STORYMIRROR

Sanjeeb Kumar Nag

Children Stories Fantasy

4  

Sanjeeb Kumar Nag

Children Stories Fantasy

ମହାରାଜା ମର୍କଟ କେଶରୀ

ମହାରାଜା ମର୍କଟ କେଶରୀ

8 mins
306



ଜୁନାଗଡ଼ ରାଜାଙ୍କର ଚାରିରାଣୀ ଥିଲେ। ବଡ଼ରାଣୀ ରାଣୀ ଭୋଜବନ୍ତି; ତାଙ୍କ ତଳକୁ ରାଣୀ ସିନ୍ଧୁଲତା ଓ ରାଣୀ ତେଜକାନ୍ତି ଏବଂ ସବା ସାନରାଣୀ ରାଣୀ ଶୁଭଲକ୍ଷ୍ମୀ। ବିବାହକୁ ଅନେକ ବର୍ଷ ବିତିଯାଇଥିଲେ ବି ନିଃସନ୍ତାନ ଥିବାରୁ; କୌଣସି ଉତ୍ତରାଧିକାରୀ ନଥିବାରୁ ସେ ସର୍ବଦା ଚିନ୍ତାଗ୍ରସ୍ତ ରହୁଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଧନ ସମ୍ପଦରେ ଭରପୁର ଜୁନାଗଡ଼ ରାଜ୍ୟ ଉପରେ ପଡୋଶୀ ରାଜ୍ୟ ମାନଙ୍କର ସର୍ବଦା ଲୋଲୁପ ଦୃଷ୍ଟି ରହିଥିଲା।

ରାଜ୍ୟର ତଥା ରାଜ୍ୟ ବାହାରର ଅନେକ ବୈଦ୍ୟ ଚାରିରାଣୀଙ୍କୁ ସନ୍ତାନ ପ୍ରାପ୍ତି ନିମନ୍ତେ ବିଭିନ୍ନ ପ୍ରକାର ଚେରୀମୂଳୀ ଔଷଧ ସେବନ କରିବାକୁ ଦେଉଥିଲେ। ବିଭିନ୍ନ ଅଞ୍ଚଳରୁ ଆସି ସନ୍ଥମାନେ ବି ପୂଜାପାଠ କରୁଥିଲେ। ତଥାପି କୌଣସି ସଫଳତା ମିଳୁନଥିଲା। ଭଣ୍ଡବାବା ମାନେ ବିଭିନ୍ନ ପ୍ରକାର ଦୋଷ ତ୍ରୁଟି ଦେଖାଇ ତାର ପ୍ରତିକାର କରିବା ବାହାନାରେ ଅଜସ୍ର ସମ୍ପତ୍ତି ମଧ୍ୟ ଠକି ନେଉଥିଲେ। ମହାରାଜା ସବୁ ଜାଣିଶୁଣି ଚୁପ ରହୁଥିଲେ। ଭୟ କରୁଥିଲେ; ଯଦି କୋଉ ବାବା ଅଭିଶାପ ଦେଇଦେବ ତେବେ ପରିସ୍ଥିତି ଆହୁରି ଦୟନୀୟ ହେବ ବୋଲି। ତେଣୁ ସେ ଭଣ୍ଡ ବାବାଙ୍କୁ ବି ଜାଣିଶୁଣି ସମ୍ପତ୍ତି ଦାନ କରୁଥିଲେ।

ଦିନେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇ ଏକ ହରିଣକୁ ଲକ୍ଷ୍ୟ କରି ତୀର ମାରିଲେ କିନ୍ତୁ ହଠାତ ଏକ ମାଙ୍କଡ ଡେଇଁ ପଡିବାରୁ ତୀର ଯାଇ ତାର ବକ୍ଷ ଦେଶରେ ବାଜିଲା ଏବଂ ମାଙ୍କଡଟି ତଳେ ପଡ଼ିଗଲା। ମାଙ୍କଡର ଚିତ୍କାର ଶୁଣି ପାଖରେ ଥିବା ଏକ ଗୁମ୍ଫାରୁ ଜଣେ ବୃଦ୍ଧା ବାହାରି ଆସିଲେ ଏବଂ ମାଙ୍କଡ଼କୁ ଧରି ବହୁତ କାନ୍ଦିଲେ। ତାଙ୍କର ଏକମାତ୍ର ସାହାଭରସା ଥିଲା ସେଇ ମାଙ୍କଡ଼। ନିଜ ସନ୍ତାନ ଭଳି ଛୋଟବେଳୁ ତାକୁ ପାଳିଥିଲେ ସେ। ମହାରାଜା ବୃଦ୍ଧାଙ୍କ ପାଖକୁ ଆସି କ୍ଷମା ପ୍ରାର୍ଥନା କଲେ ଓ ସ୍ୱାନ୍ତନା ଦେବାକୁ ଲାଗିଲେ। ସେଇ ଜଙ୍ଗଲରେ ବୃଦ୍ଧାଙ୍କର ଯତ୍ନ ନେବାପାଇଁ ଆଉ କେହି ନଥିବାରୁ ରାଜା ତାଙ୍କୁ ରାଜମହଲକୁ ନେଇଗଲେ।

