Sanjeeb Kumar Nag

Others

3.3  

Sanjeeb Kumar Nag

Others

ପ୍ରତିଧ୍ବନି

ପ୍ରତିଧ୍ବନି

5 mins
384



ବେଶ ନମ୍ର ସ୍ୱଭାବର ଜଣା ପଡୁଥିଲେ ବି କାହିଁକି କେଜାଣି ଘୋଡାଘାଟ ଛକ ରାସ୍ତା କଡରେ ଅଇଁଠା ଗୋଟାଇଖାଉଥିବା ସେଇ ପାଗଳ ମଝିରେ ମଝିରେ ଜୋରରେ ଚିତ୍କାର କରି ଏଣେ ତେଣେ ଦଉଡି ପଳାଏ। କେବେ ବିଦ୍ୟୁତ ଖୁଣ୍ଟରେ ତ କେବେ କୋଉ ପଥରରେ ମୁଣ୍ଡକୁ ବାଡେଇ ରକ୍ତାକ୍ତ କରି ପକାଏ ନିଜକୁ। ଦୁଇ ହାତରେ ଦୁଇ କାନକୁ ଜୋରରେ ବନ୍ଦ କରିବାକୁ ଚେଷ୍ଟା କରେ। ସତେ ଯେମିତି କାହାର ସ୍ୱର ତାକୁ କିଛି ମନେ ପକେଇ ଦେଉଛି। ସତେ ଯେମିତି ତା କାନରେ କିଛି ପ୍ରତିଧ୍ବନି ହେଉଛି।


ଦୁଇବର୍ଷ ତଳର କଥା; ଟାଉନ ଭିତରେ ଘର ଥିଲେ ବି ସେଠି ଜନଗହଳି ସେତେ ହୁଏନି। ପାଖରେ ଥିବା ବି.ଏସ.ଏନ.ଏଲ ଅଫିସ କାହିଁ କେତେଦିନୁ ବନ୍ଦ ହେଲାଣି। ବିପରୀତ ପାର୍ଶ୍ଵରେ କୃଷିବିଭାଗର ତିନିଚାରିଟା କ୍ବାର୍ଟର ଲାଗିଲାଗି ଅଛି କିନ୍ତୁ ସେଥିରେ କେବେ କେହି ରହନ୍ତିନି। ବର୍ଷସାରା ତାଲା ଝୁଲୁଥାଏ। ତା ପଛପଟେ ପ୍ରୟାସ ଘର ବାଡ଼ିକୁ ଲାଗି ପ୍ରାୟ ଦୁଇଏକର ପରିମିତ ଅଞ୍ଚଳ ଇଟା ସିମେଣ୍ଟର ବାଉଣ୍ଡାରୀରେ ଆବଦ୍ଧ। କିଛିବର୍ଷ ଆଗରୁ କୃଷିବିଭାଗ ତରଫରୁ ସେଠି ବିଭିନ୍ନ ଚାରା ରୋପଣ କରାଯାଇଥିଲା। ବର୍ତ୍ତମାନ ସେଇ ନର୍ସରୀ ଘଞ୍ଚ ଜଙ୍ଗଲ ହେଲାଣି। ପ୍ରୟାସ ତା ସାଙ୍ଗ ମାନଙ୍କ ସହ ସେଇ ନର୍ସରୀ ଭିତରେ ଥିବା ଗାର୍ଡ କ୍ୱାର୍ଟରରେ ବେଳେବେଳେ ପାର୍ଟି କରିଥାଏ। ଦିନବେଳେ ବି ସେଠି ସାଙ୍ଗମାନଙ୍କ ସହ ଆଡ୍ଡା ଜମେଇ ଥାଏ। ସେଠି ସେମାନେ କ୍ୟାରମ ଖେଳନ୍ତି, ତାସ ଖେଳନ୍ତି, ବିଅର ପିଅନ୍ତି ମଜା ମଜଲିସ କରନ୍ତି। ବର୍ଷସାରା ଖାଲିପଡିଥିବା ସେଇ କ୍ୱାର୍ଟରର ତାଲା ଆଜକୁ ପ୍ରାୟ ବର୍ଷେ ଖଣ୍ଡେ ହେବ ଲଫାଙ୍ଗା ମାନେ ଭାଙ୍ଗି ସାରିଲେଣି। ପ୍ରୟାସର ଘର ବାଡ଼ିପଟେ ଦୁଇପାର୍ଶ୍ଵରେ ବାଉଣ୍ଡାରୀ ଦିଆହେଇଛି। ତୃତୀୟ ପାର୍ଶ୍ଵକୁ ନର୍ସରୀର ବାଉଣ୍ଡାରୀ ଲାଗିଛି। ନର୍ସରୀର ସେଇ ସିଙ୍ଗଲ ବାଉଣ୍ଡାରୀକୁ ଭାଙ୍ଗି ପ୍ରାୟ ଅଢେଇ ଫୁଟ ପ୍ରସ୍ତର ଏକ ସଂକୀର୍ଣ୍ଣ ରାସ୍ତା ବି ତିଆରି କରିଛନ୍ତି ଲଫାଙ୍ଗା ମାନେ।


