Lopamudra Mishra

Tragedy Abstract

4.6  

Lopamudra Mishra

Tragedy Abstract

ରିଙ୍କୁ

ରିଙ୍କୁ

14 mins
730


             

 ମୁଁ ସେତେବେଳେ ଖୁବ୍ ସାନ ଥିଲି l କିନ୍ତୁ ସେସବୁ ଦିନ ମୋର ଆଜି ବି ସ୍ପଷ୍ଟରୂପେ ମନେ ଅଛି l ପଞ୍ଚମ ଶ୍ରେଣୀରେ ପଢୁଥାଏ, ମୋ ଜେଜେମାଆ ଆଉ ସାନଜେଜେମାଆ ଆମର ଦୂରସମ୍ପର୍କୀୟ ଜଣେ ବନ୍ଧୁଙ୍କ ଘରକୁ ବାହାରିଲେ l ମୁଁ କାନ୍ଦି କାନ୍ଦି ଜିଦ୍ କରି ସେମାନଙ୍କ ସଙ୍ଗେ ଯିବାକୁ ବାହାରିଲି l ସେତେବେଳେ ମୁଁ ଜାଣିନଥିଲି ମୁଁ ଯାହାଙ୍କ ଘରକୁ ଯିବାକୁ ଅଳିକରି ଏତେ କାନ୍ଦୁଛି ସେମାନେ ଆମର ହେବେ କ'ଣ ? ଜେଜେମାଆ ଅଟୋରିକ୍ସାରେ ବସି ବାହାରିଲାବେଳେ ମୁଁ ଜିଦ୍ କରି ଯାଇ ତା କୋଳରେ ବସିଗଲି l ପ୍ରାୟ ପନ୍ଦର ରୁ ଅଠର କିଲୋମିଟର୍ ରାସ୍ତା ଗଲା ପରେ ଅଙ୍କା ବଙ୍କା ଗୋଟିଏ ସରୁଆ ରାସ୍ତା ଭିତରେ ଅଟୋଟି ଧକଡ୍ ଧକଡ୍ ହେଇ ଗଡି ଗଡି ଯାଇ ଗୋଟେ ପୁରୁଣା ବେରଙ୍ଗ କୋଠାଘର ପାଖରେ ଅଟକିଲା l ମୁଁ ମୋ ଜେଜେମାଆ କୋଳରୁ ତଳକୁ ଡେଇଁପଡିଲି l


  ସେହି ଘରଟି ଥିଲା ମୋ ସାନଜେଜେମାଆଙ୍କ ଭାଉଜଙ୍କର ବାପଘର l ସାନଜେଜେମାଆଙ୍କ ଭାଇ ସେଇଠି ଘରଜ୍ୱାଇଁ ହେଇ ରହୁଥିଲେ l ତାଙ୍କ ଗାଁରେ ସପ୍ତା ବସିଥିବାରୁ ସେ ମୋ ଜେଜେମାଆ ଆଉ ସାନଜେଜେମାଆଙ୍କୁ ଅଟୋ ପଠେଇ ଡକେଇଥିଲେ l 


     ମୁଁ ଜେଜେମାଆ ସାଙ୍ଗରେ ଚାଲିତ ଆସିଲି, କିନ୍ତୁ ରାତିରେ ମୋ ମାଆକୁ ମନେ ପକେଇ ଖୁବ୍ କାନ୍ଦିଲି l ଯିଏ ଯେତେ ବୁଝେଇଲେ ହେଲାନାହିଁ l କାନ୍ଦି କାନ୍ଦି ଘର ଫଟେଇଲି l ଜେଜେମାଆ ବ୍ୟସ୍ତ ହେଇପଡିଲା l ରାଗିକରି କହିଲା, "ଆସିଲା ବେଳକୁ ହକହକ ହେଇ ଦୌଡି ଆସିଲୁ, ଏବେ ମୁଁ ତୋ ମାଆକୁ କୋଉଠୁ ଆଣିବି ? ସକାଳ ହେଉ ତୋ ବାପାକୁ ଡକେଇବି ଆସି ତୋତେ ନେଇଯିବ" l ମୁଁ କହିଲି, "ନାଁ, ଏବେ ଡାକେ l ମୁଁ ଏଠି ରହିବିନି l ମୋ ମାଆ ପାଖକୁ ଯିବି " l ମୁଁ ଆହୁରି କାନ୍ଦିଲି ଆଉ କାନ୍ଦି କାନ୍ଦି ତଳେ ଗଡିଲି l ସାନଜେଜେମାଆଙ୍କ ଭାଉଜ ଥିଲେ ଜଣେ ବହୁତ ସ୍ନେହିଁ ମଣିଷ l ସେ ଛୋଟପିଲାଙ୍କୁ ବହୁତ ଭଲପାଉଥିଲେ l ତାଙ୍କ ଦେହର ରଙ୍ଗଥିଲା ଏକଦମ ସଫେଦ୍ l ମୁଁ ତାଙ୍କୁ ଗୋରୀଆଈ ଡାକିବା ଆରମ୍ଭ କରିଦେଇଥିଲି l ଗୋରୀଆଈ ମୋ ପାଖକୁ ଆସିଲେ, ମୋତେ ତଳୁ ଉଠେଇଲେ l କାଖରେ କାଖେଇବାକୁ ଚେଷ୍ଟାକଲେ, ମୁଁ ଜାଣି ଜାଣି ତଳକୁ ଖସି ଆସିଲି l ତାପରେ ସେ ମୋତେ କହିଲେ, " ଘରକୁ ଯିବୁ ? " l  

--" ହଁ l ଏବେ ସଙ୍ଗେ ସଙ୍ଗେ ଯିବି ", ମୁଁ ଧକେଇ ଧକେଇ କହିଲି l ଗୋରୀଆଈ ମୋ ହାତ ଧରି ମୋତେ ଦାଣ୍ଡ ପଟକୁ ନେଇଆସିଲେ l ମୋ ଆଖିରୁ ଲୁହ ପୋଛିଦେଲେ l ରାତି ବେଶି ହେଇନଥାଏ, ଗାଁ ରେ ପ୍ରାୟ ସମସ୍ତଙ୍କ ଘରେ ଆଲୁଅ ଜଳୁଥାଏ l ଗୋରୀଆଈ ମୋ ହାତଧରି ମୋତେ ଗେଟ୍ ଯାଏଁ ଆଣିଲେ l ଗେଟ୍ ଖୋଲି ଦାଣ୍ଡକୁ ନେଇଗଲେ l ଆଈଙ୍କ ଘରଠୁ ଦୁଇ ତିନିଟା ଘର ଛାଡିକି ଗୋଟେ ଆଜବେଷ୍ଟସ୍ ଛପରଘର l ସେ ସେହି ଦ୍ୱାର ପାଖରେ ଠିଆହେଇ ଡାକିଲେ, " ବନ୍ଦନା, ବନ୍ଦନା.. ରିଙ୍କୁ କଣ ଶୋଇପଡ଼ିଲାଣି ? "


