Sanjeeb Kumar Nag

Romance Tragedy

4.7  

Sanjeeb Kumar Nag

Romance Tragedy

ମରୀଚିକା

ମରୀଚିକା

20 mins
543


   ସେଭେନ ହିଲସ୍ ହସ୍ପିଟାଲରେ ଟେଷ୍ଟ ରିପୋର୍ଟ ଆସିଲା ପରେ ଡାକ୍ତରଙ୍କୁ ରିପୋର୍ଟ ଦେଖେଇବା ଆଗରୁ ହିଁ ସଞ୍ଜୟ ଜାଣିସାରିଥିଲା, ସେ ଏକ ମାରାତ୍ମକ ରୋଗର ଶିକାର ହେଇଛି ବୋଲି। ତଥାପି ତା ମନ ଭିତରେ ଆଶାର କ୍ଷୀଣ ଆଲୁଅ ଜଳୁଥିଲା; ଭାବୁଥିଲା, ମୁଁ ତ ଡାକ୍ତର ନୁହେଁ; ମୁଁ କଣ ଡାକ୍ତରଙ୍କ ଠାରୁ ଅଧିକା ଜାଣିଛି କି? ଏଇ ରିପୋର୍ଟରେ ବ୍ୟବହୃତ ଟର୍ମ ଗୁଡିକ ମେଡ଼ିକାଲ ଟର୍ମ। ୟାର ଭିନ୍ନ ଅର୍ଥ ବି ଥାଇପାରେ; ମୁଁ ଯାହା ବୁଝୁଛି ସେଇଟା ଭୁଲ ବି ହେଇପାରେ। ଏମିତି ଭାବି ଭାବି ନିଜକୁ ସ୍ୱାନ୍ତନା ଦେଉଥିଲା ସଞ୍ଜୟ। ତଥାପି ବେଳେବେଳେ ମନକୁ ଅନେକ ପ୍ରକାର ଦୁଶ୍ଚିନ୍ତା ମାଡି ଆସୁଥିଲା। ସେଦିନ କୌଣସି କାରଣରୁ ଡାକ୍ତର ମାନେ କାର୍ଯ୍ୟବନ୍ଦ ଘୋଷଣା କରିଥିବାରୁ କୌଣସି ଡାକ୍ତର ଡାକ୍ତରଖାନାକୁ ଆସିନଥିଲେ। ତହିଁ ଆରଦିନ ହିଁ ଡାକ୍ତରଙ୍କୁ ସାକ୍ଷାତ କରିହେବ ବୋଲି ଜଣେ କର୍ମଚାରୀଙ୍କ ଠାରୁ ବୁଝିଲା ପରେ ବି ସଞ୍ଜୟ ଅପେକ୍ଷା କରିଥିଲା ତା ଭିଣୋଇଙ୍କୁ; ଯାହାଙ୍କ ସହିତ ସେ ବିଶାଖାପାଟଣା ଯାଇଥିଲା। ସକାଳେ ହସ୍ପିଟାଲ ପହଞ୍ଚିଲା ପରେ ସଞ୍ଜୟକୁ ସେଇଠି ଏକା ଛାଡି ଜଳଖିଆ ଖାଇବା ବାହାନାରେ ବାହାରକୁ ଯାଇଥିବା ମିଷ୍ଟର ଭିଣୋଇ ଦୀର୍ଘ ଦୁଇ ଘଣ୍ଟା ପରେ ଯାଇ ଫେରିଲେ। ଭିଣୋଇ ଭାଇ ପୁରା ବିନ୍ଦାସ ଥିଲେ। କଣ ରିପୋର୍ଟ ଆସିଲା, ନ ଆସିଲା, ପଚାରିବାର ଆବଶ୍ୟକତା ବି ମନେ କଲେନି। ଆରଦିନ ଡାକ୍ତର ଆସିବା କଥା ସଞ୍ଜୟଠୁ ଶୁଣି ସିଧା ଲଜ୍ କୁ ଯିବାପାଇଁ କହିଲେ ସେ। ସଞ୍ଜୟ କିଛି ନକହି ଚୁପଚାପ ତାଙ୍କୁ ଅନୁସରଣ କଲା। ରାତିସାରା ଲଜ୍ ରେ ସଞ୍ଜୟ ସେଇ ଗୋଟିଏ କଥାରେ ହିଁ ଘାରି ହେଉଥାଏ; କାଲି ଡାକ୍ତର କଣ କହିବେ; ବେଶୀ କିଛି ବିପଦ ହେବନି ତ; ମୁଁ ବଞ୍ଚିବି ତ। ଏମିତି ଅନେକ କଥା। ଭିଣୋଇ ଭାଇ କିନ୍ତୁ ଟାଉନ ବୁଲିବା ମୁଡ଼ରେ ଥାଆନ୍ତି। ତାଙ୍କୁ କିଛି ଫରକ ପଡୁ ନଥାଏ। ସେ ଭୁଲି ଯାଇଥାନ୍ତି କି, ତାଙ୍କ ସାଙ୍ଗରେ ଜଣେ ପେସେଣ୍ଟ ଅଛି। 


   ସକାଳୁ ଲଜରେ ନିତ୍ୟକର୍ମ ସାରି ଦୁହେଁ ପହଞ୍ଚି ଗଲେ ହସ୍ପିଟାଲକୁ। ପୂର୍ବଦିନ ଭଳି ମିଷ୍ଟର ଭିଣୋଇ ସଞ୍ଜୟକୁ ହସପିଟାଲରେ ଛାଡ଼ିଦେଇ ପଳେଇଲେ ଟିଫିନ୍ କରିବାକୁ। ସଞ୍ଜୟ କିନ୍ତୁ ମନକୁ ଦୃଢ଼କରି ଡାକ୍ତରଙ୍କୁ ରିପୋର୍ଟ ଦେଖେଇଥିଲା। ଡାକ୍ତରଙ୍କ କଥା ଶୁଣିଲା ପରେ ହସ୍ପିଟାଲର ଟଏଲେଟ ଭିତରକୁ ଯାଇ ପ୍ରାୟ ଅଧ ଘଣ୍ଟାଏ ହେବ ଭୋ ଭୋ ହେଇ କାନ୍ଦିଥିଲା ସେ। ଆଖି ସାମ୍ନାରେ ଝଲସି ଉଠୁଥିଲା ତା ସ୍ତ୍ରୀ ଓ ଛୁଆର ମୁହଁ। ତା'ର ଯଦି କିଛି ହେଇଯାଏ, ତେବେ ସ୍ବଳ୍ପ ବୟସ୍କା ସ୍ତ୍ରୀ ଦୁଇ ବର୍ଷର ନିରୀହ ଶିଶୁପୁତ୍ରକୁ ନେଇ ବଞ୍ଚିବ କେମିତି! କଣ କରିବ ପେଟ ପାଟଣା ପାଇଁ! ଏମିତି ଅନେକ କଥା ଭାବି ଭାବି ପ୍ରାୟ ଅଧଘଣ୍ଟା ଯାଏଁ କାନ୍ଦିଲା ପରେ, ଟଏଲେଟ ସାମନାରେ ଥିବା ୱାସ୍ ରୁମରୁ ମୁହଁ ଧୋଇ ବାହାରକୁ ବାହାରିଥିଲା ସେ। ଡାକ୍ତରଙ୍କ କହିବାନୁଯାୟୀ ସେକେଣ୍ଡ ଫ୍ଲୋରରୁ ସେଭେନ୍ଥ ଫ୍ଲୋରକୁ ଯାଇ ଅପରେସନ ବାବଦ ଖର୍ଚ୍ଚ ବିଷୟରେ ବୁଝିଥିଲା। ପାଦ ଦ୍ବୟ ଭାରୀ ଲାଗୁଥିଲେ ବି ମଜବୁରୀରେ ସାତ ମହଲା ପାହାଚ ଚଢିଥିଲା ସଞ୍ଜୟ। ଲାଗୁଥିଲା ସତେ ଯେମିତି ତା'ର କେହି ଆତ୍ମୀୟ ନାହାନ୍ତି; ତା ନିଜକୁ ହିଁ ସବୁ କରିବାକୁ ପଡିବ। ଆଗରୁ ବି ଅନେକ ଥର ସେ ଏଇ ହସ୍ପିଟାଲକୁ ଆସିଛି ବଡ ଭିଣୋଇଙ୍କ ସହ। ବଡ଼ ଭଉଣୀ ଓ ଭିଣୋଇ ମାତାପିତା ସଦୃଶ ତା ପାଇଁ। ତାଙ୍କ ସାଥିରେ ଯେତେଥର ବି ସେ ଆସିଛି, କେବେ ବି ନିଜକୁ ନିସଙ୍ଗ ବା ଅସହାୟ ମନେ କରିନି ସେ। କିନ୍ତୁ ଏଥର ଯୋଉ ମହାଶୟ ତା ସାଥୀରେ ଆସିଛନ୍ତି; ତାଙ୍କ କଥା ଟିକେ ଅଲଗା।


   ସବୁକାମ ସାରିଲା ପରେ ଭିଣୋଇ ମହାଶୟ ପହଞ୍ଚିବାରୁ ଚୁପଚାପ ବ୍ୟାଗ ଧରି ସିଧା ଚାଲିଆସିଥିଲା ସଞ୍ଜୟ ବିଶାଖାପାଟଣା ରେଳଷ୍ଟେସନକୁ। ମିଷ୍ଟର ଭିଣୋଇ ଷ୍ଟେସନ ବାହାରକୁ ଚାଲିଗଲେ ବୁଲିବା ପାଇଁ। ସେ ବସିଥିଲା ବାଇକ୍ ପାର୍କିଂ ପାଖରେ। ବଞ୍ଚିବାର ଆଶା ଛାଡ଼ିଦେଇ ଜଡ ପାଲଟି ଯାଇଥିଲା ସେ। ସମୟ ଦିନ ୧୨ ଟା; ସଞ୍ଜୟ ପାଟିରେ କିନ୍ତୁ ପାଣି ଟୋପାଏ ବି ପଡିନଥିଲା। ପୂର୍ବ ରାତିରେ ବି ଦୁଶ୍ଚିନ୍ତାରେ ପାଟିକୁ ଦାନା ଯାଇନଥିଲା; ବହୁତ କଷ୍ଟରେ ମାତ୍ର ଦି ଚାମଚ ଚାଓମିନ ଖାଇଥିଲା ଓ ବାକିତକ ଛାଡ଼ିଦେଇଥିଲା। ଭୋକରେ ଆଉଟୁ ପାଉଟୁ ହେଉଥିଲେ ବି ସେ ଅପେକ୍ଷା କରିଥିଲା ଭିଣୋଇ ଭାଇଙ୍କୁ। ସାଥିରେ ଖାଇବାକୁ ପାଖ ହୋଟେଲକୁ ଯିବେ ବୋଲି ତାଙ୍କୁ ଦୁଇ ଥର କଲ ବି କରିଥିଲା; କିନ୍ତୁ ସେ କଲ ରିସିଭ ନକରିବାରୁ ସେଇ ପାର୍କିଂ ସେଣ୍ଟର ପାଖରେ ହିଁ ତାଙ୍କ ଆସିବା ବାଟକୁ ଚାହିଁ ବସିଥିଲା ସଞ୍ଜୟ।


