Sanjeeb Kumar Nag

Children Stories

4.8  

Sanjeeb Kumar Nag

Children Stories

ଡ଼ିଟେକ୍ଟିଭ ମ୍ୟାଉଁ

ଡ଼ିଟେକ୍ଟିଭ ମ୍ୟାଉଁ

4 mins
253


ଗୋଟିଏ ଗାଁରେ କୁକୁରଟିଏ ଓ ବିଲେଇଟିଏ ଦୁଇ ମିତ ଥିଲେ। ସେମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମିଳିମିଶି କରୁଥିଲେ। ରାସ୍ତାରେ ଦଉଡୁ ଥିଲେ, ପଡ଼ିଆରେ ଖେଳୁଥିଲେ ଓ ବଗିଚାରେ ବୁଲୁଥିଲେ। ରାତିରେ ଦୁହେଁ ସେମାନେ ରହୁଥିବା ସାହିର ଜଗୁଆଳି ଭଳି କାର୍ଯ୍ୟ କରୁଥିଲେ। ଗାଁ ଟା ସାରା ଦୁହିଁଙ୍କ ମିତ୍ରତା ଓ ସାହାସିକତାର ଭାରି ଚର୍ଚ୍ଚା ହୁଏ। 


ଦିନେ ଭୋର ସକାଳୁ ବିଲୁଆଟିଏ ଆସି ଦେଖିଲା ଯେ କୁକୁର ଉପରେ ବିଲେଇ ଆରାମରେ ଶୋଇଛି। ଦୁହିଁଙ୍କ ମିତ୍ରତା ଦେଖି ସେ ବି ସେମାନଙ୍କ ସହ ମିତ୍ରତା କରିବା ପାଇଁ ଇଚ୍ଛୁକ ହେଲା। କିନ୍ତୁ ସୂର୍ଯ୍ୟୋଦୟ ସମୟ ହେଇ ଆସୁଥିବାରୁ ସେ ଆଉ ସେଠାରେ ନ ଅଟକି ସିଧା ପାଖ ଜଙ୍ଗଲକୁ ପଳେଇଲା।


ତହିଁ ଆରଦିନ ସକାଳୁ ସକାଳୁ କୁକୁରର ଡାକ ଶୁଣି ଘର ଛାତ ଉପରେ ଶୋଇଥିବା ବିଲେଇ ଦୌଡ଼ିଗଲା କୁକୁର ପାଖକୁ। ଦେଖିଲା ଯେ କୁକୁରର ଗୋଡ଼ରେ ଏକ ଗମ୍ଭାର କଣ୍ଟା ଲାଗିଛି। ବିଲେଇ ସେଇ କଣ୍ଟାକୁ କାଢ଼ିବା ପାଇଁ ବହୁତ ଚେଷ୍ଟା କଲା କିନ୍ତୁ କାଢି ପାରିଲା ନାହିଁ। ଠିକ ସେଇ ସମୟରେ ସେଇ ରାସ୍ତା ଦେଇ ବିଲୁଆ ଯାଉଥିଲା। ବିଲୁଆଟି କୁକୁର ଗୋଡ଼ରୁ ଗମ୍ଭାର କଣ୍ଟା କାଢ଼ିଦେଲା ଓ ତା ସହ ମିତ୍ରତା କରିବାକୁ ଦୁହିଁଙ୍କୁ ଅନୁରୋଧ କଲା। ବିପଦରେ ସାହାଯ୍ୟ କରିଥିବାରୁ ଦୁହେଁ ବିଲୁଆର ଅନୁରୋଧ ରକ୍ଷା କରି ତାକୁ ମିତ୍ର ରୂପେ ଗ୍ରହଣ କଲେ।


ପ୍ରତିଦିନ ପାହାନ୍ତାରେ ବିଲୁଆ ଆସୁଥିଲା, କୁକୁର ଓ ବିଲେଇ ପାଖକୁ। ତିନିଜଣ ଖୁସିରେ ଖେଳୁଥିଲେ। ସୂର୍ଯ୍ୟୋଦୟ ପୂର୍ବରୁ ବିଲୁଆ ଜଙ୍ଗଲକୁ ପଳାଉଥିଲା।


