Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lopamudra Mishra

Romance


2.0  

Lopamudra Mishra

Romance


ସାଇକଲ ଘଣ୍ଟି

ସାଇକଲ ଘଣ୍ଟି

16 mins 258 16 mins 258

            ଟ୍ରିଙ୍ଗ୍ ଟ୍ରିଙ୍ଗ୍...ଟ୍ରିଙ୍ଗ୍ ଟ୍ରିଙ୍ଗ୍...ରାଜୁସାର୍ ଙ୍କ ଲ୍ୟାଣ୍ଡ୍ ଫୋନ୍ ଦୁଇ ଦୁଇଥର ରିଙ୍ଗ୍ ହେଇ କଟିସାରିଥିଲା l ସାର୍ ଉଠେଇ ପାରୁନଥିଲେ l ପିଲାଙ୍କୁ ଗୋଟେ କଷ୍ଟିଆ ଗଣିତ ବୁଝେଇବାରେ ବ୍ୟସ୍ତ ଥିଲେ l ସାର୍ ଙ୍କ ମାଆ ଭୟରେ ଫୋନ୍ ପାଖକୁ ଯାଆନ୍ତିନି, କାଳେ କୋଉଦିନ ନିରୁଦ୍ଧିଷ୍ଟ ସ୍ୱାମୀଙ୍କ ବିଷୟରେ କେହି ଅଶୁଭ ସମ୍ବାଦଟେ ଜଣେଇଦେବ ଫୋନ ମାଧ୍ୟମରେ, ସେହି ଭୟରେ l ତୃତୀୟ ଥର ଫୋନ୍ ବାଜି ବନ୍ଦ୍ ହେବା ଆଗରୁ ସାର୍ ରିସିଭ୍ କରିନେଲେ l


ହେଲୋ କିଏ କହୁଛନ୍ତି ? 


ସାର୍ ଜୁଲିର କକାଙ୍କ ଘରେ ନିଆଁ ଲାଗିଯାଇଛି l ଜୁଲିକୁ ଆସିବାକୁ ହେବ l


   ଯିଏ ଫୋନ୍ କରିଥିଲା ସେ ତା' ନାଁଟା ନକହି ଫୋନ୍ କାଟିଦେଲା ସେପଟରୁ l ରାଜୁସାର୍ ସେଦିନ ସେହି ସଙ୍ଗେ ସଙ୍ଗ ଜୁଲିକୁ ଛୁଟି କରିଦେଇଥିଲେ l ଜୁଲି ସାଙ୍ଗରେ ସେହି ଗାଁର ପିନୁ, ରୋମି, ଆଶା, ସୋମୁ ଆଉ ଜଗୁ ବି ଦୌଡି ଦୌଡ଼ି ଆସିଥିଲେ ଘର ପୋଡିର ଦୃଶ୍ୟ ଦେଖିବା ପାଇଁ l ସେମାନେ ଆସି ଦେଖିଲେ ଜୁଲିର କକାଙ୍କର ଘର ନୁହେଁ ବରଂ ଗୋଟେ ଛୋଟ ଛଣଗଦା ଜଳି ଯାଇଛି l 


  ଜୁଲି ଓ ତା'ର ସାଙ୍ଗମାନେ ନିଆଁ ଲାଗିବା କଥା କେମିତି ଜାଣିଲେ ବୋଲି ସେମାନଙ୍କ ଘରଲୋକ ପଚାରିଲାରୁ ସେମାନେ କହିଲେ କେହି ଜଣେ ସାରଙ୍କୁ ଫୋନ୍ କରି କହିଲା l ସେ ଲୋକ କିଏ ଓ ସେ କାହିଁକି ଏହିକଥାଟା କହିବା ପାଇଁ ରାଜୁସାରଙ୍କୁ ଫୋନ୍ କରିଥିଲା ସେ କଥା ସେବେ କିମ୍ବା ଆଉ କେବେ ବି କେହି ଜାଣିପାରିନଥିଲେ l 


   ଟ୍ୟୁସନ୍ ଛୁଟି ହେଇଯାଇଥିଲା l ଛଣଗଦାରୁ ନିଆଁ ମଧ୍ୟ ଲିଭିଯାଇଥିଲା l ଅନେକ ଦିନ ପରେ ଜୁଲିକୁ ସେଦିନ ସଂଧ୍ୟାରେ ଟିକେ ପଢ଼ାପଢିରୁ ଫୁରସତ ମିଳିଥିଲା l ଜୁଲି ପଢ଼ାଘରେ ବ୍ୟାଗ୍ ରଖି ଦାଣ୍ଡ ଉପରକୁ ଚାଲିଆସିଲା l ଚାଲି ଚାଲି ମନ୍ଦିର ଆଡ଼େ ଯାଉଥିଲା ଯେଉଁଠି ଗାଁର ଝିଅମାନେ ସଞ୍ଜବତୀ ଜାଳିବାକୁ ଆସି କିଛି ସମୟ ଗପସପ କରନ୍ତି ଓ ସନ୍ଧ୍ୟା ଆଳତୀ ଦେଖିସାରି ଘରକୁ ଫେରନ୍ତି l ଜୁଲି ମନ୍ଦିର ପାଖାପାଖି ହେବାକୁ ଯାଉଛି ପଛରୁ ଟିଂ ଟିଂ ହେଇ ଗୋଟେ ସାଇକେଲର ଘଣ୍ଟି ବାଜିଉଠିଲା l ଜୁଲି ବୁଲିକି ଚାହିଁଲା ପଛକୁ l ପଛରେ ସାଇକେଲ୍ ସିଟ୍ ଉପରେ ଅଧା ବସି, ତଳେ ବାମପାଦକୁ ଲଗେଇ ଠିଆ ହେଇଥିଲା ଚିକୁ l


ଜୁଲି ! ମନ୍ଦିର ଯାଉଛୁ ? 


--ହଁ l


--କାଲି ସ୍କୁଲ୍ ଯିବୁ ? 


--ମୁଁ ସବୁଦିନ ସ୍କୁଲ୍ ଯାଏ l


--ହଁ ଜାଣେ l ଶୁଣୁ, ଗୋଟେ କଥା କହିବାରେ ଥିଲା l


--ମୁଁ ଶୁଣିପାରିବିନି l


  ଜୁଲି ମୁହଁ ଝିଞ୍ଜାଡ଼ି ପଳେଇଆସିଲା ମନ୍ଦିର ଆଡ଼କୁ l ଚିକୁ ସେହି ଗଳି ରାସ୍ତାରେ ଅନ୍ଧାରରେ ସାଇକେଲ୍ ଧରି ସେମିତି ଠିଆ ହେଇ ରହିଥିଲା l ଜୁଲିକୁ ଗାଁର ଅନ୍ୟ ଝିଅମାନେ ମନ୍ଦିର ପାଖରେ ବୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ l "ପାଠ ବହି ଛାଡ଼ି ଏ ଝିଅ ସଞ୍ଜବେଳେ ଏଠି କେମିତି? ", ସେମାନେ କୁହାକୁହି ହେଉଥିଲେ l 


   ଜୁଲି ସବୁବେଳେ କ୍ଲାସରେ ଫାର୍ଷ୍ଟ୍ ହୁଏ l ପ୍ରଥମରୁ ନବମ ଆଜିଯାଏଁ ତା'କୁ ସେହି ପ୍ରଥମ ସ୍ଥାନରୁ କେହି ହଟେଇ ପାରିନାହାଁନ୍ତି l ଶ୍ରେଣୀରେ ପ୍ରଥମ ହେଉଥିବାର ଗର୍ବ ହେଇଥାଉ କିମ୍ବା ବାପାଙ୍କ ପ୍ରତିପତ୍ତିର ଅହଙ୍କାର ରହିଥାଉ, ଏଥିରୁ ନିଶ୍ଚୟ ଗୋଟାଏ କାରଣରୁ ହିଁ ଜୁଲି ଖୁବ୍ ଗମ୍ଭୀର ଓ ଗର୍ବୀ l ସ୍କୁଲରେ ନିଜ ଶ୍ରେଣୀର ଦୁଇ ଚାରିଜଣ ଝିଅସାଙ୍ଗଙ୍କୁ ବାଦଦେଲେ ସେ ଆଉ କାହା ସହ ଭଲରେ କଥା ପଦେ ହୁଏ ନାହିଁ l ପୁଅମାନଙ୍କୁ ତା'ର ପ୍ରବଳ ଘୃଣା l କଥା କଥାକେ ସେ ତା' କ୍ଲାସର ପୁଅମାନଙ୍କ ଉଦ୍ଦେଶ୍ୟରେ ତା' ପାଖରେ ବସୁଥିବା ଆଶା ଆଉ ପିନୁଙ୍କୁ କହେ, "ଛିଃ..ମୂର୍ଖ ପିଲାଗୁଡ଼ାକ l ପାଠ ଶାଠ କିଛି ନାହିଁ, ସ୍କୁଲ୍ ଚାଲିଆସୁଛନ୍ତି ଗୋଟେ ଫାର୍ଶ୍ କରିବାକୁ " l