   ବାଲ୍ୟକାଳରୁ ଯୌବନ ପର୍ଯ୍ୟନ୍ତ ସମସ୍ତ ସ୍ମରଣୀୟ ମୁହୂର୍ତ୍ତ ଗୁଡିକ କିସ୍ତି କିସ୍ତି ହେଇ ତା ଆଖି ସାମନାରେ ଝଲସି ଉଠୁଥିଲା। ଏକ ଲୟରେ ସେ ଅନେଇ ବସିଥିଲା ପାଖରେ ଶୋଇଥିବା ଏକ ବୁଲା ଷଣ୍ଡକୁ। ଏତିକି ବେଳକୁ ତା ଠାରୁ ଅଳ୍ପ ଦୂରରେ ବସି ତାର ଆଖିଲୁହକୁ ନିରୀକ୍ଷଣ କରୁଥିବା ଏକ ଓଡ଼ିଆ ଯାତ୍ରୀଙ୍କ ମୋବାଇଲ ରିଂ ବାଜି ଉଠିଲା "ମରୀଚିକା, ମରୀଚିକା, ମରୀଚିକା ମନେ କଷ୍ଟ ଦିଏ; ଦିନ ସରେ ବାଟ ସରେ ନାହିଁ।" ସଞ୍ଜୟର ଲୁହ ଝରିବା ବନ୍ଦ ହେଇଗଲା। ଏକ ଭିନ୍ନ ରାଇଜରେ ହଜିଗଲା ସେ।


   ସେଦିନ ଥିଲାରାକ୍ଷୀ ପୂର୍ଣ୍ଣିମା, ଏଲିନା କଲ କରିଥିଲା ତା'ଭାଇ ବିକ୍ରମକୁ। ବିକ୍ରମର ମୋବାଇଲରେ ଚାର୍ଜ ସରିଯିବାରୁ ସଞ୍ଜୟର ମୋବାଇଲରୁ କଥାହେଇଥିଲା ସେ। ସେଇଦିନୁ ଏଲିନା ପାଖରେ ସଞ୍ଜୟର ନମ୍ୱର ଥିଲା। ତା' ଭାଇର ନମ୍ବର ନଲାଗିଲେ ସଞ୍ଜୟର ନମ୍ବରକୁ କଲକରି କଥା ହେଉଥିଲା ସେ। ଯେତେବେଳେ ସେ "ହେଲୋ" କହୁଥିଲା, ସଞ୍ଜୟକୁ ଲାଗୁଥିଲା ସତେ ଯେମିତି ସେ ପବନରେ ଉଡୁଛି। ଏକ ଵିଶେଷ ଧରଣର ଆନନ୍ଦ ମିଳୁଥିଲା ତାକୁ।

- ଦିନେ ସଞ୍ଜୟ ସାହସ କରି ପଚାରି ଦେଲା,

- "ସବୁଦିନ ଯଦି ତମକୁ କଲ କରି ଗୂଡ଼ ନାଇଟ କହିବି, ତେବେ ଖରାପ ଭାବିବନି ତ? ରାଗିବନି ତ?"

- "ରାଗିବି କାହିଁକି? ଏଥିରେ ରାଗିବାର କଣ ଅଛି?" ଉତ୍ତର ଦେଲା ଏଲିନା।


   ଦିନ ଗଡିଚାଲିଥାଏ। ଗୂଡ଼ ନାଇଟ ଶବ୍ଦଯୁଗଳରେ ଉପସର୍ଗ, ଅପସର୍ଗ ଲାଗିଚାଲିଥାଏ। କେବେ ସେଇ ଶବ୍ଦଯୁଗଳ ଖଣ୍ଡବାକ୍ୟରେ ପରିଣତ ହେଲା, ପୁଣି ସେଇ ଖଣ୍ଡବାକ୍ୟ କେବେ ପୂର୍ଣ୍ଣ ବାକ୍ୟରେ ପରିଣତ ହେଲା ଏକଥା ସେମାନେ ବି ଜାଣନ୍ତିନି। ସଞ୍ଜୟର ହୃଦୟରେ ତ ପ୍ରେମମଞ୍ଜି ପ୍ରଥମ ଦିନରେ ହିଁ ବୁଣିହେଇସାରିଥିଲା। ସେଇ ମଞ୍ଜି ଅନୁକୂଳ ବାତାବରଣ ପାଇ ଅଙ୍କୁରୋଦଗମ ହେବାରେ ଲାଗିଥାଏ। ପୂର୍ଣ୍ଣବାକ୍ୟବି ଅସମ୍ପୂର୍ଣ୍ଣ ଲାଗୁଥାଏ। ଉଭୟ ପାର୍ଶ୍ଵର ସମସ୍ଥିତିର ପ୍ରଭାବରେ ପୂର୍ଣ୍ଣବାକ୍ୟ, ଅନୁଚ୍ଛେଦରେ ପରିଣତ ହେବାକୁ ବେଶୀ ସମୟ ଲାଗିଲାନି। ଧୀରେ ଧୀରେ ସଞ୍ଜୟ ଓ ଏଲିନା ଏକ ଅଦୃଶ୍ୟ ଆକର୍ଷଣରେ ପରସ୍ପର ପ୍ରତି ଆକର୍ଷିତ ହେବାରେ ଲାଗିଥାନ୍ତି। ଏଲିନାକୁ ନେଇ ଅନେକ ସ୍ବପ୍ନ ସଜେଇ ଥାଏ ସଞ୍ଜୟ। ବଡ କମ୍ପାନୀରେ ଜବ୍ କରିବ, ମୋଟା ଅଙ୍କର ଦରମା ପାଇବ। ଏଲିନା ସହ ବେଙ୍ଗାଲୁରୁରେ କୋଉ ଗୋଟେ ବଡ ଆପାର୍ଟମେଣ୍ଟରେ ରହିବ। ଆଉ କେତେ କଣ! 


  ଦିନକୁ ଦିନ ଏଲିନା ପ୍ରତି ସଞ୍ଜୟର ଦୁର୍ବଳତା ବଢିଚାଲିଥିଲା। ଦିନକୁ କେତେଥର ଯେ ସେମାନେ ମୋବାଇଲରେ କଥା ହେଉଥିଲେ, ତାହା ସେମାନେ ହିଁ ଜାଣିବେ। ସେତେବେଳେ ଅନଲିମିଟେଡ଼ ଟକ୍ ଟାଇମ୍ ସୁବିଧା ଉପଲବ୍ଧ ନଥିଲା। ତଥାପି ଦୀର୍ଘ ଦୁଇ ତିନି ଘଣ୍ଟାର ଏସଟିଡି କଲ ବି ଦୁଇ ତିନି ମିନିଟ ଭଳି ଲାଗୁଥିଲା ଦୁହିଁଙ୍କୁ। କଥା କେବେ ସରୁନଥିଲା; ସେମାନଙ୍କ ମଧ୍ୟରେ କଲ କାଟିବା ପାଇଁ ବି ବାହ୍ୟ ହସ୍ତକ୍ଷେପ ଆବଶ୍ୟକ ହେଉଥିଲା।

 - ହଉ କାଟ

- ନାଇଁ ତମେ କାଟ

- ନାଇଁ ତମେ କାଟ

- ମତେ ତମ କଲ କାଟିବାକୁ ଇଚ୍ଛା ହଉନି

- ମୁଁ ବି ତମ କଲ କାଟିପାରିବିନି

କଲ କାଟିବା ପାଇଁ ବି ଏମିତି ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିଲା। ହଠାତ ଏଲିନାର ମାଙ୍କ ପାଟି ଶୁଣି ଦୁଇଜଣ ଏକାସଙ୍ଗେ କଲ କାଟିଦଉଥିଲେ।

ଏତେ କଥାବାର୍ତ୍ତା ହେଉଥିଲେ ବି ଏଲିନାକୁ ତା' ମନକଥା କହିବାକୁ ସଞ୍ଜୟର ସାହସ ନଥିଲା। ଏଇ ପଦୁଟେ କଥାରେ ସେ ରାଗିଯିବ କି? ମୋ ସହିତ ସମ୍ପର୍କ କାଟି ଦେବନି ତ? ଏମିତି ଭାବି ସେ କେବେ ବି ମନକଥା ଖୋଲି କହି ପାରୁନଥିଲା ଏଲିନାକୁ। ମନେ ମନେ ଖାଲି ଉପାୟ ପାଞ୍ଚୁଥିଲା କେମିତି କହିବ ବୋଲି।


  ସେଦିନ ଥିଲା ଅପ୍ରେଲ ପହିଲା ତାରିଖ। ସାଙ୍ଗସାଥି କେତେ ମଜା ମଜଲିସ କରୁଥିଲେ, ପରସ୍ପରକୁ ବୋକା ବନଉଥିଲେ। ତାର ସବୁ ରୁମମେଟ ଖୁସିଗପରେ ମସଗୁଲ ଥିଲାବେଳେ ସଞ୍ଜୟ ଚୁପଚାପ ଥିଲା। ହଠାତ ଏଲିନାର କଲ ଆସିବାରୁ ଉଠିକି ପଳେଇଲା ସେ ଛାତ ଉପରକୁ। ଏଲିନା କହିଲା,

- ଆଜି ମୁଁ ଦୁଇ ଜଣକୁ ଏପ୍ରିଲ ଫୁଲ କଲିଣି, ତମେ କାହାକୁ ଏପ୍ରିଲ ଫୁଲ କଲ?

- ମୁଁ ତମକୁ ଏପ୍ରିଲ ଫୁଲ କରିବି ବୋଲି ଭାବୁଥିଲି।

- କେମିତି କରିବ? ମୁଁ ତ ଜାଣିସାରିଲିଣି।

- ଠିକ ଅଛି ତାହେଲେ କରିବିନି

- କାଇଁ?

- ତମେ ତ ଠକେଇ ହେବନି, ଆଉ ଠକିବି କେମିତି?

- ଭାବିନିଅ ମୁଁ କିଛି ଜାଣିନି; ଏବେ ଠକ କେମିତି ଠକିବ ଯେ

- ତମେ ଯଦି ଠକେଇ ହେବ, ତେବେ ଠକିବି, ନହେଲେ ନାଇଁ

- ଠିକ ଅଛି ଠକେଇ ହେବି, ଏପ୍ରିଲ ଫୁଲ ବନିବି

- ସତେ?

- ପକ୍କା, ହଣ୍ଡ୍ରେଡ଼ ପରସେଣ୍ଟ

- ଠିକ ଅଛି, ତାହେଲେ

- ଆରେ କୁହ, ଚୁପ ପଡିଛ ଯେ

ସଞ୍ଜୟ ପାଟିରୁ ବାହାରି ପଡିଲା, "ଆଇ ଲଭ ୟୁ"। କିଛି ସମୟ ନୀରବ ରହିଗଲା ଏଲିନା। ଏଲିନାର ନୀରବତା ସଞ୍ଜୟର ହୃଦୟ ସ୍ପନ୍ଦନ ବଢ଼େଇ ଦେଇଥାଏ। ପୁଣି ଥରେ ସାହସ ଜୁଟେଇ ସଞ୍ଜୟ ହସି ହସି କହିଲା, "ଏପ୍ରିଲ ଫୁଲ; ଠକେଇ ହେଲ ନା, ସତରେ ପ୍ରପୋଜ୍ କଲା ବୋଲି ଭାବିଲ ନା? ହା ହା ହା; ଦେଖ ଜାଣି ଜାଣି ବି ଠକେଇ ହେଲ ତମେ। ମୁଁ ତ ଭାବୁଥିଲି ତମେ ଠକେଇ ହେବନି, ହସିଦେଵ ବୋଲି"। ପ୍ରତ୍ୟୁତ୍ତରରେ ଏଲିନା ବି ନୀରବତା ଭାଙ୍ଗି କହିଲା, "ଆଇ ଲଭ ୟୁ ଠୁ"। ଏଲିନା ପାଟିରୁ ଏତକ ଶୁଣି ସଞ୍ଜୟ ବି ଚୁପ। ଲାଗୁଥିଲା ସତେ ଯେମିତି ସେ ସ୍ଵପ୍ନ ଦେଖୁଛି। ମଧ୍ୟ ଆକାଶରେ ଉଡିଲା ଭଳି ଅନୁଭବ କରୁଥିଲା ସେ। ଏତିକି ବେଳେ ଏଲିନା ହସିଦେଇ କହିଲା, "ହେଲୋ", "ହେଲୋ", "ଜହାଁପନା, କ୍ୟା ହୁଆ?" ସଞ୍ଜୟ ସ୍ୱପ୍ନ ରାଇଜରୁ ଫେରିଆସି ଉତ୍ତର ଦେଲା, "ମୋ ଲାଇଫ ରେ ଏତେ ସୁନ୍ଦର ଫୁଲ କେବେ ହେଇ ନଥିଲି।" ସେଦିନ ସେ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା ଯେ ଏଲିନା ବି ତାକୁ ପସନ୍ଦ କରେ ବୋଲି। 


