Sanjeeb Kumar Nag

Children Stories Children

4.5  

Sanjeeb Kumar Nag

Children Stories Children

ଚାଲାକ୍ ଚିଆଁ

ଚାଲାକ୍ ଚିଆଁ

5 mins
347


ଏକ ପରିବା କିଆରୀରେ ମାଈ କୁକୁଡାଟିଏ ତା ଚାରି ଛୁଆଙ୍କ ସହ ଚରୁଥାଏ। ଆକାଶରେ ଉଡୁଥିବା ଏକ ଛଞ୍ଚାଣକୁ ଦେଖି ବାଇଗଣ ଗଛ ତଳେ ଛିଡାହେଇଥିବା ମାଈ କୁକୁଡାଟି ଏକ ଭିନ୍ନ ଧରଣର ରାବରେ ଛୁଆଙ୍କୁ ସଙ୍କେତ ଦେବାରୁ ଚିଆଁ ଗୁଡିକ ମାଆ ପାଖକୁ ଦଉଡି ଆସିଲେ। ଚାରି ଛୁଆଙ୍କୁ ଛଞ୍ଚାଣ କବଳରୁ ରକ୍ଷା କରିବାକୁ ମାଈଁ କୁକୁଡାଟି ନିଜ ଡେଣା ମେଲେଇ ସେମାନଙ୍କୁ ଘୋଡେଇ ରଖିଥିଲା। ଛୁଆମାନେ କିନ୍ତୁ ଭାରୀ ଦୁଷ୍ଟ ଥିଲେ; ମାଆର ଡେଣା ଭିତରୁ ବାହାରକୁ ମୁଣ୍ଡ ବାହାର କରି ପାଖରେ ଥିବା ବାଇଗଣ ଗଛର କାଣ୍ଡକୁ ଠୁଙ୍କି ଚାଲିଥିଲେ। କିଛି ସମୟ ପରେ ବାଇଗଣ ଗଛର କାଣ୍ଡଟି ଦୁର୍ବଳ ହେଇଗଲା। ଛିଣ୍ଡି ପଡିବା ଆଗରୁ ବାଇଗଣ ଗଛଟି ବାରମ୍ବାର ମାଈଁ କୁକୁଡାକୁ କହୁଥିଲା:-

"ଉଠ୍ ଉଠ୍ କୁକ୍ ରା ମୁଇଁ ଢୁଲ୍ ସିଁ.... ନେ"

"ଉଠ୍ ଉଠ୍ କୁକ୍ ରା ମୁଇଁ ଢୁଲ୍ ସିଁ.... ନେ"

ଅର୍ଥାତ୍ "ଉଠିଯା କୁକୁଡ଼ା ଏଇନେ ମୁଁ ପଡିଯିବି" ମାଈଁ କୁକୁଡାଟି କିନ୍ତୁ ବାଇଗଣ ଗଛର କଥାକୁ ଭଲ ଭାବରେ ବୁଝି ପାରିଲାନି; କାରଣ ତାକୁ କୋଶଳୀ ଭାଷା ( ପଶ୍ଚିମ ଓଡ଼ିଶାର ଭାଷା) ଜଣା ନଥିଲା। ସେଇ ପରିବା କିଆରୀର ମାଲିକ ସମ୍ବଲପୁରରୁ ବାଇଗଣ ଗଛର ଚାରା ଆଣି ଚାଷ କରିଥିବାରୁ ଗଛଟି ସମ୍ବଲପୁରୀ କୋଶଳୀ ଭାଷା କହୁଥିଲା। ଏପଟେ ମାଈଁ କୁକୁଡାଟି ଖାଣ୍ଟି କଟକିଆଣୀ। ବାଇଗଣ ଗଛଟି ବିରକ୍ତ ହେଇ ପୁଣିଥରେ କହିଲା:- "ଉଠ୍ ଉଠ୍ କୁକ୍ ରା ମୁଇଁ ଢୁଲ୍ ସିଁ.... ନେ"। ମାଈଁ କୁକୁଡ଼ାଟି କିଛି ବୁଝି ପାରୁନଥିଲା। ଶେଷରେ ବଡ ବଡ ବାଇଗଣ ଫଳିଥିବା ସେଇ ବାଇଗଣ ଗଛଟି ମାଈଁ କୁକୁଡ଼ାର ଗୋଡ଼ ଉପରେ ଟଳି ପଡିବାରୁ ମାଈଁ କୁକୁଡ଼ାର ଗୋଡ଼ ଭାଙ୍ଗି ଗଲା।


