ଶେଷରେ
ଶେଷରେ
ପ୍ରିୟର ପ୍ରିୟା,
ମୋର ସ୍ନେହ ନେବ।
ଆଜି ଦୀର୍ଘ ଦିନପରେ କାଗଜଟିଏ ଧରିଛି ଲେଖିବି ବୋଲି।ମାତ୍ର କଣ ଲେଖିବି ବୁଝିପାରୁନି।
ଅନେକ ଦିନର ବ୍ୟଥା ଓ ଗାଥା , ତାହା କଣ ସମ୍ଭବ ବର୍ଣ୍ଣନା କରିବା ନା ବ୍ୟକ୍ତ କରିବା। ତଥାପି ମନକୁ ଦୃଢ କରି ଆଜି ବସିଛି କିଛି ତ ଲେଖିବି। ବୋଧହୁଏ ମୋର ଲେଖାଦ୍ୱାରା ମୁଁ ମନ ଭିତରେ ଚାପି ରଖିଥିବା ଦୀର୍ଘ ଦିନର ଅକୁହା କଥା ଗୁଡିକୁ ତୁମ ପାଖରେ ପରିପ୍ରକାଶ କରିପାରିବି। ବୋଧହୁଏ ତୁମେ ଏହାକୁ ପଢି ମୋ ଭୁଲକୁ କ୍ଷମା ଦେବ ।
ଏମିତି କଥା ଯାହା ସେତେବେଳେ ମୁଁ ପାଖରେ ଥାଇ ମଧ୍ୟ କହିପାରିନଥିଲି।ଇଛା ଥାଇ ମଧ୍ୟ ମୋର ଭାବନାକୁ ବ୍ୟକ୍ତ କରିପାରିନଥିଲି।କିଛିଟା ଏମିତି କଥା ଯାହା ମୁଁ ଭାବିଥିଲି ମାତ୍ର ପରିବେଶ ଓ ପାରିପାର୍ଶ୍ବିକ ପରିସ୍ଥିତି ସେତେବେଳେ ମତେ ବାଧ୍ୟ କରିଥିଲା ଚୁପ ରହିବାକୁ। ଭାବୁଛି ଏବେ କହିଦେବାଟା ଠିକ ହେବ।ତୁମେ ଏବେ ଭାବିବ ଏତେ ଦିନ ପରେ ପୁଣି କାହିଁକି ସେ ପୁରୁଣା କଥାର ପୁନରାବୃତ୍ତି ମୁଁ କରୁଛି।ତୁମେ ସର୍ବଦା କୁହ।
"ଗତସ୍ୟ ଶୋଚନା ନାସ୍ତି"
ଯାହା ଯାଇଛି ସେ ବାବଦରେ ଭାବି , ଚିନ୍ତାକରି କିଛି ଲାଭ ନାହିଁ।ନା ସେ ପୁରୁଣା ଦିନ ଫେରିବ ନା ଘଟଣା ବା ଅଘଟଣା ବଦଳିବ।ବର୍ତ୍ତମାନରେ ବଞ୍ଚିବାକୁ ତୁମେ ସବୁବେଳେ କୁହ।ମୁଁ ମଧ୍ୟ ତାହାହିଁ ଜାଣେ।
ମଣିଷ ଜୀବନ ଦୁଇଦିନିଆ, ଆଜି ଅଛି କାଲିକି ନାହିଁ। ସେଥିରେ ଏତେ ଗର୍ବ , ଅହଂକାର, ଲାଭ , କ୍ଷତି , ମାନ, ଅଭିମାନ କରି କଣ ମିଳିବ। ମାତ୍ର ଏସବୁ କହିବା ବହୁତ ସହଜ ମାତ୍ର ପ୍ରକୃତପକ୍ଷେ କାର୍ଯ୍ୟରେ ପରିଣତ କରିବା ଅନେକ କଷ୍ଟସାଧ୍ୟ।
ଯେତେହେଲେ ବି ଆମେ ମଣିଷ। ଭଗବାନ ମଣିଷକୁ ସେମିତି ହିଁ ଗଢିଛନ୍ତି। ସେଥିରେ ପୁଣି ଏହା କଳିଯୁଗ। ବିପରୀତ ତ ନିଶ୍ଚିତ। ଭାବ ଅଛି ଓ ଅଭାବ ବି। କିଏ ଧନରେ ଅଭାବି ତ କିଏ ମନରେ।