ସେଦିନ ଥିଲା ପ୍ରୟାସର ଜନ୍ମଦିନ। ସକାଳୁ ବ୍ରେକଫାଷ୍ଟ କରି ଘରୁ ବାହାରିଥିଲା ଯେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଫେରିନଥିଲା। ସାଥିରେ ଲଞ୍ଚ କରିବ ଭାବି ଦିନ ୧୨ଟାରୁ ଖାଦ୍ୟ ପ୍ରସ୍ତୁତ କରି ଅପେକ୍ଷା କରିଥାଏ ତାର ବଡ ଭଉଣୀ ପ୍ରିୟା। ପ୍ରିୟା ପ୍ରୟାସର ବଡ଼ ଭଉଣୀ; ପ୍ରୟାସ ଠାରୁ ୪ବର୍ଷ ବଡ଼। ସଡକ ଦୁର୍ଘଟଣାରେ ମା-ବାପାଙ୍କ ମୃତ୍ୟୁ ପରେ ପ୍ରିୟା ହିଁ ଘର ସମ୍ଭାଳି ଆସିଛି। ତା ବାପାଙ୍କ ଚୁଡି ଦୋକାନରେ ସେ ହିଁ ବସେ। କିଛି ବର୍ଷ ଆଗରୁ, ଯେତେବେଳେ ତା ବାପା ମା ଦୋକାନ ଚଳଉଥିଲେ ସେତେବେଳେ ତାଙ୍କ ଘରେ କାମ କରୁଥିବା ଚାକରାଣୀର ସାନ ଝିଅ କୌଶଲ୍ୟା ସହ ତାର ଭଲ ପଡେ। ଦୁହେଁ ସଦାବେଳେ ସାଥିରେ ରହନ୍ତି। ଦୋକାନରେ ବି କୌଶଲ୍ୟା ପ୍ରିୟାକୁ ସାହାଯ୍ୟ କରେ ଓ ଘରେ ବି। ପ୍ରିୟାର ମା-ବାପାଙ୍କ ମୃତ୍ୟର କିଛି ଦିନ ପର୍ଯ୍ୟନ୍ତ କୌଶଲ୍ୟାର ମାଆ ରାତିରେ ପ୍ରିୟା ସାଙ୍ଗେ ରହୁଥିଲା କିନ୍ତୁ ଏବେ ଆଉ ସେ ଆସେନି। କୌଶଲ୍ୟା ହିଁ ସବୁବେଳେ ସାଙ୍ଗରେ ଥାଏ। ସେଦିନ ଦ୍ଵିପହରରେ ବି ପ୍ରିୟା ସହିତ କୌଶଲ୍ୟା ଥିଲା। ଦୁହେଁ ଅପେକ୍ଷା କରିଥିଲେ ପ୍ରୟାସକୁ। ୪ଟା ବେଳେ ଘରକୁ ଆସିଥଲା ପ୍ରୟାସ। ବାହାରେ କୋଉଠି ଖାଇକି ଆସିଥିଲା ବୋଧେ। ଖାଇବାକୁ ମନାକରି ନିଜ ରୁମରୁ କ୍ୟାରମ ବୋର୍ଡ଼ ଧରି ପୁଣି ବାହାରିଗଲା ନର୍ସରୀର ସେଇ ଭୂତ କୋଠରୀକୁ ଲଫାଙ୍ଗା ଭୂତମାନଙ୍କ ସହ କ୍ୟାରମ ଖେଳିବା ପାଇଁ। ଟେବୁଲ ଉପରେ ସେମିତି ସଜାହେଇ ରହିଥାଏ ଖାଦ୍ୟ ସାମଗ୍ରୀ। କୌଶଲ୍ୟାର ଅନେକ ବୁଝେଇବା ସତ୍ତ୍ୱେ ପ୍ରିୟା ଖାଇଲାନି। ମନ ଭାଙ୍ଗିଗଲା ବିଚାରୀର। ବାପା ମା ନାହାଁନ୍ତି ବୋଲି କିଛି କଡା କଥା ବି କହି ପାରେନି ସେ ପ୍ରୟାସକୁ।