ଚାରିଛୁଆ ମାଆକୁ ଡାକ୍ତରଖାନା ନେବାକୁ ବାହାରିଲେ। ସବା ସାନ ଛୁଆ ଆଗରେ ରହି ବାଟ କଢ଼ାଉଥିଲାବେଳେ ବାକି ତିନିଜଣ ମାଆର ଡେଣାକୁ ଧରି ତାକୁ ଚାଲିବାରେ ସାହାଯ୍ୟ କରୁଥାନ୍ତି। ମାଈଁ କୁକୁଡାଟି ଛୋଟେଇ ଛୋଟେଇ ଚାଲୁଥାଏ। କିଛିଦୂର ଯାଉଯାଉ ବାଟରେ ଗୋଟେ ବିଲୁଆକୁ ଦେଖି ଅଟକିଗଲେ ଚିଆଁ ମାନେ। ମାଈଁ କୁକୁଡ଼ା ହାଡ଼ ଭଙ୍ଗା ଦରଜରେ କୁନ୍ଥଉ ଥାଏ। ବିଲୁଆ କହିଲା:-

- ଭଣଜା ମାନେ କୁଆଡେ ଯାଉଛ ମୋ ଭଉଣୀକୁ ନେଇ?

ବିଲୁଆ ଠାରୁ ଭଣଜା ସମ୍ବୋଧନ ଶୁଣି ଚିଆଁ ମାନଙ୍କର ଭୟ ଉଭେଇଗଲା। ସେମାନେ ବିଲୁଆକୁ ଡରିଲେ ନାହିଁ। ମାଈଁ କୁକୁଡ଼ା କିଛି କହିବା ଅବସ୍ଥାରେ ନଥିଲା। ସେ ଖାଲି ଗୁମୁରି ଗୁମୁରି କାନ୍ଦୁଥାଏ। ସବା ସାନ ଚିଆଁ କହିଲା:-

- ବିଲୁଆ ମାମା, ମାଆର ଗୋଡ଼ ଭାଙ୍ଗି ଯାଇଛି; ସେ ଜମାରୁ ଚାଲି ପାରୁନି, ଆମେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନେଉଛୁ

- ଡାକ୍ତରଖାନା ଏଇଠୁ ଆଉ ଦଶ କିଲୋମିଟର ଦୂର; ବାଟରେ ତମକୁ ଅଂଶୁଘାତ ହେଇଯିବ। ତମେ ଛୁଆମାନେ ଯାଇପାରିବନି ଏତେ ଖରାରେ।

ମାଈଁ କୁକୁଡ଼ାର ଡେଣା ଧରିଥିବା ଗୋଟିଏ ଚିଆଁ କହିଲା:- 

- ମୋର୍ କାନ୍ଧ ବିନ୍ଧିଲାଣି; ଏଇନେ ମାତ୍ର ଗୋଟିଏ କିଲୋମିଟର ଆମେ ଆସିଛୁ; ଏତେଦୂର ଆମେ ଯାଇପାରିବାନି

ବିଲୁଆ ସଙ୍ଗେ ସଙ୍ଗେ କହିଲା:- 

-ଏଇ ମାମୁଁ ଆଉ କେବେ କାମରେ ଆସିବ କି! ତମେ ସମସ୍ତେ ଘରକୁ ଯାଅ, ବିଶ୍ରାମ କର। ମୋ ଭଉଣୀକୁ ମୁଁ ଡାକ୍ତରଖାନାରେ ଭର୍ତ୍ତି କରିକି ଆସିବି।

ସାନ ବିଲୁଆ କହିଲା:-

- ଆମେ ବି ଯିବୁ

- ଭଣଜା; ଏଇଟା ଡାକ୍ତରଖାନା, ସିନେମା ହଲ ନୁହଁ। ଜଣକୁ ମାତ୍ର ଅନୁମତି ମିଳେ ରୋଗୀ ପାଖରେ ରହିବାକୁ

- ତାହେଲେ ମାଆ କଣ ଡାକ୍ତରଖାନାରେ ଏକା ରହିବ?

