Sanjeeb Kumar Nag

Children Stories Children

4.5  

Sanjeeb Kumar Nag

Children Stories Children

ବଣଭୋଜି

ବଣଭୋଜି

2 mins
348


ଥରେ ଏକ ଜଙ୍ଗଲରେ ବିଲୁଆ, ଠେକୁଆ ଓ ହରିଣ ଭୋଜି କରିବା ପାଇଁ ମନସ୍ଥ କଲେ। ସେମାନେ ଜଙ୍ଗଲ ଭିତରେ ଥିବା ଏକ ବଡ଼ ବରଗଛ ତଳେ ଠୁଳ ହୋଇ ସେଠି ରୋଷେଇ କରିବାର ବ୍ୟବସ୍ଥା କଲେ। ବିଲୁଆର ସ୍ତ୍ରୀ ତଳେ ପଡିଥିବା ପତ୍ର ସବୁ ଝାଡୁମାରି ସଫାକରୁଥିଲା ବେଳେ, ଠେକୁଆର ସ୍ତ୍ରୀ ଚୁଲି ତିଆରି କରୁଥିଲା ଓ ହରିଣର ସ୍ତ୍ରୀ ଆଖପାଖରୁ ଶୁଖା କୁଟିକାଠି ଠୁଳ କରୁଥିଲା।


 ବିଲୁଆ, ଠେକୁଆ ଓ ହରିଣ ପାଖ ବଜାରକୁ ଗଲେ ରୋଷେଇ ସାମଗ୍ରୀ କିଣିବା ପାଇଁ। ଚାଉଳ, ଡାଲି, ମାଛ, ପନିପରିବା, ମସଲା ଆଦି ଧରି ଫେରିଲାବେଳେ ସେମାନେ ବାଟରେ ତାଙ୍କର ପୁରୁଣା ବନ୍ଧୁ ବିରାଡ଼ିକୁ ଦେଖିଲେ। ବିରାଡ଼ିକୁ ତାଙ୍କ ଭୋଜିରେ ସାମିଲ ହେବାପାଇଁ ଠେକୁଆ ଶ୍ରଦ୍ଧାରେ ନିମନ୍ତ୍ରଣ ଜଣେଇଲା। ଏତିକିବେଳେ ଠେକୁଆର କଥାକୁ କାଟି ବିଲୁଆ କହିଲା ଯେ, ଭୋଜିର ସାମିଲ ହେବାପାଇଁ ହେଲେ ତାକୁ ବଜାରରୁ ପୁଣିଥରେ କିଛି ସଉଦା କିଣିଆଣିବାକୁ ପଡିବ। କାରଣ ବିରାଡ଼ିକୁ ସାମିଲ କଲେ ସେମାନେ ବଜାରରୁ ଯେତିକି ସାମଗ୍ରୀ କିଣି ଆଣିଛନ୍ତି ତାହା କମ ପଡିଯିବ। ବିରାଡ଼ି କିନ୍ତୁ ନିଜର ଅକ୍ଷମତା ପ୍ରକାଶ କଲା। ସେ କହିଲା ଯେ, ତା ମାଉସୀ ଦେହ ଅସୁସ୍ଥ ଥିବାରୁ ସେ ତା ପାଖରେ ସଞ୍ଚୟ ଥିବା ସବୁତକ ଟଙ୍କା ତା ମାଉସୀର ଚିକିତ୍ସାରେ ଖର୍ଚ୍ଚ କରିଦେଇଛି। ବିଲୁଆ ଓ ହରିଣ ଠିକ୍ ଅଛି ତାହେଲେ ଆରଥରକୁ ମିଶିକି ଭୋଜି କରିବା କହିକି ପଳେଇ ଆସିଲେ। ଠେକୁଆ ବି ତାଙ୍କ ପଛେ ପଛେ ଗଲା କିନ୍ତୁ ଏସବୁ ତାକୁ ଟିକେ ଭଲ ଲାଗୁନଥାଏ।