  କୋର୍ସ ସାରି କିଛିଦିନ ପାଇଁ ଘରକୁ ଆସିଥିଲା ସଞ୍ଜୟ। ମାସଟେ ପରେ ତା ବାପାଙ୍କର ରିଟାୟର୍ମେଣ୍ଟ ଥିଲା। ସଞ୍ଜୟ ଆଉ ବେଙ୍ଗାଲୁରୁ ଯାଉ ବୋଲି ଚାହୁଁନଥିଲେ ତା ବାପା। ବିଭିନ୍ନ ଉଦାହରଣ ଦେଇ ସେ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲେ କିନ୍ତୁ କେବେ ବି ଏକତରଫା ଭାବରେ ସଞ୍ଜୟ ଉପରେ ତାଙ୍କ ନିଷ୍ପତ୍ତି ଲଦି ଦେଇ ନଥିଲେ। ସଞ୍ଜୟ ବି ଚିନ୍ତାକଲା, ଘରେ ତ କେହି ନାହାନ୍ତି; ସାନ ଭଉଣୀବି ଶୀଘ୍ର ବାହାହେଇ ଶାଶୁଘରକୁ ଚାଲିଯିବ; ବାପା ଏକାକୀ କେମିତି ରହିବେ! ସେଦିନ ହିଁ ସେ ନିଷ୍ପତ୍ତି ନେଲା ଯେ, ସେ ଆଉ ବେଙ୍ଗାଲୁରୁ ଯିବନି ବାପାଙ୍କ ସହ ରହିବ। 


  ସଞ୍ଜୟର କ୍ୟାରିଅର ଲକ୍ଷ୍ୟହୀନ ହୋଇଯାଇଥିଲା। କଣ କରିବ, କଣ ନକରିବ ସେ ଭାବି ପାରୁନଥିଲା। ମନ ସ୍ଥିର ରହୁ ନଥିଲା ତାର। କ୍ୟାରିଅର ଚିନ୍ତାରେ ସବୁବେଳେ ମାନସିକ ଚାପରେ ରହୁଥିଲା। ଶେଷରେ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷକ ରୂପେ ଯୋଗଦେଲା ସେ। ଇତିମଧ୍ୟରେ ଦୀର୍ଘ ଚାରିବର୍ଷ ବିତିଯାଇଥିଲେ ହେଁ ସଞ୍ଜୟ ପ୍ରେମ ନିବେଦନ କରିପାରିନଥିଲା ଏଲିନାକୁ। ଏଲିନାକୁ ହରେଇବାର ଭୟ ତା ମନରେ ଘର କରିଥିଲା।


  ସେଦିନ କିନ୍ତୁ କେମିତି ମୁଡରେ ଥିଲା କେଜାଣି; ବହୁତ ଖୁସି ଥିଲା ସଞ୍ଜୟ। ସମସ୍ତଙ୍କ ସହ ଖୁସିରେ କଥା ହେଉଥିଲା। ଏଲିନାର କଲ ଆସିବାରୁ କଲ ରିସିଭ କରୁ କରୁ ସଞ୍ଜୟ କହିଥିଲା, "ଆଇ ଲଭ ୟୁ"। ଏଲିନା ନିଜ କାନକୁ ବିଶ୍ବାସ କରିପାରୁନଥିଲା ଯେ ସଞ୍ଜୟ ସେମିତି କହିବ ବୋଲି। କିଛି ସମୟର ନୀରବତା ପରେ ଏଲିନା କହିଲା, "ଚାରି ବର୍ଷ ଲଗେଇଦେଲ ଏଇ ପଦୁଟେ କହିବା ପାଇଁ! ଲଭ ୟୁ ଠୁ ଚଣ୍ଡୁ। କେତେଦିନୁ ତରସୁଥିଲା ମୋ କାନ, ତମ ପାଟିରୁ ଏଇ ପଦୁଟେ ଶୁଣିବା ପାଇଁ।"


  ସଞ୍ଜୟ ସବୁଦିନ ଏଲିନାକୁ ଗୁଡ଼ ନାଇଟ କହି ଶୋଉଥିଲା। କେବେକେବେ କୌଣସି କାରଣବଶତଃ ଗୁଡ଼ନାଇଟ କହି ନପାରିଲେ, ଆଖିପତା ଲାଗୁନଥିଲା ତାର। ନିଦ ନଲାଗିଲେ, ଅଜବ ଅଜବ କାରନାମା କରୁଥିଲା ସେ। କେବେ କେବେ ରାତି ଦୁଇଟାରେ ରାସ୍ତାରେ ଦୌଡୁଥିଲା ତ କେବେ କେବେ ଗାଁ ୟୁପି ସ୍କୁଲ ସାମନାରେ ନିଛାଟିଆ ରାସ୍ତା ଉପରେ ଯୋଉଠି ରାତି ପ୍ରେତାତ୍ମା ଘୁରିବୁଲେ ବୋଲି ଗାଁ ଲୋକେ କହନ୍ତି, ସେଠି ବାଇକ ରଖି ବାଇକ ଉପରେ ଶୋଇ ଗୀତ ଗାଇ ଗାଇ ହଜିଯାଉଥିଲା ନିଜର ଏକ ଭିନ୍ନ ରାଇଜରେ। ହଠାତ ମୋବାଇଲ ରିଂ ରେ ପ୍ରକୃତିସ୍ଥ ହୋଇ କଲ ରିସିଭ କଲା ବେଳକୁ, ସେପଟୁ ଫୁସଫୁସ ଶବ୍ଦରେ ଶୁଭୁଥିଲା, "ସରି ଧନ! ଲେଟ ହେଇଗଲା, ଗୁଡ଼ ନାଇଟ, ସ୍ୱିଟ ଡ୍ରିମ"।


  ଏଲିନାର ମାଆ ଭାରି ଷ୍ଟ୍ରିକ୍ଟ ତେଣୁ ତାଙ୍କଠୁ ଲୁଚିଛପି କଥା ହୁଏ ସେ। ସଞ୍ଜୟକୁ ବି ସେ ମନା କରିଛି ସେଇ ନମ୍ବରକୁ କଲ କରିବା ପାଇଁ। ତାର ବ୍ୟକ୍ତିଗତ ମୋବାଇଲ ନାହିଁ, ମାଙ୍କ ମୋବାଇଲରୁ କଥାହୁଏ। ସଞ୍ଜୟ ଅନେକ ଥର ଆଣ୍ଠୁ ଫଟେଇ ହେଇଛି ଏଲିନା ଚକ୍କର୍ ରେ। କଥା କଣ କି, ସେତେବେଳେ ସଞ୍ଜୟର ଘର ଭିତରେ ମୋବାଇଲ ସିଗନାଲ ସେତେ ଭଲ ନଥିଲା; ସେଥିପାଇଁ ଏଲିନାର କଲ ଆସିଲେ ସେ ଦୌଡ଼ି ଦୌଡ଼ି ଘର ବାହାରକୁ ଆସୁଥିଲା କଥା ହେବା ପାଇଁ ଆଉ କେତେବେଳେ ଖଟ ମଚୁଆ ତ କେତେବେଳେ ଟେବୁଲ ତ କେତେବେଳେ ପଲଙ୍କରେ ବାଡେଇ ହେଇ ଆଣ୍ଠୁ ଫଟେଇ ହଉଥିଲା। ଅନେକ ଥର କଥା ହେଇ ହେଇ ରାତିରେ ରାସ୍ତାରେ ଗଲାବେଳେ ଚାଷ ଜମି ଭିତରକୁ ବି ପଶି ଯାଇଛି ସେ। 


   ପ୍ରେମାଳାପ କରୁ କରୁ ଥରେ ଏଲିନା ପଚାରିଲା, "ଲୋକେ ଡାକନାମ ସାଧାରଣତଃ ଦୁଇ ଅକ୍ଷର ବିଶିଷ୍ଟ ଦେଇଥାନ୍ତି କିନ୍ତୁ ତମେ ମତେ 'ମରିଚିକା' ବୋଲି ନାଁ ଦେଇଛ। ଅଜବ ଲୋକ ତମେ, ମୋ ନାଆଁ ଏଲିନା ହେଉଛି ତିନି ଅକ୍ଷରର ଆଉ ଡାକନାମ ଦେଇଛ ଚାରି ଅକ୍ଷରରେ। ଏଇ ନାଁ ର ଅର୍ଥ କଣ?" ସଞ୍ଜୟ କହିଲା, "ତମେ ମୋ ପାଇଁ ମରିଚିକା ସଦୃଶ"।

-ହଁ ଯେ, ମରିଚିକା ମାନେ କଣ?

-ସତରେ ଜାଣିନ?

-ନା

-ମୃଗତୃଷ୍ନା ଶୁଣିଛ?

-ନା

ଏତିକି କହି ମା ଆସିବାରୁ ପରେ କଥା ହେବି କହି କଲ କାଟିଦେଲା ଏଲିନା। ଯେବେବି ସେ ମରିଚିକାର ଅର୍ଥ ଜାଣିବାକୁ ଚେଷ୍ଟା କରେ, କିଛି ନା କିଛି ପ୍ରତିବନ୍ଧକ ନିଶ୍ଚୟ ସୃଷ୍ଟି ହୁଏ। 


  ସମୟ ଗଡିଚାଲେ, ଦୁହିଁଙ୍କର ପ୍ରେମର ଗଭୀରତା ମଧ୍ୟ ବଢି ଚାଲେ। ଏଲିନା ଓ ସଞ୍ଜୟ ପରସ୍ପରକୁ ମନର ତୂଳୀରେ ରୂପଦେଇ ସଜେଇଥାନ୍ତି ସ୍ୱପ୍ନର ଦୁନିଆଁ। ନା ସଞ୍ଜୟ, ଏଲିନାକୁ ଦେଖିଛି ନା ଏଲିନା ସଞ୍ଜୟକୁ ଦେଖିଛି। ଫଟୋରେ ବି କେହି କାହାକୁ ଦେଖିନଥିଲେ। ଏବେକାର ଭଳି ସେତେବେଳେ ଏଣ୍ଡ୍ରଏଡ଼ ମୋବାଇଲ ଫୋନ ନଥିଲା। ଜମାନା ଥିଲା ଲ୍ୟାଣ୍ଡଲାଇନ ଫୋନ୍ ର। କାଁ ଭାଁ କେହି କେହି କି-ପ୍ୟାଡ଼ ମୋବାଇଲ ଫୋନ୍ ଧରୁଥିଲେ ଯୋଉଟାରେ କି କେବଳ ଟେକ୍ସଟ ମ୍ୟାସେଜ ଓ ଅଡିଓ କଲର ସୁବିଧା ଉପଲବ୍ଧ ଥିଲା।


  ବିକ୍ରମ ଘରେ ସେଦିନ ତାଙ୍କ ନୂଆ ଘରର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା। ଏଲିନାକୁ ସାକ୍ଷାତ କରିବାର ଏଭଳି ଏକ ସୁଯୋଗର ହାତଛଡା କଲେ ତାକୁ ପୁଣି କେବେ ସାକ୍ଷାତ କରିବାର ସୁଯୋଗ ମିଳିବ କେଜାଣି। ତେଣୁ ସେ ଏଭଳି ସୁଯୋଗ ହାତଛଡା କରିବାକୁ ଚାହୁଁ ନଥିଲା। କାରଣ ଏଲିନାର ବାପା ଚାକିରୀ କରୁଥିବାରୁ ସେମାନେ ସପରିବାର ଅନ୍ୟ ଜିଲ୍ଲାରେ ରହୁଥିଲେ। କେବେ କୌଣସି ସାମାଜିକ କାର୍ଯ୍ୟକ୍ରମ ଅବସରରେ ହିଁ ସେମାନେ ଆସୁଥିଲେ ବିକ୍ରମ ଘରକୁ। ବିକ୍ରମ ହେଉଛି ଏଲିନାର ବଡ ବାପାଙ୍କ ପୁଅ। 