- ଏକା କାହିଁକି ରହିବ ମୋ ଭଉଣୀ, ମୁଁ ପରା ଥିବି। ଆଜି ରାତିରେ ମୁଁ ଡାକ୍ତରଖାନାରେ ରହିଯିବି; ସକାଳୁ ତମ ଭିତରୁ ଯିଏ ବି ଜଣେ ଡାକ୍ତରଖାନାକୁ ଗଲେ ମୁଁ ପଳେଇ ଆସିବି।

ବିଲୁଆର କଥାରେ ରାଜି ହେଇ ଚିଆଁ ଚାରିଜଣ ଘରକୁ ଫେରି ଆସିଲେ।


ତହିଁ ଆରଦିନ ସକାଳୁ ସକାଳୁ ବିଲୁଆ ଗାଧେଇ ଫାଧେଇ ଖୁସିରେ ପହଞ୍ଚିଗଲା କୁକୁଡ଼ା ଚିଆଁ ମାନଙ୍କ ପାଖକୁ।

କହିଲା:-

- ଆଜି କୋଉ ଭଣଜା ଯିବ ; ସଜବାଜ ହେଇଛ କି? ଓଃ! ବଡ ଭଣଜା ତମେ ଗାଧେଇ ଫାଧେଇ ରେଡି ହେଇଛ। ଠିକ୍ ଅଛି ଚାଲ ଯିବା। ତମେ ରାସ୍ତା ଦେଖିନ ବୋଲି ମୋର୍ ଜଣେ ସାଙ୍ଗକୁ ଡାକ୍ତରଖାନାରେ ତମ ମାଆଙ୍କ ପାଖରେ ଜଗିବାକୁ କହି ତମକୁ ନେବା ପାଇଁ ଆସିଲି।

ବଡ଼ ବିଲୁଆ ଖୁସିରେ ବାହାରି ପଡ଼ିଲା ବିଲୁଆ ସାଙ୍ଗରେ ଯିବାକୁ। ଦୁହେଁ ତରବରରେ ବାହାରି ପଡିଲେ ଡାକ୍ତରଖାନା ଅଭିମୁଖେ।


ତହିଁ ଆରଦିନ ପୁଣିଥରେ ସକାଳୁ ପୁଣିଥରେ ବିଲୁଆ ଗାଧେଇ ଫାଧେଇ ପହଞ୍ଚି ଗଲା ଚିଆଁ ମାନଙ୍କ ପାଖକୁ। ଏଥର ଚିଆଁ ଘରେ କେବଳ ତିନିଜଣ ଚିଆଁ ଥିଲେ। ବିଲୁଆ କହିଲା:-

- ଆଜି କିଏ ଯିବ ମୋ ସହିତ?

ସାନ ବିଲୁଆ କହିଲା:-

- ବଡ଼ ଭାଇ କାହିଁ ଆସିଲାନି

ବିଲୁଆ ଉତ୍ତର ଦେଲା:-

- ମୋ ଭଉଣୀକୁ ଡାକ୍ତରଖାନାରେ ଏକା ଛାଡ଼ି କେମିତି ଆସିଥାନ୍ତି ଯେ? ବଡ଼ ଭଣଜା ସେଠି ଅଛନ୍ତି। ଆମେ ଗଲେ ସେ ଆସିବେ

ବିଲୁଆର କଥାରେ ସହମତ ହେଲେ ଚିଆଁ ମାନେ। ସେଦିନ ଦ୍ୱିତୀୟ ଚିଆଁ ବିଲୁଆ ମାମା ସହ ଡାକ୍ତରଖାନାକୁ ଗଲା। ଘରେ ତୃତୀୟ ଓ ସବା ସାନ ଚିଆଁ ଦୁଇଜଣ ରହିଲେ।


ଦିନ ଗଲା, ରାତି ଗଲା, ପୁଣି ଏକ ସକାଳ ହେଲା। ବିଲୁଆ ମାମା ଗାଧେଇ ଫାଧେଇ ହାଜର ହେଇଗଲା ଚିଆଁ ମାନଙ୍କ ପାଖରେ। ବହୁତ ଖୁସିରେ ସେ ପଚାରିଲା:- 

- ଆଜି କିଏ ଯିବ ମୋ ସାଥିରେ? କିଏ ଗାଧେଇ ରେଡି ହେଇଛ?