ବରଗଛ ତଳକୁ ପହଞ୍ଚିଲା ପରେ ହରିଣର ସ୍ତ୍ରୀ ହରିଣକୁ ବିଳମ୍ବର କାରଣ ପଚାରିବାରୁ ସେ ସବୁ କଥା ବଖାଣିଲା। ବିରାଡ଼ିକୁ ଭୋଜିରେ ସାମିଲ ନକରିବାରୁ ଠେକୁଆ ଦୁଃଖରେ ବସିଥାଏ। ଏତିକି ବେଳେ ବିଲୁଆର ସ୍ତ୍ରୀ ବି ବିଲୁଆକୁ ଗାଳି କଲା। "ଛଅ ଜଣଙ୍କ ପାଇଁ ରାନ୍ଧିଲେ କଣ ଆଉ ଜଣକୁ ଖାଇବାରେ ମିଶେଇ ହବନି! ଛୋଟ ବିରାଡ଼ିଟା କେତେ ଖାଇଥାନ୍ତା ଯେ ଆସିବାକୁ ମନାକଲ। ମୁଠାଏ କମ ହେଲେ କଣ ଅସୁବିଧା ହେଉଛି; ତମର ସାଙ୍ଗ ପରା ! ଯେତେ ବି ହେଉ; କମ ହେଉ ବା ବେଶୀ ହେଉ, ମିଳିମିଶି ଖାଇବା ଭଲ। ଖୁସି ବାଣ୍ଟିଲେ ବଢେ, ଦୁଃଖ ବାଣ୍ଟିଲେ କମେ।" ସ୍ତ୍ରୀ ଠାରୁ ଏମିତି ଗାଳି ଶୁଣି ବିଲୁଆ ସଙ୍ଗେ ସଙ୍ଗେ ବାହାରିଲା ବିରାଡ଼ିକୁ ଆଣିବା ପାଇଁ।


ଦଉଡି ଦଉଡି ଯାଇ ପ୍ରାୟ ଦଶ ମିନିଟ ଭିତରେ ପହଞ୍ଚି ଗଲା ସେ ଗାଁ ମୁଣ୍ଡରେ। ତରବରରେ ଥିବା ଯୋଗୁଁ ସେ ଆଉ ତଳେ ପଡିଥିବା ଜାଲକୁ ଦେଖି ପାରିଲା ନାହିଁ ଓ ଛନ୍ଦି ହୋଇ ଜାଲରେ ପଡିଗଲା। ବିଲୁଆ ମାନେ ଗାଁ ଲୋକଙ୍କ କୁକୁଡା ଚୋରିକରି ନେଉଥିବାରୁ ଗାଁ ଲୋକେ ସେଇ ଜାଲ ବିଛେଇଥିଲେ। ବିଲୁଆ ଜାଲରୁ ମୁକୁଳିବା ପାଇଁ ବହୁତ ପ୍ରୟାସ କଲା କିନ୍ତୁ ମୁକୁଳି ପାରିଲା ନାହିଁ ଓ ହତାଶ ହେଇ ଚୁପଚାପ ନିଜ ମରଣକୁ ଅପେକ୍ଷା କରିଥିଲା। ଏତିକିବେଳେ ବିରାଡି ଧଇଁସଇଁ ହୋଇ ଦଉଡି ଦଉଡି ଆସି ଜାଲଟିକୁ ଛିଣ୍ଡେଇ ଦେଲା ଓ ବିଲୁଆକୁ ଜଙ୍ଗଲ ଭିତରକୁ ନେଇଗଲା। 

ପାହାଡ଼ ଉପର ଏକ ଗଛତଳକୁ ଯାଇ ଦୁହେଁ ବସିଲେ। ଗାଁ ଲୋକଙ୍କ ଠାରୁ ଜାଲରେ ବିଲୁଆଟିଏ ପଡିଛି ବୋଲି ଶୁଣି ବିରାଡି ଦଉଡି ଦଉଡି ଆସି ବିଲୁଆକୁ ବଞ୍ଚେଇ ଥିଲା। ଆଉ ଟିକିଏ ବିଳମ୍ବ ହେଇଥିଲେ ଗାଁ ଲୋକେ ପହଞ୍ଚି ବିଲୁଆକୁ ମାରିଦେଇଥାନ୍ତେ। ବିଲୁଆଟି ସେଦିନ ବିରାଡ଼ିକୁ ତା ବ୍ୟବହାର ପାଇଁ କ୍ଷମା ମାଗିଲା ଓ ଭୋଜିକୁ ଆସିବାକୁ ଅନୁରୋଧ କଲା। ପ୍ରଥମେ ବିରାଡି ଟିକିଏ ଅମଙ୍ଗ ହେଲା କିନ୍ତୁ ବହୁତ ବାଧ୍ୟ କରିବାରୁ ଶେଷରେ ସେ ରାଜି ହେଲା ଓ ଭୋଜିକୁ ଗଲା। ଠେକୁଆ ଓ ହରିଣ ଶାକାହାରୀ ହେଇଥିବାରୁ ଭାତ, ଡାଲି ଓ ପନିପରିବା ଏବଂ ବିଲୁଆ ଓ ବିରାଡି ସର୍ବାହାରୀ ହୋଇଥିବାରୁ ଭାତ-ଡାଲି ସହ ସବୁ ଭଜା ମାଛ ବି ଆନନ୍ଦରେ ଖାଇଲେ।


Rate this content
Log in