ରାଜମହଲକୁ ଆସିଲା ପରେ କିଛିଦିନ ଭିତରେ ହିଁ ବୃଦ୍ଧା ଜଣକ ସାନରାଣୀଙ୍କ ଅତିପ୍ରିୟ ହେଇଯାଇଥିଲେ। କିନ୍ତୁ ସେ ତାଙ୍କ ପୁତ୍ରସମ ପ୍ରିୟ ମାଙ୍କଡ଼ର ବିୟୋଗରେ ଏତେ ଭାଙ୍ଗିପଡିଥିଲେ ଯେ ମାସଟେ ଭିତରେ ହିଁ ଜରାଜୀର୍ଣ୍ଣ ହୋଇ ରୁଗ୍ଣ ହୋଇପଡିଲେ ଏବଂ ଇହଧାମ ପରିତ୍ୟାଗ କଲେ। ମୃତ୍ୟୁପୂର୍ବରୁ ସେ ତାଙ୍କ ପ୍ରିୟ ମାଙ୍କଡର ଅସ୍ଥି ଓ ପାଉଁଶକୁ ଗଙ୍ଗାନଦୀରେ ଭସେଇ ଦେବାପାଇଁ ସାନରାଣୀଙ୍କୁ ଅନୁରୋଧ କରିଥିଲେ।

ରାଣୀ ଶୁଭଲକ୍ଷ୍ମୀ ମାଙ୍କଡ଼ର ଅସ୍ଥି ଓ ପାଉଁଶକୁ ବହୁତ ଯତ୍ନ ସହକାରେ ସାଇତି ରଖିଥିଲେ। ସାନରାଣୀ ରାଜାଙ୍କର ଅତିପ୍ରିୟ ହୋଇଥିବାରୁ ଅନ୍ୟ ତିନିରାଣୀ ସର୍ବଦା ତାଙ୍କ ପ୍ରତି ଈର୍ଷାପରାୟଣ ରହୁଥିଲେ। ସାଧାରଣ ଜନତାଙ୍କ ପ୍ରତି ତାଙ୍କ ହୃଦୟରେ ଯଥେଷ୍ଟ ଶ୍ରଦ୍ଧା ଓ ଦୟାଭାଵ ଥିବାରୁ ରାଜ୍ୟର ସମସ୍ତ ପ୍ରଜା ସାନରାଣୀଙ୍କୁ ବେଶୀ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ଯାହାକି ଅନ୍ୟ ତିନିରାଣୀଙ୍କୁ ଆହୁରି କ୍ରୋଧାନ୍ୱିତ କରୁଥିଲା।

ଦିନେ ଜଣେ ବୃଦ୍ଧବୈଦ୍ୟ ରାଜାଙ୍କ ଘୋଷଣା ମୁତାବକ ରାଜମହଲକୁ ଆସି ସନ୍ତାନପ୍ରାପ୍ତି ନିମନ୍ତେ ଚାରିରାଣୀଙ୍କୁ ଚେରୀମୂଳି ଔଷଧ ଦେଇଗଲେ। ତିନିରାଣୀ ବୈଦ୍ୟଙ୍କ ଆଣିଥିବା ଔଷଧୀୟ ବୃକ୍ଷର ଚେରକୁ ପାଣିରେ ସିଝେଇ ଛାଣି ଅନ୍ୟତ୍ର ରଖିଲେ। ତତ୍ପରେ ସିଝା ଚେରକୁ ଶୁଖେଇ ନିଆଁରେ ପୋଡି ପାଉଁଶ କଲେ। ପୂର୍ବରୁ ପ୍ରସ୍ତୁତ ସିଝାପାଣିରେ ଅରୁଆ ଚାଉଳର ଭାତ ରୋଷେଇକରି ସେଇ ଭାତରେ ଚେରର ପାଉଁଶକୁ ଫେଣ୍ଟି ଆବଶ୍ୟକୀୟ ଔଷଧ ପ୍ରସ୍ତୁତ କଲେ।