ତୃତୀୟ ଚିଆଁ ଖୁସିରେ ଘରଭିତରୁ ବାହାରକୁ ଆସି କହିଲା:-

- ମାମା ଆଜି ମୁଁ ଯିବି

ସବା ସାନ ଚିଆଁ ପୁଣିଥରେ ତୃତୀୟ ଚିଆଁର କଥାକୁ କାଟି ବିଲୁଆକୁ ପଚାରିଲା:-

- ବଡ଼ ଭାଇ ଦୁଇଜଣ କାହିଁକି ଆସିଲେନି?

ବିଲୁଆ ଉତ୍ତର ଦେଲା:-

- କଣ, ଭଣଜା ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରୁଛ? ଦୁଇ ଭାଇ ପରା ତାଙ୍କ ମାଆଙ୍କ ପାଖରେ ଅଛନ୍ତି। କାଲି ସକାଳେ ସମସ୍ତେ ମାଆଙ୍କୁ ନେଇ ସାଥିରେ ଆସିଲେ ହେବନି କି।

ବିଲୁଆର ଏଭଳି ଉତ୍ତର ସାନ ଚିଆଁକୁ ଟିକିଏ ଅଜବ ଲାଗିଲା। ତେଣୁ ତୃତୀୟ ଚିଆଁ ଓ ବିଲୁଆକୁ ବିଦାୟ ଦେଇ ତାଙ୍କ ପଛେ ପଛେ ଲୁଚି ଲୁଚି ସେ ତାଙ୍କୁ ଅନୁସରଣ କଲା। କିଛିଦୂର ଗଲା ପରେ ଦେଖିଲା ସେ ଯେ ବିଲୁଆଟି ତୃତୀୟ ଚିଆଁକୁ ଏକ ଗୁମ୍ଫା ଭିତରକୁ ନେଉଛି। ସାନ ଚିଆଁ ପୂରା ନିଶ୍ଚିତ ହେଇଗଲା ଯେ, ତା ଭାଇ ଓ ତା ଜୀବନ ପ୍ରତି ବିପଦ ଅଛି। ଘଞ୍ଚ ଜଙ୍ଗଲ ଭିତରେ ତାକୁ ସାହାଯ୍ୟ କରିବା ଲୋକ ବି କେହି ନାହାନ୍ତି। ଚିଆଁଟି ଲୁଚି ଛପି ଗୁମ୍ଫା ଭିତରକୁ ଯିବାକୁ ଯାଇ ସତ୍ୟା ସତ୍ୟ ଜାଣିବାକୁ ଚାହିଁଲା କିନ୍ତୁ ଗୁମ୍ଫା ପାଖକୁ ଯାଇ ଜାଣି ପାରିଲା ଯେ, ଗୁମ୍ଫା ଭିତରେ ତା ପାଇଁ ବିପଦ ଅଛି। ସେଇ ଗୁମ୍ଫା ପାଖରେ ପଡିଥିବା କୁକୁଡ଼ା ଲୋମ ଓ ହାଡରୁ ସେ ଜାଣିପାରିଲା ଯେ ବିଲୁଆଟି ତା ମାଆ ଓ ଭାଇଙ୍କୁ ମାରି ଖାଇ ଦେଇଛି। ଜଙ୍ଗଲ ଭିତର ତା ପାଇଁ ବିପଦ ଥିବାରୁ କାଳ ବିଳମ୍ବ ନକରି ଚିଆଁଟି ଏକ ଲୟରେ ଘରକୁ ଦୌଡ଼ି ଦୌଡ଼ି ପଳେଇ ଆସିଲା। ଦିନସାରା ଭୟରେ ସେ ଥରୁଥିଲା; ଚରିବା ପାଇଁ ବି ବାହାରକୁ ବାହାରିଲା ନାହିଁ। ଶେଷରେ ରାତି ଅନିଦ୍ରା ରହି ସେ ଉପାୟଟିଏ ଚିନ୍ତା କଲା।