   ଚିକୁ ପଢେ ଜୁଲିର ଉପର ଶ୍ରେଣୀରେ l ଚିକୁ ରହେ ତା' ପିଉସୀ ଘରେ l ଷଷ୍ଠଶ୍ରେଣୀରୁ ସେ ନିଜ ଘର ଛାଡ଼ି ଆସି ଏହି ଜୁଲିଘର ଗାଁରେ ପିଉସୀଘରେ ରହି ପଢୁଛି l ଚିକୁ ସବୁବେଳେ ସଫା ସାର୍ଟ୍ ପ୍ୟାଣ୍ଟ୍ ପିନ୍ଧିଥାଏ,ତା' ମୁଣ୍ଡର ବାଳ ସବୁବେଳେ ଚିକ୍କଣ ଓ ସଜଡ଼ା l ତା' ସୁନ୍ଦର ଗୋରା ମୁହଁକୁ ବଡ଼ ବଡ଼ ତା'ର ଆଖି ଦୁଇଟି ବେଶ୍ ମାନେ l ଆଉ ସେହି ବଡ଼ ବଡ଼ ଆଖିରେ ସେ ସବୁସମୟରେ ଜୁଲିକୁ ହିଁ ଦେଖୁଥାଏ l ଜୁଲି ତା' ସାମ୍ନାରେ ଥିଲେ ଦେଖୁଥାଏ, ନଥିଲେ ବି ଦେଖୁଥାଏ l 


   ଚିକୁର ପିଉସୀ ଚିକୁକୁ ଅଷ୍ଟମ ଶ୍ରେଣୀରେ ଗୋଟେ ନୂଆ ସାଇକେଲ୍ କିଣିଦେଇଥିଲେ l ଚିକୁର ସାଇକେଲ୍ କିଣାଯିବାର ଅଳ୍ପ କେଇଦିନ ଭିତରେ ଦିନରେ ଅତିକମରେ ପାଞ୍ଚରୁ ଛଅ ଥର ଜୁଲି ଘର ସାମ୍ନାରେ ତା' ଘଣ୍ଟି ଟିଂ ଟିଂ ହେଇ ବାଜିଉଠେ l 


    ଚିକୁର ନବମ ଆଉ ଜୁଲିର ଅଷ୍ଟମ ହେଇଥିଲା l ରାଜୁସାର୍ ସେଦିନ ଦୁଇଟି ଶ୍ରେଣୀର ପିଲାଙ୍କୁ ଏକାଠି ପଢାଉଥିଲେ l ନବମ ପିଲାଙ୍କୁ କିଛି ଗଣିତ ସମାଧାନ କରିବାକୁ ଦେଇ ଅଷ୍ଟମ ପିଲାଙ୍କୁ ପାଠ ବୁଝାଉଥିଲେ l ନବମ ପିଲାଙ୍କର ଖାତା ଦେଖା ସମୟ ଆସିଲା l ତିନିଜଣ କେବଳ ସଠିକ୍ ଧାରାରେ ଅଙ୍କ କଷି ପାରିଥିଲେ l ଚିକୁ ତ ଏମିତି ଅଦ୍ଭୁତ ଢଙ୍ଗରେ ସେହି ବୀଜଗଣିତର ପ୍ରଶ୍ନକୁ ସମାଧାନ କରିଥିଲା ଯେ ନିଜେ ରାଜୁସାର୍ ହସି ହସି ତା'କୁ ଖୁବ୍ ଉପହାସ କରିଥିଲେ l ସାର୍ ତା'ପରେ ଜୁଲି ପାଖକୁ ଆସି ଚିକୁର ଖାତା ଦେଖେଇଥିଲେ l ଜୁଲି ବି ହସିଲା l ସାର୍ କହିଥିଲେ, "ଏଇ ଅଙ୍କଟା ଏ ଅଷ୍ଟମ ଶ୍ରେଣୀ ଝିଅ ଜୁଲି ବି କରିଦେବ l ଗଧ କୋଉଠିକାର, ଏଇ ସାମାନ୍ୟ ଗଣିତ ତୁମ ମାନଙ୍କ ମୁଣ୍ଡକୁ ପଶୁନି? ଜୁଲି ଏଇ ପ୍ରଶ୍ନଟା ଆସିବ ତତେ ? " l ଜୁଲି ମୁଣ୍ଡ ହଲେଇ 'ହଁ' କହିଲା ଓ ସାର୍ ଙ୍କ ଠାରୁ ଚକ୍ ଖଡ଼ି ନେଇ କଳାପଟା ପାଖକୁ ଗଲା l ନିର୍ଭୂଲ ଭାବେ ନବମ ଗଣିତକୁ କଳାପଟାରେ ସମାଧାନ କରି ଦେଖେଇଦେଲା l ଅଙ୍କ ଭୂଲ କରିଥିବା ନବମର ସେହି ପିଲାମାନେ ମୁଣ୍ଡ ତଳକୁ କରି ବସିଥିଲେ l ଜୁଲି ଗର୍ବର ସହ ଦୁଇ ଓଠକୁ ଭିତରକୁ ଚାପି ଚାପି ଆସି ନିଜ ଜାଗାରେ ବସିଗଲା l 


  ଜୁଲିକୁ ସାଇକେଲ୍ ଚଲେଇବାକୁ ଡର ଲାଗୁଥିବାରୁ ସେ ସାଇକେଲ୍ ଚଲା ଶିଖିପାରିନଥିଲା l ସେଥିପାଇଁ ବାପାଙ୍କ ସଙ୍ଗେ ସ୍କୁଟରରେ ବସି ସ୍କୁଲ୍ ଯାଏ ଓ ଟ୍ୟୁସନ୍ ଯାଏ ଚାଲି ଚାଲି l ସେଦିନ ଟ୍ୟୁସନ୍ ଛୁଟିପରେ ଜୁଲି ଏକା ଏକା ଚାଲି ଚାଲି ଘରକୁ ଫେରୁଥିଲା l ପଛରୁ ଚିକୁର ସାଇକେଲ୍ ଘଣ୍ଟି ଟିଂ ଟିଂ ହେଲା l ଜୁଲି ପଛକୁ ବୁଲି ଦେଖିଲା l ଚିକୁ ସାଇକେଲରେ ବ୍ରେକ୍ ଲଗେଇ ଓହ୍ଲେଇ ପଡ଼ିଲା l 


--ଜୁଲି, ବସ୍ ପଛରେ ମୁଁ ଛାଡ଼ିଦେବି l


--ନାଁ l


--ହଉ ମୁଁ ତୋ ସାଙ୍ଗରେ ଗଡେଇ ଗଡେଇ ଯିବି l


--ନାଁ ତୁ ଯାଆ l


--ତୁ ଏମିତି କାହଁକି ରାଗୁଚୁ ? 


--ମୁଁ ମୂର୍ଖ ପିଲାଙ୍କୁ ଘୃଣା କରେ l


  ଚିକୁକୁ ଖରାପ ଲାଗିଲା l ସେ ଟିକେ ସମୟ ଚୁପଚାପ୍ ସାଇକେଲ୍ ଗଡେଇ ଗଡେଇ ଗଲା ଓ ପରେ ପୁଣି ଚଲେଇକି ପଳେଇଲା l ସେ ପଛକୁ ବି ଥରେ ବୁଲିକି ଦେଖିଲା l ଜୁଲି କିନ୍ତୁ ତାକୁ ଦେଖୁନଥିଲା l 


    ଜୁଲି ଜାଣିସାରିଥିଲା ଚିକୁ ତା'ର ପିଛା କରୁଚି l ସେ କିନ୍ତୁ ଘରେ ଏ ବିଷୟରେ କିଛି କହିନଥିଲା l କଣ୍ କହିବ ଓ କାହାକୁ କହିବ? ତା'କୁ କାହଁକି କେଜାଣି ଖରାପ ବି ଲାଗେ ଏସବୁ କଥା ଘରେ କାହା ଆଗରେ କହିବାକୁ l ସେ ଯେତେବେଳେ ବି ମାଆ, ଜେଜେମାଆ, ବାପା ଆଉ ଜେଜେଙ୍କ ସହ ଘରେ ସ୍କୁଲ ବିଷୟରେ କଥା ହୁଏ କେବଳ ପାଠପଢ଼ା କଥା ହିଁ କହେ l ଛୋଟ ଭାଇ ବୁବୁ ତା' ଠାରୁ ବହୁତ ସାନ l ଚତୁର୍ଥ ଶ୍ରେଣୀରେ ପଢେ l ଜୁଲି ତା' ସହ ଖେଳିବାକୁ ବି ସମୟ ପାଏନି l ପଢ଼ାରୁ ତା'କୁ ଫୁର୍ସତ ନଥାଏ l


    ଜୁଲିର ନବମ ହେଲାବେଳକୁ ଚିକୁର ସାଇକେଲ୍ ଘଣ୍ଟି ବେଶି ରୁ ବେଶି ବାଜୁଥିଲା ଜୁଲିଘର ଆଗରେ l ଜୁଲି ବିରକ୍ତ ହେଇଯାଉଥିଲା l ଜୁଲିର ବାପା ବି ଲକ୍ଷ କରୁଥିଲେ ଚିକୁ ତାଙ୍କ ଘର ସାମ୍ନା ଦେଇ ଗଲାବେଳେ ଜୋରଜୋରରେ ବେଲ୍ ମାରି ଧିରେ ଧିରେ ସାଇକେଲ୍ ଚଲେଇ ଯାଉଛି l 