ବର୍ଷାରେ ରାସ୍ତାଘାଟ ଭାଙ୍ଗି ଭାସିଯାଇଥାଏ। ଗାଡି ମଟର ଚାଲିବା ବନ୍ଦ ହେଇଯାଇଥାଏ। ବିକ୍ରମ ଘର ସଞ୍ଜୟ ଘର ଗାଁ ରୁ ପ୍ରାୟ ଷାଠିଏ କିଲୋମିଟର ବାଟ। ସିଧା ରାସ୍ତାଟା ପାଣିରେ ଧୋଇ ହେଇଯାଇଥାଏ। ଜରୁରୀ କାମରେ ଯିବାକୁ ହେଲେ ଆଉ ପଚାଶ କିଲୋମିଟର ବୁଲିକି ଯିବାକୁ ପଡ଼ିବ। ସଞ୍ଜୟ ଆଗପଛ କିଛି ନଭାବି ଝୋ ଝୋ ବର୍ଷାରେ ବାହାରି ପଡ଼ିଲା, ତାର ପ୍ରିୟ ବନ୍ଧୁ ବିକ୍ରମ ଘରକୁ ଯିବା ପାଇଁ। ଘଡଘଡି ବର୍ଷା ତାକୁ କିଛି ଅନୁଭବ ହଉ ନଥିଲା; ମନ ଖାଲି ବ୍ୟାକୁଳ ଥିଲା ଏଲିନାକୁ ଦେଖିବା ପାଇଁ। କେମିତି କଥା ହେବ ସେ, ଏଲିନା ସହିତ; କଣ କଥା ହେବ; ଏସବୁ କଥା ଭାବି ଭାବି ଖାଲି ମନେ ମନେ ମୁରୁକି ହସ ହସୁଥାଏ ବାଟସାରା।

ବେଳେବେଳେ ସଞ୍ଜୟ ମନେ ପକାଉଥାଏ ସେଇଦିନକୁ। 


  ଟ୍ରେନରେ ବେଙ୍ଗାଲୁରୁରୁ ଘରକୁ ଆସିଲା ବେଳେ ବିକ୍ରମ ତାକୁ ମେସେଜ କରି ଏଲିନାର ନମ୍ବର ତା ମୋବାଇଲରୁ ଡିଲିଟ୍ କରିବାକୁ କହିଥିଲା। ଏଲିନା ସାଙ୍ଗେ କୌଣସି ସମ୍ପର୍କ ନରଖିବାକୁ କହିଥିଲା। ସଞ୍ଜୟ ବି ସେଦିନ ରାଗିକି କହିଥିଲା, "ବନ୍ଧୁ, ତମ ଭଉଣୀର ନମ୍ବର ତ ଡିଲିଟ୍ କରିଦେବି, ମୋବାଇଲରୁ, ହେଲେ ମୋ ମନରୁ ତାକୁ କେମିତି ଡିଲିଟ୍ କରିବ? ତମ ଭଉଣୀର ହଜାରେ ନମ୍ବର ବଦଳେଇଲେ ବି ଫରକ ପଡିବନି। ମୋ ନମ୍ବର ତା ପାଟିରେ ଝୁଲୁଛି। ପାରିବ ଯଦି ଆମର ହୃଦୟ ବଦଳେଇ ଦିଅ" ଏମିତି ଘଟଣାରେ ଅନେକ ଦିନର ବନ୍ଧୁତ୍ବ ବି ଭାଙ୍ଗିଯାଏ; କିନ୍ତୁ ସଞ୍ଜୟ ଓ ବିକ୍ରମର ବନ୍ଧୁତ୍ୱ ଏତେ ନିବିଡ ଥିଲା ଯେ, କିଛିଦିନ ଚୁପ ରହିଲା ପରେ ଦୁହେଁ ପୁଣିଥରେ ଏମିତି ମିଶିଲେ ଯେମିତିକି କିଛି ଘଟି ନଥିଲା। 


   ଏତିକି ବେଳେ ଆଗକୁ ଭିଡ଼ ଜମିଥିବାର ଦେଖି ଅଟକିଗଲା ସଞ୍ଜୟ। ବର୍ତ୍ତମାନର ଏଇ 206 ନମ୍ବର ରାଜରାସ୍ତା ସେତେବେଳେ ରାଜରାସ୍ତା ନଥିଲା। ଗଡାଣି ଉଠାଣି ହେଇ ଜଙ୍ଗଲ ଭିତର ଦେଇ ଯାଇଥିଲା। ଜଙ୍ଗଲ ମଝିରେ ରାସ୍ତା ଦୁଇ କଡରେ ପ୍ରାୟ ଦଶ ପନ୍ଦରଟି ଟ୍ରକ, ବୋଲେରୋ ଓ ଇଣ୍ଡିକା କାର ସାଙ୍ଗକୁ ପ୍ରାୟ କୋଡିଏ ପଚିଶ ଜଣ ବାଇକ୍ ଚାଳକ ଅଟକିଥିଲେ। ସମସ୍ତେ ଅପେକ୍ଷା କରିଥିଲେ ସେଇ ରାସ୍ତାରେ ଥିବା ଏକ ଗଡାଣିଆ ପୋଲ ଉପର ଦେଇ ଯାଉଥିବା ଜଳସ୍ରୋତର ପ୍ରଖରତା ହ୍ରାସ ହେବାକୁ। ଜଳସ୍ତର ବେଶୀ ନଥିଲା, ଆଣ୍ଠୁଏ ଖଣ୍ଡେ ଥିଲା; କିନ୍ତୁ ପାହାଡିଆ ଜଳ ସ୍ରୋତର ପ୍ରଖରତା ଯଥେଷ୍ଟ ଥିଲା ଏକ ଛୋଟ କାର କିମ୍ୱା ବାଇକକୁ ପନ୍ଦର କୋଡ଼ିଏ ଫୁଟ ତଳ ଗଭୀର ଖାତ ଭିତରକୁ ଟାଣି ନେବାକୁ। ସମୟ ଦୁଇଟା ପାଖାପାଖି; କେତେବେଳେ ପାଣି କମିବ କିଏ ଜାଣେ! ଯଦି ପହଁଞ୍ଚିବା ବିଳମ୍ବ ହୁଏ ତେବେ ଏଲିନାକୁ ଦେଖି ପାରିବନି। ଲଞ୍ଚ ପରେ ଆଉ ସେ ରହିବନି; ତା ବାପା ମାଙ୍କ ସହ ନିଜ ଘରକୁ ଫେରିଯିବ। ଆଉ ଧର୍ଯ୍ୟ ନଥିଲା ତାର ଅଟକିବା ପାଇଁ। ଯେମିତି ହେଲେ ଶୀଘ୍ର ପହଞ୍ଚିବାକୁ ପଡିବ। ଆଗପଛ ନଭାବି ଗାଡି ଷ୍ଟାର୍ଟ କରି ପଶିଗଲା ସେ ଭିତରକୁ। ଛିଡାହେଇଥିବା ଲୋକମାନେ ପାଟିକରୁଥାନ୍ତି, ଗାଳି କରୁଥାନ୍ତି। ସଞ୍ଚୟର କିନ୍ତୁ ପୂରା ବିଶ୍ୱାସ ଥିଲା ନିଜ ଉପରେ, ଯେ ଜଳସ୍ରୋତ ତାକୁ ଟାଣି ନେଲେ ବି, ରାସ୍ତା ଉପରୁ ତଳକୁ ଖସିବା ପୂର୍ବରୁ ସେ ଆରମୁଣ୍ଡକୁ ପହଞ୍ଚି ସାରିଥିବ। ସତକୁ ସତ ସେମିତି ଏକା ହେଲା। ଜଳସ୍ରୋତ ତାକୁ ଏତେ ଜୋରରେ ଟାଣି ନେଲା ଯେ ଆର ମୁଣ୍ଡକୁ ପହଞ୍ଚିବାର ପାଞ୍ଚ ଫୁଟ ଆଗରୁ ରାସ୍ତାର ତଳ ଧାରକୁ ପହଞ୍ଚି ସାରିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ରାସ୍ତା ଉପରେ ଥିବା ଏକ ପଥରରେ ବାଇକ୍ ର ଷ୍ଟାଣ୍ଡ ଅଟକି ଯିବାରୁ ଅଳ୍ପକେ ସେ ବର୍ତ୍ତିଗଲା। ଏତେଲୋକ ଗାଳି କରୁଥିଲେ ବି ସଞ୍ଜୟର କୌଣସି ପ୍ରତିକ୍ରିୟା ନଥିଲା। ସେ ଖାଲି କେମିତି ପହଞ୍ଚିବ ସେକଥା ଭାବୁଥିଲା।


   ପହଞ୍ଚିଗଲା ସଞ୍ଜୟ ତା ସାଙ୍ଗ ବିକ୍ରମଘରକୁ। ବହୁତ ଦିନ ପରେ ସାକ୍ଷାତ ହେଇଥିବାରୁ ବିକ୍ରମ ଓ ସଞ୍ଜୟ ପରସ୍ପରକୁ ଆଲିଙ୍ଗନ କଲେ। ବିକ୍ରମ ଭଲମନ୍ଦ ପଚାରୁଥାଏ କିନ୍ତୁ ସଞ୍ଜୟ ଅନ୍ୟମନସ୍କ ଥାଏ। ତା ଆଖି ଦୁଇଟା କେବଳ ଏଲିନାକୁ ଖୋଜୁଥାଏ। ଅତିଥି ସତ୍କାରରେ ବ୍ୟସ୍ତ ବିକ୍ରମ ସଞ୍ଜୟକୁ ବସିବାକୁ କହି ଭିତରକୁ ଚାଲିଗଲା। ଠିକ ଏତିକିବେଳେ ଭିଡ଼ ଭିତରେ ଗୁମସୁମ ବସିଥିବା ଗୋଟେ ଝିଅ ଉପରେ ନଜର ପଡିଗଲା ସଞ୍ଜୟର। ଝିଅଟିର ଶାଳୀନତା ଦେଖି ସଞ୍ଜୟ ନିଶ୍ଚିତ ହେଇଗଲା ଏଇଟା ସେଇ ଝିଅ ଯାହା ପାଇଁ ସେ ନିଜ ଜୀବନକୁ ବାଜି ଲଗେଇ ସାକ୍ଷାତ କରିବାକୁ ଆସିଛି। ସଞ୍ଜୟର ହୃଦୟ ସ୍ପନ୍ଦନ ବଢ଼ିଚାଲିଥିଲା। ପୁରା ନର୍ଭସ ଲାଗୁଥିଲା, କେମିତି କଥା ହେବ; କଣ କଥା ହେବ; କିଛି ବୁଝି ପାରୁନଥିଲା। ପ୍ରଥମ ଦେଖାରେ ଏମିତି କରିବି, ସେମିତି କରିବି ବୋଲି ଯାହାକିଛି ଆଗରୁ ଭାବିଥିଲା, କିଛି ବି ତାର ମନେପଡୁନଥିଲା। ତଥାପି ମନର ବ୍ୟାକୁଳତାକୁ ଅଟକେଇ ନପାରି ସେ ଝିଅଟିର ସାମନାକୁ ଯିବାକୁ ଚେଷ୍ଟା କରୁଥିଲା। କାରଣ ସଞ୍ଜୟ, ଏଲିନାକୁ ଦେଖିନଥିଲେ ମଧ୍ୟ ଏଲିନା ସଂଜୟକୁ ଫଟୋରେ ଦେଖିଥିଲା। କିଛି ସମୟ ପରେ ଦୁହେଁ ହଠାତ ସାମ୍ନାସାମ୍ନି ହେଇଗଲେ; ଇଚ୍ଛା ହେଉଥିଲା ଦଉଡି ଯାଇ ଆଲିଙ୍ଗନ କରିବାକୁ, କିନ୍ତୁ ଦୁହେଁ ଆଖିରେ ଆଖିରେ ହିଁ ପରସ୍ପରକୁ ଆଲିଙ୍ଗନ କରି ପକେଇଲେ। ସଞ୍ଜୟକୁ ଲାଗୁଥିଲା ସତେ ଯେମିତି ସେ ମଧ୍ୟସ୍ଵର୍ଗକୁ ପହଞ୍ଚି ଯାଇଛି। କିନ୍ତୁ ତାର ଖୁସି ବେଶୀ ସମୟ ରହିପାରିଲାନି। କେହି ଜଣେ ଡାକ ପକେଇ କହିଲା, "ଏଲି, ତୋ ମା ଡାକୁଛନ୍ତି"

ଏଇଟା ଥିଲା ସଞ୍ଜୟ ଓ ଏଲିନାର ପ୍ରଥମ ସାକ୍ଷାତ, ଯୋଉଟା କି ବିନା କଥାବାର୍ତ୍ତାରେ ସରି ଯାଇଥିଲା। କେବଳ ଆଖିରେ ଆଖିରେ ଯାହା ଭାବର ଆଦାନ ପ୍ରଦାନ ଆଉ ନିମିଷକର ମୁରୁକି ହସ।


  ଦ୍ଵିତୀୟ ସାକ୍ଷାତ ହେଇଥିଲା ଶତାବ୍ଦୀ ବସରେ। ଗୋଟିଏ ସିଟରେ ବସିକି ପ୍ରାୟ କୋଡିଏ କିଲୋମିଟର ଯାତ୍ରାକରିଥିଲେ ବି ସଞ୍ଜୟ ଓ ଏଲିନା ଆଖିରେ ଆଖି ମିଶେଇ ପରସ୍ପରକୁ ଦେଖି ପାରୁନଥିଲେ; କାରଣ ତାଙ୍କ ପାଖରେ ଥିବା ସହଯାତ୍ରୀ ସମସ୍ତେ ତାଙ୍କ ଦୁଇଜଣକୁ ହଁ ଏକ ଲୟରେ ଦେଖୁଥିଲେ। ଅଳ୍ପ ସମୟର ସାକ୍ଷାତ ଦୁହିଁଙ୍କୁ ଅଧୁରା ଅଧୁରା ଲାଗୁଥିଲା। ବର୍ତ୍ତମାନ ଭଳି ପରିସ୍ଥିତି ସେ ସମୟରେ ନଥିଲା। ଆଜିକାଲି ଘରୁ ମିଛ କହି ପୁଅ ଝିଅ ଦିନସାରା ଏକତ୍ର ବୁଲିଆସୁଛନ୍ତି। ସେତେବେଳେ ସାମାଜିକ ସ୍ଥିତି ଅଲଗା ଥିଲା। ପୁଅ ଝିଅ ସାଥିରେ ଥିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ରହୁଥିଲା। ଆଜି ଯିଏ ଯୁଆଡେ ଗଲେ କେହି ପଚାରନ୍ତିନି। ପୁଅ ଝିଅଙ୍କର ନା ପିତା ମାତାଙ୍କ ପ୍ରତି ବିଶ୍ୱସ୍ତତା ଅଛି ନା ସେମାନଙ୍କ ମାନ ସମ୍ମାନର ଚିନ୍ତା ଅଛି। ସମୟ ବଦଳିଛି ସମସ୍ତେ ନିଜ ନିଜ ଦୁନିଆଁରେ ମସଗୁଲ; ନିଜ ନିଜ ସ୍ୱାର୍ଥ ପାଇଁ ଜିଦ୍ଦି। ସଞ୍ଜୟ ଆଉ ଏଲିନା ଦୁହେଁ କିନ୍ତୁ ଅଲଗା ଥିଲେ। ପାରିବାରିକ ତଥା ସାମାଜିକ ମାନ ମର୍ଯ୍ୟାଦା ପ୍ରତି ସେମାନେ ସଚେତନ ଥିଲେ।


   ତୃତୀୟ ଥର ପାଇଁ ସେମାନେ ସାକ୍ଷାତ କରିଥିଲେ ବିକ୍ରମର ବିବାହରେ। ବୋଧେ ସେଇ ତୃତୀୟ ସାକ୍ଷାତ ତାଙ୍କ ଜୀବନରେ ଏକା ସାଥିରେ ବିତେଇ ଥିବା ଦୀର୍ଘତମ ମୁହୂର୍ତ୍ତ। 

ବିବାହ ପୂର୍ବଦିନ ସନ୍ଧ୍ୟାରେ ହିଁ ସଞ୍ଜୟ ପହଞ୍ଚି ଯାଇଥିଲା ବିକ୍ରମ ଘରକୁ। ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ ଛାତ ଉପରେ ବସିଥିଲେ ପ୍ରେମୀ ଯୁଗଳ। ସେତେବେଳର ଅନୁଭୂତି ଥିଲା ନିଆରା। ସଞ୍ଜୟର ଭାରି ଇଚ୍ଛା ଥିଲା ଏଲିନାକୁ ନିଜ ବାହୁ ବନ୍ଧନରେ କିଛି ସମୟ କଏଦ କରିବାକୁ। କିନ୍ତୁ କହି ପାରୁନଥିଲା ସେ। ପାଖକୁ ଲାଗିକି ବସିଥିବାରୁ ଦୁହିଁଙ୍କ ବାହୁ ଓ ଜଙ୍ଘ ପରସ୍ପରକୁ ମୃଦୁସ୍ପର୍ଶ କରୁଥିଲେ। ସେତେବେଳେ ସେମାନେ କିଛି କଥା ହେଲେ ନା କେବଳ ପରସ୍ପରକୁ ଦେଖି ଦେଖି ଘଣ୍ଟାଏ ଗଡ଼ିଗଲା କେଜାଣି; ବିକ୍ରମର ବାପା "ଏଲି, ଏଲି" ଡାକିବାରୁ ଏଲିନା ତରବରରେ ଦୌଡ଼ି ପଳେଇଲା।


  ସକାଳେ ସଞ୍ଜୟ ଓ ତାର ଆଉ ଜଣେ ସାଙ୍ଗ ମାନସ ବରଯାତ୍ରୀଙ୍କ ପାଇଁ ଥିବା ଗାଡିରେ ନଯାଇ, ଦୁହେଁ ବାଇକ୍ ରେ ବରାତି ଯାଇଥିଲେ। ସଞ୍ଜୟ ପିନ୍ଧିଥିବା ନୀଳ କାଚର ଚଷମାକୁ ନେଇ ଏଲିନା କିଛି ଗୋଟେ ଟିପ୍ପଣୀ ଦେଇଥିଲା ସେଇଠି। ସେଇ ପଦୁଟେ କଥାକୁ ଭାବି ଭାବି ଦିନସାରା ସେ ମନେ ମନେ ହସୁଥିଲା। ମାନସ ଥରେ ପଚାରି ବି ଥିଲା; 

- କଣ ବନ୍ଧୁ ଆଜି ବେଶୀ ଖୁସ୍ ଜଣା ପଡୁଛ; କଥା କଣ

- ହଁ, ଏମିତି

- କିସ ଫିସ କଲ ନା କଣ ତମ ମରୀଚିକାକୁ?

- ନାଇଁ, ସେମିତି କିଛି ନାଇଁ

- ପାଖରେ ଛିଡା ହେଇଥିଲ ପରା; ମୁଁ ନିଜେ ଦେଖିଲି। ଆଉ କେହି ନଥିଲେ ସେଠି

- କୋଉଠି?

- ଚର୍ଚ୍ଚ ସାଇଡରେ

- ଯେ; କିସ କରିବାର ଥିଲେ ହିଁ ପାଖରେ ଛିଡା ହେବି ନା କଣ; କଥା ହେବା ପାଇଁ ବି ପାଖରେ ଛିଡା ହେବାକୁ ପଡେ

- ହଁ, ଯେ; ସବୁବେଳେ ତମେ ଟିକେ ଏଡଭାନ୍ସ ରୁହ ତ, ସେଥିପାଇଁ କହିଲି

- କିଛି ନାଇଁ ବନ୍ଧୁ; ସେ ମୋର ଏଇ ଚଷମା କଥା କହୁଥିଲେ;

- କଣ କହିଲେ

- କିଛି ନାଇଁ; ଖାଲି 'ୱାଓ ବ୍ଲୁ ଗଗଲ୍ସରେ, ମସ୍ତ ଲାଗୁଛ' କହିଲେ। 

- ଆଉ

- ଆଉ କିଛି ନାଇଁ

- ଚାଲୁ ଚାଲୁ


  ବିବାହ ସରିଗଲା; ବର କନ୍ୟା ଘରକୁ ଆସିଲେ। ସେଦିନ ଥିଲା, ବିକ୍ରମର ରିସେପସନ। ଭାନସ ଘର ଦାୟୀତ୍ବରେ ଥଲା ଏଲିନା। ଲୋକେ ଯାହା ବରଣୀ ଆଣୁଥିଲେ, ତାହା ଖାତାରେ ଲେଖି ସେ ସାଇତିକରି ରଖୁଥିଲା ଏବଂ ବସିବା ପାଇଁ କହୁଥିଲା। ସଞ୍ଜୟ ଓ ମାନସ ସେମାନଙ୍କୁ ଟିଫିନ୍ ଦେଉଥିଲେ। ଭାନସ ଘର ମାନେ ସେଇ କୋଠରୀ, ଯୋଉଠି ଲୋକେ ଆଣିଥିବା ଉପହାରକୁ ସାଇତି କରି ରଖନ୍ତି। ସାଧାରଣତଃ ଗ୍ରାମାଞ୍ଚଳ ତଥା ଛୋଟ ସହରରେ ଲୋକେ ଫେନ୍ସି ସାମଗ୍ରୀ, ଚାଉଳ, ମୁଢି, ଲୁଗାପଟା, ବାସନ କୁସନ ତଥା ଅନ୍ୟାନ୍ୟ ସାମଗ୍ରୀ ନେଇ କନ୍ୟା ଘରକୁ ହିଁ ଆସନ୍ତି। ବର ଘରକୁ ଟଙ୍କା ହିଁ ଦେଇ ଥାଆନ୍ତି ବରଣୀ ରୂପେ। ବାକି ଯୋଉମାନେ ଗିଫ୍ଟ ପ୍ୟାକିଂ କରି ଆଣି ଥାଆନ୍ତି ସେମାନେ ପ୍ରତ୍ୟକ୍ଷ ଭାବରେ ଷ୍ଟେଜରେ କିମ୍ବା ଘରେ ବର କନ୍ୟାଙ୍କୁ ଦେଇଥାନ୍ତି। ତଥାପି ପାରମ୍ପରିକ ହିସାବରେ ବର ଘରେ ବି ଭାନସ ଘର ଥାଏ। ମାନସ କାଗଜ ପ୍ୟାକେଟରେ ମିଠା, ସେଓ, ବୁନ୍ଦି, କଦଳୀ, ମିକ୍ସଚର ଆଦି ପ୍ୟାକ କରୁଥିଲା ବେଳେ ସଞ୍ଜୟ ଓ ଏଲିନା ଭାନସ ଘର ସାମ୍ନାରେ ବସି ଖୁସି ଗପରେ ମସଗୁଲ ଥାଆନ୍ତି। କଥାରେ କଥାରେ କେତେବେଳେ ସଞ୍ଜୟ ଯେ ଏଲିନାର ଜଙ୍ଘରେ ହାତରେ ରଖି ଦେଇଥିଲା, ସେଇ ଦୃଶ୍ୟଟା ବିକ୍ରମର ଭାଇ ସଂଗ୍ରାମ ନଜରରେ ପଡି ଯାଇଥିଲା ସେଦିନ। ସଂଗ୍ରାମ କିନ୍ତୁ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ସେତେବେଳେ କିଛି ନକହି ଚୁପ ରହିଥିଲା।

