପ୍ରସାଦ ବର୍ମାଙ୍କ ଆଡ଼କୁ ଅନାଇ ତାଙ୍କର ଘନିଷ୍ଠ ବନ୍ଧୁ ରମାକାନ୍ତ ପରିହାର କହିଲେ‌ - “ଆରେ, ତାରାପ୍ରସାଦ…! ତୁ ଏମିତି ଗୁମ ମାରି ବସିଗଲୁ ଯେ? ଚିଅର ଅପ୍ ୟାର…! ତୋ ପୁଅ ଏତେ ବଡ଼ କଲେଜରେ ସିଟ ପାଇଲା, ଏହା କ’ଣ କମ ବଡ କଥା ?” 


ରମାକାନ୍ତ ପରିହାରଙ୍କ ପାଖରେ ବସିଥିବା ଅନ୍ୟଜଣେ ବନ୍ଧୁ ସରସ୍ ପ୍ରଶ୍ନ କଲେ – “ସେ ପ୍ରାଇଭେଟ କଲେଜର ଡୋନେସନ କେତେ କୋଟି ମିଷ୍ଟର ତାରାପ୍ରସାଦ ବର୍ମା ? ଆଜିକାଲି ଭଲ ମାର୍କ ନରଖିଲେ ସରକାରୀ କଲେଜରେ ସିଟ ମିଳିବା ଭାରି କଷ୍ଟ । ସମସ୍ତେ ତ ଆଉ ତ୍ରିଶା ଦେବ ଭଳି ଟ୍ୟାଲେଣ୍ଟଟେଡ଼ ନୁହଁନ୍ତି ନା।” 


ତାରାପ୍ରସାଦ ବର୍ମା ଏହା ଶୁଣି ବେଶ ଚିଡି ଯାଇ କହିଲେ – “ଆରେ...! କି କଥା...! ଅତି ଫୁଟାଣି ମାରି ସେ ଝିଅ ଏମିତି କହୁଛି। ଏମିତିରେ ଆଉ ଗର୍ବ କ’ଣ କମ୍ ଯେ। ଆଉ ଗୋଟିଏ ପଏଣ୍ଟ୍, ଡାଇଭୋର୍ସ ପରେ ତା’ ମାଆ କ’ଣ ମୋଟା ଆକାରର କ୍ଷତିପୂରଣ ତା’ ସ୍ୱାମୀଠୁ ଝଡାଇ ନ ଥିବ? କିଏ ଜାଣେ ଏବେ ବି ଝିଅର ଭରଣ ପୋଷଣ ଖର୍ଚ୍ଚ ବି ତା’ ବାପା ହିଁ ଦେଉଥିବ, କେହି ଦେଖୁଛି ନା ଜାଣୁଛି। ଲୋକଙ୍କୁ ଦେଖେଇ ହେବା ପାଇଁ ବଡ଼ ବଡ଼ ମିଛ ଫୁଟାଣି ସମସ୍ତେ ମାରନ୍ତି, ଏଥିରେ ଏତେ ଭାବିବାର କ’ଣ ଅଛି, ଆଉ ଏଥିରେ ଏତେ ବଡ଼ କଥା କିଛି ବି ନାହିଁ। ତେବେ ଡୋନେସନ ଦ୍ୱାରା ଆଜିକାଲି ସବୁ କିଛି ସମ୍ଭବ ଏବଂ ପଇସା ଦ୍ଵାରା ସବୁ କିଛି କିଣା ହୋଇପାରିବ।” 


ଅନ୍ୟମନସ୍କ ଭାବେ ଗପୁ ଗପୁ ତାରାପ୍ରସାଦ ବର୍ମାଙ୍କ ପାଟିରୁ ବାହାରିପଡ଼ିଲା – “ତ୍ରିଶାର ମାଆ କୌଣସି କ୍ଷତିପୂରଣ ଦାବି କରିନଥିଲା ଏବଂ ନେଇନଥିଲା ମଧ୍ୟ। ଡୋନେସନ ଦେଲେ ପ୍ରାଇଭେଟ ସ୍କୁଲ, କଲେଜ, ଇଞ୍ଜିନିୟରିଂ, ମେଡ଼ିକାଲ, ଏମବିଏ ଇନଷ୍ଟିଚ୍ୟୁଟରେ ଦାଖଲ ହେବା ସିନା ସହଜ ବି ସମ୍ଭବ ବି, କିନ୍ତୁ ଡୋନେସନ ଦେଲେ କ’ଣ ଆଇ ଏ ଏସ, ଆଇ ପି ଏସ ପଦବୀ ନା ସହଜ ନା ସମ୍ଭବ ? ଲୋକ ବି ଡୋନେସନ ଦେଉଛନ୍ତି, ଦାଖଲ ବି ହେଉଛନ୍ତି। ଏଥିରେ କଥାକୁ ଏତେ ବଡ଼ କରିବାର କ’ଣ ଅଛି।” 