ମହାରାଜା ଅସୁସ୍ଥ ଥିବାରୁ ଔଷଧ ପ୍ରସ୍ତୁତ କରିବାରେ ସାନରାଣୀ ଅନ୍ୟ ତିନିରାଣୀଙ୍କୁ ସାହାଯ୍ୟ କରି ନପାରି ରାଜାଙ୍କ ସେବାରେ ବ୍ୟସ୍ତ ଥିଲେ। ତିନିରାଣୀ ଏଭଳି ସୁଯୋଗ ହାତଛଡା କରିବାକୁ ଚାହିଁଲେ ନାହିଁ। ସେମାନେ ନିଜପାଇଁ ଔଷଧ ଠିକ ଭାବେ ପ୍ରସ୍ତୁତ କଲାପରେ ସାନରାଣୀଙ୍କ ଔଷଧରେ ସେଇ ସିଝା ଚେରର ପାଉଁଶ ନମିଶେଇ ସାନରାଣୀ ସାଇତି ରଖିଥିବା ମାଙ୍କଡ଼ର ଅସ୍ଥି ପାଉଁଶରୁ ମୁଠାଏ ପାଉଁଶ ଆଣି ଫେଣ୍ଟି ଦେଇଥିଲେ। ବୈଦ୍ୟଙ୍କ ଉପଦେଶ ମୁତାବକ ଚାରିରାଣୀ ଦିନସାରା ନିର୍ଜଳା ଉପବାସ ରଖି ସୂର୍ଯ୍ୟାସ୍ତ ପରେ ମହାରାଜାଙ୍କ ପାଦସ୍ପର୍ଶ କରି ଔଷଧ ସେବନ କଲେ।

କିଛିଦିନ ପରେ ଏକାସାଙ୍ଗରେ ଚାରିରାଣୀ ଗର୍ଭବତୀ ହେଲେ। ମହାରାଜାଙ୍କ ଖୁସି କହିଲେ ନସରେ; ଏକାସଙ୍ଗେ ଚାରି ସନ୍ତାନର ଜନକ ହେବାର ଖୁସିରେ ସେ ପ୍ରତିଦିନ ରାଜମହଲରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଉଥିଲେ।

ଦେଖୁ ଦେଖୁ ସମୟ ପାଖେଇ ଆସିଲା। ମହାରାଜାଙ୍କ ବ୍ୟସ୍ତତା ବଢି ଚାଲିଥାଏ। ହଠାତ ଜଣେ ଦାସୀ ଦୌଡ଼ିଆସି ଖବର ଦେଇଗଲା ଯେ ପ୍ରଥମରାଣୀ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଗୋଟିଏ ପୁଅ ଓ ଗୋଟିଏ ଝିଅ। ରାଜା ଖୁସି ହେଲେ ସତ କିନ୍ତୁ ବଡ଼ରାଣୀଙ୍କ ବିଷୟରେ ନପଚାରି ସେ ସାନରାଣୀଙ୍କ ବିଷୟରେ ପଚାରିଲେ।

କିଛି ସମୟ ପରେ ପୁଣିଥରେ ଦାସୀ ଜଣକ ଦୌଡ଼ିଆସି ଖବର ଦେଲା ଯେ ଦ୍ୱିତୀୟ ଓ ତୃତୀୟ ରାଣୀ ଉଭୟେ ଗୋଟିଏ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମହାରାଜ ଖବର ଶୁଣି ଖୁସିରେ ନାଚି ଉଠିଲେ; କିନ୍ତୁ ସେ ପୁନର୍ବାର ସାନରାଣୀଙ୍କ ସ୍ୱାସ୍ଥ୍ୟ କଥା ପଚାରିଲେ।

ଅନେକ ସମୟ ବିତିଗଲା ପରେ ବି ସାନରାଣୀଙ୍କ କିଛି ଖବର ନଆସିବାରୁ ରାଜା ନିଜେ ଯାଇ ପହଞ୍ଚିଗଲେ ତାଙ୍କ ପ୍ରିୟରାଣୀଙ୍କ ପାଖରେ। କିନ୍ତୁ ଦୁଃଖର ବିଷୟ; ରାଜା ଯେତେ ଖୁସିରେ ସାନରାଣୀଙ୍କ ପାଖକୁ ଯାଇଥିଲେ, ସେତେ ବ୍ୟଥିତ ବି ହେଇଥିଲେ ରାଣୀଙ୍କ କୋଳରେ ଥିବା ନବଜାତ ଶିଶୁକୁ ଦେଖି। ସାନରାଣୀଙ୍କ କୋଳରେ ଜନ୍ମ ନେଇଥିବା ସେଇ ଶିଶୁଟି ମନୁଷ୍ୟ ସନ୍ତାନ ନଥିଲା; ସେ ଥିଲା ଏକ ମାଙ୍କଡ଼ ଶିଶୁ। କଳା ମିଚିମିଚି ରଙ୍ଗ ସାଙ୍ଗକୁ ଦେହସାରା ଲୋମ; ପୁଣି ତା ସାଙ୍ଗକୁ ଏକ ଚାରି ଆଙ୍ଗୁଳ ବିଶିଷ୍ଟ କ୍ଷୁଦ୍ର ଲାଞ୍ଜ। ମହାରାଜା କ୍ରୋଧରେ ଜର୍ଜରିତ ହେଇ ସେଇ ମାଙ୍କଡ଼ଛୁଆକୁ ମାରିଦେବାକୁ ଖଡ୍ଗ ବାହାର କଲେ। କିନ୍ତୁ ସାନରାଣୀ ତାଙ୍କ ଚରଣ ତଳେ ପଡି ମାଙ୍କଡ଼ଛୁଆର ପ୍ରାଣଭିକ୍ଷା କଲେ। ମହାରାଜା ସର୍ତ୍ତ ରଖିଲେ ଯେ ଯଦି ସେଇ ମାଙ୍କଡ଼ ଜୀବିତ ରହିବ ତେବେ ସାନରାଣୀଙ୍କୁ ରାଜ୍ୟରୁ ବାହାରି ଯିବାକୁ ପଡ଼ିବ। ସାନରାଣୀ କିଛି ଉତ୍ତର ନଦେଇ ମହାରାଜାଙ୍କ ପାଦସ୍ପର୍ଶ କଲେ ଓ ମାଙ୍କଡ଼ଛୁଆକୁ ଧରି ରାଜମହଲରୁ ବାହାରିଗଲେ।