   ସେଦିନ ସେଇ ଭାନସ ଘର ଭିତରେ ବି ପ୍ରାୟ ଘଣ୍ଟାଏ ଖଣ୍ଡେ ସମୟ ଅତିବାହିତ କରିଥିଲେ ଏଲିନା ଓ ସଞ୍ଜୟ। ମାନସ ବାହାରେ ଜଗିଥିଲା। ସେଇ ମୁହୂର୍ତ୍ତକୁ ମନେ ପକେଇଲେ ଆଜି ବି ଫେରିଯାଏ ସଞ୍ଜୟ ପନ୍ଦର ବର୍ଷ ତଳକୁ। ସଞ୍ଜୟ ମୁଣ୍ଡ ତଳକୁ କରି ମିଠା ପ୍ୟାକେଟ ପ୍ୟାକ କରୁଥିଲା ବେଳେ ଏଲିନା ଏକଲୟରେ ସଞ୍ଜୟକୁ ଦେଖୁଥିଲା। ପୁଣି ସଞ୍ଜୟ ଏଲିନାକୁ ଯେତେବେଳେ ମୁଣ୍ଡ ଉଠେଇ ଦେଖୁଥିଲା; ଏଲିନା ଲାଜେଇ ଯାଇ ମୁଣ୍ଡ ତଳକୁ କରି ସେ ବି ମିଠା ପ୍ୟାକିଂ କରିବାର ଅଭିନୟ କରୁଥିଲା ଓ ସଞ୍ଜୟ ସେତେବେଳେ ଅଟକି ଯାଇ ପାଗଳଙ୍କ ପରି ଏଲିନାକୁ ନିରୀକ୍ଷଣ କରୁଥିଲା। ଏମିତି ଚାହାଣୀର ଲୁଚକାଳି ଖେଳ ଭିତରେ ଏମିତି ବି ମୁହୂର୍ତ୍ତ ଆସିଲା ଯେତେବେଳେ ଦୁହେଁ ପରସ୍ପରକୁ ଏକାଥରକେ ଅନେଇଥିଲେ। ସେଇଠି ଅଟକି ଯାଇଥିଲା ଆଖିର ଲୁଚକାଳି ଖେଳ। ଆଖିରେ ଆଖି ମିଶେଇ ମନର ଭାବ ଆଦାନ ପ୍ରଦାନ କରୁକରୁ ଆଖି ଭରି ଆସିଥିଲା ଏଲିନାର। ଦୁହେଁ ଭାବ ବିହ୍ଵଳରେ ଆଲିଙ୍ଗନ କରିଥିଲେ ପରସ୍ପରକୁ। ଏଇଟା ଥିଲା ଏଲିନା ପାଇଁ କୌଣସି ଯୁବକର ପ୍ରଥମ ସ୍ପର୍ଶ। ସଞ୍ଜୟର ଆଖିରୁ ବି ଲୁହ ଝରୁଥିଲା। ଦୁହେଁ ପରସ୍ପରକୁ ଜାବୁଡି ଧରିଥିଲେ। ଲାଗୁଥିଲା ସତେ ଯେମିତି ଦୁଇଟି ଶରୀର ମଧ୍ୟରେ ଗୋଟିଏ ହୃଦୟ ଧଡକୁଛି। ଦୁହେଁ ପରସ୍ପରର ହୃଦୟ ସ୍ପନ୍ଦନ ଅନୁଭବ କରିପାରୁଥିଲେ। ଏଲିନାର ଲୁହରେ ସଞ୍ଜୟର ସାର୍ଟ ପକେଟ ଭିଜିଯାଇଥିଲା। ସଞ୍ଜୟ ନିଜର ଚିରାଚରିତ ମଜାକିଆ ଫିଲ୍ମି ଅନ୍ଦାଜରେ କହିଥିଲା,

 "ଏଲି; ତମ ନାକର ସବୁ ଗ୍ଲିସେରିନ ମୋତେ ଓଦା କରିଦେଲାଣି।"

ଏଲିନା ମୁଣ୍ଡ ଉଠେଇ ସଞ୍ଜୟକୁ ଅନେଇ ଏକ ଲାଜମିଶା ସ୍ମାଇଲଟେ ଦେଇଥିଲା ସିନା ହେଲେ ସଞ୍ଜୟର ଆଖିକୁ ପୁନର୍ବାର ଅନେଇ ପାରି ନଥିଲା। ସଞ୍ଜୟ ଦୁଇ ତିନିଥର ଏଲି, ଏଲି କହି ତା ଚିବୁକକୁ ଦକ୍ଷିଣ ହସ୍ତ ତର୍ଜନୀରେ ମୃଦୁସ୍ପର୍ଶ ଦେଇଥିଲା। ଏଲିନା ନଜର ଉଠେଇ ସଞ୍ଜୟକୁ ଦେଖିଲା ବେଳକୁ ତାର ଶିଶୁସମ ସ୍ୱଚ୍ଛ ନୟନ ଯୁଗଳ ରକ୍ତାଭ ହେଇଯାଇଥିଲା। ତା ଆଖିରେ ଏକ ଅଜବ ନିଶା ଥିଲା ସେଦିନ। ଦୁହେଁ କାନ୍ଥରେ ଆଉଜେଇ ହେଇ ଗୋଡ଼ ଲମ୍ବେଇ ବସିଥାନ୍ତି। ଏକ ଅଦୃଶ୍ୟ ଚୁମ୍ବକୀୟ ଶକ୍ତିର ପ୍ରଭାବରେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ହେବାରେ ଲାଗିଥାଏ। ସଞ୍ଜୟର ତୃଷାର୍ତ୍ତ ଓଷ୍ଠ ନବଯୁବତୀ ଏଲୀନାର ସିନ୍ଦୁର ବର୍ଣ୍ଣ ପାନପାତ୍ରରୁ ମଧୁ ପାନ କରିବାକୁ ଯେତେ ନିକଟତର ହେଉଥାଏ ପ୍ରିୟସୀର ତାରକା ସଦୃଶ ଲୋତକ ପୂର୍ଣ୍ଣ ଢଳଢଳ ନୟନ ଯୁଗଳ ମୁଦ୍ରିତ ହେବାରେ ଲାଗିଥାଏ।


   ଦୁହେଁ ପରବର୍ତ୍ତୀ ଅଧ ଘଣ୍ଟା କଣ କଲେ ନକଲେ ସେଇଟା କେହି ନଜାଣିଲେ ବି ସେଇ ସମୟର ସାମାଜିକ ପରିସ୍ଥିତି ଓ ସେଇ ପରିବାରର ଚଳଣୀ ଦୃଷ୍ଟିରେ ଗୋଟିଏ ବନ୍ଦ କୋଠରୀରେ ଗୋଟେ ପୁଅ ଓ ଗୋଟେ ଝିଅ ଏକାଠି ସମୟ ଅତିବାହିତ କରିବା କିଛି ସାମାନ୍ୟ କଥା ନଥିଲା।


   ସେଦିନ ରାତି ଏଲିନାର ଭାଇ ସଂଗ୍ରାମ ରାଗ ତମ ତମ ହେଇ ପଚାରିଥିଲା, "ତୋର ତା ସହିତ ସମ୍ପର୍କ କଣ ଯେ, ସେ ତୋ ଜଙ୍ଘରେ ହାତ ରଖିଥିଲା; କାହିଁକି ଏତେ ନିବିଡ଼ତା? ତୋତେ ଲାଜ ଲାଗିଲାନି; ହଜବ୍ୟାଣ୍ଡ ସହ ବସିଲା ଭଳି ବସିଥିଲୁ। ସିଏ କଣ ତୋର ବୟଫ୍ରେଣ୍ଡ?"

- ହଁ

- କଣ କହିଲୁ, କଣ କହିଲୁ; ବୟ ଫ୍ରେଣ୍ଡ?

(ରାଗରେ ଗୋଟିଏ ଚାପୁଡ଼ା ମାରିଲା ସଂଗ୍ରାମ ଏଲିନାକୁ)

ଏଲିନା ବି ରାଗିଯାଇ କହିଲା "ହଁ ବୟଫ୍ରେଣ୍ଡ ; ମୁଁ ତାଙ୍କୁ ଭଲପାଏ। 

-ଚଣ୍ଡୀ, କଣ କହିଲୁ ବୟଫ୍ରେଣ୍ଡ; ମରି ଯା; ବଞ୍ଚିକି କଣ କରିବୁ? ଘରର ମାନ ମର୍ଯ୍ୟାଦା ଯିଏ ରଖେନି, ସେ ବଞ୍ଚିକି କିଛି ଲାଭ ନାହିଁ। (ଦୁଇ ତିନି ଫାଇଟ ମାରିଲା ସଂଗ୍ରାମ ଏଲିନାର ମୁଣ୍ଡରେ ଓ ପିଠିରେ।

- ମତେ ଯେତେ ମାରିବ ମାର ଭାଇ; କିନ୍ତୁ ମୁଁ ତାଙ୍କ ବିନା ଅନ୍ୟ କୌଣସି ପୁଅ କଥା କେବେ ଭାବିନି।


***********************************


   ଦିନକୁ ଦିନ ଦୁହିଁଙ୍କ ପ୍ରେମର ଗଭୀରତା ବଢିଚାଲିଥାଏ। ଦୁହେଁ ଖୁସ ଥାନ୍ତି। ହଠାତ ସଞ୍ଜୟର ଜୀବନରେ ଦୁଃଖର କଳାବାଦଲ ଛାଇ ହେଇଗଲା। ତା ବାପା ଚିରଦିନ ପାଇଁ ଆଖି ବୁଜିଦେଲେ। ପରିବାରରେ ସେ ଦୁହେଁ ହିଁ ଥିଲେ। ବଡ଼ ଭଉଣୀ ମାନଙ୍କର ବିବାହ ସରିଯାଇଥିଲା। ସେମାନେ ନିଜ ନିଜ ଶାଶୁଘରେ ରହୁଥିଲେ। ସାନ ଭଉଣୀ ଅବିବାହିତ ଥିଲେ ବି ସେ ବାହାରେ ରହି ଜବ କରୁଥିଲା। ପିତାଙ୍କ ମୃତ୍ୟୁ ପରେ ସଞ୍ଜୟ ପ୍ରାୟ ଅନ୍ୟମନସ୍କ ରହୁଥାଏ। କୌଣସି କାର୍ଯ୍ୟରେ ତାର ମନ ଲାଗୁ ନଥାଏ। ଅନେକ ଥର ସେ ବାପାଙ୍କୁ ମନେ ପକେଇ କାନ୍ଦେ। ନାମକୁ ମାତ୍ର ଆତ୍ମୀୟ ସ୍ଵଜନ। କେହି କେବେ ଥରୁଟିଏ ବି ତାକୁ ସ୍ୱାନ୍ତନା ଦେଇ ନାହାଁନ୍ତି। ଧିରେ ଧିରେ ସଞ୍ଜୟ ନିଜକୁ ନିଜେ ସମ୍ବାଳି ନିଏ। ଏଲିନା ହିଁ ସେତେବେଳେ ତା ଆତ୍ମୀୟ ସ୍ଵଜନ, ସାଙ୍ଗ ସାଥି, ପାଖ ପଡୋଶୀ ସବୁକିଛି ହେଇଥାଏ। ଦୁହିଁଙ୍କ ସମ୍ପର୍କ ଏକ ଭିନ୍ନ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ସାରିଥାଏ। ସଞ୍ଜୟର ଶରୀର ଅସୁସ୍ଥ ହେଲେ ଆପେ ଆପେ ଏଲିନା ଜାଣିପାରେ। ସେ ତା ନିଜ ଆଡୁ ଫୋନ କରି କହେ; ତମକୁ ଜ୍ୱର ହେଉଛି କି? ତମେ କୋଉଠି ଝୁଣ୍ଟି ପଡି ଖଣ୍ଡିଆ ହେଇଛ କି? ତମେ ଗାଡ଼ିରେ ପଡିଛ କି? ତମେ କ୍ରିକେଟ ଖେଳିଲା ବେଳେ କିଛି ଆଘାତ ଲାଗିଛି କି? ଆଶ୍ଚର୍ଯ୍ୟର କଥା; ସବୁ ସତ ବି ହେଇଥାଏ। ଏକ ଅଜବ ସମ୍ପର୍କ ଦୁହିଁଙ୍କର। 