   ଗୋରୀଆଈଙ୍କ ପାଟି ଶୁଣି ଘର ଭିତରୁ ତତ୍କ୍ଷଣାତ୍ ବାହାରି ଆସିଲେ ଦିବ୍ୟ ସୁନ୍ଦରୀ ନାରୀଜଣେ ଆଉ ସାଙ୍ଗରେ ମୋ ଠାରୁ ବର୍ଷେ କିମ୍ବା ଦୁଇବର୍ଷ ସାନ ହେବ କୁନି ପୁଅଟେ l 


" ଆଈ, ତୁମେ ମୋତେ ଖୋଜୁଥିଲ ? ",କୁନି ପୁଅଟା ଗୋରୀଆଈଙ୍କ ପାଖକୁ ଲାଗିଆସି କହିଲା l


--ହଁ ରିଙ୍କୁ, ତୁ ପରା ତୋ ନାନୀ ପାଖକୁ ଯିବୁ ବୋଲି କାନ୍ଦୁଥିଲୁ ? ହେଇ ଦେଖିଲୁ ଏଇ ନାନୀଟି ତୋର ପସନ୍ଦ ହେଉଛି କି ନାହିଁ ? ତୋ ପାଖକୁ ଆସିଛି ଖେଳିବାକୁ l ତୁ ଆସେ ଆଜି ଆମ ଘରେ ଏଇ ନାନୀ ଆଉ ମୋ ପାଖରେ ଶୋଇବୁ l ମୁଁ ତୁମ ଦୁଇଜଣଙ୍କୁ ଗପ କହିବି l


  ରିଙ୍କୁ, " ହଁ ଆଈ " କହିଲା ଓ ତା ମାଆ କୁ କବାଟ ବନ୍ଦ କରିଦେବାକୁ କହି ଗୋରୀଆଈଙ୍କ ହାତ ଧରି ଆମ ସାଙ୍ଗରେ ପଳେଇଆସିଲା l ମୋର କାନ୍ଦ ବନ୍ଦ ହେଇସାରିଥିଲା l ମୁଁ ଆଶ୍ଚର୍ଯ୍ୟ ହେଉଥିଲି ପିଲାଟା ତା ମାଆ ପାଖରୁ ରାତିରେ ଏତେ ସହଜରେ କେମିତି ପଳେଇଆସିଲା l ମୋର ପୁଣି ମୋ ମାଆ କଥା ମନେପଡିଲା l ସବୁ ରାତିରେ ମୋର ମୋ ମାଆ କଥା ଖୁବ୍ ମନେପଡେ l ଏବେବି ରାତିରେ ମୁଁ କିଛି ଖରାପ ସ୍ୱପ୍ନ ଦେଖିଲେ ଚମକି ପଡି ମାଆକୁ ଖୋଜେ l  


   ରିଙ୍କୁ ଗୋରୀଆଈଙ୍କୁ ମୋ ନାଁ କ'ଣ ବୋଲି ପଚାରୁଥିଲା, ମୁଁ ଆଈଙ୍କୁ ପୁଣି କହିଲି, "ମୋତେ ମୋ ମାଆ ପାଖକୁ ନେବ ନାହିଁ କି ?" 


 ଗୋରୀଆଈ ମୋତେ ଓଲଟା ପଚାରିଲେ, " ତୋର ଭାଇ ନାହିଁ ପା ? "


--ଅଛି, ମୋ ମାଉସୀଘରେ l ମୋ ମାଉସୀଙ୍କ ପୁଅ l କାଳୀପୂଜା ରେ ଆସିବ କହିଛି l


--ରିଙ୍କୁକୁ ତୋ ଭାଇ କରି ନେବୁ ? 


  ଆଈଙ୍କ କଥାଶୁଣି ମୁଁ ପିଲାଟାକୁ ଟିକେ ନିରିଖେଇକି ଦେଖିଲି ଆଉ ପଚାରିଲି, "ଇଏ ଯିବ ମୋ ସହ ଆମ ଘରକୁ ? "


--ହଁ ଯିବ ? 


--ମୋ ସାଙ୍ଗରେ ସ୍କୁଲ୍ ଯିବ? 


--ହଁ ଯିବ l


--ପାଠ ନପଢିଲେ କିନ୍ତୁ ମୋ ବାପା ବହୁତ ରାଗନ୍ତି l ତାକୁ ସେଇଟା ବୁଝେଇ ଦିଅ l 


  ଗୋରୀଆଈ ରିଙ୍କୁ କୁ ପଚାରିଲେ, " କିରେ ରିଙ୍କୁ ପଢ଼ିବୁଟି ? "

  ପିଲାଟା ମୁଣ୍ଡ ହଲେଇ ହଁ କହିଲା l ମୁଁ ପୁଣି ଆଶ୍ଚର୍ଯ୍ୟ ହେଲି ପିଲାଟା କାହିଁକି ଗୋରୀଆଈଙ୍କ ସବୁକଥାରେ ଏମିତି ରାଜିହେଇଯାଉଛି ! 


  ସେଦିନ ରାତିରେ ମୁଁ ଅନେକ ବେଳଯାଏଁ ରିଙ୍କୁ ସହ ଖେଳିଲି l ରାତି ବେଶି ହେଇଗଲାରୁ ରିଙ୍କୁ ଢ଼ୋଳେଇବା ଆରମ୍ଭ କରିଦେଲା l ଗୋରୀଆଈ ତାକୁ ଉଠେଇନେଇ ତଳେ ବିଛେଇ ରଖିଥିବା ବିଛଣାରେ ଶୁଆଇଦେଇ ଘୋଡେଇ ଦେଲେ l ମୁଁ ପୁଣି 'ମାଆ', 'ମାଆ' କହି କାନ୍ଦିଆସୁଥିଲି ଗୋରୀଆଈ ମୋତେ ଚୁପ୍ ହେବାକୁ ପାଟିରେ ଆଙ୍ଗୁଠି ଦେଇ ଇସାରା କଲେ l ଫିସଫିସ୍ ହେଇ କହିଲେ, "ପାଟି କରନା, ତୋ କୁନିଭାଇର ନିଦ ଭାଙ୍ଗିଯିବ " l ସେଇ ସେତକ କଥାରେ କ'ଣ ଥିଲା କେଜାଣି ମୁଁ ବି ଚୁପଚାପ୍ ହେଇ ମୋ ଜେଜେମାଆ ପାଖକୁ ଉଠିଯାଇ ଶୋଇପଡ଼ିଲି l ସେତେବେଳେ ମୁଁ ଭାବୁଥିଲି ଯିଏ ପାଖରେ ଶୁଏ, ଘରେ ରହେ ସେ ହିଁ କେବଳ ନିଜର ଲୋକ l ରିଙ୍କୁ ସକାଳୁ ଉଠି ଗୋରୀଆଈଙ୍କ ଘର ପଛପାଖ ଟ୍ୟୁବୱେଲ୍ ପାଖରେ ବସି ଦାନ୍ତଘସୁଥିଲା l ମୋତେ ସେ ଖୁବ୍ ନିଜର ଲାଗିଲା l ଆମେ ଦୁଇଜଣ ସାଙ୍ଗ ହୋଇ ସକାଳ ଜଳଖିଆ ଖାଇଲୁ l ରିଙ୍କୁ ତା ଘରକୁ ଯାଇ ତା ପାଠ ବହି ସବୁ ନେଇଆସିଲା l ଗୋରୀଆଈଙ୍କ ଦାଣ୍ଡଘରେ ସପ ପକେଇ ପଢିବସିଲା l ମୁଁ ତା ପାଖକୁ ଯାଇ କହିଲି, "ମୋ ସାଙ୍ଗରେ ଖେଳିବୁନି ? "


"ମୁଁ ନପଢିଲେ ପା ତୁମ ବାପା ରାଗିବେ ?", ସେ ଆସ୍ତେ କରି କହିଲା l 


--ବାପା ତ ଏଠି ନାହାଁନ୍ତି l ଚାଲ୍ ଖେଳିବା l


"ଏତିକି ପାଠ ନକରିକି ଗଲେ ସ୍କୁଲ୍ ରେ ଆମ ଗୁରୁଜୀ ରାଗିବେ l ବହୁତ ବାଡାନ୍ତି ଗୁରୁଜୀ ", ସେ ତା ବର୍ଣ୍ଣବୋଧ ବହିକୁ ଦେଖେଇ ମୋତେ କହିଲା l ମୋ ମନ ଦୁଃଖ ହେଇଗଲା l ମୁଁ ବି ନରମେଇକି କହିଲି, "ତୁ ଆଜି ସ୍କୁଲ୍ ପଳେଇବୁ ? ମୁଁ କାହା ସାଙ୍ଗରେ ଖେଳିବି ? ଆଜି ଯାଆନା l"


ଏତିକିବେଳେ ମୋ ଜେଜେମାଆ ଗାଧୋଇ ପାଧୋଇ ଆସି ଦାଣ୍ଡଘରେ ବସିଗଲା l ମୁଁ ରିଙ୍କୁକୁ ସ୍କୁଲ୍ ନଯିବା ପାଇଁ କହୁଥିବା ଶୁଣି ଗର ଗର ହେଇ କହିଲା, "ନିଜେ ତ ପାଠ ଶାଠ ଛାଡ଼ି ଆସି ଏଠି ବୁଲୁଛୁ ଆଉ ସେ ଛୁଆଟା ପଢୁଛି ଯେ ତା'କୁ ବି ସ୍କୁଲ୍ ନଯିବାକୁ କହି ବିଗାଡୁଛୁ ! ଚାଲ୍ ମୋ ବାସ୍କେଟ୍ ଭିତରୁ ତୋ ବହି ବାହାର କରି ଆଣିବୁ l ତା' ସାଙ୍ଗରେ ଏଇଠି ବସି ପଢିବୁ l ତୋ ମାଆ ଆସିଲାବେଳେ ବହିଦେଇ କହିଥିଲା ପଢିବାକୁ l "


 ମୁଁ ବି ଖୁବ୍ ରାଗିଗଲି ଜେଜେମାଆ ଉପରେ l ପାଠ କଥା ଶୁଣି ମୋତେ ବହୁତ ବିରକ୍ତ ଲାଗିଲା l 


"ନାଁ ମୁଁ ପଢ଼ିବିନି l ରିଙ୍କୁ ବି ପଢ଼ିବନି l ସେ ଆମ ଘରକୁ ଗଲେ ଯାଇ ପଢିବ l ମୁଁ ତାକୁ ମୋ ସାଙ୍ଗରେ ନେଇକି ଯିବି l ସେ ମୋ ଭାଇ ହେବ l ଗୋରୀଆଈ କହିଛନ୍ତି l ତୁ ବେଶି କଥା କହନା l", ଏତିକି କହି ମୁଁ ସେଠୁ ଦୌଡ଼ି ପଳେଇଆସିଲି ଗୋରୀଆଈଙ୍କ ପାଖକୁ l 

  

  ରିଙ୍କୁ ସେଦିନ ସ୍କୁଲ୍ ଗଲା l "ସେ ରୀତିମତ ସ୍କୁଲ୍ ଯାଏ", ଗୋରୀଆଈ କହୁଥିଲେ l ସେ ସ୍କୁଲ୍ ପଳେଇଲା ପରେ ମୁଁ ଗୋରୀଆଈଙ୍କ ପାଖରେ ଏପଟ ସେପଟ ହୁଏ l ଅପେକ୍ଷା କରିଥାଏ କେତେବେଳେ ଚାରିଟା ବାଜିବ ଆଉ ରିଙ୍କୁ ସ୍କୁଲ୍ ରୁ ଫେରିବ l ରିଙ୍କୁ ସହ ମୋର ସମୟ ଏତେ ସୁନ୍ଦର କଟିଯାଉଥିଲା, ମୁଁ ଆଉ ମୋ ମାଆକୁ କ୍ଵଚିତ୍ ମନେପକାଉଥିଲି l ସବୁଦିନ ରାତିରେ ରିଙ୍କୁ ଗୋରୀଆଈଙ୍କ ଘରେ ଶୋଉଥିଲା l ଦିନେ ବି ସେ ତା' ମାଆ କୁ ମନେପକାଇ ନିଦରୁ ଉଠି କାନ୍ଦୁନଥିଲା l ସେ ମୋତେ 'ନାନୀ' ଡାକୁଥିଲା l ମୁଁ ତାକୁ ବହୁତ କଥା ଶିଖାଉଥିଲି l ଯେମିତିକି-ପୃଥିବୀ କମଳା ଲେମ୍ବୁ ପରି ଗୋଲ୍,ସବୁ ପନିପରିବା ଖାଇବା ଉଚିତ୍,ସବୁଦିନ ଦୁଇଥର ଦାନ୍ତଘଷିବା ଭଲ ଓ ଏମିତି ଆହୁରି ଅନେକ କଥା l ତାକୁ ଉପଦେଶ ଦେଇ ମୋତେ ବହୁତ ଖୁସି ଲାଗୁଥିଲା l ନିଜକୁ ଖୁବ୍ ବଡ଼ ହେଇଯିବା ପରି ଅନୁଭବ କରୁଥିଲି l


  ଏମିତିରେ ଛଅଦିନ ବିତିଗଲା l ସପ୍ତମଦିନ ବାପା ଯାଇ ପହଞ୍ଚିଲେ l ଟ୍ୟୁସନ୍, ସ୍କୁଲ୍ ବନ୍ଦ କରି ଆସିଥିବାରୁ ମୋ ଟ୍ୟୁସନ୍ ସାର୍ ମଧ୍ୟ ମୋ ଉପରେ ରାଗିଥିବା ବାପା କହିଲେ l ମୁଁ ଯଦିଓ ମାଆ ପାଖକୁ ଯିବାକୁ ଚାହୁଁଥିଲି କିନ୍ତୁ ରିଙ୍କୁ କୁ ଛାଡ଼ି ଯିବାକୁ ମୋର ମନ ଆଦୌ ଚାହୁଁନଥିଲା l ମୁଁ ବାପାଙ୍କୁ କହିଲି, "ବାପା, ମୁଁ ଗୋଟେ ଭାଇକୁ ସାଙ୍ଗରେ ନେଇକରି ଯିବି l ତା ନାଁ ରିଙ୍କୁ l ସେ ଯିବ କହିଛି l ସେ ମୋ ସାଙ୍ଗରେ ସ୍କୁଲ୍ ଯିବ l ପାଠ ବି ପଢିବ l ଦୁଷ୍ଟ ହେବନି l ତୁମେ ଟିକେ ଅପେକ୍ଷା କର, ସେ ସ୍କୁଲ୍ ରୁ ଫେରୁ ତାକୁ ନେଇକରି ଯିବା l "


   ବାପା ଆଶ୍ଚର୍ଯ୍ୟ ହେଇ ଜେଜେମାଆ ଆଡକୁ ଅନେଇଲେ l ଜେଜେମାଆ ବାପାଙ୍କୁ ମୋର ଆଉ ରିଙ୍କୁର ବନ୍ଧୁତା ବିଷୟରେ କହିଲା l ବାପା ହସିଲେ ଆଉ କହିଲେ, "ହଉ ସେ ଯିବ, କିନ୍ତୁ ଆଉଦିନେ l ଆମେ ଆଉଥରେ ଆସିବା ଜେଜେମାଆ କୁ ନେବାକୁ ସେତେବେଳେ ରିଙ୍କୁକୁ ସାଙ୍ଗରେ ନେଇକରି ଯିବା" l 


   ମୁଁ ସେଦିନ ବାପାଙ୍କ ସ୍କୁଟର୍ ପଛରେ ବସି ଗୋରୀଆଈଙ୍କ ଘର ଛାଡ଼ି ପଳେଇଆସିଲି l ଆସିଲାବେଳକୁ ଗୋରୀଆଈ ମୋତେ କୋଡିଏ ଟଙ୍କିଆ ନୋଟଟେ ଦେଇଥିଲେ l ସେଇଥିରେ ମୁଁ ସଙ୍ଗେ ସଙ୍ଗେ 'ଚିନୁ' ଆଉ 'ରିଙ୍କୁ' ଓଡ଼ିଆରେ ଲେଖିପକେଇ ମୋ କୁନି ପର୍ସ୍ ରେ ରଖିଦେଲି l 


 ମୁଁ ସେ ଗାଁ ଭିତରୁ ଚାଲିଆସିଲି l ରିଙ୍କୁ ଘର ବି ପାର କରି ଆସିଲି l ସମୟ ପାଖା ପାଖି ଚାରିଟା ହେଇଥାଏ, ସ୍କୁଲ୍ ଛୁଟି ହେବାର ସମୟ l ଆମେ ଗୋଟେ ପୋଲ ତଳକୁ ଖସୁଥିଲୁ ଦୂରରୁ କାହାର ପାଟି ଶୁଭିଲା, "ନାନୀ, ରହିଯା ନାନୀ l ନାନୀ... " l ମୁଁ ବାପାଙ୍କୁ ରହିବା ପାଇଁ କହିଲି l ବାପା ରହିଲେନି l ବର୍ଷା ଉଠେଇଲାଣି କହି ସ୍କୁଟର୍ ଜୋରରେ ଚଲେଇ ପଳେଇ ଆସିଲେ l 


  ଘରକୁ ପଳେଇଆସିଲା ପରେ ମୋର ରିଙ୍କୁ କଥା ବହୁତ ମନେପଡିଲା l ମୋର ମନେଅଛି ଅନେକ ଦିନ ଯାଏଁ ମୁଁ ମାଆକୁ କହୁଥିଲି, " ମୋର ଭାଇ ଦରକାର l ଭାଇ ଆଣେ l ରିଙ୍କୁକୁ ନେଇଆସ" l କିନ୍ତୁ ଧିରେ ଧିରେ ମୁଁ ରିଙ୍କୁକୁ ଭୁଲିବା ଆରମ୍ଭ କଲି l ମୋର ଶ୍ରେଣୀ ଯେତେ ଆଗକୁ ବଢୁଥିଲା ମୁଁ ପଛକଥା ସେତେ ବେଶି ଭୁଲୁଥିଲି l ସମୟ ଆସିଲା ରିଙ୍କୁ ମୋର ଆଉ ବିଲକୁଲ ମନେପଡିଲାନାହିଁ l 


  ମୁଁ ମାଟ୍ରିକ୍ ପାସ୍ କରି କଲେଜ୍ ରେ ପଢ଼ିଲି l ତା' ପରେ ଇଞ୍ଜିନିୟରିଙ୍ଗ୍ l ପଢା ସରୁ ସରୁ ବାଙ୍ଗାଲୋର୍ ରେ ଭଲ ଗୋଟେ କମ୍ପାନୀରେ ଜବ୍ ପାଇ ସେଠାକୁ ଚାଲିଗଲି l ଦୁର୍ଗାପୂଜା ଛୁଟିରେ ଘରକୁ ଆସିବାର ଥିଲା l ନିର୍ଦ୍ଧିଷ୍ଟ ଦିନ ଟ୍ୟାକ୍ସି ଧରି ରେଲୱେ ଷ୍ଟେସନ୍ ଆସିଲି l ମୋ ସହ ବ୍ରହ୍ମପୁରରୁ ମୋର ଆଉଜଣେ ସାଙ୍ଗଥିଲା l ଆମ ଟ୍ରେନ୍ ଟିକେ ଲେଟ୍ ଥିଲା l ଆମେ ଲଗେଜ୍ ଧରି ଟ୍ରେନ୍ ର ଅପେକ୍ଷାରେ ବସିଥିଲୁ l ତନୁ, ମୋ ସାଙ୍ଗ ତା' ମୋବାଇଲ୍ ରେ ମୋର ଆଉ ତା'ର କେତେଟା ସେଲ୍ଫି ନେଲା l ତା'ର ଅଭ୍ୟାସ ଏମିତି ଫୋଟୋ ଉଠେଇ ଫେସବୁକ୍ ଓ ହୁଆଟ୍ସଆପ୍ ରେ ସେୟାର୍ କରିବା l ତନୁ ସହ ମୁଁ ଫୋଟୋ ଉଠା ଓ କଥାବାର୍ତ୍ତାରେ ମଜ୍ଜିଯାଇଥିଲି, ସେତିକିବେଳେ କେହି ଜଣେ ସାମ୍ନାରୁ ଆସି ଖୁବ୍ ନମ୍ର ଭାବରେ କହିଲା, "ନାନୀ ଲଗେଜ୍ ଉଠେଇନେବି " l ମୁଁ ତତ୍କ୍ଷଣାତ୍ ମୋବାଇଲ୍ ରୁ ମୁହଁ ଉଠେଇ ସାମ୍ନାକୁ ଦେଖିଲି l କୋଡିଏ -ବାଇଶ ବର୍ଷର ଖୁବ୍ ପତଳା ପିଲାଟେ, ମୁହଁଟି ଛୋଟ ଛୋଟ ଦାଢ଼ିରେ ଭର୍ତ୍ତି, ଆମ ଆଡକୁ ବଡ଼ ଗୋଟେ ଆଶାରେ ଅନେଇ ଠିଆହେଇ ରହିଛି l ମୁଁ ପିଲାଟାର ଆଖିକୁ ସିଧା ଅନେଇ ଦେଖିଲି l ଭାରି ଚିହ୍ନା ଚିହ୍ନା ଲାଗିଲା l ତନୁ ଟିକେ ସନ୍ଦେହୀ ପ୍ରକୃତିର l ପିଲାଟାକୁ ପଚାରିଲା, "ତୁମେ କେମିତି ଜାଣିଲ ଆମେ ଓଡ଼ିଆ ? ଆମକୁ ଫଲୋ କରୁଥିଲ ? "