କୌଶଲ୍ୟା କିଛି କାମରେ ନିଜ ଘରକୁ ଗଲାପରେ ମନଦୁଃଖରେ ବସିଥାଏ ପ୍ରିୟା। ପଛପଟୁ ହଠାତ ଆସି ଚମକେଇ ଦେଲା ପ୍ରୟାସ ଓ କହିଲା,

- ଚମକି ଗଲୁ ଦି! ହା, ହା, ହା

(କିଛି ନକହି ଚୁପ ରହିଥିଲା ପ୍ରିୟା)

ପ୍ରୟାସ ପୁଣି କହିଲା,

- ରାଗିଛୁ ଦି? ସରି, ବହୁତ ଭୋକ ହେଲାଣି ଚାଲ ଖାଇବା। ଜାଣିଥିଲି ତୁ ଖାଇନଥିବୁ ବୋଲି, ସେଥିପାଇଁ ମୁଁ ବି ଖାଇନି।"

- ଯଦି ଖାଇନୁ ଏତେ ଲେଟ କଲୁ କେମିତି? ୧୨ଟାରୁ ତତେ ଜଗିଛି।

- ବାଟରେ ଗାଡି ଖରାପ ହେଇଗଲା; ବିଲକୁଲ ଷ୍ଟାର୍ଟ ହେଲାନି; ଭାଗ୍ୟ ଭଲ ପାଖରେ ଗ୍ୟାରେଜ ଥିବାରୁ ବେଶୀ ଦୂର ଠେଲିବାକୁ ପଡ଼ିଲାନି