ରାତି ପାହି ସକାଳ ହେଲା। ପୁଣିଥରେ ସକାଳୁ ସକାଳୁ ଗାଧେଇ ଫାଧେଇ ବିଲୁଆ ପହଞ୍ଚି ଗଲା ଚିଆଁ ଘରକୁ। ଏଥର କିନ୍ତୁ ତା ବ୍ୟବହାର ସେତେ ନମ୍ର ନଥିଲା। ସାନ ଚିଆଁକୁ ପ୍ରତିଦିନ ଭଳି ନଡାକି ସେ ସିଧା କୁକୁଡ଼ା ଗୁଡା ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା। ସେଇ ଛୋଟ କୁକୁଡ଼ାଗୁଡା (କୁକୁଡ଼ା ବସା) ଭିତରକୁ କିନ୍ତୁ ବିଲୁଆର ମୁଣ୍ଡ ପଶୁ ନଥିଲା। ଏକଥା ଜାଣି ଭିତରୁ ସବା ସାନ ବିଲୁଆ କହିଲା:- 

- ମାମା ଆସିଗଲ କି? ଏତେ ତରବର କାହିଁକି ହେଉଛ? ଟିକିଏ ଅପେକ୍ଷା କର ମୁଁ ଗାଧେଇ ସାରିନି; ଝାଳ ନାଳ ହେଇ ସାରା ଦେହ ଗନ୍ଧୁଛି। 

ବିଲୁଆ ଚୁପ ରହିଗଲା। କିଛି ସମୟ ପରେ ନୀରବତା ଭଙ୍ଗ କରି ସେ କହିଲା:-

- ହଉ ଠିକ ଅଛି; ରେଡ଼ି ହୁଅ, ମୁଁ ଅପେକ୍ଷା କରିଛି

ଚିଆଁଟି ପୁଣିଥରେ କହିଲା:-

- ମାମା, ଆଜି ମୋ ମାଆ ଡାକ୍ତରଖାନାରୁ ବାହାରିବ; ତେଣୁ ଘରୁ ଆମେ ଦୁହେଁ ମୁହଁ ମିଠା କରିକି ଯିବା। ତମକୁ ଆଜି ଗୋଟେ ନୂଆ ପ୍ରକାରର ମିଠା ଖାଇବାକୁ ଦେବି। ତମେ ଆଖି ବନ୍ଦ କରି ଉପରକୁ ପାଇଁ ଆଁ କରିକି ବସିଥାଅ। ମୁଁ ନିଜେ ତମ ପାଟିରେ ପୁରେଇ ଦେବି। ମାମା ଖାଅ କହିଲେ ଗିଳିଦେଵ।

ବିଲୁଆ ଭାବିଲା "କିଛି ସମୟ ପରେ ତ ମୋର୍ ଶୀକାର ହେବୁ; ହଉ ତୋର ଶେଷ ଇଚ୍ଛା ବି ପୁରଣ କରି ଦେଉଛି" । ଏତିକି ଭାବି ସେ ଖୁସିରେ ଉତ୍ତର ଦେଲା:-

- ହଉ ଭଣଜା ଠିକ୍ ଅଛି; ଟିକିଏ ଶୀଘ୍ର ରେଡି ହୁଅ। ପରେ ବେଶୀ ଖରା ହେବ।

ଚିଆଁଟି ରାତିସାରା କରିଥିବା ଯୋଜନା ଗୁଡିକୁ ପୁଣିଥରେ ଘର ଭିତରୁ ନିରୀକ୍ଷଣ କଲା ଏବଂ ରାତି ତିଆରି କରିଥିବା ଛୋଟ କଣା ଦେଇ ବାହାରି ତା ବସାକୁ ଲାଗି ଥିବା ଆତ ଗଛ ଉପରକୁ ଚଢ଼ିଗଲା ଓ ବିଲୁଆର ପାଟିରେ ପଚ୍ କିନା ହଗିଦେଇ କହିଲା, "ମାମା ଖାଇଦିଅ"। ବିଲୁଆ ଚିଆଁର ଗୁହକୁ ଗିଳିଦେଲା। ରାଗରେ ସେ ଉପରକୁ ଅନେଇଲା ବେଳକୁ ତା ମୁହଁରେ ଗଛ ଉପରୁ ଲଙ୍କାଗୁଣ୍ଡ ସବୁ ପଡିଲା। ସେଠୁ ଯେତେବେଳେ ବିଲୁଆଟି ପଳେଇବାକୁ ଚେଷ୍ଟାକଲା, ସେତେବେଳେ ତା ଗୋଡ଼ରେ ମାଛଧରା ଜାଲର ଫାଶ ଲାଗିଗଲା। ବିଲୁଆଟି କୁଆଡେ ପଳେଇ ପାରିଲାନି ସେଠି ଛଟପଟ ହେଇ ମଲା।



Rate this content
Log in