ସମୟ ଗାଡିଚାଲିଥାଏ। ତିନି ରାଜକୁମାର ବିକ୍ରମ କେଶରୀ, ପ୍ରତାପ କେଶରୀ, ସଂଗ୍ରାମ କେଶରୀ ଓ ଏକମାତ୍ର ରାଜକୁମାରୀ ରାଜନନ୍ଦିନୀ ଗେଲବସରରେ ବଢୁଥାନ୍ତି। ସେମାନଙ୍କ ଶରୀରରେ ଧୂଳି ଟିକକ ବି ଲାଗିବାକୁ ଦିଆ ଯାଉନଥାଏ। ସୁନାଥାଳିରେ ରାଜଭୋଗ କରୁଥାନ୍ତି। ରାଜମହଲରେ ସେମାନଙ୍କ ଶିକ୍ଷା ତଥା ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥାଏ।

ଏଣେ ଘଞ୍ଚ ଅରଣ୍ୟ ମଧ୍ୟରେ ସାନରାଣୀ ମାଙ୍କଡ଼ ଛୁଆଟିକୁ ନେଇ ନଡ଼ାପତ୍ରର କୁଡ଼ିଆରେ ବାସ କରୁଥାନ୍ତି। ଖରା, ବର୍ଷା ଓ ଶୀତ ତାଙ୍କର ଦିହସୁଆ ହେଇଯାଇଥିଲା। ଜଙ୍ଗଲର ଫଳମୂଳ ସେମାନଙ୍କ ନିତ୍ୟ ଆହାର ଥିଲା। ତଥାପି କେବେ ତାଙ୍କର ଶରୀର ଅସୁସ୍ଥ ହେଇନଥିଲା। ଦୁହେଁ ସୁସ୍ଥ ସବଳ ଥିଲେ। ସାନରାଣୀ ମାଙ୍କଡ଼ ଛୁଆଟିକୁ ଛୋଟବେଳୁ କଥା କହିବା ଓ ଲେଖିବା ଶିଖାଉଥିଲେ। ଶାରୀରିକ ବ୍ୟାୟାମ ସହ ବିଭିନ୍ନ ପ୍ରକାର ଯୁଦ୍ଧ କୌଶଳ ଶିକ୍ଷା କରିବା ବି ତାଙ୍କ ଦୈନନ୍ଦିନ ତାଲିମ ପ୍ରକ୍ରିୟାରେ ଏକ ମୁଖ୍ୟ ଅଂଶ ଥିଲା।

ଦେଖୁଦେଖୁ ଦୀର୍ଘ କୋଡିଏ ବର୍ଷ ବିତିଗଲା। ରାଜକୁମାର ମାନେ ବଡ଼ ହେଇଗଲେ; ରାଜକୁମାରୀ ଆଖପାଖ ଅଠରଟି ରାଜ୍ୟରେ ସମସ୍ତଙ୍କ ଠାରୁ ବେଶୀ ସୁନ୍ଦରୀ ଥିଲେ। ପଡୋଶୀ ରାଜ୍ୟର ରାଜକୁମାର ମାନଙ୍କ ପାଇଁ ସେ ସ୍ୱପ୍ନର ସୁନ୍ଦରୀ ସାଜିଥିଲେ। ତାଙ୍କୁ ପାଇବା ଲାଗି ସେମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗିରହୁଥିଲା। ରାଜକୁମାରୀ କିନ୍ତୁ ସେମାନଙ୍କୁ ପସନ୍ଦ କରୁନଥିଲେ। ନମ୍ରତାର ସହ ସେମାନଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଉଥିଲେ। ରାଜକୁମାରୀଙ୍କ ଏଇ ନମ୍ରସ୍ଵଭାଵ ପଡୋଶୀ ରାଜକୁମାରଙ୍କୁ ଆହୁରି ପାଗଳ କରିପକାଉ ଥିଲା।

ରାଜକୁମାରୀ ତାଙ୍କ ଭାଇମାନଙ୍କ ଅପାରଗତା ଯୋଗୁଁ ହିଁ ବିବାହ ପାଇଁ ସମ୍ମତ ହେଉନଥିଲେ। କାରଣ ସେ ଭଲ ଭାବରେ ଜାଣିଥିଲେ ଯେ, ତାଙ୍କ ପିତାଙ୍କ ଅନ୍ତେ ବିଶାଳ ଜୁନାଗଡ଼ ରାଜ୍ୟର