କଥାରେ ଅଛି ପରା
"ଅଭାବ ନାହିଁତ ଭାବ କେଉଁଠୁ ଆସିବ।"
ପ୍ରତ୍ୟକ ମଣିଷର ଅଭାବ ଅଛି ନହେଲେ ସେ ଭଗବାନଙ୍କ ପାଖକୁ କାହିଁକି ଯିବ। ଯଦି ମନୁଷ୍ୟ ଯାହା ଚାହେଁ ତା ପାଇଯିବ ତେବେ ଆବଶ୍ୟକତା ବୋଲି କିଛି ରହିବ ନାହିଁ।ଯଦି ଆବଶ୍ୟକତା ରହିବ ନାହିଁ ତେବେ ମଣିଷ ମଣିଷ ତ ଦୂରର କଥା ଭଗବାନଙ୍କୁ ବି ଚିନ୍ହିବ ନାହିଁ କି ତା ମନରେ ମୃତ୍ୟୁର ଡର ଆସିବ ନାହିଁ।
ମୁଁ ମଧ୍ୟ ସେହିପରି ଡେଣା ଝାଡି ଆକାଶରେ ଉଡିବୁଲୁଥଗଲି ଦିଗହୀନ ହୋଇ।ଆଜି ବି ମନେ ପଡେ ତୁମସହ ମୋର ପ୍ରଥମ ସାକ୍ଷାତ କଲେଜର ସେହି କଦମ୍ବଗଛ ମୂଳେ "ଫ୍ରେସର୍ସ ଡେ " ଦିନ। ତୁମର ସେ ଟଣାଟଣା ଆଖିଦୁଇଟି ପ୍ରଥମ ଦେଖାରେ ମୋ ମନକୁ କିଣି ନେଇଥିଲା। ମୁଁ ତୁମର ଦୁଇବର୍ଷ ସିନିୟର ଥିଲି।ମତେ ଦେଖି ତୁମେ ପୁରା ଡରି ଯାଇଥିଲ।ମତେ ତିନିମାସ ଲାଗିଗଲା ତୁମ ସହ ସିଧାଯାଇ କଥା ହେବା ପାଇଁ।ମାତ୍ର ଦେଖାହେବା ଦିନଠାରୁ ମୁଁ ସଦାବେଳେ ତୁମ ପଛରେ ଥାଏ।କେତେବେଳେ ଆସୁଥିଲ ଓ ଯାଉଥିଲ ସବୁ ମୋ ନଜରରେ ଥାଏ।ତୁମେ ରାସ୍ତାରେ ଗଲାବେଳେ ମୁଁଆମ ହଷ୍ଟେଲ ଛାତରୁ ତୁମକୁ ଦେଖୁଥାଏ।ଏକା ଲୟରେ ତୁମେ ଚାଲୁଥାଅ ,ଯେମିତି ତୁମକୁ ତୁମ ଗନ୍ତବ୍ୟସ୍ଥଳ ପୁରାପୁରି ଜଣା ଥିଲା। ତାହାହିଁ ତୁମ ପ୍ରତି ମୋର ଆକର୍ଷଣର କେନ୍ଦବିନ୍ଦୁ ପାଲଟିଥିଲା।
ଏମିତି କୌଣସି ଦିନ ନଥିଲା ତୁମର କଲେଜକୁ ଚାଲିଚାଲି ଯିବାଆସିବାର ନିରବ ସାଥି ମୁଁ ହୋଇନଥିଲି।ଆଜିବି ସେ ମୁହୂର୍ତ୍ତ ମନେ ପଡିଗଲେ ଶରୀରରେ ଏକ ଅଦ୍ଭୁତ ଶୀହରଣ ସୃଷ୍ଟିହେଉଛି। ଆଉ ସେଦିନ କଥା କୁହନି ଯେବେ ତୁମ ସହ ପ୍ରଥମ କଥା ହୋଇଥିଲି। ମତେ ଲାଗୁଥିଲା ଯେମିତି ମୋ ଗୋଡଦୁଇଟି ଜମାଟ ବାନ୍ଧିଯାଇଛି। ତୁମର ସେ ଡର ଓ ମୁଁ ତୁମକୁ ଭଲପାଏ କହିଲା ପରେ ଯେଉଁ ଖୁସି ଉଭୟ ଦେଖିବାକୁ ପାଇଥିଲି ସେଦିନ।ସେଦିନର ପ୍ରଥମ ଫଟୋ ଆଜିବି ମୋ ଡାଏରୀରେ ସାଇତା ହେଇ ରହିଛି।ଏବେ ମୁଁ ତୁମକୁ ପତ୍ର ଲେଖୁଛି ମାତ୍ର ମତେ ଲାଗୁଛି ତୁମେ ମୋ ସମ୍ମୁଖରେ ଅଛ ଓ ମୋ ମନର ଅକୁହା କଥା ଗୁଡିକୁ ମୁଁ ବର୍ଣ୍ଣନା କରିଚାଲିଛି ତୁମ ଆଗରେ।
