ବୋହୂ ଓ ଝିଅ
ବୋହୂ ଓ ଝିଅ
ଜାନକୀ: ମୈଥିଲି... ମୈଥିଲି...ଆଲୋ ଏ... ପୋଡାମୁହିଁ କୋଉଠି ମରିଛୁ କି... ଡାକି ଡାକି ମୋ ଗଳା ଶୁଖି ଗଲାଣି... ହେଲେ ତୋର ଦେଖା ନାହିଁ...ମୈଥିଲି...
ମୈଥିଲି: (ଆଖି ମଳି ମଳି କୋଠରୀ ଭିତରୁ ବାହାରି) ମାଆ ମତେ ଡାକୁଥିଲ?
ଜାନକୀ: ନାଇଁ...ମୁଁ କାହିଁକି ତତେ ଡାକିବି, ଖାଲି ସେମିତି ଟିକେ ଗଳା ଟେଷ୍ଟିଙ୍ଗ କରୁଥିଲି, ଯେମିତି ଲୋକେ ମାଇକ ଟେଷ୍ଟିଙ୍ଗ କରନ୍ତି... ସେମିତି।
ମୈଥିଲି: ରାଗନି ମାଆ; କଣ ହେଇଛି କୁହ?
ଜାନକୀ: କଣ କହିଲୁ, କଣ କହିଲୁ; ରାଗିବିନି? ଖୁସି ହେବି? କୋଉ ସୁଖ ଦେଇଛୁ ଯେ ଖୁସି ହେବି? ବେଳ ଆସି ମୁଣ୍ଡ ଉପରେ ହେଲାଣି ଚା କପେ ଦେଇଛୁ?
ମୈଥିଲି: ସବୁଦିନ ତ ଟାଇମରେ ଦିଏଁ ମାଆ, ଆଜି ବି ଠିକ ସମୟରେ ଦେଇଥାନ୍ତି, ହେଲେ କିଚେନକୁ ଗଲାବେଳେ ମୁଣ୍ଡ ଜୋରରେ ବିନ୍ଧିବାରୁ ବିଛଣାରେ ଟିକିଏ ଗଡ଼ିଥିଲି; ଆଉ ଝିଅ ବି କ୍ଷୀର ପିଉଥିଲା ମାଆ; ରାଗନି କରି ଦେଉଛି ।
ଜାନକୀ: ମୁଣ୍ଡ ବିନ୍ଧୁଚି ? ଛେନା ଗୁଡ଼ ଏତେ ଫଳମୂଳ ଖାଉଛୁ, କ୍ଷୀର ପିଉଛୁ ଆଉ କଣ ସେଟା? ହ... ହ... ହରଲିକ୍ସ ପିଉଛୁ, ଏତେ ସବୁ ଭିଟାମିନି ଖାଉଛୁ, ତଥାପି ମୁଣ୍ଡ ବଥଉଛି? ଆଉ ବାହାନା କରନା, ମୋ ପୁଅ ଘରେ ଥିଲାବେଳେ, ତା ସାମନାରେ ଭଲ ଦେଖେଇ ହେବା ପାଇଁ କେତେ କଣ କରୁଥିଲୁ ମାଆ ଚା ନିଅ, ରୋଟି ଖାଇବ ନା ଚକୁଳି ଖାଇବ? ସୁଜି ବନେଇବି ନା ସେମିଆଁ ବନେଇବି? ବାଃ ରେ ଦୁନିଆଁ କି ଅଭିନୟ!!! ଆଉ ପୁଅ ଚାକିରୀକୁ ଗଲା ଦିନଠୁ? ଫୁସ୍...
ମୈଥିଲି: ନାଇଁ ମାଆ ସେମିତି ନାଇଁ, ଝିଅ ରାତିସାରା ଭଲରେ ଶୋଇନି ତା ପାଇଁ ମୋ ଆଖିରେ ବି ନିଦ ନାହିଁ, ତାକୁ ବୁଝେଇ ବୁଝେଇ ବହୁତ କଷ୍ଟରେ ଶୁଏଇଛି, ରାତିସାରା ହଇରାଣ କରିଛି (ଛଳ ଛଳ ଆଖିରେ)... ବହୁତ ଦୁର୍ବଳ ଲାଗୁଛି ମାଆ।
ଜାନକୀ: ହଇଲୋ ଏ... ମୁଁ କଣ ତୋର ଭାଷଣ ଶୁଣିବାକୁ ଏଠି ଛିଡା ହେଇଛି, ଲାଜ ଲାଗୁନି ତତେ, ଶୀଘ୍ର ଯାଇ ଚା କରିବା ବଦଳରେ ଏଠି ମୋ ସହ ଯୁକ୍ତିତର୍କ କରୁଛୁ?