- ମୋବାଇଲ କାହିଁ ସ୍ୱିଚ ଅଫ ଥିଲା ତୋର, କମସେ କମ କଲ କରିକି ଜଣେଇ ତ ପାରିଥାନ୍ତୁ

- ସରି ଦି, ପ୍ଲିଜ, ସରି

- ଚାଲ ଖାଇବା


ବାପା ମାଙ୍କ ମୃତ୍ୟୁ ପରଠୁ ପ୍ରତିବର୍ଷ ଆଖ ପାଖର ୪/୫ ଜଣ ଛୁଆଙ୍କ ସହ ପ୍ରିୟା ଓ ପ୍ରୟାସ ଦୁହେଁ ଦୁହିଁଙ୍କ ଜନ୍ମଦିନ ପାଳନ କରନ୍ତି। କିନ୍ତୁ କଲେଜ ଗଲା ଦିନଠୁ ପ୍ରୟାସ ବହୁତ ବଦଳି ଯାଇଛି। ଆଗଭଳି ପ୍ରିୟାର କଥା ସେ ମାନେନି। ସାଙ୍ଗସାଥୀଙ୍କ ସହ ମିଶି ଆଜିକାଲି ମଦ ବି ପିଏ। ରାତି ନଅଦଶଟାରେ ଘରକୁ ଫେରେ। ହେଲେ ପ୍ରିୟା କିଛି କହି ବି ପାରେନି। ପଦେ କହିଦେଲେ ମହାଭାରତ ହେଇଯାଏ। ପ୍ରତିବର୍ଷ ପରି ସେଦିନ ଭାଇ ଭଉଣୀ ମିଶି ଆଖପାଖର ଛୁଆଙ୍କ ସହ କେକ୍ କାଟିଲା ପରେ ସାଙ୍ଗ ମାନଙ୍କ ସହ ବର୍ଥଡେ ପାର୍ଟି କରିବ କହି ପଳେଇଲା ପ୍ରୟାସ ତାର ଆଡ୍ଡାକୁ। ସେଠି ପ୍ରୟାସର ପାଞ୍ଚ ସାତ ଜଣ ଲଫାଙ୍ଗା ସାଙ୍ଗ ଚିକେନ୍ ରୋଷେଇ କରୁଥାନ୍ତି। ପ୍ରୟାସ ପହଞ୍ଚିଲା ପରେ ସେମାନେ ସମସ୍ତେ ମିଶି ମଦ ପିଇବା ଆରମ୍ଭ କରିଦେଲେ। ଧୀରେ ଧୀରେ ସମୟ ଗଡି ଚାଲିଥାଏ। ମଦ ନିଶା ବି ଚଢି ଆସୁଥାଏ। ଲୋକେ ସତ କହନ୍ତି, ମଦ ପିଇଲେ ମନ ଭିତର କଥା ବାହାରି ଯାଏ ବୋଲି। ସେଦିନ ପ୍ରୟାସ ତାର ମନ କଥା ସବୁ କହିଦେଲା ତାର ସାଙ୍ଗ ମାନଙ୍କୁ।


ଦୁଇ ବର୍ଷ ତଳେ କୌଶଲ୍ୟାକୁ ସେ ପ୍ରପୋଜ୍ କରିଥିଲା। ଗରିବ ଘର ଝିଅ ହେଲେ ବି କୌଶଲ୍ୟା ବେଶ ସୁନ୍ଦରୀ। ଆର୍ଥିକ ସମସ୍ୟା ଯୋଗୁଁ କଲେଜରେ ଆଡମିଶନ କରି ପାରିଲାନି। ନହେଲେ ଏଇବର୍ଷ ତାର ଯୁକ୍ତଦୁଇ ସରିଥାନ୍ତା। ପ୍ରୟାସ ଠାରୁ ଦୁଇବର୍ଷ ଜୁନିୟର ସେ। ପ୍ରୟାସ ଅନେକ ଥର ଚେଷ୍ଟା କରିଛି କୌଶଲ୍ୟାର ନିକଟତର ହେବା ପାଇଁ। ଘରେ ପ୍ରିୟା ନଥିଲା ବେଳେ ଅନେକ ଥର ସେ କୌଶଲ୍ୟାକୁ ବଳପୂର୍ବକ ଆଲିଙ୍ଗନ କରିଛି। ଚୁମ୍ବନ ଦେଇଛି। ଦିନେ ଏକାନ୍ତରେ ପାଇ ପଛପଟୁ ଯାଇ ଛାତିରେ ହାତ ବି ମାରିଦେଇଥିଲା। ସେଦିନର ଶକ୍ତ ଚାପୁଡ଼ା କଥା ମନେ ପଡିଲେ ଆପେ ଆପେ ପ୍ରୟାସର ହାତ ଚାଲିଯାଏ ତାର ବାମ ଗାଲକୁ। ସେଇଦିନଠୁ କୌଶଲ୍ୟା ପ୍ରିୟା ସାଙ୍ଗେ ହିଁ ରହେ, ପ୍ରିୟା ନଥିଲା ବେଳେ କେବେ ବି ଆସେନି ପ୍ରୟାସ ଘରକୁ।