ମୁଁ ଯେତେ ଯେତେ ଲେଖୁଛି ସେତିକି ମୋ ମନ ହାଲୁକା ଲାଗୁଛି । କିଛି ବୋଝ ଶବ୍ଦ ରୂପେ ମୋ ଲେଖା ମାଧ୍ୟମରେ ଓ କିଛି ପଶ୍ଚାତାପର ଲୁହ ମାଧ୍ୟମରେ ବାହାରି ଯାଉଛି। ଏବେ ଅନୁଭବ କରୁଛି କାହିଁକି ମୁଁ ଏ ପରିସ୍ଥିତି ଆସିବା ପର୍ଯ୍ୟନ୍ତ ସମୟ ନେଲି। କାହିଁକିମୁଁ ଆଗରୁ ଏସବୁ ନ କଲି।
ହେଇ ଦେଖ, ମୁଁ ପୁଣି ଅତୀତକୁ ଧରିଲିଣି। ଏଥିରୁ ବୁଝ ମୁଁ ହିଁ ସେମିତି । ଯେତେ ଚେଷ୍ଟାକଲେବି ମୁଁ ବର୍ତ୍ତମାନକୁ ଆସିପାରୁନି।
ହଁ ଆସିବି ସେହିଦିନ ଯେଉଁଦିନ ତମେ ମତେ କ୍ଷମା ଦେବ ହୃଦୟରୁ। ଅବଶ୍ୟ ଏହା ସତ ଯେ , ଭାଙ୍ଗି ଯାଇଥିବା ମାଠିଆ ଆଉ ଯୋଡି ହେବନି କି ପୋଡା ତିଅଣର ଆଉ ସୁଆଦ ଫେରି ଆସିବନି।ତଥାପି ମୋ ଭୂଲକୁ କ୍ଷମା ଦେଇ ଯଦି ଆମେ ଏକ ନୂଆ ମାଠିଆ ଗଢି ପାରିବା ତେବେ ଏହା ସମ୍ଭବ ହୋଇପାରିବ। ସମସ୍ତ ପ୍ରେମ, ଭଲପାଇବା,ସ୍ନେହ, ଆଦର , ସମ୍ମାନକୁ ଏକାଠି କରି ଜୀବନର ଏକ ନୂଆ ଅନୁଭୂତି ସ୍ୱରୂପ ତିଅଣ ପ୍ରସ୍ତୁତ କରିପାରିବା ବୋଲି ମୋର ଆଶା।
ଅନେକ ଘାତ ପ୍ରତିଘାତ ସହି ଜାତି ଧର୍ମକୁ ନମାନି ନିଜ ନିଜ ପରିବାର ସହ ଲଢେଇକରି ଆମେ ଶେଷରେ ଏକାଠି ହୋଇଥିଲେ। କେତେଯେ ଘାତ ପ୍ରତିଘାତ ଭିତରେ ଆମେ ଦୁହେଁଗତିକରି ଶେଷରେ ଆମ ଭଲପାଇବାର ପୂର୍ଣ୍ଣ ସ୍ୱକୃତି ପାଇଥିଲେ ତାହା ଏବେବି ଜଳଜଳ ହୋଇ ମୋ ଆଖିଆଗରେ ନାଚି ଯାଉଛି।
ସବୁଠାରୁ ସଂଘର୍ଷ ତୁମକୁ କରିବାକୁ ପଡିଥିଲା। କେତେ ରାତି ତୁମେ ନ ଶୋଇ ମୋ ସହ ଫୋନରେ କଥା ହେଇ କାନ୍ଦିଛ ତାହା ଏକ ଅଭୂଲା ସ୍ମୃତି ମୋ ପାଇଁ।