ସିଂହାସନ ସମ୍ଭାଳିବାର କ୍ଷମତା ରାଜକୁମାର ମାନଙ୍କର ନଥିଲା। ସେମାନେ ଅଧିକାଂଶ ସମୟ ଭୋଗବିଳାସରେ ଲାଗି ରହୁଥିଲେ। ମଦ, ମାଂସ ଓ ଜୁଆରେ ତାଙ୍କର ଦିନକଟୁଥିଲା। ପ୍ରକୃତରେ ଦେଖିବାକୁ ଗଲେ ଵୃଦ୍ଧ ରାଜା କେବଳ ନାମକୁମାତ୍ର ମହାରାଜା ଥିଲେ; ପ୍ରକୃତ ଶାସନ ଡୋରି ରାଜକୁମାରୀଙ୍କ ହାତରେ ଥିଲା।

ପୁତ୍ରମାନଙ୍କ ଅପାରଗତା ପିତାଙ୍କ ଲାଗି ବି ଚିନ୍ତାର ବିଷୟ ଥିଲା। ତେଣୁ ମହାରାଜା ରାଜ୍ୟ ଶାସନଭାର ରାଜକୁମାରୀଙ୍କୁ ସମର୍ପିବା ପାଇଁ ମନସ୍ଥ କରିଥିଲେ। ରାଜକୁମାରମାନେ କିନ୍ତୁ ଏଥିରେ ସହମତ ନଥିଲେ। ଏଥିର ସୁଯୋଗ ନେଇ କିଛି ପଡୋଶୀ ରାଜ୍ୟର ଚତୁର ରାଜା ରାଜକୁମାରମାନଙ୍କୁ ନିଜ ଜାଲରେ ଫସେଇ ନେଲେ। ଚୁକ୍ତି ମୁତାବକ ପଡୋଶୀ ରାଜ୍ୟ ଯେତେବେଳେ ଜୁନାଗଡ଼କୁ ଆକ୍ରମଣ କରିବ, ସେତେବେଳେ ରାଜକୁମାରମାନେ ନିଜ ସେନାବାହିନୀର ଗୁପ୍ତ ଯୋଜନା ସବୁ ସେମାନଙ୍କୁ ଜଣେଇବେ ଓ ପ୍ରତିବଦଳରେ ରାଜ୍ୟ ଜୟ କରି ରାଜକୁମାରୀଙ୍କୁ ପଡୋଶୀ ରାଜ୍ୟକୁ ନେଇଗଲା ପରେ ରାଜକୁମାରଙ୍କୁ ଜୁନାଗଡ଼ର ସିଂହାସନ ସମର୍ପଣ କରାଯିବ।

ପଡୋଶୀ ରାଜ୍ୟର ଯୁଦ୍ଧ ଘୋଷଣା ପରେ ରାଜକୁମାରୀ ଅନେକ ପ୍ରୟାସ କରିଥିଲେ ଯୁଦ୍ଧ ନକରିବାକୁ କିନ୍ତୁ ଶେଷରେ ସେ ଯୁଦ୍ଧ କରିବାକୁ ବାଧ୍ୟ ହେଲେ। ଘମାଘୋଟ ଲଢ଼େଇ ଚାଲିଲା। ତିନିଦିନ ତିନିରାତି ଯୁଦ୍ଧ କଲାପରେ ପଡୋଶୀ ରାଜାଙ୍କୁ ଆତ୍ମ ସମର୍ପଣ କରିବାକୁ ପଡିଲା। ସେ ରାଜକୁମାରୀଙ୍କୁ ପାଦସ୍ପର୍ଶ କରି କ୍ଷମା ଭିକ୍ଷା କଲେ। ପିତୃସମ ରାଜାଙ୍କୁ ବଧ କରିବାକୁ ରାଜନନ୍ଦିନୀଙ୍କ ହସ୍ତ ଉଠିଲା ନାହିଁ। ତେଣୁ ସେ ପରାଜିତ ରାଜାଙ୍କୁ ସସମ୍ମାନେ ବିଦାୟ ଦେଲେ।