ଏଲିନା ତ ସଞ୍ଜୟ ଏବଂ ତା ଝିଅର ନାମ ବି ବାଛି ସାରିଥିଲା 'ସଞ୍ଜୁଲିନା' ବୋଲି। ଦୁହେଁ ପରସ୍ପର ପ୍ରତି ସଚ୍ଚୋଟ ଓ ସମର୍ପିତ ରହୁଥିଲେ। କେବେ ବି ପରସ୍ପରର ସମ୍ମାନହାନୀ ହେଲା ଭଳି କୌଣସି ଶବ୍ଦ ତାଙ୍କ ବାର୍ତ୍ତାଲାପର ଅଂଶଵିଶେଷ ହେଇନଥିଲା। ଏଲିନା ଯେମିତି ପ୍ରତ୍ୟେକ କଥାରେ ସଞ୍ଜୟର ନିଷ୍ପତ୍ତିକୁ ଠିକ୍ ବୋଲି ମାନି ନେଉଥିଲା; ସଞ୍ଜୟ ବି ସବୁବେଳେ ଏଲିନାର ଆତ୍ମସମ୍ମାନ ତଥା ଆଗ୍ରହ ଅନାଗ୍ରହର ଧ୍ୟାନ ରଖୁଥିଲା। କେବେ ବି ଅନିଚ୍ଛା ସତ୍ତ୍ଵେ କିଛି କରିବାକୁ ସେ ଏଲିନାକୁ ବାଧ୍ୟ କରୁନଥିଲା। ଦୁହେଁ ପରସ୍ପର ପାଇଁ ଉପଯୁକ୍ତ ସାଥି ଥିଲେ।


   ପ୍ରେମୀ ଯୁଗଳଙ୍କ ପଞ୍ଚମ ସାକ୍ଷାତ ଥିଲା ଟିକେ ନିଆରା। ଏଲିନାର ହାତ ରନ୍ଧା ଚିକେନ୍ ଖାଇବାର ଇଛା ପ୍ରକାଶ କରିଥିଲା ସଞ୍ଜୟ। ଏଲିନା ବି ଖୁସିରେ ହଁ ଭରିଥିଲା; କିନ୍ତୁ ସମସ୍ୟା ଥିଲା ଚିକେନ୍ ପହଞ୍ଚିବ କେମିତି ସଞ୍ଜୟ ପାଖରେ। ସେଦିନ ସଞ୍ଜୟର ସାଥି ଶିକ୍ଷକଙ୍କ କିଛି କାର୍ଯ୍ୟ ଥିବାରୁ ଦୁହେଁ ଏଲିନା ଘର ଗାଁ ବାଟ ଦେଇ ଅନ୍ୟ ଏକ ସହରକୁ ଯିବାର ଥିଲା। ଏଲିନା ଦିନବେଳେ ଚିକେନ୍ ରୋଷେଇ କରି ପ୍ୟାକିଂ କରି ସଞ୍ଜୟର ଫେରିବା ବାଟକୁ ଅନେଇ ଥାଏ। ରାତି ପ୍ରାୟ ନଅଟା ବେଳକୁ ସଞ୍ଜୟ ଓ ତାର ସାଥି ଶିକ୍ଷକ ବନ୍ଧୁ ସେଇ ରାସ୍ତାରେ ଫେରିଲେ। ସଞ୍ଜୟ ଏଲିନା ଘର ଦେଖି ନଥିଲା। ମୁଖ୍ୟ ରାସ୍ତା ଉପରେ ବାଇକ୍ ରଖି ମୋବାଇଲରେ କଥା ହେଇ ହେଇ ସେ ପ୍ରାୟ ଅଧ କିଲୋମିଟର ସାହି ଭିତରକୁ ଯାଇଥିଲା। ଏକ ଅନ୍ଧାରୁଆ ଗଛ ତଳେ ମୋବାଇଲ ଲାଇଟର ଇସାରା ପାଇ ସେଇ ପଟକୁ ଗଲା ସଞ୍ଜୟ। ଗଛ ତଳେ ଏଲିନା ଓ ତା ମାମୁଁଙ୍କ ଝିଅ ଛିଡା ହେଇଥିଲେ। ଶୀତ ରାତି; ଥଣ୍ଡାରେ ବାଇକ ଡ୍ରାଇଭ କରି ସଞ୍ଜୟର ହାତ ପାପୁଲି ମରିଯାଇଥାଏ। ସେଠି ବୋଧେ ଦ୍ୱିତୀୟ ଥର ପାଇଁ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ।


   ସମୟର କିନ୍ତୁ ବିଚିତ୍ର ଖେଳ। ଯୋଉ ଏଲିନାକୁ ସଞ୍ଜୟ ତା ନିଜଠୁ କେବେ ଅଲଗା ବୋଲି ଭାବି ନଥିଲା; ତାକୁ ସେ ଅଣଦେଖା କରିବାକୁ ଲାଗିଲା। ଆଉ ଏଇ ଘଟଣାର ମୂଳରେ ଥିଲା ତା ସାନ ଭଉଣୀ ଶ୍ଵେତା। ସେ ଜଣେ ପୁଅକୁ ଭଲପାଇ ବସିଥିଲା ଏବଂ ଚାହୁଁଥିଲା ସଞ୍ଜୟ ତାକୁ ସମର୍ଥନ କରୁ ବୋଲି। କିନ୍ତୁ ସମସ୍ୟା ଥିଲା ଯେ, ଉଭୟ ଶ୍ଵେତା ଓ ତା ପ୍ରେମିକ ଦଳିତ ହେଇଥିଲେ ମଧ୍ଯ ଶ୍ଵେତା ଥିଲା ଖ୍ରୀଷ୍ଟିଆନ ଓ ତାର ପ୍ରେମିକ ଥିଲା ବୌଦ୍ଧ ଧର୍ମାବଲମ୍ବୀ। ଶ୍ଵେତାର ପ୍ରେମିକ ଯେ କେବଳ ବୋୖଦ୍ଧ ଧର୍ମାବଲମ୍ବୀ ଥିଲା ତା ନୁହେଁ; ସେ ଥିଲା ଜଣେ ଆମ୍ବେଦକରବାଦୀ ମଧ୍ୟ। ତେଣୁ ସେ ଦୁହେଁ କେହି କାହାର ଧାର୍ମିକ ସ୍ୱତନ୍ତ୍ରତା ବିରୁଦ୍ଧରେ ନଯାଇ ଏକ ନିଆରା ଢଙ୍ଗରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କରିବାକୁ ଚାହୁଁଥିଲେ। ତାଙ୍କ ପ୍ରସ୍ତାବରେ ସହମତ ନହେଲେ ସେମାନେ କୋର୍ଟ ମ୍ୟାରେଜ୍ କରିବେ ବୋଲି ପରୋକ୍ଷରେ ଏକ ପ୍ରକାର ଧମକ ବି ଦେଉଥିଲେ। ଏକଥା କିନ୍ତୁ ସଞ୍ଜୟ ପାଇଁ ଗ୍ରହଣୀୟ ନଥିଲା। ସଞ୍ଜୟ ଚାହୁଁଥିଲା, ତା ସାନ ଭଉଣୀର ବିବାହ ସାମାଜିକ ରୀତିନୀତିରେ ଆଡମ୍ବରରେ ହେଉ ବୋଲି। କାରଣ ସେତେବେଳେ ସଞ୍ଜୟର ବାପା ମାଆ ନଥିଲେ ଏବଂ ଶ୍ଵେତାର ସବୁ ଦାୟୀତ୍ବ ସଞ୍ଜୟ ଉପରେ ହିଁ ନ୍ୟସ୍ତ ଥିଲା।


   ସମସ୍ୟା ଏକା ଆସେନି; ଦଳ ବଳ ଧରିକି ଆସେ। ଶ୍ଵେତାର ସମସ୍ୟା ସମାଧାନ ନହେଉଣୁ ଆଉ ଏକ ସମସ୍ୟା ପହଞ୍ଚି ଗଲା ସଞ୍ଜୟ ଜୀବନରେ। ଏଲିନା ପାଇଁ ବିବାହ ପ୍ରସ୍ତାବ ଆସିଥାଏ। ବିବାହ ପ୍ରସ୍ତାବ ଶୁଣିଲା ମାତ୍ରେ ଏଲିନା କଣ କରିବ, ନକରିବ କିଛି ଭାବି ପାରୁନଥିଲା। ତା ମନ ତ କେବଳ ସଞ୍ଜୟ ପାଖରେ ହିଁ ଥିଲା। ସେଥିପାଇଁ ସେ ସଞ୍ଜୟକୁ ବାରମ୍ବାର ବିବାହ ପାଇଁ କହୁଥିଲା। ସଞ୍ଜୟ ଯେତେବେଳେ କହୁଥିଲା କି, ମୁଁ ତ ଗୋଟେ ପ୍ରାଇଭେଟ ସ୍କୁଲରେ ପଢାଏ; ମୋ ଦରମା ମୋର୍ ପେଟ୍ରୋଲ ଖର୍ଚ୍ଚରେ ହିଁ ସରିଯାଏ; କୋଉ ମୁହଁରେ ପ୍ରସ୍ତାବ ପଠେଇବି ତୁମ ଘରକୁ? ସେତେବେଳେ ଏଲିନା ତାକୁ ବ୍ୟାଙ୍କିଙ୍ଗରେ ଟ୍ରାଏ କରିବାକୁ କହେ; ଥରେ ଅଧେ ନୁହଁ; ଅନେକ ଥର ସେ କହିଛି ବ୍ୟାଙ୍କିଙ୍ଗରେ ଟ୍ରାଏ କରିବାକୁ; ସତେ ଯେମିତି ବ୍ୟାଙ୍କିଙ୍ଗ ଚାକିରୀ ଦୋକାନରେ ମିଳୁଛି। ସଞ୍ଜୟ ଭାବୁଥିଲା ଯେ ଏଲିନାକୁ ବାହା ହେବାରେ କେବଳ ତାର ବେକାରୀପଣ ହିଁ ଏକମାତ୍ର ସମସ୍ୟା; ବାକି ସବୁ ତ ଠିକ୍ ଅଛି। ଗୋଟେ ଜାତି ଏବଂ ସମ୍ପ୍ରଦାୟର ହୋଇଥିବାରୁ କୌଣସି ସାମାଜିକ ସମସ୍ୟା ସୃଷ୍ଟି ହେବନି। ତେଣୁ ତା ମନ ଭିତରେ ଏକ ଆଶା ଥାଏ ଯେ, ଏଲିନା ବେଶୀ ବୁଝେଇଲେ କିମ୍ବା ଜିଦ କଲେ ତା ବାପା ମାଆ ରାଜି ହେଇଯିବେ। ତଥାପି ସଞ୍ଜୟ ବିକ୍ରମର ବାପାଙ୍କୁ ପରୋକ୍ଷରେ ସବୁକିଛି କହି ସାରିଥାଏ। ବିକ୍ରମର ବାପା ବି ସଞ୍ଜୟଙ୍କୁ ଭାରୀ ଭଲ ପାଉଥଲେ। ସଞ୍ଜୟର କଥାକୁ ସେ ବୁଲେଇ ବଙ୍କେଇ ଶ୍ଵେତାର ବାପାଙ୍କ ଆଗରେ ଥରେ ଉପସ୍ଥାପନା ବି କରିଥଲେ। କିନ୍ତୁ ପିଲାଟି କିଏ ବୋଲି ପଚାରିବା ଆଗରୁ ଏଲିନାର ବାପା ତାଙ୍କ ବଡ଼ ଭାଇଙ୍କୁ ରୋକ ଠୋକ ଶୁଣେଇ ଦେଇଥିଲେ ଯେ, ଯଦି ସେ କୌଣସି ଖ୍ରୀଷ୍ଟିଆନ ପରିବାରର ପ୍ରସ୍ତାବ ଆଣିଛନ୍ତି; ତେବେ ସେ ଶୁଣିବେ ନାହିଁ। ବିକ୍ରମର ବାପା ବହୁତ ବୁଝେଇଥିଲେ ତାଙ୍କ ସାନଭାଇଙ୍କୁ କିନ୍ତୁ ସେ ଜମାରୁ ବୁଝିନଥିଲେ। ଏଲିନାର ବାପା ଜଣେ ଦଳିତ ହିନ୍ଦୁ ମହିଳାଙ୍କୁ ପ୍ରେମ ବିବାହ କରି ଖ୍ରୀଷ୍ଟଧର୍ମରୁ ଦୂରେଇ ଯାଇଥିଲେ। କୌଣସି ପ୍ରକାରେ ସେ ଖ୍ରୀଷ୍ଟିଆନ ପରିବାରରେ ସମ୍ବନ୍ଧ ଯୋଡିବାକୁ ଚାହୁଁ ନଥିଲେ। ସଞ୍ଜୟ ଏବଂ ଏଲିନାଙ୍କ ପାଇଁ ସମସ୍ତ ରାସ୍ତା ବନ୍ଦ ହେଇଗଲା ପରେ କେବଳ କୋର୍ଟ ମ୍ୟାରେଜ୍ ହିଁ ଏକମାତ୍ର ବିକଳ୍ପ ପନ୍ଥା ଥିଲା। କିନ୍ତୁ ସେଇ ସମାନ କଥା ତ ଶ୍ଵେତା ଓ ତା ପ୍ରେମିକ ବି ଚାହୁଁଥିଲେ। ତେଣୁ ବାଧ୍ୟ ହେଇ ସଞ୍ଜୟକୁ ପଛଘୁଞ୍ଚା ଦେବାକୁ ପଡିଲା। ନିଜ ହୃଦୟକୁ ପଥର କରି ସେ ଏଲିନାକୁ ଅଣଦେଖା କରି ବସିଲା। ବିଭିନ୍ନ ପ୍ରକାରେ ସେ ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ସଦାବେଳେ ସଞ୍ଜୟ ନିଜକୁ ମନେ ମନେ ଦୋଷୀ ସାବ୍ୟସ୍ତ କରୁଥିଲା। ଏଲିନା ବି ବୁଝି ପାରୁନଥିଲା ସଞ୍ଜୟ କାହିଁକି ତା ପ୍ରତି ଏମିତି ବ୍ୟବହାର କରୁଛି ବୋଲି। ତଥାପି ସେ କେବେ ସଞ୍ଜୟକୁ ଆକ୍ଷେପ କରିନଥିଲା କି ଦୋଷ ବି ଦେଇ ନଥିଲା।