 " ନାଇଁ ଦିଦି ଆପଣମାନେ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ ତ ମୋ କାନରେ ବାଜିଲା l ସେଥିପାଇଁ ମୋ ପାଟିରୁ ବି ଆପେ ଆପେ ଓଡ଼ିଆ ବାହାରି ଆସିଲା l ମୁଁ ବି ଓଡ଼ିଆ l ଦିଦି ଲଗେଜ୍ ରଖିଦେବି ? ଜମା ପଚାଶ ଟଙ୍କା l ରଖିବି ଦିଦି ? ",ପିଲାଟା ତନୁ ପାଖରେ ଅଳି କଲାପରି କହିଲା l 


--ପଚାଶ ଟଙ୍କା କ'ଣ ? ଆମର ବେଶି କିଛି ନାହିଁ l ଦୁଇଟା ଟ୍ରଲି ବ୍ୟାଗ୍, ଆମେ ନିଜେ ନେଇ ଉଠି ପାରିବୁ l ତିରିଶ ଟଙ୍କା ନେବ ଯଦି କୁହ, ନହେଲେ ଯାଅ l


  ପିଲାଟା ଏଥର ମୋ ଆଡେ ଦେଖିଲା l ତା ଆଖିକୁ ଦେଖି କାହିଁକି କେଜାଣି ମୋ ହୃଦୟରେ ଦୟା ଓ ମାୟା ଦୁଇଟିଯାକ ଏକାବେଳେ ଜାଗିଉଠିଲା l ପିଲାଟା ମୋତେ କହିଲା, "ନାନୀ, ଚାଳିଶଟଙ୍କା ଦିଅ l ତିରିଶରେ କେହି ରାଜିହେବେନି l "


  ମୁଁ କିଛି କହିବା ଆଗରୁ ତନୁ ରାଗରେ କହିପକେଇଲା, "କେହି ରାଜିନହୁଅନ୍ତୁ l ଆମେ କାହାକୁ ଡ଼ାକୁନୁ l ଆମର କୁଲି ଦରକାର ନାହିଁ l ତୁମେ ଗଲ ଏଠୁ " l


--ଦିଦି, ରାଗୁଛନ୍ତି କାହିଁକି ? ହଉ ହେଲା ସେହି ତିରିଶ ଦେବେ l ଚାଲନ୍ତୁ l ଲଗେଜ୍ ମୋତେ ଦିଅନ୍ତୁ l 


  ଆମ ଟ୍ରେନ୍ ଆସିଯାଇଥାଏ l ପିଲାଟା ଆମ ଜିନିଷ ନେଇ ଆଗେ ଆଗେ ଗଲା ଆଉ ଆମେ ତା' ପଛେ ପଛେ l ଆମେ ଟ୍ରେନ୍ ରେ ଚଢ଼ିଲୁ l ପିଲାଟା ଆମ ବ୍ୟାଗ୍ ଦୁଇଟା ବଡ଼ ଯତ୍ନରେ ରଖିଲା l ମୁଁ ତା'କୁ ମୋ ପର୍ସରୁ ଚାଳିଶ ଟଙ୍କା କାଢି ଦେଲି l ସେ ଟିକେ ହସିଦେଲା l ତନୁ ରାଗିକରି ମୋ ଆଡେ ଦେଖୁଥିଲା l ମୋର ସେତିକିବେଳେ ମନେ ପଡିଲା ମୋର ଆଉ ଗୋଟେ ହ୍ୟାଣ୍ଡ୍ ବ୍ୟାଗ୍ ରହିଗଲା ଯୋଉଥିରେ ମୋର ପାଣିବଟଲ୍ ଓ ଖାଇବା ଟିଫିନ୍ ସହ ଚଷମା ଖୋଳଟା ବି ଥିଲା l ମୁଁ ବ୍ୟସ୍ତ ହେଇ ତନୁ କୁ କହୁଥିଲି, ପିଲାଟା ଡିଆଁଟେ ମାରି ତଳକୁ ଓହ୍ଲେଈ ପଡିଲା l ତନୁ କହିଲା, " ଦେଖିଲୁଟି, କେଡେ ଜୋରରେ ସେ ଗଲା l ଏମାନଙ୍କୁ ବିଶ୍ୱାସ ନାହିଁ l ଯାଆ ଜଲ୍ଦି ନହେଲେ ସେ ତୋ ବ୍ୟାଗ୍ ନେଇ ଚମ୍ପଟ୍ ମାରିବ l "


  ତନୁ ଟ୍ରେନ୍ ରେ ଥିଲା, ମୁଁ ଓହ୍ଲେଇବାକୁ ଆସୁଥିଲି ଦୂରରୁ ଦେଖିଲି ସେହି ପିଲାଟା ମୋ ବ୍ୟାଗ୍ ଧରି ଆମରି ଆଡକୁ ଆସୁଛି l ସେ ଦୌଡ଼ି ଦୌଡ଼ି ଆସି ମୋ ବ୍ୟାଗ୍ ଟା ମୋ ହାତକୁ ଦେଲା ଓ ଧଇଁସଇଁ ହେଇ କହିଲା, "ନାନୀ, ଆପଣଙ୍କ ବ୍ୟାଗ୍ ଟା ସେହି ବେଞ୍ଚ୍ କଡରେ ଥିଲା l ଯାହେଉ କାହା ନଜରକୁ ଆସିନି l "


 ମୁଁ ତା'କୁ " ଥ୍ୟାଙ୍କ ୟୁ " କହିଲି l ସେ ପୁଣି ହସିଲା l ତନୁ ତା'କୁ ପଚାରିଲା, "ଓଡ଼ିଶାରେ ତୁମ ଘର କୋଉଠି ? "


--ଜଗତସିଂହପୁର ରେ ଗୋଟେ କୋଉଠି l ଆମେ ତ ପିଲାବେଳୁ ଏଇଠି l ଗାଁ କୁ କେବେ ଯାଇନି l 


--ଆଚ୍ଛା, ତୁମେ ମୋତେ ଦିଦି ଆଉ ତା'କୁ ନାନୀ କାହିଁକି ଡ଼ାକୁଛ ? 