କିନ୍ତୁ ଦୁଃଖର ବିଷୟ; ସତ କହନ୍ତି ଲୋକେ, ଅଣ୍ଟି ଛୁରୀ ତଣ୍ଟି କାଟେ ବୋଲି। ସାନ ରାଜକୁମାରଙ୍କ ଜନ୍ମଦିବସ ଅଛି କହି ବିକ୍ରମ କେଶରୀ ଓ ପ୍ରତାପ କେଶରୀ ସେଦିନ ରାତ୍ରିରେ ସେମାନେ ଛୋଟବେଳେ ଖେଳୁଥିବା ବରଗଛ ମୂଳକୁ ରାଜକୁମାରୀଙ୍କୁ ଛଳରେ ଡାକିନେଲେ। ତିନି ଭାଇଙ୍କ ସହ ବାଲ୍ୟକାଳର ସ୍ମୃତିକୁ ପୁଣିଥରେ ଜୀଇଁବା ଉଦ୍ଦେଶ୍ୟରେ ରାଜକୁମାରୀ ସେଦିନ ଖୁସିରେ ଯାଇଥିଲେ ସେଇ ବରଗଛ ମୂଳକୁ। କେତେଥର ସେମାନେ ସେଇ ଗଛର ଓହଳରେ ଝୁଲିଛନ୍ତି, କେତେଥର ପଡିଛନ୍ତି ସବୁ ରାଜକୁମାରୀଙ୍କ ମନ ଭିତରେ ଝଲସି ଉଠୁଥାଏ। ଠିକ ଏତିକି ବେଳକୁ କିଛି ସନ୍ଦିଗ୍ଧ ଶବ୍ଦ କର୍ଣଗୋଚର ହେବାରୁ ରାଜକୁମାରୀ ନିଜ ତଲବାର ଖୋଜିଲେ; କିନ୍ତୁ ସେ ନିଜ ଭାଇଙ୍କ କଥାରେ ଏତେ ମଜ୍ଜି ଯାଇଥିଲେ ଯେ, ସାଥିରେ ଅସ୍ତ୍ର ନଆଣି ରାଜମହଲ ବାହାରକୁ ଚାଲି ଆସିଥିଲେ। 

ପରାଜୟର ତିକ୍ତ ଅନୁଭୂତି ନେଇ ପଡୋଶୀ ରାଜ୍ୟର ରାଜା ସେଦିନ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିନଥିଲେ। ବରଂ ପଳେଇବାର ଅଭିନୟ କରି ଅନ୍ଧକାର ହେଲାପରେ ଫେରିଆସି ରାଜମହଲ ବାହାରେ ତାଙ୍କର କିଛି ସୈନ୍ୟଙ୍କ ସହ ଛପି ରହିଥଲେ।

ରାଜକୁମାରୀଙ୍କୁ ନିରସ୍ତ୍ର ଦେଖି ହିଂସ୍ରଜନ୍ତୁଙ୍କ ଭଳି ଝାମ୍ପି ପଡିଲେ ସେମାନେ। କିନ୍ତୁ କେବଳ ଯେ ରାଜକୁମାରୀ ନୁହଁ, ତିନି ରାଜକୁମାରଙ୍କୁ ମଧ୍ୟ ସେମାନେ ବନ୍ଦୀ କରିନେଲେ। ଜୁନାଗଡ଼ ରାଜମହଲକୁ ପ୍ରବେଶ କରି ସମଗ୍ର ରାଜପରିବାରକୁ ବନ୍ଦୀକରି ତଲବାର ମୁନରେ ରଖାଯାଇଥିବାରୁ ସେନାପତି ମଧ୍ୟ ନିଜ ସୈନ୍ୟ ବାହିନୀ ସହ ପଡୋଶୀ ରାଜାଙ୍କର ବଶତି ସ୍ୱୀକାର କଲେ।

ଖବରଟି ଜଙ୍ଗଲ ନିଆ ଭଳି ସମଗ୍ର ରାଜ୍ୟରେ ପ୍ରଚାରିତ ହେଲା ପରେ ପ୍ରଜାଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି ହେଲା। କିନ୍ତୁ ସେମାନେ ବି ନିରୁପାୟ ଥିଲେ କାରଣ ବୃଦ୍ଧ ମହାରାଜା ବନ୍ଦୀ ଥିଲେ।

ଜଙ୍ଗଲକୁ ଶିକାର କରିବାକୁ ଆସିଥିବା କିଛି ଶିକାରୀଙ୍କ ଠାରୁ ଜୁନାଗଡ଼ ରାଜ୍ୟର ଖବର ଶୁଣି ମାଙ୍କଡ଼ ତା ମାଆଙ୍କୁ କହିଲା। ସାନରାଣୀ ମହାରାଜାଙ୍କ କଥା ଶୁଣି ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଜୋରରେ କାନ୍ଦି ପକେଇଲେ। ମାଙ୍କଡ଼ ଜାଣିବାକୁ ଚାହିଁଲା ଯେ ଜୁନାଗଡ଼ ରାଜାଙ୍କ ପ୍ରତି ତାଙ୍କ ହୃଦୟରେ ଏତେ ଦରଦ କାହିଁକି। ସାନରାଣୀ ପୁଅକୁ କହିଲେ ଯେମିତି ହେଲେ ଜୁନାଗଡ଼ ରାଜ୍ୟକୁ ଶତ୍ରୁ କବଳରୁ ମୁକ୍ତ କରିବାକୁ ହେବ କାରଣ ଜୁନାଗଡ଼ ରାଜ୍ୟ ସହ ତାଙ୍କର ହୃଦୟର ସମ୍ପର୍କ ଅଛି ଓ ସେ କେବେବି ଚାହାନ୍ତିନି ଜୁନାଗଡ଼ ପରାଧୀନ ହେଉ ବୋଲି।

