Er. Suchismita Satpathy

Abstract Tragedy Inspirational

4.7  

Er. Suchismita Satpathy

Abstract Tragedy Inspirational

ପ୍ରିୟ ଚଳଚ୍ଚିତ୍ର ଚରିତ୍ର(ଦେବଦାସ)

ପ୍ରିୟ ଚଳଚ୍ଚିତ୍ର ଚରିତ୍ର(ଦେବଦାସ)

5 mins
711


ରାମ ହଠାତ ଧଡ କରି କବାଟ ଖୋଲି ଭିତରକୁ ପଶିଆସିଲା। ଏହା ଦେଖି ସାନୁ ନିଜକୁ ସଞ୍ଜତ କରି ଚମକି ପଡିଲା। ପର ମୁହୂର୍ତ୍ତରେ ରାମକୁ ଦେଖି ଆସ୍ୱସ୍ଥ ହେବା ସହ ବିରକ୍ତି ଭାବ ପ୍ରକାଶ କରି କହିଲା, କଣ ଏମିତି ତୁ ପଶି ଆସିଲୁ ଭିତରକୁ। ତତେ କଣ ଜଣାନାହିଁ ମୁଁ ଅଛି ବୋଲି। ଏହା ଶୁଣି ଟେବୁଲ ଉପରେ ଥିବା ବୋତଲରୁ ପାଣି ପିଉ ପିଉ କହିଲା, କାଇଁ କଣ ଅସୁବିଧା ହେଲାକି ? ଶୋଷ ଲାଗିଥିଲା ତ ଜାଣିଛି ଏଇଠି ପାଣି ଥିବ, ସେଥିପାଇଁ ପଶି ଆସିଲି।


ଆଉ ତାପରେ, "ଅସରପା ଗୋଟେ ଚଢେଇ ନା ତୁ ଗୋଟେ ଝିଅ। "ଏହା ଶୁଣିସାନୁ ବିରକ୍ତ ହୋଇ ରାମକୁ ସେଠାରୁ ଯିବାକୁ କହିଲା। ତା କଥାକୁ ଭ୍ରୂକ୍ଷେପ ନକରି ସେଠାରୁ ଯିବାକୁ ବାହାରିଲା ବେଳେ ହଠାତ ରାମର ନଜର ପଡିଲା ସାନୁର ଖଟ ଉପରେ। କିଛି ମାଗାଜିନ ପଡିଛି। ସବୁଥିରେ ଦେବଦାସ ଚଳଚ୍ଚିତ୍ରର ଫଟୋ ଓ ସାହାରୁଖ ଖାନର ଫଟୋ। ଅଟକି ଯାଇ ସେଗୁଡିକୁ ଉଠେଇ ଆଣି କହିଲା, କଣ ଆଜି ପର୍ଯ୍ୟନ୍ତ ଏ ଚଳଚ୍ଚିତ୍ରକୁ ଛାଡିନାହୁଁ। ଶାହାରୁଖ ଖାନର ତ ଅନେକ ଚଳଚ୍ଚିତ୍ର ଆସିଲାଣି ତୁ ଏବେବି ସେହି ଚଳଚ୍ଚିତ୍ର ରେ ଅଟକିଛୁ । କଣ ଅଛି ସେଥିରେ। ଏହା ଶୁଣି ସାନୁ ଭାବ ବିହ୍ୱଳ ହୋଇଗଲା। କହିଲା, ତୁ ବୁଝିପାରିବୁନି ଏ ଚଳଚ୍ଚିତ୍ରର ମୋ ଉପରେ କେତେ ପ୍ରଭାବ ପଡିଛି। କୌଣସି ପ୍ରେମିକର ଏପରି ପରିଣତି ବହୁତ ଦୁଃଖକର । ଯଦି ଭଲ ପାଇବ ତେବେ ଉଭୟ ଉଭୟଙ୍କ ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱ ବାନ ହେବା ଆବଶ୍ୟକ। ଏପରି ଚଳଚ୍ଚିତ୍ର ମନକୁ ଭାରାକ୍ରାନ୍ତ କରିଦିଏ ।