"ଦୁଇଜଣଙ୍କୁ ଦିଦି କହିଲେ କାହାକୁ କହୁଛି କାଳେ ଜାଣିପାରିବେନି, ସେଥିପାଇଁ ଜଣଙ୍କୁ ଦିଦି ଆଉ ଜଣଙ୍କୁ.. " l ପିଲାଟା ଅଧା କଥା କହିଛି ତନୁ ତା'କୁ ଅଟକେଇ କହିଲା, "ଥାଉ ଥାଉ ଆଉ ଏତେ ଏକ୍ସପ୍ଲେନ୍ କରନା" l 


 ମୁଁ ହାତ ଘଣ୍ଟା ଦେଖିଲି, ସେତେବେଳକୁ ଟ୍ରେନ୍ ଛାଡିବାକୁ ଆହୁରି ପଇଁଚାଳିଶ ମିନିଟ୍ ବାକିଥିଲା l ମୁଁ ମୋ ବ୍ୟାଗ୍ ଖୋଲି ପାଣି ପିଇଲି l ସେ ପିଲା ତଥାପି ଯାଇନଥାଏ l ତନୁ ବସି ମୋବାଇଲ୍ ଟିପୁଥାଏ l ମୁଁ ପିଲାଟାକୁ ପଚାରିଲି, "ଆଉ କ'ଣ କହିବ? " l ସେ ମୁଣ୍ଡ ହଲେଇ ନାହିଁ କଲା ଆଉ ଓଲଟା ମୋତେ କହିଲା, "ନାନୀ ଆପଣଙ୍କର କ'ଣ ଦରକାର କି କୁହନ୍ତୁ ମୁଁ ଆଣି ଦେଇଯିବି l "


 ତା'ର ଏତେ ଧିର ନମ୍ର କଥା ମୋତେ ଭାରି ଆପଣାର ଲାଗିଲା l ମୋତେ ସବୁଠାରୁ ବେଶି ଭଲ ଲାଗୁଥିଲା ତା'ର ନାନୀ ଡାକ l ମୁଁ ମନାକରି କହିଲି,"ଆମର ଆଉ କିଛି ବି ଦରକାର ନାହିଁ l ତୁମେ ଯାଅ ଆଉ କିଏ ଲଗେଜ୍ ପାଇଁ ଖୋଜୁଥିବ l ଏଠି ଆଉ ସମୟ ନଷ୍ଟ କରନା l "


  ସେ ଚାଲିଗଲା l କିଛି ସମୟ ପରେ ପୁଣି ଫେରିଲା ଗୋଟେ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଲଗେଜ୍ ସହ ଧରି l ସେ ପୁଣିଥରେ ମୋ ଆଡେ ଦେଖି ହସିଲା l ମୁଁ ଲକ୍ଷ କଲି ତା'ର ଏମିତି ଆମକୁ ଦେଖି ହସିବାରେ ତନୁ ଖୁବ୍ ବିରକ୍ତ ବୋଧ କଲାଣି l ସେଥିପାଇଁ ମୁଁ ତା' ଆଡୁ ମୁହଁ ଫେରେଇ ନେଉଥିଲି, ସେ ପୁଣି ଆମ ଆଡକୁ ଆସିଲା ଆଉ ତନୁ କୁ ଉଦେଶ୍ୟ କରି କହିଲା, "ଦିଦି ଦୁର୍ଗାପୂଜା ପାଇଁ ଘରକୁ ଯାଉଛନ୍ତି ନାଁ ? ହାପି ଜର୍ଣ୍ଣି ଦିଦି l " l ତନୁ ବି ଏଥର ହସିଦେଲା l ମୁଁ ତା'କୁ ପଚାରିଲି, " ତୁମ ନାଁ କ'ଣ? " l 


--ଅଜୟ l ମୋତେ ଆପଣ ଅଜୁ ଡାକି ପାରିବେ l


"ହଉ ଅଜୁ ବାୟ", ମୁଁ କହିଲି l 


ସେ ଟ୍ରେନ୍ ରୁ ଓହ୍ଲେଇଛି କି ନାହିଁ ତନୁ ମୋ ଉପରେ ରାଗିକି କହିଲା, " ତା'କୁ ଟାଟା ବାୟ କରିବା କ'ଣ ଦରକାର ଥିଲା ? ତୁ ସତରେ ଜାଣିପାରୁନଥିଲୁ ସେ କେମିତି ଲାଇନ୍ ମାରୁଥିଲା ? ଶଃ.. ନିଜ ଷ୍ଟାଣ୍ଡାର୍ଡ୍ ଭୁଲିଯାଉଛନ୍ତି ! କୁଲି, କୁଲି ଭଳି ରହିବା ଦରକାର l ଓଡ଼ିଆ ହେଲୁ ବୋଲି କ'ଣ ଆମେ ତୋତେ ବାହାହେଇପଡିବୁ ନା କ'ଣ ? "


--ଛାଡ୍ ନା ତନୁ l ଛୋଟ ପିଲାଟା ପରି ଦିଶୁଛି l ଆମକୁ ଦିଦି ଡାକୁଥିଲା l ଛାଡ୍ ସେକଥା l 


  ଆମେ ତା' କଥା ଛାଡ଼ି ନିଜ ନିଜ ମୋବାଇଲ୍ ଧରି ବସିଗଲୁ l ଟ୍ରେନ୍ ଧିରେ ଧିରେ ଗଡ଼ିବା ଆରମ୍ଭ କଲା l ମୁଁ ମୋବାଇଲ୍ ଟା ଧରି ମାଆର ନମ୍ବର୍ ଡାଏଲ୍ କରୁଥିଲି ତଳୁ ଗୋଟେ ସ୍ୱର ଠିକ୍ ମୋ ଝର୍କା ସେପଟୁ ମୋତେ ଶୁଭାଗଲା, " ହଁ ମୁଁ ରିଙ୍କୁ କହୁଛି " l ମୁଁ ସଙ୍ଗେ ସଙ୍ଗେ ଝର୍କା ବାଟେ ତଳକୁ ଦେଖିଲି କିଛି ଲୋକ ଏପଟ ସେପଟ ହେଉଥିଲେ l କିଏ ସେହି ବାକ୍ୟଟି କହୁଥିଲା ମୁଁ ଜାଣିପାରିଲିନି l ମୁଁ ପୁଣି ମୁହଁ ଫେରେଇ ଆଣୁଥିଲି କିଏ ଜଣେ ବଡ଼ ପାଟିରେ ଡାକିବା ଶୁଣିଲି, "ନାନୀ, ବାୟ ବାୟ ନାନୀ.. " l ଆଉଥରେ ଅନେଇଲା ବେଳକୁ ଟ୍ରେନ୍ ର ବେଗ ଖୁବ୍ ବଢିଯାଇଥିଲା l ମୁଁ କିଛି ବି ଜାଣିପାରିଲିନି l ମୁଁ ମୋ ପର୍ସ୍ ଖୋଲି ମୋବାଇଲ୍ ଟା ରଖିଲି l ମୁଁ ଦେଖିଲି ମୋ ପର୍ସ୍ ର ମଝି ଚେନ୍ ଟା ଖୋଲା ଅଛି l "ଆରେ, ମୁଁ ତ ଅନ୍ୟମନସ୍କତାରେ ମୋର ସେ ପୁରୁଣା କୋଡିଏ ଟଙ୍କିଆ ନୋଟ୍ ଟାକୁ ବି ସେ ପିଲାକୁ ଦେଇଦେଇଛି l"


"ଭଲ ହେଲା ସେ ପିଲା ନେଇଗଲା l ଯାହାହେଉ ଗୋଟେ କାମରେ ଲାଗିଲା l ",ତନୁ ମୋବାଇଲ୍ ଟିପୁ ଟିପୁ କହିଲା l