ମାଙ୍କଡ଼ କିଛି ନପଚାରି କୁଡ଼ିଆ ଭିତରୁ ବାହାରି ଏକ ଅଦ୍ଭୂତ ଶବ୍ଦ କଲା ଯାହା ଶୁଣି ସାନରାଣୀ ବି ଆଶ୍ଚର୍ଯ୍ୟ ହେଇଗଲେ। ଅଳ୍ପ ସମୟ ଭିତରେ ଜଙ୍ଗଲ ଭିତରୁ ହଜାର ହଜାର ମାଙ୍କଡ଼ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଠୁଳ ହେଇଗଲେ। ସମସ୍ତେ ଆଣ୍ଠେଇ ନତମସ୍ତକ ହେଇ ଏକସ୍ୱରରେ କହିଲେ, "ରାଜମାତାଙ୍କର ଜୟ ହେଉ"। ସାନରାଣୀ କେବେ ଭାବିନଥିଲେ ଯେ ଏମିତି କିଛି ଘଟିବ ବୋଲି। ସେଦିନ ସେ ବୁଝି ପାରିଥିଲେ, ଜଙ୍ଗଲର ଜୀବଜନ୍ତୁ କାହିଁକି ତାଙ୍କ କୁଡ଼ିଆ ପାଖକୁ ଆସୁନଥିଲେ ଏବଂ ତାଙ୍କୁ କିଛି କ୍ଷତି ପହଞ୍ଚାଉନଥିଲେ।

କେବେ କେମିତି ସେ ଜଙ୍ଗଲର ସମସ୍ତ ମାଙ୍କଡ଼ ଗୋଷ୍ଠୀଙ୍କୁ ନେଇ ନିଜର ଏକ ସାମ୍ରାଜ୍ୟ ସୃଷ୍ଟି କରିଥିଲା ତାର ଟେର ବି ପାଇନଥିଲେ ସାନରାଣୀ। ଏଭଳି କାର୍ଯ୍ୟକଳାପରୁ ସୁସ୍ପଷ୍ଟ ହେଉଥିଲା ଯେ ତା ଶରୀରରେ ରାଜବଂଶର ରକ୍ତ ପ୍ରବାହିତ ହେଉଥିଲା। 

ସେଦିନ ଚତୁର୍ଦିଗରୁ ମର୍କଟସେନା ଜୁନାଗଡ଼କୁ ଆକ୍ରମଣ କଲେ। ସମସ୍ତ ସୈନ୍ୟ ତଥା ପ୍ରଜା ମର୍କଟସେନାର ପରାକ୍ରମ ଦେଖି ଆତଙ୍କିତ ହୋଇପଡିଥିଲେ। ମର୍କଟସେନା କିନ୍ତୁ ସାଧାରଣ ପ୍ରଜାଙ୍କର କିଛି କ୍ଷତି କରୁନଥିଲେ। ଅନାୟାସରେ ସେମାନେ ଜୁନାଗଡ଼ ରାଜ୍ୟକୁ ନିଜ ଅକ୍ତିଆରକୁ ନେଇ ମହାରାଜା ତଥା ରାଜକୁମାରୀ ଓ ରାଜକୁମାର ମାନଙ୍କୁ ଉଦ୍ଧାର କରି ଶତ୍ରୁ ରାଜାଙ୍କୁ ବନ୍ଦୀ କଲେ।

ମାଙ୍କଡ଼ ମାନଙ୍କ ଏଭଳି କାର୍ଯ୍ୟ କଳାପ ଦେଖି ସମସ୍ତେ ସ୍ତବ୍ଧ ହେଇଯାଇଥାନ୍ତି। ଠିକ ଏତିକି ବେଳେ ସାନରାଣୀ ରାଜମହଲକୁ ପ୍ରଵେଶ କରିଥିଲେ। ସାନରାଣୀଙ୍କ ଆଗମନରେ ସମସ୍ତ ମର୍କଟସେନା ଆଣ୍ଠେଇ ନତମସ୍ତକ ହୋଇ ସମ୍ମାନ ପ୍ରଦର୍ଶନ କଲେ। ରାଜକୁମାରୀ ଓ ରାଜକୁମାରଗଣ ତଥା ତିନି ରାଜମାତା ସାନରାଣୀଙ୍କୁ ସ୍ତବ୍ଧ ହୋଇ ଅନେଇ ରହିଥାନ୍ତି। ସାନରାଣୀ ସିଧାସଳଖ ଯାଇ ମାଙ୍କଡ଼କୁ ଯଥାଶୀଘ୍ର ସେଇ ସ୍ଥାନ ପରିତ୍ୟାଗ କରି ଫେରିଯିବାକୁ କହିଲେ। ଏତିକିବେଳେ ସାନରାଣୀଙ୍କ ଉପରେ ମହାରାଜାଙ୍କ ନଜର ପଡିଯିବାରୁ ପଛପଟୁ ଅସ୍ପଷ୍ଟ ସ୍ୱରରେ ଡାକିଲେ, "ଶୁଭଲଷ୍ମୀ"। ସାନରାଣୀ ଅଟକି ଗଲେ। କିଛି ସମୟର ନୀରବତା ପରେ ମହାରାଜାଙ୍କ ପାଖକୁ ଯାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲା ଉତ୍ତାରେ କହିଲେ,