   ସେହି ନବମ ଶ୍ରେଣୀରେ ଜୁଲି ବେଶି ଚିନ୍ତିତ ରହୁଥିଲା l ସେ ବସୁଥିବା ବେଞ୍ଚ୍ ଓ ଡେସ୍କ୍ ରେ କିଏ 'ଜୁଲି +ଚିକୁ ' ଲେଖି ଦେଉଥିଲା l କେହି କେହି ତା'କୁ ଦେଖି 'ଚିକୁ ଚିକୁ ' କହି ପାଟି କରୁଥିଲେ l ଜୁଲି ଟ୍ୟୁସନ୍ ଯିବା ରାସ୍ତାରେ ଚିକୁ ତା'ର ଦୁଇ ତିନିଜଣ ପାଠରେ ଗଧ ସାଙ୍ଗଙ୍କ ସହ ସାଇକେଲ୍ ରେସ୍ କରୁଥିଲା ଓ ଜୁଲିକୁ ଦେଖି ଜାଣି ଜାଣି ରହିଯାଇ ହାରିଯାଉଥିଲା l ଜୁଲି ଘର ଲ୍ୟାଣ୍ଡ୍ ଫୋନ୍ ବେଳ ଅବେଳରେ ରିଂ ହେଉଥିଲା l ବାପା କିମ୍ବା ମାଆ ଫୋନ୍ ଧରିଲା ବେଳକୁ କଟିଯାଉଥିଲା କିନ୍ତୁ ଜୁଲି ଧରିଲେ କିଏ ଗୋଟେ ଫୋନ୍ ରେ ଫୁ ଫୁ ଶବ୍ଦ କରି ଫୁଙ୍କୁଥିଲା l 


   ଅକ୍ଟୋବର୍ ମାସରେ ଜୁଲିର ସ୍କୁଲରେ ବିଜ୍ଞାନ ମେଳା ଓ ଶିଶୁ ପ୍ରତିଭା ଚୟନ ନାଁରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୁଏ l ସେ ବର୍ଷ ବି ପୂର୍ବ ବର୍ଷ ପରି ବିଜ୍ଞାନ ମେଳାରେ ଓ ରଚନା ପ୍ରତିଯୋଗୀତାରେ ଜୁଲି ଭାଗ ନେଇଥିଲା l ପୁରସ୍କୃତ ବି ହେଇଥିଲା l ସେଥର ଗୋଟେ ଅଦ୍ଭୁତ ଘଟଣା ଘଟିଲା l ଦଶମର ଚିକୁ ସେଥର ଚିତ୍ରାଙ୍କନରେ ଭାଗ ନେଇ ପ୍ରଥମ ସ୍ଥାନ ପାଇଲା ଓ ସେ ଆଙ୍କିଥିବା ଚିତ୍ରଟିକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ l ଚିତ୍ରର ଥିମ୍ ଥିଲା ପରିବେଶ ସମ୍ବନ୍ଧୀୟ ଗୋଟେ କବିତା l ସେହି କବିତାକୁ ଚିକୁ ଚିତ୍ରରେ ଖୁବ୍ ସୁନ୍ଦର ଭାବେ ଜଣେ ଅଭିଜ୍ଞ ଚିତ୍ର ଶିଳ୍ପୀ ପରି ଚିତ୍ରଣ କରିଥିଲା l ଯିଏ ବି ଦେଖିଲେ ଚିକୁକୁ ପ୍ରଶଂସା ନକରି ରହିପାରିଲେନାହିଁ l ସାଇକେଲ୍ ଚଲେଇବା ଓ ଘଣ୍ଟି ବଜାଇବା ବ୍ୟତୀତ ଯେ ଚିକୁର ଆଉ କିଛି ପ୍ରତିଭା ଥାଇପାରେ ସେବେ ଯାଇ ଜଣାପଡ଼ିଲା l ଚିକୁର ସେହି ଚିତ୍ରଟି ସ୍କୁଲ୍ ଅଫିସରେ ଟଙ୍ଗାଗଲା l ଚିକୁ ବ୍ଲକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତାରୁ ସିଲେକ୍ଟ୍ ହେଇ ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରକୁ ମଧ୍ୟ ଗଲା l ରାଜ୍ୟସ୍ତରରେ ପୁରସ୍କୃତ ହେଇ ଫେରିଲା ପରେ ଗାଁରେ ଓ ସ୍କୁଲରେ ଚିକୁର ସମ୍ମାନ ସାମାନ୍ୟ ବଢିଥିଲା l 


  ନଭେମ୍ବରରେ ଦଶମ ଶ୍ରେଣୀ ପିଲାଙ୍କ ଟେଷ୍ଟ୍ ପରୀକ୍ଷା l ପରୀକ୍ଷା ପରେ ଦଶମ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ୍ l ଘରେ ରହି ବୋର୍ଡ୍ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ହେବେ l ଚିକୁ ଟେଷ୍ଟ୍ ପରୀକ୍ଷା ପରେ ଘରେ ରହିଲା l ସେ କିନ୍ତୁ ଆଦୌ ପଢ଼ାପଢି କଲାନାହିଁ l ଦିନରେ ଦଶଥର ଜୁଲିଘର ରାସ୍ତାଦେଇ ଦୋକାନକୁ ଯିବା ଆସିବା କଲା l ଦିନ ଗୋଟେ, ଦେଢ଼ଟା ବେଳକୁ ସ୍କୁଲ୍ ଆଡ଼େ ଗଲା ସାଇକେଲ୍ ଧରି l ଖେଳଛୁଟିରେ ଜୁଲି ଚାର୍ଟ୍ ଵାଲା ପାଖରେ ଠିଆ ହେଇଥାଏ, ଚିକୁ ବି ଯାଇ ଠିଆହେଲା l 


    ଡିସେମ୍ବର୍ ମାସର ଶୀତ l ଚିକୁ ଖୁବ୍ ସକାଳୁ ଉଠି ପିଉସୀଘର ବାଡ଼ି ପିଣ୍ଡାରେ ବସି କଣ୍ ଗୋଟେ କରୁଥିଲା l ସକାଳ ସାଢ଼େ ଛଅଟା ବେଳକୁ ନିଜ ସାର୍ଟ୍ ବୋତାମ ଖୋଲି ସାର୍ଟ୍ ଭିତରେ ଗୋଟେ ଖୋଳ ଭର୍ତ୍ତିକଲା ଓ ସିଡ଼ି ତଳୁ ସାଇକେଲ୍ ବାହାରକଲା l ଆସ୍ତେ କରି ବାଉଁଶ ଧଡ଼ାଟା ଖୋଲି ଗାଁ ଆଡ଼େ ସାଇକେଲ୍ ଗଡେ଼ଇଲା l


     ସକାଳ ନଅ ହେଇଗଲା, ଚିକୁ ଘରକୁ ଫେରୁନି l ପିଉସୀ ଉଠିକି ଦେଖିଲେ ଚିକୁ ତା' ବିଛଣାରେ ନାହିଁ l ସିଡ଼ି ତଳେ ସାଇକେଲ୍ ବି ନାହିଁ l ବାଡ଼ିପଟେ ଗୋଟେ ପଟି ଉପରେ କିଛି କାଗଜ, ରଙ୍ଗତୂଳୀ ଓ କଇଁଚି ରଖାଯାଇଛି l "ଏତେ ସକାଳୁ, ଏ ଶୀତରେ ଗଲା କୁଆଡ଼େ ଟୋକାଟା?ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ, ପଢ଼ାପଢି ନାହିଁ l ଖାଲି ସାଇକେଲ୍ ଧରି ବୁଲୁଚି l ଯୁଆଡେ ଯାଇଛି ଯାଇଥାଉ ବଳେ ଆସିବ ", ପିଉସୀ ଗାରୁଗାରୁ ହେଇ ନିଜକୁ ନିଜେ କହିହେଲେ ଓ ନିଜ କାମରେ ଲାଗିଗଲେ l ଦିନ ଦଶଟା ବେଳକୁ ଚିକୁର ଘର ପାଖ ସାଙ୍ଗ ଆନିଶ୍ ଆସି ଡାକିଲା ଚିକୁ ପିଉସାଙ୍କୁ l "ବଡ଼ବାପା, ଚିକୁ ଜୁଲି ଘରେ ଅଛି l ତମେ ଜଲ୍ଦି ଆସ ", ଆନିଶ୍ ଏତିକି କହିଛି ରୋଷେଇ ଘରୁ ଦୌଡିଆସିଲେ ଚିକୁର ପିଉସୀ ନାନୀ l ପିଉସା ଲୁଙ୍ଗି ଉପରେ ସାର୍ଟ୍ ଟେ ଗଳେଇ ଦେଇ ରାଗରେ ପିଉସୀଙ୍କ ଆଡ଼େ ଅନେଇ ଘରୁ ବାହାରିଗଲେ l