ଆଶ୍ଚର୍ଯ୍ୟଚକିତ ହୋଇ ରମାକାନ୍ତ ପରିହାର ମଦ ଗ୍ଲାସଟା ଟେବୁଲ ଉପରେ ଥୋଇ ପଚାରିଲେ – “ତାରାପ୍ରସାଦ…! ଏ ତୁ କ’ଣ କହୁଚୁ…! ରହ ରହ, ଗୋଟେ ମିନିଟ୍। ତୁ କେମିତି ଜାଣିଲୁ କି ତ୍ରିଶାର ମାଆ କୌଣସି କ୍ଷତିପୂରଣ ନେଇନାହିଁ ବୋଲି ? ମୁଁ ତ କିଛି ବୁଝି ପାରୁନି। ବେଶି ପିଇ ଦେଲୁଣି ନା କ’ଣ ?” 


ଠିକ୍ ଏହି ସମୟରେ କରେଣ୍ଟ ଆସିଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଅନାଇଥିଲେ ତାରାପ୍ରସାଦଙ୍କ ମୁହଁକୁ। ତାରାପ୍ରସାଦଙ୍କ କାନରେ ବାରମ୍ବାର ପ୍ରତିଧ୍ୟନିତ ହେଉଥିଲା ତ୍ରିଶାର ନିଜ ଇଣ୍ଟରଭିଉରେ କହିଥିବା କଥା ଆହୁରି ମଧ୍ୟ ଅନେକ କିଛି ଥିଲା, ଯାହା ତାଙ୍କୁ ବିଚଳିତ କରୁଥିଲା। ତା’ ହେଉଛି, ଅତୀତ। ମଣିଷ ସବୁ କିଛି ଭୁଲି ପାରିବ, କିନ୍ତୁ ଅତୀତରେ ଘଟିଥିବା କିଛି ଘଟଣା ମଣିଷକୁ ତା’ର ଶେଷ ମୁହୂର୍ତ୍ତ ଯାଏଁ ମଧ୍ୟ ଭୁଲିବାକୁ ଦିଏନା। ସେହି ଅତୀତର କିଛି କଥା ଥିଲା, ତନୁ ଦେବଙ୍କୁ ନେଇ। ତନୁ ଦେବ, ତ୍ରିଶା ଦେବର ମାଆ ଏବଂ ତାରାପ୍ରସାଦ ବର୍ମାଙ୍କ ପ୍ରଥମ ବିବାହ । ତ୍ରିଶାର ସେ ପନ୍ଦର ବର୍ଷ ତଳର ସେ କଥା ବର୍ତ୍ତମାନ ବି ତାରାପ୍ରସାଦଙ୍କୁ ବିଚଳିତ କରୁଥିଲା – “ମୋ ଜନ୍ମର କିଛି ଦିନ ପରେ ଆମ ଦୁହିଁଙ୍କୁ ସବୁ ଦିନ ପାଇଁ ଛାଡି ଚାଲିଯାଇଥିବା ଓ ଅନ୍ୟଜଣେ ମହିଳାଙ୍କୁ ବିବାହ କରି ଘର ସଂସାର କରିଥିବା ଲୋକକୁ ମୁଁ କେବେ ବାପା ବୋଲି ମନେ କରିନି କି ବାପା ବୋଲି ସମ୍ବୋଧନ କରିବାକୁ ମଧ୍ୟ ଚାହେଁନି। ନିଜ ପିଲାର ଦାୟିତ୍ୱ ନ ନେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଘର ସଂସାର କରିଥିବା ଲୋକ ବାପାର ପରିଚୟ ପାଇଁ ହକଦାର ନୁହେଁ।” 


ତାରାପ୍ରସାଦ ବର୍ମା ସିଗାରେଟ ଗୋଟେ ଲଗାଇ ଉପରକୁ ଧୂଆଁ ଛାଡି ଭାବୁଥିଲେ, ତ୍ରିଶା ଦେବର ବାପା ବୋଲି ନିଜ ପରିଚୟ କେମିତି ଦେବେ ବନ୍ଧୁମାନଙ୍କ ଆଗରେ? 


ଏଇ ହେଉଛି ସ୍ଵାର୍ଥପର, ମତଲବି ଦୁନିଆ ଏବଂ ଏପରି ଦୁନିଆ ସହ ଲଢି ଆଗକୁ ବଢ଼ିଥିବା ଗୋଟିଏ ମାଆ ଆଉ ଝିଅଟିର କାହାଣୀ। 



Rate this content
Log in

Similar oriya story from Tragedy