- ଭାବି ତ ଥିଲି ପୁନର୍ବାର ଯେବେ ବି ସାକ୍ଷାତ ହେବ, ମନରେ ମହାରାଜାଙ୍କ ପ୍ରତି କ୍ରୋଧ ଓ ଅଭିମାନ ବ୍ୟତୀତ ଅନ୍ୟ କୋୖଣସି ଭାବନା ବାହାରିବ ନାହିଁ କିନ୍ତୁ ଆଜି ମହାରାଜାଙ୍କୁ ଅସହାୟ ଅବସ୍ଥାରେ ଦେଖି ଦୟାଭାଵ ସୃଷ୍ଟି ହେଉଛି। ଦୟାଭାଵ ଏଇଥି ପାଇଁ ନୁହଁ ଯେ ମହାରାଜା ଯୁଦ୍ଧରେ ପରାସ୍ତ ହୋଇ ବନ୍ଦୀହେଲେ, ଦୟାଭାବ ତ ଏଇଥିପାଇଁ କି ଯୋଉମାନଙ୍କୁ ମହାରାଜା ନିଜର ଉତ୍ତରାଧିକାରୀ ଭାବି ରାଜମହଲ ଭିତରେ ନିଜ ତତ୍ତ୍ୱାବଧାନରେ ଲାଳନପାଳନ କଲେ ସେମାନେ ଆଜି ଜୁନାଗଡ଼ ରାଜ୍ୟକୁ ଶତ୍ରୁ ହାତରେ ଟେକିଦେଲେ।

ମହାରାଜା ସତ୍ୟତା ଜାଣିବା ଉଦ୍ଦେଶ୍ୟରେ ରାଜକୁମାରୀ ରାଜନନ୍ଦିନୀଙ୍କ ଆଡକୁ ଅନେଇବାରୁ ସେ ବି ମୁଣ୍ଡ ହଲେଇ ଶୁଭଲକ୍ଷ୍ମୀଙ୍କ କଥାକୁ ସମର୍ଥନ କଲେ।

ସାନରାଣୀ ପୁନର୍ବାର କହିଲେ, "ଥରେ ଆଖି ଉଠେଇ ଦେଖନ୍ତୁ ମହାରାଜ, ଯାହାକୁ ଆପଣ ଜନ୍ମ ହେଲାମାତ୍ରେ ବନବାସ ପଠେଇଦେଲେ ସେ ଆଜି ଆପଣଙ୍କୁ ଏବଂ ଆପଣଙ୍କ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରିଛି।

- ଶୁଭଲକ୍ଷ୍ମୀ! କଣ କହୁଛ ମୁଁ କିଛି ବୁଝି ପାରୁନି

- ହଁ ମହାରାଜ, ଆପଣ ଯାହା ବୁଝୁଛନ୍ତି ଠିକ ବୁଝୁଛନ୍ତି; ଇଏ ମୋ ପୁଅ, ମୋ ଗର୍ଭରୁ ଜାତ ଜୁନାଗଡ଼ ରାଜବଂଶର ରାଜକୁମାର; ଶତସିଂହ ବଳରେ ବଳୀୟାନ ମର୍କଟ କେଶରୀ।

ମହାରାଜା ମର୍କଟ କେଶରୀକୁ ନିଜ ଭୁଲ ନିମନ୍ତେ କ୍ଷମା ପ୍ରାର୍ଥନା କଲେ। ମର୍କଟ କେଶରୀ ମଧ୍ୟ ବେଶୀ ସମୟ ମନରେ ଅଭିମାନ ନରଖି ମହାରାଜାଙ୍କୁ କ୍ଷମା କରିଦେଲେ। ଶେଷରେ ଉଭୟ ମହାରାଜା ଓ ରାଜକୁମାରୀ ରାଜ ନନ୍ଦିନୀ ଜୁନାଗଡ଼ ରାଜ୍ୟର ଶାସନ ଡୋରି ନିଜ ହାତରେ ନେବାକୁ ମର୍କଟ କେଶରୀକୁ ଅନୁରୋଧ କଲେ।

ମାତା ଶୁଭଲକ୍ଷ୍ମୀଙ୍କ ସହମତିରେ ମର୍କଟ କେଶରୀ ଜୁନାଗଡ଼ ରାଜ୍ୟର ରାଜ ସିଂହାସନ ଅଳଙ୍କୃତ କରି ମହାରାଜ ମର୍କଟ କେଶରୀ ନାମରେ ଖ୍ୟାତ ହେଲେ।


Rate this content
Log in