************************************


   କେଜାଣି କାହିଁକି ଚାଲିବାକୁ ପାଦ ଉଠୁନଥିଲା ସଞ୍ଜୟର। ସକାଳ ଆଠଟାରେ ରେଡି ହେଇ ବାହାରିବା ଲୋକ, ଦିନ ଦଶଟା ପର୍ଯ୍ୟନ୍ତ ଗାଧେଇନଥିଲା। ଶେଷରେ ସଜବାଜ ହେଇ ବାହାରିଲା ବେଳକୁ ଦିନ ସାଢ଼େ ଏଗାରଟା ହେଇସାରିଥିଲା। ତାର ଜଣେ ସମ୍ପର୍କୀୟ ଭାଇ ସହ ସେ ଯାଇଥିଲା ଏଲିନାର ବାହାଘରକୁ।


   ଭାନସ ଘର ସାମନାରେ ଛିଡାହେଇ ତା ମାଆଙ୍କ ସହ କଥାହେଉଥିବା ସଞ୍ଜୟକୁ ଏଲିନା ହାତଧରି ଟାଣି ନେଇଥିଲା କିଚେନ୍ ଭିତରକୁ। ସେଦିନ କିନ୍ତୁ ସେ ସବୁ ଦୋଷ ସଞ୍ଜୟ ଉପରେ ଲଦି ଦେଇଥିଲା। ଉଭୟ କ୍ରୋଧ ଓ କୋହର ମିଳିତ ସ୍ୱରରେ କାନ୍ଦିକାନ୍ଦି ସେ କହିଥିଲା, "ଆଜି ଯାହାକିଛି ବି ହେଉଛି କେବଳ ତମର ପାଇଁ; ତମେ ଚାହିଁଥିଲେ ଏମିତି ଦିନ ଆସି ନଥାନ୍ତା ମୋ ଜୀବନରେ; ତମେ ଗୋଟେ ପାଦ ଆଗକୁ ବଢ଼େଇଥିଲେ ମୁଁ ଚାରିପାଦ ବଢ଼େଇଥାନ୍ତି। ତମେ ଚାହିଁଥିଲେ ଆଜି ମୁଁ ତମର ସ୍ତ୍ରୀ ହେଇଥାନ୍ତି; କାହିଁକି ଏମିତି କଲ? ତମ ଘରେ କେତୋଟି କୋଠରୀ ଅଛି କେତୋଟି ଝରକା ଅଛି; ସବୁ ମୁଁ ଜାଣିଛି। ମୁଁ ତ ମୋ ଘରକୁ ମନେ ମନେ ସଜେଇ ବି ସାରିଥିଲି। କୋଉ ରୁମକୁ କେମିତି ସଜେଇବି ବୋଲି ଘଣ୍ଟା ଘଣ୍ଟା ତମ ସହିତ କଥା ବି ହେଇଥିଲି। ମୁଁ ଆଉ ମୋର୍ ହେଇ ନଥିଲି। ମୁଁ ତ କେତେଦିନୁ ନିଜକୁ ତମ ଘରର ବୋହୁ କରିସାରିଥିଲି। ତମଠୁ ତମ ବାପାଙ୍କ ମୃତ୍ୟୁଖବର ପାଇ ପାଣିବୁଡ଼ ବି ଦେଇଥିଲି। ସକାଳ ଛଅଟା ପୂର୍ବରୁ ବିଛଣା ଛାଡ଼ିବା ଲୋକ ତମକୁ ଭଲ ଲାଗନ୍ତି ନା; ଦୁଇବର୍ଷ ହେଲା ପ୍ରତିଦିନ ଭୋର ପାଞ୍ଚଟାରୁ ଉଠୁଛି।" ଏଲିନାର କାନ୍ଦରେ ସଞ୍ଜୟ ବି କାନ୍ଦି ପକଉଥିଲା। ତା ପାଖରେ କୌଣସି ଶବ୍ଦ ନଥିଲା ଏଲିନାକୁ ବୁଝେଇବାକୁ। ଠିକ୍ ଏତିକିବେଳେ ଦିଲ୍ଲୀରେ ରହୁଥିବା କେହିଜଣେ ପୁରୁଣା ସମ୍ପର୍କୀୟ ବନ୍ଧୁ ବହୁତ ଦିନ ପରେ ସପରିବାର ଆସିଥିବାରୁ ତାଙ୍କୁ ସାକ୍ଷାତ କରିବା ଲାଗି ଏଲିନାର ମାଆ ଏଲିନାକୁ ଖୋଜି ଖୋଜି କିଚେନ୍ କୁ ପହଞ୍ଚି ଗଲେ। କେହିଜଣେ ଆସିବାର ଅନୁଭବ କରି ସଞ୍ଜୟ ନିଜକୁ ସଜାଗ କରିନେଲା; ଏଲିନା କିନ୍ତୁ କାନ୍ଦୁଥାଏ। ପାଖରେ ତା ମାଆକୁ ଦେଖିଲା ପରେ ବି ଏଲିନା କିଛି ଲୁଚେଇବା ଆବଶ୍ୟକ ମନେ କଲାନି। ବୋଧେ ତା ମାଆ ଏଲିନା ଓ ସଞ୍ଜୟର ସମ୍ପର୍କ ବିଷୟରେ ସବୁ ଜାଣିଥିଲେ। ଲୁହ ପୋଛି ପୋଛି ମାଆଙ୍କ ସହ ଚାଲିଗଲା ଏଲିନା। ସଞ୍ଜୟ ଖୁଣ୍ଟ ଭଳି ଦଣ୍ଡାୟମାନ ହେଇଥିଲା।


   ଅତିଥିମାନଙ୍କ ଗହଣରେ ଏଲିନା ବ୍ୟସ୍ତ ଥିବାବେଳେ ବାହାରକୁ ଚାଲିଆସି ସଞ୍ଜୟ ଚୁପଚାପ ଭିଡ଼ ଭିତରେ ଛିଡା ହେଇ ଦେଖୁଥିଲା ତାକୁ। କିଛି ସମୟ ପରେ ହୁଳହୁଳି ଦେଇ ଏଲିନାକୁ ଘରୁ ବାହାରକୁ ଆଣିବା; ହଳଦୀ ମଖେଇବା; ଗଣସନ କରିବା ଇତ୍ୟାଦି ବିବାହ ପୂର୍ବ ସାମାଜିକ ରୀତିନୀତି ଗୁଡିକୁ ଏକ ଲୟରେ ନିରୀକ୍ଷଣ କରୁଥିଲା ସେ। କିନ୍ତୁ ବିବାହ ପର୍ଯ୍ୟନ୍ତ ସେ ଅଟକି ନଥିଲା ସେଠି। ଚାଲି ଆସିଥିଲା ଘରକୁ ଫମ୍ପା ଶରୀରକୁ ନେଇ। ତା ହୃଦୟ ଥିଲା ବଧୁ ବେଶରେ ବେଦୀରେ ବସିଥିବା କୁହୁକ ପରୀର ହୃଦୟ ପିଞ୍ଜରାରେ। ସେଦିନ ବେଦୀର ଯଜ୍ଞକୁଣ୍ଡ ନିଆଁରେ ଜଳୁଥିଲା ଚନ୍ଦନ ଓ ଘିଅ କିନ୍ତୁ କୋହର ନିଆଁରେ ଜଳୁଥିଲା ସଞ୍ଜୟ ଓ ଏଲିନାର ହୃଦୟ।


    ଏତିକି ବେଳେ ଭିଣୋଇ ଭାଇଙ୍କ ଡାକରେ ପ୍ରକୃତିସ୍ଥ ହେଇ ଉଠିଲା ସଞ୍ଜୟ। ଭାବୁଥିଲା ଲଞ୍ଚ କରିବା ପାଇଁ ତାକୁ ପାଖ ହୋଟେଲକୁ ନେବେ। ଭିଣୋଇ ଭାଇ କିନ୍ତୁ କହିଲେ, "ଷ୍ଟେସନ ବାହାରେ ବହୁତ ସୁନ୍ଦର ହୋଟେଲ ଟିଏ ଅଛି; ସେଠି ମୁଁ ଖାଇ ଦେଇଛି। ଚାଲ ଟାଇମ ହେଲାଣି; ଷ୍ଟେସନ ଭିତରେ କେକ୍ ଫେକ୍ ଯାହା ମିଳିବ ଖାଇଦେବୁ। ଦୁହେଁ ନିଜର ଲଗେଜ ଧରି ଉଠି ଚାଲିଗଲେ ଷ୍ଟେସନ ଭିତରକୁ।



Rate this content
Log in

Similar oriya story from Romance