ସେଦିନ ମଧ୍ୟାହ୍ନ ସମୟରେ ଘର ଅଗଣାରେ କୁକୁର ଶୋଇଥିଲା ବେଳେ ବିଲେଇ ଆସିକି କହିଲା ଯେ ପ୍ରାୟ ସପ୍ତାହେ ହେବ ତାଙ୍କ ସାହିରୁ ପ୍ରତିଦିନ ଗୋଟିଏ ଲେଖାଏଁ କୁକୁଡ଼ା ଚୋରି ହେଉଛି। ବିଲେଇ ଠାରୁ ଏକଥା ଶୁଣି କୁକୁର ଆଶ୍ଚର୍ଯ୍ୟ ହେଇଗଲା। କାହାର ଏତେ ସାହସ; ଯିଏ ଏଇ ସାହିରୁ କୁକୁଡା ଚୋରିକରୁଛି। ଦୁଃଖର ବିଷୟ ଏଇ ଯେ, ସମସ୍ତେ ତାଙ୍କ ଦୁଇ ଜଣକୁ ହିଁ ଦୋଷ ଦେଉଛନ୍ତି। କାରଣ ତାଙ୍କ ଦୁଇଜଣଙ୍କ ଉପସ୍ଥିତିରେ କୌଣସି ଚୋର ସେଇ ସାହିକୁ ପଶି ପାରିବେ ନାହିଁ ବୋଲି ଲୋକଙ୍କ ବିଶ୍ୱାସ ଅଛି। କୁକୁର ନିଜକୁ ଲଜ୍ଜିତ ମନେ କଲା। ଭାବିଲା ଆଜି ରାତିସାରା ଟିକେ ବେଶୀ ସଜାଗ ରହିବି। କେମିତି କିଏ କୁକୁଡ଼ା ଚୋରି କରିବ ଟିକିଏ ଦେଖିବି। ବିଲେଇ ବି ସତର୍କ ରହି ରାତିସାରା ଚେଇଁବା ପାଇଁ କଥାଦେଲା। ଦୁହେଁ ରାତିରେ ଭଲକରି ପହରା ଦେବା ପାଇଁ ପ୍ରସ୍ତୁତ ହେଇଗଲେ।


ସାରାରାତି କୁକୁର ଓ ବିଲେଇ ସାହିସାରା ବୁଲି ବୁଲି ପହରା ଦେଲେ। ଭୋର ସକାଳୁ ତାଙ୍କ ସାଙ୍ଗ ବିଲୁଆ ବି ପହଞ୍ଚିଲା। ତିନିଜଣ ମିଶିକି ପହରା ଦେଲେ। ସୂର୍ଯ୍ୟୋଦୟ ପୂର୍ବରୁ ବିଲୁଆ ପଳେଇଲା। କୁକୁର ଓ ବିଲେଇ ରାତିସାରା ଅନିଦ୍ରା ଥିବାରୁ ଶୋଇବା ପାଇଁ ନିଜ ନିଜ ସ୍ଥାନକୁ ଚାଲିଗଲେ। 

କିଛି ସମୟ ପରେ ପୁଣିଥରେ ସାହି ଭିତରୁ ଖବର ଆସିଲା ଯେ ସେଦିନ ଏକାସାଙ୍ଗେ ଚାରିଟି କୁକୁଡା ଚୋରି ହେଇଛି। କୁକୁର ଓ ବିଲେଇର ନିଦ ଭାଙ୍ଗିଗଲା। ଦିନସାରା ତାଙ୍କ ଭୁଲ କୋଉଠି ରହିଲା ବୋଲି ସେମାନେ ଖୋଳତାଡ଼ କରିବାରେ ଲାଗିଲେ। ଶେଷରେ ବିଲେଇ କହିଲା କେବଳ ପାହାନ୍ତାରେ ହିଁ ସେମାନେ ନିଦରେ ଟିକିଏ ଟିକିଏ ଢୁଳଉ ଥିଲେ, ବାକି ସମୟରେ ତ ପୂରା ଚଞ୍ଚଳ ଓ ସଜାଗ ରହିଥିଲେ। କୁକୁର କହିଲା ସେହି ସମୟରେ ବି କେହି ଚୋର ଆସି ନଥିବ, କାରଣ ସେତେବେଳେ ତାଙ୍କର ତୃତୀୟ ବିଲୁଆ ସାଙ୍ଗ ପୁରା ଚଞ୍ଚଳ ଓ ସଜାଗ ରହିକି ଜଗୁଥିଲା। ବିଲେଇ ତା ଘର ମାଲିକ ସଙ୍ଗେ ସୋଫାରେ ବସିବସି ପ୍ରତିଦିନ ସି.ଆଇ.ଡ଼ି ଧାରାବାହିକ ଦେଖୁଥିବାରୁ ତା ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥିଲା।