ତା କଥାର ଭାବ ଓ ଗୁରୂତ୍ୱ କୁ ଦେଖି ରାମ ତାକୁ ଭୂଲେଇବାକୁ ଯାଇ କହିଲା, ତୁ ମନ ଦୁଃଖ କରନି ମୋର ସେମିତି କିଛି ହେବନି। ମୋ ପାଖରେ ତୁ ଅଛୁ ନା। ମୁଁ ଜାଣିଛି କିଛି ବି ହେଲେ ତୁ ସମ୍ଭାଳି ନେବୁ। ଏହା କହି ସାନୁର ଗାଲକୁ ଚିମୁଡି ଦେଲା। ତାହା ଦେଖି ସାନୁ ବିରକ୍ତ ହେବା ସହ କହିଲା ତୋର କଣ ହେଲେ ମୁଁ କାହିଁକି ବୁଝିବି। ମୁଁ ମୋ ବାଟ ଦେଖୁଛି, ତୁ ତୋ ବାଟ ଦେଖେ।ଏହା କହି ବାହାରକୁ ଚାଲିଗଲା। ସାନୁର ଏପରି ବ୍ୟବହାର ଦେଖି ରାମ ବିବ୍ରତ ହୋଇଗଲା ଯେ, ଦେବଦାସ ତାର ପ୍ରିୟ ଚଳଚ୍ଚିତ୍ର ହୋଇପାରେ। ଚରିତ୍ରରେ ସେ ଏତେ ଜଡିତ ହୋଇଯାଇଛି ଯେ ଆଜିକୁ ପାଞ୍ଚ ବର୍ଷ ହେବ ଭୁଲି ପାରୁନି। ତେଣୁ ସହଜରେ ସେ ତାର ଭଲ ପାଇବାକୁ ଗ୍ରହଣ କରିପାରୁନି। କେତେଥର ସାନୁକୁ ସେ ତା ମନ କଥା କହିଛି ମାତ୍ର ଠିକ କଥାଟି ବେଳକୁ ସାନୁ କିଛି ନା କିଛି ବାହାନା ଦେଖାଇ ପଳେଇଯାଏ। ତାର ଧାରଣା ଯଦି ଘରେ ରାଜି ନହେବେ ମୁଁ ଦେବଦାସ ପରି ହୋଇଯିବି। ଏଥିରୁ ତାର ମୋ ପ୍ରତି ଭଲ ପାଇବାଟା ସ୍ପଷ୍ଟ ଜଣାପଡୁଛି ମାତ୍ର ଭାବିବା ଓ କହିବା ମଝିର ଯେଉଁ ଅଶାନ୍ତ ଓ କାତହୀନ ନଈଟି ଅଛି ତାକୁ ପାର କରିବା ନିହାତି ଜରୁରୀ। ନଚେତ ପ୍ରକୃତରେ ରାମ ସମ୍ଭାଳି ହୋଇଯିବ ମାତ୍ର ସାନୁ ପାଗେଳି ହୋଇଯିବ। କାହିଁକି ନା ତା ମନର କଥା ସେ କେବେ କାହାକୁ ପ୍ରକାଶ କରେ ନାହିଁ। ଏମିତି ଭାବି ଭାବି ରାମ ତାଙ୍କ ଘରକୁ ଚାଲିଗଲା।


ପିଲାଟି ଦିନରୁ ଦୁଇଘର ଗୋଟିଏ ପରିବାର ପରି ଚଳନ୍ତି। ସୁଖ ଦୁଃଖ, ଭଲମନ୍ଦ ସବୁର ସାଥି ସେମାନେ।ପିଲାମାନେ ଛୋଟରୁ ବଡ ହେଲେଣି। ବିବାହ ଯୋଗ୍ୟ ମଧ୍ୟ। ମାତ୍ର ଦୁହେଁ ଏପରି ଚଳନ୍ତି ଯେମିତି ଦୁହେଁ ଦୁହିଁଙ୍କ ବିନା ଅଧୁରା। କିଛି କାମ ପଡିଲେ ଉଭୟ ପରିବାର ସାଥି ହୋଇ କରନ୍ତି। ପିଲାଙ୍କ ଛୁଟି ସମୟରେ ବାହାରକୁ ବୁଲିବାକୁ ମଧ୍ୟ ଯାଆନ୍ତି। ସବୁ ଠିକ ଠାକ ଚାଲିଥାଏ।

ହଠାତ ଦିନେ ସାନୁର ବାପା ଆସି କହିଲେ ଝିଅପାଇଁ ଏକ ଭଲ ପ୍ରସ୍ତାବ ଆସିଛି । ପିଲା ଇଂଜିନିୟର ଅଛି ଏକ ଭଲ କମ୍ପାନୀରେ । ଆମ ସାନୁକୁ ଭଲ ମାନିବ। ସାନୁର ମାଆ ଶୁଣି ନଶୁଣିଲା ପରି ହେଲେ। ମାତ୍ର ତା ବାପା ସେହି କଥାକୁ ବାରମ୍ବାର କହିହେଲେ ଏବଂ ସେମାନଙ୍କ ପରିବାରକୁ ଘରକୁ ଡାକିଛନ୍ତି ବୋଲି କହିଲେ । ଏକଥା ଶୁଣି ସାନୁର ମାଆ ଚୁପ ହୋଇ ରହି ପାରିଲେ ନାହିଁ।କହିଲେ ରାମ ଓ ସାନୁ ପିଲାଟି ଦିନରୁ ଏକ ସଙ୍ଗେ ଚଳି ଆସିଛନ୍ତି। ଆମେ ବାହାରେ କେଉଁଠି ବରପାତ୍ର ନଖୋଜି ସେ ଦୁହିଁଙ୍କ ବିବାହ କରିଦେଲେ କେମିତି ହୁଅନ୍ତା । ଏହା ଶୁଣି ରଥ ବାବୁ(ସାନୁର ବାପା)କହିଲେ, ତୁମେ ଯାହା ଭାବିଛ ଠିକ ମାତ୍ର କୌଣସି ଦିନ ରମାକାନ୍ତ (ରାମର ବାପା) ମତେ କି କଥା ଛଳରେ ମଧ୍ୟ ଏକଥା କହି ନାହିଁ। ତା ମନରେ କଣ ଅଛି କେମିତି ଜାଣିବା । ଆମର ଉଭୟେ ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି। ଦୁଇଜଣ ଗୋଟିଏ ଅଫିସରେ କାମ କରନ୍ତି । ତାଠୁ ଆଉ ଭଲ ଆମ ପାଇଁ ଆଉ କଣ ହୋଇପାରେ । ଆମ ଝିଅ ଆମ ପାଖରେ ରହିବ। ମୁଁ ତ ସବୁଠୁ ବେଶି ଖୁସି ହେବି।


ଏହି ସମୟରେ ରମାକାନ୍ତ ଆସି ପହଞ୍ଚିଗଲେ । କଥା ଛଳରେ ରଥ ବାବୁ କହିଲେ, ବୁଝିଲୁ ସାନୁ ପାଇଁ ଏକ ଭଲ ପ୍ରସ୍ତାବ ଆସିଛି ତୋ ପାଖରେ ସମୟ ଥିଲେ ଟିକେ ଶୁଣୁ।ଏହା ଶୁଣି ରମାକାନ୍ତ କହିଲେ, ତୋ ଝିଅର ଭବିଷ୍ୟତରେ ମୋର କଣ କାମ। କଣ କରିବାକୁ ହେବ କହ। କାମଦାମ ସବୁ ମୁଁ ବୁଝିବି । ବାକି ପିଲା ତୁ ଵାଛେ। ଏହା ଶୁଣି ସାନୁର ମାଆ କାନ୍ଦ କାନ୍ଦ ହୋଇଗଲେ। ତାଙ୍କର ଇଛା ନଥିଲା ଗୋଟେ ବୋଲି ଝିଅକୁ ବାହାରେ ବାହା କରିବାକୁ। ମାତ୍ର ରମାକାନ୍ତ ବାବୁଙ୍କ କଥା ଶୁଣି ଉଭୟେ ଚୁପ ରହିଲେ।