ମୋର ସବୁଠୁ ବଡ ଦୁଃଖ ମୋ ଆତ୍ମବଡିମା ଓ ପରିବାର ପାଇଁ ମୁଁ ତୁମକୁ ଛାଡି ଚାଲିଆସିଲି। ସେ ମୁହୂର୍ତ୍ତ ଆଜି ମନେ ପଡିଗଲେ ନିଜ ପ୍ରତି ଏକ ଅସହ୍ୟ ଘୃଣାଭାବ ଆସିଯାଉଛି। ଯେଉଁଦିନ ତୁମ ପାଖରୁ ଚାଲି ଆସିଲି ସେଦିନ ମୁଁ ଘରକୁ ଫେରିନଥିଲି। ରେଳ ଷ୍ଟେସନରେ ମୋ ସମୟ କଟିଥିଲା। ତା ପରଦିନ ଘରକୁ ଗଲି। ଘର ଲୋକଙ୍କ ତୁମପ୍ରତି କୁତ୍ସାରଟନା ଓ ଗାଳି ଶୁଣି ଶୁଣି ମୁଁ ମଧ୍ୟ ତାଙ୍କ ପ୍ରଭାବରେ ପ୍ରଭାବିତ ହୋଇଗଲି। ଆଜିକୁ ଛ ମାସ ହେବ ମୁଁ ଯେମିତି ମୋ ଭିତରେ ନଥିଲି।
ଆଜି ହଠାତ ମୋର ପୁରୁଣା ଫାଇଲ ଖୋଜୁ ଖୋଜୁ ମୁଁ ତୁମକୁ ଦେଇଥିବା ସେ ଚିଠିଟି ପାଇଲି। ହଷ ଲାଗିଲା ଦେଖି ।
ପାଖରେ ଥାଇ ଚିଠି। ଏ କିପରି ସମ୍ଭବ ହୋଇଥିଲା !କେତେ ରାଗ ମୋର। ଗୋଟିଏ ଘରେ ଦୁଇଟି ରୁମରେ ଥାଇ ଚିଠିର ଆଦାନ ପ୍ରଦାନ।ଅଦ୍ଭୁତ ଆମର ଏ ପ୍ରେମ। ମନେ ପଡିଲା ସେହିଦିନ କଥା, ଯେଉଁଦିନ ତମେ କୌଣସି ଏକ ଜରୁରୀ କାର୍ଯ୍ୟନେଇ ଘରକୁ ବାହାରିଥାଅ ଓ ମତେବି ସାଙ୍ଗରେ ଯିବା ପାଇଁ କହୁଥାଅ। ମାତ୍ର ମୋର ଏକା ଯିଦ୍ ଯେ ମୁଁ ଯିବିନି।କାରଣ ସେତେବେଳେ ଏକ ମିଥ୍ୟା ଅହମିକା ଓ ଜାତି ଧର୍ମର ଏକ ମିଥ୍ୟା ଆବରଣ ମତେ ଘାରିରହିଥିଲା।ତେଣୁ ମତେ ତା ଆଗରେ କିଛି ଦୃଶ୍ୟମାନ ହେଉନଥିଲା।ନିଜକୁ ବହୁତ ବଡ ଭାବୁଥିଲି ମୁଁ।ତୁମର ଉପସ୍ଥିତି କୁ ମୁଁ ସଦାସର୍ବଦା ଗ୍ରହଣୀୟ ଭାବେ ନେଇ ଥିଲି। ତେଣୁ ମୋର ରାଜତ୍ୱ ତୁମ ଉପରେ ବିସ୍ତାର କରି ଚାଲିଥିଲି। ସେଦିନ ଲେଖିଥିଲି ଚିଠି।
"ମୋ ପ୍ରିୟର ପ୍ରିୟା,
ମତେ ଭୂଲ ବୁଝିବନି। ମୁଁ ସଦାସର୍ବଦା ତୁମର ଭଲ ଚାହେଁ। ମୁଁ ଯାହା କରୁଛି ତୁମ ଭଲ ପାଇଁ।ତୁମ କର୍ତ୍ତବ୍ୟ ହେଲା ମୋ କଥା ମାନିବା। ମାତ୍ର ତୁମେ ତୁମ ଇଛାରେ କାର୍ଯ୍ୟକରୁଛ।ଯାହା ଆମ ଭବିଷ୍ୟତ ପାଇଁ ଠିକ ନୁହେଁ।ଏହାପରେ ଯାହା ତୁମର ଇଛା ତାହା କର।
ଇତି ତୁମର (ଯାହା ଇଛା.