ମୈଥିଲି: ଯାଉଛି ମାଆ (ଲୁହ ପୋଛି ପୋଛି ପ୍ରସ୍ଥାନ କରିବ)
(ମୋବାଇଲ ରିଂ ବାଜି ଉଠିବ)
ଜାନକୀ: ହେଲୋ... ହେଲୋ
ବୈଦେହୀ: ମାଆ... ମାଆ (ଦରଦୀ କଣ୍ଠରେ)
ଜାନକୀ: କଣ ହେଲା ମାଆ? କାନ୍ଦୁଛୁ କି?
ବୈଦେହୀ: ମୋ ମୁଣ୍ଡ ଫାଟି ଯାଇଛି ମାଆ, ବାଥରୁମରୁ ବାହାରିଲା ବେଳେ ଗୋଡ ଖସିଗଲା ଏଇ ଏବେ ଫେରୁଛି ଡାକ୍ତରଖାନାରୁ ପଟି ବାନ୍ଧିକି?
ଜାନକୀ: କେମିତି ହେଇଛି, ବେଶୀ ଗଭୀର ଚୋଟ ଲାଗିନି ତ?
ବୈଦେହୀ: ନାଇଁ, ବେଶୀ ଚୋଟ ଲାଗିନି
ଜାନକୀ: ତତେ ସବୁବେଳେ କହୁଛି; ଠିକ ସମୟରେ ଖାଆ ଆଉ ଭଲକରି ବିଶ୍ରାମ କର ବୋଲି।
ବୈଦେହୀ: ଖାଉଛି ଲୋ... ହେଲେ କିଛିଦିନ ହେଲା ବାବୁ ରାତି ୧ଟା ରୁ ୨ଟାରେ ଭିତରେ ଉଠି ପଡୁଛି, କ୍ଷୀର ପିଉଛି ଆଉ ସକାଳେ ୫ଟା ରେ ପୁଣି ଥରେ ଶୋଇ ପଡୁଛି, ତା ପାଇଁ ମୁଁ ବି ଶୋଇ ପାରୁନି... ସେଥିପାଇଁ ମୁଣ୍ଡ ବିନ୍ଧୁଚି ଖାଇବାକୁ ବି ସେତେ ଇଚ୍ଛା ଲାଗୁନି ।
ଜାନକୀ: ମୋ ଧନ! କେତେ କଷ୍ଟ ସହିବାକୁ ପଡୁଛି ତତେ! ପଳେଇ ହେଲେ ଆ ଏଠିକି... ମାସଟେ ଖଣ୍ଡେ ରହିବୁ ଏଠି, ଏକା କେତେ କାମ କରିବୁ! ଏତେ ବଡ ଘରର ।
ବୈଦେହୀ: ମୋ ପାଇଁ ଚିନ୍ତା କରନା ଲୋ... ମୋ ଶାଶୁ ଶ୍ଵଶୁର ନଥିଲେ ବି ତୋ ଜୋଇଁ ଏକା ଥିଲେ କାଫି... ଶାଶୁ ଶ୍ଵଶୁର, ନଣନ୍ଦ, ଦିଅର ସବୁ ସେ। ମତେ ବହୁତ ସାହାଯ୍ୟ କରନ୍ତି... ଲୁଗାପଟା ସଫା କରିବାଠୁ ଆରମ୍ଭ କରି ରନ୍ଧାବଢ଼ା, ବାସନ ମଜା ସବୁଥିରେ ସେ ସାହାଯ୍ୟ କରନ୍ତି। ଦିନେ ଦିନେ ମୋ ଦେହ ଅସୁସ୍ଥ ଥିଲେ ସବୁଯାକ କାମ ସେ ନିଜେ କରନ୍ତି।
ଜାନକୀ: ମୁଁ ହେଲେ ଯାଇଥାନ୍ତି ତୋ ପାଖକୁ, ରହିଥାନ୍ତି ମାସେ ଆଉ ଆସିଥାନ୍ତି; ମୋ ନାତୀକୁ ଦେଖିବାକୁ ମୋ ଆଖି ଝୁରି ମଲାଣି, ହେଲେ କଣ କରିବି ଏଠିର କଥା ତ ଜାଣିଛୁ, ପୁଅ ଶନିବାର ଆସୁଛି ଆଉ ସୋମବାର ସକାଳେ ପୁଣି ପଳାଉଛି କାମକୁ। ନାତୁଣୀ ଆଉ ବୋହୂ ଦୁହେଁ କେମିତି ରହିବେ ଏଠି ମୁଁ ନଥିଲେ, ହେଲେ ଚିନ୍ତା କରନା ଲୋ ମାଆ, ଭବାନୀପାଟଣାରେ ଘର ଭଡା ନେବି କହୁଥିଲା ପୁଅ ଦେଢ ମାସ ପରେ; ତାପରେ ଆଉ କିଛି ଅସୁବିଧା ହେବନି, ମନ ଇଚ୍ଛା ତୋ ପାଖକୁ ଯିବି ।