    ପିଉସା ଓ ଆନିଶ୍ ଜୁଲିଘରେ ପହଞ୍ଚିଲା ବେଳକୁ ତାଙ୍କ ଡ୍ରଇଂରୁମ୍ ର କାଠ ସୋଫାରେ ବନ୍ଧାହେଇଥିଲା ଚିକୁ l ତା' ନାକରୁ ଓ ଓଠରୁ ରକ୍ତ ଝରୁଥିଲା l ତା' ଗାଲରେ ମାଡ଼ର ଆଙ୍ଗୁଳି ଦାଗ ବସି କାଙ୍କ ସିଝା ପଡ଼ିଯାଇଥିଲା l ସାର୍ଟ୍ ର ବୋତାମ ଛିଡ଼ି ଯାଇଥିଲା ଓ ବାଳ ଝିଙ୍କାହେଇ ଉପରକୁ ଠିଆହେଇ ପଡିଥିଲା l


 ଜୁଲିର ବାପା ଆଉ ଜେଜେ ବସିଥିଲେ ସୋଫା ଉପରେ, କକା ଠିଆ ହେଇଥିଲେ ଚିକୁ ପାଖରେ l ଚିକୁ ପିଉସାଙ୍କୁ ଦେଖି ଆଖିରୁ ଲୁହ ଗଡେଇ ତଳକୁ ମୁହଁ କରିଦେଲା l ଜୁଲିର କକା କାର୍ଡ୍ ଟେ ତଳୁ ଉଠେଇ ବଡ଼ ପାଟିକରି ଗର୍ଜି ଉଠି ଚିକୁର ପିଉସାଙ୍କୁ ଦେଖେଇ କହିଲେ,"ବଂଶୀଭାଇ, ଏଇ ଦେଖ l ଏ ଟୋକା ଚୋର ଭଳି ରାତି ଅଧରୁ ଆମ ଗେଟ୍ ଡେଇଁ ଜୁଲିର ରୁମ୍ ଝର୍କା ପାଖକୁ ଯାଇ ଏଇ କାର୍ଡ୍ ଆଉ ଚିଠି ଭିତରକୁ ପକାଉଥିଲା l ଦେଖ, ଭଲକରି ଦେଖ କି ଅଶ୍ଳୀଳ ଚିତ୍ର ଆଙ୍କିଛି ଆଉ କଣ୍ ସବୁ ଲେଖିଛି l "


  ଜୁଲିର ବାପା କହିଲେ, "ୟାକୁ ମୁଁ ଅନେକ ଦିନରୁ ଲକ୍ଷ କଲିଣି ମୋ ଝିଅର ପିଛା କରୁଛି l କିଛିଦିନ ହେଲା ଆମ ଘର ଆଗରେ ଇଏ ହିରୋ ଭଳି ସାଇକେଲ୍ ଚଲାଉଚି ଆଉ ଘଣ୍ଟି ବଜାଉଛି l ମୋ ଝିଅ କ୍ଲାସରେ ଫାର୍ଷ୍ଟ୍ ହୁଏ, ଇଏ ତା ପାଦତଳକୁ ସରି ହେବନା ! ମୂର୍ଖ ଗଣ୍ଡ, କହିଲା କଣନା- ମୁଁ ଜୁଲିକୁ ଭଲପାଏ l ଶଳାକୁ ଗୋଟେ ବିଧା ବସେଇବି ସବୁ ପ୍ରେମ ଫ୍ରେମ ଛାଡ଼ିଯିବ l ଏବେଠୁଁ ଏମିତି, ଆଗକୁ ଆହୁରି ୟାର ବେଳ କାଳ ଅଛି l ୟାକୁ ଜଲ୍ଦି ତୁମ ଘରୁ ବାହାର କର ବଂଶୀ l ନହେଲେ ଆଗକୁ ଇଏ ଆହୁରି ତୁମ ନାଁ ପକେଇବ " l


  ବଂଶୀଧର ରାଗରେ ଲାଲ୍ ଓ ଅସହାୟ ଦିଶୁଥିଲେ l ଚିକୁକୁ ରାଗରେ ଅନେଇଲେ l ଚିକୁର ହାତ ତିଆରି କାର୍ଡଟାକୁ ଭଲକରି ଦେଖିଲେ l କାର୍ଡର ଉପରି ଭାଗରେ ଯୋଡ଼େ କିଶୋର କିଶୋରୀ ପରଷ୍ପରର ହାତ ଧରାଧରି ହେଇ ମୁହଁକୁ ମୁହଁ ଯୋଡି ଲଗାଲଗି ହେଇ ଠିଆ ହେଇଥିବାର ନିଖୁଣ ଓ ସୁନ୍ଦର ଚିତ୍ରଟିଏ ଅଙ୍କାହେଇଛି l ସେମାନଙ୍କ ମୁଣ୍ଡ ଉପରେ ଅସ୍ତଗାମୀ ସୂର୍ଯ୍ୟଙ୍କ କମଳା ରଙ୍ଗର କିରଣ ବିଚ୍ଛୁରିତ ହେଇପଡିଛି l ତଳେ ଲେଖା ହେଇଚି -ହାପି ନିୟୁ ଇୟର୍ ୨00୩ l ପର ପୃଷ୍ଠାରେ ଲେଖାହେଇଚି, "ଜୁଲି ମୁଁ ତୁମକୁ ବହୁତ ଭଲ ପାଏ l ତୁମେ ମୋ ଜୀବନ " l ପରବର୍ତ୍ତୀ ଶେଷ ପୃଷ୍ଠାରେ ଅଙ୍କାଯାଇଛି ସୁନ୍ଦର ଲାଲ୍ ଗୋଲାପଟିଏ ଓ ତା' ଉପରେ ଚିକମିକ୍ କରୁଚି ଟୋପା ଟୋପା କାକର ବିନ୍ଦୁ l ବଂଶୀଧର କାର୍ଡଟିକୁ ବନ୍ଦକରି ଜୁଲିର ବାପାଙ୍କ ହାତକୁ ଦେଲେ ଓ ପ୍ରଶ୍ନିଳ ଆଖିରେ ତାଙ୍କୁ କିଛି ସମୟ ଅନେଇଲା ପରେ କହିଲେ, "କଣ୍ କହୁଛନ୍ତି ଆପଣମାନେ ? "


 ଜୁଲିର ଜେଜେ କହିଲେ, "ପିଲାକୁ ନେଇଯାଅ ଏବେ ଏଠୁ l ଆଉଯେମିତି ଆମ ଘରର ଆଖ ପାଖରେ ଇଏ ଦେଖା ନଯାଏ l"


   ଚିକୁର ସାଇକେଲକୁ ଜୁଲିର କକା ପିଟିକରି ଭାଙ୍ଗି ଦେଇଥିଲେ l ଚିକୁ କିଛିଦିନ ପାଇଁ ଘରୁ ବାହାରିଲାନି l ଗୋଟେ ଦିନ କେବଳ ସଞ୍ଜବେଳେ ତା'କୁ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା l ତା'ପରେ ସେ ପିଉସୀଘର ଗାଁ ଛାଡ଼ି ଚାଲିଗଲା ନିଜ ଗାଁକୁ, ନିଜ ମାଆ ପାଖକୁ l ପରୀକ୍ଷା ଦେବାକୁ ମଧ୍ୟ ଆସିଲା ନିଜ ଗାଁରୁ l ମାଟ୍ରିକ ପରୀକ୍ଷାରେ ସେକେଣ୍ଡ୍ ଡିଭିଜନ୍ ରେ ଚିକୁ ପାସ୍ କଲା l ଜୁଲି ସେ ବର୍ଷ ନବମରେ ପ୍ରଥମ ସ୍ଥାନ ପାଇପାରିନଥିଲା l ରୋମି ଫାର୍ଷ୍ଟ୍ ହେଇଗଲା ଓ ଜୁଲି ହେଇଗଲା ସେକେଣ୍ଡ୍ l 


     ଦଶମ ବେଳକୁ ଜୁଲିର ପଢ଼ାପଢି ଉପରେ ବାପା ତୀକ୍ଷ୍ଣ ନଜର ରଖିଲେ l ନବମ ଇଂରାଜୀରେ ଜୁଲିର କମ୍ ନମ୍ୱର୍ ଆସିଥିବାରୁ ତା'କୁ ସେ ଅଞ୍ଚଳର ସବୁଠୁ ଭଲ ଇଂରାଜୀ ଶିକ୍ଷକ ବିନୟ ସାରଙ୍କ ପାଖରେ ଟ୍ୟୁସନ୍ ପଢେଇବାକୁ ସ୍ଥିର କରାଗଲା l ବିନୟସାରଙ୍କ ଘର ଟିକେ ଦୂର l ସେ ଖୁବ୍ ପ୍ରସିଦ୍ଧ ଓ ବ୍ୟସ୍ତ l ସେ ଜୁଲିର ଘରକୁ ଆସିବାକୁ ମନାକରିଦେଲେ l କେବଳ ଗ୍ରୁପରେ ସେ ଟ୍ୟୁସନ୍ ପଢ଼େଇପାରିବେ କହିଲେ l କିନ୍ତୁ ଏତେ ଦୂର ଜୁଲି ଯିବ କେମିତି ? ବାପାଙ୍କ ପକ୍ଷେ ସବୁଦିନ ଛାଡ଼ିବା ଓ ଆଣିବା କାମ କରିବା ସମ୍ଭବ ନୁହେଁ l ତେଣୁ ଜୁଲିକୁ ନିହାତି ଭାବେ ସାଇକେଲ୍ ଚଲା ଶିଖିବାକୁ ହେବ l