  ଆମେ ଭଲରେ ଭଲରେ ଆସି ଓଡିଶାରେ ପହଞ୍ଚିଲୁ l ବାପା ଷ୍ଟେସନ୍ ଆସିଥିଲେ ମୋତେ ନେବାକୁ l ମାଆ ମୋର ବାଟ ଚାହିଁ ବସିଥିଲା l ମୋତେ ଦେଖୁ ଦେଖୁ କାନ୍ଦିପକେଇଲା l ଜେଜେମାଆର ବୟସ ବହୁତ ଅଧିକ ହେଇଗଲାଣି l ସେ ଆଉ ବିଛଣାରୁ ଉଠିପାରୁନି l ଭଲକରି କିଛି ବୁଝି ପାରୁନି l ତଥାପି ମୋ ଆସିବା ଖବର ଶୁଣି ଭାରି ଖୁସିଥିବା ଜଣାପଡୁଥିଲା l


   ମୁଁ ଘରକୁ ଆସିବାପରେ ମୋର ସେହି ପୁରୁଣା ଦିନର କଥା ବହୁତ ମନେ ପଡିଲା l ଗୋରୀଆଈ ଆଉ ରିଙ୍କୁ ବି ବହୁତ ମନେପଡିଲେ l ମୁଁ ସ୍କୁଲ୍ ପାଠ ସାରି କଲେଜ୍ ର ହଷ୍ଟେଲ୍ ରେ ରହି ପଢିବା ଓ ଚାକିରୀ କରିବା ଭିତରେ ଏତେଗୁଡ଼ାଏ ବର୍ଷ ବିତିଗଲାଣି, ହେଲେ ଆଜିଯାଏଁ ସେମାନଙ୍କ କଥା ଏତେ ବେଶି କେବେ ମନକୁ ଆସିନଥିଲା l ସତ କହିବାକୁ ଗଲେ ମୁଁ ଆଉ କେବେ କୌଣସି ଦିନ ସେ ଗାଁର କଥା କାହାକୁ ପଚାରିନଥିଲି l କିନ୍ତୁ ଏବେ ଏତେ ମନେପଡିବାରୁ ରିଙ୍କୁ କେତେ ବଡ଼ ହେଲାଣି ଆଉ କ'ଣ କରୁଛି ଜାଣିବାକୁ ଭାରି ଇଚ୍ଛା ହେଲା l ମୁଁ ସନ୍ଧ୍ୟାରେ ମୋ ସାନଜେଜେଙ୍କ ଘରକୁ ଗଲି l 


   ସାନଜେଜେମାଆ ଆଜି ବି ସେମିତି ସୁସ୍ଥ ଓ କର୍ମଠ ଅଛନ୍ତି l ମୋତେ ଦେଖିବା କ୍ଷଣି ସଙ୍ଗେ ସଙ୍ଗେ ମୋ ପାଇଁ ଖାଇବା ବ୍ୟବସ୍ଥାରେ ଲାଗିପଡ଼ିଲେ l ମୁଁ ସାନଜେଜେଙ୍କ ପାଖରେ ବସି ତାଙ୍କୁ ମୋ ଚାକିରୀ ଓ ବାଙ୍ଗାଲୋର୍ ବିଷୟରେ ଅନେକ କଥା ଶୁଣାଉଥିଲି, ସାନଜେଜେମାଆ ଚା' ଆଉ ପକୁଡି ଧରି ଆସିଲେ l ମୁଁ ତାଙ୍କ ସହ ଏଣୁ ତେଣୁ ଦୁଇପଦ କଥା ହେଇସାରି ଗୋରୀଆଈଙ୍କ କଥା ପଚାରିଲି l ସେ ଗୋରୀଆଈଙ୍କ ନାଁ ଶୁଣି ଆଖି ଓଦା ଓଦା କରିପକେଇଲେ ଓ କହିଲେ, " ଚିନୁ, ତୁ ମନେ ରଖିଛୁ ତାଙ୍କୁ ? କେଡ଼ିକି କୁନିଟେ ହେଇଥିଲୁ ଆମ ସଙ୍ଗେ ଯାଇଥିଲୁ ! ଭାଉଜ କ'ଣ ଅଛନ୍ତି କିଲୋ ? ଚାଲିଗଲେ ପା ଗଲାବର୍ଷ l"


--କେମିତି ଜେଜେମାଆ ? 


--ବୟସ ବେଶି ହେଇନଥିଲା l ମାଙ୍କଡ଼ ଗୋଡାଉ ଗୋଡାଉ ତାଙ୍କର ଯେଉଁ ଘର ପଛ ପଟ ଉଚ୍ଚା ପିଣ୍ଡିଟା ଅଛି, ସେଇଠୁ ତଳକୁ ଖସି ପଡିଲେ l ପଡିଲେ ଯେ ପଡିଲେ, ବିଛଣା ଧରିନେଲେ l ମାସେ ଦୁଇମାସ ଖୁବ୍ ଭୋଗିଲେ l ପାରାଲିସିସ୍ ହେଇଗଲା ପରା l ସେଇଥିରେ ଚାଲିଗଲେ l 


 ଗୋରୀଆଈଙ୍କ କଥା ଶୁଣି ମୋତେ କାନ୍ଦ ଲାଗିଲା l ମୁଁ ପୁଣି ପଚାରିଲି, "ଆଉ ସେ ଯେଉଁ ପିଲାଟା ମୋ ସାଙ୍ଗରେ ଖେଳୁଥିଲା, ରିଙ୍କୁ ? ସେ ଏବେ କ'ଣ କରୁଛି ଜାଣିଛ କି ନାହିଁ ? "

--ମୁଁ ତ ଆଉ ମାଆ ସେଆଡେ ଯାଉନାହିଁ l ଭାଇ ବି ଭାଉଜ ଗଲାଦିନରୁ ସେଠି ଆଉ ରହୁନାହାଁନ୍ତି l ତାଙ୍କ ପୁଅ ବୋହୂଙ୍କ ପାଖରେ କଟକ୍ ରେ ରହୁଛନ୍ତି l ରିଙ୍କୁ ବିଷୟରେ ବେଶି କିଛି ଜାଣିନି l ସେ ଏବେ କୋଉଠି ଅଛି କେଜାଣି ? ଅନେକ ଦିନ ତଳେ, ମାନେ ଆଠବର୍ଷ ଖଣ୍ଡ ତଳେ ଯାହା ଶୁଣିଥିଲି, ବନ୍ଦନା ମାନେ ରିଙ୍କୁର ମମି ଆଉଥରେ ବାହାହେଇଗଲା l ସେ କାଳେ କାହାକୁ ଭଲ ପାଇଥିଲା, ସେଥିପାଇଁ ସ୍ୱାମୀକୁ ଛାଡ଼ି ପଳେଇ ଆସି ବାପଘରେ ରହୁଥିଲା l ଅନେକ ସମୟରେ ସେ ରିଙ୍କୁକୁ ମୋ ଭାଉଜଙ୍କ ଜିମା ଦେଇ କୁଆଡେ ପଳାଏ l ଭାଉଜ ତ ପିଲା ରଙ୍କୁଣି l ରିଙ୍କୁକୁ ପ୍ରାୟ ସମୟରେ ଆଣି ପାଖରେ ଶୋଇପକାନ୍ତି l ବନ୍ଦନା ଦିନେ ଗଲା ଯେ ଆଉ ଆସିଲାନାହିଁ l ରିଙ୍କୁକୁ ଦେଖିବାକୁ ବି ଆସିଲାନାହିଁ l ରିଙ୍କୁ ତା ଅଜା ଆଈଙ୍କ ପାଖରେ ଥିଲା l ରିଙ୍କୁର ବାପ ବି ତାକୁ ନେବାକୁ ଆସିଲାନି l ସେ ବି ବାହାହେଇଯାଇଥିବ ଆଉଥରେ l ଶୁଣିଥିଲି ରିଙ୍କୁ ପାଠ ପଢା ଛାଡ଼ି ସାଇକେଲ୍ ରେ ବୁଲି ବୁଲି ଖବରକାଗଜ ପକାଉଥିଲା, ଜଳଖିଆ ଦୋକାନରେ ବି କିଛି କାମ କରୁଥିଲା l କିନ୍ତୁ ତା ଅଜା ଆଈ ଅଚାନକ୍ ଗୋଟେ ବର୍ଷ ଭିତରେ ଜଣଙ୍କ ପରେ ଜଣେ ହେଇ ମରିଗଲା ପରେ ସେ ବି ଗାଁ ଛାଡ଼ି କୁଆଡେ ପଳେଇଲା l ସେବେଠୁ ତ ଆଉ ଗାଁକୁ ଫେରିନାହିଁ l କୁଆଡେ ଗଲା କେଜାଣି ? 


   ସାନଜେଜେମାଆଙ୍କ କଥା ଶୁଣି ପାଟିକୁ ନେଇଥିବା ପକୁଡି ଖଣ୍ଡଟା ମୋର ସେମିତି ଦରଖିଆ ହେଇ ପାଟିଭିତରେ ରହିଗଲା l ଦୁଇ ଆଖି ମୋର ପାଣିରେ ଭର୍ତ୍ତି ହେଇ ମୋତେ ସବୁକିଛି ଜାଲଜାଲୁଆ ଦିଶିଲା l ରିଙ୍କୁ ପରି ଏତେ ସରଳ ନିରୀହ ପିଲା ସହ ଏତେସବୁ ଘଟିଯାଇଛି ଭାବି ମୋ ଛାତି ଭିତରେ ଭୀଷଣ ଯନ୍ତ୍ରଣା ହେଲା ଓ ସେହି ଯନ୍ତ୍ରଣା ମୋତେ ଅତୀତର ସେ କୁନି ପୁଅ ରିଙ୍କୁର କଅଁଳ ସୁନ୍ଦର ମୁହଁଟାକୁ ମୋ ଲୁହ ଭର୍ତ୍ତି ଆଖି ସାମ୍ନାକୁ ଟାଣି ଆଣୁଥିଲା l ହଠାତ୍ କାହିଁକି କେଜାଣି କୁନି ରିଙ୍କୁର ମୁହଁଟା ମୋତେ ସେ କୁଲି ଅଜୟର ମୁହଁ ପରି ଦିଶିଲା l 


  ମୋତେ ଏମିତି ପକୁଡି ଟେ ହାତରେ ଧରି ସ୍ଥାଣୁ ହେଇବସିଥିବାର ଦେଖି ସାନଜେଜେମାଆ କହିଲେ, "କିଲୋ ଚିନୁଆ, କ'ଣ ହେଲା ? ଖାଉନୁ କ'ଣ? ଭଲ ଲାଗୁନି ବୋଧେ ? "


"ନାଇଁ ଜେଜେମାଆ, ଟ୍ରେନ୍ ରେ ଏଣୁ ତେଣୁ ଖାଇ ପେଟ ଖରାପ ହେଇଯାଇଛି ତ ଖାଇପାରୁନି ",ମୁଁ ଆଉ ବେଶି କିଛି କହିପାରିଲିନି l ମୋବାଇଲ୍ ଟା ଧରି 'କାଲି ଦିନରେ ଆସିବି ' କହି ଉଠି ପଳେଇଆସିଲି l


     ଘରେ ଆସି କବାଟ ବନ୍ଦ କରି ଖୁବ୍ କାନ୍ଦିଲି l ମୋତେ କିଛି ଭଲ ଲାଗୁନଥିଲା l ଇଚ୍ଛା ହେଉଥିଲା ପୁଣିଥରେ ସେହି ସଙ୍ଗେ ସଙ୍ଗେ ବାଙ୍ଗାଲୋର୍ ର ସେହି ରେଲୱେ ଷ୍ଟେସନ୍ କୁ ପଳେଇଯିବା ପାଇଁ l 


  ଦୁର୍ଗାପୂଜା ଛୁଟି ପରେ ମୁଁ ମୋ କର୍ମସ୍ଥଳୀକୁ ଫେରିଗଲି l ବାଙ୍ଗାଲୋର୍ ଷ୍ଟେସନ୍ ରେ ପହଞ୍ଚି ଅଜୟ କୁଲି କୁ ମୋ ଦୁଇ ଆଖି ବହୁତ ଖୋଜିଲେ l ସେ କିନ୍ତୁ ମୋତେ କୋଉଠି ଦେଖାଗଲା ନାହିଁ l ଦେଖାହେଇଥିଲେ ମୁଁ ମୋର ସେହି ପୁରୁଣା କୋଡିଏ ଟଙ୍କିଆ ନୋଟ୍ ଟା ତା'ଠୁ ମାଗିରଖିଥା'ନ୍ତି l ତାକୁ ନପାଇ ନିଜ ବ୍ୟାଗ୍ ନିଜେ ଉଠେଇ ଟ୍ୟାକ୍ସି ପାଖକୁ ଆଣିଲି l 


  ସେବେଠୁ ଯେବେବି ମୁଁ ରେଲୱେ ଷ୍ଟେସନ୍ ଯାଏ ଅଜୟ କୁ ଖୋଜେ l ପାଏନି l ଏବେ ତ ମୋର ବାଙ୍ଗାଲୋର୍ ଛାଡ଼ି ସବୁଦିନ ପାଇଁ ଓଡିଶା ଫେରିଯିବାର ସମୟ ହେଇଗଲାଣି, ଅଜୁ କୁ ଆଜିଯାଏଁ ପାଇଲିନି l ଆଉ ଆଜିଯାଏଁ ବି ମୁଁ ବୁଝିପାରିଲିନି ମୁଁ ପ୍ରକୃତରେ ଖୋଜୁଛି କାହାକୁ ? ଅଜୁକୁ ନା ପିଲାଦିନେ ସେହି ଛଅଦିନର ଛୋଟିଆ ସମ୍ପର୍କରେ ମୋତେ ଯିଏ ବାନ୍ଧିଦେଇଥିଲା ସେହି ଛୋଟ ଭାଇ ରିଙ୍କୁକୁ ?


Rate this content
Log in

Similar oriya story from Tragedy