ସେପଟେ ରମାକାନ୍ତ ଯାଇ ତାଙ୍କ ଧର୍ମ ପତ୍ନୀଙ୍କୁ ରଥ ବାବୁ କହିଥିବା କଥା କହିଲେ । ମୋ ମନ ଦୁଃଖ କଲେ ସାନୁ ପାଇଁ ତାଙ୍କ ରାମ ବଦଳରେ ସେ ଅନ୍ୟ ଏକ ପାତ୍ରକୁ ଠିକ କରିଛନ୍ତି। ଏହା ଶୁଣି ରାମର ମାଆ ମଧ୍ୟ ମନ ଦୁଃଖ କଲେ । ପିଲାଟି ଦିନରୁ ସେ ସାନୁକୁ ବୋହୁ କରିବାର ସ୍ୱପ୍ନ ଦେଖିଥିଲେ।


ସମୟର ସ୍ରୋତ ବହି ଚାଲିଲା। ସେହି ସ୍ରୋତରେ ରାମର ଭାବନା ମଧ୍ୟ ବହିଗଲା। ଯେହେତୁ ସାନୁ ତାକୁ କିଛି କହିବାର ସୁଯୋଗ ଦେଇନାହିଁ ତେଣୁ ସେ ମଧ୍ୟ ଚୁପ ରହିଲା। ମାତ୍ର ପ୍ରଥମ ପ୍ରେମ ଭୂଲିହୁଏନା। ମନର କୋହକୁ କାହାକୁ କହି ନପାରି ମନେ ମନେ କାନ୍ଦିବାକୁ ଲାଗିଲା। ସେହି ଦୁଃଖରେ ମଝିରେ ମଝିରେ ନିଶା ମଧ୍ୟ ସେବନ କଲା। ମାତ୍ର କାହାକୁ ଜଣାଇଲା ନାହିଁ। ସାନୁ ବିବାହ ସମ୍ପନ୍ନ ହେଲା। ସେ ମଧ୍ୟ ମୁହଁ ଖୋଲି କାହାକୁ କିଛି କହିଲା ନାହିଁ। କେବଳ ଏତିକି ଆସ୍ୱସ୍ଥ ହେଲା ଯେ ରାମ ସହ ତାର ସମ୍ପର୍କ ସାଙ୍ଗପରି ଭାବ ଆଦାନ ପ୍ରଦାନରେ ସିମୀତ ଥିଲା।ତେଣୁ ତା ପ୍ରିୟ ଦୁ୍ଃଖପୂର୍ଣ୍ଣ ଚରିତ୍ରର ପୁନରାବୃତ୍ତି ହେବ ନାହିଁ। ମାତ୍ର ଏପଟେ ବିବାହ ଦିନଠାରୁ ପନ୍ଦରଦିନ ପର୍ଯ୍ୟନ୍ତ ରାମ ଛୁଟି ନେଇ ଏକ ହୋଟେଲରେ ଥାଏ। ଏବଂ ଦୈନିକ ସାନୁକୁ ମନେ ପକେଇ ମାଦକ ଦ୍ରବ୍ୟ ଓ ନିଶାଗ୍ରସ୍ତ ହୁଏ। ସାନୁ ବିବାହ ପରଠାରୁ ରାମକୁ ନ ଦେଖିବାରୁ ପଚାରିଲା ତା ବିଷୟରେ ତାର ବାପା ମାଆଙ୍କୁ। ସେମାନେ ମଧ୍ୟ ଉତ୍ତର ଦେଇନପାରି ବିବ୍ରତ ହେଲେ । ତାଙ୍କ ବ୍ୟସ୍ତତା ଦେଖି ରଥ ବାବୁ ମଧ୍ୟ ବ୍ୟସ୍ତ ହୋଇ ପଚାରିଲେ । ଏଥରକ କିନ୍ତୁ ରାମର ମାଆ ଚୁପ ନରହି କାନ୍ଦି କାନ୍ଦି ସବୁ କହି ପକାଇଲେ। ତାଙ୍କ ଠାରୁ ସବୁ କଥା ଶୁଣି ସାନୁର ମାଆ କାନ୍ଦି କାନ୍ଦି ବେହୋସ ପ୍ରାୟ। ଏସବୁ ମଧ୍ୟରେ ସାନୁ ମୁଣ୍ଡରେ ବଜ୍ରାଘାତ ହେଲାପରି ଲାଗିଲା।