  

    ଖରାଛୁଟି ଭିତରେ ଜୁଲି ସାଇକେଲ୍ ଚଲା ଶିଖିଗଲା l ତା'ର ନୂଆ ଲେଡି ବାର୍ଡ୍ ସାଇକେଲଟେ କିଣାଯାଇଥିଲା l ସେ ସ୍କୁଲରୁ ଫେରି ସାଇକେଲ୍ ଧରି ଟ୍ୟୁସନ୍ ଯିବାକୁଲାଗିଲା l ସାଇକେଲ ଚଲେଇବାରେ ତା'ର ଆଉ ଭୟ ନଥିଲା l ଭୟ ଥିଲା ଘଣ୍ଟି ବଜେଇବାରେ l କାହଁକି କେଜାଣି ସାଇକେଲ୍ ଘଣ୍ଟି ପ୍ରତି ତା'ର ଭୟ ଆସିଯାଇଥିଲା l ସାଇକେଲ ଚଲେଇବା ବେଳେ ସେ ବିଲକୁଲ ବି ଘଣ୍ଟି ବଜାଉନଥିଲା l ମୋଡ଼ ଜାଗାରେ ଘଣ୍ଟି ନବଜାଇ ଥରେ ଥରେ ସେ ଲୋକଙ୍କ ଦେହରେ ସାଇକେଲ୍ ଧକ୍କା ବି କରିଦେଉଥିଲା l ଆଉ ଦୁଇ, ତିନିଥର ନିଜେ ବି ପଡ଼ି ଖଣ୍ଡିଆ ଖାବରା ହେଲା l ତଥାପି ସେ ଘଣ୍ଟି ବଜାଇବାରେ ସହଜ ହେଇପାରୁନଥିଲା l 


    ମାଟ୍ରିକ ପରୀକ୍ଷାରେ ଜୁଲି ସ୍କୁଲ୍ ଟପ୍ପର୍, ବ୍ଲକ୍ ଟପ୍ପର୍ ହେଲା l ସହରର ବଡ଼ କଲେଜ୍ କୁ ପ୍ଲସ୍ ଟୁ ପଢ଼ିବାକୁ ଗଲା l ସେଠି ଯାଇ ଦେଖିଲା ତା' ରି ଭଳି ଓ ତା' ଠାରୁ ଆହୁରି ବେଶି ଟ୍ୟାଲେଣ୍ଟେଡ୍ ପିଲା ଅଛନ୍ତି ତା'ର ବ୍ୟାଚରେ l ଜୁଲିର ଲେଡ଼ିଜ୍ ହଷ୍ଟେଲଟିରେ କେତେ କେତେ ସୁନ୍ଦରୀ, ସ୍ମାର୍ଟ୍ ଓ ଇଣ୍ଟେଲିଜେଣ୍ଟ୍ ଝିଅ ଭରପୁର ଥିଲେ l ଜୁଲି ପ୍ରଥମେ ପ୍ରଥମେ ନିଜକୁ କୂପ ମଣ୍ଡୁକଟେ ଭାବି ଦୁଃଖୀ ହେଉଥିଲା l ତା'ର ଗର୍ବ, ଅହଙ୍କାର ଉଭାନ ହେଇଯାଉଥିଲା l ପରେ ପରେ ସେ ସେମାନଙ୍କ ସହ ନିଜକୁ ମଧ୍ୟ ସାମିଲ୍ କରିନେଲା l ସହଜ ହେଇଗଲା l 


   ପଢ଼ା ପଢି, ହଷ୍ଟେଲ୍-ଘର, ଘର-ହଷ୍ଟେଲ୍ ଓ ପରୀକ୍ଷା ଭିତରେ ପ୍ଲସ୍ ଟୁ କେମିତି ସରିଗଲା ଜୁଲି ଜାଣିପାରିଲିନି l ସେ ଦୁଇବର୍ଷ ଭିତରେ ତା'ର ଆଉ ଚିକୁ ଓ ଚିକୁ ସହ ଘଟିଥିବା ସେହି ଘଟଣା କଥା ମନେ ପଡିଛି କି ନାହିଁ ସେ ନିଜେ ବି ଜାଣିପାରିନି l


  ପ୍ଲସ୍ ଟୁ ପରେ ଜୁଲି ଇଂଜିନିୟରିଂ କୋଚିଂ ନେବାକୁ ଗୋଟେ କୋଚିଂ ସେଣ୍ଟର୍ ରେ ଭର୍ତ୍ତି ହେଲା l ବର୍ଷେ କୋଚିଂ ନେଇ ପରବର୍ଷ ଇଞ୍ଜିନିୟରିଂ କଲେଜରେ ନାଁ ଲେଖେଇଲା l ସବୁ ଠିକ୍ ଚାଲିଥିଲା l କିଛିଦିନ ପରେ ଜୁଲିକୁ ଲାଗିଲା ଇଞ୍ଜିନିୟରିଂ ପାଠ ତା'କୁ ପସନ୍ଦ ଲାଗୁନି l ସେ ବିଚଳିତ ହେଲା l ଫିଜିକ୍ସ୍ ତା'ର ପ୍ରିୟ ବିଷୟ ଥିଲା l ସେ ଫିଜିକ୍ସ୍ ଅନର୍ସ୍ ନେଇ ଗ୍ରାଜୁଏସନ୍ କରିବାକୁ ଚାହିଁଲା l ବାପା ଖୁବ୍ ରାଗିଲେ l ଜୁଲି କିନ୍ତୁ କିଛି ବୁଝିଲାନି l ଇଞ୍ଜିନିୟରିଂ ବର୍ଷେ ପଢି ଛାଡ଼ିଦେଲା l ଫେରି ଆସିଲା ତା' ପୁରୁଣା କଲେଜ୍ ଆଉ ପୁରୁଣା ହଷ୍ଟେଲକୁ l 


  ବର୍ଷେ କୋଚିଂ ପାଇଁ ଓ ବର୍ଷେ ଇଞ୍ଜିନିୟରିଂ ପାଇଁ ଜୁଲି ନଷ୍ଟ କରିସାରିଥିଲା l ତେଣୁ ତା' ବ୍ୟାଚର ପ୍ରାୟ ସମସ୍ତ ପିଲା ତା' ଠାରୁ ବର୍ଷେ କିମ୍ବା ଦୁଇବର୍ଷ ସାନ ଥିଲେ l ସମସ୍ତେ ତା'କୁ 'ଜୁଲିଦି' ଡାକୁଥିଲେ l ହଷ୍ଟେଲରେ ବି ସେ ଥିଲା 'ଜୁଲିଦି' l ଜୁଲି ପାଖକୁ ସବୁ ଜୁନିୟର୍ସ୍ କଷ୍ଟିଆ ଫିଜିକ୍ସ୍ ପ୍ରୋବ୍ଲେମ୍ସ୍ ବୁଝିକରି ସଲ୍ଭ୍ କରିବାକୁ ଆସୁଥିଲେ l 


    ଫେବୃଆରୀ ମାସ, ପ୍ରେମର ମାସ l ଜୁଲିର ତିନିଜଣ ଯାକ ରୁମମେଟ୍ସ୍ ଙ୍କର ବୟଫ୍ରେଣ୍ଡ୍ସ୍  ଥିଲେ l ସେମାନେ ଭାଲେଣ୍ଟାଇନ୍ସ୍ ଡେ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିଲେ l ହଷ୍ଟେଲର ନବେ ଶତକଡା ଝିଅ ପ୍ରେମକରୁଥିଲେ ଓ ସେମାନେ ସମସ୍ତେ ଫେବୃଆରୀ ଚଉଦ ପାଇଁ ଉତ୍ସାହିତ ଥିଲେ l


  ହଷ୍ଟେଲର ଝିଅମାନେ ଫୋନରେ ପ୍ରେମିକମାନଙ୍କ ସହ ରାତି ରାତି ଗପୁଥିଲେ l କିନ୍ତୁ ଜୁଲିର ମୋବାଇଲ୍ ରାତିରେ ଅଫ୍ ଓ ଦିନରେ ରୁମମେଟ୍ ହନି ପାଖରେ ରହୁଥିଲା l କେବେ କେମିତି କେହି ଡିପାର୍ଟମେଣ୍ଟ୍ ସାଙ୍ଗ ତା'କୁ ଫୋନ୍ କରି କ୍ଲାସେସ୍ ବିଷୟରେ ବୁଝୁଥିଲେ l ନହେଲେ ମାଆଙ୍କ ଛଡ଼ା ତା'କୁ ନିୟମିତ ବ୍ୟବଧାନରେ କେହି ବି ଫୋନ୍ କରୁନଥିଲେ l ସେଦିନ ଗୋଟେ ଅଜଣା ନମ୍ବରରୁ ଜୁଲିକୁ ଫୋନ୍ ଆସିଲା l ହନି ମୋବାଇଲଟା ଜୁଲିର ହାତକୁ ବଢେଇଦେଲା l ଜୁଲି ପଢୁଥିଲା l ଚଷମା ଓ ପେନ୍ ବହି ଉପରେ ରଖି ଫୋନ୍ ଉଠେଇଲା l ଗୋଟେ ମିନିଟ୍ 'ନା, ନା, ହଁ, ହଁ' କହି କଲ୍ କାଟିଦେଲା l ହନି ଆଖି ନଚେଇ ହସି ହସି ଜୁଲିକୁ ଅନେଇ ପଚାରିଲା, "ଦି, କଥା କଣ୍ ? ଭାଲେଣ୍ଟାଇନ୍ସ୍ କଲ୍ ଆସିଗଲା ? "


--ଚୁପବେ, ରଙ୍ଗ୍ ନମ୍ବର୍ କିଏ ଗୋଟେ ଡାଏଲ୍ କରିଦେଇଥିଲା l ଭାଲେଣ୍ଟାଇନ୍ସ୍ ଡେ ନା ଚୋପା !