ସନ୍ଧ୍ୟାରେ ପହରା ଦେବା ଆଗରୁ ବିଲେଇ ଚାରିଆଡକୁ ନିରୀକ୍ଷଣ କରୁ କରୁ ଯୋଉ ସ୍ଥାନରେ କୁକୁର ଗୋଡ଼ରେ ଗମ୍ଭାର କଣ୍ଟା ଲାଗିଥିଲା ସେଇ ସ୍ଥାନରେ ତାର ନଜର ଅଟକି ଗଲା। ସେ ଦଉଡି ଦଉଡି ସେଇ ସ୍ଥାନକୁ ଯାଇକି କିଛି ସମୟ ଚୁପ ରହି ଭାବିଲା ଯେ, ଯଦି ତାଙ୍କ ସାହିରେ କିମ୍ବା ଗାଁ ରେ, କୌଣସି ଜାଗାରେ ବି ଗମ୍ଭାର ଗଛ ନାହିଁ; ତେବେ ଗମ୍ଭାର କଣ୍ଟା ଆସିଲା କେମିତି? କିଛି ସମୟ ତନ୍ନ ତନ୍ନ କରି ଅନୁଧ୍ୟାନ କଲା ପରେ ସେ ଜାଣି ପାରିଲା ଯେ, ସେଇ ଜାଗାକୁ ଗମ୍ଭାର କଣ୍ଟା ପବନରେ ଉଡିକି ଆସିନି କିମ୍ବା ଅନ୍ୟ କୌଣସି ପ୍ରାକୃତିକ ଉପାୟରେ ଆସିନି; କେହି ଜଣେ ଯୋଜନା ମୁତାବକ ସେଇ ସ୍ଥାନରେ କଣ୍ଟା ଗୁଡିକୁ ସଜେଇ ରୋପଣ କରିଛି। ଆଉ ଏଇଟା ବି ସତ ଯେ, ସେଇ ସ୍ଥାନକୁ ଅନ୍ୟ କେହି ନୁହେଁ ବରଂ କୁକୁର ଓ ବିଲେଇ ଦୁଇଜଣ ହିଁ ଯାଇଥାନ୍ତି। ଅର୍ଥାତ ତାଙ୍କ ଦୁଇଜଣଙ୍କ ପାଇଁ ହିଁ ସେଇ ସ୍ଥାନରେ କଣ୍ଟା ରୋପଣ କରାଯାଇଥିଲା। ବିଲେଇ ସଙ୍ଗେ ସଙ୍ଗେ କୁକୁର ପାଖକୁ ଯାଇ ତାକୁ କାନେ କାନେ କିଛି କହିଲା। ତାପରେ ଦୁଇଜଣ ଯାକ ସାହି ସାରା ବୁଲି ବୁଲି ଯୋଉ ଯୋଉ ସ୍ଥାନରୁ କୁକୁଡ଼ା ଚୋରି ହେଇଥିଲା, ସେଇ ସବୁ ସ୍ଥାନକୁ ନିରୀକ୍ଷଣ କଲେ। ସେମାନେ ସେଇ ସ୍ଥାନ ମାନଙ୍କରେ ଚୋରର ପାଦ ଚିହ୍ନ ପାଇଲେ ନାହିଁ କାରଣ ଲୋକଙ୍କ ପାଦ ଚିହ୍ନରେ ସେ ସବୁ ଲିଭି ଯାଇଥିଲା। ତଥାପି ସେମାନେ ଜାଣି ପାରିଲେ ଯେ, ଚୋରି କୌଣସି ମଣିଷ ଦ୍ୱାରା ନୁହଁ ବରଂ କୌଣସି ହିଂସ୍ର ଜନ୍ତୁ ଦ୍ୱାରା ହେଇଥିଲା। କାରଣ ସବୁ ସ୍ଥାନରେ କୁକୁଡ଼ା ପର ସହ କିଛି କିଛି ରକ୍ତ ଛିଟା ବି ପଡିଥିଲା। ମଣିଷ ଯଦି ଚୋରି କରିବ ତେବେ ରକ୍ତ ପଡିବ ନାହିଁ; ମଣିଷ କଞ୍ଚା ମାଂସ ଖାଏ ନାହିଁ। ବିଲେଇ କୁକୁରକୁ ପଚାରିଲା, ଯେ ସେଇ ସ୍ଥାନ ମାନଙ୍କରେ କିଛି ଏମିତି ଗନ୍ଧ ଅନୁଭବ ହେଲାକି ଯୋଉଟା ତାକୁ ଟିକିଏ ଅଡୁଆ ଅଡୁଆ ଲାଗିଥିବ। କୁକୁରକୁ କୌଣସି ଗନ୍ଧ ଅଡୁଆ ଲାଗି ନଥିଲା; କାରଣ ତାଙ୍କ ତିନି ମିତଙ୍କ ବ୍ୟତୀତ ଅନ୍ୟ କୌଣସି ଚତୁଷ୍ପଦ ପ୍ରାଣୀର ଗନ୍ଧ ସେ ପାଇ ନଥିଲା। 


