STORYMIRROR

UPASANA PATTANAYAK

Abstract Inspirational Children

3  

UPASANA PATTANAYAK

Abstract Inspirational Children

ବିଶ୍ବାସ କଲେ ଭଲ, ନ କଲେ ଆହୁରି ଭଲ

ବିଶ୍ବାସ କଲେ ଭଲ, ନ କଲେ ଆହୁରି ଭଲ

2 mins
175

ମରୁଭୂମିରେ ଯାତ୍ରା ଅତ୍ୟନ୍ତ କଷ୍ଟକର ଏବଂ ପାଣି ବିନା ମରିବା ସୁନିଶ୍ଚିତ ପ୍ରାୟ। ମରୁଭୂମିର ତାତି ମଧ୍ୟ ଅସହ୍ୟ। ଲଙ୍କା ବ୍ୟବସାୟୀ ଗୋବିନ୍ଦ ଚରଣ ମରୁଭୂମିରେ ଓଟ ଯୋଗେ ଯାତ୍ରା କରୁଥିଲେ। ଗ୍ରୀଷ୍ମ ଋତୁର ପ୍ରବଳ ଗ୍ରୀଷ୍ମପ୍ରବାହରେ ମରୁଭୂମିରେ ଯାତ୍ରା କରିବା ଅତ୍ୟନ୍ତ କଷ୍ଟକର। ଗୋବିନ୍ଦ ଚରଣ ଯାତ୍ରା ସମୟରେ ନିଜକୁ ବହୁତ କ୍ଳାନ୍ତ ଅନୁଭବ କରୁଥିଲେ। କ୍ଳାନ୍ତି ସାଙ୍ଗକୁ ଭୋକ ମଧ୍ୟ ଥିଲା ଏବଂ ପାଣିର ଆବଶ୍ୟକତା।‌ ଅନେକ ସମୟ ଧରି ଯାତ୍ରା କରିବା ତ କଷ୍ଟ ସିଏ ବି ବିନା ପାଣିରେ। ମରୁଭୂମିରେ ଯାତ୍ରା କରିବା ସମୟରେ ପ୍ରାୟତଃ ପଥିକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ ଯେ ସ୍ଥାନେ ସ୍ଥାନେ ଜଳର ଛୋଟ ଛୋଟ ଉତ୍ସ ଥିବା ପରି। କିନ୍ତୁ ସେହି ସ୍ଥାନର ନିକଟସ୍ଥ ହେଲେ ଜଳର ଚିହ୍ନ ମଧ୍ୟ ନ ଥାଏ। ଏ ହେଉଛି ମରୁଭୂମିର‌ ମୃଗମରିଚିକା। କିଛି ଦୂର ଗଲା ପରେ ଗୋବିନ୍ଦ ଚରଣଙ୍କୁ ଘରଟିଏ ଦିଶିଲା। ଘରଟିଏ ଥିବାର ଆଶା ଆଣିଥିଲା ଆଉ ଦୁଇଟି ଆଶା ଯେ, ଖାଦ୍ୟ ଓ ପାନୀୟର ଏବଂ କ୍ଷଣିକ ବିଶ୍ରାମର। କ୍ଷୁଧାତୁର ପାଇଁ ଚୁଳେ ପାଣି ମଧ୍ୟ ବହୁତ। ଘରେ ପଶି ଯାଇ ସେ ଦେଖିଲେ ଯେ ଘର ଟି ସମ୍ପୁର୍ଣ୍ଣ ଜନମାନବ ଶୂନ୍ୟ। ସେଠାରେ ଟୋପାଏ ବି ପାଣି ନ ଥିଲା। ଏ କରୁଣ ଦୃଶ୍ୟ ଦେଖି ପଥିକ ଜଣଙ୍କର ଆଶା ପାଣି ଫୋଟକା ପରି ଫାଟିଯାଇଥିଲା। କିନ୍ତୁ ଯେତେବେଳେ ସେ ଦେଖିଲେ ଗୋଟିଏ ନଳକୂପ, ତାଙ୍କ ଆଶା ଆଉ ଥରେ କଅଁଳିଆ ଉଠିଥିଲା। ଏଣେ ସେ ଶୋଷରେ ଆଉଟୁପାଉଟୁ ହୋଉଥିଲେ। ପାଖକୁ ଯାଇ ସେ ସେହି ସ୍ଥାନଟିକୁ ଅନୁଧ୍ୟାନ କଲେ, ଦେଖିଲେ ଶୁଖିଲା ନନଳକୂଟିଏ, ଯେଉଁଥିରୁ ଗୋଟିଏ ପାଇପ୍ ମାଟିରେ ପଶିଛି। ଏସବୁ ଦେଖି ଆଶା ବାନ୍ଧୁଥିଲେ ପଥିକ ଜଣକ କିନ୍ତୁ ଶଂକା ମଧ୍ୟ ଥିଲା ପାଣି ନ ମିଳିବାର। ଏସବୁକୁ ପଛରେ ପକେଇ, କାଳେ ପାଣି ମିଳିବ ବୋଲି ଭାବି ତୃଷାର୍ତ୍ତ ବ୍ୟକ୍ତି ନଳକୂପ ଟିକୁ ଚଲାଇବାକୁ ଲାଗିଲେ, କିନ୍ତୁ ଟୋପାଏ ବି ପାଣି ବାହାରିଲା ନାହିଁ। ଚରମ କ୍ଳାନ୍ତି ରେ ଚେତାଶୂନ୍ୟ ହୋଇ ସେ ପଡ଼ିଗଲେ ତଳେ। ସେ ଯେଉଁଠି ପଡ଼ିଗଲେ ସେହିଠାରେ ଥିଲା ଗୋଟିଏ ବୋତଲ ଭରା ପାଣି ଏବଂ ସେଥିରେ ଲାଗିଥିଲା ଗୋଟିଏ ଚିଠି। ସେଥିରେ ଲେଖା ହୋଇଥିଲା – “ଏଇ ପାଣି କୁ ନଳକୂପର ପାଇପ୍ ରେ ଢାଳି ଚଲାଇଲେ ମାଟିତଳୁ ବହୁତ ପାଣି ବାହାରିବ। ତାକୁ ପିଇଲା ପରେ ପୁଣି ଏଇ ବୋତଲରେ ପାଣି ଭର୍ତ୍ତିକରି ତୁମେ ନିଜ ଚଲାପଥରେ ଚାଲିଯାଇପାର।”