--ଦିଦି, ତୁମକୁ ଆଜିଯାଏଁ ସତରେ କେହି ପସନ୍ଦ ଆସିନାହାଁନ୍ତି ? 


--ନା ବେ, କେହି ଗୋଟେ ବି ନୁହେଁ l ଆରେ ମୁଁ ପସନ୍ଦ କଲେ କଣ୍ ହେବ ? ମୋତେ କେହି ପସନ୍ଦ କଲେ ତ ? 


--କାହଁକି ? ତୁମକୁ କାହଁକି କେହି ପସନ୍ଦ କରିବେନି ? ଏତେ ସୁନ୍ଦରୀ ତୁମେ ଆଉ ଜଣେ ଟପ୍ପର୍ ସ୍ଟୁଡେଣ୍ଟ୍ ବି, ତୁମ ପଛରେ ଟୋକା ଲାଇନ୍ ଲଗେଇଥିବେ l ତୁମେ ଆମକୁ ଲୁଚାଉଛ l


--ହେ ହେ.. ଲୁଚେଇବି କୋଉଠି ଲୋ ? ଆଲୋ ଏଠି ତ ସବୁ ପୁଅପିଲା ମୋ ଠାରୁ ସାନ, ସମସ୍ତେ ମୋତେ ଦିଦି ଡାକୁଛନ୍ତି l ଭଲ ପାଇବି କାହାକୁ ? ବାହାରେ ବି ଯିଏ ମୋତେ ପ୍ରପୋଜ୍ କରନ୍ତି କାହଁକି କେଜାଣି କେହି ଜଣେ ବି ପସନ୍ଦ ଆସନ୍ତିନି ଲୋ l ଆଜିଯାଏଁ ତ କେହି ଆସିନାହାଁନ୍ତି ଭାଲେଣ୍ଟାଇନ୍ସ୍ ଡେ ମନେଇବାକୁ, ଦେଖିବା ଆଗକୁ ଆସୁଛନ୍ତି କି ନାହିଁ !


  ଜୁଲି ହସି ହସି ଏତିକି କହି ବହିର ନିର୍ଦ୍ଦିଷ୍ଟ ପୃଷ୍ଠା ଖୋଲି ଆଖିରେ ଚଷମା ଲଗେଇ ବସିଗଲା ଅଧା ପଢିଥିବା ପାଠକୁ ଶେଷକରିବା ପାଇଁ l 


   ଜୁଲି ସିନା ସହଜରେ କହିଦେଲା କେହି ତା' ଜୀବନରେ ଆସିନାହାଁନ୍ତି କିନ୍ତୁ ପାଠ ପଢୁ ପଢ଼ୁ ଅନେକ ଚିହ୍ନା ମୁହଁ ତା ଭାବନାର ପରିଧି ଭିତରକୁ ଚାଲିଆସୁଥିଲେ l ସବୁ ମୁହଁ ଭିତରେ ଯୋଉ ମୁହଁଟି ସବୁଠୁ ବେଶି ଅସହାୟ ଆଉ ନିରୀହ ଦିଶୁଥିଲା 

ସେହି ମୁହଁଟି ପାଖରେ ଜୁଲି ଅଟକି ଗଲା l ସେହି ବଡ଼ ବଡ଼ ଆଖି ତା'କୁ ତା'ର ଭାବନା ଭିତରେ ଆଜି ବି ଡବ ଡବ ହେଇ ଅନେଇଥିଲା l ଆଜି ବି ପଛରୁ କେହି ସାଇକେଲ୍ ଘଣ୍ଟି ବଜେଇଲେ ଜୁଲିର ଛାତିରେ ଛନକା ପଶିଯାଉଥିଲା l  


   ଭାଲେଣ୍ଟାଇନ୍ସ୍ ଡେ ଯେତେ ପାଖେଇ ଆସୁଥିଲା ଜୁଲିର ସେହି ଗୋଟିଏ ପିଲା ସେତେ ବେଶି ମନେ ପଡୁଥିଲା l"ଚିକୁ ଏବେ କଣ୍ କରୁଥିବ ? କେମିତି ଦିଶୁଥିବ ? ସେ କଣ୍ ମୋତେ ମନେ ରଖିଥିବ ? ନା ଭୂଲିଯାଇ ଆଉ କାହାକୁ ଭଲ ପାଉଥିବ ? ତା' ପିଉସାଙ୍କର କୋରାପୁଟ୍ ବଦଳି ହେଇଗଲା ପରେ ତା' ପିଉସୀଙ୍କ ପରିବାର ବି ଚାରିବର୍ଷ ହେଲା ଆଉ ଗାଁକୁ ଆସିନାହାଁନ୍ତି ବୋଲି ମାଆ କହୁଥିଲା l କେମିତି ଜାଣିହେବ ତେବେ ତା' ବିଷୟରେ ? ହେତ୍, ତା' ବିଷୟରେ ଜାଣି ମୋର ଲାଭ କଣ୍?  ", ଜୁଲି ମନେ ମନେ ନିଜକୁ କହୁଥିଲା l 


  ଜୁଲି ଶୁଣେ ତା' ରୁମମେଟ୍ସ୍ ଙ୍କ ପ୍ରେମକାହାଣୀ l ଶୁଣେ କେମିତି ଫୋନ୍ ରେ ସେମାନେ ପରଷ୍ପରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରନ୍ତି l ଦେଖେ କେମିତି କଲେଜରେ ପ୍ରେମିକ -ପ୍ରେମିକା ଛୋଟ ଛୋଟ କଥାରେ ଝଗଡ଼ା ଲାଗିଯାଆନ୍ତି l ହଷ୍ଟେଲରେ ଦେଖେ କେମିତି ଝିଅମାନଙ୍କୁ ଏକ୍ସ୍ ବୟଫ୍ରେଣ୍ସ୍ ବ୍ଲାକମେଲ୍ କରନ୍ତି l ପୁଅମାନେ ଛୋଟ ଛୋଟ ଗିଫ୍ଟ୍ ବଦଳରେ ଝିଅମାନଙ୍କୁ ଲଜ୍, ହୋଟେଲକୁ ନେଇଯିବାକୁ ଇଚ୍ଛା କରନ୍ତି l ଝିଅମାନେ ଛୋଟ ଛୋଟ ସାହାଯ୍ୟ ପାଇବା ପାଇଁ ପୁଅମାନଙ୍କ ସହ ପ୍ରେମର ନାଟକ କରନ୍ତି l ସାମାନ୍ୟ ସାମାନ୍ୟ କଥାରେ ପ୍ରେମ ଭାଙ୍ଗିଯାଏ, ମନ ଭାଙ୍ଗିଯାଏ l ଘଡିକେ ହେଉଥାଏ ବ୍ରେକ୍ ଅପ୍, ପୁଣି ଘଡ଼ିଏ ପରେ ପ୍ୟାଚଅପ୍ l ଗୋଟେ ପୁଅ ପାଞ୍ଚ- ଛଅଟା ଝିଅଙ୍କୁ ଅପ୍ସନ୍ ଭାବେ ରଖି ସେମାନଙ୍କ ହୃଦୟ ସହ ଖେଳୁଥାଏ l ଗୋଟେ ଝିଅ ଜଣଙ୍କ ସହ କମିଟେଡ୍ ରହି ଆହୁରି ତିନିଟା ପୁଅଙ୍କୁ ଷ୍ଟାଣ୍ଡବାୟ ବୟଫ୍ରେଣ୍ଡ୍ କରିଥାଏ l ଏସବୁ ଦେଖି ଶୁଣି ଜୁଲିର ପ୍ରେମ ପ୍ରତି ଗୋଟେ ଭିନ୍ନ ଧାରଣା ଆସିଯାଇଥାଏ l ସେଥିପାଇଁ ବୋଧେ ତା' ଜୀବନରେ ଆଜିଯାଏଁ କେହି ସ୍ୱତନ୍ତ୍ର ସ୍ଥାନ ନେଇପାରିନାହାଁନ୍ତି, କିମ୍ବା ଏମିତି ହେଇପାରେ ଜୁଲିକୁ ସେମିତି କେହି ପସନ୍ଦର ପୁଅ ଆଜିଯାଏଁ ମିଳିନାହାନ୍ତି l ସେଥିପାଇଁ କେହି ତାକୁ ତା'ର ପ୍ରେମକାହାଣୀ ବିଷୟରେ ପଚାରିଲେ ତାକୁ କେବଳ ଦିଶିଯାଏ ପନ୍ଦର -ଷୋହଳ ବର୍ଷର କିଶୋର ଚିକୁ ଓ ଚିକୁର ବଡ଼ ବଡ଼ ଦୁଇଟି ଆଖି l ଆହୁରି ବି ବେଳେ ବେଳେ ଶୁଭିଯାଏ ତାକୁ ଚିକୁର ସାଇକେଲ୍ ଘଣ୍ଟି l  