ଦୁଇବର୍ଷ ତଳର ଘଟଣା ହେଲେ ବି ପ୍ରୟାସ କିନ୍ତୁ ଭୁଲିନି ସେଇ ଅପମାନକୁ। ସେଦିନ ମାତାଲ ହେଇ ମଦ ପିଇଲା ପରେ ସମସ୍ତେ ମିଶି କୌଶଲ୍ୟାକୁ ସବକ୍ ଶିଖାଇବାର ଯୋଜନା କଲେ। ପ୍ରୟାସ ପ୍ରିୟାକୁ କଲ କରି କୋଶଲ୍ୟା ହାତରେ ଫ୍ରିଜରେ ଥିବା ଚକୋଲେଟ କେକ୍ ପଠେଇବା ପାଇଁ କହିଲା। ସେ ଜାଣିଥିଲା ଯେ କୌଶଲ୍ୟା ଆସିଲେ କେବଳ ସେଇ ଭଙ୍ଗା ବାଉଣ୍ଡାରୀ ପର୍ଯ୍ୟନ୍ତ ହିଁ ଆସିବ। କାରଣ ସେଇ ବାଉଣ୍ଡାରୀ ଭିତରକୁ ଦିନବେଳେ ଯିବାକୁ ବି ଲୋକେ ଡରନ୍ତି, ଇଏ ତ ସନ୍ଧ୍ୟା ସମୟର କଥା। ଆଉ ସେ ଏକଥା ବି ଜାଣିଥିଲା ଯେ କୌଶଲ୍ୟା ଲୋକ ଲଜ୍ଜାରେ କାହାକୁ କିଛି କହିବନି। କାରଣ ଯଦି କିଛି କହିବାର ଥାନ୍ତା ତେବେ ବହୁ ଆଗରୁ ପ୍ରିୟାକୁ ସେ ପ୍ରୟାସର ଦୁର୍ବ୍ୟବହାର ବିଷୟରେ କହିସାରିଥାନ୍ତା। ଯୋଜନା ମୁତାବକ ବାଉଣ୍ଡାରୀ ୱାଲ ପାଖରେ ପ୍ରୟାସର ଦୁଇ ସାଙ୍ଗ ଅନ୍ଧାରରେ ଛପି ରହିଥିଲେ। କେକ୍ ନେଇ ଝିଅଟି ବାଉଣ୍ଡାରୀ ପାଖକୁ ପହଞ୍ଚୁ ପହଞ୍ଚୁ ଝାମ୍ପି ପଡି କାବୁ କରିନେଲେ ତାକୁ। ପାଟିରେ ରୁମାଲ ଭରି ଟାୱାଲରେ ବାନ୍ଧି ଦେଇଥିଲେ ପାଟିକୁ। ଝିଅଟିକୁ ବୋହିକି ନେଇଗଲେ ସେମାନେ ଗାର୍ଡ କ୍ୱାର୍ଟର ପଛ ପଟକୁ। ଏପଟେ ନିଶାରେ ଚୁର ପ୍ରୟାସର ଆଖି ଲାଗି ଯାଇଛି। ତାର ସାଙ୍ଗମାନେ ଜଣେ ପରେ ଜଣେ ହିଂସ୍ରଜନ୍ତୁଙ୍କ ଭଳି ଖେଳି ଚାଲିଲେ ନିରୀହ ଝିଅ ସହ। ପ୍ରବଳ ଯନ୍ତ୍ରଣାରେ ଛଟପଟ ସେଇ ନିରୀହ ପ୍ରାଣୀ ଅଣ ନିଶ୍ୱାସୀ ହୋଇ ଜୀବନ ସଂଘର୍ଷରେ ହାରିସିନା ଗଲା, ହେଲେ କୁକୁରଙ୍କ ବର୍ବରତା ବନ୍ଦ ହେଇ ନଥିଲା। ଝିଅଟିର ଶରୀର ନିସ୍ତେଜ ହେଇଯିବାରୁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଓ ସେମାନେ ମୋବାଇଲ ଟର୍ଚ୍ଚ ମାରି ଦେଖିଲା ବେଳକୁ ପ୍ରାଣବାୟୁ ଆଉ ନଥିଲା। ସେମାନେ ପରସ୍ପରକୁ ଆକ୍ଷେପ କରିବାକୁ ଲାଗିଲେ, କିଏ କହିଲା "ତୁ ପାଟିକୁ ବାନ୍ଧିବା ସଙ୍ଗେ ସଙ୍ଗେ ନାକକୁ ବି ଜୋରରେ ବାନ୍ଧି ଦେଇଥିଲୁ" ତ କିଏ କହିଲା "ତୁ ତା ଗଳାକୁ କାମୁଡି ଦେଲୁ" ତ ଆଉ କିଏ କହୁଥିଲା "ତୁ ତା ଛାତି ଉପରେ ବସିବାରୁ ଅଣ ନିଶ୍ୱାସୀ ହେଲା"। ଶେଷରେ ସେମାନେ ସେଇ ନର୍ସରୀ ଭିତରେ ଥିବା ଜିଆ ଖତ ପ୍ରସ୍ତୁତି ଟାଙ୍କି ଭିତରେ ଶବଟିକୁ ପୋତିଦେଇ ପ୍ରୟାସକୁ ପାଣି ଛିଞ୍ଚି ଉଠେଇଲେ। ସାଙ୍ଗମାନଙ୍କ ଠାରୁ ସବୁ କଥା ଶୁଣିଲା ପରେ ପ୍ରୟାସର ନିଶା ଉତୁରି ଯାଇଥିଲା।