ତୃଷାର୍ତ୍ତ ପଥିକ ଗୋବିନ୍ଦ ଚରଣ ଦ୍ବନ୍ଦରେ ପଡ଼ିଗଲେ। ବୋତଲରେ ଥିବା ପାଣି ପିଇଦେବେ ନା ପାଇପ୍ ରେ ପାଣି ଢ଼ାଳି ଭାଗ୍ୟର ପରୀକ୍ଷା କରିବେ ଚିଠିରେ ଲେଖା ହୋଇଥିବା ଅନୁସାରେ। ସେ ଦ୍ବନ୍ଦରେ ଥିଲେ ମଧ୍ୟ ପାଇପ୍ ରେ ପାଣି ପାଣି ଢାଳିବା କ୍ଷଣିକ ମାତ୍ରେ ହିଁ ପାଣି ବାହାରିଲା ପରି ଶବ୍ଦ ହେଲା ଖଳଖଳ। ଶବ୍ଦର ଶକ୍ତି ତାଙ୍କ ମନୋବଳ ଦୃଢ଼ କରିବା ସହିତ ତାଙ୍କୁ ଉତ୍ସାହିତ କରିଥିଲା ଆହୁରି ଜୋରରେ ନଳକୂପ ଚଲାଇବାକୁ। ଏତେ ସମସ୍ୟାର ସମ୍ମୁଖୀନ ହେବପରେ ସେ ପାଣିର ମୁହଁ ଦେଖି ପାରିଥିଲେ। ଏଥର ସେ ଆନନ୍ଦରେ ମନ ଭରି ପାଣି ପିଇଥିଲେ ଏବଂ ଆଉ ଆଗକୁ ଯାତ୍ରା କରିବାର ଥିବାରୁ ଯଥେଷ୍ଟ ପରିମାଣରେ ପାଣି ସେ ନିଜ ସଙ୍ଗରେ ନେଇଗଲେ ଏବଂ ଚିଠିରେ ଉଲ୍ଲେଖ ଥିବା ଅନୁସାରେ ବୋତଲରେ ପାଣି ଭର୍ତ୍ତିକରି ରଖି ଦେଇ ଯାତ୍ରାଭିମୁଖେ ମୁହେଁଇଲେ। ଯାଉଯାଉ ସେ ପୁଣି ଫେରିଆସିଲେ ଏବଂ ଭୁଲି ଯାଇଥିବା କାମଟିକୁ କଲେ। କାମଟି ଥିଲା, ସେ ବୋତଲରେ ଲେଖାଯାଇଥିବା କାଗଜ ଟି ଉପରେ ବିଶ୍ବାସ ର ଅନୁଭୂତି ଲେଖିବା। ଶେଷରେ ସେ ସେହି କାଗଜ ଖଣ୍ଡିକ ଉପରେ ଲେଖିଲେ – “ବିଶ୍ବାସ କରନ୍ତୁ, ମୁଁ ଚେଷ୍ଟା କଲି ଏବଂ ଏହା ପ୍ରକୃତରେ ଫଳପ୍ରଦ ହେଲା।”ଏହା ଥିଲା ବିଶ୍ବାସର ଏକ ଛୋଟ ଉଦାହରଣ। ଏପରି ବିଶ୍ବାସର ପ୍ରତୀକ ବର୍ତ୍ତମାନର ମଣିଷ ଜୀବନରେ ମଧ୍ୟ ଆଲୋକ ପ୍ରଦାନ କରୁଥିବା ଏବଂ ଚଲାପଥକୁ ଆଲୋକିତ କରୁଥିବା ଦୀପଟିଏ ପରି ଅତି ଦରକାରୀ। ବିଶ୍ବାସ ଜୀବନର ଏକ ମୂଖ୍ୟ ଆଧାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract