Er. Suchismita Satpathy

Abstract Inspirational

4.0  

Er. Suchismita Satpathy

Abstract Inspirational

କଟୁପୋକ

କଟୁପୋକ

5 mins
262


 ଶିବୁ।ମୋ ବାପା ମାଆଙ୍କର ଜ୍ୟେଷ୍ଠ ପୁତ୍ର।ଯେଉଁ ସମୟରେ ମୁଁ ଖେଳକୁଦ କରିବା କଥା , ମନ ମଧ୍ୟରେ ଉଠୁଥିବା ଆଶା ରୁପକ ଗୁଡିକୁ ଦୂର ଆକାଶରେ ଉଡେଇବା ପାଇଁ ସୂତା ଯୋଗେଇବା କଥା ସେହି ସମୟରେ ମୋ ଉପରେ ଲଦି ହୋଇଗଲା ପରିବାରର ଦାୟିତ୍ୱ।

ସଂସାରର ମାନେ ବୁଝିବା ପୂର୍ବରୁ ହୋଇଗଲି ମୁଁ ସାଂସାରିକ।ସଂସାରର ସ ଅକ୍ଷର ନଜାଣି ଆବୋରି ବସିଲି ସଂସାର ରୁପକ ଅଗଭୀର ନଦୀକୁ।ଜାଣିନଥିଲି ଯେତେବେଳେ ମହାପ୍ରଳୟଙ୍କାରୀ ବନ୍ୟା ଆସିବ ସବୁ ଧୋଇଯିବ ବୋଲି।ଆଜି ମୁଁ ସେହି ସ୍ଥାନରେ ଯେଉଁ ସ୍ଥାନରେ ଦିନା ଅଜାଙ୍କ କହିବା ଅନୁଯାୟୀ କଟୁପୋକ ପରି ମୋ ଜୀବନଟା ହୋଇଗଲା।

ଭାବୁଥିଲି ପୁରା ସଂସାର ଟି ମୋର ଓ ତାର ସବୁ ଭଲ ମନ୍ଦ, ସୁବିଧା ଅସୁବିଧା, ହାନି ଲାଭ ସବୁ ମୋର।ମୁଁ ଯେମିତି ଚାହିଁବି ସେମିତି ମୋ ସଂସାର କୁ ସଜେଇବି।ସାନ ଭାଇ ଓ ଭଉଣୀ ମାନଙ୍କୁ ନିଜର ଛୁଆବୋଲି ଭାବି ଅଗଭୀର ନଈରେ କାତ ନପାଇଲେ ବି ନାଉରୀ ସାଜି ଆଗକୁ ବଢି ଚାଲିଲି। ନିଜକୁ ଭୂଲି ନିଜର ଭବିଷ୍ୟତ କୁ ଭୂଲି ପରିବାର ପାଇଁ ସବୁ ତ୍ୟାଗ କରି ଚାଲିଲି।

ସେହି ତ୍ୟାଗ ଭିତରେ ସରିତା କୁ ବି ଛାଡିଲି।

ପିଲାଟି ଦିନରୁ ଯାହାକୁ ଦିନେ ନଦେଖିଲେ ମୋର ଦିନ ଶେଷ ହୁଏ ନାହିଁ ଶେଷରେ ତା ବିନା ବଞ୍ଚିବା ଶିଖିଗଲି। ସରିତାକୁ ନିଜ ଜୀବନ ସାଥି କରିବି ବୋଲି ଆଉ ଏକ ପ୍ରତିଜ୍ଞା କରିଥିଲି ନିଜ ସହ।

ପିଲାବେଳର ସେହି ବାଲିଘର ଖେଳ,ବୋହୁଚୋରୀ ଖେଳ ସହ ତାଳ ଦେଇ ଆମ ଦୁହିଁଙ୍କ ଜୀବନ ବଢିଚାଲିଥିଲା ଏକ ହୃଷ୍ଟପୃଷ୍ଟ ଗଛ ପରି।ସନ୍ଧ୍ୟା ସମୟରେ ଖେଳି ସାରି ଘରକୁ ଫେରିଲା ବେଳେ ମୋ ଶରୀରରୁ ଧୂଳି ଝାଡିଲା ବେଳେ ସେ କହେ ଏବେଠାରୁ ଏମିତି ଧୂଳି ଧୂସର ହେଇ ଘରକୁ ଯାଉଛୁ ମାତ୍ର ଆମ ବାହାଘର ପରେ ଏମିତି ହେବୁନି , ନହେଲେ ତତେ ଘରେ ପୁରେଇବିନି।ତା କଥା କିଛି ମାତ୍ରାରେ ସତ ହୋଇଗଲା। ସଂସାର ଜଂଜାଳ ଭିତରେ ଏମିତି ପେଶି ହୋଇଗଲି ଯେ ଧୂଳି ଖେଳ ଭୂଲିଗଲି ।

ଶେଷରେ ଅନୁଭବ କଲି ଏ ସଂସାର ଭିତରକୁ ଯଦି ସରିତାକୁ ମୁଁ ଟାଣି ଆଣିବି ତା ଜୀବନଟା ବି ଏ ମାଟିଘରେ ଗୋବର ଲିପିବା ଓ ଘର ସମ୍ଭାଳିବାରେ ବିତି ଯିବ। ନିଜ ଜୀବନ ବଞ୍ଚିବା ସେ ଭୂଲିଯିବ।ତେଣୁ ସେଦିନ ନିର୍ଣ୍ଣୟ କଲି ସରିତାକୁ ମୋ ଦୁନିଆ ଛାଡି ଆଉ କାହାର ହାତ ଧରିବାକୁ ହେବ।

ସେଦିନ ହୃଦୟଟା ଭାଙ୍ଗି ଚୁରମାର ହୋଇଯାଇଥିଲା ଉଭୟଙ୍କର।ସରିତାକୁ ସମ୍ଭାଳିବା ମୋ ହାତରେ ନଥିଲା।ମାତ୍ର ସରିତା ସେଦିନ ମୋ ଦ୍ୱନ୍ଦ କୁ ଦୂର କରି ମତେ ମୁକ୍ତ କରିଦେଇଥିଲା।ସେଦିନ ମତେ ଟିକେ ଅଡୁଆ ଲାଗିଥିଲା।

ଗୋଟିଏ ପଦରେ ଆମ ଦୁହିଁଙ୍କ ସମସ୍ୟା ର ସମାଧାନ ହୋଇଯାଇଥିଲା।ତାର ଶେଷ ଶବ୍ଦ ଥିଲା, ତୋର ମୋର ସମ୍ପର୍କ ବିବାହ ବନ୍ଧନରେ ଆବଦ୍ଧ ନହେଲେ ମଧ୍ୟ ଏକ ଅଦୃଶ୍ୟ ଶକ୍ତିରେ ବନ୍ଧା।ତୁ ତୋର କର୍ତ୍ତବ୍ୟ କର ମୁଁ ମୋ କର୍ତ୍ତବ୍ୟ କରିବି।ବାସ୍ ସେଦିନ ସେତିକି ତା ସହ ଦେଖା।ତାପରେ ସେ ମୋ ସାମନାକୁ କେବେ ଆସିନାହିଁ।ବୋଧେ ତାର ଉପସ୍ଥିତି ରେ ମୋର କର୍ତ୍ତବ୍ୟ ପାଳନରେ ଅବହେଳା ହୋଇଯିବ ଭାବି ସେ ମୋ ସହ ସେବେଠୁ ଦେଖା ହୁଏ ନାହିଁ।

ସେବେଠୁ ଦିନାଅଜା ମୋ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ହୋଇଗଲେ।

ଦିନାଅଜା ସବୁଦିନ ଆମ ଘର ରାସ୍ତାଦେଇ ଯିବାର ମୁଁ ଲକ୍ଷକରେ।ସଦା ସର୍ବଦା ମୁହଁରେ ଏକ ସ୍ମିତହସ ମାତ୍ର ଆଖିକୁ ଦେଖିଲେ ଲାଗେ ସତେ ଯେମିତି କେଉଁ ଏକ ନୂତନ ଆଶାର ଅପେକ୍ଷା ରେ ରହିଛି।

ଦିନାଅଜା, ଆମ ଗାଁର ପୁରୁଖା ଲୋକ।ବୁଦ୍ଧି ଯେପରି କାମବି ସେପରି।ହୃଷ୍ଟପୃଷ୍ଟ ଚେହେରା , ଦେଖିବାକୁ ରଜା ପୁଅପରି।ପିଲାମାନେ ତାଙ୍କର ପାଠସାଠ ପଢି ବିଦେଶରେ।ସହଧର୍ମିଣୀ ଅନେକ ଦିନରୁ ଆରପାରିରେ।ଧନର ଅଭାବ ନାହିଁ।ଚାଷବାସ ଭାଗରୁ ଯାହା କିଛି ଘରକୁ ଆସେ ବାକି ପିଲାମାନେ ପ୍ରତିମାସ ଡାକଘରକୁ ପଠାନ୍ତି।ମାତ୍ର ଡାକଘରୁ ସେ ପଇସା କେବେ ଘରକୁ ଆସେନି।ଦିନାଅଜାଙ୍କର କହିବା କଥା, ପିଲାମାନେ ଖୁସିରେ ଦଉଛନ୍ତି ମାତ୍ର ମୋର ଆବଶ୍ୟକତା ନାହିଁ।ନନେଲେ ମନ ଉଣା କରିବେ ତେଣୁ ମନା କରନ୍ତିନି।ସେହି ଡାକଘରେ ସଞ୍ଚୟ ଖାତାରେ ରଖି ଦିଅନ୍ତି।

ପିଲାମାନେ ପଚାରିଲେ କୁହନ୍ତି ତୁମ କର୍ତ୍ତବ୍ୟ ତୁମେ କର ମୋ କର୍ତ୍ତବ୍ୟ ମୁଁ କରୁଛି।କେବେ ଡାକିଲେ ମଧ୍ୟ ଗାଁ ଛାଡି ଯାଆନ୍ତି ନାହିଁ।କୁହନ୍ତି ଏହା ମୋର ଜନ୍ମ ଭୂମି ସହ କର୍ମ ଭୂମି ମଧ୍ୟ।ତେଣୁ ଆରମ୍ଭ ଏଇଠି ଶେଷ ବି ଏଇଠି।

ଏଇ ଗାଁ ମାଟିର ପାଣି ପବନରେ ମୋର ଜୀବନ ଗଢା।ମୁଁ ଏଠା ଛାଡିକି ଗଲେ ଅଣନିଃଶ୍ୱସୀ ହୋଇଯିବି।

ତୁମମାନଙ୍କ ର ଏବେ ଉଡିବାର ବେଳ ମୁଁ ତୁମକୁ ବାନ୍ଧି ରଖିବାକୁ ଚାହେଁ ନାହିଁ।ମାତ୍ର ଯେତେ ଉଡ ମନା ନାହିଁ ସଞ୍ଜକୁ ନୀଡକୁ ଫେରିବା ଯେମିତି ନଭୂଲ।

ଏତିକି ଉପଦେଶ ରେ ସେ ସନ୍ତୁଷ୍ଟ ଓ ତାଙ୍କ ପିଲେ ମଧ୍ୟ।

ଏତେ ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ମୁଁ ଥିବାରୁ ନିଜକୁ ବହୁତ ଗର୍ବିତ ମନେକରେ।

ବାପା ଗଲା ଦିନଠୁ ତାଙ୍କୁ ଦେଇଥିବା ବଚନ ଅନୁଯାୟୀ ଦୁଇ ଭାଇ , ଗୋଟିଏ ଭଉଣୀ , ମାଆର ଦାୟିତ୍ୱ ବହନ କରିଆସୁଛି। ଅନେକ ସମଯରେ ବ୍ୟତିବ୍ୟସ୍ତ ଲାଗିଲେ ଦିନା ଅଜାଙ୍କ ପାଖକୁ ଧାଇଁଯାଏ।ତାଙ୍କ ଆଶ୍ୱାସନା ଭରା କଥା କେଇପଦ ମନରେ ଦୃଢତା ଆଣିଦିଏ।

ଭାଇଭଉଣୀ ଙ୍କ ଦାୟିତ୍ୱ ରେ ଏପରି ଲଦି ହୋଇଗଲି ଯେ ନିଜ କଥା ସମ୍ପୂର୍ଣ୍ଣ ଭୂଲିଗଲି।ସମସ୍ତ ଙ୍କ ଆବଶ୍ୟକତା, ଅଭାବ ସବୁ ମୋରି କାନ୍ଧ ରେ ଲଦା ହେଲା।ଛୋଟରୁ ବଡକରି ପାଠଶାଠ ପଢେଇ ମଣିଷ କଲି।ମାଆର ମନଜାଣି ତା ଜନ୍ମିତ ସନ୍ତାନ ଙ୍କୁ ନିଜ ସନ୍ତାନ ବୋଲି ଭାବି ବିବାହ କଲିନାହିଁ।

ଭାଇମାନେ ନିଜଗୋଡରେ ନିଜେ ଠିଆହେଲେ ମୋର ଦାୟିତ୍ୱ କମିବ ଭାବିବା ମୋର ମୁର୍ଖାମୀର ପରିଚୟ ଥିଲା।ଭାଇ ମାନଙ୍କୁ ବାହା ଦେବା ପରେ ଭାବିଲି ଟିକେ ସଂସାର ଜଂଜାଳ ରୁ ମୁକ୍ତ ହେବି ମାତ୍ର ଦିନା ଅଜାଙ୍କ କହିବା ଅନୁଯାୟୀ ମୁଁ ଆଜି ଭାବୁଛି ଜୀବନଟା କଟୁପୋକ ପରି ହୋଇଗଲା।

ଆଜି ମନେପଡେ ଦିନେ ଦିନାଅଜାଙ୍କ ସହ ଘରୋଇ ସମସ୍ୟା ଆଲୋଚନା କଲାବେଳେ କହିଲେ, ବୁଝିଲୁ ଶିବୁ ତୋ ଜୀବନଟା କଟୁପୋକ ପରି ହୋଇଗଲାରେ। କି ବାପା ହେବାର ଦାୟିତ୍ୱ ନେଲୁ ଯେ ସେ ଅପାରଗ ଓ ସ୍ୱାର୍ଥପର ଭାଇଗୁଡାଙ୍କ ଚକ୍ରବ୍ୟୁହରେ ଫସିଗଲୁ।

ହଠାତ ତାଙ୍କ କଥା ମୁଁ କିଛି ବୁଝି ପାରିଲିନି। ପଚାରିଲି ଅଜା କଟୁପୋକ କଣ ?

କହିଲେ ଆରେ ଏତିକି ଜାଣିନୁ , ଆରେ କଟୁ ପୋକ , ଯେତେବେଳେ ବଢିଆସେ ପାଣି ଉପରକୁ ସେ ଉଠିଆସେ ଓ ତତ୍ ସଙ୍ଗେସଙ୍ଗେ ଚତୁର୍ଦ୍ଦିଗ ଖାଲି ଚକର ଖାଇ ବୁଲୁଥାଏ।ଯେ କେହି ମଣିଷ ସେ ଦୃଶ୍ୟଦେଖିବ ତାର ମୁଣ୍ଡ ବୁଲେଇଦେଵ।ତାର ପ୍ରକୃତ ଉଦ୍ଦେଶ୍ୟ କଣ କହିଲୁ, କେମିତି ବଢିପାଣି ଖସିଯିବ ଓ ସେ ତା ଗାତକୁ ଯିବ।ମନେ ମନେ ଭାବେ ସେ ଅନେକ ଚେଷ୍ଟା କରୁଛି ପ୍ରକୃତିର ତାଣ୍ଡବକୁ ବନ୍ଦ କରିବା ପାଇଁ ମାତ୍ର ପ୍ରକୃତରେ ତାହା ହୋଇନଥାଏ।ସେ ଚତୁର୍ଦ୍ଦିଗ ବୁଲିବୁଲି ଥକିପଡେ ସିନା ବଢିପାଣି କମେନାହିଁ।

ଠିକ ସେହିପରି ତୋ ଜୀବନଟା।

ତୁ ଭାବୁଛୁ ସେଇଟା ତୋ ପରିବାର , ତୁ ତାକୁ ସଜାଡି ଦେବୁ।ଯେତେ ବାଧାବିଘ୍ନ ଆସୁପଛେ ନିଜକୁ ସାମ୍ନାରେ ରଖି ସବୁ ସହିଯିବୁ ମାତ୍ର କାହାରି କିଛି ଅସୁବିଧା ହେବାକୁ ଦେବୁନାହିଁ।

ପ୍ରକୃତରେ ଆଜି ଠିକ ସେହିପରି ମତେ ଲାଗୁଛି।ନିଜ କଥା ନଭାବି ସମ୍ପୂର୍ଣ୍ଣ ପରିବାରର ଦାୟିତ୍ୱ ନେଇ ମୁଁ କଣ କିଛି ଭୂଲ କରିଦେଲି ?

,,,,,ସାନ ଭାଇ ଭଉଣୀଙ୍କ କଥା ବଢ ଭାଇ ଭାବେ ବୁଝି ମୁଁ କଣ କିଛି ଭୂଲ କରିଛି କି ?

,,,,,ନା ନିଜେ ପାଠ ନପଢି ଅବିବାହିତ ରହି ସାନ ମନଙ୍କୁ ପାଠ ପଢେଇ ମଣିଷ କରି ନିଜ ଗୋଡରେ ଠିଆ କରେଇ ତାଙ୍କ ବିବାହ କରେଇ ସମାଜରେ ମୁଣ୍ଡ ଟେକି ଚାଲିବାର ରିହା ଦେଖେଇ କଣ ମୁଁ କିଛି ଭୂଲ କରିଦେଲି କି ?

,,,,,ନା ବାପାଙ୍କ ଦାୟିତ୍ୱ କୁ ନିଜେ ମୁଣ୍ଡକୁ ନେଇ ମାଆ ମୁହଁରେ ଟିକେ ଖୁସିର ହସ ଭରିଦେବାର ଚେଷ୍ଟା କରି ମୁଁ କିଛି ଭୂଲ କରିଦେଲି କି ?

ଭାଇମାନେ ଆଜି କହୁଛନ୍ତି ମୁଁ କୁଆଡେ ସ୍ୱାର୍ଥପର ବୋଲି।

ଭାଇ ମାନଙ୍କ ସ୍ତ୍ରୀ ମାନେ କହୁଛନ୍ତି ମୁଁ କୁଆଡେ କିଛି କାମ ନକରି ଆଜି ବସିକି ଖାଉଛି ବୋଲି।

ମାଆ କହୁଛି ମୁଁ କୁଆଡେ ବଡ ହେଇ ସାନ ମାନଙ୍କୁ ବୁଝିବାକୁ ଚେଷ୍ଟା କରିନି ବୋଲି।

ପ୍ରକୃତରେ କାହା କଥା ସତ ଓ କାହା କଥା ମିଛ ?

କଣ ଜୀବନର ରହସ୍ୟ ?

ବଞ୍ଚିବା କଣ ଭୂଲ ?

ନା ନିଜ କଥା ଭୂଲି ଅନ୍ୟପାଇଁ ବଞ୍ଚିବା ଭୂଲ।

ପ୍ରକୃତରେ ମୁଁ ଦିନାଅଜାଙ୍କ କହିବା ଅନୁସାରେ ଏକ କଟୁପୋକ ହୋଇଯାଇଛି।

ଭାବୁଛି ପରିବାରଟା ମୋର ।ସବୁକୁ ନିଜ ହାତମୁଠାରେ ସବୁଦିନ ସୁରକ୍ଷିତ ରଖିବା ପାଇଁ। ମାତ୍ର ପ୍ରକୃତରେ ମୋର ଧାରଣା ଭୂଲ ଥିଲା।ମୁଁ ଯେତେ ଚାହିଁଲେ ବି ପରିବାରରେ ଯଦି ଆତ୍ମୀୟତା ନଥିବ,ଶୃଙ୍ଖଳା ନଥିବ ତେବେ ପ୍ରଳୟ ଅବଶମ୍ଭାବୀ। ମୁଁ ଖାଲି କଟୁପୋକ ସଦୃଶ୍ୟ ଘାଣ୍ଟିହେବା ସାର ହେବ।

ଠିକ ତାହାହିଁ ହୋଇଚାଲିଛି।ଆଜି ମୁଁ ବୟସର ଅପରାନ୍ହରେ ଉପନୀତ।ଏ ସମୟରେ ମୋର ଏକ ସାଥୀର ଆବଶ୍ୟକତା ରହିଛି।ଯିଏକି ମୋର ମନର ଭାବନାକୁ ବୁଝି ପାରିବ।ମୋର ଆବଶ୍ୟକତା କୁ ଅନୁମାନ କରିପାରିବ।ଆଜି କାହିଁକି ସରିତା କଥା ବହୁତ ମନେ ପଡୁଛି।ଦୀର୍ଘ ବର୍ଷ ତଳେ ସେ ମୋ ମନକୁ ଏପରି ପଢିଥିଲା ଯେ ମତେ ଅନୁତାପର ସୁଯୋଗ ବି ଦେଇନଥିଲା।ଆଜି ମନ କାହିଁ ଖୋଜୁଛି ତାକୁ ଥରେ ଦେଖନ୍ତି କି।

ମାତ୍ର ସେ ଆଉ ଏଠି ନାହିଁ।ବିଦେଶରେ।ସୁଖର ସଂସାର କରି ଖୁସିରେ ଅଛି।କିନ୍ତୁ ଏବେବି ସେ ମୋର ଶୁଭ ମନାସୁଥିବ ମୁଁ ଜାଣେ।ହୃଦୟର କେଉଁ ଏକ କୋଣର ଏକ ନିବୃତ କୋଠରୀରେ ମତେ ସେ ଆବଦ୍ଧ କରିରଖିଥିବ। କେଉଁ ଏକ ମୁହୂର୍ତ୍ତରେ ଏକା ବସି ସେ ମୋ କଥା ନିହାତି ଭାବୁଥିବ।


Rate this content
Log in

Similar oriya story from Abstract