ତାହା ଲେଖିପାର)
ପ୍ରକୃତରେ ତାହା ଚିଠି ନଥିଲା , ତାହା ଥିଲା ମୋର ଅହଂ ଭାବ , ଯାହାକୁ ମୁଁ ତୁମ ଉପରେ ଲଦି ଦେଉଥିଲି। ମାତ୍ର ଆଜି ମୁଁ ତାହା ବୁଝିପାରୁଛି। ସଂସାର ଭିତରେ ଘର କରିବାକୁ ହେଲେ ଉଭୟଙ୍କର ମତାମତର ଆବଶ୍ୟକତା ରହିଛି। ପରସ୍ପରର ମନୋଭାବକୁ ବୁଝିବା ନିତ୍ୟାନ୍ତ ଆବଶ୍ୟକ। ତୁମକୁ ଦୁଃଖୀ କରି ମୁଁ ସୁଖର ସଂସାର କରି ପାରିବି ନାହିଁ। ଏକାଏକା ଏହା ସମ୍ଭବ ନୁହେଁ। ତୁମ ମନରେ ଆଘାତ ଦେଇ ମୁଁ ଆଜି ପଶ୍ଚାତାପ କରୁଛି।
ତୁମକୁ ଜନ୍ମ ଦେଇଥିବା ବାପାମାଆଙ୍କ ର ତୁମ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି। ସେମାନେ ଯେତେବେଳେ ଜାତିଧର୍ମ କୁ ଭୂଲି ମତେ ଆପଣେଇ ପାରିଲେ ଆମେ ତାଙ୍କ ସନ୍ତାନ ହୋଇ କିପରି ତାଙ୍କୁ ସନ୍ତାନ ସୁଖରେ ଦୂରେଇ ଦେଇ ପାରିବି। ଏହା ଘୋର ଅପରାଧ।
ଆଜି ମୁଁ ବାପା ହେବାକୁ ଯାଉଛି ଶୁଣି ମୋର ହୃଦୟବିଦାରକ ଥରି ଉଠିଲା ମୁଁ କରିଥିବା ଭୂଲ ପାଇଁ। ତୁମକୁ ଛାଡି ଆସିଲା ବେଳର ମୁହୂର୍ତ୍ତ ମୋର ଏବେବି ମନେ ପଡୁଛି।
ଏବେବି ମନେ ପଡୁଛି ତୁମର ସେହି ଭୟ ମିଶା ମୁହଁ।ପ୍ରଥମ ପ୍ରେମ ବ୍ୟକ୍ତ ସମୟରେ ଯାହା ବିବାହର ପାଞ୍ଚ ମାସ ପରେ ମଧ୍ୟ ତାହା ଥିଲା।
ଆଜି ମୁଁ ବୁଝି ପାରୁଛି ଏଇ ଫଟୋକୁ ଦେଖି, ତାହା ତୁମର ଭୟ ନଥିଲା , ତାହା ଥିଲା ତୁମର ମୋ ପ୍ରତି ଅଗଭୀର ବିଶ୍ୱାସ ଓ ସେହି ବିଶ୍ୱାସକୁ ତୁମେ ରକ୍ଷା କରିପାରିବ କି ନାହିଁ ତାର ଦୋଦୁଲ୍ୟମାନ ଅବସ୍ଥା। ଯାହା ଆଜି ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି।
ଏଇ କିଛି ମାସର ଦୂରତ୍ୱ ମତେ ହୃଦୟଙ୍ଗମ କରେଇଛି ଯେ ତୁମ ବିନା ମୁଁ କିଛି ନୁହେଁ। ଜୀବନ ଅଛି ମାତ୍ର ଆତ୍ମା ନାହିଁ।ଖାଦ୍ୟ ଅଛି ମାତ୍ର ଭୋକ ନାହିଁ। ଶେଜ ଅଛି ମାତ୍ର ନିଦ୍ରା ନାହିଁ। ଖାଲି ଖାଲିରେ ଚାଲିଛି ଏ ଜୀବନ ଦିଗହୀନ ହୋଇ।
ପ୍ରକୃତ ଦିଗହୀନ ତ ମୁଁ ଏବେ ହେଲି। ଆଗରୁ ତ ପରକଟା ଚଢେଇ ପରି ଘୁରିବୁଲୁଥିଲି । ତୁମେ ଥିଲ ମୋର ନୀଡ। ସେହି ନୀଡ ଛାଡିଲା ଦିନଠୁ ମୋର ଏ ଅବସ୍ଥା।
ଏଇ କିଛି ମାସର ଦୂରତା ମତେ ବୁଝେଇଛି ତୁମର ଆବଶ୍ୟକତାକୁ ମୋ ଜୀବନରେ। ଆଜି ତୁମେ ମାତୃତ୍ୱ ଲାଭ କରିବାକୁ ଯାଉଛ।ମୁଁ ପିତା ହେବାକୁ ଯାଉଛି।ଏହା ଆମ ଉଭୟଙ୍କ ପାଇଁ ଏକ ପରୀକ୍ଷା ସଦୃଶ।ଗୋଟିଏ ଜୀବନରୁ ଆଉ ଏକ ଜୀବନକୁ ପ୍ରବେଶ କରିବାକୁ ଯାଉଛେ ଉଭୟ।
ଦୁହେଁ ଦୁହିଁଙ୍କର ଆବଶ୍ୟକତା କୁ ବୁଝିବା ଦରକାର ଥିଲା। ମାତ୍ର ମୁଁ କିଛି ନବୁଝି ଏପରି କରିବା ମୁର୍ଖାମୀର ପରିଚୟ। ମୁଁ ଯଦି ଏପରି ହେବି ତେବେ ଆମ ଆଗାମୀ ପିଢିକୁ କି ଉତ୍ତର ଦେବି। ତୁମେ ଅତି ଖୁସିରେ ଯାଅ ତୁମ ପିତାମାତା ଙ୍କ ଆଶିର୍ବାଦ ନିଅ। ଯେତେବେଳେ ପହଞ୍ଚିବ ମତେ ଜଣେଇବା ମୁଁ ପହଞ୍ଚି ଯିବି। ମତେ ବି ଭୂଲ ମାଗିବା ଅଛି। କ୍ଷମା ଦେବା ସେମାନଙ୍କ ଇଛା। ତାଙ୍କର ଯାହା ନିଷ୍ପତ୍ତି ହେବ ମୁଁ ତାକୁସାଦରେ ଗ୍ରହଣ କରିବି।
ଲେଖୁଲେଖୁ ଅନେକ କିଛି ଲେଖିଦେଲି ଦାର୍ଶନିକ ପରି। ମାତ୍ର ମୋର ପ୍ରତିଟି ଶବ୍ଦରେ ଭରି ରହିଛି ମୋର ବେଦନା ଓ ପଶ୍ଚାତାପ।
ମୋ ଭୂଲ ପାଇଁ ମତେ କ୍ଷମା କରିଦିଅ ମୋର ପ୍ରିୟର ପ୍ରିୟତମା। ତୁମ ବିନା ମୁଁ କିଛି ନୁହେଁ।
ଯଦି ଭାବିବ ତୁମ ଜୀବନରେ ମୋର କିଛି ଆବଶ୍ୟକତାରହିଛି ଏବଂ ମୋ ଭୂଲକୁ ସୁଧାରିବାର କ୍ଷମତା ମୋ ପାଖରେ ଓ ମତେ କ୍ଷମା କରିବାର ଅଧିକାର ତୁମ ପାଖରେ ରହିଛି।
ଶେଷରେ.....................
ତୁମ ଉତ୍ତର ଅପେକ୍ଷାରେ...................
ଇତି ତୁମର ହତଭାଗା
ସ୍ୱାମୀ ବିକାଶ ।