ବାଉଣ୍ଡାରୀ ୱାଲ ପାଖକୁ ଆସି ଦେଖିଲା ବେଳକୁ ଘରକବାଟ ଖୋଲା ଥିବାର ଦେଖି ସେ ଜାଣି ପାରିଲା ଯେ, ନିଶ୍ଚୟ କୌଶଲ୍ୟାର ଆସିବା ବାଟକୁ ଜଗି ପ୍ରିୟା କବାଟ ବନ୍ଦ ନକରି ଶୋଇ ପଡିଛି। କଣ କରିବ କଣ ନକରିବ ସେ ଭାବି ପାରୁନଥିଲା। କବାଟ ପାଖକୁ ପହଞ୍ଚୁ ପହଞ୍ଚୁ ଭିତରୁ ଶୁଭାଗଲା,

"ପ୍ରିୟା ଦି...., ଏତେବେଳ ପର୍ଯ୍ୟନ୍ତ କଣ କରୁଥିଲ?"

କିଚେନ ଭିତରୁ ବାହାରୁ ଥିବା କୌଶଲ୍ୟାକୁ ଦେଖି ପ୍ରୟାସର ପାଟି ଫିଟୁ ନଥିଲା। ଥରଥର ସ୍ୱରରେ ତା ପାଟିରୁ କେବଳ ଏତିକି ବାହାରିଲା, "କୌଶଲ୍ୟା!?.........ଦି କାହିଁ?" ସମଗ୍ର ପରିବେଶ ତାକୁ ନିସ୍ତବ୍ଧ ଲାଗୁଥିଲା। ତା କର୍ଣ୍ଣପଟହରେ ପ୍ରିୟାର ସ୍ନେହଭରା "ପ୍ରୟାସ...." ଡାକ ଖାଲି ପ୍ରତିଧ୍ବନି ସୃଷ୍ଟି କରୁଥିଲା। କାନ୍ଥରେ ମୁଣ୍ଡକୁ ବାଡେଇ ବାଡେଇ ସେ ଚିତ୍କାର କରୁଥିଲା, "ଦି.....ଦି.... ଦି"।



Rate this content
Log in