ସେଦିନ ବି ସେମାନେ ରାତିସାରା ପହରା ଦେଲେ। ଭୋର୍ ସକାଳୁ ବିଲୁଆ ବି ଆସିକି ପହରା ଦେଲା। କିନ୍ତୁ ସେଦିନ ବି ଦୁଇଟି କୁକୁଡ଼ା ଚୋରି ହେଇଥିବାର ଅଭିଯୋଗ ଆସିଲା। ବିଲେଇ ପୁଙ୍ଖାନୁପୁଙ୍ଖ ଭାବରେ ସବୁ ଘଟଣାର ବିଶ୍ଳେଷଣ କରି ଅସଲି ଚୋରକୁ ଜାଣିବାକୁ ପାଇଲା। କିନ୍ତୁ କୁକୁରକୁ ସେ ବିଷୟରେ ନକହି, ଆରଦିନ ରାତିସାରା କୁକୁରକୁ ସେ ଶୋଇବାକୁ କହିଲା ଓ ନିଜେ ବି ଶୋଇଲା। ଭୋର୍ ସକାଳୁ ବିଲୁଆ ଆସିବାରୁ ତିନି ଜଣ ସାଥିରେ ଖେଳିଲେ। ସୂର୍ଯ୍ୟୋଦୟ ପୂର୍ବରୁ ବିଲୁଆ ପଳେଇଲା।


ଖୁସିର କଥା ସେଦିନ କୌଣସି କୁକୁଡ଼ା ଚୋରି ହେଇନଥିଲା। ବିଲେଇ ଯାହା ସବୁ ଭାବିଥିଲା ତାହା ହିଁ ହେଉଥିଲା। ସେ ଜାଣି ପାରିଥିଲା ଯେ, ପାହାନ୍ତାରେ ଯେତେବେଳେ ସେ ଓ କୁକୁର ଶୋଉଥିଲେ, ସେତେବେଳେ ବିଲୁଆ ହିଁ କୁକୁଡ଼ା ଚୋରି କରି ଖାଉଥିଲା। ସେ ଆଉ ବି ଜାଣି ପାରିଲା ଯେ, ଜଙ୍ଗଲରୁ ଗମ୍ଭାର କଣ୍ଟା ଆଣି ବିଲୁଆ ହିଁ ସେଇ ସ୍ଥାନରେ ରୋପଣ କରିଥିଲା, ତାଙ୍କ ସହିତ ବନ୍ଧୁତା କରିବା ପାଇଁ। ସରଳ ବିଶ୍ବାସୀ କୁକୁର ସେଦିନ ଚୋରିହେଇଥିବା ଜାଗା ମାନଙ୍କରେ ବିଲୁଆର ଗନ୍ଧ ପାଇଥିଲେ ବି ସେ ବିଲୁଆକୁ ବିଶ୍ବାସ କରିଥିଲା ଓ ତାକୁ କିଛି ଅଡୁଆ ଲାଗିନଥିଲା। ବିଲେଇ କିନ୍ତୁ ନିଜକୁ ବଡ଼ ଡ଼ିଟେକ୍ଟିଭ ମନେକରେ, ଆଉ ବେଳେବେଳେ କହେ ବି "ହାଏ! ଆଇ ଆମ ଡ଼ିଟେକ୍ଟିଭ ମ୍ୟାଉଁ" ବୋଲି। ତେଣୁ ତା ମନରେ ସବୁବେଳେ ବିଲୁଆ ପ୍ରତି ସନ୍ଦେହ ଆସୁଥିଲା। 


ତହିଁ ଆରଦିନ ସେମାନେ ବେଶୀ କୁକୁଡ଼ା ରହୁଥିବା ଗୋଟିଏ କୁକୁଡ଼ା ଘର ସାମନାରେ ଫାଶ ଲଗେଇ ରାତିସାରା ଶୋଇଲେ। ଭୋର ସକାଳୁ ବିଲୁଆ ଆସିଲା ପରେ ସେମାନେ ରାତିସାରା ଅନିଦ୍ରା ଥିବା ଜଣେଇ ବିଲୁଆକୁ ପହରା ଦେବାକୁ କହିଲେ ଓ ଶୋଇବାର ଅଭିନୟ କଲେ। କିଛି ସମୟ ପରେ ହଠାତ ଲୋକଙ୍କ ପାଟି ଶୁଣି ଉଠି ଦେଖିଲା ବେଳକୁ, ଦଳେ ବାଳୁଙ୍ଗା ଟୋକା ବିଲୁଆକୁ ବେକରେ ଓ ଗୋଡ଼ରେ ଦଉଡ଼ି ଲଗେଇ ପିଟି ପିଟି ଟାଣି ନେଉଥିଲେ।


Rate this content
Log in