ତାର ଚରିତ୍ର ପୁଣି ଥରେ ତା ସାମନାରେ ଆସି ପହଞ୍ଚି ଯାଇଥିଲା ସେତେବେଳକୁ। କିଛି ବୁଝି ନପାରି ରାମର ସବୁ ସାଙ୍ଗ ମାନଙ୍କୁ ଫୋନ ଲଗେଇବା ଆରମ୍ଭ କଲା। ଶେଷରେ ଅଫିସରୁ ଜଣାଗଲା ସେ ଏକ ହୋଟେଲରେ ଅଛି। ଠିକଣା ନେଇ ସମସ୍ତେ ସେଠାରେ ପହଞ୍ଚିଲେ। ସେଠାରେ ଦେଖନ୍ତିତ ରାମ ବେହୋସ ଅବସ୍ଥାରେ ପଡିଛି ଏବଂ ସାନୁର ନାଁ ଧରି ଚାଲିଛି। ଏହା ଦେଖି ସାନୁ ବେହୋସ ହୋଇ ସେଠାରେ ପଡିଗଲା। ଉଭୟ ପରିବାର ମନସ୍ତାପରେ ରହିଲେ। ସାମାନ୍ୟ କଥୋପକଥନରେ ଅବହେଳା ପାଇଁ ଯେ ଦୁଇ ପିଲାଙ୍କ ଜୀବନ ନଷ୍ଟ ହୋଇଗଲା ସେତେବେଳେ ସେମାନେ ଅନୁମାନ କଲେ।ମାତ୍ର ସେତେବେଳକୁ ଆଉ କିଛି ନାହିଁ। ଦୁଇ ଜଣଙ୍କୁ ନେଇ ଡାକ୍ତର ଖାନାରେ ଭର୍ତ୍ତି କଲେ । ସାନୁର ଚେତା ତିନିଦିନ ପରେ ଫେରିଲା ମାତ୍ର ରାମ ଆଉ ଫେରିଲା ନାହିଁ। ସାନୁ ଉଠିପଡି ରାମକୁ ଖୋଜେ ତ ଦେଖିଲା ତାର ଫଟୋଟି କାନ୍ଥରେ ଲାଗିଛି ଓ ସେଥିରେ ଫୁଲ ମାଳ। ସେହି ମୁହୂର୍ତ୍ତରେ ତାର ପ୍ରିୟ ଓ ଦୁଃଖ ପୂର୍ଣ୍ଣ ଚଳଚ୍ଚିତ୍ର ଚରିତ୍ର ଦେବଦାସର ଅନ୍ତ ମନେ ପଡିଲା, ଯାହା ସେ କେବେ ଚାହିଁ ନଥିଲା ନିଜ ଜୀବନରେ । ତାହାହିଁ ଘଟିବା ଦେଖି ସବୁଦିନ ପାଇଁ ସ୍ଥିର ହୋଇଗଲା।


ଆଜିବି ସାନୁ ବଞ୍ଚିଛି ମାତ୍ର ସର୍ବଦା ଚାହିଁ ରହିଛି କାନ୍ଥରେ ଥିବା ରାମର ଫଟୋକୁ। ଦୁଇ ବାପାମାଆ ସଦା ସର୍ବଦା ଚେଷ୍ଟାରତ ତାକୁ ବର୍ତ୍ତମାନ କୁ ଫେରାଇଆଣିବାକୁ ମାତ୍ର "ବିଧିର ବିଧାନ କେ କରିବ ଆନ।"


Rate this content
Log in

Similar oriya story from Abstract