ବୈଦେହୀ: ତୁ କେତେ ଭଲ ଲୋ ମାଆ! ମୋର ହେଲେ ତୋ ଭଳି ଜଣେ ଶାଶୁ ଥାଆନ୍ତେ! ମୈଥିଲି ଭାଉଜଙ୍କର ଭାଗ୍ୟ କେତେ ଭଲ! ତାଙ୍କ ମାଆ ନାହାଁନ୍ତି ବୋଲି ତୋ ଭଳି ମାଆଟେ ପାଇଲେ ଶାଶୁ ରୂପରେ ।
ଜାନକୀ: ହଁ ଲୋ ମାଆ, ତା ବାପା ମାଆ ଥିଲେ ତାକୁ କିଛି ଦିନ ପାଇଁ ତା ବାପ ଘରକୁ ପଠେଇ ଦେଇ ତୋ ପାଖକୁ ଯାଆନ୍ତି।
ବୈଦେହୀ: ତୁ ଆ ବୋଲି କହୁନି ମାଆ, ଭାଉଜଙ୍କ କଥା ଭାବିଲେ ମତେ ଭାରୀ ଦୁଃଖ ଲାଗେ, ମୋର ସ୍ୱାମୀ ମୋର ଏତେ ସେବା କରନ୍ତି, ଏତେ ସାହାଯ୍ୟ କରନ୍ତି, ତଥାପି ମତେ ଭଲ ନ ଲାଗିଲେ ତତେ କଲ କରିକି ମନ କଥା ହୁଏ। ମନ ହାଲକା କରିବା ପାଇଁ । ଭାଉଜ କେମିତି କରୁଥିବେ ଟିକେ ଭାବ? ସୁବିଧା ଅସୁବିଧାରେ ତାଙ୍କ ସହ କଥା ହେଇ ସାହସ ଦେବାପାଇଁ ତାଙ୍କ ବାପା ମାଆ ବି ନାହାଁନ୍ତି। ଭାଇ ସପ୍ତାହକୁ ୫ଦିନ ବାହାରେ ରହୁଛନ୍ତି। ଭାଉଜଙ୍କ ଭାଗ୍ୟ ଭଲ ଯେ ମାଆ ଭଳି ସ୍ନେହ କରୁଥିବା ଗୋଟେ ଶାଶୁ ପାଇଛନ୍ତି।
(ଚା କପ ଧରି ମୈଥିଲିର ଆଗମନ)
ମୈଥିଲି: ମାଆ... ଏଇ ନିଅ ଚା...
ଜାନକୀ: ହଉ ମାଆ ରଖୁଛି ପରେ କଲ କରିବି।
ମୈଥିଲି: ଆଗେ ଏଇ ସେମିଆଁ ଖାଇନିଅ ତାପରେ ଚା ପିଇବ।
ଜାନକୀ : (ଜାନକୀ ଫୋନ କାଟି ଚା କପ ଧରି ନମ୍ର ଭାବରେ ) ତୁ ଖାଇଲୁଣି ?
ମୈଥିଲି: ନାଇଁ ମାଆ ତମେ ଆଗେ ଖାଇନିଅ
ଜାନକୀ: ନା ତୋ ପାଇଁ ବି ଆଣ, ମୋ ସାମ୍ନାରେ ଖାଇବୁ ତାପରେ ଯାଇ ମୁଁ ଖାଇବି, ଛୁଆ ରାତିସାରା କ୍ଷୀର ପିଉଛି, ହଇରାଣ କରୁଛି ତତେ ଦୁର୍ବଳ ଲାଗୁଥିବ ଭଲକରି ନଖାଇଲେ, ନ ଶୋଇଲେ କେମିତି ହେବ।
ମୈଥିଲି : (ଛଳ ଛଳ ନୟନରେ) ହଁ ମାଆ ।
******************
ଏକାଙ୍କିକାର ଚରିତ୍ର ଗଣ :- ଜାନକୀ, ମୈଥିଲି ଓ ବୈଦେହୀ