   "ସତରେ କୈଶୋରର ପ୍ରେମରେ କୌଣସି ଆବିଳତା ନଥାଏ l ମୋ ମତରେ ସେ ପ୍ରେମ ଭାରି ନିରୀହ ଓ ନିଷ୍ପାପ l ଯଦି କେହିଜଣେ କାହାକୁ ନିସ୍ଵାର୍ଥପର ଭାବେ ଭଲପାଉଛି ତେବେ ସେ ପ୍ରେମିକ ବା ପ୍ରେମିକାଟି ନିଶ୍ଚୟ ଗୋଟେ ନିରୀହ କିଶୋର ଅବା କିଶୋରୀ ହିଁ ହେଇଥିବ l ଚିକୁ କଣ୍ ଚାହୁଁଥିଲା ମୋ ଠାରୁ ? କିଛି ନୁହେଁ l ମୁଁ ତାକୁ କେତେଥର ଅପମାନିତ ନକରିଛି ! କେତେ ଗାଳି ନଦେଇଛି ! ବାପା ଆଉ କକା ତାକୁ ବାଡେଇ ବାଡେଇ ଖଣ୍ଡିଆ ଖାବରା କରିଦେଇଥିଲେ l ତା ପ୍ରିୟ ସାଇକେଲଟା ବି ଭାଙ୍ଗିଦେଇଥିଲେ l ତଥାପି ସେ ମୋତେ ପଦେ ହେଲେ କିଛି କହିନଥିଲା l କାହଁକି ଜାଣୁ ହନି ? ସେ ମୋତେ ଭଲପାଉଥିଲା l ପାଗଳ ଭଳି ଭଲପାଉଥିଲା l ସେମିତି ଆଉ କିଏ ମୋତେ ଭଲ ପାଇବ କହ? ", ଜୁଲି ଭାବବିହ୍ଵଳ ହେଇ ରୁମମେଟ୍ ହନିକୁ କହୁଥିଲା l ହନି ଶୁଣିସାରି ହସିଲା l ହସୁ ହସୁ କହିଲା, "ଜୁଲିଦି, ତୁମେ ବି ନା.. ହା ହା.. ପୁରା ପାଗିଳୀଟା ! ଆରେ ତୁମେ ସେହି ଲଭ୍ କୁ ଭୂଲିପାରୁନ ? ସେ ପିଲା ଆଉ ତୁମକୁ ଦେଖିଲେ ଚିହ୍ନିବକି ନାହିଁ ସନ୍ଦେହ l ଆରେ ସେସବୁ ସମୟ ଆକାଶରେ ଘୋଡ଼ା ଉଡେଇବାର ସମୟ l ସେ ସମୟକୁ ତୁମେ କେବେଠୁଁ ଅତିକ୍ରମ କରିସାରିଲଣି ଦିଦି l ଏବେ ଘୋଡ଼ାକୁ ତଳକୁ ଆଣ l ତଳେ ଦୌଡାଅ ଆଉ ଧୂଳି ଉଡ଼ାଅ l ସ୍ବପ୍ନମୟ ଦୁନିଆଁକୁ ଛାଡ଼ି ବାସ୍ତବତା ଆଡ଼କୁ ଆସ l ହା ହା.. ", ହନି ପୁଣି ହସିଲା ଓ ହସି ହସି ନିଜ ମୋବାଇଲ୍ ଧରି ରୁମ୍ ବାହାରକୁ ପଳେଇଲା l 


   ଜୁଲି ଗ୍ରାଜୁଏସନ୍ ସାରିଲା, ପୋଷ୍ଟ୍ ଗ୍ରାଜୁଏସନ୍ ବି l ଏମ୍.ଫିଲ୍ ସାରି ରିସର୍ଚ୍ଚ୍ କରିବାକୁ ମୁମ୍ବାଇ ଆଇ.ଆଇ.ଟି ଗଲା l ସେ ବହୁତ ବଦଳି ଯାଇଥିଲା l ଆଗଭଳି ଆଉ କହୁନଥିଲା, "ମୋତେ ମୂର୍ଖମାନଙ୍କୁ ଦେଖିଲେ ଘୃଣା ଲାଗେ" l ତା' ଚଷମାର କାଚ ମୋଟା ହେଇଯାଇଥିଲା l ସେ ନିଜେ ବି ଟିକେ ମୋଟୀ ହେଇଯାଇଥିଲା l ତାକୁ ଶୁଭଙ୍କର, ଡକ୍ଟର୍ ଶୁଭଙ୍କର ବହୁତ ପସନ୍ଦ କରୁଥିଲେ l ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ l ସେ କିନ୍ତୁ ହଁ କି ନା କିଛି କହିପାରୁନଥିଲା l କିଛି କହିବାକୁ ଇଚ୍ଛା କଲେ ତା' ଛାତି ଭିତରେ ସାଇକେଲ୍ ଘଣ୍ଟି ବାଜିଯାଉଥିଲା l


      ସୋମୁ ଫୋନ୍ କରିଛି l ଗାଁ ସ୍କୁଲରେ ଆଲୁମିନି ମିଟ୍ ପାଇଁ ସବୁ ପୁରୁଣା ପିଲା ଏକାଠି ହେଉଛନ୍ତି l ଜୁଲିକୁ ଯେମିତି ହେଲେ ଯିବାକୁ ହେବ l ଜୁଲି ଯିବାକୁ ସ୍ଥିର କରିନେଲା l


      ଜୁଲି ଗାଁ ଛକକୁ ଆସିଥିଲା ମେଡ଼ିସିନ୍ ନେବା ପାଇଁ, ଜଗୁ ସହ ଦେଖା ହେଇଗଲା l


--ଆଲୋ ଜୁଲି ତୁ ? ତତେ ତ ଚିହ୍ନି ହେଉନି !


--କିରେ ତୋ ଆଖି ବଡ଼ ବଡ଼ ହେଇଗଲାଣି କି ? 


--ନାଇଁ ମ ତୁମେ ବଡ଼ ମଣିଷ ହେଇଗଲଣି l


--ଯା ବେ, ବେକାରିଆ କଥା କହନା l ଆଉ କଣ୍ କରୁଚୁ ଏବେ ? 


--ମଣିନାଥପୁର ନୋଡାଲ୍ ସ୍କୁଲରେ ଅଛି, ସାମାନ୍ୟ ଜଣେ ଶିକ୍ଷକ l

--ସାମାନ୍ୟ କଣ୍ ବେ ? ଶିକ୍ଷକ କେବେ ସାମାନ୍ୟ ନୁହେଁ l ଆରେ ମଣିନାଥପୁର କୁଆଡ଼େ କିରେ ? 


--ତୋର ଚିକୁ ମନେ ଅଛି ? 


ଚିକୁ ନାଁଟା ଶୁଣି ଜୁଲି ଚମକି ପଡିଲା l ଛେପ ଢ଼ୋକି ଉତ୍ସାହିତ ହେଇ କହିଲା, "ସେହି ଯିଏ ସ୍କୁଲରେ ଆମ ଉପର ବ୍ୟାଚରେ ପଢୁଥିଲା ?"


--ହଁ ହଁ ସେଇ, ଯିଏ ତତେ ଭଲପାଉଥିଲା l ତାଙ୍କରି ଗାଁରେ ମୁଁ ଚାକିରୀ କରୁଛି l


--ଜଗୁ, ତୋର ତା ସହ ଦେଖା ହୁଏ ? 


--ହଁ ପ୍ରାୟ ସବୁଦିନ l


--ସେ ଏବେ କଣ୍ କରୁଛି ? 


--ତା' ବାପା ମରିଗଲା ପରେ ତାଙ୍କ ପାନ ଦୋକାନରେ ବସୁଛି ଆଉ ଗୋଟେ ଛୋଟ ଦୋକାନ ବି କରିଛି 'ଚିରଞ୍ଜୀବ ଆର୍ଟ୍ସ୍' ନାଁରେ l


--ଚିରଞ୍ଜୀବ ଆର୍ଟ୍ସ୍ ? 


--ହଁ ଚିତ୍ର ଆଙ୍କି ବିକୁଛି, ଟ୍ରେନିଂ କଲେଜ ଆଉ ସ୍କୁଲ, କଲେଜ୍ ପିଲାଙ୍କ ପ୍ରୋଜେକ୍ଟ୍ ପାଇଁ ଚିତ୍ର ଆଙ୍କି ଦେଉଛି l ବାହାଘର, ବ୍ରତଘରରେ ଲୋକଙ୍କ ଘର ଆଗରେ 'ଶୁଭ ବିବାହ ',ଅମୁକ ସହ ଅମୁକର ଶୁଭ ପରିଣୟ, ଅମୁକର ବ୍ରତୋପନୟନ ଏମିତି ସବୁ ଲେଖୁଛି l ଏହିସବୁ କାମ କରୁଛି ଆଉ l 


--ଓହୋ, ଆଉ କେମିତି ଅଛି ସେ ? 


--ଭଲ, ତୋର କାହଁକି ଏତେ ତା' କଥା ମନେ ପଡୁଛି ଯେ ? 


--ସେ ମୋତେ କେତେ ଭଲପାଉଥିଲା ଆଉ ମୁଁ ତାକୁ ମାଡ଼ ଖୋଇଲି l ସେଥିପାଇଁ ଖରାପ ଲାଗୁଚିରେ l


--ଆରେ ଛାଡ୍ ନା ସେକଥା l ସେ ସବୁ ଭୂଲି ଗଲାଣି l


--ଭୂଲିଗଲାଣି ? ତୁ କେମିତି ଜାଣିଲୁ ? 


--ମୁଁ ତା'କୁ ଦିନେ ତୋ କଥା ପଚାରିଲି l ସେ କଣ୍ କହିଲା ଜାଣୁ ? କହିଲା, "ଜୁଲି ! ସେ ନିହାତି ଫାଲତୁ ଝିଅଟା l ଗର୍ବୀ, ଘମଣ୍ଡି l ମୋର ଆଉ ସେ ଝିଅର ମୁହଁ ବି ମନେ ନାହିଁ l ଶୁଣିଥିଲି ସେ କାଳେ ବହୁତ ମୋଟୀ ହେଇକି ଅସୁନ୍ଦରୀ ଦିଶିଲାଣି l ମୁଁ ତାକୁ ଆଉ କାହଁକି ଭଲପାଇବି ଯେ?" l ଏମିତି କହିଲା ସେ l ବୁଝିଲୁ 


  ଜଗୁ ଠାରୁ ଏତିକି ଶୁଣିକି ଜୁଲିକୁ ଅନୁଭବ ହେଲା ଯେମିତି ଛାତିରେ ତା'ର କିଏ ନିଆଁ ଜାଳିଦେଇଗଲା l ତା' ତଣ୍ଟି ଶୁଖିଗଲା ଓ କଣ୍ଠ ଥରିଉଠିଲା l ତଥାପି ସେ ଛେପ ଢ଼ୋକି କହିଲା, "ତୁ କାହଁକି ମୋ କଥା ତାକୁ ପଚାରୁଥିଲୁ ? "


"ହା ହା, ଏମିତି ପଚାରିଦେଲି", ଜଗୁ ଦାନ୍ତ ନେଫେଡ଼େଇ ହସିଲା ଓ ପୁଣି କଥା ଯୋଡ଼ିଲା, "ଚିକୁ ବର୍ଷେ ହେଲା ବାହା ହେଇସାରିଲାଣି l ତାଙ୍କ ପାଖ ଗାଁର ଗୋଟେ ପ୍ଲସ୍ ଟୁ ପଢ଼ୁଥିବା ଝିଅକୁ ଭଲ ପାଉଥିଲା l ତାକୁ ବାହା ହେଇଚି l"


--ତା' ସ୍ତ୍ରୀ କେମିତି ଦେଖିବାକୁ ? 


--ମୁଁ ଦେଖିନି l କିନ୍ତୁ ଶୁଣିଚି କାଳେ ସେ ବହୁତ ସୁନ୍ଦରୀଟେ l 


   ଜଗୁ ଆହୁରି କଣ୍ କହିଥାନ୍ତା, ଜୁଲିର ମୋବାଇଲକୁ ମାଆଙ୍କ ଫୋନ୍ ଆସିଲା l ସେ ଜଗୁକୁ ନିଜ ନମ୍ବର୍ ଦେଇ ତା' ନମ୍ବର ଆଣି ତା' ଠାରୁ ବିଦାୟ ନେଇ ପଳେଇଆସିଲା l ଫେରିବା ରାସ୍ତାରେ ଯୋଉଠି ଚିକୁ ତା'କୁ ସ୍କୁଲରୁ ଆସିଲା ବେଳେ ପ୍ରଥମ ଥର ଅଟକେଇଥିଲା ସେଇଠି ସ୍କୁଟି ରଖି ଟିକେ ସମୟ ଠିଆ ହେଇଗଲା l ସେଇଠୁ ଆଉ ଟିକେ ଆଗକୁ ବୁଢ଼ା ବରଗଛ ଓ କୋଇଲିଘେରା, ଯୋଉଠି ସେ ଚିକୁର ପ୍ରଥମ ଚିଠିକୁ ରାଗରେ ଚିରି ଫୋପାଡ଼ି ଦେଇଥିଲା l ଜୁଲି ଆଗକୁ ଚାଲି ଚାଲି କୋଇଲିଘେରା ଆଡ଼କୁ ଯାଉଥିଲା ପଛରୁ ଶୁଭିଲା ସାଇକେଲ୍ ଘଣ୍ଟି, ଟିଂ ଟିଂ.. ଟିଂ ଟିଂ l ଜୁଲି ହଠାତ୍ ଭୟ ପାଇ ଆଖି ବୁଜିଦେଲା l କେଇ ସେକେଣ୍ଡ୍ ଭିତରେ ଆଖି ଖୋଲି ଦେଖିଲା ଚଉଦ ପନ୍ଦର ବର୍ଷର ପିଲାଟେ ଖୁବ୍ ସ୍ପିଡ଼ରେ ସାଇକେଲ୍ ଚଲେଇ ତାକୁ ପାରକରି ଆଗକୁ ଯାଉଛି l ଜୁଲି ପିଲାଟାକୁ ପଛରୁ ଦେଖି ଟିକେ ହସିଦେଲା ଓ ବାପାଙ୍କ ସ୍କୁଟି ନେଇ ଘରକୁ ଚାଲିଆସିଲା l 


   ଘରେ ଆସି ଜୁଲି ମୋବାଇଲ୍ ଧରି ଉପର ଘରେ ତା' ବେଡ୍ ଉପରେ ଗଡ଼ି ପଡ଼ିଲା l ହ୍ୱାଟ୍ସଅପରେ ନୂଆ ଗୋଟେ ନମ୍ବରରୁ ଦୁଇଟା ଫୋଟୋ ଆସିଛି l "ଓହୋ ଇଏ ତ ଜଗୁର ନମ୍ବର୍ l ଜଗୁ ମୋତେ ପୁଣି କାହା ଫୋଟୋ ପଠେଇଛି ? " ଜୁଲି ଭଲକରି ଦେଖିଲା l ମନ୍ଦିର ସାମ୍ନାରେ ହାତକୁ ହାତରେ ଛନ୍ଦି ସ୍ୱାମୀ ସ୍ତ୍ରୀ ଦୁଇଜଣ ଠିଆ ହେଇଚନ୍ତି l "ପୁଅଟା ଚିକୁ ଭଳି ତ ଦିଶୁଚି ! ହଁ ଇଏ ତ ଚିକୁ l ଆରେ ଇଏ ଏମିତି ଦିଶିଲାଣି ! ଏତେ ଲମ୍ବା ନିଶ ରଖିଛି ! ଚିକୁର ମୁହଁଟା ଟାକୁଆ ଦିଶୁଚି l ପାନ ଖିଆ ପାଟିରେ କି ହସରେ ବାବା ! ଏ ହେ ତା ସ୍ତ୍ରୀ କେତେ ଛୋଟ ଝିଅଟା ଭଳି ଲାଗୁଚି ମ l ", ଜୁଲି ଫୋଟୋ ଦେଖି ମନକୁ ମନ କହିହେଲା ଆଉ ହସି ହସି କାହାକୁ ଗୋଟେ ଫୋନ୍ ଲଗେଇଲା l


"ହାଲୋ ଶୁଭଙ୍କର୍, ମୁଁ ବାର ତାରିଖରେ ପହଞ୍ଚିବି l ଭାଲେଣ୍ଟାଇନ୍ସ୍ ଡେ ପାଇଁ କଣ୍ ପ୍ଲାନ୍ କରିଛ ? ", ଜୁଲି ଫୋନରେ କଥା ହେଉଥିଲା ଆଉ ବାଡ଼ିପଟର ଆମ୍ବ ଗଛରେ ନୂଆ କଅଁଳିଥିବା ଆମ୍ବ ବଉଳକୁ ଝର୍କା ଫାଙ୍କରେ ଦେଖି ହସୁଥିଲା l


Rate this content
Log in

More oriya story from Lopamudra Mishra

Similar oriya story from Romance